ଆମ ଦେବଦେବୀ/ଇନ୍ଦ୍ର
ଇନ୍ଦ୍ର ହେଉଛନ୍ତି ଦେବତାମାନଙ୍କର ରାଜା । କାରଣ ଦେବତାମାନଙ୍କର ପିତା କଶ୍ୟପ ଓ ମାତା ଅଦିତିଙ୍କର ଯେତେ ପୁଅ- ସେମାନଙ୍କ ମଧ୍ୟରେ ଇନ୍ଦ୍ର ସବୁଠୁ ବଡ଼ । କଶ୍ୟପ ହେଉଛନ୍ତି ମରୀଚିଙ୍କର ପୁତ୍ର । ମରୀଚି ବ୍ରହ୍ମାଙ୍କ ପୁତ୍ର ଏବଂ ବ୍ରହ୍ମା ବିଷ୍ଣୁଙ୍କ ନାଭିଦ୍ମରୁ ଜାତ । ଏଣୁ ଇନ୍ଦ୍ରଙ୍କର ବିଷ୍ଣୁଙ୍କ ସହିତ ସିଧା ସଳଖ ସମ୍ପର୍କ ରହିଛି । ଦକ୍ଷ ପ୍ରଜାପତିଙ୍କ ଦୁଇଝିଅ ଅଦିତି ଓ
ପରିଚିତ । ଏହି ଦ୍ୱାଦଶ ଆଦିତ୍ୟ ହେଉଛନ୍ତି ଧାତା, ଅର୍ଯମା, ମିତ୍ର, ରୁଦ୍ର, ବରୁଣ, ସୂର୍ଯ୍ୟ, ଭଗ, ବିବସ୍ୱାନ, ପୂଷା, ସବିତା, ତ୍ୱଷ୍ଟା ଓ ବିଷ୍ଣୁ । ଏମାନଙ୍କ ବ୍ୟତୀତ କଶ୍ୟପ ଓ ଅଦିତିଙ୍କର ଆଉ ୨୧ଟି ସନ୍ତାନ ମଧ୍ୟ ଜାତ ହୋଇଥିଲେ । ୨୧ ଓ ୧୨ ଏମିତି ମୋଟ ୩୩ ସନ୍ତାନଙ୍କ ମଧ୍ୟରେ ଇନ୍ଦ୍ର ବଡ଼ । ଏହି ୩୩ ଗୋଟି ସନ୍ତାନ ହେଉଛନ୍ତି ତେତିଶ ଦେବତା । ଏହାଙ୍କୁ ତେତିଶଗୋଟି ଦେବତା କୁହାଯାଏ । ଲୋକମୁଖରେ ପ୍ରଚଳିତ ତେତିଶ କୋଟି ଦେବତାଙ୍କର ମୂଳ ଏହି ତେତିଶ ଗୋଟି ଦେବତା । ଏ ସମସ୍ତଙ୍କ ମଧ୍ୟରେ ଇନ୍ଦ୍ର ବଡ଼ । ତେଣୁ ସେ ଦେବତାମାନଙ୍କର ରାଜା । ତେଣୁ ତାଙ୍କୁ ଦେବରାଜ କୁହାଯାଏ ।
ଦେବତାମାନଙ୍କ ରାଜା ଭାବରେ ଇନ୍ଦ୍ର ସ୍ୱର୍ଗଲୋକର ଅଧିକାରୀ । ତେଣୁ ନାନା ସୁଖ ସ୍ୱାଚ୍ଛନ୍ଦ୍ୟରେ ସେ ରହି ଥାଆନ୍ତି । ସେଥିପାଇଁ ବିଭିନ୍ନ ସମୟରେ ସ୍ୱର୍ଗରାଜ୍ୟ ଅଧିକାର କରି ଇନ୍ଦ୍ରଙ୍କ ଆସନ ଛଡ଼ାଇ ନେବା ଲାଗି ଅସୁରମାନେ ସ୍ୱର୍ଗପୁର ଆକ୍ରମଣ କରିଥାଆନ୍ତି । ତେଣୁ ଇନ୍ଦ୍ରଙ୍କ ମନରେ ନିଜ ଆସନ ଓ ଜୀବନ ପ୍ରତି ସଦାସର୍ବଦା ଭୟ ଲାଗି ରହିଥାଏ । ଇନ୍ଦ୍ରପଦଲୋଭୀ ଅସୁରମାନଙ୍କୁ କେମିତି ନିପାତ କରି ହେବ, ସେ ଚିନ୍ତା ସେ କରୁଥାଆନ୍ତି ।
ଇନ୍ଦ୍ରଙ୍କର ଗୋଟିଏ ନାଆଁ ବୃତ୍ତ୍ରାରି । କାରଣ ବୃତ୍ତ୍ର ନାମକ ଏକ ଅସୁରକୁ ସେ ସଂହାର କରିଥିଲେ । ବୃତ୍ତ୍ରାସୁର ଏକ ଭୟଙ୍କର ଅସୁର ଥିଲା । ତାହାର ନେତୃତ୍ୱରେ କାଳକେୟ ନାମକ ଏକ ଅସୁର ଅନ୍ୟାନ୍ୟ ଅସୁରଙ୍କ ସହ ମିଶି ସ୍ୱର୍ଗରାଜ୍ୟ ଆକ୍ରମଣ କରିଥିଲେ । ସେହି ଆକ୍ରମଣରେ ଦେବତାମାନେ ଭୟଭୀତ ହୋଇ ପଡ଼ିଥିଲେ । ଏହି ଘୋର ଯୁଦ୍ଧରେ ସ୍ୱୟଂ ଦେବରାଜ ଇନ୍ଦ୍ର ମଧ୍ୟ ଅଚେତ ହୋଇ ଯାଇଥିଲେ । ମାତ୍ର ବଶିଷ୍ଠ ତାଙ୍କର ଦିବ୍ୟଶକ୍ତି ବଳରେ ଇନ୍ଦ୍ରଙ୍କୁ ଚେତା କରାଇଥିଲେ ।
