ଆମ ପାରଳା ମହାରାଜା/ଆମ ପାରଳା ଗଜପତି

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ପାରଳା ମହାରାଜା ଲେଖକ/କବି: ସତ୍ୟ ନାରାୟଣ ମହାପାତ୍ର
ଆମ ପାରଳା ଗଜପତି

ଆମ ପାରଳା ଗଜପତି

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଇତିହାସରେ ଯେଉଁ ଦେଶପ୍ରାଣ ନେତୃବୃନ୍ଦଙ୍କୁ ଭକ୍ତିପୂତ ଶ୍ରଦ୍ଧା ନିବେଦନ ଅର୍ପଣ କରାନଗଲେ ଏ ଜାତି ଅକୃତଜ୍ଞ ହୋଇ ରହିଯିବ, ସେହିମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ଅତୀତର ରାଜରାଜୁଡ଼ା ଶାସନକାଳରେ ବିଭିନ୍ନ ଆଞ୍ଚଳିକ ରାଜବଂଶ ବିଭିନ୍ନ ଉପାଧିରେ ଭୂଷିତ ଥିଲେ । ଦିଲ୍ଲୀ ସମ୍ରାଟ, ବଙ୍ଗ ନବାବ, ହାଇଦ୍ରାବାଦ ନିଜାମ, ପାତିଆଲା ମହାରାଜା, ଆଗ୍ରା ସୁଲତାନ ଇତ୍ୟାଦି ସଂଜ୍ଞାଗୁଡ଼ିକ ବିଭିନ୍ନ ରାଜପରିବାର ସହିତ ସଂପୃକ୍ତ ଥିଲା । ପୁରୀ ରାଜବଂଶ ମଧ୍ୟ ସେହିଭଳି ଭାବରେ "ଗଜପତି" ରୂପେ ଚିହ୍ନିତ ହେଉଥିଲେ । ବର୍ତ୍ତମାନ ସୁଦ୍ଧା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ପୁରୀ ରାଜା ସେଇ "ଗଜପତି" ଭାବେ ପାରିବାରିକ ସୂତ୍ରରେ ଏବଂ ପାରମ୍ପରିକ ରୂପେ ସ୍ୱୀକୃତ । କିନ୍ତୁ ଏସବୁର ଏକ ବ୍ୟତିକ୍ରମ ଲକ୍ଷଣୀୟ ଜଣେ ମାତ୍ର ପାରଳା ମହାରାଜାଙ୍କ ନିକଟରେ । "ପାରଳା ଗଜପତି" କିମ୍ବା "ପାରଳା ମହାରାଜା" ଉଚ୍ଚାରଣରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଖେମଣ୍ଡି ରାଜବଂଶର ୨୮ ଜଣ ରାଜାଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ରାଜାଙ୍କ ସୁସ୍ପଷ୍ଟ ପ୍ରତିଛବି ସଂସ୍ମରଣକୁ ଚାଲିଆସିଥାଏ ଏବଂ ସେଇ ଜଣକ ହେଉଛନ୍ତି ମହାରାଜା ଶ୍ରକୃଷ୍ଣଚନ୍ଦ୍ର ଗଜପତି ।

କୌଣସି ରାଜବଂଶ ପାଇଁ ରାଜା ବା ମହାରାଜା ଶବ୍ଦ ତ ଅତି ସାଧାରଣ । ତେବେ ବାସ୍ତବରେ ଦେଖିବାକୁ ଗଲେ "ଗଜପତି" ଶବ୍ଦଟି ମଧ୍ୟ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପୂର୍ବ ପୁରୁଷଗଣଙ୍କ ମଧ୍ୟରୁ ଅନେକେ ବ୍ୟବହାର କରିଥିଲେ । ତାଙ୍କ ବଂଶର ଏଗାରତମ ଖେମଣ୍ଡି ରାଜା ଚନ୍ଦ୍ରବେତାଳ ଭାନୁଦେବ ମଧ୍ୟ ଜଣାଶୁଣା ଥିଲେ ଚନ୍ଦ୍ରମୌଳି ଗଜପତି ହିସାବରେ । ସେତେବେଳେ ଖେମଣ୍ଡି ରାଜବଂଶ ରାଜୁତି କରୁଥିଲେ ନଗରୀ କଟକ ରୂପେ ପରିଚିତ କଳିଙ୍ଗନଗର ରାଜଧାନୀରୁ । ପୁଣି ସେଠିକାର ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ରାଜାଙ୍କର ନାମ ସହିତ "ଗଜପତି

ନାରାୟଣ ଦେବ' ଯୁକ୍ତ ହୋଇଥିଲା । ସେଠାରୁ ରାଜଧାନୀ ପୁରୁଣା ପାଟଣାକୁ ସ୍ଥାନାନ୍ତରିତ ହେବା ପରେ ସେଠାରେ ରାଜତ୍ୱ କରୁଥିବା ଷୋଡ଼ଶ ଏବଂ ସପ୍ତଦଶ ରାଜା ମଧ୍ୟ ଯଥାକ୍ରମେ ମୁକୁନ୍ଦ ଗଜପତି ତଥା ଅନନ୍ତ ପଦ୍ମନାଭ ଗଜପତି ନାରାୟଣ ଦେବ ନାମରେ ସ୍ୱୀକୃତ ଥିଲେ । ତତ୍‍ ପରେପରେ ରାଜଧାନୀ ବର୍ତ୍ତମାନର ପାରଳା ସହରକୁ ସ୍ଥାନାନ୍ତରିତ ହୋଇଥିଲା । ଉଭୟ ରାଜଧାନୀରୁ କିଛିକିଛି କାଳ ରାଜତ୍ୱ କରିଥିବା ବୀର ପ୍ରତାପରୁଦ୍ର ନାରାୟଣ ଦେବଙ୍କଠାରୁ ଆରମ୍ଭ କରି ସେଇ ସିଂହାସନରେ ଶେଷ ରାଜା କୃଷ୍ଣଚନ୍ଦ୍ରଙ୍କ ପର୍ଯ୍ୟନ୍ତ ସମସ୍ତ ସାତଜଣ ରାଜାଙ୍କ ନାମ ସହିତ "ଗଜପତି' ପଦଟି ଯୁକ୍ତ ହୋଇଥିଲା । ତେବେ ବାସ୍ତବରେ "ଗଜପତି' ଶବ୍ଦଟି ସଂପୃକ୍ତ ରାଜନ୍ୟବର୍ଗଙ୍କ ନାମର କେବଳ ଅଂଶ ବିଶେଷ ଥିଲା । ହେଲେ ସେହି ପଦଟି ସତେ ଯେମିତି ଏକ ପଦବୀରେ ପରିଣତ ହୋଇ ଯାଇଥିଲା ମହାରାଜା କୃଷ୍ଣଚନ୍ଦ୍ରଙ୍କ ପାଇଁ । କେବଳ ଖେମଣ୍ଡି ରାଜ୍ୟରେ କାହିଁକି, ସାରା ଓଡ଼ିଶାର ଲୋକେ ଏକ ସମ୍ମାନାସ୍ପଦ ଉପାଧି ଭଳି 'ଗଜପତି' ଶବ୍ଦଟିକୁ ବ୍ୟବହାର କରୁଥିଲେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପାଇଁ । ତାହାଙ୍କୁ ସ୍ମରଣ କରିବାପାଇଁ ପାରଳା ଗଜପତି ହିଁ ଯଥେଷ୍ଟ ହେଉଥିଲା ଏବଂ ଆଜି ମଧ୍ୟ ସେ ସେହିଭଳି ଭାବରେ ହିଁ ଉକ୍ରଳୀୟ ଜନମାନସରେ ପ୍ରତିଷ୍ଠିତ ।

ବାସ୍ତବରେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ଥିଲେ ଗଙ୍ଗବଂଶୀ ସ୍ୱାଭିମାନର ପ୍ରତୀକ । ସେହି ବଂଶର ରାଜାଗଣ ତ୍ରିକଳିଙ୍ଗ ସାମ୍ରାଜ୍ୟ ଗଠନକରି ପୁରାତନ କଳିଙ୍ଗ ରାଜ୍ୟକୁ କେନ୍ଦ୍ର ରୂପେ ନେଇ ଦୁଇଟି ପର୍ଯ୍ୟାୟରେ କଳିଙ୍ଗ ନଗର ରାଜଧାନୀରୁ ରାଜ୍ୟଶାସନ କରିଥିଲେ ଦୀର୍ଘକାଳ । ପ୍ରଥମ ପର୍ଯ୍ୟାୟରେ ସେମାନେ ଯଦିବା ୪୯୮ ମସିହାରୁ କଳିଙ୍ଗ ଶାସନ ଆରମ୍ଭ କରିଥିଲେ ତଥାପି ପ୍ରାୟ ପ୍ରଥମ ୨୦/୨୫ ବର୍ଷ କାଳ ଯୁଦ୍ଧଜନିତ ଅସ୍ଥିରତା ଭିତରେ ରହିବା ପରେ ପ୍ରାୟ ୫୨୦ ମସିହାରୁ ୮୧୦ ମସିହା ପର୍ଯ୍ୟନ୍ତ କଳିଙ୍ଗର ଶାସନକଳକୁ ଅକ୍ତିଆର କରିଥିଲେ । ତତ୍‍‌ପରେ ଦକ୍ଷିଣ କୋଶଳର କେଶରୀ ରାଜାଗଣଙ୍କ ହାତକୁ ଚାଲିଯାଇଥିଲା କଳିଙ୍ଗ/ତ୍ରିକଳିଙ୍ଗର ଶାସନ । କିନ୍ତୁ କିଛି କାଳର ନୀରବତା ପରେ ପୁଣି ୮୯୪ ମସିହାରୁ ସେଇ ଗଙ୍ଗବଂଶୀ ରାଜାଗଣ ପୁଣି ଥରେ କ୍ଷମତା ଅପହରଣ କରି ଆଣିଥିଲେ ସେମାନଙ୍କଠାରୁ । ତତ୍‍‌ପରଠାରୁ ନିରଙ୍କୁଶ ଭାବରେ ସେମାନେ କେବଳ ଶାସନ କରିନଥିଲେ, ତାହାର ଚତୁର୍ଦ୍ଦିଗରୁ ବିସ୍ତୀର୍ଣ୍ଣ ଅଞ୍ଚଳ ଜୟକରି କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ଗଠନ କରିଥିଲେ; ସମଗ୍ର ଭାରତର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳର ପ୍ରତାପଶାଳୀ ଶାସକ ରୂପେ ପରିଗଣିତ ହୋଇଥିଲେ । ବିଶେଷକରି ସେହି ବଂଶର ସର୍ବାଧିକ ବଳଶାଳୀ ରାଜା ହିସାବରେ ଚୋଡ଼ଗଙ୍ଗଦେବଙ୍କ ନାମ ସହିତ ମହାରାଜାଧିରାଜ/ ତ୍ରିକଳିଙ୍ଗାଧିତି/ ରାଜପରମେଶ୍ୱର ଇତ୍ୟାଦି ଉପାଧିମାନ ଯୁକ୍ତ ହେଉଥିଲା ।

ସେହି ଭାରତ ବିଖ୍ୟାତ ଗଙ୍ଗବଂଶର ଉତ୍ପତ୍ତି କାହିଁ କେଉଁ ସୁଦୂର ଅତୀତରେ ଗଙ୍ଗାନଦୀ କୂଳରୁ ହୋଇଥିଲା । ସମ୍ଭବତଃ ସେଇଥିାଇଁ ହିଁ ସେହି ବଂଶର ସେହିଭଳି ନାମକରଣ ।

ପୁଣ୍ୟତୋୟା ଗଙ୍ଗାକୂଳରେ, ଅତି ପୁରାତନ କାଳରେ ଗଙ୍ଗା ନାମରେ ଏକ ଗୋଷ୍ଠୀର ବ୍ୟକ୍ତିବୃନ୍ଦ ବସବାସ କରି ରହୁଥିଲେ । ସେମାନେ ଜାତିରେ ଥିଲେ ବ୍ରାହ୍ମଣ । ସମୟର ତାଳେତାଳେ ଉତ୍ତରରେ ଗଙ୍ଗାନଦୀ କୂଳରୁ ଦକ୍ଷିଣରେ ଦାମୋଦର ନଦୀ ପର୍ଯ୍ୟନ୍ତ ଏବଂ ପୂର୍ବରେ ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରୁ ଆରମ୍ଭ କରି ପଶ୍ଚିମରେ ମଗଧରାଜ୍ୟ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ ହୋଇଥିଲା ସେମାନଙ୍କର ବାସସ୍ଥଳୀ । ସେମାନଙ୍କର ସେହି ସ୍ଥିତି ଥିଲା ଖ୍ରୀ.ପୂ. ୩୦୦ ଶତାବ୍ଦୀ ବେଳକୁ ପରିବ୍ରାଜକ ମେଘାସ୍ଥିନିସ୍‍ ଭାରତ ଭ୍ରମଣରେ ଆସିଥିବା ବେଳେ । ହେଲେ ତତ୍‍ପରବର୍ତ୍ତୀ ପରିବ୍ରାଜକ ପ୍ଲିନିଂଙ୍କ ଖ୍ରୀ. ୭୭ର ବିବରଣୀ ଅନୁଯାୟୀ ସେମାନେ କାଳକ୍ରମେ ପୂରାପୂରି ଭାବେ ଭାରତର ଦକ୍ଷିଣାଞ୍ଚଳକୁ ଚାଲି ଯାଇଥିଲେ । ବିଶାଖାପାଟଣାର ଦକ୍ଷିଣାଞ୍ଚଳଗୁଡ଼ିକରେ ଆପଣାର ବସତିମାନ ସ୍ଥାପନ କରିଥିଲେ ।

