ଆମ ଦେବଦେବୀ/ହନୁମାନ

ଉଇକିପାଠାଗାର ରୁ
Jump to navigation Jump to search
ଆମ ଦେବଦେବୀ (୨୦୧୧)  ଲେଖକ/କବି: ଅସିତ ମହାନ୍ତି
ହନୁମାନ
Aama Debadebi.pdf
ହନୁମାନ

ଶ୍ରୀହନୁମାନ ସଂକଟମୋଚନ । ଶ୍ରୀଗଣେଶଙ୍କୁ ଯେପରି ବିଘ୍ନ ବିନାଶ ପାଇଁ ପୂଜା କରାଯାଏ, ଶ୍ରୀହନୁମାନଙ୍କୁ ସେହିପରି ବିପଦରୁ ମୁକ୍ତି ପାଇଁ ପୂଜା କରାଯାଏ । ବାନର ବଂଶରେ ଜାତ ହେଲେ ବି ସେ ଦେବଗୁଣସଂପନ୍ନ । ପୁଣି ସେ ଅତୁଳନୀୟ ଶକ୍ତିର ଅଧିକାରୀ ଏବଂ ପରମଜ୍ଞାନୀ ଓ ଦାର୍ଶନିକ ।

ପୁରାଣମାନଙ୍କରେ ଶ୍ରୀହନୁମାନଙ୍କ ଜନ୍ମ ସଂପର୍କରେ ଅନେକ କାହାଣୀ ଅଛି । ତେବେ ସେହିସବୁ କାହାଣୀରେ ଗୋଟିଏ କଥା ପ୍ରାୟ ସମାନ ଯେ ସେ ଶିବଙ୍କ ଅଂଶରେ ଓ ବାୟୁଙ୍କ ସହଯୋଗରେ ଜାତ । ଶିବପୁରାଣ ଓ ଶତରୁଦ୍ର ସଂହିତା ଅନୁସାରେ, ଭଗବାନ୍ ବିଷ୍ଣୁଙ୍କ ମୋହିନୀ ବେଶରେ ମୁଗ୍ଧ ହୋଇଥିବା ଶିବଙ୍କ ଅଂଶକୁ ସପ୍ତଋଷି ଧାରଣ କରି ଅଞ୍ଜନାଙ୍କ ଗର୍ଭରେ ସ୍ଥାପନ କରିବାରୁ ହନୁମାନ ଜନ୍ମ ହୋଇଥିଲେ । ବାଲ୍ମୀକି ରାମାୟଣର କିସ୍କିନ୍ଧା କାଣ୍ଡ ଅନୁସାରେ, ବାନରରାଜ କୁଞ୍ଜରଙ୍କ କନ୍ୟା ଅଞ୍ଜନା । ସେ କେଶରୀ ନାମକ ଜଣେ ମହତ୍ ସ୍ୱଭାବର ବାନରଙ୍କୁ ବିବାହ କରିଥିଲେ । ମାତ୍ର ଦୀର୍ଘକାଳ ପରେ ମଧ୍ୟ ତାଙ୍କର ସନ୍ତାନ, ସନ୍ତତି ହେଲେ ନାହିଁ । ତେଣୁ ସନ୍ତାନଟିଏ ପାଇବାପାଇଁ ସେ ତପସ୍ୟା କରୁଥିଲେ । ସେହି ସମୟରେ ଦିନେ ଶିବ ଓ ପାର୍ବତୀ ମାଙ୍କଡ଼ ଓ ମାଙ୍କଡ଼ୀ ରୂପରେ ଜଙ୍ଗଲରେ ଖେଳୁଥିଲେ । ସେତିକିବେଳେ ପାର୍ବତୀଙ୍କର ଗର୍ଭ ଉଦୟ ହେଲା । ପାର୍ବତୀ ସେହି ଗର୍ଭକୁ ବାୟୁଙ୍କୁ ପ୍ରଦାନ କଲେ । ବାୟୁ ତାହାକୁ ଆଣି ଅଞ୍ଜନାଙ୍କ ଗର୍ଭରେ ସଂସ୍ଥାପନ କରିବାରୁ ହନୁମାନ ଜନ୍ମ ହେଲେ । ଭବିଷ୍ୟପୁରାଣର ପ୍ରତିସର୍ଗ ପର୍ବରେ ଏହି କାହାଣୀ ଅଳ୍ପ ଭିନ୍ନ ଭାବରେ ଅଛି । ଅନ୍ୟ ଏକ କାହାଣୀରେ ପ୍ରଥମେ ଶିବ ଓ ପାର୍ବତୀ ହାତୀ ଓ ହାତୁଣୀ ବେଶରେ ଏବଂ ପରେ ମାଙ୍କଡ଼ ଓ ମାଙ୍କଡ଼ୀ ବେଶରେ ଜଙ୍ଗଲରେ ଖେଳୁଥିଲେ ବୋଲି ବର୍ଣ୍ଣନା ଅଛି ।

ଆନନ୍ଦ ରାମାୟଣରେ କିନ୍ତୁ ହନୁମାନଙ୍କ ଜନ୍ମ କାହାଣୀ ସଂପୂର୍ଣ୍ଣ ଭିନ୍ନ । ସେହି କାହାଣୀ ଅନୁସାରେ, ଅଯୋଧ୍ୟାର ରାଜା ଦଶରଥଙ୍କର ତିନିରାଣୀ ଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ, ସନ୍ତତି ନହେବାରୁ ସେ ଏକ ପୁତ୍ରକାମେଷ୍ଟି ଯଜ୍ଞ କରିଥିଲେ । ସେହି ଯଜ୍ଞର ଚରୁକୁ ରାଣୀମାନଙ୍କୁ ଖୁଆଇବାକୁ ନେବାବେଳେ ଚିଲଟିଏ ଉଡ଼ିଆସି ସେଥିରୁ କିଛି ଖୁମ୍ପି ନେଇଗଲା । ପୁତ୍ରଟିଏ ପାଇବାପାଇଁ ଜଙ୍ଗଲରେ ତପସ୍ୟା କରୁଥିବା ଅଞ୍ଜନାଙ୍କ ଆଞ୍ଜୁଳିରେ ତାହା ପଡ଼ିଲା ଏବଂ ଅଞ୍ଜନା ତାକୁ ଖାଇବାରୁ ହନୁମାନ ଜନ୍ମହେଲେ ।

ଏହିସବୁ କାହାଣୀରେ ହନୁମାନଙ୍କ ଜନ୍ମ ସହ ବାୟୁ ବା ମରୁତ, କେଶରୀ ଓ ଅଞ୍ଜନାଙ୍କର ସଂପର୍କ ରହିଛି । ତେଣୁ ହନୁମାନଙ୍କୁ ମରୁତନନ୍ଦନ ବା ମାରୁତି, କେଶରୀନନ୍ଦନ ଓ ଅଞ୍ଜନାସୁତ ଆଦି କୁହାଯାଏ ।

ପୁରାଣମାନଙ୍କରେ ଅଞ୍ଜନାଙ୍କର ମଧ୍ୟ ସ୍ୱତନ୍ତ୍ର କାହାଣୀ ଅଛି । ସେହି କାହାଣୀ ଅନୁସାରେ, ଅଞ୍ଜନା ପୂର୍ବ ଜନ୍ମରେ ଥିଲେ ପୁଞ୍ଜିକସ୍ଥଳା ନାମକ ଜଣେ ଦେବୀ । ସେ ଥିଲେ ଦେବଗୁରୁ ବୃହସ୍ପତିଙ୍କର ପରିଚାରିକା । ଦିନେ ଫୁଲ ତୋଳିବାକୁ ଯିବା ବେଳେ ମନ ଉନ୍ମାଦ ହେବାପରି ଏକ ଦୃଶ୍ୟ ଦେଖି ସେ ଫୁଲ ନ ତୋଳି ଫେରି ଆସିଲେ ଏବଂ ବୃହସ୍ପତିଙ୍କୁ କୁଣ୍ଢେଇଧରିଲେ । ସେଥିରେ ବୃହସ୍ପତି ରାଗିଯାଇ ସେ ମର୍ତ୍ତ୍ୟରେ ମାଙ୍କଡ଼ୀ ହେଇ ଜନ୍ମ ହେବେ ବୋଲି ଅଭିଶାପ

