ଆମ ଦେବଦେବୀ/କାମଧେନୁ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଦେବଦେବୀ (୨୦୧୧)  ଲେଖକ/କବି: ଅସିତ ମହାନ୍ତି
କାମଧେନୁ
କାମଧେନୁ

ଦେବଦେବୀମାନଙ୍କ ପରି ପୂଜା ପାଉ ନଥିଲେ ମଧ୍ୟ ଦେବଗୁଣ ଓ ଦେବଶକ୍ତିସଂପନ୍ନ ହୋଇଥିବାରୁ କାମଧେନୁଙ୍କୁ ଦେବୀ ରୂପେ ଗ୍ରହଣ କରାଯାଏ । ସୁରଭି, ନନ୍ଦିନୀ, କାମଧେନୁ ଆଦି ନାମରେ ମଧ୍ୟ ସେ ପରିଚିତା । ସେ ଗୋ' ଜାତି ବା ଗୋରୁବଂଶର ମାତା । ଋଷି, ମୁନି ଓ ଦେବତାମାନଙ୍କର ଯେତେବେଳେ ଦୁଗ୍‌ଧ ଆବଶ୍ୟକ ହୁଏ, ସେ ତାହା ଦେଇ ଥାଆନ୍ତି ।

ତା'ଛଡ଼ା ଯେତେବେଳେ ଯାହା ଚାହିଁଲେ ବି ତତ୍‌କ୍ଷଣାତ୍ ସେ ତାହା ଦେଇପାରନ୍ତି । ସେ ବ୍ରହ୍ମାଙ୍କ ଆଶୀର୍ବାଦରୁ ସେପରି ଗୁଣ ଓ ଶକ୍ତିର ଅଧିକାରିଣୀ ହୋଇଛନ୍ତି ।

ସୁରଭି, ନନ୍ଦିନୀ ଓ କାମଧେନୁ- ତିନିଟି ଅଲଗା ଅଲଗା ନାଆଁ ହୋଇଥିବାରୁ ଧାରଣା ହୁଏ ଯେ ଏ ତିନିହେଁ ଅଲଗା । ମାତ୍ର ପୁରାଣମାନଙ୍କରେ ଥିବା ଲେଖା ଅନୁସାରେ ଅନେକ କାମଧେନୁ ଥିଲେ । ସେମାନେ ସମସ୍ତେ ମୂଳ କାମଧେନୁଙ୍କର ବିଭିନ୍ନ ରୂପ । ତେଣୁ ମୂଳତଃ ସୁରଭି, ନନ୍ଦିନୀ ଓ କାମଧନୁ ଏକ । ଭାସ ଭାରତରେ ଏ ସମ୍ପର୍କରେ ସ୍ପଷ୍ଟ ବର୍ଣ୍ଣନା ଅଛି ।

ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁସାରେ କାମଧେନୁ କଶ୍ୟପଙ୍କର କନ୍ୟା । ବାଲ୍ମୀକୀ ରାମାୟଣର ଅରଣ୍ୟକାଣ୍ଡରେ ବର୍ଣ୍ଣନା ଅଛି ଯେ କଶ୍ୟପ ହେଉଛନ୍ତି ମରୀଚିଙ୍କ ପୁତ୍ର ତଥା ବ୍ରହ୍ମାଙ୍କ ନାତି । ସେ ଦକ୍ଷପ୍ରଜାପତିଙ୍କ କନ୍ୟା ଅଦିତି, ଦିତି, ଦନୁ, କାଳିକା, ତାମ୍ରା, କ୍ରୋଧବଶା, ମନୁ ଓ ଅନନ୍ଦା ପ୍ରଭୃତିଙ୍କୁ ବିବାହ କରିଥିଲେ । କାମଧେନୁ କଶ୍ୟପଙ୍କ ପତ୍ନୀ କ୍ରୋଧବଶାଙ୍କ ଠାରୁ ଜାତ ହୋଇଥିଲେ । ଏହି କାମଧେନୁଙ୍କ ନାମ ସୁରଭି । ସେଥିରେ ଆହୁରି ମଧ୍ୟ ଲେଖା ଅଛି ଯେ ସୁରଭିଙ୍କ ଠାରୁ ରୋହିଣୀ ଓ ଗାନ୍ଧର୍ବୀ ନାମରେ ଦୁଇ କନ୍ୟା ଜାତ ହୋଇଥିଲେ । ରୋହିଣୀଙ୍କ ଠାରୁ ଗାଭୀ ଓ ଗାନ୍ଧର୍ବୀଙ୍କ ଠାରୁ ଅଶ୍ୱ ବଂଶର ଉତ୍ପତ୍ତି ହୋଇଥିଲା ।