କାଳଚକ୍ରରେ ସେହି ଗଙ୍ଗ ଜାତି ବିଭିନ୍ନ ଭାଗରେ ବିଭକ୍ତ ହୋଇଯାଇଥିଲେ ସ୍ୱାଭାବିକ କାରଣରୁ । ହେଲେ ଇତିହାସରେ ମାତ୍ର ଦୁଇଟି ଶାଖାର ବିବରଣୀ ପ୍ରାପ୍ତ ହୋଇଥାଏ । ଗୋଟିଏ ଶାଖା ପଞ୍ଚମ ଶତାବ୍ଦୀର ପ୍ରଥମ ଭାଗରେ ମହୀଶୂରର ପୁନ୍ନାତ-ପନ୍ନାତ୍‍ ଅଞ୍ଚଳରେ ରାଜୁତି କରିବା ବେଳେ ଅନ୍ୟ ଶାଖାଟି ବର୍ତ୍ତମାନ ଓଡ଼ିଶାର ତ୍ରିକଳିଙ୍ଗ ଅଞ୍ଚଳରେ ଶାସନକଳ ଅକ୍ତିଆର କରିଥିବାର ପ୍ରମାଣ ମିଳେ ସେଇ ଶତାବ୍ଦୀର ଶେଷ ଭାଗରେ । ମହୀଶୂର ଶାଖା ଜାହ୍ନବୀୟ ପଶ୍ଚିମାଞ୍ଚଳ ଗଙ୍ଗ ହିସାବରେ ଇତିହାସରେ ଗୃହୀତ ହୋଇଥିବା ବେଳେ ସେମାନଙ୍କ ଉକ୍ରଳୀୟ ବଂଶଧରଗଣ ପରିଚିତ ହୋଇଥିଲେ ପୂର୍ବାଞ୍ଚଳ ଗଙ୍ଗ ଶାଖା ହିସାବରେ ।

ପ୍ରଥମାବସ୍ଥାରେ ଗଙ୍ଗମାନେ ବ୍ରାହ୍ମଣବଂଶୀୟ ଥିଲେ ସୁଦ୍ଧା ତତ୍‍କାଳୀନ ପରିସ୍ଥିତିରେ ଜାତିପ୍ରଥା ନେଇ ବିଶେଷ ଦୃଢ଼ ତଥା ଟାଳଟୁଳ ନୀତି ସମାଜରେ ପ୍ରଚଳିତ ନଥିଲା । ସମ୍ଭବତଃ ସେହି କାରଣରୁ ସେମାନେ କାଳକ୍ରମେ କ୍ଷତ୍ରିୟ ବଂଶରେ ପରିଣତ ହୋଇଯାଇଥିଲେ । ସ୍ପଷ୍ଟ ଅନୁମେୟ ଯେ ସେମାନେ ସେମାନଙ୍କ ଆଦିବାସସ୍ଥାନ ଗଙ୍ଗାନଦୀକୂଳରୁ ଦାକ୍ଷିଣାତ୍ୟର ସୁଦୂର ମହୀଶୂର ଅଞ୍ଚଳକୁ ଯାତ୍ରାକରି ସେଠାରୁ ଗୋଟିଏ ଶାଖା ବର୍ତ୍ତମାନର ଓଡ଼ିଶା ଅଞ୍ଚଳକୁ ଆସିଥିଲେ । ଏହାକୁ ଅନେକ ଐତିହାସିକ ସ୍ୱୀକୃତି ଦେଉଥିଲେ ସୁଦ୍ଧା ଅନ୍ୟ କେତେକଙ୍କ ମତରେ ବାସ୍ତବରେ ଉଭୟ ଗଙ୍ଗଶାଖା ପରସ୍ପରଠାରୁ ପୃଥକ୍‍ ।

ପଞ୍ଚମ ଶତାବ୍ଦୀର ଶେଷ ଭାଗରେ କଳିଙ୍ଗରେ ରାଜତ୍ୱ କରୁଥିଲେ ଶୈଳୋଦ୍‍ଭବ ରାଜନ୍ୟବର୍ଗ । ହେଲେ ପଡେ଼ାଶୀ ଭକଟକ ରାଜ୍ୟର ରାଜା ହରିସେନାଙ୍କ ସହିତ ସେମାନଙ୍କର ଶତ୍ରୁତା ଲାଗି ରହିଥିଲା । ତେଣୁ ହରିସେନା ପଡେ଼ାଶୀ ରାଜ୍ୟରେ ତାଙ୍କର ଶତ୍ରୁଗଣଙ୍କୁ ହଟାଇ ନିଜପାଇଁ ସମର୍ଥନ ଯୋଗାଡ଼ ଉଦ୍ଦେଶ୍ୟରେ ଗଙ୍ଗବଂଶୀ ରାଜାଗଣଙ୍କୁ ସେଠାରେ ପ୍ରତିଷ୍ଠିତ କରାଇବାରେ ସଫଳକାମ ହୋଇଥିଲେ । ତାହାହିଁ ଥିଲା କଳିଙ୍ଗରେ ଗଙ୍ଗ ରାଜତ୍ୱର ପ୍ରାରମ୍ଭ । ସେହିଭଳି ଭାବରେ ଗଙ୍ଗରାଜତ୍ୱର ପ୍ରତିଷ୍ଠାର ପ୍ରାରମ୍ଭ ନେଇ ଓଡ଼ିଶା ଇତିହାସକାର ଡକ୍ଟର ମହତାବ

ଭାରତର ଅନ୍ୟତମ ବିଶିଷ୍ଟ ଇତିହାସବିଦ୍‍ ଭି.ଭି. ମିରାଶୀ ତଥା ବି.ଭି. କେ. ରାଓଙ୍କ ସହିତ ମତ ମିଳାଇ ୪୯୮ ଖ୍ରୀଷ୍ଟାବ୍ଦକୁ ହିଁ ଗ୍ରହଣ କରିଥିବା ବେଳେ ଅନ୍ୟତମ ଉତ୍କଳୀୟ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାକୁ ୪୯୬ ବୋଲି ଦୃଢ଼ ମତ ପୋଷଣ କରନ୍ତି । ସେ ଯାହାହେଉ, ସେହି ସମୟରେ ହିଁ ହରିସେନାଙ୍କ ସହାୟତାକ୍ରମେ କଳିଙ୍ଗରେ ଗଙ୍ଗବଂଶର ଉତ୍‍ଥାନ ସହିତ ନୂତନ କରି ତ୍ରିକଳିଙ୍ଗ ରାଜ୍ୟ ମଧ୍ୟ ଗଠିତ ହୋଇଥିଲା । ରାଜଧାନୀ ହୋଇଥିଲା 'ଦନ୍ତପୁର' । ତାହା ବର୍ତ୍ତମାନର ଆନ୍ଧ୍ରପ୍ରଦେଶାନ୍ତର୍ଗତ ଚିକାକୋଲ ରେଳଷ୍ଟେସନ୍‍ ନିକଟବର୍ତ୍ତୀ ଏରେଣ୍ଡାପଲ୍ଲୀ ତଥା ଅମୁଦଲବାଲ୍‍ସା ପାଶ୍ୱର୍ସ୍ଥ 'ଦନ୍ତଭରପୁକୋଟା' ।

ଅନେକ ଉତ୍‍ଥାନ ପତନ ଭିତରେ ପଡେ଼ାଶୀ ରାଜ୍ୟଗୁଡ଼ିକର ବାରମ୍ବାର ଆକ୍ରମଣ ତଥା ପ୍ରତି ଆକ୍ରମଣକୁ ପ୍ରତିହତ କରି ଗଙ୍ଗାରାଜାଗଣ ତ୍ରିକଳିଙ୍ଗର ଶାସନ କ୍ଷମତା ନିଜ ଦଖଲରେ ହିଁ ରଖିବାରେ ସମର୍ଥ ହୋଇଥିଲେ । ରାଜଧାନୀ ଦନ୍ତପୁରରୁ କଳିଙ୍ଗନଗରକୁ ସ୍ଥାନାନ୍ତର ହୋଇଥିଲା । ବର୍ତ୍ତମାନର ବଂଶଧାରା ନଦୀ ଉପକୂଳବର୍ତ୍ତୀ ମୁଖଲିଙ୍ଗମ୍‍ ଓ ନଗରୀ କଟକ ମଧ୍ୟବର୍ତ୍ତୀ ଅଞ୍ଚଳ ହିଁ ଥିଲା କଳିଙ୍ଗ ନଗର । ସେଠାରୁ ପ୍ରଥମ ପାଦର ଗଙ୍ଗରାଜାଗଣ ପ୍ରାୟ ତିନିଶହ ବର୍ଷକାଳ (ପ୍ରାୟ ୮୧୦ ମସିହା ପର୍ଯ୍ୟନ୍ତ) ତ୍ରିକଳିଙ୍ଗ ନାମରେ ନାମିତ ସମଗ୍ର କଳିଙ୍ଗ ଅଞ୍ଚଳକୁ ରାଜତ୍ୱ କରିଥିଲେ । ସେଇ ପ୍ରଥମ ପାଦର ଶେଷରାଜା ଚତୁର୍ଥ ଦେବେନ୍ଦ୍ର ବର୍ମା (୮୦୧-୮୧୦)ଙ୍କ ପରେପରେ ତ୍ରିକଳିଙ୍ଗର ରାଜନୈତିକ ପଟ୍ଟଭୂମିରୁ ଗଙ୍ଗରାଜତ୍ୱ କିଛିକାଳପାଇଁ ଅପସାରିତ ହୋଇଯାଇଥିଲା । ତାର ଏକ ମୁଖ୍ୟ କାରଣ ଥିଲା ସେତେବେଳେ ଦକ୍ଷିଣ କୋଶଳରେ ରାଜତ୍ୱ କରୁଥିବା କେଶରୀବଂଶୀୟ ରାଜନ୍ୟବର୍ଗଙ୍କ କ୍ଷମତା ବୃଦ୍ଧି । ଆପାତତଃ ସେହି ବଂଶର ଯଯାତିକେଶରୀ ସହଜରେ ତ୍ରିକଳିଙ୍ଗ ଅଧିକାର କରି 'ତ୍ରିକଳିଙ୍ଗାଧିତି' ଉପାଧିରେ ଭୂଷିତ ହୋଇଥିଲେ ଏବଂ ପରେପରେ ତାହାଙ୍କର ଉତ୍ତରାଧିକାରୀଗଣ ମଧ୍ୟ ।

ହେଲେ ସେହି ଶତାବ୍ଦୀର ଶେଷ ପାଦରେ ଗଙ୍ଗରାଜା ବଜ୍ରହସ୍ତା- ପ୍ରଥମ (୮୯୪-୯୩୮) ପୁଣି ଥରେ କେଶରୀ ରାଜାଙ୍କଠାରୁ କଳିଙ୍ଗ ଅଞ୍ଚଳ ଦଖଲ କରିନେଇଥିଲେ । ଏବଂ ସେଇ ପୁରାତନ କଳିଙ୍ଗନଗରରୁ ହିଁ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ସେତିକି ବେଳକୁ, ପ୍ରଥମ ପାଦର ଗଙ୍ଗ ରାଜାମାନଙ୍କ ଅପସାରଣ ପରେ ପରେ, କଳିଙ୍ଗ ଅଞ୍ଚଳଟି ପାଞ୍ଚ ଭାଗରେ ବିଭକ୍ତ ହୋଇଯାଇଥିଲା ଏବଂ ଗଙ୍ଗରାଜାଗଣ ମଧ୍ୟ ପାଞ୍ଚ ଭାଗରେ ବିଭାଜିତ ହୋଇ ସେଇ ବିଭିନ୍ନ ଅଞ୍ଚଳରେ ଶାସନ କରିଥିଲେ ଏବଂ ସମ୍ଭବତଃ କେଶରୀ ରାଜାଗଣଙ୍କ ଅଧୀନତା ସ୍ୱୀକାର କରିଥିଲେ ସେମାନେ । ଗଙ୍ଗରାଜା ବଜ୍ରହସ୍ତା କଳିଙ୍ଗ ଅଧିକାର କରିବା ପରେ ପରେ ସେଇ ବିଭାଜିତ ଅଞ୍ଚଳଗୁଡ଼ିକର ଏକୀକରଣ ପାଇଁ ପୁଣି ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କରି ଶାସନକାଳ ପରେ ମଧ୍ୟ ସେଇ ଉଦ୍ୟମ ଜାରି ରହିଥିଲା ଏବଂ ଇତିହାସ ସୃଷ୍ଟିକାରୀ ମହାପରାକ୍ରମୀ ଅନନ୍ତ ବର୍ମା ଚୋଳ ଗଙ୍ଗଦେବ (୧୦୭୮-୧୧୪୭)ଙ୍କ ଅମଳରେ ବିଶାଳ କଳିଙ୍ଗ ସାମ୍ରାଜ୍ୟ ଗଠିତ

ହୋଇଥିଲା । ତାହାର ବିସ୍ତୃତି ଥିଲା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ । ସେ ଉତ୍କଳକୁ ଜୟ କରିବା (୧୧୧୦-୧୧୧୨) ପରେ ପରେ ଉଭୟ ରାଜ୍ୟର ମିଶ୍ରଣ ହୋଇଯାଇଥିଲା ।