ବୃତ୍ତ୍ରାସୁର ଓ କାଳକେୟ ପ୍ରଭୃତି ଦୁର୍ଦ୍ଧାନ୍ତ ଅସୁରଙ୍କୁ ଯୁଦ୍ଧରେ ପାରିହେବ ନାହିଁ ଜାଣି ଦେବତାମାନେ ଚିନ୍ତିତ ହୋଇ ପଡ଼ିଥିଲେ । ବୃତ୍ତ୍ରାସୁର କିପରି ମରିବ ତାହାର ଉପାୟ ବିଷ୍ଣୁଙ୍କୁ ଜଣା ଥିଲା । ତେଣୁ ଇନ୍ଦ୍ରଙ୍କ ସହିତ ଅନ୍ୟ ଦେବତାମାନେ ଯାଇ ବିଷ୍ଣୁଙ୍କୁ ଭେଟିଲେ । ସବୁକଥା ଶୁଣି ବିଷ୍ଣୁ କହିଲେ, ଦଧୀଚି ନାମରେ ଜଣେ ଋଷି ଅଛନ୍ତି । ତାଙ୍କର ଧର୍ମବଳ ଖୁବ୍ ବେଶି । ତାଙ୍କର ଅସ୍ଥିରେ ଯଦି ବଜ୍ର ତିଆରି କରାଯିବ, ତା’ହେଲେ ଯାଇ ସେଥିରେ ବୃତ୍ତ୍ରାସୁର ମରିବ । ତେଣୁ ଇନ୍ଦ୍ର ଓ ଅନ୍ୟ ଦେବତାମାନେ ଯାଇ ଦଧୀଚିଙ୍କୁ ଅସ୍ଥି ଦାନ ପାଇଁ ପ୍ରାର୍ଥନା କଲେ ।
ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କ କଥା ଶୁଣି ଦଧୀଚି କହିଲେ, ମୋର ଅସ୍ଥି ଦ୍ୱାରା ଯଦି ବୃତ୍ତ୍ରାସୁର ମରିବ ଏବଂ ଦେବତାମାନେ ଆଶ୍ୱସ୍ତ ହେବେ, ତା’ହେଲେ ମୁଁ ଆନନ୍ଦରେ ମୋର ଜୀବନ ଦାନ କରିବା ପାଇଁ ପ୍ରସ୍ତୁତ ।
ତା'ପରେ ଦଧୀଚି ତାଙ୍କର ଜୀବନଦାନ କଲେ । ତାଙ୍କର ଅସ୍ଥି ନେଇ ସେଥିରେ ତିଆରି ହୋଇଥିବା ବଜ୍ରରେ ଇନ୍ଦ୍ର ବୃତ୍ତ୍ରାସୁରକୁ ମାରିଲେ । ସେହିଠାରୁ ଇନ୍ଦ୍ରଙ୍କର ଆଉ ଗୋଟିଏ ନାଆଁ ହେଲା ବୃତ୍ତ୍ରାରି ବା ବୃତ୍ତ୍ରହା ।
ଇନ୍ଦ୍ର ବିଭିନ୍ନ ସମୟରେ ବିଭିନ୍ନ ମୁନିଋଷିମାନଙ୍କୁ ପରୀକ୍ଷା ମଧ୍ୟ କରିଥାଆନ୍ତି । ରାଜା ଶିବିଙ୍କ ଧର୍ମ ଓ ତପୋବଳ ମଧ୍ୟ ସେ ଥରେ ପରୀକ୍ଷା କରିଥିଲେ । ଇନ୍ଦ୍ର ନିଜେ ଗୋଟିଏ ଛଞ୍ଚାଣ ହୋଇଥିଲେ । ଅଗ୍ନି ହୋଇଥିଲେ କପୋତ । ଛଞ୍ଚାଣ ବେଶରେ ଇନ୍ଦ୍ର କପୋତରୂପୀ ଅଗ୍ନିଙ୍କୁ ମାରି ଖାଇବାକୁ ଗୋଡ଼ାଇଲେ । ଅଗ୍ନି ଯାଇ ରାଜା ଶିବିଙ୍କର ଶରଣ ପଶିଲେ । ଛଞ୍ଚାଣବେଶୀ ଇନ୍ଦ୍ର ଯାଇ ସେଠି ପହଞ୍ଚି କହିଲେ, ସେହି କପୋତଟିର ମାଂସ ସେ ଖାଇବେ । ଯଦି ଶିବି ତାହାକୁ ଶରଣ ଦେଉଛନ୍ତି, ତା’ହେଲେ କପୋତ ଓଜନର ମାଂସ ନିଜ ଦେହରୁ କାଟି ଦିଅନ୍ତୁ । ଶିବି କହିଲେ, ସେ ବରଂ ନିଜ ଦେହରୁ ମାଂସ କାଟି ଦେବେ, ମାତ୍ର କପୋତଟିକୁ ଦେବେ ନାହିଁ । କାରଣ ଶରଣାଗତକୁ ନିଜ ପ୍ରାଣ ବଦଳରେ ମଧ୍ୟ ରକ୍ଷା କରାଯିବା ଉଚିତ ।