ଦେଲେ । ତେବେ ତାଙ୍କୁ କହିଲେ, କିଛି କାଳ ଜଣେ ବାନରଙ୍କୁ ବିବାହ କରିବା ପରେ ଶିବଙ୍କ ଅଂଶରେ ତାଙ୍କର ପୁଅଟିଏ ହେବ ଏବଂ ସେ ଶାପମୁକ୍ତ ହୋଇ ଫେରିଆସିବେ ।

ହନୁମାନ ଜନ୍ମ ହେବା ପୂର୍ବର ଆଉ ଏକ ମଜାଦାର କାହାଣୀ ମଧ୍ୟ କମ୍ବ ରାମାୟଣର ପୂର୍ବକାଣ୍ଡରେ ବର୍ଣ୍ଣିତ । ବାଳୀ ଥିଲା ବାନରମାନଙ୍କର ରାଜା । ଦିନେ ନାରଦ ଯାଇ ବାଳୀ ପାଖରେ ପହଞ୍ଚି କହିଲେ, ଅଞ୍ଜନାଙ୍କ ଗର୍ଭରୁ ଶିବଙ୍କ ଅଂଶରେ ପୁତ୍ରଟିଏ ଜାତ ହେବ । ସେ ମହା ଶକ୍ତିଶାଳୀ ହେବ । ତାହା ଶୁଣି ବାଳୀ ଆଶଙ୍କା କଲା ଯେ ହନୁମାନ ଜନ୍ମ ହେବା ପରେ ସେ ଆଉ ରାଜା ହୋଇ ରହି ପାରିବନି । ତେଣୁ ସେ ହନୁମାନଙ୍କୁ ମାତୃଗର୍ଭରୁ ମାରିଦେବାକୁ ଯୋଜନା କଲା । ସୁନା, ତମ୍ବା, ଲୁହା, ଟିଣ ଓ ଦସ୍ତାକୁ ଘୋରି ଅଞ୍ଜନାଙ୍କୁ ପିଆଇ ଦେଲା । ତା'ର ଧାରଣା ଥିଲା, ଏହି ପଞ୍ଚଧାତୁ ହନୁମାନଙ୍କୁ ମାତୃ ଗର୍ଭରୁ ମାରିଦେବ । କିନ୍ତୁ ତାର ସବୁ ଯୋଜନା ପଣ୍ଡ ହେଲା । ସେହି ପଞ୍ଚଧାତୁ ମିଶ୍ରିତ ଜଳ ଅଞ୍ଜନାଙ୍କ ଗର୍ଭକୁ ଯାଇ ହନୁମାନଙ୍କ କାନର କୁଣ୍ଡଳ ହୋଇଗଲା ।

ହନୁମାନଙ୍କୁ ମହାମେରୁ ପର୍ବତର ଦକ୍ଷିଣ ଦିଗରେ ଥିବା ଉପତ୍ୟକାର ଜଙ୍ଗଲରେ ଅଞ୍ଜନା ଜନ୍ମ ଦେଇଥିଲେ । ଶିବଙ୍କ ଅଂଶରେ ଜନ୍ମ ହୋଇଥିବାରୁ ଜନ୍ମ ପରେ ପରେ ତାଙ୍କର ବାଲ୍ୟାବସ୍ଥା ଆସିଗଲା । ସେ ଅଞ୍ଜନାଙ୍କୁ ପଚାରିଲେ, ତୁମେ ତ ଶାପମୁକ୍ତ ହୋଇ ସ୍ୱର୍ଗକୁ ଯିବାକୁ ବାହାରିଲଣି; କିନ୍ତୁ ମୁଁ ଖାଇବି କ'ଣ ? ଅଞ୍ଜନା କହିଲେ, ପାଚି ଲାଲ୍ ଦେଖାଯାଉଥିବା ଫଳ ବାନରଙ୍କର ପ୍ରିୟ ଖାଦ୍ୟ । ତେଣୁ, ଯେଉଁ ଫଳ ପାଚି ଲାଲ୍ ହୋଇଛି, ସେହି ଫଳ ଖା' ।

ସେତେବେଳକୁ ସୂର୍ଯ୍ୟ ଉଦୟ ହେଉଥାଆନ୍ତି । ତାଙ୍କୁ ଦେଖି ହନୁମାନ ପାଚିଲା ଫଳଟିଏ ବୋଲି ଭାବି ଡିଆଁଟାଏ ମାରି ପହଞ୍ଚିଗଲେ ସୂର୍ଯ୍ୟଙ୍କ ପାଖରେ । ମାତ୍ର ସୂର୍ଯ୍ୟଙ୍କ ପାଖରେ ରାହୁକୁ ଦେଖି ତା' ଉପରକୁ ବି କୁଦି ପଡ଼ିଲେ । ଇନ୍ଦ୍ରଙ୍କ ବାହନ ଐରାବତ ସେଠି ଥିଲା । ତାକୁ ବି ଗିଳିଦେବାକୁ ବାହାରିଲେ । ତାହା ଦେଖି ଇନ୍ଦ୍ର ହନୁମାନଙ୍କୁ ଲକ୍ଷ୍ୟକରି ବଜ୍ର ପେଷିଲେ । ତାହା ସିଧା ଯାଇ ତାଙ୍କ ମୁହଁରେ ବାଜିଲା । ହନୁମାନ ଆହତ ହୋଇ ତଳେ ଖସିଡ଼ିଲେ ।

ପୁତ୍ରର ଏପରି ଅବସ୍ଥା ଦେଖି ବାୟୁଦେବତା ଖୁବ୍ ଦୁଃଖିତ ହେଲେ । ସେ ହନୁମାନଙ୍କୁ ଧରି ପାତାଳଲୋକକୁ ଚାଲିଗଲେ । ବାୟୁ ନ ରହିବାରୁ ପୃଥିବୀରେ ସବୁ ସ୍ଥିର, ନିଶ୍ଚଳ ହୋଇଗଲା । ଜୀବନ୍ତ ପ୍ରାଣୀମାନେ ଶ୍ୱାସରୁଦ୍ଧ ହୋଇ ମରିଯିବାକୁ ବସିଲେ । ତେଣୁ ପୃଥିବୀବାସୀଙ୍କୁ ଏହି ବିପଦରୁ ରକ୍ଷା କରିବାପାଇଁ ବ୍ରହ୍ମା ଓ ଅନ୍ୟ ଦେବତାମାନେ ପାତାଳଲୋକକୁ ଧାଇଁଲେ । ବାୟୁଙ୍କୁ ପୁଣି ମର୍ତ୍ତ୍ୟକୁ ଫେରି ଆସିବାକୁ ଅନୁରୋଧ କଲେ । ହନୁମାନଙ୍କୁ ମଧ୍ୟ ସମସ୍ତେ ଆଶୀର୍ବାଦ କଲେ । ଇନ୍ଦ୍ରଙ୍କ ବଜ୍ର ହନୁମାନଙ୍କ ମୁହଁର ଉପର ଗାଲପାଟି ବା 'ହନୁ'କୁ ଆହତ କରିଥିଲା । ତେଣୁ ସେହିଦିନଠୁଁ ତାଙ୍କର ନାଆଁ ହନୁମାନ ହେଲା ।

ଏହା ଫଳରେ କିନ୍ତୁ ହନୁମାନଙ୍କର ଗୋଟିଏ ବଡ଼ ଲାଭ ହେଲା । ଦେବତାମାନଙ୍କ ଆଶୀର୍ବାଦ ଫଳରେ ସେ ବହୁ ଶକ୍ତିଶାଳୀ ହୋଇଗଲେ ।

ବ୍ରହ୍ମା ତାଙ୍କୁ ଆଶୀର୍ବାଦ କରି କହିଲେ, ଯେତେଦିନ ବ୍ରହ୍ମା ଥିବେ, ହନୁମାନ ସେତେଦିନ ରହିବେ । ବିଷ୍ଣୁ ଆଶୀର୍ବାଦ କଲେ, ହନୁମାନ ସାରାଜୀବନ ତାଙ୍କର ଭକ୍ତ ହେବେ । ଇନ୍ଦ୍ର କହିଲେ, କୌଣସି ଅସ୍ତ୍ରଶସ୍ତ୍ର ତାଙ୍କର ଶରୀର ଭେଦି ପାରିବ ନାହିଁ । ଅଗ୍ନି କହିଲେ, ହନୁମାନଙ୍କୁ ଅଗ୍ନି ବି ଦହନ କରିପାରିବ ନାହିଁ । ଯମ କହିଲେ, ମୃତ୍ୟୁ ହନୁମାନଙ୍କୁ ମାରି ପାରିବ ନାହିଁ । ଅନ୍ୟ ଦେବତାମାନେ କହିଲେ, ବଳ ଓ ବେଗରେ କେହି ହନୁମାନଙ୍କର ସମକକ୍ଷ ହେବେ ନାହିଁ । ପୁଣି ବ୍ରହ୍ମା କହିଲେ, ଗରୁଡ଼ ଅପେକ୍ଷା ହନୁମାନ ଅଧିକ ଶକ୍ତିଶାଳୀ ହେବେ । ବାୟୁ କହିଲେ, ତାଙ୍କ ଅପେକ୍ଷା ହନୁମାନଙ୍କର ବେଗ ଅଧିକ ହେବ । ଏହିପରି ଜନ୍ମ ହେଉହେଉ ହନୁମାନ ବାଳକ ବୟସରେ ପହଞ୍ଚିବା ସହିତ ଅମିତ ଶକ୍ତିଶାଳୀ ହୋଇଗଲେ ।

ଏଥର ହନୁମାନ ଇଚ୍ଛାକଲେ, ସୂର୍ଯ୍ୟଙ୍କୁ ଗୁରୁ ବା ଦିଗ୍‌ଦର୍ଶକ ରୂପେ ଗ୍ରହଣ କରି ଋକ୍, ଯଜୁ, ସାମ ଓ ଅଥର୍ବ ଚାରିବେଦ ଏବଂ ସାଂଖ୍ୟ, ପାତଞ୍ଜଳ, ପୂର୍ବ ମୀମାଂସା (ଜୈମିନୀ ଦର୍ଶନ), ଉତ୍ତର ମୀମାଂସା(ବେଦାନ୍ତ), ନ୍ୟାୟ (ତର୍କ) ଓ ବୈଶେଷିକ ଆଦି ଷଡ୍‌ଶାସ୍ତ୍ର ଶିକ୍ଷା କରିବେ । ସେଥିପାଇଁ ସେ ସୂର୍ଯ୍ୟଙ୍କୁ ଅନୁରୋଧ କଲେ ।

ସୂର୍ଯ୍ୟ ହନୁମାନଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିବାକୁ ରାଜି ହେଲେ; କିନ୍ତୁ ସେଥିପାଇଁ ଗୋଟିଏ ସର୍ତ୍ତ ରଖିଲେ । କହିଲେ, ବାଳଖିଲ୍ୟ ଋଷିମାନେ ମୋ' ରଥରେ ବସି ବିଦ୍ୟାଶିକ୍ଷା କରୁଛନ୍ତି । ତେଣୁ ତୁମେ ସେମାନଙ୍କ ସହ ବସି ବିଦ୍ୟାଶିକ୍ଷା କରିପାରିବ ନାହିଁ । ବିଦ୍ୟାଶିକ୍ଷା ପାଇଁ ତୁମକୁ ମୋ' ରଥ ଆଗରେ ଆଗରେ ଚାଲିବାକୁ ପଡ଼ିବ ।

ହନୁମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ବିଦ୍ୟାଶିକ୍ଷା। ସେଥିପାଇଁ କଠିନରୁ କଠିନ ସର୍ତ୍ତ ପାଳିବାକୁ ସେ ରାଜି ଥିଲେ । ତେଣୁ ସୂର୍ଯ୍ୟଙ୍କ ସର୍ତ୍ତରେ ସେ ସାଙ୍ଗେ ସାଙ୍ଗେ ରାଜି ହୋଇଗଲେ ।

ସୂର୍ଯ୍ୟଙ୍କ ରଥ ଆକାଶମାର୍ଗରେ ଗତି କରୁଥାଏ । ହନୁମାନ ରଥ ସାମ୍ନାରେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁକରି, ହାତରେ ଗ୍ରନ୍ଥ ଧରି, ପଛୁଆ ଚାଲିଚାଲି ପାଠ ପଢ଼ିଲେ ଏବଂ ମାତ୍ର ୬୦ ଘଣ୍ଟା ମଧ୍ୟରେ ସବୁ ବେଦରେ ପାରଙ୍ଗମ ହୋଇଗଲେ ।

ନିୟମ ଅନୁସାରେ ବିଦ୍ୟାଶିକ୍ଷା ପରେ ଗୁରୁଙ୍କୁ ଦକ୍ଷିଣା ଦେବା କଥା । ତେଣୁ ସୂର୍ଯ୍ୟଦେବ କି ଦକ୍ଷିଣା ଚାହାନ୍ତି ବୋଲି ହନୁମାନ ଜାଣିବାକୁ ଇଚ୍ଛା କଲେ । ସୂର୍ଯ୍ୟ କହିଲେ, ବିଦ୍ୟାଶିକ୍ଷା ପ୍ରତି ତୁମର ଆଗ୍ରହ ଦେଖି ମୁଁ ଖୁସି । ଏହି ଆଗ୍ରହକୁ ମୁଁ ଦକ୍ଷିଣା ଭାବରେ ଗ୍ରହଣ କଲି । କିନ୍ତୁ ହନୁମାନ ଦକ୍ଷିଣା ଦେବାକୁ ତଥାପି ଜିଦ୍ କରିବାରୁ ସୂର୍ଯ୍ୟ କହିଲେ, ଏବେ ମୋର ପୁତ୍ର ସୁଗ୍ରୀବ ମର୍ତ୍ତ୍ୟରେ ଅଛି । ଭାଇ ବାଳୀ ପରି ସେ ବଳବାନ୍ ନୁହେଁ । ତୁମର ଯଦି ଗୁରୁଦକ୍ଷିଣା ଦେବାକୁ

ଏତେ ଆଗ୍ରହ, ତେବେ ସବୁଦିନେ ତାର ସହଯୋଗୀ ହୋଇ ରୁହ, ତାର ମନ୍ତ୍ରୀ ଭାବରେ କାର୍ଯ୍ୟକର । ଏଥିରେ ଖୁସି ହୋଇ ହନୁମାନ ଯାଇ ସୁଗ୍ରୀବଙ୍କର ମନ୍ତ୍ରୀ ରୂପେ କାର୍ଯ୍ୟ କଲେ । ସୀତା ହରଣ ପରଠାରୁ ରାମଚନ୍ଦ୍ରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସୁଗ୍ରୀବ ଓ ହନୁମାନ ଦୁହେଁ ରାମଙ୍କର ଏକନିଷ୍ଠ ସେବକ ରୂପେ ବହୁ କାର୍ଯ୍ୟ କରିଥିଲେ ।

