ଆମ ଦେବଦେବୀ/ଗରୁଡ଼

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଦେବଦେବୀ (୨୦୧୧)  ଲେଖକ/କବି: ଅସିତ ମହାନ୍ତି
ଗରୁଡ଼
ଗରୁଡ଼

ଆମ ପୁରାଣରେ ବର୍ଣ୍ଣିତ ଦେବଦେବୀଙ୍କ ମଧ୍ୟରୁ ଗରୁଡ ଅନ୍ୟତମ । ଗରୁଡ ପକ୍ଷୀ କୁଳର ଜାତ ହେଲେ ହେଁ ତାହାଙ୍କୁ ଦେବତା ରୂପେ ଗ୍ରହଣ କରାଯାଏ । କାରଣ ବଳ ଓ ବିକ୍ରମରେ ଗରୁଡ଼ ଅନ୍ୟ ଦେବତାମାନଙ୍କ ଠାରୁ ଉଣା ନୁହଁନ୍ତି । ପୁଣି ଗରୁଡ଼ ପରମ ବିଷ୍ଣୁଭକ୍ତ ଏବଂ ବିଷ୍ଣୁଙ୍କର ବାହନ ।

ପୁରାଣରେ ବର୍ଣ୍ଣନା କରାଯାଇଥିବା ବଂଶ ପରମ୍ପରା ଅନୁସାରେ ଗରୁଡ଼ ବ୍ରହ୍ମାଙ୍କ ଅଂଶରେ ଜାତ । ବ୍ରହ୍ମାଙ୍କଠାରୁ ମରୀଚି, ମରୀଚିଙ୍କ ଠାରୁ କଶ୍ୟପ ଓ କଶ୍ୟପଙ୍କ ଠାରୁ ଗରୁଡ଼ ଜାତ ହୋଇଥିଲେ ।

ଗରୁଡ଼ଙ୍କ ଜନ୍ମ ସମ୍ପର୍କରେ ପୁରାଣରେ ବିଶଦ ବୃତ୍ତାନ୍ତ ଅଛି । ସେଥିରୁ ଜଣାଯାଏ, ମରୀଚିଙ୍କ ପୁଅ ତଥା ବ୍ରହ୍ମାଙ୍କ ନାତି ହେଉଛନ୍ତି କଶ୍ୟପ । ସେ ଦକ୍ଷଙ୍କର ଆଠ କନ୍ୟାଙ୍କୁ ବିବାହ କରିଥିଲେ । ସେହି ଆଠ କନ୍ୟାଙ୍କ ନାଆଁ ହେଉଛି ଅତିତି, ଦିତି, ଦନୁ, କାଳିକା, ତାମ୍ରା, କ୍ରୋଧବଶା, ମନୁ ଓ ଅନନ୍ଦା। ସେମାନଙ୍କ ମଧ୍ୟରୁ ତାମ୍ରାଙ୍କର ଥିଲେ ପାଞ୍ଚ କନ୍ୟା । ସେମାନଙ୍କର ନାଆଁ କୌଞ୍ଚୀ, ଭାଷୀ, ଶ୍ୟେନୀ, ଧୃତରାଷ୍ଟ୍ରୀ ଓ ଶୁକୀ ।

ତାମ୍ରଙ୍କର ଏହି ପାଞ୍ଚ କନ୍ୟାଙ୍କ ମଧ୍ୟରୁ କୌଞ୍ଚୀ ପେଚକମାନଙ୍କର ମାଆ, ଭାଷୀ ଭାଷପକ୍ଷୀମାନଙ୍କର ମାଆ; ଶ୍ୟେନୀ ଚିଲ ଆଦିଙ୍କର ମାଆ; ଧୃତରାଷ୍ଟ୍ରୀ ହଂସ, କଳହଂସ ଓ କୋକ ଆଦିଙ୍କର ମାଆ; ଶୁକୀ ଶୁକ ଆଦି ପକ୍ଷୀଙ୍କର ମାଆ । ହଂସ, କଳହଂସ ଓ କୋକଙ୍କ ମଧ୍ୟରୁ କୋକଙ୍କ ଠାରୁ ନନ୍ଦା ଓ ନନ୍ଦାଙ୍କ ଠାରୁ ବିନତା ନାମରେ ଏକ ଏକ କନ୍ୟା ଜାତ ହୋଇଥିଲେ । ବିନତାଙ୍କର ଥିଲେ ଦୁଇ ପୁଅ- ଅରୁଣ ଓ ଗରୁଡ଼ ।

ଅରୁଣ ଓ ଗରୁଡ଼ଙ୍କ ଜନ୍ମ ସମ୍ପର୍କରେ ମହାଭାରତରେ ଗୋଟିଏ କାହାଣୀ ଅଛି । ସେହି କାହାଣୀଟି ହେଉଛି, ବିନତା ଓ ଅନ୍ୟ ପତ୍ନୀଙ୍କ ଛଡ଼ା କଶ୍ୟପଙ୍କର କଦ୍ରୁ ନାମରେ ଆଉ ଜଣେ ସ୍ତ୍ରୀ ଥିଲେ । ଥରେ ବିନତା ଓ କଦ୍ରୁ କଶ୍ୟପଙ୍କର ବହୁତ ସେବା କଲେ । ସେହି ସେବାରେ ସନ୍ତୁଷ୍ଟ ହୋଇ ଇଚ୍ଛା ଅନୁସାରେ ବର ମାଗିନେବାକୁ କଶ୍ୟପ ସେ ଦୁହିଁଙ୍କୁ କହିଲେ । କଦ୍ରୁ କି ବିନତା, କାହାର କିଛି ପୁଅ ଝିଅ ନଥିଲେ । ତେଣୁ କଦ୍ରୁ କହିଲେ, ମତେ ବର ଦିଅନ୍ତୁ- ଯେପରି ସହସ୍ର ସର୍ପ ମୋର ପୁତ୍ର ରୂପେ ଜାତ ହେବେ । କଶ୍ୟପ ତାଙ୍କୁ ସେହି ବର ଦେଲେ । ବିନତା କିନ୍ତୁ କହିଲେ, ମୋର ସହସ୍ର ପୁତ୍ର ଆବଶ୍ୟକ ନାହିଁ । ମତେ ମାତ୍ର ଦୁଇଟି ପୁତ୍ର ସନ୍ତାନ ପାଇଁ ବର ଦିଅନ୍ତୁ । ସେହି ଦୁଇ ପୁତ୍ର ଯେମିତି କଦ୍ରୁଙ୍କର ସହସ୍ର ପୁତ୍ରଙ୍କଠାରୁ ଅଧିକ ଶକ୍ତିଶାଳୀ ହେବେ । କଶ୍ୟପ ତାଙ୍କୁ ସେହି ବର ଦେଲେ ।

