ଆମ ଦେବଦେବୀ/କାର୍ତ୍ତିକ
ବହୁ ପ୍ରାଚୀନ କାଳର କଥା । ବଜ୍ରାଙ୍ଗ ନାମରେ ଏକ ପରାକ୍ରମୀ ଅସୁର ଥିଲା । ତାର ବିଶାଳ ଶରୀର ବଜ୍ର ପରି କଠିନ ହୋଇଥିବାରୁ ତାହାର ନାମ ହୋଇଥିଲା ବଜ୍ରାଙ୍ଗ । କଶ୍ୟପପ୍ରଜାପତି ଥିଲେ ତା’ର ପିତା ଓ ଦନୁ ଥିଲେ ମାତା । ବହୁକାଳ ଅସୁର ଭାବରେ ଜୀବନ କଟାଇବା ପରେ ସେ ଅସୁର ପ୍ରକୃତିରୁ ମୁକ୍ତ ହୋଇ ଦିନ ବିତାଇବା ପାଇଁ ଘୋର
ଏଣେ ବଜ୍ରାଙ୍ଗ ତପସ୍ୟା କରୁଥିବା ବେଳେ ତାର ସ୍ତ୍ରୀ ବରାଙ୍ଗୀ ଘରେ ଏକୁଟିଆ ଥାଏ । ଦିନେ ଗୋଟିଏ ମାଙ୍କଡ ଆସି ତାକୁ ବହୁତ ହଇରାଣ ହରକତ କଲା । ଆଉ ଦିନେ ଗୋଟିଏ ସିଂହ ଆସି ତାକୁ ଖାଇବ ବୋଲି ଭୟ ଦେଖାଇଲା । ପୁଣି ଦିନେ ଗୋଟିଏ ସାପ ତାର ଗୋଡ଼କୁ କାମୁଡ଼ି ଦେଲା । ସାପ ବିଷର ଜ୍ୱାଳାରେ ସେ ବହୁତ କଷ୍ଟ ପାଇଲା । ଗୋଟିଏ ପର୍ଯ୍ୟାୟର ତପସ୍ୟା ପରେ ଯେତେବେଳେ ବଜ୍ରାଙ୍ଗ ଘରକୁ ଆସିଲା, ସେତେବେଳେ ବରାଙ୍ଗୀ କାନ୍ଦି କାନ୍ଦି ତାକୁ କହିଲା, ଦେବରାଜ ଇନ୍ଦ୍ର ହିଁ ସେହି ମାଙ୍କଡ, ସିଂହ ଓ ସାପ ବେଶରେ ଆସି ତାକୁ ହଇରାଣ ହରକତ କରିଛନ୍ତି । ତାହା ଶୁଣି ବଜ୍ରାଙ୍ଗ ଖୁବ୍ କ୍ରୁଦ୍ଧ ହେଲା । କୌଣସିମତେ ଇନ୍ଦ୍ରଙ୍କୁ ଶାସ୍ତି ଦେବା ପାଇଁ ପଣ କରି ପୁଣି ତପସ୍ୟା କରିବାକୁ ଚାଲିଗଲା ।
ତେଣେ ବଜ୍ରାଙ୍ଗର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ତା' ସମ୍ମୁଖରେ ଆସି ଆବିର୍ଭୂତ ହେଲେ । ବଜ୍ରାଙ୍ଗ ତାଙ୍କଠାରୁ ବର ରୂପେ ବୀର ଓ ଅଜେୟ ପୁତ୍ରଟିଏ ଚାହିଁଲା । ବ୍ରହ୍ମା ତାକୁ ସେହି ବର ଦେଲେ । ସେ ଆହୁରି ମଧ୍ୟ ଚାହିଁଲା ଯେ ସେହି ପୁତ୍ର କାହାରି ହାତରେ ନମରି ଅମର ହେଉ । ମାତ୍ର ବ୍ରହ୍ମା ଅମର ବର ନ ଦେଇ ତାକୁ କହିଲେ, ମାତ୍ର ସାତ ଦିନର ଶିଶୁ ଟିଏ ତାକୁ ମାରିଲେ ମାରିବ; ନ ହେଲେ ଆଉ କେହି ମାରିପାରିବେ ନାହିଁ ।