ପିତୃସତ୍ୟ ପାଳି ରାମଚନ୍ଦ୍ର ଚଉଦବର୍ଷ ବନବାସରେ ଥିବାବେଳେ ରାବଣ ସୀତାଙ୍କୁ ଅପହରଣ କରିନେଲା । ସେତେବେଳେ ସୀତାଙ୍କ ସନ୍ଧାନରେ ଯାଇ ଲକ୍ଷ୍ମଣ କିସ୍କିନ୍ଧାଠାରେ ପହଞ୍ଚିଥିଲେ ଏବଂ ଲକ୍ଷ ଲକ୍ଷ ବାନରଙ୍କୁ ନେଇ ଆଠଟି ଆଞ୍ଚଳିକ ସେନାଦଳ ଗଠନ କରିଥିଲେ । ସୁଷେଣଙ୍କୁ ପଶ୍ଚିମ, ଶତବାଳୀଙ୍କୁ ଉତ୍ତର, ବିନତାଙ୍କୁ ପୂର୍ବ ଓ ଅଙ୍ଗଦଙ୍କୁ ଦକ୍ଷିଣ ଦିଗର ଦାୟିତ୍ୱ ଦିଆଯାଇଥିଲା । ଲକ୍ଷ୍ମଣ ଓ ସୁଗ୍ରୀବ ସେମାନଙ୍କର ପରାମର୍ଶଦାତା ଭୂମିକାରେ ଥିଲେ । ହନୁମାନଙ୍କ ନେତୃତ୍ୱରେ ସେମାନେ ସୀତା ସନ୍ଧାନ ପାଇଁ ଯାତ୍ରା କରିଥିଲେ ।

ସୀତା ଦକ୍ଷିଣ ସମୁଦ୍ରର ଲଙ୍କାଦ୍ୱୀପରେ ଅଛନ୍ତି ବୋଲି ସମ୍ପାତି ସେମାନଙ୍କୁ ପ୍ରଥମେ ସୂଚନା ଦେଇଥିଲେ । ତେଣୁ, ମହାଦର୍ପରେ ହନୁମାନ ତାଙ୍କର ଲଙ୍କା ଅଭିଯାନ ଆରମ୍ଭ କଲେ । ମହେନ୍ଦ୍ର ପର୍ବତର ଚୂଡ଼ା ଉପରୁ ସେ ସିଧା ଲଙ୍କା ଅଭିମୁଖେ ଲମ୍ଫ ଦେଲେ । ବାଟରେ ନାଗମାତା ସୁରସା ତାଙ୍କୁ ଗିଳିଦେଲେ; ମାତ୍ର ହନୁମାନ ତାଙ୍କ କାନ ବାଟେ ବାହାରିଗଲେ । କିଛି ବାଟ ଯିବା ପରେ ଛାୟାଗ୍ରାହିଣୀ ନାମକ ଏକ ପ୍ରେତ ତାଙ୍କର ପଥରୋଧ କଲା । ମାତ୍ର ହନୁମାନ ତାକୁ ମାରି ଆଗେଇ ଚାଲିଲେ । ଏହିପରି ଯାଉଯାଉ ସମୁଦ୍ର ମଝିରେ ଟିକିଏ କ୍ଳାନ୍ତ ହୋଇ ପଡ଼ିବାରୁ ସେ ବିଶ୍ରାମ ନେବାକୁ ଚାହିଁଲେ । କିନ୍ତୁ ସମୁଦ୍ରରେ କେଉଁଠି ବା ବିଶ୍ରାମ ନେବେ ? ଏତିକି ବେଳେ ମୈନାକ ପର୍ବତ ସମୁଦ୍ରଗର୍ଭରୁ ଉଠି ତାଙ୍କୁ ବିଶ୍ରାମ ଦେଲା । ତାଙ୍କୁ ଫଳମୂଳ ବି ଖାଇବାକୁ ଦେଲା ।

ଏହି ମୈନାକ ପର୍ବତର ମଧ୍ୟ ଗୋଟିଏ କାହାଣୀ ଅଛି । ପୂର୍ବେ ସବୁ ପର୍ବତଙ୍କର ଚଢ଼େଇ ପରି ଡେଣା ଥିଲା । ସେମାନେ ଯୁଆଡ଼େ ମନ ସିଆଡ଼େ ଉଡ଼ି ବୁଲିବାରୁ ଇନ୍ଦ୍ର ବଜ୍ର ମାରି ତାଙ୍କର ଡେଣା କାଟି ଦେଇଥିଲେ । ବାୟୁଦେବତା ତାହା ଜାଣିପାରି ପୂର୍ବରୁ ମୈନାକ ପର୍ବତକୁ ଉଡେଇ ଆଣି ସମୁଦ୍ରରେ ଲୁଚାଇ ଦେଇଥିଲେ । ଏଣୁ ହନୁମାନ ବାୟୁପୁତ୍ର ହୋଇଥିବାରୁ, ଅତୀତର ସେଇ ଋଣ ଶୁଝିବାକୁ ମୈନାକ ତାଙ୍କୁ ସମୁଦ୍ରରେ ଆଶ୍ରୟ ଦେଇଥିଲା ।

ଅଳ୍ପ ସମୟ ସେଠାରେ ବିଶ୍ରାମ ନେବାପରେ ହନୁମାନ ପୁଣି ତାଙ୍କର ଯାତ୍ରା ଆରମ୍ଭ କରି ସିଧା ଯାଇ ଲଙ୍କାରେ ପହଞ୍ଚିଲେ । ମାତ୍ର ଲଙ୍କାଗଡ଼ର ସୁରକ୍ଷା ଦାୟିତ୍ୱରେ ଥିବା ଲଙ୍କାଲକ୍ଷ୍ମୀ ତାଙ୍କର ପଥରୋଧ କଲେ । ହନୁମାନ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଲେ । ସେହି ଚାପୁଡ଼ା ଫଳରେ ସେ ପରାସ୍ତ ହେବା ସହିତ ଶାପମୁକ୍ତ ମଧ୍ୟ ହୋଇଥିଲେ ।

ଲଙ୍କାଲକ୍ଷ୍ମୀ କାହିଁକି ଅଭିଶାପ ପାଇ ଲଙ୍କାଗଡ଼କୁ ଜଗିରହିଥିଲେ, ସେ ସଂପର୍କରେ ବି ଗୋଟିଏ କାହାଣୀ ଅଛି । ପ୍ରକୃତରେ ଲଙ୍କାଲକ୍ଷ୍ମୀ ହେଉଛନ୍ତି ବିଜୟଲକ୍ଷ୍ମୀ । ସେ ଅଷ୍ଟଲକ୍ଷ୍ମୀଙ୍କ ମଧ୍ୟରୁ ଅନ୍ୟତମା । ବ୍ରହ୍ମାଙ୍କର ଧନସଂପତ୍ତିର ଜଗାରଖା କରିବା ତାଙ୍କର କାମ ଥିଲା । ଥରେ ସେ ନିଜର ଦାୟିତ୍ୱ ଠିକ୍ ରୂପେ ପାଳନ ନ କରିବାରୁ ବ୍ରହ୍ମା କ୍ରୁଦ୍ଧ ହୋଇ ତାଙ୍କୁ ଅଭିଶାପ ଦେଲେ । ସେହି ଅଭିଶାପ ଫଳରେ ସେ ଆସି ଲଙ୍କାଲକ୍ଷ୍ମୀ ରୂପେ ସ୍ୱର୍ଣ୍ଣଲଙ୍କାକୁ ଜଗି ରହିଥିଲେ । ବ୍ରହ୍ମା କହିଥିଲେ, ସୀତାଙ୍କ ସନ୍ଧାନପାଇଁ ଲଙ୍କାକୁ ଆସି ହନୁମାନ ତାଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ମାରିବେ । ସେତେବେଳେ ଯାଇ ତାଙ୍କର ମୁକ୍ତି ହେବ । ତାହା ହିଁ ହୋଇଥିଲା ।