କଶ୍ୟପଙ୍କ ବର ଅନୁଯାୟୀ ଯଥା ସମୟରେ କଦ୍ରୁ ୧୦୦୦ଟି ଅଣ୍ଡା ଦେଲେ । ୫୦୦ ବର୍ଷ ଯାଏ ସେହି ଅଣ୍ଡାକୁ ଉଷୁମାଇବ ପରେ, ସେଥିରୁ ସହସ୍ର ସର୍ପ ବାହାରିଲେ । ସେହି ସହସ୍ର ନାଗଙ୍କୁ ପୁତ୍ରରୂପେ ପାଇ କଦ୍ରୁ ଭାରି ଖୁସି ହେଲେ ।

ବିନତା ତ’ ଦୁଇଟି ପୁତ୍ର ମାଗିଥିଲେ; ତେଣୁ ସେ ମାତ୍ର ଦୁଇଟି ଅଣ୍ଡା ଦେଲେ । ସେ ସେହି ଦୁଇ ଅଣ୍ଡାକୁ ଉଷୁମାଉ ଥାଆନ୍ତି । ଇତି ମଧ୍ୟରେ କଦ୍ରୁଙ୍କର ପୁଅମାନେ ବଡ଼ ହୋଇ ମନ ମଉଜରେ ଖେଳିବୁଲିଲେ । ତାହା ଦେଖି ବିନତାଙ୍କର ଦେହ ସହିଲା ନାହିଁ । ଧୈର୍ଯ୍ୟ ଧରି

ନପାରି, ସେ ଦୁଇଟି ଅଣ୍ଡାରୁ ଗୋଟିଏକୁ ଫଟାଇ ଦେଲେ । ସେତେବେଳେକୁ ସେହି ଅଣ୍ଡା

ଭିତରେ ଛୁଆଟି ଅଧାଗଢ଼ା ହୋଇଥାଏ । ତେଣୁ ଛୁଆଟି ସେମିତି ଅଧାଗଢ଼ା ଅବସ୍ଥାରେ ଅଣ୍ଡାରୁ ଫୁଟିଗଲା । ତାହା ଦେଖି ବିନତାଙ୍କ ମନ ବହୁତ ଦୁଃଖ ହେଲା । ତାଙ୍କର ଦୁଃଖ ଦେଖି ଛୁଆଟି ତାଙ୍କୁ ସାନ୍ତ୍ୱନା ଦେଇ କହିଲା, ମୋର ତ’ ଯାହା ହେଲା ହେଲା; ମନ ଦୁଃଖ ନକରି ଧୈର୍ଯ୍ୟ ଧର । ଆହୁରି ୫୦୦ ବର୍ଷ ଉଷୁମାଇଲା ପରେ ଆର ଅଣ୍ଡାଟି ଫୁଟିବ । ତା’ ଭିତରୁ ଏକ ଅଦ୍ଭୁତକର୍ମା ପୁତ୍ର ଜାତ ହେବ । ସେହି ପୁତ୍ରଟି ହେଉଛି ଗରୁଡ଼ । ସେ ତୁମକୁ ଦାସତ୍ୱରୁ ମୁକ୍ତ କରିବ ।

ଏହା କହି ସେହି ଛୁଆ ଆକାଶକୁ ଉଠିଗଲା । ସେହି ଛୁଆର ନାଆଁ ହେଉଛି ଅରୁଣ । ଆକାଶକୁ ଉଡିଯାଇ ସେ ସୂର୍ଯ୍ୟଙ୍କର ସାରଥୀ ହେଲା । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଯେଉଁ ଅରୁଣସ୍ତମ୍ଭ ଅଛି, ତା' ଉପରେ ଏହି ଅରୁଣ ଅଛନ୍ତି ।

ତେବେ ବିନତା କାହିଁକି କଦ୍ରୁଙ୍କର ଦାସୀ ହୋଇ ରହିଥିଲେ ସେ ସମ୍ପର୍କରେ ମଧ୍ୟ ଗୋଟିଏ କାହାଣୀ ଅଛି । କଦ୍ରୁ ଓ ବିନତା କଶ୍ୟପଙ୍କର ଦୁଇ ପତ୍ନୀ ହେଲେ ହେଁ ଦୁହିଁଙ୍କ ଭିତରେ ମନ ମେଳ ନଥାଏ । ତେଣୁ ମଝିରେ ମଝିରେ ଦୁହିଁଙ୍କ ଭିତରେ କଥା କଟାକଟି ହୁଏ । ଜିଦାଜିଦି ପଡ଼େ । ସେହିପରି ଥରେ ଜିଦାଜିଦି ପଡ଼ିଲା ଯେ ଉଚ୍ଚୈଶ୍ରବା ଅଶ୍ୱର ଲାଞ୍ଜ କଳା ନା ଧଳା? କଦ୍ରୁ କହିଲେ, ଉଚ୍ଚୈଶ୍ରବାର ଲାଞ୍ଜ କଳା । ମାତ୍ର ବିନତା କହିଲେ, ନା, ଉଚ୍ଚୈଶ୍ରବାର ରଙ୍ଗ ଧଳା, ତେଣୁ ତା'ର ଲାଞ୍ଜ ମଧ୍ୟ ଧଳା । ଏହିପରି କଥା କଟାକଟିରେ ଜିଦି ପଡ଼ିଲା ଯେ ଯିଏ ହାରିବ ସିଏ ଆର ଜଣଙ୍କର ଦାସୀ ହୋଇ ରହିବ ।

