Jump to content

ଅଣାକାର ଭେଦନ ଚଉତିଶା

ଉଇକିପାଠାଗାର‌ରୁ
ଅଣାକାର ଭେଦନ ଚଉତିଶା
ଲେଖକ/କବି: ଅଚ୍ୟୁତାନନ୍ଦ ଦାସ


କିସ ଜପ ତପ କରିବି କିସ କରିବି ଧ୍ୟାନ ।
କଉଁ ଯୋଗ ମୁଁ ଯେ ସାଧିବି ୟେଥି କି ପ୍ରୟୋଜନ । ୧ ।

କ୍ଷିତିରେ ଜନମ ହୋଇଲେ ନିଶ୍ଚେ ମୃତ୍ୟୁ ନିଦାନ ।
ଖେଳେ ନାମକୁ ନ ଚିହ୍ନିଲି ଆହେ ଜଗ୍ଗ ଜୀବନ । ୨ ।

ଗଙ୍ଗା ଗୟା ଯାଇ କି ତପ ତୀର୍ଥ ବ୍ରତ କରବି ।
ଗୋପ୍ୟ ଚରଣକୁ ନ ସେବି ନିଶ୍ଚେ ବୁଡ଼ି ମରିବି । ୩ ।

ଘରେ ବଡ଼ ଦୁଃଖ ବାହାରେ ବଡ଼ ଜଞ୍ଜାଳ ଲଗେ ।
ଘାଟୁଆ ନ ଚିହ୍ନି ତରିବି କରି କି ଭକ୍ତି ଯୋଗେ । ୪ ।

ଉଜାଣି ଉମତି ଚୈତନ୍ୟ କେଭେ ନୋହେ ଚଞ୍ଚଳ ।
ଉଦଏ ହେଲେ ନ ଦଶିଲେ ବହି କଳ୍ପନା କାଳ । ୫ ।

ଚମକି ଛନକା ହୋଇଲି ଅଣହେତୁରେ ପଡ଼ି ।
ଚର୍ମ ଦଉଡ଼ି ଓଟାରୁଛି ମାୟା ଅଗୁଣେ ଜଡ଼ି । ୬ ।

ଛନ୍ଦୁ ଥିଲି ଛନ୍ଦି ନୋହଲା ଛନ୍ଦୁଁ ହୋଇଲି ବଣା ।
ଛାଡ଼ିଲି ଆତ୍ମା ନସ୍ତାରକୁ ହେଲି ଦିବସ କଣା । ୭ ।

ଜାଣୁ ଜାଣୁ ନିଧି ହରଇ ମାସ୍ଟା ମୋହେ ପଡ଼ିଲି ।
ଯିବା ଆସିବାର ବେଳକୁ ମୁଁ ଯେ ପଥ ହୁଡ଼ିଲି । ୮ |

ଝୁଣ୍ଟିଣ ଝଗଡ଼େ ପଡ଼ିଲି ଆହେ ଜଗୁ ଜୀବନ ।
ଝିଲମୁଲ ତ୍ରାସ ତୁମ୍ଭରି ନ ପାଇଲି ଦର୍ଶନ । ୯ ।

ନରବଧି ଗୁଣ ଗୁଣାଇ ଗୁଣୁ ପାହିଲା ନିଶି ।
ନିଶିରୁ ଉଦଏ କାଳକୁ କିସ ଘୋଟିଲା ଆସି । ୧୦ ।

ଟେକି ନେଲି ସୁତ୍ରେ ପବନ ବଙ୍କୁନାଳ ଉପରେ ।
ଟେକି ସହଜେ ହେଜୁଥିବି ବେନି ନଦୀ ମଧ୍ୟରେ । ୧୧ ।

ଠିକ କରି ଚହ୍ନି ନ ପାରି ଠାବେ ଦୃଶ୍ୟ ନୋହିଲେ ।
ଠୁଳ ରୂପକୁ ଏକାକ୍ଷର ନାଶ ଗୁପତ କଲେ । ୧୨ ।

ଡରାଇ ବିବାଦି ହୋଇଲେ ନିଶ୍ଚେ ଦଣ୍ଡିବ ମୋତେ ।
ଡହଡ଼ହ ଦୁଖୁଁ ବର୍ତ୍ତିବି ଆଉ ନାହଁ ପରତେ । ୧୩ ।

ଢମାଳି ପ୍ରାୟେକ ଉତ୍ତର ଢଳହଳ ହେଉଛି ।
ଢଳିଯିବ ନଶ୍ଚେ ଜୀବନ ଯେବେ ଦୟା ନୋହୁଛି । ୧୪ ।

ଅଣାକାର ରୂପ ତୋହରି ଅଣ ଅକ୍ଷର ଦେହୀ ।
ଅନୁଭବ କରି ପାରିଲେ ରୂପ ଦୃଶ୍ୟ ହୋଅଇ । ୧୫ ।

ତୀର୍ଥ ବ୍ରତ ଦାନ ସାଧନା ସାଧି ପାରିବି ନାହଁ ।
ତୀର୍ଥ ମାନଙ୍କୁ ମୁଁ ଗମିଲି ବୋଲି କହବି ନାହଁ । ୧୬ ।

