ଅବକାଶଚିନ୍ତା/ସ୍ଵର୍ଗୀୟ ପଣ୍ଡିତ ହରିହର ଦାସ ଶର୍ମା

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ସ୍ଵର୍ଗୀୟ ପଣ୍ଡିତ ହରିହର ଦାସ ଶର୍ମା

           
ଆହେ ହରିହର ସୁଯୋଗ୍ୟ କୁମର
ଥିଲ ଉତ୍କଳମାତାର,
କି ମଙ୍ଗଳ କ୍ଷଣେ ଉତ୍କଳ ଭୁବନେ
ହେଲା ତୁମ୍ଭ ଅବତାର।
ସମାଜ-ଦୁର୍ଗତି ସମୟର ରୀତି
ବୁଝିଥିଲ ତୁମ୍ଭେ ଏକା,
ସଂସ୍କାର ବାସନା ସାଧୁ ପ୍ରାଣେ ସିନା
ତେଣୁ ଦେଇଥିଲା ଦେଖା।
କେତେ ଉଚ୍ଚଭାବ ଲଭିଥିଲା ଠାବ
ତୁମ୍ଭ ଉଦାର ହୃଦୟେ,
କି କଲା ଦଇବ କେ ତାହା ସହିବ
ଚାଲିଗଲ ଅସମୟେ।
ମୂକ ହୋଇକରି ଆଜିଯାଏ ହରି
ଯେବେ ରହିଥାନ୍ତି ବଞ୍ଚି,
ଓଡ଼ିଆଙ୍କ ହାତେ ଦେଇଥାନ୍ତ ସତେ
ଉନ୍ନତି ଭଣ୍ଡାର କଞ୍ଚି।
ନବ୍ୟ ପୁରାତନ ରୁଚି ସମ୍ମିଳନ
କରିବ ଏବେ କିଏ ସେ ?
ଉତ୍ସାହ ଉଦ୍ୟମ ସାହସ ଅଦମ୍ୟ
କାହିଁ ଏ ଉତ୍କଳ ଦେଶେ !
ପାଞ୍ଚିଥିଲ ମନେ ତେଜିବେ ବ୍ରାହ୍ମଣେ
ଯେବେ ଚିର କୁସଂସ୍କାର,
ଅନ୍ୟ ଯେତେ ଜାତି ଉଠିବେ ଝଟତି
ହେବ ଉନ୍ନତି ପ୍ରଚାର ।
ନିଦାରୁଣ କାଳ କିନ୍ତୁ ଏ ସକଳ
ସହି ନ ପାରିଲା କ୍ଷଣେ ;
ବନଫୁଲ ପରି ଅଚିରେ ବିକଶି
ଝାଉଁଳି ପଡିଲ ବଣେ ।
କିଶୋର ବୟସେ କେତେ ସ୍ଵାର୍ଥତ୍ୟାଗ
କରିଥିଲ ଦେଶ-ହିତେ,
ଏବେ ଦେଶ ଦଶା ଆହେ କ୍ଷଣଜନ୍ମା !
ନ ପଡେ କି ଦିବ୍ୟ ଚିତ୍ତେ ।
ଉତ୍କଳମଣ୍ଡନବ୍ୟ ସଭ୍ୟ ଦଳେ
ସର୍ବେ ଆଜି ସ୍ଵାର୍ଥପର,
ଆସ ହରିହର ପଣ୍ଡିତ ପ୍ରବର
ସମାଜ ସଂସ୍କାର କର ।