କିନ୍ତୁ କଶ୍ୟପ ଓ କ୍ରୋଧବଶାଙ୍କ ଠାରୁ ଜାତ ହେବାବେଳେ କାମଧେନୁ ଦିବ୍ୟଶକ୍ତିର ଅଧିକାରିଣୀ ହୋଇ ନଥିଲେ । ପରେ ବ୍ରହ୍ମାଙ୍କ ଆଶୀର୍ବାଦରୁ ସେ ଦିବ୍ୟଶକ୍ତି ଲାଭ କରିଥିଲେ । କାମଧେନୁ କିପରି ଦିବ୍ୟଶକ୍ତିର ଅଧିକାରିଣୀ ହେଲେ ସେ ସମ୍ପର୍କରେ ଗୋଟିଏ କାହାଣୀ ପୁରାଣମାନଙ୍କରେ ଅଛି ।

ଏକଦା କଶ୍ୟପଙ୍କ ପତ୍ନୀ ଅଦିତି ମହାବିଷ୍ଣୁଙ୍କୁ ନିଜ ଗର୍ଭରେ ପୁତ୍ର ରୂପେ ଧାରଣ କରିଥିଲେ । ସେଥିାଇଁ ଗୋଟିଏ ପାଦରେ ଠିଆ ହୋଇ ସେ ଘୋର ତପସ୍ୟା କରିଥିଲେ । ସେତେବେଳେ ସୁରଭି କୈଳାସକୁ ଯାଇ ବ୍ରହ୍ମାଙ୍କୁ ଦଶ ସହସ୍ର ବର୍ଷ ଧରି ପୂଜା କରିଥିଲେ । ସୁରଭିଙ୍କର ପୂଜା ଅର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ଦେବତାମାନେ ବ୍ରହ୍ମାଙ୍କ ସହିତ ଆସି ସୁରଭି ନିକଟରେ ଉପସ୍ଥିତ ହୋଇଥିଲେ । ବ୍ରହ୍ମା କହିଥିଲେ, ସୁରଭି, ତୁମର ଏକନିଷ୍ଠ ପୂଜା ଓ ତପସ୍ୟାରେ ମୁଁ ସନ୍ତୁଷ୍ଟ । କେବଳ ମୁଁ କାହିଁକି, ଅନ୍ୟ ଦେବତାମାନେ ମଧ୍ୟ ସନ୍ତୁଷ୍ଟ । ଏଣୁ ମୁଁ ତୁମକୁ ଆର୍ଶୀବାଦ କରୁଛି, ଆଜିଠାରୁ ତୁମେ ଦେବୀ ରୂପେ ପୂଜା ପାଇବ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ- ତିନିଲୋକର ଊର୍ଦ୍ଧ୍ୱରେ, ଗୋଲୋକରେ ତୁମର ନିବାସ ହେବ । ତୁମକୁ ସମସ୍ତେ ପୂଜା କରିବେ । ତୁମଠାରୁ ଜାତ ଗାଭୀମାନେ ମଧ୍ୟ ଗୋମାତା ରୂପେ ପୂଜା ପାଇବେ ।

ବ୍ରହ୍ମାଙ୍କର ସେହି ବର ଫଳରେ ସେହିଦିନଠାରୁ ସୁରଭି ଅଲୌକିକ ଦିବ୍ୟଶକ୍ତିର ଅଧିକାରିଣୀ ହେଲେ । ଯେ କୌଣସି କାମନା ସେ ପୂରଣ କରି ପାରିଲେ । ତେଣୁ ସେ କାମଧେନୁ ରୂପେ ଖ୍ୟାତ ହେଲେ ।

