ଆଉ ଏଣିକିରେ ମନ
ଦେଖଣା
ଆଉ ଏଣିକିରେ ମନ
ଆଉ ଏଣିକିରେ ମନ ଭୁଲୁ କାହିଁକି ?
ଉଡ଼ୁଛି କାଳ ଛଞ୍ଚାଣ ମନେ ନାହିଁକି । ଘୋଷା ।
ଅଇରି ତୋ କଳ ପଣା ଛେଦିପକା ବେନି ଡେଣା
ଶୂନ୍ୟରେ ବାଜୁଛି ବୀଣୀ ଶୁଣା ନାହିଁକି । ୧ ।
ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡାକହାକ
ହାଟ ସରିଲେ ବଣିକ ଆଉ ଥାଇ କି । ୨ ।
ସୁନା ପଞ୍ଜୁରୀରେ ଶୁଆ ଦିନା କେତେ ନୂଆ ନୂଆ
ଉଡ଼ିଗଲେ ଶାରୀ ଶୁଆ ଧରା ପାଇ କି । ୩ ।
ଭ୍ରୁଲତା ମଧ୍ୟରେ ଅନା ତ୍ରିକୂଟେ ଉଡ଼ୁଛି ବାନା
ହଜିଲେ ପରମ ସୁନା ଆଉ ପାଇକି । ୪ ।
ଓ କାର ମଧ୍ୟରେ ଦେଖ ଓଲଟି ରହିଛି ହଂସ
କହେ ଜଗନ୍ନାଥ ଦାସ ଅନୁସରି କି । ୫ ।