କଥା ରହିଲା, ପରଦିନ ସକାଳେ ଦୁହେଁ ସାଙ୍ଗ ହୋଇ ଯାଇ ଦେଖିବେ ଉଚ୍ଚୈଶ୍ରବାର ଲାଞ୍ଜ କଳା କି ଧଳା । ପରଦିନ ଦୁହେଁ ସାଙ୍ଗ ହୋଇ ଗଲେ । ମାତ୍ର ଯାଇ ଦେଖନ୍ତି ଯେ ଉଚ୍ଚୈଶ୍ରବାର ଲାଞ୍ଜ କଳା । ବିନତା ହାରିଲେ । କିନ୍ତୁ ଅସଲ କଥା ହେଲା, ଉଚ୍ଚୈଶ୍ରବା ଧଳା, ତେଣୁ ତାହାର ଲାଞ୍ଜ ମଧ୍ୟ ଧଳା । ମାତ୍ର କଦ୍ରୁଙ୍କର ହଜାରେ ନାଗ ଛୁଆ ଯାଇ ଉଚ୍ଚୈଶ୍ରବାର ଲାଞ୍ଜରେ ଏପରି ଝୁଲି ରହିଥିଲେ ଯେ ଲାଞ୍ଜ କଳା ଦେଖାଯାଉଥିଲା ।

ମାତ୍ର ସର୍ତ୍ତ ଅନୁସାରେ ବିନତା ହାରିଲେ । ତେଣୁ କଦ୍ରୁ ତାଙ୍କୁ ନିଜର ଦାସୀ କରି ରଖିଲେ । ସେତେବେଳକୁ ଗରୁଡ଼ ଜନ୍ମ ହୋଇ ନଥାନ୍ତି । ଆଉ ପାଞ୍ଚଶହ ବର୍ଷ ବିନତା ଅଣ୍ଡାକୁ ଉଷୁମାଇଲା ପରେ ଅଣ୍ଡାଟି ଫୁଟିଲା । ସେଥିରୁ ବାହାରିଲେ ଗରୁଡ଼ । ଜନ୍ମ ହେବାମାତ୍ରେ ଗରୁଡ଼ଙ୍କର ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସେ ଅଣ୍ଡାରୁ ଫୁଟି ମାଟିରେ ଠିଆ ହେବା ମାତ୍ରେ ମେଦିନୀ କମ୍ପି ଉଠିଲା । ପାହାଡ଼ମାନେ

ଥରହର ହେଲେ । ତାଙ୍କର ଶରୀର ଆକାଶଯାଏଁ ବ୍ୟାପିଥିଲା । ଆଖି ଚମକୁଥିଲା ବିଜୁଳି ପରି । ସେ ସୂର୍ଯ୍ୟଙ୍କ ପରି ତେଜିୟାନ ଦେଖାଯାଉଥିଲେ । ତାଙ୍କର ତେଜରେ ଦେବତାମାନେ ମଧ୍ୟ ମଳିନ ଦେଖାଗଲେ । ତାହା ଦେଖି ଦେବତାମାନେ ତାଙ୍କୁ ଆଶୀର୍ବାଦ କଲେ । ଗରୁଡ଼ ମଧ୍ୟ ଦେଖିଲେ ଯେ ତାଙ୍କର ଆକାର ଓ ରୂପ ଦେଖି ସମସ୍ତେ ଭୟଭୀତ ହୋଇଯାଉଛନ୍ତି । ତେଣୁ ସେ ନିଜର ଜ୍ୟୋତି କମାଇ ଦେଲେ । ନିଜକୁ ଛୋଟ କରିଦେଇ ମାଆଙ୍କ ପାଖକୁ ଫେରି ଆସିଲେ ।

ସେତେବେଳକୁ ବିନତା କଦ୍ରୁଙ୍କର ଦାସୀ ହୋଇ ରହିଥାଆନ୍ତି । କଦ୍ରୁ ଓ ତାଙ୍କର ହଜାରେ ନାଗବଚ୍ଚା ବିନତାଙ୍କୁ ଭାରି ହଇରାଣ ହରକତ କରୁଥାଆନ୍ତି । ତାହା ଦେଖି ଗରୁଡ଼ ଖୁବ୍ ଦୁଃଖୀ ହେଲେ । ଠିକ୍ କଲେ ବିନତାଙ୍କୁ ମୁକ୍ତ କରିଦେବା ପାଇଁ କଦ୍ରୁଙ୍କୁ ଯାଇ ଅନୁରୋଧ କରିବେ । ମାତ୍ର ଗରୁଡଙ୍କ କଥା ଶୁଣି କଦ୍ରୁ କହିଲେ, ସ୍ୱର୍ଗରୁ ଯଦି ମତେ ଅମୃତ ଆଣି ଦେଇପାରିବୁ, ତା’ହେଲେ ଯାଇ ମୁଁ ତୋ’ ମାଆକୁ ଦାସୀ ପଣରୁ ମୁକ୍ତ କରିବି । ନହେଲେ ତୋ’ ମାଆ ପରି ତୁ ବି ମୋର ଦାସ ହୋଇ ରହ ।

ତାହା ଶୁଣି ଗରୁଡ଼ ଠିକ୍ କଲେ, ଯେପରି ହେଉ, ସ୍ୱର୍ଗକୁ ଯାଇ ଅମୃତ ଆଣିବେ ଏବଂ ମାଆଙ୍କୁ ଦାସତ୍ୱରୁ ମୁକ୍ତ କରିବେ । ସେଥିାଇଁ ସେ ଯାଇ ବିନତାଙ୍କ ଠାରୁ ଅନୁମତି ନେଲେ । ତାଙ୍କୁ ଅନୁମତି ଦେଇ ବିନତା କହିଲେ, ମୁଁ ଆଶୀର୍ବାଦ କରୁଛି, ତୋ’ର ଡେଣାକୁ ବାୟୁ, ଶରୀରର ନିମ୍ନଭାଗକୁ ସୂର୍ଯ୍ୟ ଓ ଚନ୍ଦ୍ର, ଅନ୍ୟସବୁ ଅଂଗକୁ ବସୁଗଣ ଓ ମସ୍ତକକୁ ଅଗ୍ନି ରକ୍ଷା କରିବେ ।