ପୁରାଣମାନଙ୍କରେ ଅନେକ କାମଧେନୁଙ୍କର ଉଲ୍ଲେଖ ଅଛି । ବଶିଷ୍ଠ ଋଷିଙ୍କ ଆଶ୍ରମରେ ଗୋଟିଏ କାମଧେନୁ ଥିଲେ । ବରୁଣଙ୍କ ଯଜ୍ଞରେ ମଧ୍ୟ ଆଉ ଏକ କାମଧେନୁ ଥିବା ବିଷୟ ଲେଖା ଯାଇଛି । ଏଣୁ କାମଧେନୁ ଯେ ଗୋଟିଏ ଥିଲେ ଏବଂ ଯାହାଙ୍କର ଦରକାର ସେ ତାଙ୍କୁ ନେଉଥିଲେ, ଏହା ବିଶ୍ୱାସଯୋଗ୍ୟ ନୁହେଁ । ତେଣୁ ଅନେକେ ବିଶ୍ୱାସ କରନ୍ତି ଯେ କାମଧେନୁ ପରିବାରରେ ଅନେକ କାମଧେନୁ ଥିଲେ । ସେମାନେ ବିଭିନ୍ନ ଦେବତା ବା ବିଶିଷ୍ଟ ଋଷିମାନଙ୍କ ନିକଟରେ ରହିଥିଲେ । ମାତ୍ର ଆହୁରି ଅନେକେ ବିଶ୍ୱାସ କରନ୍ତି ଯେ କାମଧେନୁ ଗୋଟିଏ; କିନ୍ତୁ ବ୍ରହ୍ମାଙ୍କଠାରୁ ପାଇଥିବା ଦିବ୍ୟଶକ୍ତି ବଳରେ ସେ ବହୁ ରୂପରେ ବିଭିନ୍ନ ସ୍ଥାନରେ ରହିଥିଲେ ।

ପୁରାଣମାନଙ୍କରେ କାମଧେନୁଙ୍କ ବିଷୟରେ ଆହୁରି ଅନେକ କଥା ଲେଖା ଅଛି । କେବଳ କଶ୍ୟପଙ୍କ କନ୍ୟା ରୂପେ କାମଧେନୁ ସୃଷ୍ଟି ହୋଇ ନଥିଲେ । ମହାଭାରତ ଆଦିପର୍ବରେ ଥିବା ଲେଖା ଅନୁସାରେ ଯେତେବେଳେ ଦେବତା ଓ ଅସୁରମାନେ ମିଶି କ୍ଷୀରସମୁଦ୍ର ମନ୍ଥନ କଲେ, ସେତେବେଳେ ସେଥିରୁ କାମଧେନୁଙ୍କର ଉଦ୍ଭବ ହୋଇଥିଲା । ଭାସ ଭାରତର ଉଦ୍ୟୋଗ ପର୍ବରେ ଆଉ ଏକ କାମଧେନୁଙ୍କର ଉଲ୍ଲେଖ ଅଛି । ସେହି କାହାଣୀଟି ଖୁବ୍ ମଜାଦାର । ସେଥିରେ ଲେଖା ଅଛି, ଥରେ ବ୍ରହ୍ମା ଲୋଭରେ ପଡ଼ି ଏତେ ଅମୃତ ପିଇଦେଲେ ଯେ ଶେଷରେ ତାଙ୍କର ବାନ୍ତି ହୋଇଗଲା । ସେହି ଅମୃତ ବାନ୍ତି ଭିତରୁ କାମଧେନୁ ସୃଷ୍ଟି ହେଲେ । କାମଧେନୁ ରସାତଳରେ ରହନ୍ତି ବୋଲି ମଧ୍ୟ ସେଥିରେ ଲେଖା ଅଛି । ଆହୁରି ଲେଖାଅଛି ଯେ ରସାତଳରେ ରହିଥିବା କାମଧେନୁଙ୍କ ଚାରି ପାଖରେ ଆହୁରି ଚାରିଟି କାମଧେନୁ ରହିଛନ୍ତି । ତାଙ୍କର ପୂର୍ବରେ ରହିଥିବା କାମଧେନୁଙ୍କର ନାମ ସୌରଭୀ, ଦକ୍ଷିଣରେ ରହିଥିବା କାମଧେନୁଙ୍କର ନାମ ହଂସିକା, ପଶ୍ଚିମରେ ରହିଥିବା କାମଧେନୁଙ୍କର ନାମ ସୁଭଦ୍ରା ଓ ଉତ୍ତରରେ ରହିଥିବା କାମଧେନୁଙ୍କର ନାମ ଧେନୁ ।