ଏଥର ହନୁମାନ ସିଧା ଅଶୋକ ବନକୁ ଯାଇ ସେଠାରେ ବନ୍ଦିନୀ ଥିବା ସୀତାଙ୍କୁ ଭେଟିଲେ । ସୀତାଙ୍କୁ ସେ ସନ୍ତକ ରୂପେ ଶ୍ରୀରାମଙ୍କ ରତ୍ନ ମୁଦ୍ରିକା ଉପହାର ଦେଲେ । ସେ ପ୍ରସ୍ତାବ ଦେଲେ ଯେ ସୀତା ଚାହିଁଲେ ତାଙ୍କୁ ସେ କାନ୍ଧରେ ବସାଇ ଲଙ୍କାରୁ ଉଦ୍ଧାର କରି ନେଇଯିବାକୁ ପ୍ରସ୍ତୁତ । ମାତ୍ର ସୀତା କହିଲେ, ମୋତେ ରାବଣ ଅପହରଣ କରି ଆଣିଲା । ତୁମେ ବି ଯଦି ଅପହରଣ କରି ନେବ, ତେବେ ଶ୍ରୀରାମଚନ୍ଦ୍ରଙ୍କର କି ଯଶ ହେବ ?

ତାହା ଶୁଣି ହନୁମାନ ସୀତାଙ୍କୁ କହିଲେ, ମୁଁ ଫେରିଯାଇ ରାମ ଓ ଲକ୍ଷ୍ମଣଙ୍କୁ ଧରି ଫେରି ଆସିବି ଏବଂ ଆମେ ଯୁଦ୍ଧରେ ରାବଣକୁ ହରାଇ ସୀତାଉଦ୍ଧାର କରିବୁ । ଏହା କହି ସେ ସୀତାଙ୍କୁ ନିଜର ବିଶାଳ ରୂପ ଦେଖାଇଲେ । ତାଙ୍କର ଲାଞ୍ଜ ଯାଇ ନଦୀରେ ପଡ଼ିଲା । ମୁଣ୍ଡ ପର୍ବତର ଚୂଡ଼ା ସହ ସମାନ ଦେଖାଗଲା । ହାତ, ଗୋଡ଼ ବଡ଼ ବଡ଼ ଗଛପରି ହୋଇଗଲା । ସେହି ରୂପରେ ସେ ବିକଟ ଗର୍ଜନ କରି ସାରା ଲଙ୍କା ନଗରୀକୁ ଥରହର କରିଦେଲେ ।

ଏଥର ହନୁମାନ ସୀତାଙ୍କଠାରୁ ବିଦାୟ ନେଇ ଲଙ୍କା ବୁଲି ବାହାରିଲେ । ସେ ଦେଖିଲେ, ରାବଣର ଭାଇ ବିଭୀଷଣ ତାଙ୍କ ପ୍ରାସାଦରେ ବିଷ୍ଣୁ ନାମ ଜପ କରୁଛନ୍ତି । ସେ ଭାବିଲେ, ବିଭୀଷଣଙ୍କ ପ୍ରାସାଦ, ରାଜପ୍ରାସାଦ ହେବା ଦରକାର । ପରେ ତାହା ହିଁ ହୋଇଥିଲା । ରାବଣର ମୃତ୍ୟୁ ପରେ ବିଭୀଷଣ ହେଲେ ଲଙ୍କାର ରାଜା ।

ହନୁମାନଙ୍କର ତ ଡରଭୟ କିଛି ନଥାଏ । ତେଣୁ ସେ ଇଚ୍ଛା କଲେ, ଲଙ୍କା ଛାଡ଼ିବା ଆଗରୁ ଥରେ ଯାଇ ରାବଣକୁ ଭେଟିଲେ କେମିତି ହୁଅନ୍ତା ! ତା' ପରେ ରାବଣକୁ ନିଜର ଉପସ୍ଥିତି ଜଣାଇବାକୁ ସେ ଲଙ୍କା ନଗରୀରେ ଭଙ୍ଗାରୁଜା ଆରମ୍ଭ କରିଦେଲେ । ତାହା ଦେଖି ରାବଣର ପୁଅ ମେଘନାଦ ଆକାଶରୁ ବ୍ରହ୍ମାସ୍ତ୍ର ମାରି ହନୁମାନଙ୍କୁ ଆହତ କରିଦେଲା । ତାଙ୍କୁ ବନ୍ଦୀ କରିନେଇ ରାବଣ ଆଗରେ ହାଜର କରାଇଲା । ମାତ୍ର ହନୁମାନ ସେଠାରେ ଗୋଟିଏ ବିଚିତ୍ର କାଣ୍ଡ କଲେ । ନିଜର ଲାଙ୍ଗୁଡ଼କୁ ମୋଡ଼ି ମୋଡ଼ି ଏତେ ଉଚ୍ଚ କଲେ ଯେ ତାହା ରାବଣର ସିଂହାସନଠାରୁ ବି ଉଚ୍ଚା ହେଇଗଲା । ସେ ଯାଇ ତା' ଉପରେ ବସି ରାବଣକୁ ଚାହିଁ

ବିଚିତ୍ର ଅଙ୍ଗଭଙ୍ଗୀ କଲେ । ତାହା ଦେଖି ରାବଣ ଅପମାନିତ ହେଲା ଓ ରାଗିଯାଇ ଆଦେଶ ଦେଲା, ଏ ହନୁର ଲାଞ୍ଜରେ ନିଆଁ ଲଗାଇ ଦିଅ ।

ତାହାଶୁଣି ଅନ୍ୟ ରାକ୍ଷସମାନେ କନା ଆଣି ତା' ଲାଞ୍ଜରେ ଗୁଡ଼ାଇବାକୁ ଲାଗିଲେ । କିନ୍ତୁ ହନୁମାନ ତାଙ୍କର ଲାଞ୍ଜକୁ ଫୁଲାଇ ଏତେ ମୋଟା କରିଦେଲେ ଯେ ସବୁ କନା ନିଅଣ୍ଟ ପଡ଼ିଲା । ଶେଷରେ ସେମାନେ ସେଥିରେ ତେଲ ଢାଳି ନିଆଁ ଲଗାଇଦେଲେ । ଏଥର ହନୁମାନ ତାଙ୍କର ଅସଲ କାଣ୍ଡ ଆରମ୍ଭ କଲେ । ବନ୍ଧନରୁ ଖସିଯାଇ ସାରା ଲଙ୍କା ନଗରୀରେ ନିଆଁ ଲଗାଇଦେଲେ । ସ୍ୱର୍ଣ୍ଣଲଙ୍କା ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ସେଇଦିନୁ ଭଙ୍ଗାରୁଜା ଓ ଜଳାପୋଡ଼ା ଘଟଣାକୁ 'ଲଙ୍କାକାଣ୍ଡ' ବୋଲି କୁହାଯାଉଛି ।

ତା' ପରେ ହନୁମାନ ଶ୍ରୀରାମଚନ୍ଦ୍ରଙ୍କ ପାଖକୁ ଫେରିଯାଇ ତାଙ୍କୁ ସୀତାଙ୍କ ସମ୍ବାଦ ଦେଲେ । ମାତ୍ର ସମସ୍ୟା ହେଲା, ସୀତାଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ସମୁଦ୍ର ଟପି ଶ୍ରୀଲଙ୍କାକୁ ଯିବେ କେମିତି ?

