Jump to content

"ଗ" - ଗୁମାନ କରିବା ବୃଥାରେ ସଙ୍ଗିନୀ

ଉଇକିପାଠାଗାର‌ରୁ

(ରାଗ ଗୁଜ୍ଜରୀ, ତାଳ ନିଃସାରୀ)


ଗୁମାନ କରିବା ବୃଥା ରେ ସଙ୍ଗିନୀ

ଗୁମାନ କରିବା ବୃଥା

ଗତି ତ ନ ଥିବ ଘନଶ୍ୟାମ ବିନୁ

ଖଣ୍ଡିବାକୁ କାମ ବ୍ୟଥା । ଘୋଷା ।


ଗରବ ପରବ ଚନ୍ଦ୍ରମାକୁ ନିନ୍ଦେ

ଯେଉଁ ଶିରୀମୁଖ ଦ୍ୟୁତି

ଗଲେ ଯିବ ପଛେ ଜୀବ ଆଉ ଥରେ

ଦେଖିବାକୁ ବଳେ ମତି । ୧ ।


ଗଗନ ମଣି ତନୟା ତଟଚାରୀ

ବାରିରୁହ ଚାରୁ ନେତ୍ର

ଗାଢ଼ ପରିରମ୍ଭ ବିନା ସଖି ଦମ୍ଭ

ଭଜି ପାରେ କି ମୋ ଗାତ୍ର । ୨ ।


ଗୁରୁ ହେଲାନି ପିନ୍ଧିବା ସରୁ ବାସ

ବାସରେ ନ ରହେ ମତି

ଗୋଟିଏ ବାସର କଳପ ମଣଇଁ

ଦେଖି ବାସନ୍ତୀକ ରୀତି । ୩ ।


ଗରଳ ପରି ଉପବନ ପବନ

ଲାଗୁଅଛି ମୋତେ ସଖି

ଗଲାଟି ଜୀବନ ଭଣେ ଜଗଦ୍ଦେବ

ଆଉ ନ ପାରେ ମୁଁ ରଖି । ୪ ।