ତେଣୁ ଠିକ୍ ହେଲା, କପୋତଟିକୁ ନିକିତିର ଗୋଟିଏ ପାଶ୍ୱର୍ରେ ରଖାଯିବ ଏବଂ ଆର ପାଶ୍ୱର୍ରେ ଶିବି ନିଜ ଦେହରୁ ମାଂସ କାଟି ପକାଇବେ । କିନ୍ତୁ ଶିବି ନିଜ ଦେହରୁ ଯେତେ ମାଂସ କାଟି ପକାଇଲେ ମଧ୍ୟ କପୋତଟିର ଓଜନ ବେଶି ହେଲା । ତେଣୁ ଶେଷରେ ଶିବି ନିଜେ ଯାଇ ନିକିତିରେ ବସି ପଡ଼ିଲେ । ଏତିକିବେଳେ ଆକାଶରୁ ପୁଷ୍ପବୃଷ୍ଟି ହେଲା । ଇନ୍ଦ୍ର ଓ ଅଗ୍ନି ଉଭୟେ ନିଜ ନିଜ ରୂପରେ ଶିବିଙ୍କ ଆଗରେ ଆବିର୍ଭୂତ ହେଲେ । ଇନ୍ଦ୍ର ଓ ଅଗ୍ନି ଶିବିଙ୍କୁ ଧନ୍ୟଧନ୍ୟ କରିବା ସହିତ ଆଶୀର୍ବାଦ କରି ବର ଦେଲେ ।
ଇନ୍ଦ୍ରଙ୍କ ସମ୍ପର୍କରେ ଆଉ ଗୋଟିଏ ଚମତ୍କାର କାହାଣୀ ରହିଛି । ପ୍ରଳୟ ପରେ ପୁଣି ଥରେ ନୂଆ ସୃଷ୍ଟି ହେବା ପୂର୍ବରୁ ଗୋଟିଏ ଯୁଗ ଥିଲା । ସେହି ଯୁଗର ନାଆଁ କୃତ ଯୁଗ । ତେବେଳେ ପାହାଡମାନଙ୍କର ଚଢେ଼ଇ ପରି ଡେଣା ଥିଲା । ତେଣୁ ପାହାଡମାନେ ଯେତେବେଳେ ଯେଉଁଆଡ଼େ ଇଚ୍ଛା ଉଡ଼ି ଯାଇ ପାରୁଥିଲେ । କୁଆଡେ଼ କିଛି ନଥିବ- ହଠାତ୍ ଗୋଟାଏ ବିରାଟ ପାହାଡ ଉଡ଼ି ଆସି ସାମ୍ନାରେ ହାବୁଡି ଯିବ । ତେଣୁ ମଣିଷଙ୍କ ଠାରୁ ଆରମ୍ଭ କରି ଦେବତାଙ୍କଯାଏ ସମସ୍ତେ ଭୟଭୀତ ହୋଇ ପଡ଼ିଲେ । ସମସ୍ତଙ୍କର ଡର- କାଳେ କେତେବେଳେ କୌଣସି ଏକ ପାହାଡ ମୁଣ୍ଡ ଉପରେ ଆସି ଖସିଡ଼ିବ ! ଦେବତାମାନଙ୍କର ମଧ୍ୟ ସେପରି ଭୟ ହେଲା । ତେଣୁ ଇନ୍ଦ୍ର ବଜ୍ରମାରି ସବୁ ପାହାଡଙ୍କର ଡେଣା କାଟି ଦେଲେ ।
ତେବେ ଇନ୍ଦ୍ର ଯେତେବେଳେ ବଜ୍ର ମାରି ପାହାଡମାନଙ୍କର ଡେଣା କାଟିଦେଲେ, ସେତେବେଳେ ଗୋଟିଏ ପାହାଡ ରକ୍ଷା ପାଇଯାଇଥିଲା । ସେହି ପାହାଡଟିର ନାଆଁ ମୈନାକ । ମୈନାକ ପାହାଡର ବାୟୁଙ୍କ ସହିତ ଭଲ ପଡ଼ୁଥିଲା । ତେଣୁ ଇନ୍ଦ୍ର ଯେତେବେଳେ ବଜ୍ର ମାରିଲେ ସେତେବେଳେ ବାୟୁ ମୈନାକ ପାହାଡକୁ ଯୋରରେ ଉଡାଇ ନେଇ ସମୁଦ୍ରରେ ଲୁଚାଇ ଦେଲେ । ମୈନାକ ଡେଣାକଟାରୁ ରକ୍ଷା ପାଇଗଲା ।
ଏଣୁ ମୈନାକ ପାହାଡ଼ ବାୟୁଙ୍କ ପ୍ରତି କୃତଜ୍ଞ ରହିଲା । ଅସମୟରେ ଅନ୍ୟକୁ ସାହାଯ୍ୟ କରିଥିଲେ ଦରକାର ବେଳେ ତାଙ୍କଠାରୁ ସାହାଯ୍ୟ ମିଳେ । ତେଣୁ ମୈନାକ ପାହାଡ, ପରେ ବାୟୁଙ୍କର ଋଣ ଶୁଝିଥିଲା । ହନୁମାନ ତ ବାୟୁଙ୍କ ପୁତ୍ର ! ତେଣୁ ତ୍ରେତୟା ଯୁଗରେ ଯେତେବେଳେ ହନୁମାନ ସମୁଦ୍ର ପାର ହୋଇ ସୀତାଙ୍କୁ ଠାବ କରିବାକୁ ଲଙ୍କାକୁ ଗଲେ, ସେତେବେଳେ ଏହି ମୈନାକ ପାହାଡ ସମୁଦ୍ର ମଝିରେ ହନୁମାନଙ୍କୁ ଆଶ୍ରୟ ଦେଇଥିଲା ।