ତା’ ପରେ ଗରୁଡ଼ ପିତା କଶ୍ୟପଙ୍କ ଆଶୀର୍ବାଦ ନେଲେ । କଶ୍ୟପ ସେତେବେଳକୁ ଅରଣ୍ୟରେ ଯାଇ ତପସ୍ୟା କରୁଥିଲେ । ତାଙ୍କଠୁ ଆର୍ଶୀବାଦ ନେଇ ଗରୁଡ଼ ଡେଣା ମେଲି ଆକାଶକୁ ଉଡ଼ିଗଲେ । ତାଙ୍କର ଡେଣାର ପବନରେ ବଡ଼ ବଡ଼ ଗଛ ସବୁ ଉପୁଡି ପଡ଼ିଲା ।

ଉଡ଼ି ଯାଉ ଯାଉ ଗରୁଡ଼ ଗୋଟିଏ ବଡ଼ ଗଛ ଦେଖିଲେ । ସେହି ଗଛର ଡାଳମାନ ଶହେ ଯୋଜନ ଲମ୍ବିଥିଲା । ମାତ୍ର ଏତେବଡ଼ ଗଛ ହୋଇ ମଧ୍ୟ ଗରୁଡ଼ ତାର ଡାଳରେ ଆସି ବସିବା ମାତ୍ରେ ଡାଳଟି ତାଙ୍କ ଭାର ସମ୍ଭାଳି ନ ପାରି ମଡ଼ମଡ଼ ହୋଇ ଭାଙ୍ଗି ପଡ଼ିଲା । ସେହି ଡାଳରେ ବାଳଖିଲ୍ୟ ଋଷିମାନେ ତଳକୁ ମୁଣ୍ଡ କରି ଝୁଲି ତପସ୍ୟା କରୁଥିଲେ । ଗରୁଡ଼ ଭାବିଲେ, ଡାଳଟି ତଳେ ପଡ଼ିବାମାତ୍ରେ ଋଷିମାନେ କଚାଡ଼ି ହୋଇ ମରିଯିବେ । ତେଣୁ ତଳେ ପଡ଼ିବା ଆଗରୁ ଡାଳଟିକୁ ସେ ଥଣ୍ଟରେ ଧରି ପକାଇଲେ ।

କିନ୍ତୁ ଡାଳଟିକୁ ରଖିବେ କେଉଁଠି? ଏମିତି ଜାଗାରେ ରଖିବାକୁ ପଡ଼ିବ- ଯେମିତିକି ବାଳଖିଲ୍ୟ ଋଷିମାନଙ୍କର ତପସ୍ୟା ଭାଙ୍ଗିନଯିବ ବା ତାଙ୍କର କିଛି ଅନିଷ୍ଟ ନହେବ । ତେଣୁ

ଡାଳ ସହିତ ଋଷିମାନଙ୍କୁ ନେଇ ସେ ଚାଲିଲେ କଶ୍ୟପଙ୍କ ପାଖକୁ । କଶ୍ୟପ ଗରୁଡ଼ଙ୍କ ପକ୍ଷରୁ ଋଷିମାନଙ୍କୁ କ୍ଷମା ମାଗିଲେ ଏବଂ ଡାଳଟିକୁ ନିରାପଦରେ ନେଇ ସମୁଦ୍ର ମଝିରେ ଗୋଟିଏ ଜାଗାରେ ରଖିବାକୁ କହିଲେ । ଗରୁଡ଼ ଡାଳଟିକୁ ନେଇ ସମୁଦ୍ର ମଝିରେ ଯେଉଁ ଜାଗାରେ ରଖିଲେ, ସେହି ଜାଗାଟି ହେଲା ଲଙ୍କା ଦ୍ୱୀପ । ସେଠାରେ ଗରୁଡ଼ ଭୋଜନ ସାରି ଅମୃତ ପାଇଁ ପୁଣି ଦେବଲୋକ ଆଡ଼କୁ ଉଡ଼ିଗଲେ ।

ଏ ଭିତରେ ସ୍ୱର୍ଗଲୋକରେ ନାନା ଅଶୁଭ ସୂଚନା ଦେଖାଦେବାରେ ଲାଗିଲା । ତାହାର କାରଣ କ’ଣ ଜାଣି ନପାରି ଇନ୍ଦ୍ର ବିଚଳିତ ହେଲେ । ତାଙ୍କର ସେହି ବିଚଳିତ ଅବସ୍ଥା ଦେଖି ଶୁକ୍ରାଚାର୍ଯ୍ୟ କହିଲେ, ଗରୁଡ଼ ଅମୃତ ନେବାପାଇଁ ସ୍ୱର୍ଗଲୋକ ଦିଗରେ ଛୁଟି ଆସୁଛନ୍ତି । ସେ କଶ୍ୟପ ଓ ବାଳଖିଲ୍ୟ ଋଷିମାନଙ୍କ ତପସ୍ୟା ଫଳରୁ ପରମ ଶକ୍ତିଶାଳୀ ହୋଇ ଜନ୍ମ ହୋଇଛନ୍ତି । ତେଣୁ ଅନ୍ୟ ଦେବତାମାନଙ୍କ ସହିତ ତୁମେ ନିଜେ ଅମୃତଭାଣ୍ଡକୁ କଡ଼ା ଜଗୁଆଳିରେ ରଖ । ତାହା ଶୁଣିବା ପରେ ଇନ୍ଦ୍ର ଅମୃତ କଳସ ଚାରିପଟରେ କଡ଼ା ଜଗୁଆଳି ବ୍ୟବସ୍ଥା କରିଦେଲେ ।

