Jump to content

"ହ" - ହରି ପାଶରେ ସଜନୀ ଥାଉ ଗୋ ଆଜ ରଜନୀ

ଉଇକିପାଠାଗାର‌ରୁ

(ରାଗ ରାମକେରୀ, ତାଳ ଏକତାଳି)


ହରି ପାଶରେ ସଜନୀ ଥାଉ ଗୋ ଆଜ ରଜନୀ । ଘୋଷା ।

ହେଲାନି ସଖୀର ହାସ ବଦନ ଚନ୍ଦ୍ର ପ୍ରକାଶ

ତେଜିଲାଣି ଶ୍ୟାମ ରୋଷ ଏଠାରୁ ଗୋ ଯିବା ଆସ । ୧ ।


ହଟିଛି ମଦନ ରାଜି ବିନ୍ଧି ଶାୟକ ସମାଜ

ନାଶିବାକୁ ସଖୀ ଲାଜ କଲା କି ଗୋ ଧନୁ ସଜ । ୨ ।


ହିମ ବିନା କମ୍ପେ ତନୁ ସ୍ୱେଦ ସଖୀ ଅପଘନୁ

ବହଇ ସନ୍ତାପ କିନୁ ନ ସ୍ଫୁରେ ବାଣୀ ମଦନୁ । ୩ ।


ହେବାରୁ ସ୍ମର ଆୟତ୍ତ ହେଲେହେଁ ପ୍ରିୟ ସଙ୍ଗାତ

ଆମ୍ଭଙ୍କୁ ତେଜିବା ଚିତ୍ତ କଲାନି ଗୋ ପ୍ରାଣମିତ । ୪ ।


ହରଷରେ ରାମ ସୋମ ଧରି ନିଜ ହୃଦେ ପ୍ରେମ

ଭାବିଲାନି ଘନଶ୍ୟାମ ପଦ ଅଷ୍ଟଦୁର୍ଗ ଧାମ । ୫ ।