Jump to content

"ଯ" - ଯଥାର୍ଥ କରି ଶ୍ୟାମ କହୁଛି ହେ

ଉଇକିପାଠାଗାର‌ରୁ

(ରାଗ ଝିଞ୍ଜୋଟି, ତାଳ ଏକତାଳି)

ଯଥାର୍ଥ କରି ଶ୍ୟାମ କହୁଛି ହେ

ଜେମାର ଅଙ୍ଗୀକାର ନୋହୁଛି ହେ । ଘୋଷା ।


ଯାମକୁ ଯାମ ତାମରସ ନେତ୍ରାକୁ କାମ

ବିନ୍ଧି ମରମେ ଶର ମୋହୁଛି ହେ

ତେମନ୍ତେ ହେଲେ ଯାହା କରିଅଛି ସୁଦେହା

ଚିତ୍ତେ ନିବିଡ଼େ ଶଙ୍କା ରହିଛି ହେ । ୧ ।


ଯତ୍ନ କଲେ ନ ରହି ନିରତେ ପ୍ରିୟସହି

ନୟନୁ ଅଶ୍ରୁଧାରା ବହୁଛି ହେ

ଯାବକ ଚିତ୍ର ଚାରୁ ଚରଣ ପଙ୍କଜରୁ

ପଡ଼ିବା ପ୍ରବାହରେ ଧୋଉଛି ହେ । ୨ ।


ଯାବତ ସୁବିନୟ କହିଲେ ମୁଁ ସଦୟ

ନ କରି ତୁନି ହୋଇ ରହିଛି ହେ

ନବ ନଳିନୀ ଦଳେ ପହୁଡ଼ିଛି ବିକଳେ

ନିଃଶ୍ୱାସ ମାତ୍ର ତାର ବହୁଛି ହେ । ୩ ।


ଯାମିନୀଶ ବସନ୍ତ ମଧୁପ ପରଭୃତ

ରୁତ ଜାତ ସନ୍ତାପ ସହୁଛି ହେ

ନବପଲ୍ଲବ କରେ ଅବିରତେ ଶୋକରେ

ଚାରୁ ଖଣ୍ଡମଣ୍ଡଳ ବହୁଛି ହେ । ୪ ।


ଯାତନା ଦେଇ କୁମ୍ଭଜିତସ୍ତନାକୁ ତୁମ୍ଭ

ବିରହ ହୁତବହ ଦହୁଛି ହେ

ଜଗଦ୍ଦେବ ଭାଷଇ ତାର ସହାୟ ହୋଇ

ମଳୟ ଗନ୍ଧବହ ବହୁଛି ହେ । ୫ ।