ଚାହୁଁ ଚାହୁଁ ଗରୁଡ଼ ଆସି ସେଠାରେ ପହଞ୍ଚିଗଲେ । ପ୍ରଥମେ ବିଶ୍ୱକର୍ମା ତାଙ୍କୁ ଆକ୍ରମଣ କଲେ । ମାତ୍ର ଗରୁଡ଼ଙ୍କ ବଳ, ବିକ୍ରମ ଆଗରେ ସେ ପରାସ୍ତ ହେଲେ । ଆଉ ଯେତେ ଯିଏ ଜଗୁଆଳି ଥିଲେ ସମସ୍ତଙ୍କୁ ପରାସ୍ତ କରି ଗରୁଡ଼ ଯାଇ ଅମୃତ କଳସ ପାଖରେ ପହଞ୍ଚିଲେ । ଅମୃତ କଳସ ଚାରିପାଖରେ ଦୁଇଟି ଚକ୍ର ଏପରି ଭାବରେ ଘୂରୁଥାଏ ଯେ ହାତ ବଢ଼ାଇବା ମାତ୍ରେ ହାତ ଗୁଣ୍ଡ ଗୁଣ୍ଡ ହୋଇ କଟିଯିବ । ଚକ୍ର ତଳେ ଦୁଇଟି ବିରାଟ ସାପ ଜଳନ୍ତା ଆଖିରେ ଚାହିଁ ରହିଥାଆନ୍ତି । ସେମାନଙ୍କର ଆଖି ନିଆଁ ହୁଳାପରି ଜଳୁଥାଏ । ଦୁହେଁ ଜିଭ ଲହଲହ କରୁଥାଆନ୍ତି । ସେହି ଜଳନ୍ତା ଆଖି ଓ ଲହଲହ ଜିଭକୁ ଚାହିଁଦେଲେ ବି ଜଣଙ୍କୁ ବିଷଜ୍ୱାଳା ଘାରିଯିବ ।

ମାତ୍ର ଗରୁଡ଼ ସେଥିରେ ଆଦୌ ବିଚଳିତ ହେଲେ ନାହିଁ । ତଳୁ ଦି’ ଆଞ୍ଜୁଳା ଧୂଳି ଆଣି ସାପଙ୍କ ଆଖିକୁ ଛାଟିଦେଲେ । ସାପ ଦୁହିଁଙ୍କର ଆଖି ଅନ୍ଧ ହୋଇଗଲା । ତା’ପରେ ଦୁହିଁଙ୍କୁ ନିଜର ମୁନିଆ ଥଣ୍ଟରେ ଚିରି ପକାଇଲେ । ନିଜକୁ ଖୁବ୍ ଛୋଟ କରି ଦେଇ ବୁଲନ୍ତା ଚକ୍ରର ଫାଙ୍କ ଦେଇ ଭିତରକୁ ଗଳିଗଲେ । ଯାଇ ଚକକୁ ଚଳାଉଥିବା ଯନ୍ତ୍ରକୁ ବନ୍ଦ କରିଦେଲେ । ତା’ପରେ ଚଞ୍ଚୁରେ ଅମୃତ କଳସଟିକୁ ଧରି ଆକାଶକୁ ଉଠିଗଲେ ।

ଗରୁଡଙ୍କର ସେହି ବୀରତ୍ୱରେ ଭଗବାନ ବିଷ୍ଣୁ ଖୁବ୍ ପ୍ରସନ୍ନ ହେଲେ । ଗରୁଡ଼ଙ୍କୁ ଡାକି କହିଲେ, ମୁଁ ତୁମର ବଳ ବିକ୍ରମ ଦେଖି ପ୍ରୀତ । କି ବର ମାଗୁଛ ମାଗ । ତାହା ଶୁଣି ଗରୁଡ଼ କହିଲେ, ଯଦି ଆପଣ ସତରେ ମୋ ଉପରେ ପ୍ରସନ୍ନ, ତେବେ ମତେ ଆପଣଙ୍କର ବାହନ କରି ରଖନ୍ତୁ । ଭଗବାନ ବିଷ୍ଣୁ କହିଲେ, ‘ତଥାସ୍ତୁ’ ।

ଏଣେ ଗରୁଡ ଅମୃତ କଳସ ଅପହରଣ କରିନେବା ଦେଖି ଇନ୍ଦ୍ର ଗରୁଡ଼ଙ୍କ ଉପରେ ବଜ୍ର ପ୍ରହାର କଲେ । ମାତ୍ର ସେଥିରେ ଗରୁଡ଼ଙ୍କର ପ୍ରାୟ କିଛି କ୍ଷତି ହେଲା ନାହିଁ । କେବଳ ତାଙ୍କ ଡେଣାରୁ ପରଟିଏ ଖସିଡ଼ିଲା । ସେହି ପରଟି ଖୁବ୍ ସୁନ୍ଦର ଥିଲା । ତାହାକୁ ଦେଖି ସମସ୍ତେ ଗରୁଡ଼ଙ୍କୁ କହିଲେ 'ସୁପର୍ଣ୍ଣ' । ଏତେ ଶକ୍ତିଶାଳୀ ବଜ୍ରର ଆଘାତରେ ଗରୁଡ଼ଙ୍କ ଡେଣାରୁ ମାତ୍ର ଗୋଟିଏ ପର ଖସିବା ଦେଖି ଇନ୍ଦ୍ର ବିସ୍ମିତ ହେଲେ । ଭାବିଲେ, ଗରୁଡ଼ଙ୍କୁ ବଳ, ବିକ୍ରମରେ ପାରିହେବ ନାହିଁ । ତେଣୁ ଯାଇ ତାଙ୍କ ସହିତ ବନ୍ଧୁତା କଲେ । ଗରୁଡ କହିଲେ, ଗୋଟିଏ ସର୍ତ୍ତରେ ମୁଁ ଅମୃତ କଳସ ଫେରାଇବାକୁ ରାଜି । ସେହି ସର୍ତ୍ତଟି ହେଉଛି, ଆଜିଠାରୁ ନାଗମାନେ ହିଁ ମୋର ଆହାର ହେବେ । ଇନ୍ଦ୍ର କହିଲେ, ତାହା ହିଁ ହେଉ ।