ସେହି ବର ଅମର ବର ସହିତ ପ୍ରାୟ ସମାନ ବୋଲି ଭାବି ବଜ୍ରାଙ୍ଗ ଖୁବ୍ ଖୁସି ହୋଇଗଲା । ନିଜ ପରାକ୍ରମୀ ଶିଶୁ ପୁତ୍ରଟିର ଅପେକ୍ଷାରେ ରହିଲା ।
ଏହିପରି ବର୍ଷଟିଏ ବିତିଯିବା ପରେ ତାର ଏକ ପୁତ୍ର ସନ୍ତାନ ଜାତ ହେଲା । ସେହି ପୁତ୍ରସନ୍ତାନଟି ହେଉଛି ପୁରାଣର ତାରକାସୁର । ସେ ତାର ପିତା ବଜ୍ରାଙ୍ଗର ପୂର୍ବ ବର ଓ ନିଜର ତପସ୍ୟା ଫଳରେ ଅଜେୟ ଶକ୍ତିସମ୍ପନ୍ନ ହେଲା । ରାଜାମାନଙ୍କୁ ପରାଜିତ କରି ସବୁ ସମୃଦ୍ଧି ଓ ଅଧିକାର ଭୋଗ କଲା । ତା' ଭୟରେ ଯଜ୍ଞାଦି ପୁଣ୍ୟକର୍ମ ହୋଇପାରିଲା ନାହିଁ । ତ୍ରିଲୋକରେ ତ୍ରାହି ତ୍ରାହି ଡାକ ପଡ଼ିଲା । ଫଳରେ ଦିନେ ଇନ୍ଦ୍ରାଦି ଦେବଗଣ ଯାଇ ବ୍ରହ୍ମାଙ୍କ ନିକଟରେ ଶରଣ ପଶିଲେ । ତାରକାସୁରର ଉପଦ୍ରବରୁ ପୃଥିବୀକୁ ତଥା ଦେବତା, ବ୍ରାହ୍ମଣଙ୍କୁ ରକ୍ଷା କରିବାର ଉପାୟ କରିବାକୁ ତାଙ୍କୁ ପ୍ରାର୍ଥନା କଲେ ।
ସବୁ ଶୁଣି ବ୍ରହ୍ମା ଦୀର୍ଘ ସମୟ ଧ୍ୟାନସ୍ଥ ହୋଇ ଚିନ୍ତା କଲେ । ତା' ପରେ କହିଲେ, ତାରକାସୁରର ପିତା ବଜ୍ରାଙ୍ଗ ପୂର୍ବରୁ ଯେଉଁ ବର ପାଇଥିଲା, ତାହା ଫଳରେ ତାରକାସୁରର ମୃତ୍ୟୁ କେବଳ ଏକ ସାତ ଦିନର ଶିଶୁ ହାତରେ ହେବ । ଶିବଙ୍କ ଅଂଶରେ ସେହି ଦିବ୍ୟଶିଶୁ ଜାତ ହେଲେ ହିଁ ତାରକାସୁରକୁ ସଂହାର କରିବା ପରି ବଳଶାଳୀ ହୋଇପାରିବ । ତେଣୁ
ସେତେବେଳକୁ ଦକ୍ଷଯଜ୍ଞରେ ଶିବପତ୍ନୀ ସତୀ ଆତ୍ମାହୁତି ଦେଇ ସାରିଥିଲେ । ତେଣୁ ଶିବ ପତ୍ନୀହରା ହୋଇ ଏକାକୀ ଏକନିଷ୍ଠ ତପସ୍ୟାରେ ମଗ୍ନ ଥିଲେ । ଏଣେ ଦକ୍ଷଯଜ୍ଞରେ ଝାସ ଦେଇଥିବା ସତୀ ପୁନର୍ବାର ହିମଗିରି (ହିମାଳୟ)ଙ୍କ କନ୍ୟା ପାର୍ବତୀ ରୂପେ ଜନ୍ମଗ୍ରହଣ କରି ଶିବଙ୍କୁ ବର ରୂପେ ପାଇବା ପାଇଁ ତପସ୍ୟା କରୁଥିଲେ । ଶିବଙ୍କ ତପସ୍ୟା ଭାଙ୍ଗିବ ବା କିଏ ? ତେଣୁ ସମସ୍ତେ ଚିନ୍ତାକରି ଏକ ଉପାୟ ବାହାର କଲେ । ପ୍ରେମର ଦେବତା କାମଦେବଙ୍କୁ ଡକାଇ ତାଙ୍କୁ ଶିବଙ୍କ ତପସ୍ୟା ଭଙ୍ଗ କରିବାର ଦାୟିତ୍ୱ ଦେଲେ । ଶିବ ତପସ୍ୟା କରୁଥିବା ସ୍ଥାନକୁ ଯାଇ କାମଦେବ ତାଙ୍କର ଚିତ୍ତ ଅସ୍ଥିର ହେବାପରି ବାତାବରଣ ସୃଷ୍ଟି କଲେ । ଚାରିଆଡେ଼ ଫୁଲ ଫୁଟି ସେ ସ୍ଥାନକୁ ସୁବାସିତ କଲା । ମଳୟ ପବନ ବହିଲା । କାମଦେବ ତାଙ୍କର ଫୁଲଧନୁରେ ପଞ୍ଚଶର ଯୋଖି ଶିବଙ୍କ ଉପରକୁ ନିକ୍ଷେପ କଲେ । ତାହା ଫଳରେ ଶିବଙ୍କର ଧ୍ୟାନ ଭାଙ୍ଗିଗଲା । କିଏ ତପସ୍ୟା ଭଙ୍ଗ କଲା ଭାବି ସେ ରାଗିଗଲେ । ତାଙ୍କର ତୃତୀୟ ନେତ୍ରରୁ ଅଗ୍ନି ବାହାରି କାମଦେବଙ୍କୁ ଭସ୍ମୀଭୂତ କରିଦେଲା । କିନ୍ତୁ ଦେବଗଣଙ୍କ ଉଦ୍ଦେଶ୍ୟ ଚରିତାର୍ଥ ହେଲା । ଶିବଙ୍କ ତପସ୍ୟା ଭଙ୍ଗ ହେଲା । ପରେ କାମଦେବଙ୍କର ସ୍ତ୍ରୀ ରତିଙ୍କ ପ୍ରାର୍ଥନାରେ ଶିବ କାମଦେବଙ୍କୁ ପୁନର୍ବାର ଜୀବନ ଦାନ କରିଥିଲେ ।
ଏଥର ଦେବଗଣ ଶିବଙ୍କ ପାଖକୁ ଯାଇ ତାଙ୍କୁ ପ୍ରାର୍ଥନା କରି କହିଲେ, ହେ ଦେବଦେବ ମହାଦେବ । ତାରକାସୁରର ଅତ୍ୟାଚାରରେ ଆମ୍ଭେମାନେ ଅତିମାତ୍ରାରେ ଅତିଷ୍ଠ । ଆପଣ ପ୍ରସନ୍ନ ହୋଇ ବିବାହ ନିମନ୍ତେ ସମ୍ମତ ହୁଅନ୍ତୁ । ହିମଗିରି ନନ୍ଦିନୀ ପାର୍ବତୀ ଆପଣଙ୍କୁ ବର ରୂପେ ପାଇବା ପାଇଁ ତପସ୍ୟା କରୁଛନ୍ତି । ଆପଣ ତାଙ୍କର ସେହି ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରନ୍ତୁ । ଆପଣଙ୍କର ସନ୍ତାନ ହିଁ ତାରକାସୁରକୁ ନାଶ କରିବ ।
