ଆଶା ତମସା/କର୍ପୋରେଟ୍‌ ଅଣ୍ଡା

ଉଇକିପାଠାଗାର ରୁ
Jump to navigation Jump to search
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
କର୍ପୋରେଟ୍ ଅଣ୍ଡା
   ଶ୍ରୀଯୁକ୍ତ ପ୍ରହ୍ଳାଦ ଓରଫ ପହଲି ଦାଶ କିପରି ବ୍ୟକ୍ତିରୁ ବ୍ୟକ୍ତିତ୍ୱରେ ପରିଣତ ହେଲେ ସେଥିପାଇଁ ତାଙ୍କ ଜୀବନୀ ବାସ୍ତବରେ ଅନୁଶୀଳନଯୋଗ୍ୟ । ପରିବାର କହିଲେ ଦୁଇ ପ୍ରାଣୀ । ଅତୀତର ବହୁ ବିଫଳତା । ତାଙ୍କ ପରବର୍ତ୍ତୀ ଜୀବନର ସ୍ଥିତି ଯେକିତି ଉଜ୍ଜଳମୟ ହେଲା ଅନେକଙ୍କ ପରି ଅତୀତକୁ ସେ ଅକ୍ଳେଶରେ ସଜଡାସଜଡି କରି କହି ପାରିଥା’ନ୍ତେ । ସେପରି ସେ କରି ନାହାଁନ୍ତି । ବରଂ ଏକ ନିଷ୍କୃତ ଉଦାର ସମ୍ଭ୍ରାନ୍ତ ମନ ନେଇ ସେ ଆଗକୁ ଆହୁରି ଚାଲୁଥା’ନ୍ତି ।
  ଗୋଟିଏ ଝିଅ, ନିନି । ଯୁଗଧର୍ମ ଅନୁସାରେ ଷୋହଳ ପୁରିବା ସଙ୍ଗେସଙ୍ଗେ ତା ବାହାଘର କରିଦେଲେ । ର୍ୟାଲେ ସାଇକେଲ, ଉଏଷ୍ଟେଣ୍ଡ୍ ଘଣ୍ଟ, ସୁନା ବୋତାମ ପରି ଯୌତୁକ ଦେବା ପାଇଁ ସେ ନିଜଆଡୁ ପ୍ରସ୍ତାବ ଦେଇଥିଲେ । ଜ୍ୱାଇଁର ରୂପ ଗୁଣ ତାଙ୍କ ମନକୁ ଢ଼େର ପାଇଥିଲା । ପୁଅଟି ଆମ ନିନିକୁ ଠିକ୍ ସାଜିବ । ୟାଙ୍କ ଆଗ୍ରହ ବାରି ବର-ବାପା ହଜାରେ ଟଙ୍କା ବାଟଖର୍ଚ୍ଚ ପରି ନୂଆ ଏକ ଦାବି କରି ତାହା ନେବାକୁ ଅଡି ବସିଲେ ।
  ଜାନିଯୌତୁକ କଥାବାର୍ତ୍ତାରେ ଏମିତି ଛୋଟମୋଟ ଅପ୍ରିୟତା ହୁଏ । ବାହାଘର ଭାଙ୍ଗିଯାଏ । ମାତ୍ର ସେଇ ଭିତରେ ମନର ଡଙ୍କ କୁଆଡ଼ୁ କୁଆଡକୁ ମାଡିଯାଇଥାଏ । ଜ୍ୱାଇଁକୁ ଦେଖିଲା ପରେ ନିନି କୁଆଡ଼େ ଇଚ୍ଛା କଲା ଓ ବୋଉ କାନରେ ତା ମନକଥା ଯେମିତି ହେଲେ ବି ପକେଇ ଦେଲା । ନିନି ଇଚ୍ଛା ସାମ୍ନାରେ ଆଉ ହଜାରେ ଟଙ୍କା ଖର୍ଚ୍ଚ ତାଙ୍କୁ ତୁଚ୍ଚ ଳାଗିଲା । ମନକୁ ଫେରାଇ ଆଣିବା ଏଡ଼େ ସହଜ ହେଲାନି । ସେଥିପାଇଁ ସେ କେଉଁ ପିଢ଼ିର ପୁରୁଣା ନଡିଆ ବାରି ସମେତ ଖଣ୍ଡେ ବାରି ଗୁଣ୍ଠିଆ ଢ଼ିଅ ବିକ୍ରି କରି ଦେଲେ ।
  ଆଉ କିଏ ଅଛି ଯେ? ଆମ ଅନ୍ତେ ଯାହା ଥିବ ସବୁ ତ ତା’ର ।
  ଦୁର୍ଭାଗ୍ୟ, ବିବାହର ଦି ବର୍ଷ ଭିତରେ ଝିଅ ଆରପାରିକି ଚାଲିଗଲା । କିଡ୍‌ନି ଫେଲ୍ । ରୋଗ ଜଣା ପଡିଲା ପରେ, ଖର୍ଚ୍ଚ ପରିମାଣ ଶୁଣି ଶାଶୁ-ଶ୍ୱଶୁର ଶଙ୍କିଗଲେ । ଏତେ ଖର୍ଚ୍ଚାନ୍ତ ଚିକିତ୍ସା କରି ପାରି ନ ଥିଲେ । ପହଲି ଦାଶ ବି ସେତେବେଳେ ତତୋଽଧିକ ନିରୂପାୟ ଥିଲେ । ଲକ୍ଷ ଲକ୍ଷ ଟଙ୍କା କିଏ ସିଏ କିଏ? ସମସ୍ତେ ଯାହା କରନ୍ତି ସେମାନେ ସେଇଆ କଳେ । ମାନସିକ, ହୋମ, ଯଜ୍ଞ ଇତ୍ୟାଦି । ତେଣୁ ଆଖି ଆଗରେ ଗେରସ୍ତ ଭାରିଜା ଦିହେଁ ସୁନାପାତିଆ ଝିଅର ମରଣ ଦେଖିଛନ୍ତି । କି ଅସହାୟ ପିତୃତ୍ୱ । ଏହିପରି ଆହୁରି ଅନେକ ଘଟଣା, ଆହୁରି ଅନେକ ଅବସାଦ । ଦାରିଦ୍ର୍ୟକୁ ଦିହେଁ ମନ କିଳି ଦେଖିଥା’ନ୍ତି । ଲୁହ ଢ଼ୋକି ଢ଼ୋକି ଚିହ୍ନିଛନ୍ତି । କୌଣସି କାହାଣୀ ବା ଉପନ୍ୟାସ ନୁହେଁ ।