କାମଧେନୁଙ୍କ ସଂପର୍କରେ ପୁରାଣରେ ଆହୁରି ଏକ ମଜାଦାର କାହାଣୀ ରହିଛି । ସେଥିରେ ଲେଖା ଅଛି ଯେ ଗୋଟିଏ କାମଧେନୁଙ୍କର କ୍ଷୀରରୁ କ୍ଷୀରସାଗରର ସୃଷ୍ଟି ହୋଇଥିଲା । ସେହି କାହାଣୀରେ କୁହାଯାଇଛି, ଥରେ ରାଧାକୃଷ୍ଣ କୁଞ୍ଜବନରେ ଖେଳୁଥିଲେ । ବହୁ ସମୟ ଖେଳିବା ପରେ କ୍ଲାନ୍ତ ହୋଇପଡ଼ିବାରୁ ଦୁହେଁ କ୍ଷୀର ପିଇବାକୁ ଚାହିଁଲେ । ଫଳରେ ଶ୍ରୀକୃଷ୍ଣଙ୍କର ଇଚ୍ଛାଶକ୍ତି ବଳରେ ତାଙ୍କର ବାମ ଅଙ୍ଗରୁ ସୁରଭି ନାମରେ ଗୋଟିଏ ଧେନୁ ଓ

ମନୋରଥ ନାମରେ ଗୋଟିଏ ବତ୍ସା ଜାତ ହେଲେ । ଶ୍ରୀଦାମନ ସେହି ଧେନୁଙ୍କଠାରୁ କ୍ଷୀର ଦୁହିଁଲେ । ମାଟି ପାତ୍ରରେ ସେହି କ୍ଷୀରକୁ ଧରି ଶ୍ରୀକୃଷ୍ଣ ପିଇବା ବେଳେ ତାଙ୍କ ହାତରୁ ପାତ୍ରଟି ଖସିପଡ଼ି କ୍ଷୀରତକ ଢାଳିଗଲା । ସେହି କ୍ଷୀର ଭୂମିରେ ପଡ଼ି ଶହେ ଯୋଜନ ବ୍ୟାପି ଏକ ସମୁଦ୍ର ସୃଷ୍ଟି ହେଲା । ସେହି ସମୁଦ୍ର ହେଉଛି କ୍ଷୀର ସମୁଦ୍ର । ରାଧା ଓ ତାଙ୍କର ସହଚରୀମାନେ ସେଥିରେ ସ୍ନାନ ଓ ଜଳକେଳି କରିଥିଲେ ।

କେବଳ ଏତିକିରେ ପୁରାଣର ଏହି ଉପାଖ୍ୟାନଟିର ଶେଷ ନୁହେଁ । ସେଥରେ ଆହୁରି ମଧ୍ୟ ବର୍ଣ୍ଣନା ଅଛି ଯେ ସୁରଭିଙ୍କ ଅଂଶରୁ ଅନେକ ଗାଭୀ ସୃଷ୍ଟି ହୋଇଥିଲେ । ସେମାନଙ୍କୁ ଶ୍ରୀକୃଷ୍ଣ ଗୋପବାସୀଙ୍କୁ ଉପହାର ରୂପେ ଦେଇଥିଲେ ।

ଏହିରି ବିଭିନ୍ନ ପୁରାଣରେ ବିଭିନ୍ନ କାମଧେନୁଙ୍କର ବର୍ଣ୍ଣନା ଅଛି । ମାତ୍ର ଗୋଟିଏ କାମଧେନୁ ହିଁ ବ୍ରହ୍ମାଙ୍କ ବର ପାଇ ଅଲୌକିକ ଶକ୍ତିର ଅଧିକାରିଣୀ ହୋଇଥିଲେ । ତେଣୁ ସବୁ କାମଧେନୁ ସେହି ମୂଳ କାମଧେନୁଙ୍କର ରୂପ ବୋଲି ବିଶ୍ୱାସ କରାଯାଏ । ସତ୍ୟବ୍ରତ ସେମାନଙ୍କ ମଧ୍ୟରୁ ଗୋଟିଏ କାମଧେନୁଙ୍କୁ ଅପହରଣ କରିଥିବାର କାହାଣୀ ମଧ୍ୟ ପୁରାଣରେ ଅଛି ।