ତାହା ଶୁଣି ଶିବ ସେମାନଙ୍କୁ ଆଶ୍ୱସ୍ତ କରି ବିଦାୟ ଦେଲେ । ତା'ପରେ ପାର୍ବତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସେ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କଲେ ।
କିଛି କାଳ ପରେ ଶିବ-ପାର୍ବତୀଙ୍କର ଏକ ଦିବ୍ୟ ସନ୍ତାନ ଜାତହେଲା । ସେହି ପୁତ୍ରସନ୍ତାନ ହେଉଛନ୍ତି ସ୍କନ୍ଦ ବା କାର୍ତ୍ତିକ । ତାଙ୍କର ଜନ୍ମ ଗଙ୍ଗା ତୀରର ଶରବଣରେ ହୋଇଥିବାରୁ ତାଙ୍କର ଆଉ ଗୋଟିଏ ନାମ ହେଉଛି ଶରଜନ୍ମା ବା ଗାଙ୍ଗେୟ । ତାଙ୍କର ଶୁଭ ଜନ୍ମଲାଭର ସମ୍ବାଦ ପାଇ ଛଅ କୃତ୍ତିକା, ମାତା ଭାବରେ ତାଙ୍କୁ ସ୍ତନ୍ୟପାନ କରାଇବାକୁ ଇଚ୍ଛା କଲେ । ଫଳରେ କାର୍ତ୍ତିକ ଷଡ଼ମୁଖ ହୋଇ ସେମାନଙ୍କ ଠାରୁ ସ୍ତନ୍ୟ ପାନ କରିଥିଲେ । ସେଥିପାଇଁ କାର୍ତ୍ତିକେୟଙ୍କର ଆଉ ଗୋଟିଏ ନାମ ହେଉଛି ଷଣ୍ମୁଖ ବା ଷଡ଼ାନନ । ତାଙ୍କର ଆହୁରି ଅନେକ ନାମ ମଧ୍ୟ
କ୍ରୌଞ୍ଚ ନାମକ ପର୍ବତରେ ଏକ ଦୁର୍ଜେୟ ଦୈତ୍ୟ ବାସ କରୁଥିଲା । ତାହାର ନାମ କ୍ରୌଞ୍ଚ । ହିମାଳୟର ଏକଭାଗରେ ରହି ସେ କ୍ରୌଞ୍ଚ ଦ୍ୱୀପରେ ଶାସନ କରୁଥିଲା । ପର୍ବତର ଏପରି ଦୁର୍ଗମ ଅଞ୍ଚଳରେ ସେ ରହୁଥିଲା ଯେ ସେଠାକୁ କେହି ଯାଇ ପାରୁନଥିଲେ । ଫଳରେ ସେ ଅଜେୟ ଓ ଅବଧ୍ୟ ହୋଇ ରହିଥିଲା । ଶିବଙ୍କ ଆଜ୍ଞାରେ କାର୍ତ୍ତିକ ପରଶୁରାମଙ୍କୁ ସାଙ୍ଗରେ ନେଇ ଯାଇ ତାକୁ ମାରିଥିଲେ । ସେ କ୍ରୌଞ୍ଚ ପର୍ବତର ଅପରପାର୍ଶ୍ୱରେ ଲୁଚି ରହିଥିଲା । ତାହା ଜାଣିପାରି ବିଶେଷ ଶକ୍ତି ବଳରେ ଏକସଙ୍ଗରେ ସେ କ୍ରୌଞ୍ଚ ପର୍ବତକୁ ଭେଦ କରିବା ସହିତ ତାର ଅପରପାର୍ଶ୍ୱରେ ଥିବା ଅସୁରକୁ ମଧ୍ୟ ବଧ କରିଥିଲେ । ଫଳରେ ସେହିଦିନଠାରୁ କାର୍ତ୍ତିକ ଦୁଇଟି ନୂଆ ନାମର ଅଧିକାରୀ ହେଲେ । ସେହି ଦୁଇଟି ନାମ ହେଉଛି, 'କ୍ରୌଞ୍ଚଭେଦନ' ଓ 'କ୍ରୌଞ୍ଚ ନିସୂଦନ' ।