  ପହଲି ଦାଶ ଯେ ଗରିବ ଥିଲେ, ,କଥା କଳନା କରିବା ପାଇଁ ଜଣଙ୍କ ଆନ୍ଦାଜ ଯେତେ ଲମ୍ବ କଲେ ବି, ପାଇବା କଷ୍ଟ ।
  ପାଠରୁ ପ୍ରତିଷ୍ଠା ଖୋଜି ପହଲି ଦାଶ ସଫଳ ହୋଇ ନ ଥିଲେ । ବି.ଏ.ପାଶ୍ କଲେ । ଚାକିରି ହେଲାନି । ଓକିଲାତି ପଢ଼ିଲେ । ଓକିଲ ବି ହୋଇ ପାରିଲେନି । ହୁଏତ କିଛି ସୁଯୋଗ ଥିଲା, ମାତ୍ର ରାଜନୀତିରେ ତାଙ୍କର ସ୍ପୃହା ନ ଥିଲା । ଖେଳକୁଦ, ଭଲେଣ୍ଟରିପଣିଆରେ ବେଶ୍ ନାଁ ଅର୍ଜିଥିବା ଯୁବକଟିଏ ଭାବେ ସଚଳ ବାପାର ବିତ୍ତକୁ ବେପରୁଆ ଉଡ଼େଇ ଯୌବନରେ ନିଜ ଭବିଷ୍ୟତ ପାଇଁ ଯେଉଁ ଚିତ୍ର ଅନୁମାନ କରିଥିଲେ, ବାପା ଏବଂ ତାଙ୍କ ଧନ ଉଭୟ ଅପସରି ଗଲା ପରେ ସେ ଜୀବନର ଆଢ଼ୁଆଳ ପଟଟିକୁ ଦେଖିବାକୁ ବାଧ୍ୟ ହେଲେ । ବାପାଙ୍କ ଆଗରୁ ବୋଉ ଚାଲି ଯାଇଥିଲା । ସେ ଅଣନିଶ୍ୱାସ ହୋଇ ପଡ଼ିଲେ । ସବୁଠିଁପ୍ରୟାସ ଓ ଅସଫଳତାର ଘନଚକ୍କର । ବାରମ୍ବାର ନିରାଶାର ଶିଢ଼ି ଚଢ଼ି ଓହ୍ଳେଇ ନିଜ ଧୈର୍ଯ୍ୟର ସବୁ ଫଳି ସେ ଗଣି ସାରିଥିଲେ ।
  ବିଚିତ୍ର ସ୍ୱାଇଁ ଓରଫ ବିଚିଆ ସୋଇଁ, ତାଙ୍କ ପିଲା ଦିନର ସାଙ୍ଗ । ପ୍ରାଇମେରି ସ୍କୁଲରୁ କଲେଜଯାଏ ଦିହେଁ ଏକା ସାଙ୍ଗରେ ପଢ଼ିଛନ୍ତି । ପ୍ରି-ୟୁନିଭର୍ସିଟି ସଂପୂର୍ଣ୍ଣ ନ କରିବିଚିଆ ପାଠ ଛାଡ଼ି ଦେଲା । ମାଇଚିଆଟେ ହଉ ପଛେ, ହ୍ୟାପର ରାଜନୀତିରେ ରୁଚି ଥିଲା । ସ୍କୁଳରେ ସେ ଗୋଟେ କାରନାମା ଦେଖେଇ ଥିଲା । ଦୁର୍ନୀତି ଅଭିଯୋଗରେ ମ୍ୟାନେଜିଂ କମିଟି ଇନ୍-ଚାର୍ଜ ହେଡ୍‌ମାଷ୍ଟ୍ରଙ୍କୁ ବାହାର କରି ଆଉ ଜଣେ ନୂଆ ହେଡ୍‌ମାଷ୍ଟ୍ର ଆଣିଲା । ପୁରୁଣା ସାର୍‌ଙ୍କ କଥାରେ ବିଚିଆ ପିଲାଙ୍କ ଭିତରେ ମେଳି କରି ନୂଆ ସାର୍‌ଙ୍କୁ ଜଏନ୍ କରେଇ ଦେଲାନି । ସେ ପାଠ ଭଳ ପଢ଼ୁ ନ ଥିଲା । ଆଶ୍ଚର୍ଯ୍ୟ ଫେଲ୍ ବି ହେଉ ନ ଥିଲା । ତାଙ୍କ ଗାଁରେ ୱାର୍ଡମେମ୍ବର ନିର୍ବାଚନ ହାରି ସେ କେମିତି କ’ଣ ପରେ ସରପଞ୍ଚରୁ ଚେୟାରମ୍ୟାନ ହୋଇ ଏମ୍ ଏଲ୍ ଏ ହୋଇଗଲା । ହବ ହବ କହି ମନ୍ତ୍ରୀ ବି ହେଲା ।
  ସରପଞ୍ଚ ହବା ଆଗରୁ କହିଥିଲାନଇରେ ଯେମିତି ହେଲେ ସେ ଗୋଟେ ନିଳାମ ଘାଟ କରିବ । ଆଠ ଦଶ ବର୍ଷ ମନ୍ତ୍ରୀ ରହିଲା । କିଛି କଲାନି । ବରଂ କହିଲା କ’ର ନା ସେଠି ସେ ପୋଲ କରିବ । ହ୍ୟାପ ସେ ମୂଖ୍ୟମନ୍ତ୍ରୀ ହେଲେ ବି ନିଲାମ ଘାଟଟେ କରି ପାରିବନି । ଅଥଚ ବୋକା ଲୋକଗୁଡାକ ତାକୁ ସମର୍ଥନ କରୁଛନ୍ତି ବୋଲି ତ ସିଏ ଉପରରୁ ଆଉରି ଉପରକୁ ଯାଉଚି ନା । ସେ କୁଆଡ଼େ ରାଜ୍ୟ ପାଇଁ ଓ ଦେଶ ପାଇଁ ଯାହା ନାଇଁ ତାହା କରି ପାରୁଛି । ଦଳ ବଦଳେଇ ପାରୁଚି । ଯେତେବେଳେ ଇଚ୍ଛା ସେତେବେଳେ ସେ ପାର୍ଟି ଗଢ଼ି ଦେଉଛି, ଭାଙ୍ଗି ଦେଉଛି । କେତେ ନୂଆ ନୂଆ ଆଦର୍ଶ ତିଆରି କରି ପାରୁଚି । ପୁଣି ସେ ଆଦର୍ଶକୁ ଅଣ୍ଡାଖୋଳ ପରି କୁଡ୍‌ମୁଡ୍ କରି ଭାଙ୍ଗିବାର ତତୋଽଧିକ ଉପାୟ ନିମିଷେକେ ତିଆରି କରି ପକୋଉଚି । ଅକସ୍ମାତ ନିରୋଳା ଦେଖାରେ ଏମିତି କଥାରୁ ଯାହା ପଚାରିଲେ ଶଳାଟା କିଛି କହେନି । ଖାଲି ହସୁଥାଏ । ଦିହିଁଙ୍କ ବ୍ୟକ୍ତିଗତ ଘନିଷ୍ଠତା ବାହେଲ ରଖିଥିଲେ ସୁଦ୍ଧା ବିଚିତ୍ରଙ୍କ ଏତତ୍ ପରାକ୍ରମକୁ ସେ କଦର କରୁ ନ ଥିଲେ ।
  ବିଳମ୍ବରେ ହେଉ ପଛେ, ପହଲିଙ୍କ ବିଶ୍ରାମହୀନ ଜୟଯାତ୍ରାର ଯେଉଁ ପଟୁଆର ପରେ ପୃଥିବୀ ଦେଖିଲା, ତହିଁର ଆରମ୍ଭ ମୋଟେ ବର୍ଷ ତିରିଶ ଖଣ୍ଡେ ହବ ।
  ହିରଣ୍ମୟୀ ପତି । ପହଲି ଦାଶ, ବିଚିଆ ସୋଇଁମାନେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ନବମରେ ପଢ଼ୁଥିଲେ । ପହଲି ପରେ ତାଙ୍କୁ ବାହା ହେଲେ । ହିରଣ୍ମୟୀଙ୍କୁ ଯୁବତୀ ବେଳେ ଦେଖିଲେ ଯେକୌଣସି ପୁରୁଷ ଛାତି ଦୁଲ୍‌କି ଉଠୁଥିଲା । ଭାଗ୍ୟରେ ଥିଲେ ସେମିତିକା ସୁନ୍ଦରୀଙ୍କୁ ଲଗାତର ଦଣ୍ଡେ ପହଡ଼େ ଦେଖିବାକୁ ସୁଯୋଗ ମିଳେ । ବାହାଘର ବେଳେ ପହଲି ଦାଶ ଗଜା ଭେଣ୍ଡିଆ । ସେ ମନେମନେ ପ୍ରତିଜ୍ଞା କରିଥିଲେ ଯେମିତି ହେଲେ ହିରଣ୍ମୟୀଙ୍କୁ ଖୁସିରେ ରଖିବେ । ବାସ୍ । ସେଇଠୁ ଭାଗ୍ୟ ତାଙ୍କୁ ସାହା ହେଲା । ସେ ଧୂଳି ଉଡେଇ ଆଗକୁ ଚାଲିଲେ । ତାଙ୍କୁ ଆଉ ପଛେଇ ଅତୀତୀ ଆଡ଼େ ଅନେଇବାକୁ ଯେମିତି ଫୁରସତ୍ ମିଳିନି ।
  ପୂର୍ବାଞ୍ଚଳ ରାଜ୍ୟରେ ଅଣ୍ଡା ଉତ୍ପାଦନ ଓ ବିତରଣ ପରି କର୍ପୋରେଟ୍ ବିଜିନେସ୍‌ରେ ‘ପି ଏଣ୍ଡ ଏଚ୍’ ନାମକ ଯେଉଁ ଖ୍ୟାତ ଟ୍ରେଡ୍‌ମାର୍କ ଚାଲେ ତାହା ପ୍ରହ୍ଲାଦ ଏଣ୍ଡ ହିରଣ୍ମୟୀ ଏହି ଦୁଇଟି ନାମର ସଂକ୍ଷିପ୍ତିକରଣ । ଏ କଥା କେହି ଜାଣନ୍ତିନି । ଆବଶ୍ୟକ ବି ନୁହେଁ ।
  କେଉଁ ଯୁଗର କଥା ଶାସନୀ ବ୍ରାହ୍ମଣ । କୁକୁଡା ଫାର୍ମ କରିବେ କି ନା, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପ୍ରଥମେ ଢ଼େର ମନ ଅମେଳ ହୋଇ ଥିଲା । ଆରମ୍ଭ କଲା ବେଳେ ପହଲି ଦାଶ ହ୍ୱାଇଟ୍ ଲେଗହର୍ଣ୍ଣ ଜାତିର ଗୋଟିଏ ଗଞ୍ଜା ଓ ପାଞ୍ଚଟି ମାଇ ଏକାଥରେ ଆଣିଥିଲେ । ସୁନା ତୋଳା ଶହେ ଟଙ୍କା ଓ କଟକରୁ ହାଓଡା ରେଳ ଟିକଟ ପାଞ୍ଚ ଟଙ୍କା ଆଠ ଅଣା ଥିବା ବଜାରରେ ସେଗୁଡିକର ଦାମ ଥିଲା ପଚାଶ ଟଙ୍କା । ସେଥିପାଇଁ ହିରଣ୍ମୟୀ ନିଜର ଗୋଟିଏ ମଣିପୁରୀ ସୁନାହାର ସ୍ୱାମୀଙ୍କୁ ବନ୍ଧା ପକେଇବାକୁ ଦେଇ ଥିଲେ ।
  ବଛାବଛି କରି ସାରି ପହଲି କଲିକତୀ ବପୋରୀଙ୍କୁ ପଚାରିଥିଲେ, “ଏଥିରୁ ଛୁଆ ହେବେ ଟି?”