ତେବେ, ମୈନାକ ପାହାଡ ବ୍ୟତୀତ ଅନ୍ୟ ସବୁ ପାହାଡଙ୍କର ଡେଣା କାଟି ଦେଇ ଦେବତା ଓ ମନୁଷ୍ୟ ସମସ୍ତଙ୍କ ମନରୁ ଇନ୍ଦ୍ର ଭୟ ଦୂର କରିଥିଲେ ।
କେବଳ ଏତିକି ନୁହେଁ, ଦରକାର ବେଳେ ଇନ୍ଦ୍ର ନିଜକୁ ନ୍ୟୂନ କରି ମଧ୍ୟ ଅନ୍ୟର ମଙ୍ଗଳ କରିଥାନ୍ତି । କାକୁସ୍ଥ ରାଜାଙ୍କ କାହାଣୀ ତାହାର ଏକ ଉଦାହରଣ ।
ପୁରାକାଳରେ ଥରେ ଦେବତା ଓ ଅସୁରଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା । ଅସୁରମାନଙ୍କୁ ନିପାତ କରିବାରେ ଦେବତାମାନେ ଅସମର୍ଥ ହେଲେ । ସେମାନେ ଯାଇ ଭଗବାନ ବିଷ୍ଣୁଙ୍କର ଶରଣ ପଶିଲେ । ବିଷ୍ଣୁ କହିଲେ, ଅଯୋଧ୍ୟାର ରାଜା କାକୁସ୍ଥଙ୍କୁ ସାକ୍ଷାତ କର । ସେ ହିଁ ଅସୁରଙ୍କୁ ନିପାତ କରିପାରିବେ ।
ତାହା ଶୁଣି ଇନ୍ଦ୍ର ଓ ଅନ୍ୟ ଦେବତାମାନେ ଯାଇ କାକୁସ୍ଥଙ୍କୁ ସାକ୍ଷାତ କଲେ । କାକୁସ୍ଥ କହିଲେ, ଯଦି ମୋ’ ଦ୍ୱାରା ଦେବତାମାନଙ୍କର କିଛି କାର୍ଯ୍ୟ ସାଧିତ ହେବ, ମୁଁ ସେଥିରେ ରାଜି । ମାତ୍ର ମୋର ଗୋଟିଏ ସର୍ତ୍ତ ଅଛି । ଅସୁରଙ୍କ ସହିତ ମୁଁ ଯେଉଁ ଯୁଦ୍ଧ କରିବି, ସେଥିରେ ଇନ୍ଦ୍ର ହେବେ ମୋର ବାହନ ।
ମହା ବିଷମ କଥା । ଇନ୍ଦ୍ର ତ ଦେବତାମାନଙ୍କର ରାଜା; ସିଏ ପୁଣି ମର୍ତ୍ତ୍ୟର ଜଣେ ରାଜାଙ୍କର ବାହନ ହେବେ? ମାତ୍ର କ’ଣ କରାଯିବ ! ସମସ୍ତଙ୍କର ମଙ୍ଗଳପାଇଁ ରାଜା ଦରକାର
ମାତ୍ର ରାଜାସୁଲଭ ଏହି ସଦ୍ଗୁଣ ସହିତ ଇନ୍ଦ୍ରଙ୍କର କେତେକ ମନ୍ଦଗୁଣ କଥା ମଧ୍ୟ ପୁରାଣରେ ଲେଖାଅଛି । ସେଥିରୁ ଗୋଟିଏ ହେଉଛି ଅଣଚାଶ ପବନଙ୍କ ଜନ୍ମବୃତ୍ତାନ୍ତ ।
ପୂର୍ବରୁ କୁହାଯାଇଛି, ଦକ୍ଷଙ୍କ କନ୍ୟା ଅଦିତି ହେଉଛନ୍ତି ଇନ୍ଦ୍ରଙ୍କ ମାଆ । ଦକ୍ଷଙ୍କର ଅନ୍ୟତମା କନ୍ୟା ଦିତିଙ୍କୁ ମଧ୍ୟ ଇନ୍ଦ୍ରଙ୍କ ପିତା କଶ୍ୟପ ବିବାହ କରିଥିଲେ । ଅଦିତିଙ୍କର ପୁଅମାନେ ସ୍ୱଭାବ ଚରିତ୍ରରେ ଭଲ । ସେମାନେ ଦେବତା । ମାତ୍ର ଦିତିଙ୍କ ପୁଅମାନେ ସ୍ୱଭାବ ଚରିତ୍ରରେ ମନ୍ଦ । ସେମାନେ ଦୈତ୍ୟ । ରୂପରେ ମଧ୍ୟ ଅଦିତିଙ୍କ ପୁଅମାନେ ଦେଖିବାକୁ ସୁନ୍ଦର । ତେଣୁ ନିଜ ପୁଅମାନଙ୍କୁ ଦେଖି ଦିତିଙ୍କ ମନ ସବୁବେଳେ ଦୁଃଖ ହେଉଥାଏ ।