କିନ୍ତୁ ଯେଉଁଥିପାଇଁ କାର୍ତ୍ତିକ ପ୍ରସିଦ୍ଧ ବା ଯେଉଁ ଉଦ୍ଦେଶ୍ୟରେ ତାଙ୍କର ଆବିର୍ଭାବ ହୋଇଥିଲା, ତାହା ହେଉଛି ତାରକାସୁର ସଂହାର ।
କାର୍ତ୍ତିକ ଜନ୍ମବେଳକୁ ତାରକାସୁର ବହୁ ଉପଦ୍ରବ କରୁଥିଲା । ମାତ୍ର କାର୍ତ୍ତିକ ଜନ୍ମ ହେବା ମାତ୍ରେ ଯେଉଁ ରଡ଼ି ଦେଲେ, ସେଥିରେ ତା'ର କିରୀଟକୁଣ୍ଡଳ ଖସି ପଡ଼ିଲା । ଶରୀର କମ୍ପମାନ ହେଲା । ସେ ଆଶଙ୍କା କଲା ଯେ ହୁଏତ କିଛି ଅଘଟଣ ଘଟିବ ।
କିନ୍ତୁ ତାରକାସୁରର ଶତ୍ରୁ ଜାତ ହେବା ସମ୍ବାଦ ପାଇ ଦେବଗଣ ଆନନ୍ଦିତ ହେଲେ । ସେମାନେ ଦେବରାଜ ଇନ୍ଦ୍ର ଏବଂ ଅନ୍ୟ ଋଷି ଓ ମୁନିମାନଙ୍କ ସହିତ ଯାଇ ପହଞ୍ଚିଲେ କାର୍ତ୍ତିକଙ୍କ ଜନ୍ମସ୍ଥାନରେ । ପହଞ୍ଚି ତାଙ୍କର ଜାତକର୍ମ, ସଂସ୍କାର ଆଦି କଲେ । ଦେବ, ଗନ୍ଧର୍ବ ଓ କିନ୍ନରମାନଙ୍କ ସେନାର ସେନାପତି ରୂପେ ତାଙ୍କୁ ଅଭିଷିକ୍ତ କଲେ । ବ୍ରହ୍ମାଦି ଦେବଗଣ ତାଙ୍କୁ ବହୁ ଉପହାର ମଧ୍ୟ ଦେଲେ । ଶିବ ଦେଲେ ଇନ୍ଦ୍ରଙ୍କ ପରି ଶକ୍ତିମାନ୍ ଚାରି ପ୍ରମଥ । ସେହି ଚାରି ପ୍ରମଥଙ୍କ ନାମ ହେଉଛି, ଘଣ୍ଟାକର୍ଣ୍ଣ, ଲୋହିତାକ୍ଷ, ନନ୍ଦୀସେନ ଓ କୁମୁଦମାଳି । ବ୍ରହ୍ମା ଓ ଅନ୍ୟ ଦେବତାମାନେ ମଧ୍ୟ ସେମାନଙ୍କ ପ୍ରମଥମାନଙ୍କୁ କାର୍ତ୍ତିକେୟଙ୍କୁ ଉପହାର ଦେଲେ । ବ୍ରହ୍ମା ଦେଲେ ସ୍ଥାଣୁ ନାମକ ପ୍ରମଥ । ବିଷ୍ଣୁ ଦେଲେ ସଂକ୍ରମ, ବିକ୍ରମ ଓ ପରାକ୍ରମ ନାମକ ତିନି ପ୍ରମଥ । ଇନ୍ଦ୍ର ଦେଲେ ଉତ୍କଳେଶ ଓ ପଙ୍କଜ ନାମକ ଦୁଇ ପ୍ରମଥ । ସୂର୍ଯ୍ୟ ଦେଲେ ଦଣ୍ଡକ ଓ ପିଙ୍ଗଳ ନାମକ ଦୁଇ ପରିଚାରକ ଏବଂ ଚନ୍ଦ୍ର ଦେଲେ ମଣିବସୁ ମଣି । ଅଶ୍ୱିନୀ ଦେଲେ ବତ୍ସନନ୍ଦୀ । ପ୍ରମୁଖ ଦେବତା, ମାତୃକା ଓ ତୀର୍ଥମାନେ ମଧ୍ୟ ବହୁ ଅମୂଲ୍ୟ ଉପହାର ଦେଲେ । ଗରୁଡ଼ ନିଜର ପୁତ୍ର ମୟୂରକୁ କାର୍ତ୍ତିକଙ୍କୁ ଦେଲେ । ତାହା କାର୍ତ୍ତିକଙ୍କର ବାହନ ହେଲା ।
