Jump to content

"ଞ" - ଆସ ଆସ ସଖି ଯିବା ବାସକୁ ଗୋ

ଉଇକିପାଠାଗାର‌ରୁ

(ରାଗ ପୁନ୍ନାଗ, ତାଳ ଯତି)

ଆସ ଆସ ସଖି ଯିବା ବାସକୁ ଗୋ । ଘୋଷା ।


ଆଉ ରହିଲେ ଏ ବନେ ଅସତୀ ବୋଲିବେ ଜନେ

ଅବଶ୍ୟ କରିବେ ଉପହାସକୁ ଗୋ । ୧ ।


ଅଖିଳ ଲାବଣ୍ୟ ଶିରୀ ଆଉ କି ଆସିବେ ହରି

ଅରୁଣ ଭଜିଲା ପରକାଶକୁ ଗୋ । ୨ ।


ଆମ୍ଭ ଅବସ୍ଥା ସଜନୀ ଆଗରେ ରଖି ପଦ୍ମିନୀ

ଅଧରେ ଧରିଛି ଦରହାସକୁ ଗୋ । ୩ ।


ଆନ ନାଗରୀକୁ ଧରି ଆରମ୍ଭିଲେ ନିଶ୍ଚେ ହରି

ଅନଙ୍ଗ ରଙ୍ଗରେ ଅଭିଳାଷକୁ ଗୋ । ୪ ।


ଆର୍ତ୍ତି କହେ ଜଗଦ୍ଦେବ ଆଉ କି ସତେ ଆସିବ

ଅଭିନବ କୁଞ୍ଜବନ ରାସକୁ ଗୋ । ୫ ।