ଚୋଳଗଙ୍ଗଦେବଙ୍କ ପ୍ରଥମ ରାଜଧାନୀ ଥିଲା କଳିଙ୍ଗନଗର / ମୁଖଲିଙ୍ଗମ୍‍ । ହେଲେ ପରେ ପରେ ତାଙ୍କରି ଅଧିକୃତ ବିଶାଳ ଅଞ୍ଚଳର ସୁଶାସନପାଇଁ ୧୧୩୫ ମସିହାରେ ଆପଣାର ରାଜଧାନୀକୁ ସ୍ଥାନାନ୍ତର କରିଥିଲେ ବିଡ଼ାନାସୀ କଟକକୁ । ତେବେ କଳିଙ୍ଗ ନଗର ମଧ୍ୟ ଏକ ଶାସନକେନ୍ଦ୍ର ରୂପେ ତାଙ୍କରି ଅଧୀନରେ ହିଁ ରହିଥିଲା । ଚୋଳଗଙ୍ଗଦେବ କିନ୍ତୁ କଟକରେ ରହି ଶାସନ କାର୍ଯ୍ୟ ଚଳାଇଥିଲେ ଏବଂ ଏହା ଗଙ୍ଗ କଟକ ନାମରେ ପ୍ରସିଦ୍ଧି ଲାଭ କରିଥିଲା । ଏହି ଶାସନକେନ୍ଦ୍ରର ଗଙ୍ଗ ରାଜାମାନେ ଦୀର୍ଘ ଚଉଦ ପୁରୁଷ ପର୍ଯ୍ୟନ୍ତ ରାଜ୍ୟଶାସନ କରିଥିଲେ । ସେହି ସମୟରୁ ୧୯୪୭ ପର୍ଯ୍ୟନ୍ତ କଟକ ହିଁ ଓଡ଼ିଶାର ରାଜଧାନୀ ରୂପେ ରହିଆସିଥିଲା ।

୧୧୩୫ ମସିହାରେ ଗଙ୍ଗକଟକରୁ ବିଶାଳ ଉତ୍କଳ (କଳିଙ୍ଗ ସାମ୍ରାଜ୍ୟ)ର ଶାସନ ଆରମ୍ଭ କରିଥିବା ଚୋଳଗଙ୍ଗଦେବଙ୍କଠାରୁ ଆରମ୍ଭ କରି ଚତୁର୍ଥ ଭାନୁଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ତିନିଶହ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ ଚଳାଇ ଆସିଥିଲେ ଦ୍ୱିତୀୟ ପାଦର ଗଙ୍ଗରାଜାଗଣ । ଭାନୁଦେବଙ୍କ ରାଉତ ବା ସେନାଧିକାରୀ ରୂପେ କାର୍ଯ୍ୟ କରୁଥିବା କପିଳେନ୍ଦ୍ରଦେବ ୧୪୩୬ରେ ଉତ୍କଳର ରାଜସିଂହାସନ ଅଧିକାର କରି ଏଠାରେ ସୂର୍ଯ୍ୟବଂଶ ପ୍ରତିଷ୍ଠା କରିଥିଲେ ଏବଂ ଭାନୁଦେବ ତାହାଙ୍କର ଶେଷଜୀବନ ଖେମଣ୍ଡି ରାଜବଂଶ ଅଧୀନରେ ଥିବା 'ବାରାଣସୀ'ରେ ଅତିବାହିତ କରିଥିଲେ । ସେହି ବାରାଣସୀ ଆଜିକାର ପାରଳାଖେମଣ୍ଡି ସବ୍‍ଡିଭିଜନ୍‍ ଅନ୍ତର୍ଗତ କାଶିନଗର ଅଞ୍ଚଳ ।

କଳିଙ୍ଗ / ତ୍ରିକଳିଙ୍ଗ ରାଜ୍ୟ ଉଭୟ ପାଦରେ, ପ୍ରାୟ ସାଢେ଼ ଆଠଶହ ବର୍ଷ ଶାସନ କରିଥିବା ଗଙ୍ଗରାଜାଗଣଙ୍କ ମଧ୍ୟରୁ, ସମ୍ଭବତଃ ପ୍ରଥମପାଦର କୌଣସି ରାଜାଙ୍କ ଅମଳରେ ସୁନିଆଁ ଦିନଠାରୁ ସେମାନଙ୍କ ରାଜତ୍ୱର ନୂତନ ବର୍ଷ ଗଣନା ପ୍ରଥା ଆରମ୍ଭ କରିଥିଲେ । ତାହା ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି ଉତ୍କଳୀୟ ଗଜପତି ରୂପେ ସ୍ୱୀକୃତ ପୁରୀ ରାଜବଂଶରେ । ସେହିଦିନରୁ ହିଁ ଓଡ଼ିଆମାନଙ୍କର ନୂତନବର୍ଷ ପାଳିତ ହୋଇଆସୁଛି ଆଜି ପର୍ଯ୍ୟନ୍ତ ।

ତେବେ ଉତ୍କଳରେ ସୂର୍ଯ୍ୟବଂଶର ପ୍ରତିଷ୍ଠା ସଙ୍ଗେସଙ୍ଗେ ଗଙ୍ଗକଟକରୁ ସବୁଦିନପାଇଁ ଗଙ୍ଗବଂଶ ଲୋପ ପାଇଯାଇଥିଲା । ହେଲେ ସେହି ରାଜନ୍ୟବର୍ଗଙ୍କ ଦ୍ୱାରା ଐତିହାସିକ ଦୁର୍ଗ ବାରବାଟୀ ଏବଂ ଆଧୁନିକ ଶ୍ରୀମନ୍ଦିର ସମେତ କୋଣାର୍କର ସୂର୍ଯ୍ୟମନ୍ଦିର, ରେମୁଣାର କ୍ଷୀରଚୋରା ଗୋପୀନାଥ ପ୍ରଭୃତି; ରହିଯାଇଥିଲା ମନ୍ଦିରମାଳିନୀ ଓଡ଼ିଶାରେ ଅନେକ ଅନେକ ଅବିସ୍ମରଣୀୟ କୀର୍ତ୍ତି ।

ସେଇ କୀର୍ତ୍ତିମାନ୍‍ ରାଜନ୍ୟବର୍ଗଙ୍କ ଜଣେ ବଂଶଧର ହେଉଛନ୍ତି ପାରଳା ଗଜପତି କୃଷ୍ଣଚନ୍ଦ୍ର ଦେବ; ସେଇମାନଙ୍କର ଶ୍ରୋତସ୍ୱତୀ ନଦୀର ଧାରଟିଏ । ସେ ହେଉଛନ୍ତି ସେଇ ରାଜନ୍ୟବର୍ଗଙ୍କ ସିଧାସଳଖ ଆତ୍ମଜ । ତାଙ୍କ ନିଜ ଭାଷାରେ 'ଗଙ୍ଗବଂଶର ପ୍ରଥମ ନରପତିଗଣ, ପରବର୍ତ୍ତୀ

ନରପତିଗଣ ଏବଂ ପୁରୀର ଗଜପତିମାନଙ୍କର ଶକ୍ତିଶାଳୀ ବାହୁଛାୟା ତଳେ ଏହି ବିରାଟ ଭୂଖଣ୍ଡର ଅଧିବାସୀଗଣଙ୍କର ଭାଗ୍ୟ ପ୍ରାୟ ଷଷ୍ଠ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ନିୟନ୍ତ୍ରିତ ହୋଇଥିଲା । ଏହି ବିରାଟ ସାମ୍ରାଜ୍ୟ ମଧ୍ୟରୁ ଯେଉଁଭଳି ତ୍ରିକଳିଙ୍ଗ; ଉତ୍କଳିଙ୍ଗ (ଉତ୍କଳ) ଏବଂ ମଧ୍ୟ କଳିଙ୍ଗ ଜନ୍ମଲାଭ କରିଥିଲା, ଠିକ୍‍ ସେହିଭଳି ମଧ୍ୟ ଏହି ଖେମଣ୍ଡି ରାଜ୍ୟ ଆମ ଦେଶର ଇତିହାସର ପ୍ରାରମ୍ଭ ଶତାବ୍ଦୀରେ ଜନ୍ମଲାଭ କଲା । ଶ୍ରୀକାକୁଲମ୍‍ ସରକାର କଳିଙ୍ଗ ନାମରେ ଅଭିହିତ ଥିଲା । ମୁଖଲିଙ୍ଗମ୍‍ ଏକ ସମୟରେ କଳିଙ୍ଗ ସାମ୍ରାଜ୍ୟର ରାଜଧାନୀ ଥିଲା ଏବଂ ତାହା ବରାବର ପାରଳାଖେମୁଣ୍ଡି ସମସ୍ଥାନର ଅନ୍ତର୍ଗତ ରହିଥିଲା । ତାହା ପ୍ରାୟ ଦଶମରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ କଳିଙ୍ଗନଗରମ୍‍ ନାମରେ ପ୍ରସିଦ୍ଧ ଥିଲା । ସେଠାରେ ପ୍ରାୟ ଦଶମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଦୁଇଟି ମନ୍ଦିର ଆଜି ମଧ୍ୟ ତିଷ୍ଠି ରହିଛି । ସେହି ମନ୍ଦିର ଦୁଇଟିର ପ୍ରାଚୀର ଗାତ୍ରରେ କେତେକ ଓଡ଼ିଆ ଲେଖା ଦେଖିବାକୁ ମିଳେ । ପ୍ରାଚୀନ ଗଙ୍ଗବଂଶର କୀର୍ତ୍ତି ବିଷୟରେ ସେଥିରେ ଉଲ୍ଲେଖ ଅଛି । ସେମାନେ ଓଡ଼ିଶା ଜୟ କରିବା ପରେ ସେହି ବଂଶର ଶେଷ ପ୍ରତିନିଧିମାନେ ତାଙ୍କ ରାଜଧାନୀ ପୁରୀକୁ ସ୍ଥାନାନ୍ତରିତ କରିଥିଲେ । ତାହାପରେ ସେମାନେ ପ୍ରସିଦ୍ଧ ଗଜପତି ରାଜା ନାମରେ ଅଭିହିତ ହେଲେ । ଖେମୁଣ୍ଡି ରାଜବଂଶର ଶାସକଗଣ ଏହି ଗଜପତି ରାଜାମାନଙ୍କର ସିଧାସଳଖ ଆତ୍ମଜ । ବୀରଶ୍ରୀ ଗୌଡେ଼ଶ୍ୱର କପିଳେଶ୍ୱର ଦେବ, ଅନନ୍ତବର୍ମା ଚୋଡ଼ଗଙ୍ଗଦେବ, ବଜ୍ରହସ୍ତ ଦେବ, ପ୍ରତାପରୁଦ୍ର ଦେବ, ବିଜୟ ନରସିଂହ ଦେବ ପ୍ରମୁଖ ଖେମୁଣ୍ଡି ରାଜବଂଶର ପ୍ରସିଦ୍ଧ ପୂର୍ବପୁରୁଷଙ୍କର ନାମାବଳୀ ।" (ମୋରାଜ୍ୟ)

ରାଜନୀତିକ ତଥା ସାଂସ୍କୃତିକ ଦୃଷ୍ଟିରୁ ଗଙ୍ଗରାଜାଗଣ ଉତ୍କଳୀୟ ଭାବଧାରାକୁ ସଂପୂର୍ଣ୍ଣ ଅସ୍ଥିମଜ୍ଜାଗତ କରାଇ ଉତ୍କଳର ତଥା ଉତ୍କଳୀୟମାନଙ୍କର ଏକୀକରଣ କରାଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ଉତ୍କଳକୁ ମନ୍ଦିରମାଳିନୀ କରାଇବା ସଙ୍ଗେସଙ୍ଗେ ବିଭିନ୍ନ ପ୍ରାନ୍ତରରେ ସାଂସ୍କୃତିକ କେନ୍ଦ୍ରମାନ ପ୍ରତିଷ୍ଠାକରି ଜନଗଣଙ୍କ ମଧ୍ୟରେ ଐକ୍ୟ ସ୍ଥାପନପାଇଁ ସେମାନଙ୍କର ଐକାନ୍ତିକ ଉଦ୍ୟମ ବିଶେଷ ପ୍ରଶଂସନୀୟ । ଓଡ଼ିଶା ଇତିହାସରେ ଗଙ୍ଗ ଶାସନକାଳକୁ ହିଁ ସୁବର୍ଣ୍ଣ ଯୁଗ ହିସାବରେ ଗ୍ରହଣ କରାଯାଇପାରେ । ରାଜନୈତିକ ପ୍ରେକ୍ଷାପଟରୁ ସେମାନେ ସମୟକ୍ରମେ ଅପସରି ଯାଇଥିଲେ ସୁଦ୍ଧା ସେଇ ଗଙ୍ଗବଂଶାବତଂସଗଣ ଆଧୁନିକ ଯୁଗରେ ସୁଦ୍ଧା ଓଡ଼ିଆ ଜାତିର ଜାତୀୟ ଏକତା ରକ୍ଷାଦିଗରେ ଥିଲେ ଅଗ୍ରଣୀ । ତାହାର ଜ୍ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି । ସ୍ୱତନ୍ତ୍ର ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠାତା ରୂପେ ତଥା ଆଧୁନିକ ସମୃଦ୍ଧ ଓଡ଼ିଶା ଗଠନପାଇଁ ଉଦ୍ୟମ ଯୋଗୁଁ ମହାରାଜାଙ୍କର ସ୍ୱର୍ଣ୍ଣିମ ସ୍ୱାକ୍ଷର ଜ୍ଜ୍ୱଳନ୍ତ ରହିଥିବ । ବିଶିଷ୍ଟ ଗବେଷକ ଡକ୍ଟର ବେଣୀମାଧବ ପାଢ଼ୀଙ୍କ ଭାଷାରେ 'ସେ କେବଳ ଜଣେ ରାଜା ନଥିଲେ ସେ ଥିଲେ ଜଣେ ଅପୂର୍ବ ଜନନାୟକ, ସୁଦକ୍ଷ ପ୍ରଶାସକ, ଅସାଧାରଣ ଶିକ୍ଷାପ୍ରେମୀ, ବିଚକ୍ଷଣ ଦୂରଦ୍ରଷ୍ଟା, ସର୍ବୋପରି ଜଣେ ନିଷ୍ଠାପର ସଂସ୍କାରକ । ସେ ଥିଲେ ବାସ୍ତବ ଅର୍ଥରେ ଜଣେ ଗଜପତି ।