ଦେବଗଣ ତାଙ୍କୁ ତାରକାସୁରର ଉତ୍ପାତ ଓ ଅତ୍ୟାଚାରର କାହାଣୀ କହି ତାକୁ ସଂହାର କରିବା ପାଇଁ କାର୍ତ୍ତିକଙ୍କୁ ଅନୁରୋଧ କଲେ । କାର୍ତ୍ତିକ ସେମାନଙ୍କୁ ଆଶ୍ୱାସନା ଦେଇ କହିଲେ, ଆପଣମାନେ ନିଶ୍ଚିନ୍ତ ରହନ୍ତୁ । ମୁଁ ଅବିଳମ୍ବେ ତାରକାସୁରକୁ ସଂହାର କରିବି । ଏହା କହି ସେ ସୈନ୍ୟସଜ୍ଜା କରି ଯୁଦ୍ଧକୁ ବାହାରିଲେ ।
କାର୍ତ୍ତିକଙ୍କର ରଣସଜ୍ଜା ସମୟରୁ ତାରକାସୁରର ନଗରୀରେ ନାନା ଅଶୁଭ ଲକ୍ଷଣ ଦେଖାଗଲା । ତେଣୁ ସେ ବିଚଳିତ ହୋଇ ନିଜ ଅଟ୍ଟାଳିକାର ଉଚ୍ଚ ଗମ୍ବୁଜ ଉପରକୁ ଯାଇ ଦେଖିଲା, ଧ୍ୱଜ ପତାକା ଦିଶୁଛି ଓ ଘୋର ରଣନାଦ ଶୁଭୁଛି । ଖବର ନେଇ ସେ ଜାଣିଲା ଯେ ଗୋଟିଏ ବାଳକକୁ ସେନାପତି କରି ଦେବସେନାଗଣ ତା’ ସହିତ ଯୁଦ୍ଧ କରିବାକୁ ଆସୁଛନ୍ତି । ପୂର୍ବରୁ ବ୍ରହ୍ମା ଦେଇଥିବା ବର ତାର ମନେ ପଡ଼ିଗଲା । ସେହି ବର ଥିଲା ଯେ ସାତଦିନର ଏକ ଶିଶୁ ହାତରେ ତାର ମୃତ୍ୟୁ ହେବ । ତେଣୁ ସେ ଭୟଭୀତ ହୋଇ ପଡ଼ିଲା । କିନ୍ତୁ ଦମ୍ଭ ନ ହରାଇ ନିଜର ସେନାପତିକୁ ଡକାଇ ରଣସଜ୍ଜା କରିବାକୁ ଆଦେଶ ଦେଲା । କାଳନେମୀ ଆଦି ବିକଟ ଅସୁରଙ୍କୁ ଡକାଇ ସେହି ବାଳକକୁ ଧରି ଆଣିବା ପାଇଁ ଆଦେଶ ଦେଲା । ସମ୍ଭାଳି ନପାରି ସେ ନିଜେ ମଧ୍ୟ ଯାଇ ରଣଥାଟ ଆଗରେ ଠିଆ ହୋଇପଡ଼ିଲା । କହିଲା, ରେ ଅପୌଗଣ୍ଡ ବାଳକ, ତୁ କ’ଣ ମୋ’ପରି ଜଣେ ପରାକ୍ରମୀ ଓ ଅଜେୟ ଅସୁର ସହିତ ଲଢ଼ିବାକୁ ଚାହୁଁଛୁ? ତୋର ତ ଏବେ ଖେଳିବା ବୟସ । ଯୁଦ୍ଧ ତ ଆଉ ଖେଳ ନୁହେଁ ! ତେଣୁ ତୋର ଯଦି ଖେଳିବାକୁ ଇଚ୍ଛା ହେଉଛି, ତା’ହେଲେ ଆ, ସାଙ୍ଗ ହୋଇ ତୋର ମୋର ପେଣ୍ଡୁ ଖେଳିବା ।