  “ଏ ଅଣ୍ଡା ସେ ଅଣ୍ଡା ନୁହେଁ ମ ।” ଦୋକାନୀ ଅଳ୍ପ ହସି ଗଞ୍ଜା ଆଡକୁ ଅନେଇ ଦେଲା । ଯେମିତି ଶବ୍ଦରେ ନ କହି ସେ ଆଖିର ଇସାରାରେ କହୁଥାଏ, ଦେଖି ପାରୁନା କି? ଦୋକନୀ ଖାଲି କହିଲା ବୋଲି ନୁହେଁ, ପହଲି ଦାଶ ସ୍ୱଚକ୍ଷୁରେ ଦେଖୁଥା’ନ୍ତି । ବିକା ସଇଲେଣି, ସେଥିକି ନିଘା ନାହିଁ । ମୁଁ ନଉଚି ସିନା ପୋଷିବା ପାଇଁ ନ ହେଲେ ଆଉ କିଏ ନେଇ ଥିଲେ ଯେ ଝୋଳ ନ କରିବ ତା’ର କୋଉ ଗ୍ୟାରେଣ୍ଟି? ସେଥିକି ପୁଣି ରୋମାନ୍ସ ଦେଖ । ସବୁଗୁଡାକ ଗୋଟାଏ ଗଞ୍ଜା ସାଙ୍ଗରେ ଘଷିନେସି ହଉଛନ୍ତି । ‘କୀଟୁଁ ବ୍ରହ୍ମ ପରିଯନ୍ତେ ଯେତକ, କାହିଁ ନାହିଁ କନ୍ଦର୍ପ କଉତୁକ’ – ବଡପୁରୁଷଙ୍କ ଏଇ କଥାପଦକ ଟଙ୍କାକୁ ଷୋଳଣା ଠିକ ହୋ । ମନେମନେ ସେ ଗଞ୍ଜା ଉପରେ ବେଶି ଲୋଭେଇ ଥିଲେ ।
  ବଡବଡ କଣା ଓ ଖୋପ ଥିବା ଗୋଟିଏ ବାଉଁଶ ଝୁଡିରେ କୁକୁଡା ପଲ ଧରି ଗଡ ଜିତିଲା ପରି ସେ ଫାଇଭ୍ଡାଉନ୍ରେ ଆସି କଟକରେ ପହଞ୍ଚିଲେ । ତାଙ୍କ ମନ କହୁଥାଏ, ହିରଣ୍ମୟୀ କୁକୁଡାମାନଙ୍କୁ ଦେଖୁ ଏବଂ ସର୍ବାଗ୍ରେ ଗଞ୍ଜାକୁ ଦେଖୁ ।
  ସବୁ ମାଇ ଅଣ୍ଡା ଦେଲେ । କୁଡୁକେଇଲେ । ମାତ୍ର ବହୁ ଉଦ୍ୟମ ସତ୍ତ୍ୱେ ଗୋଡିଏ ବି ଚିଆଁ ବାହାରଲେନି ସେଥିରୁ । ଦିଅିଁଙ୍କ କଳ୍ପନା ଅଧାରୁ ଧୋଇ ହୋଇଗଲା ।
  ହିରଣ୍ମୟୀ ବୁଝେଇ ଦେଲେ, “ମଲା, ବ୍ୟବସାୟ ବଢ଼େଇବାକୁ କ’ଣ ଅଣ୍ଟା ଫୁଟି ଛୁଆ ବାହାରିବା ନିହାତି ଦରକାର? କାଇଁ ଅକାରରରେ ଅଣ୍ଡାଗୁଡା କାଞ୍ଜିଆ କରିବ ମ? ଯିଏ ବୋପାରୀ ତାକୁ ସବୁ ବେପାର କରିବାକୁ ପଡିବ ।”
  “ଛୁଆ ନ ହେଲେ ଅଣ୍ଡା ଆମର ହେବ କ’ଣ? ବପୋର ବଢ଼ିବ କେମିତି? ଅଣ୍ଡା ବିକି କିଏ ଇଙ୍ଗ ବପୋରୀ ହେଲାଣି? ପହଲୀ ଦାାଙ୍କ ମୁହଁରେ ନିରାଶା ମାରି ହୋଇ ପଡୁଥାଏ । “ଛୁଆ ହେଲେ ବଡ ହେବେ । ଖାଲି ମାଂସ ବିକିବ, ଭାବିଚ? କଥା କ’ଣ କି, ତୁମେ ବାରମ୍ବାର ଠକି ଯାଇଚ ତ । ସେଇଥିପାଇଁ ମନରୁ ଜିଦି ଛାଡୁନି । ମନ ବଦଳେଇ ଦିଅ । ଉପାୟ ଆପେ ଆପେ ଦେଖାଯିବ । ଆଶାର କେତେ ଡେଣା, କେତେ ଡାଳ । ନ ଅନେଇଲେ ଦେଖିବ କ’ଣ?”