ତା’ ପରେ ଗରୁଡ଼ ଇନ୍ଦ୍ରଙ୍କୁ କହିଲେ, ଏ ଅମୃତ ମୁଁ ମୋ’ ପାଇଁ ନେଉ ନାହିଁ । ନାଗମାନେ ମୋ’ ମାଆ ବିନତାଙ୍କୁ ଦାସୀ କରି ରଖିଛନ୍ତି । ଏ ଅମୃତ ନେଇ ନ ଦେଲେ ସେମାନେ ମୋ’ ମାଆଙ୍କୁ ଦାସୀପଣରୁ ମୁକ୍ତ କରିବେ ନାହିଁ । ଏଣୁ ଅମୃତ କଳସଟି ମୁଁ ସେମାନଙ୍କୁ ଦେଇ ଆଗ ମୋ’ ମାଆ ବିନତାଙ୍କୁ ମୁକ୍ତ କରିଦିଏ- ଅମୃତ କଳସଟି ସେମାନଙ୍କଠାରୁ ଅପହରଣ କରି ଆଣିବାର ଉପାୟ ତୁମେ କର ।

ଗରୁଡ଼ଙ୍କର ଏ କଥାରେ ଇନ୍ଦ୍ର ରାଜି ହେଲେ । ଗରୁଡ଼ ଏଥର ଅମୃତ କଳସଟି ଧରି କଦ୍ରୁ ଓ ତାଙ୍କର ସହସ୍ର ନାଗବଚ୍ଚାଙ୍କ ପାଖକୁ ଚାଲିଲେ । ସେମାନଙ୍କ ପାଖରେ ପହଞ୍ଚି କହିଲେ, ଏଇ ଅମୃତ କଳସଟି ନିଅ ଏବଂ ମୋ’ ମାଆ ବିନତାଙ୍କୁ ମୁକ୍ତ କରିଦିଅ । କଦ୍ରୁ ଓ ଅନ୍ୟ ନାଗମାନେ ଅମୃତ କଳସ ଦେଖି ଭାରି ଖୁସି ହେଲେ । ଭାବିଲେ, ଅମୃତ ଖାଇ ସେମାନେ କାଳକାଳକୁ ଅମର ହୋଇଯିବେ । ତେଣୁ କଳରୋଳ କରି ଅମୃତ ଖାଇବାକୁ ଧାଇଁ ଆସିଲେ । ମାତ୍ର ଗରୁଡ଼ ସେମାନଙ୍କୁ ବାରଣ କରି କହିଲେ, ଅମୃତ ପରି ପବିତ୍ର ଜିନିଷକୁ ଏପରି ଅପରିଷ୍କାର, ଅଶୁଦ୍ଧ ହୋଇ ସ୍ପର୍ଶ କରିବା ଉଚିତ ନୁହେଁ । ଏଇଠି ଏକ ଦର୍ଭ ଘାସ ବା କୁଶ ଉପରେ ତୁମର ଅମୃତ କଳସଟି ରହିଲା । ଏଥର ମୋ’ ମାଆ ବିନତାଙ୍କୁ ମୁକ୍ତ କରିଦିଅ । ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ ହୋଇ, ସ୍ନାନ ସାରି ଆସ, ତା’ ପରେ ଅମୃତ ଖାଇବ ।

ଗରୁଡ଼ଙ୍କ କଥା ଅନୁସାରେ କଦ୍ରୁ ଓ ନାଗବଚ୍ଚାମାନେ ଆଗ ବିନତାଙ୍କୁ ମୁକ୍ତ କରିଦେଲେ । ତା’ପରେ ଆନନ୍ଦ ମନରେ ସ୍ନାନ କରିବାକୁ ଚାଲିଗଲେ । ସେମାନଙ୍କ ଅନୁସ୍ଥିତିର ସୁଯୋଗ ନେଇ ଇନ୍ଦ୍ର ଅମୃତ କଳସଟିକୁ ସେଠାରୁ ଅପହରଣ କରି ନେଇ ଆସିଲେ ।

ଏଣେ ନାଗମାନେ ଆନନ୍ଦ ମନରେ ସ୍ନାନ ସାରି ଆସି ଦେଖନ୍ତି ତ ଦର୍ଭ ଘାସ ଉପରେ ଅମୃତ କଳସଟି ନାହିଁ । ଅମୃତ କଳସଟିକୁ କିଏ ନେଲା, କୁଆଡେ଼ ନେଲା ବୋଲି ସେମାନେ ଏଣେତେଣେ ବହୁତ ଖୋଜିଲେ; ମାତ୍ର ପାଇଲେ ନାହିଁ । ଶେଷରେ ବିକଳ ହୋଇ, ଦର୍ଭ

ଘାସ ଉପରେ ଯେଉଁଠି ଅମୃତ କଳସଟି ଥିଲା, ସେ ଜାଗାକୁ ଚାଟି ପକାଇଲେ । ଫଳରେ ସେହି ଘାସର ଦାଢ଼ରେ ସେମାନଙ୍କର ଜିଭ କଟିଯାଇ ଦି’ଫାଳ ହୋଇଗଲା । ସେଇଦିନଠୁ ନାଗମାନେ ହେଲେ ଦ୍ୱିଜିହ୍ୱା ।