ଗଜପତି ସୁଲଭ ଅହଂକାର, ବଂଶପରମ୍ପରାଗତ ସ୍ୱାଭିମାନ ତାଙ୍କର ପ୍ରତ୍ୟେକ ଧମନୀରେ ପ୍ରବାହିତ ହେଉଥିଲା । ତାଙ୍କର ରାଜସୁଲଭ ସଦ୍‍ଗୁଣାବଳୀ, ମହାତ୍ମା ସୁଲଭ ଉନ୍ନତ ଚରିତ୍ର, ଜାତୀୟତା ସୁଲଭ କାର୍ଯ୍ୟାବଳୀ ଦେଖିଲେ ମନେହୁଏ କୃଷ୍ଣଚନ୍ଦ୍ର ଗଜପତି ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ବିରାଟ ଅନୁଷ୍ଠାନ ।" ଗଜପତି କହିଲେ, "ଲୋକେ ବୁଝନ୍ତି ପ୍ରଥମେ ଓଡ଼ିଶାର ଠାକୁରରାଜା ପୁରୀର ଗଜପତି; ଦ୍ୱିତୀୟରେ ପାରଳାର ରାଜା କୃଷ୍ଣଚନ୍ଦ୍ର ଗଜପତି ।"

ସେହି କୃଷ୍ଣଚନ୍ଦ୍ର ଗଜପତି ଥିଲେ ଚନ୍ଦ୍ରବଂଶୀୟ ତଥା ଆତ୍ରେୟ ଗୋତ୍ରୀ ମହାରାଜା ଏବଂ ସେ ଥିଲେ ଯଥାର୍ଥ ଅର୍ଥରେ ଖେମଣ୍ଡି ରାଜସିଂହାସନର ସର୍ବଶେଷ ରାଜା । ତାଙ୍କରି ଅମଳରେ ହିଁ ଦେଶରେ ଜମିଦାରି ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହୋଇଥିଲା ଏବଂ ବାସ୍ତବରେ ରାଜନ୍ୟବର୍ଗଙ୍କ କର୍ପୂର ଉଡ଼ିଯାଇଥିଲା ।

ସମୟର ଅନୁରଣନରେ ପରିସ୍ଥିତିକୁ ସାମନା କରୁକରୁ ବିସ୍ତାରିତ ଗଙ୍ଗବଂଶର ବିଭାଜନ ଜନିତ କାରଣରୁ ହେଉ ବା ହେଉ ଅନ୍ୟ ଯେକୌଣସି ସମ୍ଭାବ୍ୟ କାରଣ- ଖେମଣ୍ଡି ରାଜ୍ୟ ପ୍ରତିଷ୍ଠା ଥିଲା ଏକ ଐତିହାସିକ ସତ୍ୟ ଏବଂ ସେହି ରାଜ୍ୟ ମଧ୍ୟ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସମବଂଶୀୟ ବିଖ୍ୟାତ ଗଙ୍ଗବଂଶର ଏକ ଶାଖାର ରାଜନ୍ୟବର୍ଗଙ୍କଦ୍ୱାରା ଶାସିତ ହେବା ଥିଲା ଅନ୍ୟ ଏକ ଐତିହାସିକ ସତ୍ୟ । ଏକାଦଶ ଶତାବ୍ଦୀରେ ବିଖ୍ୟାତ ଚୋଳଗଙ୍ଗଦେବଙ୍କ ପିତା ରାଜରାଜ ଦେବଙ୍କ ସେନାପତି-ବାଣପତି-କୋଶଳ, ଉତ୍କଳ, ଗିଡ଼୍ରିସିଙ୍ଗି ରାଜ୍ୟ ସମେତ ଖେମଣ୍ଡି ରାଜ୍ୟ ଆକ୍ରମଣ କରିବାର ଉଲ୍ଲେଖ ତାହାର ଏକ ପ୍ରମାଣ । ମହାରାଜା କୃଷ୍ଣଚନ୍ଦ୍ରଙ୍କ ଭାଷାରେ,"ପ୍ରମାଣ ଉପରେ ଯେତେଦୂର ଗୋଚରୀଭୂତ ହୋଇଛି, ସେଥିରୁ ଜଣାଯାଏ ଯେ ୧୦୭୫ ଖ୍ରୀଷ୍ଟାବ୍ଦରେ ରାଜରାଜଙ୍କ ଦୀର୍ଘାସୀଲିିପିରେ ଖେମୁଣ୍ଡିନାମ ସର୍ବ୍ରଥମେ ପରିଲକ୍ଷିତ ହୋଇଛି ।" ଏଥିରୁ ସ୍ପଷ୍ଟ ଯେ ସେତେବେଳକୁ ଏହି ରାଜ୍ୟର ସ୍ୱତନ୍ତ୍ର ସତ୍ତା ପ୍ରତିଷ୍ଠିତ ହୋଇସାରିଥିଲା । ପୁଣି ଚତୁର୍ଦ୍ଧଶ ଶତାବ୍ଦୀର ମଧ୍ୟ ଭାଗରେ ବିଶାଳ ଉକ୍ରଳ ସାମ୍ରାଜ୍ୟର ଗଙ୍ଗରାଜା ତୃତୀୟ ଭାନୁଦେବ ଖେମଣ୍ଡି ରାଜ୍ୟ ଆକ୍ରମଣ କରିବା ଯୋଗୁଁ ସେଠିକାର ତତ୍‍କାଳୀନ ରାଜା ସମବଂଶୀୟ ନରସିଂହ ଭାନୁଦେବ ଆପଣାର ସ୍ୱାଧୀନତା ରକ୍ଷାପାଇଁ ବାହମନୀ ସୁଲତାନଙ୍କ ସହାୟତା କାମନା କରିଥିଲେ । ତାହା ତତ୍‍କାଳ ସମ୍ଭବ ହୋଇଥିଲେ ସୁଦ୍ଧା ପରେ ପରେ ସେଠିକାର ରାଜନୈତିକ ପରିସ୍ଥିତି ଜଟିଳ ହୋଇଯାଇଥିଲା । କିନ୍ତୁ ତଥାପି ଏହା ସ୍ପଷ୍ଟ ଯେ ସେତେବେଳେ ଖେମଣ୍ଡି ରାଜ୍ୟର ସ୍ୱତନ୍ତ୍ର ସତ୍ତା ରହିଥିଲା ।

ସେତେବେଳେ ଖେମୁଣ୍ଡି ରାଜ୍ୟ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ଆରମ୍ଭ କରି ବର୍ତ୍ତମାନର କଳାହାଣ୍ଡି ତଥା ଋଷିକୂଲ୍ୟା କୂଳରୁ ଲାଙ୍ଗୁଲ୍ୟା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେହି ରାଜ୍ୟର ପ୍ରଥମ ରାଜଧାନୀ ଥିଲା ବର୍ତ୍ତମାନର ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ- ଗୁଡ଼ାରି କଟକ । ସେଠାରୁ ରାଜଧାନୀ ନଗରୀ କଟକ / କଳିଙ୍ଗନଗରକୁ ସ୍ଥାନାନ୍ତରିତ ହୋଇ ତତ୍‍‌ପରେ ସ୍ଥାନାନ୍ତର ହୋଇଥିଲା ପୁରୁଣାପାଟଣାକୁ । ସେଠି ପାଞ୍ଚଜଣ ରାଜା ରାଜୁତି କରିବା ପରେ ଷଷ୍ଠ ରାଜାଙ୍କ ଅମଳରେ ତାହା ବର୍ତ୍ତମାନର ପାରଳାଖେମୁଣ୍ଡି ସହରକୁ ସ୍ଥାନାନ୍ତର ହୋଇଥିଲା । ରାଜରାଜୁଡ଼ା ଶାସନର ଅନ୍ତିମ ଦିନ ପର୍ଯ୍ୟନ୍ତ ତାହା ହିଁ ଥିଲା କଳକଳ ଛଳଛଳ ହୋଇ ବହି ଚାଲିଥିବା ଖେମୁଣ୍ଡି ଗଙ୍ଗ ଶାସନର ରାଜଧାନୀ ।

ତେବେ ଖେମୁଣ୍ଡି ରାଜ୍ୟର ଅୟମାରମ୍ଭ ନେଇ କାଳ ନିରୂପଣ ସଂପର୍କରେ ନିର୍ଦ୍ଧିଷ୍ଟ ଭାବରେ କୁହାଯାଇ ନପାରିଲେ ସୁଦ୍ଧା ୧୨୪୫ ମସିହାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଗଜପତି କୃଷ୍ଣଚନ୍ଦ୍ରଙ୍କ ପୂର୍ବ ପୁରୁଷମାନଙ୍କ ସଂପର୍କରେ ଅନେକ ଐତିହାସିକ ତଥ୍ୟ ଉପଲବ୍‍ଧ । ସେଭଳି ବିବରଣୀଗୁଡ଼ିକରେ ଗଙ୍ଗରାଜାଗଣଙ୍କ ଧାରାବାହିକ ନାମ ତାଲିକା ନେଇ ପ୍ରାୟ ସବୁ ଇତିହାସକାର ଏକମତ ହେଉଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଶାସନକାଳ ସଂପର୍କରେ ସମସ୍ତେ ସହମତ ନୁହନ୍ତି । କିନ୍ତୁ ତଥାପି ଗୁଡ଼ାରି କଟକରେ ରାଜା ନରସିଂହ ଦେବ ଓରଫ୍‍ କଳାହମ୍ବିରଙ୍କ ଶାସନକାଳର ପ୍ରାରମ୍ଭ ୧୨୪୫ ମସିହାରେ ହୋଇଥିବା ସଂପର୍କରେ ସମସ୍ତେ ଏକମତ ।

ଏ ଯାବଦ୍‍ ବିଭିନ୍ନ ଗବେଷଣାମୂଳକ ପତ୍ରିକାରେ ପ୍ରକାଶିତ ଖେମୁଣ୍ଡି ରାଜବଂଶ ସଂପର୍କିତ ବିବରଣୀଗୁଡ଼ିକ ମଧ୍ୟରୁ ମି. ରବର୍ଟ ସିୱେଲ୍‍, ଆନ୍ଧ୍ରପ୍ରଦେଶର ବିଶିଷ୍ଟ ଐତିହାସିକ ବି. ଶେଷାଗିରି ରାଓ ଏବଂ ପାରଳାଖେମୁଣ୍ଡିର ଶ୍ରୀ ସୀମାଦ୍ରି ପରିଚ୍ଛାଙ୍କଦ୍ୱାରା ସଂଗୃହୀତ ତଥ୍ୟାବଳୀ ମଧ୍ୟରୁ ମିଷ୍ଟର ସିୱେଲ୍‍ଙ୍କ ତାଲିକାକୁ ବିଶେଷ ଗୁରୁତ୍ୱ ଦିଅନ୍ତି ବିଶିଷ୍ଟ ଗବେଷକ ତଥା ଇତିହାସକାର ଡକ୍ଟର ସତ୍ୟନାରାୟଣ ରାଜଗୁରୁ । ମି. ସିୱେଲ୍‍ ଗଞ୍ଜାମର ତତ୍‍କାଳୀନ କଲେକ୍‍ଟରଙ୍କ ନଥିପତ୍ରରୁ ତଥ୍ୟ ସଂଗ୍ରହ କରି ୧୮୮୪ ମସିହାରେ ଖେମଣ୍ଡି ରାଜବଂଶାବଳୀ ପ୍ରକାଶ କରିଥିଲେ । ଅପର ପକ୍ଷରେ ପାରଳା ରାଜବାଟୀରେ ଥିବା ବିଭିନ୍ନ ତାଳପତ୍ର ଇତ୍ୟାଦିରୁ ମଧ୍ୟ ଅନ୍ୟମାନେ ତଥ୍ୟ ସଂଗ୍ରହ କରିଥିଲେ । ତେବେ ବାରମ୍ବାର ରାଜଧାନୀ ପରିବର୍ତ୍ତନ କାରଣରୁ ଅନେକ ମୂଳ ତଥ୍ୟ ନଷ୍ଟ ହୋଇଯାଉଥିଲା ଏବଂ ପରବର୍ତ୍ତୀ କାଳରେ ପୁଣି ଥରେ ନୂତନ ତାଲିକା ପ୍ରସ୍ତୁତ ହେଉଥିଲା । ସମ୍ଭବତଃ ସେହି କାରଣରୁ ଐତିହାସିକଙ୍କ ମତରେ ବିଭିନ୍ନ ପାର୍ଥକ୍ୟ ଦେଖିବାକୁ ମିଳେ । କଳିଙ୍ଗ ସଂଚିକାର ତେଲ୍‍ଗୁ ସଂସ୍କରଣରେ ସୀମାଦ୍ରି ପରିଚ୍ଛାଙ୍କ ଖେମୁଣ୍ଡି ରାଜବଂଶାବଳୀ ପ୍ରକାଶ ପାଇଥିବା ବେଳେ ଡକ୍ଟର ରାଓଙ୍କ ବିବରଣୀ ଅନ୍ୟ ଏକ ଇତିହାସ ଗବେଷଣା ପତ୍ରିକାରେ ପ୍ରକାଶିତ ହୋଇଥିଲା । ତେବ ସେହି ତିନିଜଣ ବିଶିଷ୍ଟ ଇତିହାସକାରଙ୍କ ଦ୍ୱାରା ସଂଗୃହୀତ ଖେମୁଣ୍ଡି ରାଜବଂଶାବଳୀର ଏକ ତୁଳନାତ୍ମକ ବିବରଣୀ ଏହି ପୁସ୍ତକର ପରିଶିଷ୍ଟରେ ପ୍ରଦତ୍ତ ।