  ଅଣ୍ଡାରେ ସମ୍ଭାବନା ମିଶାଇ ବିକ୍ରି କରାଯାଇ ପାରେ । ବଜାର ଦେଖି ସମ୍ଭାବନାର ରୂପ ବଦଳାଇବା ପରେପରେ ଜଣେ ଦୋରସ୍ତ ଶିଳ୍ପପତି ପରି ବଜାରକୁ ଅପ୍ ଡାଉନ୍ କରାଇବା ଇତ୍ୟାଦି ପହଲି ଦାଶଙ୍କ ନିଜସ୍ୱ ଆଇଡିଆ । ସେ ଭାବିଥିଲେ, କୌଣସି କାରଣରୁ ଯଦି ବଜାର ବିଗିଡି ଯାଏ, ମାଂସ ଗଲା । ପଚିବ ଗନ୍ଧ ହେବ । ବୁଦ୍ଧି ସହିତ ସହଯୋଗ କଲେ ଅଣ୍ଡା କିଛି ଦିନ ରହି ପାରେ ।
  ଲୋକଙ୍କ ବୁଦ୍ଧି? କିହୋ, ବିଚିଆ ସୋଇଁ ପରା ତା ପ୍ରମାଣ । ଲୋକେ ଯାହା ଦେଖି ପାରନ୍ତି ତାକୁ ନିଠେଇ ତନଖନ୍ତି । ଜାଣିଲେ, ଆହୁରି ଗହୀରେଇ ଉଣ୍ଡାଳନ୍ତି । ସମୁଦାୟ କଥାକୁ ଅବିଶ୍ୱାସ କରିବେ ପଛେ, ଉଣ୍ଡାଳିବାର ନିଜ ଅଯୋଗ୍ୟପଣକୁ ମୋଟେ ପ୍ରଶ୍ନ କରିବେ ନାହିଁ । ମାତ୍ର ଯାହା ଦେଖା ନ ଯାଏବା ଜଣା ନ ଥାଏ ତାକୁ ହିଁ ବେଶି ବିଶ୍ୱାସ କରନ୍ତି । ଏହି ତତ୍ତ୍ୱ ଅଣ୍ଡା ବ୍ୟବସାୟ ପାଇଁ ଏକ ଦିବ୍ୟ ପ୍ରତୀକ ହୋଇପାରେ । ଭିତରେ କ’ଣ ଅଛିକେହି ଦେଖି ପାରିବେନି ବା ଜାଣି ପାରିବେନି । ତେଣୁ ଲୋକେ ମାଂସ ଠାରୁ ଅଣ୍ଡାକୁ ଆଗେ ବିଶ୍ୱାସ କରିବେ । ଏଗୁଡାକ ତାଙ୍କ ମନରେ ଛାଁକୁ ଛାଁ ପଶିଗଲା ।
  ସେହି ଦିନଠାରୁ ‘ପି ଏଣ୍ଡ ଏଚ୍’ କମ୍ପାନି ଅଣ୍ଡା ଜରିଆରେ ସମ୍ଭାବନା ବିକ୍ରି କରି ଆସୁଛି । ବେଶ୍ ନ୍ୟାୟସଙ୍ଗତ ଭାବେ ।
  ପରେ ହେଲା କୋଲକତାରେ କର୍ପୋରେଟ୍ କାର୍ଯ୍ୟାଳୟ । ଦେଶର ଭିନ୍ନ ଭିନ୍ନ ଜାଗାରେ ରେଜିଓନାଲ୍ ଓ ଜୋନାଲ୍ ଅଫିସ । ତିନି ଚାରି ବର୍ଷ ଭିତରେ ଘୋ ଘୋ ବେପାର । ବ୍ୟବସାୟ ବଢ଼ିବା ପରେ, ସିଇଓ ମିଷ୍ଟର ପ୍ରେଲ୍ ଦାଶ (ପ୍ରହ୍ଲାଦଙ୍କ ପରିବର୍ତ୍ତିତ ନାମ) କମ୍ପାନି ଆଭିମୁଖ୍ୟ ଘୋଷଣା କରି କହିଥିଲେ ; ଆମ କମ୍ପାନି ଅଣ୍ଡାରେ ଦେଶର ଜନଗଣଙ୍କ ପାଇଁ ସେମାନଙ୍କ ଆଶାନୁରୂପ ସମ୍ଭାବନା ବିକ୍ରି କରୁଛି । ଯେହେତୁ ଭାଗ୍ୟ ଓ କର୍ମ ଇତ୍ୟାଦି ଛାଡି ବିଶ୍ୱ ସହିତ ତାଳ ଦେବା ପାଇଁ ଭାରତୀୟ ମଣିଷ ସମ୍ଭାବନାର ଯୁଗରେ ପ୍ରବେଶ କରିବାକୁ ଯାଉଛି ସେଥିପାଇଁ ଉପଯୁକ୍ତ ବଜାର ସ୍ଥାପନ କରିବା ଆଭିମୁଖ୍ୟ ସହ କମ୍ପାନି ପ୍ରସ୍ତୁତ ହେଉଛି । “ଏହାକୁ କେହି ଯଦି ନକଲ କରନ୍ତି ସେ ଟ୍ରେଡ୍‌ମାର୍କ ଆଇନ୍ ଅନୁସାରେ ଦଣ୍ଡିତ ହେବେ ।”ଏମିତି ନାନା କଥା କହି ବଖାଣି କମ୍ପାନି ଗୋଟିଏ ପରେ ଗୋଟିଏ ପେଟେଣ୍ଟ ବଜାରକୁ ଛାଡିଲା ।
  ଏମିତି କି, ପି ଏଣ୍ଡ ଏଚ୍ ଭାରତର ପ୍ରଥମ କମ୍ପାନି ଯିଏ ତା ଡିଲର୍ମାନଙ୍କୁ ପ୍ରଥମ ଡିଜିଟାଲ୍ ରିଷ୍ଟୱାଚ ଦେଖେଇ ଥିଲା । ଗୋଟିଏ କାର୍ଟୁନ୍ ଅଣ୍ଡା ବିକିଲେ ଗୋଟିଏ ଘଣ୍ଟା ଫ୍ରି । କମ୍ପାନିର ଚକଚକିଆ ଇଂଲିଶ୍ ବ୍ରୋଚରରେ କେତେ ପ୍ରକାର ଉଦ୍‌ଘୋଷଣା ।
  ଭାଷାନ୍ତରିତ କରି ସଂକ୍ଷିପ୍ତରେ କହିଲେ ତାହା ପ୍ରାୟ ଏମିତି ହେବ ; ଜଗତରେ ବିବର୍ତ୍ତନ ହିଁ ସତ୍ୟ । ଆଦି କାଳରୁ ପର୍ଯ୍ୟାଲୋଚନା କଲେଆମେ ଲକ୍ଷ କରି ପାରିବାଯେ ଜ୍ଞାନ ଆହରଣ ମଣିଷ ପାଇଁ ପ୍ରିୟ ହେଉ କି ନା, ଯିଏ ବୁଦ୍ଧିମାନ ସେ ସର୍ବଦା ଶ୍ରମକାତର । ଅତୀତରେ ଜ୍ଞାନ ସହିତ ଅର୍ଥର ଲୌକିକ ସଂପର୍କ ନ ଥିଲା । ସମୟ ବଦଳିଛି । ଜ୍ଞାନ ବିକି୍ରଯୋଗ୍ୟ ହୋଇପାରିଛି । ତାହା ସମାଜରେ ହିତରେ ମଧ୍ୟ ଲାଗୁଛି । ଜ୍ଞାନ ହିଁ ଶ୍ରମ ଏବଂ ଶ୍ରମିକ ସୃଷ୍ଟି କରିବାକୁ ସକ୍ଷମ । .... ଶ୍ରମ ଏ ପୃଥିବୀରେ କଦାପି ମର୍ଯ୍ୟାଦା ପାଇ ନଥିଲା ବା ପାଇବା ସମ୍ଭବ ନୁହେଁ । ନ ଥିବା ଚିଜ ଖୋଜା ହାଉଥିବା ପରି, ଶ୍ରମ ଏବଂ ଶ୍ରମିକଙ୍କ ସକାଶେ ମର୍ଯ୍ୟାଦା ସେମିତି ଖୋଜା ଚାଲିଛି । ଥରେ ହାସଲ ହେଲେ ଆଉ ପ୍ରଗତି ସମ୍ଭବ ନୁହଁ । ଚୋରିଦ୍ୱାରା ଆମେ ଯଦି ଉତ୍ପୀଡିତ ନ ହୁଅନ୍ତେ, ସାଧୁତାର ପ୍ରଶଂସାରେ କି କାର୍ଯ୍ୟ? ସମସ୍ତ ନର ନାରୀ ଯଦି ଯୌନାଚରଣରେ ସତ୍ୟାଶ୍ରୟୀ ହୁଅନ୍ତେ, ରାମ ସୀତାଙ୍କ ମହିମା ବର୍ଣ୍ଣନା କାହିଁକି ଲୋଡା ହୁଅନ୍ତା?