ମାଆ ବିନତାଙ୍କୁ ଦାସୀ କରି ରଖିଥିବାରୁ ନାଗମାନଙ୍କ ସହିତ ଗରୁଡ଼ଙ୍କର ଆଜନ୍ମ ଶତ୍ରୁତା ଥାଏ । ଦାଉ ସାଧିବାକୁ ଇନ୍ଦ୍ରଙ୍କ ବର ତାଙ୍କୁ ଆହୁରି ସୁବିଧା କରିଦେଲା । ଏଣିକି ପ୍ରତିଦିନ ସେ କେବଳ ନାଗ ଶିକାର କରି ଖାଇବାକୁ ଲାଗିଲେ । ଫଳରେ ନାଗମାନଙ୍କ ଭିତରେ ଭାଳେଣି ପଡ଼ିଗଲା । ଭାବିଲେ, ଏହିପରି ଯଦି ଗରୁଡ଼ ପ୍ରତିଦିନ ନାଗ ଶିକାର କରି ଖାଆନ୍ତି, ତା’ ହେଲେ ନାଗବଂଶ ଅଚିରେ ନିପାତ ହୋଇଯିବ । ତେଣୁ ସେମାନେ ନିଜ ନିଜ ଭିତରେ କଥା ହୋଇ ଗରୁଡ଼ଙ୍କ ପାଖରେ ଯାଇ ପହଞ୍ଚିଲେ । କହିଲେ, ପ୍ରତିଦିନ ଆମେ ପାଳି କରି ଗୋଟିଏ ଗୋଟିଏ ନାଗକୁ ଆପଣଙ୍କ ପାଖକୁ ପଠାଇବୁ । ଆପଣ ଏମିତି ଅବାଧ ନାଗ ଶିକାର କରନ୍ତୁ ନାହିଁ । ଆହୁରି ମଧ୍ୟ କହିଲେ, ଆମେ ଗୋଟିଏ ସର୍ପବଳି କରୁଛୁ । ତେଣୁ ବଳି ନାଗ ସବୁ ଆପଣଙ୍କ ଭୋଜନ ପାଇଁ ପଠାଇଦେବୁ । ଆପଣଙ୍କୁ ଆଉ ନାଗ ଶିକାର କରିବାକୁ ପଡ଼ିବ ନାହିଁ । ଗରୁଡ଼ ସେଥିରେ ରାଜି ହେଲେ ।

ବ୍ରହ୍ମାଙ୍କ ଅଂଶରେ ଜାତ ହୋଇଥିଲେ ହେଁ, ସୂର୍ଯ୍ୟବଂଶ ସହିତ ଗରୁଡ଼ଙ୍କର ସମ୍ପର୍କ ପ୍ରତିଷ୍ଠା ହୋଇପାରିଥିଲା । ସୂର୍ଯ୍ୟବଂଶୀ ରାଜା ସଗର ଗରୁଡ଼ଙ୍କର ବଡ଼ ଭଉଣୀ ସୁମତିଙ୍କୁ ବିବାହ କରିଥିଲେ । ସଗର ଓ ସୁମତିଙ୍କ ଠାରୁ ଷାଠିଏ ହଜାର ପୁତ୍ର ଜାତ ହୋଇଥିଲେ । ମାତ୍ର, ଥରେ କପିଳ ମୁନିଙ୍କ କ୍ରୋଧରେ ସେମାନେ ପୋଡ଼ି ପାଉଁଶ ହୋଇଗଲେ । ପରେ ସଗରଙ୍କର ନାତି ଅଂଶୁମାନ ସେମାନଙ୍କୁ ଖୋଜିବାକୁ ଯାଇ ଗରୁଡ଼ଙ୍କର ସାକ୍ଷାତ ପାଇଥିଲେ । ଗରୁଡ଼ ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ସ୍ୱର୍ଗରୁ ଗଙ୍ଗାଙ୍କୁ ଆଣିପାରିଲେ ହିଁ ସେମାନେ ପୁନର୍ଜୀବନ ଲାଭ କରିାରିବେ । ପରେ ଭଗୀରଥ ତାଙ୍କ ତପସ୍ୟାରେ ଗଙ୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ ।

ଗରୁଡ଼ଙ୍କର ସୁକୃତିର ଆହୁରି ବହୁ ବର୍ଣ୍ଣନା ପୁରାଣରେ ରହିଛି । ସୃଷ୍ଟିର ଆଦି କାଳରେ ଯେତେବେଳେ ସମୁଦ୍ର ମନ୍ଥନ ହେଲା, ସେତେବେଳେ ମନ୍ଦର ପର୍ବତ ଖୁଆଦଣ୍ଡ ରୂପେ ଓ ବାସୁକୀସର୍ପ ରଜ୍ଜୁ ରୂପେ ବ୍ୟବହୃତ ହୋଇଥିଲେ । ଦେବତା ଓ ଅସୁରମାନେ ବହୁ ଚେଷ୍ଟା କରି ମଧ୍ୟ ମନ୍ଦର ପର୍ବତକୁ କ୍ଷୀର ସମୁଦ୍ର ମଧ୍ୟକୁ ଆଣି ପାରି ନଥିଲେ । ତେଣୁ ବିଷ୍ଣୁଙ୍କୁ ସେଥିରେ ସାହାଯ୍ୟ କରିବାକୁ ପଡ଼ିଥିଲା । ବିଷ୍ଣୁଙ୍କ ନିର୍ଦ୍ଦେଶରେ ଗରୁଡ଼ ମନ୍ଦର ପର୍ବତକୁ ଓପାଡି କ୍ଷୀର ସମୁଦ୍ର ମଧ୍ୟକୁ ଟେକିନେଇ ଆସିଥିଲେ । ସେହିପରି ମନ୍ଥନ-ରଜ୍ଜୁ ହେବାପାଇଁ ବାସୁକୀ ପ୍ରଥମେ ରାଜି ହୋଇ ନଥିଲେ । ଫଳରେ ଗରୁଡ଼ ନାଗଲୋକଙ୍କୁ ଯାଇ ବାସୁକୀଙ୍କୁ

ଥଣ୍ଟରେ ଧରି ନେଇ ଆସିବାକୁ ଚେଷ୍ଟା କରିଥିଲେ । ମାତ୍ର ବାସୁକୀ ଏତେ ଲମ୍ବା ଥିଲେ ଯେ, ତାଙ୍କୁ ଆଣିବା ସମ୍ଭବ ହେଲା ନାହିଁ । ଫଳରେ ଶିବଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା ।

