Jump to content

"ତ" - ତମାଳ ନୀଳ ତନୁ

ଉଇକିପାଠାଗାର‌ରୁ

(ରାଗ ଝିଞ୍ଜୋଟି, ତାଳ ଆଦିତାଳ)


ତମାଳ ନୀଳ ତନୁ

ତାପ ନ ଯାଏ ମୋ ସଖୀ ମନୁଁ ହେ । ଘୋଷା ।

ତରଣୀଜା ତଟ ବନୁ ତୁମ୍ଭଙ୍କୁ ଶ୍ରୀହରି

ଖୋଜି ଖୋଜି ହରିଣାକ୍ଷୀ ଫେରିଯିବା ଦିନୁ । ୧ ।


ତରଳରେ ନୟନୁ ତେଜୁଅଛି ନିରନ୍ତରେ

ନୀରଧାର ବରଷିଲା ପରି ଘନୁ । ୨ ।


ତୀକ୍ଷଣ ବାଣ ଅତନୁ ତାମରସ ମୁଖୀ

ମରମକୁ ଯୋଖି ବିନ୍ଧେ ଫୁଲଧନୁ । ୩ ।


ତାପ ଦିଏ ହିମଭାନୁ ତନୁରେ ଫୋଟକା

ହେଉଅଛି ଏକା ଘନସାର ବିଲେପନୁ । ୪ ।


ତୁମ୍ଭ ଅବଲୋକନୁ ଭାଷେ ଜଗଦ୍ଦେବ ତାର

ପ୍ରାଣ ଯିବ ଶ୍ରୀଅଙ୍ଗଟି ହେଲା ତନୂ । ୫ ।