ଥରେ ଦିତି କଶ୍ୟପଙ୍କୁ ନିଜ ମନକଥା ଜଣାଇଲେ । କହିଲେ, ଇନ୍ଦ୍ରଙ୍କ ପରି ଗୋଟିଏ ସୁନ୍ଦର ପୁଅ ମତେ ଦିଅ । କଶ୍ୟପ ତାଙ୍କର ନିବେଦନରେ ସନ୍ତୁଷ୍ଟ ହେଲେ । କହିଲେ, ଠିକ୍ ଅଛି, ଇନ୍ଦ୍ରଙ୍କ ପରି ତୁମର ମଧ୍ୟ ଗୋଟିଏ ସୁନ୍ଦର ପୁଅ ହେବ ।
ଏ କଥା ଅଦିତି ଶୁଣିଲେ । ଅନେକ ରୂପର, ଗୁଣର ପୁଅ ଥିଲେ ମଧ୍ୟ ଦିତିଙ୍କର ଏକ ସୁନ୍ଦର ପୁଅ ହେବ- ଏ କଥା ଶୁଣି ତାଙ୍କ ମନରେ ଈର୍ଷା ଜାତ ହେଲା । ସେ ଯାଇ ବଡ଼ପୁଅ ଇନ୍ଦ୍ରକୁ ଭେଟି କହିଲେ, ଯେପରି ହେଉ, ଦିତିଙ୍କର ସେହି ପୁଅଟି ଯେମିତି ଜନ୍ମ ନ ହେଉ । ଇନ୍ଦ୍ର ବଡ଼ପୁଅ- ପୁଣି ଦେବତାମାନଙ୍କ ରାଜା । ମାଆଙ୍କୁ ସେ ବୁଝାଇ ଶୁଝାଇ କହିବା କଥା । ଯେତେହେଲେ, ଦିତି ବି ତାଙ୍କର ମାଆ । ତେଣୁ ଦିତିଙ୍କ ପୁଅମାନେ ତାଙ୍କର ଭାଇ । ମାତ୍ର ମାଆଙ୍କ କଥାରେ ସେ ଭଳିଗଲେ। ଯାଇ ଦିତିଙ୍କ ପାଖରେ ପହଞ୍ଚିଲେ । ଇନ୍ଦ୍ରଙ୍କୁ ଦେଖି ଦିତି ଖୁବ୍ ଆଦର ସ୍ନେହ କଲେ । ଇନ୍ଦ୍ର ନିଜକୁ ତାଙ୍କର ବିଶ୍ୱାସଭାଜନ କରି, ସେ ଶୋଇଥିବା ବେଳେ ବଜ୍ର ମାରି ତାଙ୍କର ଗର୍ଭର ସନ୍ତାନକୁ ସାତଖଣ୍ଡ କରିଦେଲେ । ଗର୍ଭରେ ଥିବା ସନ୍ତାନ ବହୁତ କଷ୍ଟ ପାଇ ବିକଳରେ କାନ୍ଦିଲା । ଇନ୍ଦ୍ର ତାକୁ ବୁଝାଇ କହିଲେ, ‘ମା-ରୁଦ’, ‘ମା-ରୁଦ’ ଅର୍ଥାତ, କାନ୍ଦ ନାହିଁ, କାନ୍ଦ ନାହିଁ । ତା’ପରେ ସେହି ସାତ ଖଣ୍ଡକୁ ଆଉ ସାତ ସାତ ଖଣ୍ଡ କରିଦେଲେ । ଏମିତି ଗର୍ଭସ୍ଥ ସନ୍ତାନ ମୋଟ ୪୯ ଖଣ୍ଡ ହୋଇଗଲା । ଏହି ୪୯ ଖଣ୍ଡ ହେଲେ ୪୯ ‘ମା-ରୁଦ’ ବା ୪୯ ମରୁତ୍ । ତାହାଙ୍କୁ ଆମେ 'ଅଣଚାଶ ପବନ' ବୋଲି ଜାଣୁ ।
ମାତ୍ର ଏ କାହାଣୀଟି ଏତିକିରେ ଶେଷ ନୁହେଁ । ଦିତି ଏହି ଦୁଃଖଦାୟକ ଘଟଣାରେ ଖୁବ୍ ମର୍ମାହତ ହେଲେ । ଇନ୍ଦ୍ରଙ୍କୁ ଅଭିଶାପ ଦେଇ କହିଲେ, ତୋ ଯୋଗୁଁ ମୁଁ ସନ୍ତାନସୁଖ ହରାଇଲି ।
ଏହିପରି ଇନ୍ଦ୍ରଙ୍କର କେତେକ ମନ୍ଦକାମର ଉଲ୍ଲେଖ ପୁରାଣରେ ଥିଲେ ହେଁ ଦେବତାମାନଙ୍କର ରାଜା ଭାବରେ ଇନ୍ଦ୍ରଙ୍କର ସମ୍ମାନ ରହିଛି । ଦେବୀ ଭାଗବତରେ ଇନ୍ଦ୍ରଙ୍କୁ ଅଷ୍ଟଦିଗପାଳଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଇଛି ।