  “ତେଣୁ ଯେଉଁ ଯୁଗ ଆସୁଛି ତହିଁରେ ଅଧିକରୁ ଅଧିକ ଜ୍ଞାନ ଆହରଣ ଓ ପ୍ରତିଯୋଗିତା ପାଇଁ ଯଥେଷ୍ଟ ପୂର୍ବପ୍ରସ୍ତୁତି ଆବଶ୍ୟକ । ଜ୍ଞାନ ଅ୍ଧମ କଦାପି ଇଶ୍ୱରଦତ୍ତ ହୋଇ ରହି ପାରିବ ନାହିଁ । ଜ୍ଞାନ ପାଖରେ ବରଂ ଇଶ୍ୱର ବନ୍ଧା ପଡିବେ । ଶ୍ରମକୁ ଆଶ୍ରା କରି ବଞ୍ଚୁଥିବା ମଣିଷ ଅପେକ୍ଷାକୃତ ଇତର । ଆମ କମ୍ପାନିର ସଫଳ ଓ ଅଭିନବ ଅନ୍ୱେଷଣ ହେଲା - ଆମେ ଆପଣଙ୍କୁ ଇତରାତାରୁ ଉଦ୍ଧ୍ୱର୍କୁ ନେବୁ । ଆପଣ ଇଚ୍ଛା କଲେ ଅତିମାନବ ହୋଇ ପାରିବେ ।”
  ଆରମ୍ଭ ବେଳେ ପି ଏଣ୍ଡ୍ ଏଚ୍ କମ୍ପାନି ନିଜ ଅଣ୍ଡା ବିଷୟରେ କିପରି ପ୍ରଚାର କରୁଥିଲା? ନମୁନା କେତୋଟି ଶୁଣିବା ।
  ଆମ କମ୍ପାନି ଏବଂ ଲଣ୍ଡନର ‘ଲ୍ୟାରି ଏଣ୍ଡ ହାର୍ପି୍କ୍ସ’ର ମିଳିତ କ୍ରୋମୋଜମ୍ ଗବେଷଣା ଯୋଗୁ ଯେଉଁ ଅଭୂତପୂର୍ବ ସଫଳତା ମିଳିଛି ତାହା ଭାରତୀୟମାନଙ୍କ ପାଇଁ ପ୍ରୟୋଗ କରିବାକୁ ଆମେ ବଦ୍ଧପରିକର । ଏହାକୁ କେହି ସାଧାରଣ ଅଣ୍ଡା ବୋଲି ଭାବିବା ଉଚିତ ନୁହେଁ । ଅଣ୍ଡା ପରି ଏକ ଜୈବ ସତ୍ତା ଜରିଆରେ ଜୀବନ ଓ ପ୍ରତିକାର ସୃଷ୍ଟିର ନାନାଦି ପ୍ରକ୍ରିୟା ମଣିଷ ପାଖକୁ ଏତଦ୍ୱାରା ଟ୍ରାନ୍ସଫର ହେଉଛି ।
  ପ୍ରତିଦିନ କାଷ୍ଠାରେ ସ୍ୱାମୀ ସ୍ତ୍ରୀ ଦିନକୁ ଗୋଟିଏଲେଖା ପେଟେଣ୍ଟ ନମ୍ବର ଏତେ ଅଣ୍ଡା ଳଗାତର ଦି ବର୍ଷ ସେବନ କଲେ ଅପୁତ୍ରିକ ନାରୀ ପୁତ୍ରବତୀ ହେବେ । ମାସକର ଆଡ୍ଭାନ୍ସ ଦେଲେ ଦୁି ବର୍ଷ ପାଇଁ ଆପଣଙ୍କୁ ରିନିଉଏବଲ୍ କାର୍ଡ ମିଳିବ । ଆପଣଙ୍କର ସେହି ଅନାଗତ ସନ୍ତାନ ପାଇଁ କମ୍ପାନି ତରଫରୁ କୋଡିଏ ହଜାର ଟଙ୍କା ଶିକ୍ଷା ବିମା । ପ୍ରପୋଜାଲ୍ ଗ୍ୟାରେଣ୍ଟି ଓ ‘ଲ୍ୟାରି ଏଣ୍ଡ ହାର୍ପି୍କ୍ସ’ର ସାର୍ଟିଫିକେଟ୍ ଆମ କାର୍ଡରେ ଯୋଡା ହୋଇ ରହିଛି ।
  ଗୋରୀ ନୁହେଁ ବୋଲି ବାହା ବଜାରରେ ଝିଅ ବାସନ୍ଦ ହେଉଛି । ପାଖପଡିଶା ଉଲୁଗୁଣା ଦେଉଥିବେ । କେତେ ଗପ ଉଠୋଉଥିବେ । ଝିଅ ଦେଖିବା ନାଁରେ ଦଳଦଳ ଲୋକ ଆସୁଥିବେ । ଥରକୁ ଆପଣଙ୍କର ଶହେ କି ଦି ଶହ ଖର୍ଚ୍ଚ । ପ୍ରତି ଥର ଝିଅ ଶଙ୍କି ଯାଉଥିବ ଓ ମା’ ମଙ୍ଗଳାଙ୍କୁ ଡାକୁଥିବ । ହେଲେ ମଧ୍ୟସ୍ଥି ଆଉ ଫେରେ ନାହିଁ । କାନ୍ଦିକାନ୍ଦି ଝିଅର ଆଖି ଫୁଲିଯାଏ ଏବଂ ଆପଣ ଶୁଖିଶୁଖି କଣ୍ଟା ହୋଇ ଯାଆନ୍ତି । ନିରାଶ ହୁଅନ୍ତୁ ନାହିଁ । ଉପାୟ ଅଛି । ଝିଅକୁ ଆମ କମ୍ପାନିର ଏତେ ନମ୍ବର ଅଣ୍ଡା ଦିନ୍ ଗୋଟିଏ ଲେଖା ଖାଇବାକୁ ଦିଅନ୍ତୁ । ତାହା ହିନ୍ଦୁ ଭାଦ୍ରପଦରୁ ଆରମ୍ଭ ହେଉ । ଫାଲ୍ଗୁନ ବେଳକୁ ଯଦି ବାହାଘର ପାଇଁ ମଧ୍ୟସ୍ଥିଙ୍କ ଭିଡ ନ ଲାଗେ କମ୍ପାନି ଆପଣଙ୍କର ସମୁଦାୟ ଝର୍ଚ୍ଚ ଫେରାଇ ଦେବାକୁ ଗ୍ୟାରେଣ୍ଟି ଦେଉଛି ।