୧୨୪୫ରୁ ୧୭୫୩- ଦୀର୍ଘ ଯାତ୍ରାପଥ । ବିଭିନ୍ନ ଐତିହାସିକ ବିବରଣୀ ଏବଂ ଅନ୍ୟାନ୍ୟ ନଥିପତ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଖେମଣ୍ଡି ରାଜ୍ୟର ୨୧ତମ ରାଜା ବୀର ପ୍ରତାପରୁଦ୍ର ଦେବଙ୍କ ଶାସନକାଳ ୧୭୫୩ ମସିହାରେ ଶେଷ ହୋଇଥିଲା । କିନ୍ତୁ ପ୍ରଦତ୍ତ ତାଲିକାରେ କେହି ମଧ୍ୟ ସେହି ତଥ୍ୟ ସହିତ ଏକମତ ନୁହନ୍ତି । ଡକ୍ଟର ରାଓଙ୍କ ମତରେ ପ୍ରତାପରୁଦ୍ର ୧୮୪୨ ମସିହା, ଶ୍ରୀ ପରିଚ୍ଛାଙ୍କ ମତରେ ସେ ୧୬୯୩ ମସିହା ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତେଣୁ ନିର୍ଦ୍ଧାରିତ ମସିହାଟି ଶ୍ରୀ ପରିଚ୍ଛାଙ୍କ ମତରେ ଦୀର୍ଘ ୬୦ ବର୍ଷ ପଛରେ ରହି ଯାଉଥିବା ବେଳେ ଡକ୍ଟର ରାଓ ୮୯ ବର୍ଷ ଆଗେଇ ଯାଇଛନ୍ତି । କିନ୍ତୁ ଡକ୍ଟର ସିୱେଲ୍‍ ଯଦିବା ସେହି ସମୟ ସହିତ ଏକମତ ହୋଇ ନାହାନ୍ତି ତଥାପି ସେ ମାତ୍ର ୧୩ ବର୍ଷ ଆଗରେ ରହିଛନ୍ତି । ଅତୀତରେ ୨୧ ଜଣ ରାଜାଙ୍କ ରାଜତ୍ୱକାଳ ନିର୍ଦ୍ଧାରଣ ଦୃଷ୍ଟିରୁ ଏବଂ ପୁଣି ଦୀର୍ଘ ପ୍ରାୟ ଚାରି ଶତାବ୍ଦୀର ତଥ୍ୟ ବିଭିନ୍ନ ସୂତ୍ରରୁ ସଂଗ୍ରହ କଲାବେଳେ ସେଇ ସ୍ୱଳ୍ପ ବ୍ୟବଧାନକୁ ସାମାନ୍ୟ ବୋଲି ବିଚାରକରି ଡକ୍ଟର ରାଜଗୁରୁଙ୍କ ଭଳି ପ୍ରମୁଖ ଗବେଷକଗଣ ସେହି ତାଲିକାକୁ ଗ୍ରହଣ କରିଯିବା ବିଶେଷ ସମୀଚୀନ ବୋଲି ମନେକରନ୍ତି । ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଯେ ଖେମଣ୍ଡି ରାଜସିଂହାସନାସୀନ ସେହି ରାଜାଗଣଙ୍କ ନାମ ଏବଂ କ୍ରମକୁ ସବୁ ଐତିହାସିକ ଏବଂ ଗବେଷକ ସ୍ୱୀକୃତି ଦେଇଛନ୍ତି । ୨୧ତମ ରାଜା ବୀରପ୍ରତାପରୁଦ୍ର ଗଜପତି ନାରାୟଣ ଦେବଙ୍କ ଅମଳରେ ଖେମଣ୍ଡି ରାଜଧାନୀ ପାରଳାକୁ ସ୍ଥାନାନ୍ତର ହୋଇଥିଲା ଏବଂ ତାଙ୍କ ପରେ ପରେ ସର୍ବଜ୍ଞ ଜଗନ୍ନାଥ ଗଜପତି ନାରାୟଣ ଦେବ ୧୭୫୧ ମସିହାରୁ ସେଠାରେ ଶାସନ ଆରମ୍ଭ କରିଥିବା ବିଭିନ୍ନ ରେକଡପତ୍ରରୁ ସ୍ପଷ୍ଟ । ଅତଏବ ବୀର ପ୍ରତାପରୁଦ୍ର ନାରାୟଣ ଦେବଙ୍କ ଶାସନ ୧୭୫୩ରେ ଶେଷ ହୋଇଥିବା ତଥ୍ୟ ସଂପର୍କରେ ତଥାପି ଅଧିକ ଗବେଷଣାର ଆବଶ୍ୟକତା ରହିଛି ଏବଂ ବାସ୍ତବରେ ତାଙ୍କରି ଅମଳରେ ରାଜଧାନୀ ପୁରୁଣା ପାଟଣାରୁ ପାରଳା ସ୍ଥାନାନ୍ତର ହୋଇଥିବାରୁ ସମ୍ଭବତଃ ସେ ଏଠାରେ କିଛିକାଳ ରାଜତ୍ୱ କରିଥିଲେ ସୁଦ୍ଧା ସର୍ବଜ୍ଞ ଜଗନ୍ନାଥ ଦେବଙ୍କୁ ଏଠିକାର ପ୍ରଥମ ରାଜା ହିସାବରେ ଗ୍ରହଣ କରାଯାଇପାରେ । ସେ ବାସ୍ତବରେ ଥିଲେ ଖେମଣ୍ଡି ଗଙ୍ଗବଂଶର ୨୨ତମ ରାଜା ଏବଂ ତାଙ୍କୁ ମିଶାଇ ପାରଳା ରାଜଧାନୀରୁ ସାତ ଜଣ ରାଜା ରାଜ୍ୟ ଶାସନ କରିଥିଲେ । ସର୍ବଶେଷ ରାଜା ଥିଲେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ।

ପାରଳାର ରାଜନ୍ୟବର୍ଗ
କ୍ରନଂ ରାଜା ରାଜଗାଦିରେ ଶେଷନିଃଶ୍ୱାସ
୧. ସର୍ବଜ୍ଞ ଜଗନ୍ନାଥ ଗଜପତି ନାରାୟଣଦେବ ୧୭୫୧-୧୭୭୦ ଡିସେମ୍ବର-୫
୨. ଗଜପତି ନାରାୟଣଦେବ ୧୭୭୧-୧୮୦୨ ଫେବ୍ରୁଆରି-୪
୩. ପୁରୁଷୋତ୍ତମ ଗଜପତି ନାରାୟଣଦେବ ୧୮୦୨-୧୮୦୫ ଅକ୍ଟୋବର-୨୯
୪. ଜଗନ୍ନାଥ ଗଜପତି ନାରାୟଣଦେବ(୨ୟ) ୧୮୦୫-୧୮୫୧ ନଭେମ୍ବର-୨୭
୫. ପ୍ରତାପରୁଦ୍ର ଗଜପତି ନାରାୟଣଦେବ ୧୮୫୧-୧୮୮୯ ସିଂହାସନରୁ ସନ୍ନ୍ୟାସ
୬. ଗୌରଚନ୍ଦ୍ର ଗଜପତି ନାରାୟଣଦେବ ୧୮୮୯-୧୯୦୫ ୧୯୦୫
୭. କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ୧୯୧୩-୧୯୫୨ ମଇ-୨୫, ୧୯୭୪
ପାରଳା ଗଜପତିଙ୍କ ଜନ୍ମସ୍ଥାନ

ଖେମଣ୍ଡି ରାଜସିଂହାସନର ସର୍ବଶେଷ ରାଜା ହୋଇଥିଲେ ସୁଦ୍ଧା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବ ଥିଲେ ନୂତନ ଓଡ଼ିଶା ପ୍ରଦେଶର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ । ଚିରସ୍ମରଣୀୟ ପାରଳା ଗଜପତି କେବଳ ଜଣେ ବ୍ୟକ୍ତି ନଥିଲେ, ଜଣେ ରାଜା ଜମିଦାର ନଥିଲେ ବାସ୍ତବରେ ଥିଲେ ଗୋଟିଏ ବିରାଟ ଅନୁଷ୍ଠାନ ।

କୃଷ୍ଣଚନ୍ଦ୍ର ପାରଳା ରାଜନଅରରେ ଜନ୍ମଗ୍ରହଣ କରିଥିଲେ ୧୮୯୨ ମସିହା ଏପ୍ରିଲ୍‍ ୨୬ ତାରିଖ ଦିନ । ସେଦିନ ଥିଲା ବୈଶାଖ କୃଷ୍ଣ ଅମାବାସ୍ୟା ତିଥି । ତାହାଙ୍କର ଜନ୍ମ ସହିତ ପାରଳା ରାଜପରିବାରରେ ତିନି ପୁରୁଷର ମିଳନ ହୋଇଥିଲା । ପିତା ଗୌରଚନ୍ଦ୍ର ତଥା ପିତାମହ ପ୍ରତାପରୁଦ୍ରଦେବଙ୍କ ସହିତ ମହାମିଳନର ସେତୁ ତିଆରି କରିଥିଲେ କୃଷ୍ଣଚନ୍ଦ୍ର ।

ବୁଢ଼ାରାଜା ରୂପେ ବେଶ୍‍ ପରିଚିତି ଲାଭ କରିଥିବା ପ୍ରତାପରୁଦ୍ର ଦେବ ବାସ୍ତବରେ ପାରଳାରେ ରହୁଥିଲେ ସୁଦ୍ଧା ସେ ଆଉ ରାଜ୍ୟ, ରାଜଦରବାର ସହିତ ଆସକ୍ତ ନଥିଲେ ଏବଂ ପରିଣାମତଃ 'ଧର୍ମକାର୍ଯ୍ୟ'ରେ ହିଁ ପ୍ରବୃତ୍ତ ରହିଥିଲେ । ସନ୍ନ୍ୟାସ ଜୀବନଯାପନ କରୁଥିଲେ କହିଲେ ଚଳେ । ଧର୍ମାଲୋଚନା ଭଳି କାର୍ଯ୍ୟକ୍ରମରେ ପ୍ରାୟ ସମୟ ଅତିବାହିତ ହେଉଥିଲା । ତେଣୁ ଆପାତତଃ ରାଜ୍ୟର ଶାସନଭାର ପରିଚାଳନା କରୁଥିଲେ ଗୌରଚନ୍ଦ୍ରଦେବ ।

ମାତା ବିଷ୍ଣୁପ୍ରିୟାଦେବୀ ଓ ପିତା ଗୌର ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାରଳା ରାଜବାଟୀରେ ବାଲ୍ୟଜୀବନ ବିତାଇଥିଲେ କୃଷ୍ଣଚନ୍ଦ୍ର । ପାର୍ଥିବ ଜଗତରେ ଜଣେ ସୁୁପୁରୁଷ ରୂପେ ଆପଣାର ଜୀବନ ନିର୍ବାହ କରିବାପାଇଁ ବାଲ୍ୟବୟସରେ ଯେଭଳି ଉଦ୍ୟମ କରାଯିବା ଆବଶ୍ୟକ, ସେସବୁ ପ୍ରତି ଯଥେଷ୍ଟ ଧ୍ୟାନ ଦେଉଥିଲେ କୃଷ୍ଣଚନ୍ଦ୍ରଙ୍କ ପରିବାର । ପୁଣି ସେ ଜଣେ ରାଜପୁତ୍ର । ତେଣୁ ରୁଚିପୂର୍ଣ୍ଣ, ମାର୍ଜିତ ତଥା ଶିଷ୍ଟ ଜୀବନଯାପନ ପାଇଁ ଉଚିତ ମାନସିକତା ସୃଷ୍ଟି ଲାଗି ଗୌରଚନ୍ଦ୍ର ଏବଂ ବିଷ୍ଣୁପ୍ରିୟା ଜୀବନର ପ୍ରାଥମିକ ଅବସ୍ଥାରୁ ହିଁ ଉଦ୍ୟମ ଜାରି ରଖିଥିଲେ । ସେମାନଙ୍କ ସେହି ଆଦର୍ଶର ଯଥାର୍ଥ ପ୍ରତିଫଳନ ଥିଲେ କୃଷ୍ଣଚନ୍ଦ୍ର ।

ରାଜକୁମାର ବାଲ୍ୟବୟସରେ ମାତାଙ୍କ କୋଳରେ ବସି ଶୁଣୁଥିଲେ ରାମାୟଣ, ମହାଭାରତର ବୀରତ୍ୱ ପୂର୍ଣ୍ଣ କାହାଣୀସବୁ । ଭାବବିଭୋର ହୋଇଯାଉଥିଲେ ସତ୍ୟନିଷ୍ଠ ବିଷୟଗୁଡ଼ିକର ଅବତାରଣାବେଳେ । ଭୀଷ୍ମଙ୍କର ମହାପ୍ରତିଜ୍ଞା ପାଳନ, ପରମବୀର ପର୍ଶୁରାମଙ୍କ କାହାଣୀ ସାଙ୍ଗକୁ ପାଣ୍ଡବମାନଙ୍କର ବଳବୀର୍ଯ୍ୟ ଗାଥା, କୃଷ୍ଣଙ୍କର ଅଲୌକିକ କାର୍ଯ୍ୟକଳାପ, ସ୍ୱାମୀଙ୍କୁ ଯମ ହାତରୁ ଫେରାଇଆଣିବା ପାଇଁ ସାବିତ୍ରୀଙ୍କର ଅନମନୀୟ ଉଦ୍ୟମ, ସତ୍ୟରକ୍ଷାପାଇଁ ଶ୍ରୀରାମଙ୍କ ବନବାସ, ଦୁଷ୍ଟଙ୍କ ବିନାଶପାଇଁ ରାକ୍ଷସକୁଳ ଉପରେ ଆକ୍ରମଣ, ଧର୍ମରକ୍ଷାପାଇଁ ବିଶେଷ ତତ୍ପରତା ଇତ୍ୟାଦି ରାଜକୁମାରଙ୍କୁ ବିଶେଷ ଆକୃଷ୍ଟ କରୁଥିଲା । ସତେଯେମିତି ସେହିସବୁ କାହାଣୀଗୁଡ଼ିକରେ ରହିଥିବା ଜୀବନଗଠନର ଉପାଦାନଗୁଡ଼ିକ ଆରୋପିତ ହୋଇଯାଉଥିଲା ତାଙ୍କରି ଭିତରେ । ପୁଣି ଭାରତୀୟ ବୀରରାଜା/ରାଜପୁତ୍ର ରାଣାପ୍ରତାପ, ଶିବାଜୀ, ଆକବର, ଟିପୁସୁଲ୍‍ତାନ ମଧ୍ୟ ବାହାରି ଆସୁଥିଲେ ଅନେକ ସମୟରେ ବିଷ୍ଣୁପ୍ରିୟାଦେବୀଙ୍କ କାହାଣୀ ପେଟିକାରୁ । ବେଶ୍‍ ଆମୋଦିତ ହେଉଥିଲେ ଯୁବରାଜ । ଆଗ୍ରହୀ ହୋଇ ଉଠୁଥିଲେ ସେମାନଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାପାଇଁ ।