କଥା ହେଲା, ସମୁଦ୍ରରେ ଏକ ସେତୁବନ୍ଧ ତିଆରି ହେବ । ଏହି ସେତୁବନ୍ଧ ନିର୍ମାଣର ନେତୃତ୍ୱ ନେଲେ ସୁଗ୍ରୀବ । ନିର୍ମାଣର ମୁଖ୍ୟ ଯୋଜନା କଲେ ନଳ ଓ ତାଙ୍କର ସହକାରୀ ଭାବେ ରହିଲେ ନୀଳ । ଜାମ୍ବବାନ ଓ ହନୁମାନ ନିରୀକ୍ଷକ ଦାୟିତ୍ୱ ତୁଲାଇଲେ । ବାନରସେନା ସେତୁବନ୍ଧ ନିର୍ମାଣରେ ଦିନରାତି ଏକ କରି ଲାଗିଗଲେ ।

ସେତୁବନ୍ଧ ନିର୍ମାଣ ହୋଇଗଲା । ସମସ୍ତେ ଲଙ୍କାରେ ଯାଇ ପହଞ୍ଚିବା ପରେ ଘୋର ଯୁଦ୍ଧ ଆରମ୍ଭ ହେଲା । ହନୁମାନଙ୍କ ହାତରେ ପ୍ରଥମେ ମଲା କୁମ୍ଭକୁର୍ଣ୍ଣ । ତାର ବଡ଼କାନକୁ ଅନ୍ୟ ବାନରମାନେ କାମୁଡ଼ି କ୍ଷତବିକ୍ଷତ କରିଦେଇଥିଲେ । ତେଣୁ ମୃତ୍ୟୁ ପୂର୍ବରୁ ସେ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲା, ତାର ମୁଣ୍ଡକୁ ଯେପରି ଅନ୍ୟ ରାକ୍ଷସମାନେ ନଦେଖନ୍ତି । କାରଣ ତାର କ୍ଷତ ବିକ୍ଷତ କାନକୁ ଦେଖି ସେମାନେ ଉପହାସ କରିବେ । ତେଣୁ ରାମଚନ୍ଦ୍ରଙ୍କ ଆଦେଶରେ କୁମ୍ଭକର୍ଣ୍ଣର କଟାମୁଣ୍ଡକୁ ନେଇ ହନୁମାନ ଗଭୀର ସମୁଦ୍ରରେ ଫିଙ୍ଗିଦେଇଥିଲେ ।

ସେହି ଯୁଦ୍ଧରେ ରାବଣର ପୁଅ ଇନ୍ଦ୍ରଜିତ ସହ ଲକ୍ଷ୍ମଣଙ୍କର ଯୁଦ୍ଧ ହେଲା । ମାୟାରେ ଇନ୍ଦ୍ରଜିତ ନିଜକୁ ଇନ୍ଦ୍ର ଓ ସେନାପତି ମହୋଦରଙ୍କୁ ଐରାବତ କରି ଲକ୍ଷ୍ମଣଙ୍କ ଆଗରେ ଯାଇ ଉଭା ହେଲା । ଇନ୍ଦ୍ରଙ୍କୁ ଦେଖି ଲକ୍ଷ୍ମଣ ମଥାନୁଆଁଇ ପ୍ରଣାମ କରିବା ବେଳେ ସେ ବ୍ରହ୍ମାସ୍ତ୍ର ମାରି ତାଙ୍କୁ ମୃତ ପ୍ରାୟ କରିଦେଲା । ହନୁମାନ ଓ ଜାମ୍ବବାନ ମଧ୍ୟ ଅଚେତ ହୋଇଗଲେ । ଇନ୍ଦ୍ର ସେଠାରେ ପହଞ୍ଚି ସୁବର୍ଣ୍ଣକୁମ୍ଭରୁ ଗଙ୍ଗାଜଳ ଦେବାପରେ ହନୁମାନ ଓ ଜାମ୍ବବାନ ଚେତା ଫେରି ପାଇଲେ । ଜାମ୍ବବାନ ହନୁମାନଙ୍କୁ କହିଲେ, ହିମାଳୟରୁ ଯାଇ ମୃତସଂଜୀବନୀ ନଆଣିଲେ ଲକ୍ଷ୍ମଣ ବଞ୍ଚିବେ ନାହିିଁ । କିନ୍ତୁ କାଲି ସଂଧ୍ୟା ପୂର୍ବରୁ ତାହା ଆଣିବାକୁ ପଡ଼ିବ ।

ସେକଥା ଶୁଣି ହନୁମାନ ମୃତସଂଜୀବନୀ ଆଣିବା ପାଇଁ ହିମାଳୟକୁ ଉଡ଼ିଗଲେ । ମାତ୍ର ସେଠାରେ ମୃତସଂଜୀବନୀ କେଉଁଟି ତାହା ଚିହ୍ନି ନପାରି ପୂରା ଶୃଙ୍ଗଟିକୁ ଓପାଡ଼ି ନେଇ ଆସିଲେ । ସେଥିରେ ଥିଲା ଶଲ୍ୟହାରିଣୀ, ବିଶଲ୍ୟକରଣୀ, ସନ୍ଧାନକରଣୀ ଓ ମୃତସଂଜୀବନୀ । ସେହି ଚାରିଟି ଔଷଧି ଭିତରୁ ଜାମ୍ବବାନ ମୃତସଂଜୀବନୀକୁ ଚିହ୍ନି ପାରିଲେ । ସେହି ଚାରିଟି ଔଷଧିର ଗୁଣ ଥିଲା ଅଦ୍ଭୁତ । ବିଶଲ୍ୟକରଣୀ ତୀର ବା ଅନ୍ୟ ଅସ୍ତ୍ରଶସ୍ତ୍ରକୁ କାଢ଼ି ଦିଏ । ଶଲ୍ୟହାରିଣୀ ତାର ଯନ୍ତ୍ରଣା ଦୂର କରିଦିଏ । ସନ୍ଧାନକରଣୀ ସବୁ କ୍ଷତକୁ ଶୁଖାଇଦିଏ ଏବଂ ମୃତସଂଜୀବନୀ ଜୀବନଦାନ କରେ । ତେଣୁ ଏହି ଔଷଧିର ପ୍ରଭାବରେ ଲକ୍ଷ୍ମଣ ଚେତା ଫେରି ପାଇବା ସହିତ ସଂପୂର୍ଣ୍ଣ ସୁସ୍ଥ ହୋଇ ଉଠିଲେ । ଏହା କେବଳ ହନୁମାନଙ୍କ ଯୋଗୁଁ ସମ୍ଭବ ହେଲା । ପରେ ରାମ ବନବାସରୁ ଫେରିବା ପରେ ଯେଉଁ ଅଶ୍ୱମେଧ ଯଜ୍ଞ ହେଲା, ତାହାର ଘୋଡ଼ାକୁ ରାମଙ୍କର ଦୁଇ ପୁଅ ଲବ ଓ କୁଶ ଅଟକାଇବାରୁ ଯୁଦ୍ଧ ହୋଇଥିଲା । ସେଥିରେ ଶତ୍ରୁଘ୍ନ ଆହତ ହେଲେ । ସେତେବେଳେ ମଧ୍ୟ ହନୁମାନ ହିମାଳୟରୁ 'ଦ୍ରୋଣ' ନାମକ ଔଷଧି ଆଣିବାରୁ ଶତ୍ରୁଘ୍ନଙ୍କ ପ୍ରାଣରକ୍ଷା ହୋଇଥିଲା ।