ତାହା ଶୁଣି କାର୍ତ୍ତିକ କହିଲେ, ରେ ପାମର ରାକ୍ଷସ ! ଛାର ବାଳକଟିଏ ବୋଲି ତୁ ମତେ ହେୟ ମନେ କରୁଛୁ ? ସକାଳର ସୂର୍ଯ୍ୟ ବାଳସୂର୍ଯ୍ୟ ହେଲେ ହେଁ ସେଥିରେ ସୂର୍ଯ୍ୟଙ୍କର ସକଳ ବିଶେଷତ୍ୱ କ’ଣ ନଥାଏ? ବୀଜମନ୍ତ୍ର ଓଁ ଗୋଟିଏ ମାତ୍ର ଅକ୍ଷର ହେଲେ ହେଁ ତାହା କ’ଣ ଯେ କୌଣସି ମନ୍ତ୍ରଠାରୁ ଅଧିକ ଶକ୍ତିଶାଳୀ ନୁହେଁ? ବାଳକଟିଏ ହେଲେ ବି ମୁଁ ହିଁ ତୋର ଯମ ।
କାର୍ତ୍ତିକଙ୍କର ସ୍ପର୍ଦ୍ଧା ଶୁଣି ତାରକାସୁର କ୍ରୁଦ୍ଧ ହେଲା । ମୁଦ୍ଗର ଉଠାଇ ତାଙ୍କୁ ପ୍ରହାର କଲା । ମାତ୍ର କାର୍ତ୍ତିକ ତାହାକୁ ନିଜ ବଜ୍ର ଦ୍ୱାରା ତତ୍କ୍ଷଣାତ୍ ଖଣ୍ଡନ କରିଦେଲେ । ଏଥର ପୁଣି ଅନେକ ଶକ୍ତିଶାଳୀ ଅସ୍ତ୍ରରେ ସେ କାର୍ତ୍ତିକେୟଙ୍କୁ ପ୍ରହାର କଲା । ମାତ୍ର କାର୍ତ୍ତିକେୟ ସେହିସବୁ ଅସ୍ତ୍ରକୁ ଧରି ନେଇ ଗୁଣ୍ଡ କରିଦେଲେ । ତା'ପରେ ନିଜର ଗଦାକୁ ଟେକି ସେ ତାରକାସୁର ଉପରକୁ ନିକ୍ଷେପ କଲେ । ଶେଷରେ ସେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଅସ୍ତ୍ର ଅସୁର ଉପରକୁ ନିକ୍ଷେପ କଲେ । ତାହା ତୀବ୍ର ଗତିରେ ଯାଇ ତାରକାସୁରର ବଜ୍ରପରି ହୃଦୟରେ ବିଦ୍ଧ ହେଲା । ତାହାର ମୁଣ୍ଡ, ମୁକୁଟ, କୁଣ୍ଡଳ ଓ କବଚ ଛିନ୍ନଭିନ୍ନ ହୋଇଲା । ଭୟଙ୍କର ଗର୍ଜନ କରି ତା'ର ମୃତ୍ୟୁ ହେଲା ।
ତାରକାସୁରର ମୃତ୍ୟୁ ହେବାରୁ ଦେବତା, ମୁନି, ଋଷି ଆଦିଙ୍କର ଆନନ୍ଦର ସୀମା ରହିଲା ନାହିଁ । ପ୍ରସନ୍ନ ଚିତ୍ତରେ ସମସ୍ତେ କାର୍ତ୍ତିକଙ୍କର ସ୍ତୁତି କରିବାକୁ ଲାଗିଲେ ।