ସେମିତି ସେମିତି ବିତିଯାଇଥିଲା ପ୍ରାୟ ଚାରିବର୍ଷ । ପଞ୍ଚମ ବର୍ଷରେ ହୋଇଥିଲା ରାଜକୁମାରଙ୍କ କର୍ଣ୍ଣବେଧ (କାନଫୋଡ଼ା) ଉତ୍ସବ ଏବଂ ତତ୍‍ସହିତ ଖଡ଼ିଛୁଆଁ । ଘରୋଇ ଭାବରେ ପ୍ରଥମେ ବିଦ୍ୟା ଶିକ୍ଷାର ଆୟୋଜନକାରୀଙ୍କ ମଧ୍ୟରେ ଥିଲେ ପିତା ଗୌରଚନ୍ଦ୍ରଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ମିଷ୍ଟର ଟେଲର୍‍ ଏବଂ ପରିବାରର ଉପଦେଷ୍ଟା ଶ୍ୟାମସୁନ୍ଦର ରାଜଗୁରୁ । ସେମାନଙ୍କ ପରାମର୍ଶ କ୍ରମେ ରାଜକୁମାରଙ୍କ ଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ ଜଣେ ସୁସାହିତ୍ୟିକ ତଥା ପାରଳା ହାଇସ୍କୁଲ୍‍ର ଶିକ୍ଷକ ଶ୍ରୀ ଅପର୍ଣ୍ଣା ପଣ୍ଡା । ସମୟ କ୍ରମେ ଶ୍ରୀଯୁକ୍ତ ରାଜଗୁରୁ ତଥା ମିଷ୍ଟର ଟେଲ୍‍ର କିଶୋର ରାଜକୁମାରଙ୍କ ଶିକ୍ଷାଲାଭ ଦିଗରେ ବିଶେଷ ତ‌ତ୍ପରତା ପ୍ରକାଶ କରିଥିଲେ ଏବଂ ବ୍ୟକ୍ତିଗତ ଭାବରେ ମଧ୍ୟ ସେଥିପାଇଁ ଉଦ୍ୟମ କରିଥିଲେ ।

କିଶୋର କୃଷ୍ଣଚନ୍ଦ୍ରଙ୍କ ବାଲ୍ୟଶିକ୍ଷା ଏକ ନିର୍ଦ୍ଧିଷ୍ଟ ସ୍ତରରେ ପହଞ୍ଚିଯିବା ପରେ ପରେ ମାଧ୍ୟମିକ ଶିକ୍ଷାଲାଭପାଇଁ ତାଙ୍କରି ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ଥାନୀୟ ମହାରାଜା ହାଇସ୍କୁଲ୍‍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରାମର୍ଶଦାତାମାନଙ୍କର ନିର୍ଦ୍ଧିଷ୍ଟ ମତ ଥିଲା ଯେ ରାଜକୁମାର କୃଷ୍ଣଚନ୍ଦ୍ର ତାହାଙ୍କ ପିତୃପରିଚାଳିତ ବିଦ୍ୟାଳୟରେ ରାଜ୍ୟର ଅନ୍ୟାନ୍ୟ ଛାତ୍ରଙ୍କ ସହିତ ଏକତ୍ର ବସି ଅଧ୍ୟୟନ କରିବା ଶ୍ରେୟସ୍କର ହେବ । ଅନ୍ୟାନ୍ୟ ସାଧାରଣ ଛାତ୍ରଙ୍କ ସହିତ ମିଶିବେ, ସାଧାରଣ ଭାବେ ଶିକ୍ଷାଲାଭ କରିବେ, ସେମାନଙ୍କ ସହିତ ଖେଳକୁଦ ମଧ୍ୟ କରିବେ । ପରିଣାମତଃ ତାହାଙ୍କର ଅନ୍ତର୍ନିହିତ ଗୁଣାବଳୀର ସ୍ୱାଭାବିକ ପରିପ୍ରକାଶ ସମ୍ଭବ ହେବ । ସେଭଳି ଭାବରେ ସାଧାରଣ ସ୍କୁଲ୍‍ ଜୀବନ ଆରମ୍ଭ କରିଥିବା କୃଷ୍ଣଚନ୍ଦ୍ର ରାଜ ନଅରରୁ ସ୍କୁଲକୁ ଯିବାଆସିବାପାଇଁ ଗୋଟିଏ ଘୋଡ଼ା ଗାଡ଼ିର ବ୍ୟବସ୍ଥା ହୋଇଥିଲା ।

ପୁଅର ଶରୀରିକ ବ୍ୟାୟାମ ପ୍ରତି ଅଧିକ ଗୁରୁତ୍ୱ ଆରୋପ କରିଥିଲେ ଗୌର ଗଜପତି । ଆପଣ ରାଜନଅର ଭିତରେ ଏକ କ୍ଷୁଦ୍ର ଖେଳ ପଡ଼ିଅର ବ୍ୟବସ୍ଥା କରିଥିଲେ । ତାହା ‘ଡାଭାବାଡ଼’ ନାମରେ ନାମିତ ହୋଇଥିଲା । ସେଠାରେ ବିଭିନ୍ନ ପ୍ରକାରର ଖେଳ କସରତ ହେଉଥିଲା । ତେବେ ପ୍ରମୁଖ ଥିଲା ଫୁଟବଲ ଏବଂ କ୍ରିକେଟ୍ । କିଶୋର କୃଷ୍ଣଚନ୍ଦ୍ରଙ୍କ ସାଙ୍ଗସାଥୀମାନେ ସେଠାକୁ ଖେଳିବାପାଇଁ ଆସୁଥିଲେ । ଯୁବରାଜଙ୍କ ବିଶେଷ ଆଗ୍ରହ ଥିଲା କ୍ରିକେଟ୍ ଖେଳରେ ବୋଲିଂ ଅପେକ୍ଷା ବ୍ୟାଟିଂ କରିବାପଇଁ । ଅନେକ ଦିନ ପର୍ଯ୍ୟନ୍ତ ସେ ସେହି ଖେଳ ସହିତ ଅଙ୍ଗୀଭୁତ ହୋଇ ରହିଥିଲେ । ଥରେ ସେଭଳି ଖେଳିବା ବେଳେ ଆଣ୍ଡୁରେ ବଲ୍ ବାଜି ଶକ୍ତ ଆଘାତ ପାଇଥିଲେ ସେ ଏବଂ ସେଥିରୁ ମୁକ୍ତିପାଇଁ ବେଶ୍ କିଛିଦିନ ଲାଗିଯାଇଥିଲା । ତତ୍‌ପରଠାରୁ ସେ ସେଇ ଖେଳ ବନ୍ଦ କରିଦେଇଥିଲେ ।

ତେବେ କେବଳ ଅଧ୍ୟୟନ କାଳ କାହିଁକି, ତତ୍‌ପରବର୍ତ୍ତୀ କାଳରେ ମଧ୍ୟ ସେଥି ପ୍ରତି ତାଙ୍କର ଆଗ୍ରହ ରହିଥିଲା ପୂର୍ବଭଳି । ଖେଳକୁଦର ପ୍ରଶିକ୍ଷଣପାଇଁ ସେ ବରାବର ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ଖେଳ ଶିକ୍ଷକଙ୍କୁ ଅଣାଇ ସ୍କୁଲ, କଲେଜ ତଥା ପାରଳାର ଯୁବସମାଜର ମନରେ ଖେଳୁଆଡ଼ ମନୋବୃତ୍ତିର ବିକାଶପାଇଁ ବିଶେଷ ଆଗ୍ରହ ଦେଖାଉଥିଲେ । ପରିଣାମତଃ ପାରଳାରେ ଗଠିତ କ୍ରିକେଟ୍ ଦଳ- ଟିମ୍ ଏକାଦଶ- ମାନ୍ଦ୍ରାଜର ବିଭିନ୍ନ ସ୍ଥାନରେ ଆୟୋଜିତ କ୍ରିକେଟ୍ ପ୍ରତିଯୋଗିତାରେ ବିଜୟୀ ହୋଇ ଅଣିଥିବା କପ୍ ଗୁଡ଼ିକ ପାରଳା କଲେଜରେ ଶୋଭା ପାଉଥିଲା ଅନେକ କାଳ ପର୍ଯ୍ୟନ୍ତ ।

ପାରଳା ହାଇସ୍କୁଲ ଶିକ୍ଷା ପରେପରେ ଉଚ୍ଚ ଶିକ୍ଷାପାଇଁ ସେ ଯାଇଥିଲେ ମାନ୍ଦ୍ରାଜ, ମାନ୍ଦ୍ରାଜର ରାଜକୁମାର କଲେଜ । ସେଇ ନିଷ୍ପତ୍ତି ନେଇଥିଲେ ମାଆ ବିଷ୍ଣୁପ୍ରିୟା ଦେବୀ । ସେଥିପାଇଁ ଦୃଢ଼ ଭାବରେ ମତ ରଖିଲେ ଶ୍ୟାମସୁନ୍ଦର ରାଜଗୁରୁ । ବାସ୍ତବରେ ସେତେବେଳକୁ ପାରଳା ରାଜ ପରିବାରରେ ଅନେକ ଅନେକ ବିପର୍ଯ୍ୟୟ ସଂଘଠିତ ହୋଇଯାଇଥିଲା । ବାଳକ କୃଷ୍ଣଚନ୍ଦ୍ର ହୋଇଯାଇଥିଲେ ପିତୃହରା । ଦାଦା ପଦ୍ମନାଭ ଦେବଙ୍କର ୧୯୦୪ରେ ମୃତ୍ୟୁ ହେବା ପରେ ତ‌ତ୍‌ପରବର୍ଷ ରାଜ୍ୟର ଭାର କୋର୍ଟ ଅଫ୍ ୱ୍ୱାର୍ଡ଼ସ୍‌ଙ୍କ ଅଧୀନକୁ ଚାଲିଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେତେବେଳକୁ ପାରଳାରେ ଏକ ଦ୍ବିତୀୟ ଶ୍ରେଣୀ କଲେଜ (ଆଇ.ଏ. ଶ୍ରେଣୀ ପର୍ଯ୍ୟନ୍ତ ଥିବା) ସ୍ଥାପିତ ହୋଇ ସାରିଥିଲା । ତଥାପି ରାଜ୍ୟ ପରିଚାଳକ ଏବଂ ପରାମର୍ଶଦାତା ଶୁଭେଛୁଗଣଙ୍କ ସ୍ପଷ୍ଟ ମତ ଥିଲା, ଅଧିକ ଶିକ୍ଷାପାଇଁ କୃଷ୍ଣଚନ୍ଦ୍ର ରାଜକୁମାର କଲେଜକୁ ଯିବା ଉପାଦେୟ ହେବ । ସେଇୟା ହିଁ ହୋଇଥିଲା । ସେଇଠି ନିଉୱ୍ୱିଙ୍ଗ୍‌ଟନ୍ ଆବାସିକ କଲେଜରେ ସେ ନାମ ଲେଖାଇଥିଲେ । ମନ୍ଦ୍ରାଜ ପ୍ରେସିଡେନ୍‌ସି ଅନ୍ତର୍ଗତ ଅଧିକାଂଶ ରାଜା ଜମିଦାରଙ୍କ ସନ୍ତାନଗଣ ସେଠାରେ ଅଧ୍ୟୟନ କରୁଥିଲେ । ବାସ୍ତବରେ କୃଷ୍ଣଚନ୍ଦ୍ରଙ୍କୁ ଉତ୍ତମ/ଶିଷ୍ଟ ବ୍ୟକ୍ତି ରୂପେ ଗଢ଼ି ତୋଳିବା ଦିଗରେ ସେହି କଲେଜ ଯଥେଷ୍ଟ ସହାୟକ ହୋଇଥିଲା । ବଳିଷ୍ଠ ବ୍ୟକ୍ତିତ୍ୱ ଗଠନ ଦିଗରେ ଉକ୍ତ କଲେଜର ଭୂମିକା ଥିଲା ଗୁରୁତ୍ବପୁର୍ଣ୍ଣ । ରାଜକୁମାରଙ୍କ ଭବିଷ୍ୟତ କାର୍ଯ୍ୟକଳାପକୁ ଆଖିଆଗରେ ରଖି ଏବଂ ସେମାନେ ଆପଣେଇ ନେବାକୁ ଥିବା ରାଜ୍ୟଶାସନ, ପ୍ରଜାଗଣଙ୍କ ସର୍ବାଙ୍ଗୀନ ଉନ୍ନତି ଇତ୍ୟାଦିକୁ ଦୃଷ୍ଟିରେ ରଖି ଯଥେଚିତ ଶିକ୍ଷାଦାନ ଥିଲା ସେହି କଲେଜର ବିଶେଷତ୍ୱ । କୃଷି, ପଶୁପାଳନ, ଲୋକଙ୍କ ସମୃଦ୍ଧ ସାମାଜିକ ଜୀବନଯାପନପାଇଁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ଇତ୍ୟାଦି ବିଷୟାବଳୀରେ ପରିପୁର୍ଣ୍ଣ ଥିଲା ସେଠିକାର ଶିକ୍ଷା କାର୍ଯ୍ୟକ୍ରମ । ସେଭଳି ଶିକ୍ଷା ନିର୍ଘଣ୍ଟ ସବୁ କୃଷ୍ଣଚନ୍ଦ୍ରଙ୍କୁ ବେଶ୍ ମନୋଯୋଗୀ କରାଇ ପାରିଥିଲା । ଅତଏବ ସେଠାରୁ ଶିକ୍ଷା ଶେଷକରି ଲେଉଟି ଆସିବା ବେଳକୁ ସେ ଜଣେ ସମ୍ରାନ୍ତ, ସୁଶୀଳ ଏବଂ ସଂସ୍କୃତିସଂପନ୍ନ ଯୁବକ ହୋଇ ଯାଇଥିବା ସଙ୍ଗେ ସଙ୍ଗେ ହୋଇଯାଇଥିଲେ ମଧ୍ୟ ଜଣେ ଜାତୀୟବାଦୀ, ଜନନୀ ଜନ୍ମଭୂମି ପ୍ରତି ବେଶ୍ ମମତାମୟ ଯୁବରାଜ ।