ଲଙ୍କାରେ ରାମ-ରାବଣ ଯୁଦ୍ଧ ଚାଲିଥିବା ବେଳେ ହନୁମାନ ସମସ୍ତଙ୍କୁ ସୁରକ୍ଷାର ବଳୟ ମଧ୍ୟରେ ରଖୁଥିଲେ । ପ୍ରଥମ ଦିନର ଯୁଦ୍ଧରେ ରାବଣ ତାର ଧନୁ ହରାଇଲା । ମାତ୍ର ତା' ହାତରେ ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ନଥିବାରୁ ରାମ ତାକୁ ଛାଡ଼ିଦେଲେ । ଦ୍ୱିତୀୟ ଦିନର ଯୁଦ୍ଧରେ ସେ ପାତାଳରାବଣ ଓ କୁମ୍ଭୋଦରକୁ ଆଣି ଯୁଦ୍ଧକ୍ଷେତ୍ରକୁ ଆସିଲା । ସେ ଦୁହେଁ ରାତିରେ ଲୁଚି ଲୁଚି ରାମଙ୍କ ଶିବିରରେ ପ୍ରବେଶ କରିବାକୁ ଚାହିଁଲେ । ମାତ୍ର ହନୁମାନ ତାଙ୍କ ଲାଙ୍ଗୁଡ଼ରେ ଗଡ଼ ନିର୍ମାଣ କରି ସମସ୍ତଙ୍କୁ ରଖିଥିବାରୁ ସେଥିରେ ସଫଳ ହେଲେନାହିଁ । ଅନ୍ୟ ଉପାୟ ନଦେଖି ଦୁହେଁ ପାତାଳକୁ ଚାଲିଯାଇ ସେଠାରୁ ସୁଡ଼ଙ୍ଗ କରି ଶିବିର ଭିତରକୁ ପଶିଲେ ଏବଂ ରାମଚନ୍ଦ୍ର ଓ ଅନ୍ୟମାନଙ୍କୁ ସମ୍ମୋହନ ଦ୍ୱାରା ଅଚେତ କରି ପାତାଳକୁ ନେଇଗଲେ । ପାତାଳର ମହାକାଳୀଙ୍କ ନିକଟରେ ସେମାନଙ୍କୁ ବଳିଦେବାକୁ ଯୋଜନା କଲେ । ତାହା ଜାଣିପାରି ବିଭୀଷଣଙ୍କ ନେତୃତ୍ୱରେ ସୁଗ୍ରୀବ ଓ ଅନ୍ୟମାନେ ସୁଡ଼ଙ୍ଗବାଟେ ଯାଇ ସେଠାରେ ପହଞ୍ଚିଲେ ଓ ସେମାନଙ୍କ ସହ ଯୁଦ୍ଧ କଲେ । ଯୁଦ୍ଧରେ ଅଙ୍ଗଦ ମହୋଦରକୁ ଏବଂ ହନୁମାନ ପାତାଳ ରାବଣକୁ ମାରିଦେଲେ । ରାମଚନ୍ଦ୍ର ଓ ଅନ୍ୟମାନେ ମୁକ୍ତ ହେଲେ । ପାତାଳ ରାବଣର ଏକମାତ୍ର ପୁଅ ସୁମାଳି ପାତାଳର ରାଜା ହେଲା ।

ଏହିପରି ହନୁମାନ ଲଙ୍କାରେ ରାମ-ରାବଣ ଯୁଦ୍ଧରେ ବହୁ ବୀରତ୍ୱ ଓ ପରାକ୍ରମ ପ୍ରଦର୍ଶନ କରିଥିଲେ । ଶେଷରେ ରାବଣ ମଲା । ଲଙ୍କାପୁରୀରୁ ସୀତା ଉଦ୍ଧାର ହେଲେ । ବିଭୀଷଣ ଲଙ୍କାର ରାଜା ହେଲେ ।

ତେବେ ହନୁମାନ କେବଳ ଯେ ଅମିତ ପରାକ୍ରମୀ ବୀର, ତାହା ନୁହେଁ । ହନୁମାନ ମଧ୍ୟ ଖୁବ୍ ସଂଗୀତାନୁରାଗୀ ଥିଲେ । ଅଦ୍ଭୁତ ରାମାୟଣରେ ଏ ସଂପର୍କରେ ଗୋଟିଏ ସୁନ୍ଦର କାହାଣୀ ଅଛି । ଥରେ ନାରଦ ହନୁମାନଙ୍କୁ ସାକ୍ଷାତ୍ କରିବାକୁ ଆସିଲେ । ତାଙ୍କୁ ଦେଖି, ତାଙ୍କର ପ୍ରଶସ୍ତିରେ ହନୁମାନ ଗୋଟିଏ ଗୀତ ଗାଇଲେ । ସେହି ଗୀତ ଶୁଣିବାବେଳେ ନାରଦ ନିଜର ବୀଣାଟିକୁ ଗୋଟିଏ ପଥର ଉପରେ ରଖି ଦେଇଥିଲେ । ହନୁମାନଙ୍କ ଗୀତ ଏତେ ପ୍ରଭାବଶାଳୀ ଥିଲା ଯେ ସେଥିରେ ସେହି ପଥର ତରଳିଗଲା ଏବଂ ବୀଣାଟି ସେଥିରେ ବୁଡ଼ିଗଲା । ହନୁମାନ ଗୀତ ବନ୍ଦ କରିଦେବାରୁ ପଥର ପୁଣି ଟାଣ ହୋଇଯାଇ ବୀଣାଟି ପଥର ଭିତରେ ରହିଗଲା । ନାରଦ ଭାବିଲେ, ସେ ଗୀତ ଗାଇ ପଥରକୁ ତରଳାଇ ଦେବେ ଏବଂ ବୀଣାଟିକୁ ଉଦ୍ଧାର କରିବେ । ମାତ୍ର ସେ ଯେତେ ଗୀତ ଗାଇଲେ ମଧ୍ୟ ପଥର ତରଳିଲା ନାହିଁ । ଫଳରେ ହନୁମାନ ଆଉ ଥରେ ଗୀତ ଗାଇଲେ । ପଥର ପୁଣି ତରଳିଗଲା ଏବଂ ନାରଦ ତାଙ୍କ ବୀଣାଟିକୁ ଫେରିପାଇଲେ । ଏହିପରି ହନୁମାନ ନାରଦଙ୍କୁ ମଧ୍ୟ ସଂଗୀତରେ ପରାସ୍ତ କରିପାରିଥିଲେ ।

ବାଲ୍ୟାବସ୍ଥାରେ ପାଇଥିବା ଆଶୀର୍ବାଦ ଫଳରେ ହନୁମାନ ବ୍ରହ୍ମାଙ୍କ ପରି ଆୟୁଷ ପାଇଥିଲେ । ସାରା ଜୀବନ ବିଷ୍ଣୁଭକ୍ତ ହୋଇ ରହିଥିଲେ । ବିଷ୍ଣୁଙ୍କ ରାମାବତାରର ଶେଷ ଦିନ ପର୍ଯ୍ୟନ୍ତ ସେ ତାଙ୍କର ସେବକ ରୂପେ ଥିଲେ । ଶେଷରେ ପରିଣତ ବୟସରେ ଯାଇ କଦଳୀ ବନରେ ରହିଲେ ।

ଏହି କଦଳୀ ବନରେ ଅବସ୍ଥାନ କଲାବେଳେ ଥରେ ଭୀମଙ୍କ ସହ ତାଙ୍କର ଦ୍ୱନ୍ଦ୍ୱ ହୋଇଥିଲା । ପାଣ୍ଡବମାନଙ୍କ ଅଜ୍ଞାତବାସ କାଳର କଥା । ଥରେ ଭୀମ ସୌଗନ୍ଧିକ ପୁଷ୍ପ ବା ବ୍ରହ୍ମକମଳ ସନ୍ଧାନରେ ଯିବା ବେଳେ, ବାଟରେ ହନୁମାନଙ୍କ ଲାଞ୍ଜ ପଡ଼ିରହିଥିବାର ଦେଖିଲେ । ଭୀମ ତାଙ୍କୁ ବାଟ ଛାଡ଼ି ଦେବାକୁ କହିଲେ । ହନୁମାନ କହିଲେ, ଲାଞ୍ଜକୁ ଆଡେ଼ଇ ଦେଇ ଚାଲିଯାଅ । ମାତ୍ର ଭୀମ ଶତଚେଷ୍ଟା କଲେ ମଧ୍ୟ ତାଙ୍କ ଲାଞ୍ଜଟିକୁ ଟେକି ପାରିଲେ ନାହିିଁ । ଭୀମ ବୁଝିପାରିଲେ, ଏହି ବୃଦ୍ଧ ବାନର ସାଧାରଣ ମାଙ୍କଡ଼ ନୁହଁନ୍ତି । ସେ ତାଙ୍କୁ ପ୍ରଣାମ କରିବା ପରେ ହନୁମାନ ନିଜ ପରିଚୟ ଦେଇ ତାଙ୍କୁ ବ୍ରହ୍ମକମଳ ପାଇବାର ପଥ ବତାଇ ଦେଇଥିଲେ ।