ସତ୍ୟବ୍ରତଙ୍କର ଆଉ ଗୋଟିଏ ନାଆଁ ହେଉଛି ତ୍ରିଶଙ୍କୁ । ବରଂ ତ୍ରିଶଙ୍କୁ ନାଆଁରେ ସେ ଅଧିକ ପ୍ରସିଦ୍ଧ । ସେ ଈକ୍ଷ୍ୱାକୁ ବଂଶର ରାଜା ଅରୁଣଙ୍କ ପୁତ୍ର । ଖୁବ୍ ଦୁଷ୍ଟ ଓ ଦୁରାଚାରୀ ଭାବରେ ତାଙ୍କର କୁଖ୍ୟାତି ଥିଲା । ଥରେ ଜଣେ ବ୍ରାହ୍ମଣ ଝିଅର ବିବାହ ହେଉଥିଲା । ଝିଅଟି ବୋହୂ ବେଶରେ ବେଦିକୁ ଯାଉଛି, ତ୍ରିଶଙ୍କୁ ଆସି ତାକୁ ଜବରଦସ୍ତ ଟେକିନେଇ ଚାଲିଗଲେ । ତ୍ରିଶଙ୍କୁଙ୍କ ପିତା ଅରୁଣ କିନ୍ତୁ ତ୍ରିଶଙ୍କୁଙ୍କ ପରି ନଥିଲେ । ତେଣୁ ପୁଅର ଏପରି କୁକାର୍ଯ୍ୟରେ ସେ କ୍ରୁଦ୍ଧ ହୋଇ ତାଙ୍କୁ ରାଜପ୍ରସାଦରୁ ବାହାର କରିଦେଲେ । ଫଳରେ ତ୍ରିଶଙ୍କୁ ରହିବାକୁ ଜାଗା ନପାଇ ଅରଣ୍ୟରେ ବୁଲିବାକୁ ଲାଗିଲେ । ପଶୁପକ୍ଷୀ ଶିକାର କରି ମାଂସ ଖାଇଲେ ।

କିଛିକାଳ ପରେ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଲା । ହଜାର ହଜାର ପଶୁ, ପକ୍ଷୀ, ମଣିଷ ଖାଇବାକୁ ନପାଇ ଭୋକ ବିକଳରେ ମଲେ । ସେତେବେଳକୁ ବିଶ୍ୱାମିତ୍ର ନାମରେ ଜଣେ ବ୍ରାହ୍ମଣ ନିଜ ପୁତ୍ର, ପରିବାରଙ୍କୁ ଛାଡ଼ି ଅରଣ୍ୟରେ ଯାଇ ତପସ୍ୟା କରୁଥିଲେ । ଯେତେବେଳେ ସେ ଜାଣିଲେ ଯେ ନଗ୍ରରେ ଦୁର୍ଭିକ୍ଷ ପଡ଼ିଛି ଏବଂ ଲୋକେ ଖାଇବାକୁ ନପାଇ ପୋକ, ମାଛି ପରି ମରୁଛନ୍ତି, ସେତେବେଳେ ତାଙ୍କର ନିଜ ପରିବାର କଥା ମନେପଡ଼ିଲା । ସେ ଜାଣିଲେ ଯେ ପରିବାରର ଅବସ୍ଥା ଖୁବ୍ ମୁମୂର୍ଷୁ । ପରିବାରର ଲୋକେ ଖାଇବାକୁ ନପାଇ ନିଶ୍ଚେ ମରିଯିବେ । ତେଣୁ ସେ ଠିକ୍ କଲେ, ତାଙ୍କର ପୁଅମାନଙ୍କ ଭିତରୁ ଜଣଙ୍କୁ ବିକ୍ରି କରିଦେବେ ଏବଂ ସେଇ ପଇସାରେ ଅନ୍ତତଃ କିଛିଦିନ ଚଳିବେ ।

ସେହି ଏକା ଅରଣ୍ୟରେ ତ୍ରଶଙ୍କୁ ରହୁଥିଲେ । ତେଣୁ ତ୍ରଶଙ୍କୁ ସେକଥା ଜାଣିପାରିଲେ । କହିଲେ, ଯାହାହେଉ ପଛେ, ନିଜ ପୁଅକୁ ବିକ୍ରି କରନାହିଁ । ପ୍ରତିଦିନ ପଶୁ ଶିକାର କରି ମୁଁ ତୁମକୁ କିଛି କିଛି ମାଂସ ଦେବି। ସେହି ମାଂସ ପ୍ରତିଦିନ ମୁଁ ଗୋଟିଏ ଗଛର ଡାଳରେ ରଖି ଦେଉଥିବି । ଏହା କହି ସେ ବିଶ୍ୱାମିତ୍ରଙ୍କୁ ଗୋଟିଏ ଗଛ ଦେଖାଇ ଦେଲେ ।