କଲେଜ ଛାତ୍ର କୃଷ୍ଣଚନ୍ଦ୍ର

ସେଇ କଲେଜର ଛାତ୍ର ଥିବା ବେଳେ ଯୁବକ କୃଷ୍ଣଚନ୍ଦ୍ରଙ୍କ ଉପରେ ଯେଉଁ ଅଧ୍ୟାପକମାନେ ପ୍ରଭାବ ପକାଇଥିଲେ ସେମାନେ ହେଲେ ମିଷ୍ଟର କ୍ୟାମେରାନ୍ ମରିଶନ୍ ଏବଂ ମିଷ୍ଟର ଡେଲାହେ । ଆପଣାର ଚରିତ୍ରବତ୍ତା ତଥା ବିଶିଷ୍ଟ ଭୂଗୋଳବିଦ୍ ମରିଶନ୍‌ଙ୍କ ଶିକ୍ଷା ପ୍ରଣାଳୀ ଏବଂ ବିଦ୍‌ବତ୍ତା କିଶୋର କୃଷ୍ଣଚନ୍ଦ୍ରଙ୍କୁ, ବେଶ ଅଭିଭୂତ କରିଦେଇଥିଲା । ତାଙ୍କର ସ୍ନେହ, ଶ୍ରଦ୍ଧାପୂର୍ଣ୍ଣ ବ୍ୟବହାରରେ ବିଶେଷ ଭାବେ ଆକୃଷ୍ଟ କୃଷ୍ଣଚନ୍ଦ୍ର ତାହାଙ୍କୁ ସାରା ଜୀବନ ମନେ ରଖିଥିଲେ ।

ଦୀର୍ଘ ପ୍ରାୟ ସାତବର୍ଷ ସେଠାରେ ଶିକ୍ଷାଲାଭ କରିବା ପରେ ୧୯୧୨ ମସିହା ସେପ୍ଟେମ୍ବର ମାସରେ ଲେଉଟି ଆସିଥିଲେ ପାରଳାଖେମୁଣ୍ଡି । ତାହାଙ୍କର ପ୍ରତ୍ୟାବର୍ତ୍ତନ ବେଳେ ପାରଳାବାସୀଙ୍କ ତରଫରୁ ଯୁବରାଜଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦତ୍ତ ହୋଇଥିଲା । ସ୍ୱଚ୍ଛକାଳ ପରେ ସିଂହାସନ ଆରୋହଣ କରିବାକୁ ଥିବା ଯୋଗୁଁ, ପାରଳାରେ ପହଞ୍ଚିବା ପରେ ପରେ, ରାଜ୍ୟ ସଂପର୍କୀୟ ବିଭିନ୍ନ ବିଷୟର ଅନୁଶୀଳନ କରିବାରେ ନିଜକୁ ନିଯୋଜିତ କରିଥିଲେ ପ୍ରାୟ ଛଅ ସାତ ମାସ ପାଇଁ । ନିଜ ରାଜ୍ୟର ସୀମା ସରହଦଠାରୁ ଆରମ୍ଭ କରି ରାଜ୍ୟର ମାଳ ଅଞ୍ଚଳ, ସମତଳ ଅଞ୍ଚଳ, ଆଦିବାସୀ ସଂପ୍ରଦାୟଗୁଡ଼ିକର ଚାଲିଚଳଣି, କୃଷି, ଗୋପଳନ, ରାଜସ୍ୱ, ସମସ୍ଥାନ ( ଜମିଦାରି ପରିଚାଳନା ପାଇଁଥିବା କାର୍ଯ୍ୟାଳୟ)ର ପରିଚାଳନା, ରାଜ୍ୟର ଆୟବ୍ୟୟ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିବାପାଇଁ ସଫଳ ପ୍ରୟାସ କରିଥିଲେ । ନିଜ ଜମିଦାରିର ପ୍ରମୁଖ ବ୍ୟକ୍ତି-ବିଷୋୟୀ ଓ ଦୋରାମାନଙ୍କ ସଂପର୍କରେ ବିଭିନ୍ନ ତଥ୍ୟ ଏବଂ ରାଜ୍ୟ ପରିଚାଳନାରେ ସେମାନଙ୍କ ସହାୟତାପଇଁ ପ୍ରଦତ୍ତ ଇନାମ, ଜମି, ତୋଟା, ବଗିଚା, ପ୍ରଭୃତିର ବିଶଦ୍‌ବିବରଣୀ ନିଷ୍ଠାପର ଭାବରେ ଅନୁଧ୍ୟାନ କରିଥିଲେ ।

ସେତେବେଳେ ୫୦୩ଟି ଗ୍ରାମ ବିଶିଷ୍ଟ ପାରଳା ଜମିଦାରିର ଆୟତନ ଥିଲା ୬୩୯ ବର୍ଗ ମାଇଲ ଏବଂ ତନ୍ମଧ୍ୟରୁ ୨୮୫ ବର୍ଗମାଇଲ ସମତଳ ଅଞ୍ଚଳ ଥିଲାବେଳେ ଅବଶିଷ୍ଟ ଥିଲା ମାଳ ଅଞ୍ଚଳ । ଜଙ୍ଗଲ ଜାତ ଦ୍ରବ୍ୟ ମାଳ, ପାହାଡ଼ିଆ ଅଞ୍ଚଳରୁ ପ୍ରଚୁର ପରିମାଣରେ ଅମଳ ହେଉଥିବା ବେଳେ କୃଷି ଉତ୍ପାଦନପାଇଁ ସମତଳ ଅଞ୍ଚଳରେ ଜଳସେଚନର ବ୍ୟାପକ ବ୍ୟବସ୍ଥା କରିଥିଲେ ତାହାଙ୍କର ପୁର୍ବପୁରୁଷଗଣ । ପାରଳା ଜମିଦାରିର ବାର୍ଷିକ ଆୟ ସେତେବେଳେ ପ୍ରାୟ ୧୦ ଲକ୍ଷ ଟଙ୍କା ଥିବାବେଳେ ପେସ୍‌କସ୍ ହିସାବରେ ସରକାରଙ୍କୁ ଦାଖଲ କରାଯାଉଥିଲା ୮୭,୮୨୫ ଟଙ୍କା । ଏଇ ସବୁ ସଂପର୍କରେ ସେ ତନ୍ମତନ୍ମ କରି ଅନୁଧ୍ୟାନ କରିଥିଲେ ସେଇ କେତେଦିନ ।

ପ୍ରାୟ ୨୦ ବର୍ଷ ବୟସ୍କ ନବଯୁବକ କୃଷ୍ଣଚନ୍ଦ୍ରଙ୍କ ହୃଦୟରେ ସେତେବେଳକୁ ଜାତୀୟ ଚେତନାର ଉଦ୍‌ବେଳିତ ତରଙ୍ଗ କେବଳ ସୃଷ୍ଟି ହୋଇ ସାରିଥିଲା ନୁହେଁ, ବେଶ ଉତ୍ତାଳ ହୋଇ ଉଠୁଥିଲା କହିଲେ ଭୂଲ ହେବନାହିଁ । ମାଟି ମାଆର ଆହ୍ୱାନ ସତେ ଯେମିତି ତାଙ୍କ କାନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା । କେବଳ ପାରଳା ରାଜ୍ୟର ପ୍ରଜାଗଣଙ୍କ ପାଇଁ ନୁହେଁ, ସମସ୍ତ ଓଡ଼ିଆଭାଷୀ ଜନଗଣଙ୍କ ପାଇଁ ସେ ମମତାମୟ ହୋଇଯାଇ ସାରିଥିଲେ ସେତିକି ବେଳକୁ ।

କେଜାଣି, ଦାଦା, ପିତା ଏବଂ ପାରିବାରିକ ଉପଦେଷ୍ଟା ଶ୍ୟାମସୁନ୍ଦର ରାଜଗୁରୁ ବଞ୍ଚିଥିଲେ ସେଇ ମମତାର ଧାରା ଅଧିକ ତୀବ୍ର, ଅଧିକ ଉଦ୍‌ବେଳିତ ହୋଇଥାଆନ୍ତା ପରା ! ସେ ଅଧ୍ୟୟନ ଶେଷକରି ରାଜଧାନୀକୁ ଫେରିବା ବେଳକୁ ସେମାନେ ସ୍ୱର୍ଗବାସୀ ହୋଇ ସାରିଥିଲେ । କିନ୍ତୁ କୃଷ୍ଣଚନ୍ଦ୍ରଙ୍କ ମନରେ ଜାତୀୟ ପ୍ରୀତି, ଜାତୀୟ ଭାଷା ପ୍ରତି ମମତା, ଅତୀତ ଉତ୍କଳର ବଳିଷ୍ଠ ସଂସ୍କୃତି ପ୍ରତି ଆକର୍ଷଣ ଆଦିକାଳରେ କୃଷ୍ଣଚନ୍ଦ୍ରଙ୍କ ମନରେ ଆଲୋଡ଼ନ ସୃଷ୍ଟି କରାଇବାରେ ସେଇମାନେ ହିଁ ଥିଲେ ପ୍ରେରଣାଦାତା । ସମୟକ୍ରମେ ସେଇ ପ୍ରତ୍ୟେକଟି ବିଭବ ବେଶ୍ ଗଭୀର
ଦାଦା ପଦ୍ମ‌ନାଭଙ୍କ ସ‌ହ ପୁତୁରା କୃଷ୍ଣଚନ୍ଦ୍ର
ଭାବରେ ପ୍ରଭାବିତ କରିଥିଲା ତାହାଙ୍କୁ । ହେଲେ ମୁଖ୍ୟ ପ୍ରେରଣାଦାତାଙ୍କ ମଧ୍ୟରୁ କେହି ସେତେବେଳେ ନଥିଲେ ।

ଦାଦା ପଦ୍ମନାଭ ଗଜପତି ଥିଲେ ୧୮୬୭ରେ ଜନ୍ମିତ ପିତା ଗୌର ଗଜପତିଙ୍କଠାରୁ ପ୍ରାୟ ପାଞ୍ଚବର୍ଷ ସାନ । କିନ୍ତୁ ୧୯୦୪ ଫେବ୍ରୁଆରି ଚାରି ତାରିଖ ଦିନ ମାତ୍ର ୩୨ ବର୍ଷ ବୟସରେ ସେ ପ୍ରଥମେ ଅକାଳରେ ମୃତ୍ୟୁ ବରଣ କରିଥିଲେ । ତତପରବର୍ଷ ପିତା ଗୌର ଗଜପତି ଦାଦାଙ୍କ ପଥାନୁସରଣ କରିଥିଲେ ସେଇ ଅକାଳରେ । ଜୀବନକାଳ ଭିତରେ ସେଇ ଦୁଇଭାଇଙ୍କ ଭିତରେ ଥିବା କ୍ଷୀର-ନୀରର ସଂପର୍କ ସତେ ଯେମିତି ପରପାରରେ ମଧ୍ୟ ସେମିତି ଅକ୍ଷୁଣ୍ଣ ରଖିବାପାଇଁ ବ୍ୟଗ୍ର ଥିଲେ ।