ଥକିତ ହୋଇ ମୁଁ ରହଲି ଫୁଟି ଅନେକ ମତେ ।
ଥିଲା ନ ଥିଲାର ବେଳକୁ ନିସ୍ତରିବି କେମନ୍ତେ । ୧୭ ।

ଦୟାନିଧି ନାମ ବହିଛ ଦୀନେ ଦୟା ନ କରି ।
ଦିନେ ଦୟା ମୋରେ ନୋହଲା ଅହେ କୁଞ୍ଜ ବିହାରୀ। ୧୮ ।

ଧୀବର ଜାଲ ବେଢ଼ାଇଛି ମୀନ ପଡ଼ିବ ଦିନେ ।
ଧାପେ ୟେଥୁନିକି ବର୍ତ୍ତିବି ପ୍ରତେ ନାହିଁ ମୋ ମନେ । ୧୯ ।

ନିମଗ୍ନେ ନିହାର ପବନ ସାଧି ପାରିବି ନାହଁ ।
ନିମଗ୍ନ ହୋଇଣ ରହିବି ଚିତ୍ତ ଟଳିବ ନାହିଁ । ୨୦ ।

ପ୍ରତି ବିଧି ପରେ ସାଧନା ସାଧି ପାରିବି ନାହିଁ ।
ପରମାନନ୍ଦ ରୂପ ଗୋଟି ମୁଁ ଯେ ଦେଖିବି କାହିଁ । ୨୧ ।

ଫୁଲ ପାଣି ଘେନି ସେବିବି କେଉଁ ଦେବତାମାନ ।
ଫୁଟୁକି ମରିଣ ଭ୍ରମିଲି ଏଥି କି ପ୍ରୟୋଜନ । ୨୨ ।

ବଣିଜ ନ ଥିଲେ ବେପାର କାହୁଁ ହେବ ଉଦିତ ।
ବଢ଼ି ଯାଇଁ କାହିଁ ରହିବ କାହିଁ ହେବ ସମ୍ଭୁତ । ୨୩ ।

ଭାବେ ସାରୀ ଶୁଆ ଯୋଡ଼ିଏ ରାମ ନାମ ରଖନ୍ତି।
ଭଲା ଓଲଟି ପଲଟିଣ ପଞ୍ଜୁରୀରେ ଖେଳନ୍ତି) । ୨୪ ।

ମଲେ ଜୀବ କାହିଁ ରହିବ ସ୍ବର୍ଗ ପଥ ନିୟତ ।
ମିଶି ଯାଇ କାହିଁ ରହିବି କାହିଁ ହେବି ଜନ୍ମିତ । ୨୫ ।

ଜୀବ ଗଲା ବେଳେ କି ନାମ ପ୍ରଭୁ ଜପିବି ମୁହିଁ ।
ଜପ କେଉଁ ଠାବେ କରିବି ବାଧା ଲାଗିବ ନାହିଁ । ୨୬ ।

ରାତ୍ରରେ ଅବଶ୍ୟ ମରିବି କର୍ମେ ଅଛି ମୋହର ।
ରକ୍ଷା କାହୁଁ ଅବା ପାଇବି ମୁଁ ଯେ ଅଭାଗା ନର । ୨୭ ।

ଲକ୍ଷ୍ୟଭ୍ରଷ୍ଟ ଯେହ୍ନେ ନୋହିବ ଲକ୍ଷ ତୋପ ଦେଖିଣ ।
ଲୟେ ନାମକୁ ତୋ ଭଜିଣ ଚେତା ଘଟେ ରହିଣ । ୨୮ ।

ବଡ଼ ହେବାକୁ ମୁଁ ନ ଇଛେ ଆହେ ବଡ଼ ଠାକୁର ।
ବିନଇ ଦାସ ପଣେ ସେବି ଏହି ଭରସା ମୋର । ୨୯ ।

ଶତ ଶତ ଦୁଃଖ ଆସିଲେ ଲଏ ନିଷ୍ଠାରେ ଥିବି । ସତ୍ୟ ପଥେ ମନ ରହିବ ସତସଙ୍ଗରେ ଥିବି । ୩୦ ।

ଷଡ଼ ଅଇରିଙ୍କି ଜଗିଣ ତୋତେ ଭଜୁଣ ଥିବି ।
ସଦା କାଳେ କଳା ବଦନ ନେତ୍ର ପଥେ ଦେଖିବ । ୩୧ ।

ସକଳ ଭରସା ତୁଟାଇ ତୋତେ କରିଛି ଆଶ ।
ସକଳ ଯାତନା ତୁଟାଅ ପ୍ରଭୁ ହେ ଜଗଦୀଶ । ୩୨ ।

ହରିଣ ବିଷୟ ବାସନା ହେତୁ ଉଦୟେ କର ।
ହର ହରି ଦୁଃଖ ମୋହୋର ତୁମ୍ଭେ ଅପାରଂପାର । ୩୩ ।

ଛନ୍ଦ ମନ୍ଦ ତେଜି ମୋଠାବେ ଘେନ ମୋର ଜଣାଣ ।
କ୍ଷମା କର ଦୀନ ଅଚ୍ୟୁତେ ପଦେ ନେଲା ଶରଣ । ୩୪ ।