ଏହି ବ୍ୟବସ୍ଥା କିଛିଦିନ ଚାଲିଲା । ସବୁଦିନେ ତ୍ରିଶଙ୍କୁ ଜଙ୍ଗଲରୁ ପଶୁ, ପକ୍ଷୀ ଶିକାର କରନ୍ତି । ନିଜ ପାଇଁ ରଖିବା ପରେ, ଅବଶିଷ୍ଟ ମାଂସ ନେଇ ସେଇ ଗଛ ଶାଖାରେ ରଖିଦେଇ ଆସନ୍ତି । ବିଶ୍ୱାମିତ୍ର ଆସି ତାହା ନେଇ ଯାଆନ୍ତି ।

କିନ୍ତୁ ଦିନେ ଗୋଟିଏ ଅସୁବିଧା ହେଲା । ସେଦିନ ବହୁ ଚେଷ୍ଟା କରି ମଧ୍ୟ ତ୍ରିଶଙ୍କୁ ଗୋଟିଏ ହେଲେ ଶିକାର ପାଇଲେ ନାହିଁ । ସେ ସିନା ଉପାସରେ ରହିଯିବେ; ହେଲେ ବିଶ୍ୱାମିତ୍ରଙ୍କ ପରିବାର? ସେମାନଙ୍କୁ ସବୁଦିନେ ମାଂସ ଯୋଗାଇ ଦେବାକୁ ସେ କଥା ଦେଇଛନ୍ତି । ତେଣୁ ଅନ୍ୟ ଉପାୟ ନ ପାଇ ସେଦିନ ରାତିରେ ସେ ଯାଇ ବଶିଷ୍ଠଙ୍କ ଆଶ୍ରମରୁ କାମଧେନୁଙ୍କୁ ଚୋରାଇ ଆଣିଲେ । ତାଙ୍କୁ ମାରି ନିଜ ପାଇଁ କିଛି ମାଂସ ରଖିଲେ । ଅବଶିଷ୍ଟ ମାଂସ ବିଶ୍ୱାମିତ୍ରଙ୍କ ପରିବାର ପାଇଁ ଦେଇ ଆସିଲେ ।

ପରଦିନ ସକାଳେ ବଶିଷ୍ଠ ନିଦରୁ ଉଠି ଦେଖନ୍ତି ତ ଆଶ୍ରମରେ କାମଧେନୁ ନାହାନ୍ତି । ସେ ତତ୍‌କ୍ଷଣାତ୍ ସବୁକଥା ଜାଣିପାରି ତ୍ରିଶଙ୍କୁଙ୍କୁ ଅଭିଶାପ ଦେଲେ । କହିଲେ, ତୁମ ନାଆଁ ସତ୍ୟବ୍ରତ । ମାତ୍ର ତୁମେ ବହୁ ଅସତ୍ କାର୍ଯ୍ୟ କରିଛ । ସେଥିରୁ ପୁଣି ତିନିଟି କାର୍ଯ୍ୟ ଅତ୍ୟନ୍ତ ହୀନ । ପ୍ରଥମ, ଗୋଟିଏ ବ୍ରାହ୍ମଣ କନ୍ୟା ବେଦୀକୁ ବିବାହ ପାଇଁ ଯାଉଥିଲାବେଳେ ତାକୁ ଅପହରଣ କରିଛ; ଦ୍ୱିତୀୟ, ନିଜ ପିତା ଦୁଃଖୀ ଓ ବିରକ୍ତ ହେବା ପରି କାର୍ଯ୍ୟ କରିଛ ଏବଂ ତୃତୀୟ, କାମଧେନୁ ପରି ଗୋଟିଏ ଗାଈକୁ ହତ୍ୟା କରିଛ । ଏଣୁ ତୁମର ନାଆଁ ଆଜିଠାରୁ ତ୍ରିଶଙ୍କୁ ହେବ । ଲୋକେ ତୁମର ଏହି ତିନିଟି ହୀନ କାର୍ଯ୍ୟକୁ ସବୁଦିନେ ମନେ ରଖିବେ । ଏ ତିନିଟି କାର୍ଯ୍ୟ କାଳେ କାଳେ ଘୋର ପାପ ଓ ହୀନ କାର୍ଯ୍ୟ ରୂପେ ପରିଗଣିତ ହେବ ।