ଅର୍ଜୁନଙ୍କ ରଥର ଧ୍ୱଜାରେ ହନୁମାନ ଅବସ୍ଥାନ କରନ୍ତି । ଏହା ପଛରେ ମଧ୍ୟ ଗୋଟିଏ ସୁନ୍ଦର କାହାଣୀ ଅଛି । ପାଣ୍ଡବମାନେ ଅଜ୍ଞାତବାସରେ ଥିବାବେଳେ ଥରେ ଅର୍ଜୁନ ବୁଲୁବୁଲୁ ସେତୁବନ୍ଧକୁ ଦେଖି ଭାବିଲେ, ଛାର ମାଙ୍କଡ଼ମାନଙ୍କୁ ନେଇ ଶ୍ରୀରାମ ଏତେ କଷ୍ଟକରି ସେତୁବନ୍ଧ ବାନ୍ଧିବା କି ଦରକାର ଥିଲା ? ଗୋଟିଏ ତୀର ମାରି ତ ସେତୁବନ୍ଧ ବାନ୍ଧି ଦେଇ ହୋଇଥାନ୍ତା ! ସେ ସେହି ପ୍ରଶ୍ନଟିକୁ ପାଖରେ ବସି ରାମାୟଣ ପଢ଼ୁଥିବା ଜଣେ ପଣ୍ଡିତଙ୍କୁ ପଚାରିଲେ । ସେ

ତାହାର ଉତ୍ତର ଦେଇ ପାରିଲେନି । ଏତିକିବେଳେ ଗୋଟିଏ ଛୁଆ ମାଙ୍କଡ଼ ଆସି କହିଲା, ତୀର ମାରି ସେତୁବନ୍ଧ ବାନ୍ଧିଦେଇ ହୋଇଥାନ୍ତା ସିନା, କିନ୍ତୁ ମାଙ୍କଡ଼ ଚଢ଼ିଲେ ତାହା ଭାଙ୍ଗିଯାଇଥାନ୍ତା ।

ଅର୍ଜୁନ ସେଥିରେ ରାଜି ହେଲେନି । ଫଳରେ ଜିଦାଜିଦି ପଡ଼ିଲା । ଅର୍ଜୁନ କହିଲେ, ଯଦି ମାଙ୍କଡ଼ ଚଢ଼ିଲେ ମୋ ତିଆରି ତୀରବନ୍ଧ ଭାଙ୍ଗିଯିବ, ତେବେ ଅଗ୍ନି ଜାଳି ମୁଁ ସେଥିରେ ଆତ୍ମାହୁତି ଦେବି । ଆଉ ମାଙ୍କଡ଼ ଚଢ଼ିଲେ ଯଦି ତୀରବନ୍ଧ ନ ଭାଙ୍ଗିବ, ତେବେ ତୁମେ ମୋର ଦାସ ହୋଇ ରହିବ । ଅର୍ଜୁନ ତୀର ମାରି ବନ୍ଧ ତିଆରି କଲେ । ମାତ୍ର ମାଙ୍କଡ଼ ଛୁଆଟି ଚଢ଼ିବା ମାତ୍ରେ ତାହା କଡ଼ମଡ଼ ହୋଇ ଭାଙ୍ଗିଗଲା ।

ତାହା ଦେଖି ଅର୍ଜୁନ ଅଗ୍ନି ଜାଳି ଆତ୍ମାହୁତି ଦେବାକୁ ଯାଉଛନ୍ତି, ସମୁଦ୍ରରେ ସ୍ନାନ କରୁଥିବା ଜଣେ ବ୍ରାହ୍ମଣ ବାଳକ ଆସି କହିଲା, ଦୁଇଜଣଙ୍କ ଜିଦାଜିଦିରେ ଜଣେ ମଧ୍ୟସ୍ଥ ନରହିଲେ ଜିଦାଜିଦିର କିଛି ମୂଲ୍ୟ ନାହିଁ । ଏବେ ମୁଁ ମଧ୍ୟସ୍ଥି ହେଲି, ଆଉଥରେ ପରୀକ୍ଷା ହେଉ ।

ଏଥର ଅର୍ଜୁନ ପୁଣିଥରେ ତୀର ମାରି ବନ୍ଧ ତିଆରି କରିଦେଲେ । ମାତ୍ର ମାଙ୍କଡ଼ଛୁଆଟି ଯେତେ ନାଚକୁଦ କଲେ ବି ସେ ବନ୍ଧ ଭାଙ୍ଗିଲା ନାହିଁ । ସେଇଠୁ ସେ ବିରାଟ ଆକାର ଧାରଣ କରି ତୀରବନ୍ଧ ଉପରେ ନାଚିଲା । ମାତ୍ର ବନ୍ଧର କିଛି ହେଲା ନାହିଁ ।

ସେହି ବ୍ରାହ୍ମଣ ପିଲା ପ୍ରକୃତରେ ଥିଲେ ଶ୍ରୀକୃଷ୍ଣ, ଆଉ ମାଙ୍କଡ଼ ଛୁଆଟି ହନୁମାନ । ଏହି ଦ୍ୱନ୍ଦ୍ୱ ଯୁଦ୍ଧରେ କେହି ହାରିଲେ ନାହିିଁ କି କେହି ଜିତିଲେ ନାହିଁ । ଏଣୁ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ ଅନୁସାରେ ହନୁମାନ ଯାଇ ଅର୍ଜୁନଙ୍କ ରଥର ପତାକାରେ ରହିଲେ । ସେହିଦିନୁ ଅର୍ଜୁନଙ୍କ ରଥର ନାଆଁ ହେଲା 'କପିଧ୍ୱଜ' । ପୁରୀ ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ରଥଧ୍ୱଜାରେ ମଧ୍ୟ ନୁମାନ ରହନ୍ତି । ତେଣୁ ନନ୍ଦିଘୋଷ ରଥର ପତାକାର ନାଆଁ ବି 'କପିଧ୍ୱଜ' ।

ଏହିପରି ହନୁମାନ ବାନର କୁଳରେ ଜାତ ହେଲେହେଁ ନିଜର ରୂପ, ଗୁଣ, ବଳ, ବୀରତ୍ୱ, ପ୍ରଭୁଭକ୍ତି, ଚରିତ୍ର ଓ ଜ୍ଞାନବଳରେ କାଳକାଳକୁ ଦେବତା ରୂପେ ପୂଜା ପାଇ ଆସୁଛନ୍ତି । ତାଙ୍କୁ ସ୍ମରଣ କଲେ ସବୁ ସଂକଟ ମୋଚନ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।

ଏଣୁ ତାଙ୍କର ଗୋଟିଏ ଧ୍ୟାନଶ୍ଳୋକରେ କୁହାଯାଇଛି-

ଅତୁଳିତ ବଳଧାମଂ ହେମ ଶୈଳାଭଦେହଂ ।
ଦନୁଜବନ କୃଶାନୁଂ ଜ୍ଞାନିନାମଗ୍ରଗଣ୍ୟମ୍ ॥
ସକଳ ଗୁଣନିଧାନଂ ବାନରାଣାମଧୀଶଂ ।
ରଘୁପତି ପ୍ରିୟଭକ୍ତଂ ବାତଜାତଂ ନମାମି ॥