ଇନ୍ଦ୍ରଙ୍କର ବୟସ ସମ୍ପର୍କରେ ମଧ୍ୟ ଦେବୀ ଭାଗବତର ପଞ୍ଚମ ସ୍କନ୍ଦରେ ଉଲ୍ଲେଖ ଅଛି । ସେଥିରେ କୁହାଯାଇଛି, ଚଉଦଟି ମନ୍ୱନ୍ତର ଶେଷ ହେବା ପରେ ମହାପ୍ରଳୟ ହୁଏ । ଏହି ଚଉଦଟି ମନ୍ୱନ୍ତରରେ ଅଲଗା ଅଲଗା ନାଆଁରେ ଚଉଦ ଜଣ ଇନ୍ଦ୍ର ରାଜତ୍ୱ କରନ୍ତି । ସାତ ଜଣ ଇନ୍ଦ୍ରଙ୍କ ଆୟୁକାଳ ଜଣେ ବ୍ରହ୍ମାଙ୍କ ଆୟୁକାଳ ସହିତ ସମାନ । ଏହିରି ୧୪ ଜଣ ଇନ୍ଦ୍ରଙ୍କ ଆୟୁକାଳ ମଧ୍ୟରେ ଦୁଇଟି ବ୍ରହ୍ମଯୁଗ ଶେଷହୁଏ । ଚଉଦ ମନ୍ୱନ୍ତରର ଏହି ଇନ୍ଦ୍ରମାନେ ହେଉଛନ୍ତି ବିଭୁ, ମନୋଜଭ, ପୁରନ୍ଦର, ଅଦ୍ଭୁତ, ଶାନ୍ତି, ଋତୁଧାମନ, ଦିବସ୍ପତି ଓ ଶୁଚି ଇତ୍ୟାଦି । ଏସବୁ ମଧ୍ୟରୁ ସାବର୍ଣ୍ଣି ମନ୍ୱନ୍ତରକୁ ଇନ୍ଦ୍ର ସାବର୍ଣ୍ଣି ବା ଭୌମୀ ମନ୍ୱନ୍ତର କୁହାଯାଏ ।
ତେବେ, ଇନ୍ଦ୍ରଙ୍କର ଆହୁରି କେତେକ ପ୍ରତିନାମ ମଧ୍ୟ ରହିଛି । ସେହି ନାଆଁଗୁଡ଼ିକ ମଧ୍ୟରୁ କେତୋଟି ହେଉଛି, ଇନ୍ଦ୍ର, ମରୁତବାନ୍, ମଘବାନ୍, ବିଦ୍ୟୁଜ, ପାକଶାସନ, ବୃଦ୍ଧଶ୍ରବା, ସୁନାଶିର, ପୁରୁହୂତି, ପୁରନ୍ଦର, ଜିଷ୍ଣୁ, କେଶର୍ଷଭ, ଶକ୍ର, ଶତମନ୍ୟୁ, ଶ୍ରୁତାମା, ଗୋତ୍ରଭିଜ,ବଜ୍ରୀ, ବାସବ, ବୃତ୍ରହା, ବୃଷା, ବାସ୍ତୋସ୍ପତି, ବଳାରାତି, ଶଚିପତି, ଜମ୍ଭଭେଦିନ୍, ହରିହୟ, ସ୍ୱାତାର, ନମୁଚିସୂଦନ, ସଂକ୍ରନ୍ଦନ, ଦୁଶ୍ଚ୍ୟବନ, ତୁରାସାତ, ମେଘବାହନ, ଆଖଣ୍ଡଳ ଓ ସହସ୍ରାକ୍ଷ ।
ହିନ୍ଦୁଧର୍ମରେ ଇନ୍ଦ୍ରଙ୍କର ଏକ ମୁଖ୍ୟସ୍ଥାନ ରହିଛି । ଆଦିକାଳରେ ମହାବିଷ୍ଣୁ ତାଙ୍କର ସାନଭାଇ ଥିଲେ ଏବଂ ବିଷ୍ଣୁଙ୍କର ନାମ ଉପେନ୍ଦ୍ର, ଇନ୍ଦ୍ର ବରଜ ଥିଲା ବୋଲି 'ଅମରକୋଷ'ରେ ଉଲ୍ଲେଖ ଅଛି । ଋକ୍ବେଦରେ ଇନ୍ଦ୍ରଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇ ‘ଦେବପ୍ରଭୁ’ ବୋଲି କୁହାଯାଇଛି । ସେଥିରେ ରହିଥିବା ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଙ୍କର ରଥ ହେଉଛି ବାୟୁ । ଇନ୍ଦ୍ର ଅନେକ ସମୟରେ ସୁବର୍ଣ୍ଣ ରଥରେ ଆକାଶ ପରିକ୍ରମା କରନ୍ତି । ସୋମରସ ପାନ କରିବାକୁ ଭଲ ପାଆନ୍ତି ।
ହିରଣ୍ୟସ୍ତୂପ ନାମରେ ପ୍ରାଚୀନ କାଳର ଜଣେ କବି ଇନ୍ଦ୍ରସ୍ତୁତି ରଚନା କରିଛନ୍ତି । ସେଥିରେ ଇନ୍ଦ୍ରଙ୍କର ବହୁ କୃତିତ୍ୱର ଉଲ୍ଲେଖ ରହିଛି । ଇନ୍ଦ୍ର ବଜ୍ରପାଣି । ବଜ୍ର ଦ୍ୱାରା ସେ ଅହି, ତୁଷ୍ଣା,