ଏହା ପରଠାରୁ ସତ୍ୟବ୍ରତଙ୍କ ନାଆଁ ହେଲା ତ୍ରିଶଙ୍କୁ । ତା’ପରେ ବଶିଷ୍ଠ ନିଜର ତପଶକ୍ତି ବଳରେ କାମଧେନୁଙ୍କୁ ଜୀବନ୍ନ୍ୟାସ ଦେଲେ ।

ଆଉ ଦିନକର କଥା । ସେତେବେଳକୁ ବିଶ୍ୱାମିତ୍ର ରାଜା ଥିଲେ । ଥରେ ସେ ତାଙ୍କର ସୈନ୍ୟସାମନ୍ତ ଧରି ପାରିଧିରେ ଯାଇଥିଲେ । ଜଙ୍ଗଲରେ ବୁଲୁବୁଲୁ ବଶିଷ୍ଠଙ୍କ ଆଶ୍ରମରେ ଯାଇ ପହଞ୍ଚିଲେ । ସେତେବେଳକୁ ବିଶ୍ୱାମିତ୍ର ଓ ତାଙ୍କର ସୈନ୍ୟସାମନ୍ତମାନେ କ୍ଳାନ୍ତ ହୋଇ ପଡ଼ିଥିଲେ । ସେମାନଙ୍କୁ ଭୋକ, ଶୋଷ ବି ଲାଗୁଥିଲା । ବିଶ୍ୱାମିତ୍ର ଭାବିଲେ, ବଶିଷ୍ଠ ତ ଋଷି, ତାଙ୍କ ଆଶ୍ରମରେ ଏତେ ଲୋକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ହେବ କିପରି? ମାତ୍ର

ବଶିଷ୍ଠ କାମଧେନୁଙ୍କୁ ଡାକି ଅତିଥି ଚର୍ଚ୍ଚାର ବ୍ୟବସ୍ଥା କରିବାକୁ କହିଲେ । ଚାହୁଁ ଚାହୁଁ, କାମଧେନୁ ତାଙ୍କର ଶକ୍ତିବଳରେ ସମସ୍ତଙ୍କ ପାଇଁ ଖାଦ୍ୟପେୟ ଆଦିର ସୁବ୍ୟବସ୍ଥା କରିଦେଲେ ।

କାମଧେନୁଙ୍କ ଶକ୍ତିର ଚମତ୍କାରିତା ଦେଖି ବିଶ୍ୱାମିତ୍ର ଆଚମ୍ବିତ ହେଲେ । ବଶିଷ୍ଠ କହିଲେ, ମୁଁ ତୁମକୁ କୋଟି ସଂଖ୍ୟାରେ ଦୁଗ୍ଧବତୀ ଗାଭୀ ଦେଉଛି; ପ୍ରତିବଦଳରେ କାମଧେନୁଟିକୁ ମତେ ଦିଅ । ମାତ୍ର ବଶିଷ୍ଠ କାମଧେନୁକୁ ଦେବାକୁ ରାଜି ହେଲେ ନାହିଁ । ଫଳରେ ବିଶ୍ୱାମିତ୍ର ରାଗିଗଲେ । ଭାବିଲେ, ଛାର ଏକ ଋଷି, ସିଏ ପୁଣି ରାଜାଙ୍କ ଅନୁରୋଧକୁ ଅବଜ୍ଞା କରୁଛି ! ନିଜର ସୈନ୍ୟସାମନ୍ତଙ୍କୁ ଡାକି କହିଲେ, କାମଧେନୁଙ୍କୁ ଜବରଦସ୍ତି ସାଙ୍ଗରେ ବାନ୍ଧିନେଇ ଚାଲ ।