କାର୍ତ୍ତିକ ବୀର ଓ ତାଙ୍କର ରୂପ ଖୁବ୍ ସୁନ୍ଦର । ତାମିଲ ଭାଷାରେ 'ମୁରୁଗୁ'ର ଅର୍ଥ ସୌନ୍ଦର୍ଯ୍ୟ । ତେଣୁ ସେହି ଭାଷାରେ କାର୍ତ୍ତିକଙ୍କୁ 'ମୁରୁଗାନ୍' କୁହାଯାଏ । ତେଣୁ କାର୍ତ୍ତିକଙ୍କ ପରି ବୀର ଓ ସୁନ୍ଦର ବର ମିଳୁ ବୋଲି ସାଧାରଣତଃ ଝିଅମାନଙ୍କୁ ଆଶୀର୍ବାଦ କରାଯାଇଥାଏ ।
ଦକ୍ଷିଣ ଭାରତରେ କାର୍ତ୍ତିକଙ୍କ ଉପାସନା ଖୁବ୍ ଲୋକପ୍ରିୟ । ମାତ୍ର ଆମ ରାଜ୍ୟରେ ତାଙ୍କର ଉପାସନା ପ୍ରାୟ ନାହିଁ । କେବଳ କାର୍ତ୍ତିକ ପୂର୍ଣ୍ଣମୀ ସମୟରେ କଟକ ସହର ଓ ଅନ୍ୟ କେତେକ ସ୍ଥାନରେ କାର୍ତ୍ତିକେଶ୍ୱରଙ୍କର ମେଢ଼ ଓ ମୂର୍ତ୍ତି ହୁଏ । ତେବେ ରାଜ୍ୟର ଶିବ ମନ୍ଦିରଗୁଡ଼ିକରେ ପାଶ୍ୱର୍ଦେବତା ରୂପେ କାର୍ତ୍ତିକଙ୍କର ମୂର୍ତ୍ତି ଥିବା ଦେଖାଯାଏ ।
କେତେକ ଗବେଷକଙ୍କ ମତରେ ଭୁବନେଶ୍ୱରର 'ଖଣ୍ଡଗିରି'ର ନାମ ପ୍ରଥମେ 'କୁମାରଗିରି' ଥିଲା । 'କୁମାର' ଓ 'ସ୍କନ୍ଦ' କାର୍ତ୍ତିକଙ୍କର ଦୁଇଟି ନାମ । ତେଣୁ 'କୁମାରଗିରି' ପରେ 'ସ୍କନ୍ଦଗିରି' ହୋଇ ପରେ 'ଖଣ୍ଡଗିରି' ହୋଇଛି । ଓଡ଼ିଶାରେ ଯେ ଦିନେ କାର୍ତ୍ତିକେୟଙ୍କର ଉପାସନା ଥିଲା, ଏହି ଖଣ୍ଡଗିରି ତାହାର ପ୍ରମାଣ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାର ବିମଳା ମନ୍ଦିରର ପ୍ରବେଶ ପଥର ଡାହାଣ ପଟେ କାର୍ତ୍ତିକେୟଙ୍କର ଛଅମୁଖ ଓ ବାରହାତର ଏକ ସୁନ୍ଦର ମୂର୍ତ୍ତି ଅଛି । ସଂସ୍କୃତ ଶାସ୍ତ୍ର, ଗ୍ରନ୍ଥମାନଙ୍କରେ କାର୍ତ୍ତିକଙ୍କର ବହୁ ଧ୍ୟାନଶ୍ଳୋକ ଅଛି । ସେଥିରୁ ଗୋଟିଏରେ କୁହାଯାଇଛି-
ନମାମି ନିତ୍ୟଂ ଶିଖିପୃଷ୍ଠସଂସ୍ଥିତଂ ଗୌରୀସୁତଂ ସ୍କନ୍ଦଷଡ଼ାନନଂ ବିଭୁଂ ।
ତଂ ରୁଦ୍ରପୁତ୍ରଂ ସୁରଲୋକବନ୍ଦ୍ୟଂ ଭଜାମି ଦେବାଗ୍ରସେନାଗ୍ରଗଣ୍ୟମ୍ ॥
![]() |
![]() |
![]() |
![]() |
![]() |
![]() |
![]() |