ଇନ୍ଦ୍ରଙ୍କର ପତ୍ନୀଙ୍କ ନାମ ଶଚି । ସେ ପୁଲୋମ ଋଷିଙ୍କ କନ୍ୟା । ତେଣୁ ତାଙ୍କୁ ଇନ୍ଦ୍ରାଣୀ ଓ ପୁଲୋମଜା ବୋଲି ମଧ୍ୟ କୁହାଯାଏ । ଇନ୍ଦ୍ରଙ୍କର ପୁତ୍ରଙ୍କର ନାମ ଜୟନ୍ତ । ଜୟନ୍ତଙ୍କର ଆଉ ଏକ ନାମ ପାକଶାସନି । ଇନ୍ଦ୍ରଙ୍କ ନଗରୀର ନାମ ଅମରାବତୀ ଓ ରଥ ବିମାନ ନାମରେ ଖ୍ୟାତ । ସାରଥିଙ୍କର ନାଆଁ ମାତଳି । ଉଦ୍ୟାନର ନାଆଁ ନନ୍ଦନ ବନ । ପୁରର ନାମ ବୈଜୟନ୍ତ । ତାଙ୍କର ଅସ୍ତ୍ର ହେଉଛି ବିଜୁଳି ବା ହ୍ରାଦିନୀ ଓ ବଜ୍ର ବା କୁଳିଶ । ଇନ୍ଦ୍ରଙ୍କ ଅସ୍ତ୍ରର ଅନ୍ୟନାମ ମଧ୍ୟ ଭିଦୁର, ପବି, ଶତକୋଟି, ସ୍ୱରୁ, ଶମ୍ଭ, ଦମ୍ଭୋଳି ବା ଅଶନି । ଇନ୍ଦ୍ରଙ୍କର ଧନୁର ନାମ ଇନ୍ଦ୍ରଧନୁ । ଅସିର ନାମ ପରଞ୍ଜୟ । ଐରାବତ ନାମକ ହସ୍ତୀ ଓ ଉଚ୍ଚୈଶ୍ରବା ନାମକ ଅଶ୍ୱ ମଧ୍ୟ ଇନ୍ଦ୍ରଙ୍କ ଅଧିକାରରେ ଥାଆନ୍ତି ।
ଇନ୍ଦ୍ରଙ୍କ ସଭାର ନାମ ସୁଧର୍ମା ସଭା । ତାହା ଇନ୍ଦ୍ରସଭା ଭାବରେ ମଧ୍ୟ ପୁରାଣମାନଙ୍କରେ ପ୍ରସିଦ୍ଧ । ଏହି ସୁଧର୍ମା ସଭା ‘ମୟ’ ଦାନବ ଦ୍ୱାରା ନିର୍ମିତ । ସବୁବେଳେ ତାହା ଦିବ୍ୟ ଆଲୋକରେ ଉଦ୍ଭାସିତ ହେଉଥାଏ । ତାହା ଦୈର୍ଘ୍ୟରେ ୧୫୦ ଯୋଜନ, ପ୍ରସ୍ଥରେ ୧୦୦ ଯୋଜନ ଓ ଉଚ୍ଚତାରେ ୫ ଯୋଜନ । ଦିବ୍ୟ ବୃକ୍ଷ ଲତାରେ ତାହା ଶୋଭାବନ୍ତ ହୋଇଥାଏ ।
ଏପରି ଶୋଭାବନ୍ତ ସୁଧର୍ମା ସଭାରେ ଦିବ୍ୟ ଜ୍ୟୋତିରେ ଉଦ୍ଭାସିତ ହୋଇ ଇନ୍ଦ୍ର ବସନ୍ତି । ଇନ୍ଦ୍ର ଦେଖିବାକୁ ଖୁବ୍ ସୁନ୍ଦର । ତାଙ୍କ ଦେହର ରଙ୍ଗ ସ୍ୱଚ୍ଛ ନୀଳ । ସେଥିପାଇଁ ନୀଳରଂଗର ମଣିକୁ ଇନ୍ଦ୍ରନୀଳମଣି କୁହାଯାଏ । ସେ ସୁନ୍ଦର ମୁକୁଟ ଓ କୁଣ୍ଡଳ, ଉଜ୍ଜ୍ୱଳ ଅମଳିନ ବସ୍ତ୍ର ପିନ୍ଧି ଥାଆନ୍ତି । ତାଙ୍କ କଣ୍ଠରେ ଶୋଭା ପାଉଥାଏ ଦିବ୍ୟମାଳା । ମରୁତ, ସିଦ୍ଧ, ଦେବ, ଋଷି ଓ ଅନ୍ୟମାନେ ତାଙ୍କର ପାରିଷଦ ଭାବରେ ସଭା ଚତୁଃପାର୍ଶ୍ୱରେ ଦଣ୍ଡାୟମାନ ରହିଥାଆନ୍ତି । ସମସ୍ତଙ୍କର ମସ୍ତକ ଚାରିପଟେ ଦିବ୍ୟଜ୍ୟୋତିର ଆଭା ଶୋଭା ପାଉଥାଏ ।
ପରାଶର, ପର୍ବତ, ସାବର୍ଣ୍ଣି, ଗାଲବ, ଶଙ୍ଖ, ଲିଖିତ, ଗୌରଶିର, ଦୁର୍ବାସା, ଅକ୍ରୋଧାନ, ଶ୍ୟେନ, ଦୀର୍ଘତମ, ପବିତ୍ରପାଣି, ଭାଲୁବୀ, ଯାଜ୍ଞବଳ୍କ୍ୟ, ଉଦ୍ଦାଳକ, ଶ୍ୱେତକେତୁ, ପାଣ୍ଡ୍ୟ ଓ ଅନ୍ୟ ମୁନିଋଷିମାନେ ମଧ୍ୟ ଇନ୍ଦ୍ରଙ୍କ ସଭାରେ ରହି ସଭାର ମହତ୍ତ୍ୱ ବଢ଼ାଇଥାନ୍ତି ।
ଇନ୍ଦ୍ରଙ୍କ ସଭା ପରି ଇନ୍ଦ୍ରଙ୍କ ଉପବନ ନନ୍ଦନବନରେ ମଧ୍ୟ ବହୁ ଦିବ୍ୟ ବୃକ୍ଷ ରହିଥାଏ । ସେହି ବୃକ୍ଷ ମଧ୍ୟରେ ମନ୍ଦର, ପାରିଜାତ, ସନ୍ତାନ, କଳ୍ପବୃକ୍ଷ, ହରିଚନ୍ଦନ ଆଦି ପ୍ରସିଦ୍ଧ । ରମ୍ଭା, ମେନକା, ତିଳୋତ୍ତମା ଆଦି ସୁନ୍ଦରୀ ଅପସରୀ ମଧ୍ୟ ଇନ୍ଦ୍ରଲୋକରେ ଥାଆନ୍ତି ।