ଗଜପତି କୃଷ୍ଣଚନ୍ଦ୍ରଙ୍କ ପିତା ଓ ଦାଦାଙ୍କ ମଧ୍ୟରେ ଥିଲା ଅନାବିଳ ସଂପର୍କ । ପଦ୍ମନାଭଙ୍କ ଦିବ୍ୟ ଚେହେରା ଯୋଗୁଁ ତାଙ୍କ ପିତା ପ୍ରତାପରୁଦ୍ର ଦେବ ତାଙ୍କରି ଶ୍ରଦ୍ଧାନାମ ରଖିଥିଲେ ଚନ୍ଦ୍ର । ସେହି କାରଣରୁ ହିଁ ସେ ଚନ୍ଦ୍ର ମହାରାଜା ହିସାବରେ ଜନ ସମାଜରେ ପରିଚିତି ଲାଭ କରିଥିଲେ । ଅଗ୍ରଜ ରାଜ୍ୟ ପରିଚାଳନାର ଦାୟିତ୍ୱ ସ୍ୱାଭାବିକ ଭାବେ ଗ୍ରହଣ କରିଥିବା ବେଳେ ସେ ନିଜେ ରାଜ୍ୟର ସାମାଜିକ ତଥା ସାଂସ୍କୃତିକ ଉନ୍ନତି କଳ୍ପେ ମନଧ୍ୟାନ ସଂପୂର୍ଣ୍ଣ ନିୟୋଜିତ କରିଥିଲେ । ମନେ ରଖିବାର କଥା ଯେ ସେ ନିଜେ ଥିଲେ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଏବଂ ନାଟ୍ୟକାର । ସେ ତାହାଙ୍କ ରଚିତ ନାଟକଗୁଡ଼ିକୁ ମଞ୍ଚସ୍ଥ ମଧ୍ୟ କରାଉଥିଲେ ପାରଳାରେ । ସେଥିପାଇଁ ଗୋଟିଏ ଇଂଗମଞ୍ଚ ତୟାର ହୋଇଥିଲା । ସେଠାରେ କେବଳ ତାଙ୍କର ରଚନା ନୁହେଁ, ଅନ୍ୟମାନଙ୍କର ନାଟକଗୁଡ଼ିକ ମଧ୍ୟ ଅଭିନୀତ ହେଉଥିଲା । ସେଠିକାର ପ୍ରତିଷ୍ଠିତ ରଂଗମଞ୍ଚଟି ପ୍ରାକୃତିକ ଓଡ଼ିଶାର ପ୍ରଥମ ଆଧୁନିକ ରଂଗମଞ୍ଚ ବୋଲି ଅନେକ ନାଟ୍ୟ ଆଲୋଚକଙ୍କ ମତ । ତାହା ପଦ୍ମନାଭ ରଂଗାଳୟ ନାମରେ ନାମିତ ହୋଇଥିଲା ଏବଂ ମହାରାଜା କୃଷ୍ଣଚନ୍ଦ୍ର ତାଙ୍କରି ସମୟରେ ତାହାର ଉନ୍ନତିପାଇଁ ଏବଂ ତାହାର ଆଧୁନିକୀକରଣ ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ ।

ବାସ୍ତବରେ ପଦ୍ମନାଭ ତାହାଙ୍କର ସ୍ୱଳ୍ପ ଜୀବନକାଳ ସାହିତ୍ୟ, ସଂଗୀତ ଚର୍ଜା, ଗ୍ରନ୍ଥପ୍ରଣୟନ, ନାଟକ ରଚନା ଓ ଅଭିନୀତ କରାଇବା ଇତ୍ୟାଦି ସାହିତ୍ୟିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ହିଁ ଅତିବାହିତ କରିଥିଲେ । ପୁଣି ରାଜ୍ୟରେ ଜନସମାଜରେ ସାମାଜିକ ଚେତନା ଏବଂ ଜନଜୀବନର ଉନ୍ନତି କଳ୍ପେ ଯେଉଁ ବିଭିନ୍ନ ଉଦ୍ୟମ ଚଳାଇ ରଖିଥିଲେ ତନ୍ମଧ୍ୟରେ ପ୍ରଧାନ ଥିଲା ପାରଳା ସହରରେ ‘ଉତ୍କଳ ହିତୈଷିଣୀ ସମାଜ’ ଗଠନ । ସେହି ଅନୁଷ୍ଠାନ ସମଗ୍ର ଉତ୍କଳୀୟମାନଙ୍କ ଉନ୍ନତି ପାଇଁ ଉଦ୍ଧିଷ୍ଟ ଥିଲା ଏବଂ ସେଇ ଅନୁଷ୍ଠାନ ତରଫରୁ ସେ ନିଜେ ଭାରତୀୟ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନଗୁଡ଼ିକରେ (ପ୍ରାୟ ତିନିଥର) ଯୋଗ ଦେବା ସଙ୍ଗେସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ପ୍ରତିନିଧି ସ୍ୱରୂପ ପ୍ରେରଣ କରୁଥିଲେ । ସେଥିରୁ ପଦ୍ମନାଭ ଦେବଙ୍କ ଜାତୀୟ ଚେତନାର ପ୍ରତିଫଳନକୁ ଲକ୍ଷ୍ୟ କରାଯାଇପାରେ । ସେହି ଅନୁଷ୍ଠାନ ଗଠନରେ ଶ୍ୟାମସୁନ୍ଦର ରାଜଗୁରୁ ମଧ୍ୟ ଥିଲେ ଜଣେ ପ୍ରମୁଖ ସହଯୋଗୀ । ବିଶେଷ ଉଲ୍ଲେଖଯୋଗ୍ୟ ଯେ ସେହି ଅନୁଷ୍ଠାନରେ ଉପରୋକ୍ତ କାର୍ଯ୍ୟକଳାପ ସବୁର ସିଧା ସଳଖ ପ୍ରଭାବ କୃଷ୍ଣଚନ୍ଦ୍ରଙ୍କ ଉପରେ ପଡ଼ିଥିଲା ବାଲ୍ୟ ତଥା କୈଶୋର କାଳରେ ।

ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପ୍ରଥମ ସ୍ନାତକ ତଥା ପାରଳାରେ ସାମାଜିକ ତଥା ସାଂସ୍କୃତିକ ଜୀବନକୁ ସମୁନ୍ନତ କରାଇବା ଉଦ୍ୟମରେ ଅଗ୍ରଣୀ ସମାଜସେବୀ ଶ୍ୟାମସୁନ୍ଦର ରାଜଗୁରୁ ୧୮୬୬ ରେ ଜନ୍ମଗ୍ରହଣ କରି ୧୮୯୦ ମସିହାରେ ଖଲ୍ଲିକୋଟ କଲେଜ (ବ୍ରହ୍ମ‌ପୁର)ରୁ ଆଇ. ଏ. (ତତ୍‌କାଳୀନ ଏଫ.ଏ) ତଥା ରାଜମହେନ୍ଦ୍ରୀ କଲେଜରୁ ୧୮୯୨ ରେ ବି.ଏ. ପାସ୍ କରି ନିଜ ରାଜ୍ୟକୁ ଫେରି ଆସିଥିଲେ ଜନସେବାପଇଁ । ସେହିଭଳି ନିଷ୍ପତ୍ତି ନେବା ଯୋଗୁଁ ହିଁ ମହାରାଜାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ଏବଂ ସମୟକ୍ରମେ ରାଜପରିବାର ସହିତ ବିଶେଷ ଭାବେ ସଂପୃକ୍ତ ହୋଇ ଯାଇଥିଲେ । ଗୌରଗଜପତି ତାହାଙ୍କୁ ପାରଳା ମୁନିସିପାଲିଟିର ପ୍ରଥମ ଚେୟାରମ୍ୟାନ୍ ରୂପେ ନିଯୁକ୍ତି ଦେଇଥିଲେ ଏବଂ ସେହିଭଳି ଭାବେ ଦୀର୍ଘ ୧୫ ବର୍ଷ କାଳ ସେ ରାଜ୍ୟବାସୀଙ୍କ ସେବା କରିଥିଲେ । ବିଶେଷ କରି ଚନ୍ଦ୍ର ମହାରାଜାଙ୍କ ସହିତ ତାଙ୍କର ଘନିଷ୍ଠ ସହଯୋଗ ଥିଲା ଏବଂ ଉଭୟେ ମିଶି ରାଜ୍ୟର ସାମାଜିକ, ସଂସ୍କୃତିକ ତଥା ଜାତୀୟ ଜୀବନକୁ ସମୃଦ୍ଧ କରିବାରେ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିଥିଲେ । ସେ ମଧ୍ୟ ବ୍ରହ୍ମପୁରରେ ଅନୁଷ୍ଠିତ ଗଂଜାମ ଜାତୀୟ ସମିତିର ପ୍ରଥମ ଅଧିବେଶନରେ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ବାସ୍ତବରେ ତାହାହିଁ ଥିଲା ଉତ୍କଳ ସମ୍ମିଳନୀର ଆଦ୍ୟ ପାହାଚ ।

ଶ୍ରୀଯୁକ୍ତ ରାଜଗୁରୁ ଥିଲେ ପାରଳା ରାଜପରିବାରର ଜଣେ ମୁଖ୍ୟ ପରାମର୍ଶଦାତା । ତାଙ୍କରି ପ୍ରଭାବରେ ମଧ୍ୟ ଗଜପତି କୃଷ୍ଣଚନ୍ଦ୍ର ବେଶ୍ ପ୍ରଭାବିତ ହୋଇଥିଲେ । ହେଲେ ସେ ମାନ୍ଦ୍ରାଜରେ ଅଧ୍ୟୟନରତ ଥିବାବେଳେ ରାଜଗୁରୁ ମହାଶୟଙ୍କର ମୃତ୍ୟୁ ହୋଇଥିଲା ୧୯୦୯ ଜୁଲାଇ ୧୭ ତାରିଖ ଦିନ । ସେହି ମୃତ୍ୟୁ ସମ୍ବାଦ ଯୁବକ କୃଷ୍ଣଚନ୍ଦ୍ରଙ୍କ ମାନସିକ ଚେତନାକୁ ଗଭୀର ଭାବରେ ଆଲୋଡ଼ିତ କରାଇ ଦେଇଥିଲା । କିନ୍ତୁ ନିୟତିର ଖେଳ ଉପରେ କିଏ ବା ଅଙ୍କୁଶ ଲଗାଇ ପାରିବ ! ସେଇ ଅଙ୍କୁଶହୀନ ନିଯତିର କାଳଚକ୍ର କୃଷ୍ଣଚନ୍ଦ୍ରଙ୍କ ପିତା ଓ ପିତୃବ୍ୟଙ୍କୁ ମଧ୍ୟ ଅକାଳରେ ଆୟତ୍ତ କରିନେଇଥିଲା । ତେଣୁ ଅପାତତଃ ବାଲ୍ୟକୈଶୋରରେ ଆପଣା ରାଜ୍ୟରେ ଯେଉଁମାନଙ୍କ ଯୋଗୁଁ ମୁଖ୍ୟତଃ ତାହାଙ୍କର ମାନସିକ ଚେତନାରେ ଜାତୀୟ ଭାବର ସ୍ଫୁରଣ ହୋଇଥିଲା, ସେ ମାନ୍ଦ୍ରାଜରୁ ଫେରିବାବେଳକୁ, ସେମାନେ ଆଉ ଇହଜଗତରେ ନଥିଲେ । ସେଇ ଚେତନା ପ୍ରବାହକୁ ଆଉ ଯେଉଁମାନେ ଚଳଚଞ୍ଚଳ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ ସେମାନେ ଥିଲେ ପ୍ରାକୃତିକ ଓଡ଼ିଶାର ନେତୃମଣ୍ଡଳୀ- ମଧୁସୂଦନ, ଫକୀରମୋହନ ପ୍ରମୁଖ ଏବଂ ଉତ୍କଳ ସମ୍ମିଳନୀର ସଂଗଠକଗଣ, ଓଡ଼ିଆ ସାହିତ୍ୟ ଜଗତଳୁ ଉଦ୍‌ବେଳିତ କରୁଥିବା ରାଧାନାଥ, ଗଙ୍ଗାଧର ପ୍ରମୁଖ ରଥୀଗଣ ତଥା ଗୋପବନ୍ଧୁ ଏବଂ ସତ୍ୟବାଦୀ ଗୋଷ୍ଠୀର ମଣିଷ ତୟାର କରୁଥିବା କାରଖାନାର କୁଶଳୀ କର୍ମକାରଗଣ ଏବଂ ଅନ୍ୟାନ୍ୟ ଦେଶ ସେବକ ଗୋଷ୍ଠୀ ।

କୃଷ୍ଣଚନ୍ଦ୍ର ରାଜକୁମାର କଲେଜରେ ଅଧ୍ୟୟନରତ ଥିବାବେଳୁ ହିଁ ଓଡ଼ିଶାରେ ଏବଂ ସାମୁହିକ ଭାବେ ଓଡ଼ିଆମାନଙ୍କର ସାମାଜିକ ଜାଗରଣ ତଥା ସର୍ବତୋନ୍ନତି ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ସଂପର୍କରେ ସଂପୂର୍ଣ୍ଣ ଅବହିତ ଥିଲେ । ତେଣୁ ଆପାତତଃ ଉତ୍କଳର ନେତୃବୃନ୍ଦ ଏବଂ ସେଇମାନଙ୍କ କାର୍ଯ୍ୟକଳାପ ସଂପର୍କରେ ତାହାଙ୍କ ମନରେ ନିଶ୍ଚିତ ଧାରଣା ସୃଷ୍ଟି ହୋଇସାରିଥିଲା ଛାତ୍ରାବସ୍ଥା ଶେଷ ହେବା ପୂର୍ବରୁ ଏବଂ ପୁଣି ସମ୍ଭବତଃ ପ୍ରାକୃତିକ ଓଡ଼ିଶାରୁ, ଦୂରରେ ଥାଇ ସୁଦ୍ଧା ସେ ମନେମନେ ସଂକଳ୍ପ କରିଥିଲେ ରାଜ୍ୟକୁ ଫେରିବା ପରେପରେ ଜାତୀୟ ସ୍ରୋତରେ ହିଁ ଅପଣକୁ ଭସାଇଦେବେ । ସେତେବେଳକୁ ବିଶେଷକରି ଦେଶପ୍ରାଣ ମଧୁସୁଦନ ଓ ଜାତୀୟବାଦୀ ଗୋପବନ୍ଧୁଙ୍କ ପ୍ରଭାବରେ ପ୍ରଭାବିତ ହୋଇଯାଇଥିଲେ ସେ ।

ତାହାର ଯଥାର୍ଥ ପ୍ରତିଫଳନ ହୋଇଥିଲା ଆପଣ ରାଜ୍ୟକୁ ଫେରି ଯୁବକ କୃଷ୍ଣଚନ୍ଦ୍ର ଖେମଣ୍ଡି ରାଜ ସିଂହାସନ ଆରୋହଣ କରିବା ପରେପରେ ।