 ଲାଗିତେ ଲାଗିତେ ପିଲାଟି ମ୍ୟାଟ୍ରିକ୍ ପାଶ୍ କରି ପାରୁ ନାହିଁ । ଆପଣ ଭାବୁଛନ୍ତି କ’ଣ ନା ପିଲା ପାଠ ପଢ଼ୁନି । ରାଗୁଛନ୍ତି । ତା’ର କ’ର ପାଶ୍ କରିବାକୁ ଇଚ୍ଛା ନ ଥିବ କି? କିନ୍ତୁ ବହିର ପାଠ ତା ମନ ଭିତରକୁ ଯାଉ ନାହିଁ । ତାହା ସେ ଖାତାରେ ଲେଖିବ କେମିତି? ପିଲା ଏ କଥା ଆପଣଙ୍କୁ ବୁଝେଇ ପାରୁନି । ଦୋଷ ତା’ର ନୁହେଁ; ତା ବ୍ରେନ୍ର । ରାତିରେ ଶୋଇବା ପୂର୍ବରୁ ଦିନ୍ ଗୋଟିଏଲେଖା ଆମ କମ୍ପାନିର ପେଟେଣ୍ଟ ନମ୍ବର ଏତେ ହାପ୍ବଏଲ୍ ଅଣ୍ଡା ଓ କପେ ଉଷୁମ କ୍ଷୀର ତାକୁ ଦିଅନ୍ତୁ । ଅଣ୍ଡା କିପରି ହାପ୍‌ବଏଲ୍ ହେବ ତହିଁର ସହଜ ଉପାୟ କମ୍ପାନି ଡେମନ୍‌ଷ୍ଟ୍ରେଟର୍ ଯାଇ ଶିଖାଇ ଆସିବେ ।
  ସ୍ୱାମି ଯଦି ପର-ସ୍ତ୍ରୀ ଗମନ କରୁଥା’ନ୍ତି ତାଙ୍କୁ କିପରି ଅପଥରୁ ଫେରାଇ ଅଣା ଯାଇ ପାରିବ; ମଦ ପିଇ ବରବାଦ୍ ହେଉଥିବା ପୁରୁଷକୁ କିପରି ମଦ-ମୁକ୍ତ କରାଯାଇ ପାରିବ; ଚନ୍ଦା ମୁଣ୍ଡରେ କିପରି ନୂଆ କେଶ ଉଠିବ – ଏହିପରି ଅସାଧ୍ୟ ଉପଚାର ବା ସମସ୍ୟାର ସମାଧାନ ଯେ କେବଳ ଅଣ୍ଡାଦ୍ୱାରା ହୋଇପାରିବ, ସେଥିପାଇଁ ପି ଏଣ୍ଡ୍ ଏଚ୍ କମ୍ପାନିର ପ୍ରଚାର କୌଶଳ ବାସ୍ତବିକ ବିରଳ ଥିଲା ।
  ତହିଁରେ ପୁଣି କମ୍ପାନି ତରଫରୁ ଦୃଢ଼ ଭାବେ ଘୋଷଣା କରା ଯାଇଥିଲା ଯେ - ଆମ ଅଣ୍ଡା ଆମିଷ ନୁହେଁ । କାରଣ ଏହାକୁ ଔଷଧ ପାଇଁ କେବଳ ଏକ ଜୈବ ମାଧ୍ୟମ ରୂପେ ବ୍ୟବହାର କରାଯାଉଛି ଏବଂ ଏଥିରୁ ଛୁଆ ହେବାର ନଥାଏ ।କୌଣସି ତିଥି କି ବାର ପାଇଁ ଏହା ବର୍ଜ୍ୟ ଦ୍ରବ୍ୟ ମଧ୍ୟ ନୁହେଁ । ଏହାର ସେବନରେ କୌଣସି କଟକଣା ନାହିଁ ବୋଲି ପରମପୂଜ୍ୟ ଶ୍ରୀ ଲ ଜଗଦ୍ଗୁରୁ ବାବା ଶ୍ରୀ ହୃଦ୍ଗତାନନ୍ଦ ସରସ୍ୱତୀଙ୍କ ‘ସାତ୍ତ୍ୱିକ ଜୀବନଚର୍ଯ୍ୟା’ ପୁସ୍ତକର ୮୭ ଏବଂ ୧୦୩ ପୃଷ୍ଠା ଦ୍ରଷ୍ଟବ୍ୟ ।