ଗରୁଡ଼ଙ୍କ ସମ୍ପର୍କରେ ବିଭିନ୍ନ ପୁରାଣରେ ବହୁ କାହାଣୀ ଅଛି । ଏପରିକି ତାଙ୍କ ନାମରେ ‘ଗରୁଡ ପୁରାଣ’ ବୋଲି ଏକ ସ୍ୱତନ୍ତ୍ର ପୁରାଣ ରହିଛି । ତାହା ମୁଖ୍ୟ ପୁରାଣମାନଙ୍କ ମଧ୍ୟରୁ ଅନ୍ୟତମ । ସେଥିରେ ଉଣେଇଶି ହଜାର ଶ୍ଳୋକ ଅଛି । ସେଥିରୁ ଗରୁଡ଼ଙ୍କ ପରିବାର ସମ୍ପର୍କରେ ବିବରଣୀ ମିଳେ । ସେଥିରୁ ଜଣାଯାଏ ଯେ ଦକ୍ଷ ପ୍ରଜାପତିଙ୍କର ଚାରିକନ୍ୟାଙ୍କୁ ଗରୁଡ଼ ବିବାହ କରିଥିଲେ । କପୋତ ନାମରେ ତାଙ୍କର ଏକ ପୁତ୍ର ଜାତ ହୋଇଥିଲେ । ଜଟାୟୁ ମଧ୍ୟ ତାଙ୍କର ପୁତ୍ର ବୋଲି ବିଭିନ୍ନ ପୁରାଣରେ ଉଲ୍ଲେଖ ଅଛି । ତ୍ରେତୟା ଯୁଗରେ, ରାମାବତାର କାଳରେ ଭଗବାନ ବିଷ୍ଣୁ ଯେତେବେଳେ ପିତୃସତ୍ୟ ପାଳନ କରି ବନବାସ କରୁଥିଲେ, ସେତେବେଳେ ରାବଣ ସୀତାଙ୍କୁ ଚୋରାଇ ନେଇଥିଲା । ସେତେବେଳେ ଏହି ଜଟାୟୁ ହିଁ ରାବଣ ସହିତ ଯୁଦ୍ଧ କରି ପ୍ରାଣ ଦେଇଥିଲା ।

ଗରୁଡ଼ ହିନ୍ଦୁ ପୁରାଣମାନଙ୍କରେ ପକ୍ଷୀ ଦେବତା ଭାବରେ ଖ୍ୟାତ ହେଲେ ହେଁ ତାଙ୍କର ସ୍ୱତନ୍ତ୍ର ପୂଜା ପ୍ରାୟ କରାଯାଏ ନାହିଁ । ବିଷ୍ଣୁଙ୍କ ବାହନ ରୂପେ ହିଁ ତାଙ୍କୁ ବିଷ୍ଣୁଙ୍କ ସହିତ ପୂଜା କଯାଯାଇଥାଏ । ସେଥିପାଇଁ ଗରୁଡ଼ଙ୍କର ଗୋଟିଏ ନାଆଁ ବିଷ୍ଣୁରଥ ।

‘ଅମରକୋଷ’ରେ ଗରୁଡ଼ଙ୍କର ଲୋକପ୍ରିୟ ନାମ ଗୁଡ଼ିକର ବିବରଣୀ ରହିଛି । ସେଥିରୁ ତାର୍କ୍ଷ୍ୟ, ବୈନତେୟ, ନାଗାନ୍ତକ, ସୁପର୍ଣ୍ଣ, ପନ୍ନଗାସନ ଆଦି ନାମ ମିଳେ ।

‘ପକ୍ଷୀ ଓଁ ସ୍ୱାହା’ ଗରୁଡ଼ ପୁରାଣର ମୁଖ୍ୟମନ୍ତ୍ର । ସର୍ପ ବିଷ ନାଶ କରିବା ପାଇଁ ସେହି ମନ୍ତ୍ର ଉଚ୍ଚାରଣ କରାଯାଇଥାଏ । ସର୍ପବିଷନାଶକ ବିଦ୍ୟାକୁ ସେଥିପାଇଁ ଗାରୁଡ଼ ବିଦ୍ୟା ବୋଲି ମଧ୍ୟ କୁହାଯାଇଥାଏ । ଗରୁଡ଼ ନାଗାନ୍ତକ ଓ ପନ୍ନଗାସନ । ତେଣୁ ତାଙ୍କ ନାମ ସର୍ପବିଷନାଶକ ବୋଲି ମଧ୍ୟ ବିଶ୍ୱାସ ରହିଛି । ସର୍ପବିଷନାଶକ ଏକ ଗୁଳ୍ମର ନାମ ମଧ୍ୟ ପାତାଳ ଗରୁଡ଼ । ତେଣୁ ଅନେକତ୍ର ସର୍ପଭୟ ଦୂର କରିବା ପାଇଁ ଗରୁଡଙ୍କୁ ହିଁ ପୂଜା କରାଯିବାର ବିଧି ରହିଛି ।

ଗରୁଡ଼ଙ୍କର ଗୋଟିଏ ଧ୍ୟାନଶ୍ଳୋକରେ ତାଙ୍କ ଗୁଣ ଓ କର୍ମର ସୁନ୍ଦର ବର୍ଣ୍ଣନା ଅଛି-

ନିତ୍ୟଂ ପଦ୍ମାଳୟେଶଂ ଦ୍ରୁତଗତିଂ ବପୁଷା ପୃଷ୍ଠଭାଗେ ବହନ୍ତଂ ।
ବୀରଂ ଚକ୍ରୀ କୁଳାନାମବିରତ ସକଳ ଛେଦନେ ବଜ୍ରଦକ୍ଷମ୍ ॥
ପକ୍ଷାଘାତୈ ରିପୂଣାମକଳନଦଳନେ ଧୂରିଣଂ କାଶ୍ୟପେୟଂ ।
ବନ୍ଦେ ଶ୍ରୀକାନ୍ତ ବକ୍ତ୍ରାଭିମୁଖ ମବିରତଂ ଖେଚରଂ ବୈନତେୟମ୍ ॥