Jump to content

ଅଣାକାର ଭଜନ ରଟ

ଉଇକିପାଠାଗାର‌ରୁ
ଅଣାକାର ଭଜନ ରଟ
ଲେଖକ/କବି: ଅଚ୍ୟୁତାନନ୍ଦ ଦାସ

ଅଣାକାର ଭଜନ ରଟ
ଅଣ ସାଧନାରେ ପାଇବୁ ଭେଟ ।

ତିଳ ଚୋପା ପ୍ରାଏ କପାଟ
ଗଳିବାକୁ ବଡ଼ ସଙ୍କଟ

ଅମନ ଘରରୁ ସୁମନ ଦୁଆରୀ
ଚେତି ଚାହିଁଯିବ ଚେତନା ଘାଟ । ୧ ।

ଲକ୍ଷ ଲକ୍ଷ ଗଲେଣି ଥାଟ
ପାର ହୋଇଯାଏ ସେ ଘାଟ

ଜଗିଅଛି ଅହି ଡଂସିବାର ପାଇଁ
ଉଂକାର ଅକ୍ଷର କଳପବଟ । ୨ ।

ତହିଁ ଆଗେ ତାଣ୍ଡେବ ନାଟ
ଭାଗ୍ୟ ଥିଲେ ସେଠାବେ ଭେଟ

ଷୋଳ ବିଧି ପୂଜା ତହିଁକି ଅଯୋଗା
ମାୟାଧାରୀ ଜଗି ବସିଛି ମଠ । ୩ ।

ଛାଡ଼ିଦିଅ ଛନ୍ଦ କପଟ
ଖୋଲି ଦିଅ ନେତ୍ର କପାଟ

କହଇ ଅଚ୍ୟୁତ ଏ ପରମ ତତ୍ତ୍ଵ
ଶ୍ରୀଗୁରୁ ଚରଣେ ଟହଲ ଖଟ । ୪ ।