ବୈଦିକ ଯୁଗରେ ଇନ୍ଦ୍ର ହିଁ ଥିଲେ ପ୍ରଧାନ ଦେବତା । ସେଥିାଇଁ ଋଗ୍ବେଦରେ ଇନ୍ଦ୍ରଙ୍କର ଗୁରୁତ୍ୱ ଅଧିକ ଦେଖିବାକୁ ମିଳେ । ଆର୍ଯ୍ୟମାନେ ଦସ୍ୟୁଙ୍କ ଦମନପାଇଁ ତାଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳେ । ଏପରିକି ଭଗବାନ ବିଷ୍ଣୁଙ୍କର ଓ ଦେବଦେବ ମହାଦେବଙ୍କର ଗୁରୁତ୍ୱ ତାଙ୍କ ପରେ ଥିଲା । ଏପରିକି ଋଗ୍ବେଦରେ ଶିବଙ୍କୁ 'କପର୍ଦ୍ଦିନ୍' ବା ଜଟାଜୁଟମୟ ବୋଲି ବର୍ଣ୍ଣନା କରାଯାଇ ଥିଲେ ହେଁ ତାଙ୍କର ଗୋଟିଏ ହେଲେ ସ୍ତୁତି ନାହିଁ । ପୁରାଣ ଯୁଗ ବେଳକୁ ଇନ୍ଦ୍ରଙ୍କୁ 'ଦେବପ୍ରଭୁ' ବୋଲି ମଧ୍ୟ କୁହାଯାଉଥିଲା ।
ତେବେ ଏତେ ସବୁ ସତ୍ତ୍ୱେ, ମର୍ତ୍ତ୍ୟରେ ଇନ୍ଦ୍ରଙ୍କର ପୂଜା ଏବେ ବିଶେଷ ଦେଖାଯାଏ ନାହିଁ । ଇନ୍ଦ୍ର ବର୍ଷାର ଅଧିକାରୀ । ତେଣୁ ବର୍ଷା ନିମନ୍ତେ ଅନେକେ ଇନ୍ଦ୍ରପୂଜା କରିଥାଆନ୍ତି । ଇନ୍ଦ୍ରଙ୍କର ସମ୍ମାନାର୍ଥେ ଶକ୍ରଧ୍ୱଜୋତ୍ଥାନ ଉତ୍ସବ ବା ଇନ୍ଦ୍ରୋତ୍ସବ ଅନୁଷ୍ଠିତ ହେବାର ଦୃଷ୍ଟାନ୍ତ ରହିଛି । ପ୍ରତିବର୍ଷ ଭାଦ୍ରବ ମାସର ପୂର୍ଣ୍ଣମୀକୁ ଇନ୍ଦ୍ରପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ । ଏହିଦିନ ମଧ୍ୟ ଭାଗବତ ଜନ୍ମ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରଂପରାରେ ଏହି ପୂର୍ଣ୍ଣିମା ନୀତି କୃଷ୍ଣଲୀଳାର ଅନ୍ତର୍ଗତ । ପରଂପରା ଅନୁସାରେ, ପୂର୍ଣ୍ଣିମାର ସାତଦିନ ପୂର୍ବରୁ ଶ୍ରୀକୃଷ୍ଣ ଆବର୍ତ୍ତକ ଓ ସମ୍ବର୍ତ୍ତକ ଆଦି ସାତ ମେଘଙ୍କୁ ବାନ୍ଧି ରଖିଥାନ୍ତି । ଏହିଦିନ ଇନ୍ଦ୍ର ଐରାବତ ହାତୀ ଚଢ଼ି ସିଂହଦ୍ୱାରକୁ ଆସନ୍ତି । ତାଙ୍କୁ ପୂଜା କରାଯାଇ ସାତମେଘକୁ ବନ୍ଧନମୁକ୍ତ କରାଯାଏ ।
ତେବେ ସାଧାରଣରେ ଇନ୍ଦ୍ରପୂଜା ବିଶେଷ ପ୍ରଚଳିତ ନଥିଲେ ହେଁ ଇନ୍ଦ୍ର ଦେବରାଜ ହୋଇଥିବାରୁ ତାଙ୍କର ଧ୍ୟାନଶ୍ଳୋକ ସଂସ୍କୃତ ଗ୍ରନ୍ଥମାନଙ୍କରେ ମିଳେ ।
ଏପରି ଏକ ଧ୍ୟାନ ଶ୍ଳୋକରେ କୁହାଯାଇଛି-
ଇନ୍ଦ୍ରଃ ସୁରପତିଃ ଶ୍ରେଷ୍ଠୋ ବଜ୍ରହସ୍ତୋ ମହାବଳଃ ।
ଶତଯଜ୍ଞାଧିପୋ ଦେବ ସ୍ତସ୍ମୈ ନିତ୍ୟଂ ନମୋ ନମଃ ॥
![]() |
![]() |
![]() |
![]() |
![]() |
![]() |
![]() |