ରାଜାଙ୍କ ଆଦେଶ ପାଇ ସୈନ୍ୟସାମନ୍ତମାନେ ଯାଇ କାମଧେନୁଙ୍କୁ ବାନ୍ଧି ଘୋଷାରି ଆଣିଲେ । ଫଳରେ ଆଉ ବରଦାସ୍ତ ନକରି କାମଧେନୁ ନିଜର ସ୍ୱରୂପ ଓ ଶକ୍ତି ପ୍ରକାଶ କଲେ । କାମଧେନୁଙ୍କର ପ୍ରତି ଲୋମକୂପରୁ ବିରାଟ ବିରାଟ ଯୋଦ୍ଧା ବାହାରିଲେ । ସେମାନେ ବିଶ୍ୱାମିତ୍ରଙ୍କ ସୈନ୍ୟଙ୍କ ସହିତ ଘୋର ଯୁଦ୍ଧ କଲେ । ସେହି ଯୁଦ୍ଧରେ ବିଶ୍ୱାମିତ୍ରଙ୍କ ସୈନ୍ୟମାନେ ଅଳ୍ପସମୟ ମଧ୍ୟରେ ପରାସ୍ତ ହୋଇଗଲେ । ବିଶ୍ୱାମିତ୍ର ଯେତେ ତୀର ମାରିଲେ ମଧ୍ୟ ବଶିଷ୍ଠ ଓ କାମଧେନୁଙ୍କ ଅଲୌକିକ ଶକ୍ତି ଯୋଗୁଁ ବଶିଷ୍ଠଙ୍କର କିଛି କ୍ଷତି ହେଲାନାହିଁ । ବଶିଷ୍ଠ ସବୁ ତୀରକୁ ହାତରେ ଧରି ଅଟକାଇ ଦେଲେ । ଶେଷରେ ବିଶ୍ୱାମିତ୍ର ପରାସ୍ତ ହେଲେ । ସେ ସ୍ୱୀକାର ମଧ୍ୟ କଲେ ଯେ ନିଷ୍ଠାପର ବ୍ରାହ୍ମଣର ଶକ୍ତି ଜଣେ କ୍ଷତ୍ରିୟର ଶକ୍ତିଠାରୁ ମଧ୍ୟ ଅଧିକ ।

ଏହି ଘଟଣା ପରେ ବିଶ୍ୱାମିତ୍ରଙ୍କର ମନ ମଧ୍ୟ ପରିବର୍ତ୍ତନ ହୋଇଗଲା । ସେ ରାଜ୍ୟ ଭାର ଛାଡ଼ି ଘୋର ତପସ୍ୟା ଆରମ୍ଭ କଲେ । ସେହି ତପସ୍ୟା ବଳରେ ସେ ଜଣେ ଋଷି ଭାବରେ ମହତ୍ତ୍ୱ ଲାଭ କଲେ । ସେ ଥିଲେ ରାଜା, ହେଲେ ଋଷି । ତେଣୁ ଏଣିକି ରାଜର୍ଷି ଭାବରେ ସେ ଖ୍ୟାତ ହେଲେ ।

କାମଧେନୁଙ୍କର ଅଲୌକିକ ଶକ୍ତି ଓ ଦେବସୁଲଭ ଗୁଣର ଆହୁରି ବହୁ ଦୃଷ୍ଟାନ୍ତ ପୁରାଣମାନଙ୍କରେ ଅଛି । ତେଣୁ ତାଙ୍କୁ ଦେବୀ ଭାବରେ ପୂଜା କରାହୋଇ ଆସିଛି । ଋଷି ମୁନି ଓ ଦେବତାମାନେ ମଧ୍ୟ ତାଙ୍କୁ ପୂଜା କରିବାର ଦୃଷ୍ଟାନ୍ତ ରହିଛି ।

ଏଣୁ ଗୋଟିଏ ଗୋମାତାଙ୍କ ଧ୍ୟାନ ଶ୍ଳୋକରେ କୁହାଯାଇଛି-

ଗୋମାତା ସର୍ବପୂଜ୍ୟା ସକଳ ସୁରଗଣାନ୍ ସର୍ବଗାତ୍ରେଷୁ ପୂଜ୍ୟା ।
ସେବାୟାଂ ସର୍ବସିଦ୍ଧିର୍ଭବତି ଚ ସତତଂ ସର୍ବକାମା ନରାଣାମ୍ ॥
ଗାତ୍ରସ୍ଥେ ଲୋମକୂପେ ଦଧତି ମୁନିଗଣାନ୍ ମୋକ୍ଷଦାତ୍ରୀ ପୟୋଦା ।
ପୁଚ୍ଛସ୍ଥାଃ ସର୍ବତୀର୍ଥା ଦହତି ଚ ବୃଜିନଂ ପ୍ରାର୍ଥୟେ ତାଂ ସଦାଽହମ୍ ॥