  ଲୋକେ ସମ୍ଭବତଃ ଉପକାର ପାଉଥିଲେ । ‘ସନ୍ତୁଷ୍ଟ ଗ୍ରାହକ ଆମର ଶ୍ରେଷ୍ଠ ପ୍ରଚାରକ’ ବା ଏହିପରି ନାନା ସ୍ଲୋଗାନ-ବିଜ୍ଞାପନରେ କମ୍ପାନି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା । ଛୋଟବଡ ସହରରେ ‘ପି ଏଣ୍ଡ୍ ଏଚ୍ କ୍ଳବ’ ଗଢ଼ି ଉଠିଲା । କମ୍ପାନି ଅଣ୍ଡାରୁ ଉପକାର ପାଇଥିବା ଶ୍ରଦ୍ଧାଳୁମାନେ କମ୍ପାନି ନାଁ ଖୋଦେଇ ସୁନା ରୂପାର ଅଣ୍ଡା ତିଆରି କରି ଧୂପ ଚନ୍ଦନ ଦେଇ ତାକୁ ଠାକୁର ଠାକୁରାଣୀ ପରି ପୂଜା କରିବାକୁ ଲାଗିଲେ ।
  ପ୍ରତିଯୋଗିତା ଆରମ୍ଭ ହେଲା । ମିଷ୍ଟର ପ୍ରେଲ୍ ଦାସ ସେଥିଯୋଗୁ ଆଦୌ ବ୍ୟସ୍ତ ହେଲେନି । କମ୍ପାନିର ଚିଫ୍ ଜେନେରାଲ୍ ମ୍ୟାନେଜର, କମର୍ସ ଏଣ୍ଡ ସପ୍ଳାଏଙ୍କ ସ୍ୱାକ୍ଷରରେ ଏକ ବିଜ୍ଞାପନ ବଡ ବଡ ସମ୍ବାଦପତ୍ର ଓ ମ୍ୟାଗାଜିନ୍‌ରେ ପ୍ରକାଶ କରି ଦିଆଗଲା । “ଆମ ଅଣ୍ଡାର ଲୋକପ୍ରିୟତା ଆପଣଙ୍କ ସହଯୋଗ ପାଇଁ ଆମେ କୃତଜ୍ଞ । ଯୋଗାଣ ବଢ଼େଇବା ସମ୍ଭବ ହେଇ ନ ଥିବାରୁ ଏଜେଣ୍ଟମାନେ ନୂଆ ଅର୍ଡର ଗ୍ରହଣ ନ କରିବାକୁ ଅନୁରୋଧ । କେତୋଟି ଫାର୍ମର ଆଧୁନିକୀକରଣ ପରେ ସମଗ୍ର ଦେଶବାସୀଙ୍କ ପାଇଁ ବିସ୍ତାରିତ ସେବା ଯୋଗାଇବାକୁ ଆମେ ପ୍ରତିଶୃତି ଦେଉଛୁ । ଚଳିତ ଯୋଗାଣ ଯେପରି ବ୍ୟାହତ ନ ହୁଏ ସେଥିପାଇଁ ଆମେ ଯଥାସାଧ୍ୟ ଚେଷ୍ଟା କରୁଛୁ । ଗ୍ରାହକମାନଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ।”
  ଏତିକିରେ ଦେଶ ସାରା ଯିଏ ଯୋଉଠି ଉଠୁଥିଲେସବୁ ପ୍ରତିଯୋଗୀ ବଜାରରୁ ସଫା । ଭାରତୀୟ ଅଭ୍ୟାସ ଅନୁସାରେ ଏଜେଣ୍ଟମାନେ ଚଟାପଟ ଦୋନମ୍ବରୀ କାର୍ଡ କରି କଳାବଜାରି ଆରମ୍ଭ କରି ଦେଲେ । ପ୍ରତିଯାଗୀଙ୍କ ଅଣ୍ଡାକୁ ଆକ୍ଷେପ କରି ଏଜେଣ୍ଟ-ଦୋକାନୀମାନେ କହିବାକୁ ଆରମ୍ଭ କଲେ : ଆମଲେଟ୍ ପାଇଁ ଅଣ୍ଡା ଏଠି ମିଳେନି!
  ଏ ଆୟୋଜନରୁ ବେଶ୍ ଜଣା ପଡୁଥାଏ ଯେ ପ୍ରହ୍ଲାଦ ଦାଶ ଏବଂ ପତ୍ନୀ ହିରଣ୍ମୟୀ ଦେବୀ ସଫଳତାକୁ କଦାପି ପଇସାରେ ମାପୁ ନ ଥିଲେ । ଉତ୍ସ କେବେ ଭଣ୍ଡାର ସହିତ ପ୍ରତିଯୋଗିତା କରେନି ଏହିପରି ଆବେଶଯୁକ୍ତ ମନ ସହ ଦୁଇ ପ୍ରାଣୀ ପାରସ୍ପରିକ ଆଦରରେ ବଞ୍ଚô ଥା’ନ୍ତି କେବଳ । ଏପରି ଅବସ୍ଥା, ଯେଉଁଠି ଆଶା କିଛି ଆଲୋକ ଦେଖେଇ ପାରେନି ବା ନିରାଶା ଅନ୍ଧାରରେ ବି ଡୁବେଇ ପରେନି । ବେଳେବେଳେ ସଂଗଂନ ଏମିତି ସ୍ତରରେ ପହଞ୍ଚô ଯାଏ ଯେଉଁଠି ସ୍ରଷ୍ଠା ବି ନିଜର ସତ୍ତା ହଜାଇ ବସେ । ଉପାୟ ଓ ଶୃଙ୍ଖଳାଗୁଡିକ ନିଜ ସୁରକ୍ଷା ଓ ସମୃଦ୍ଧିର ମାର୍ଗ ନିଜେ ହିଁ ପିର୍ଦ୍ଧାରଣ କରୁଥା’ନ୍ତି । ସ୍ରଷ୍ଟା ସୁଅ ମୁହଁରେ ପତ୍ରଟିଏ ପରି ନିଜ ସୃଷ୍ଟିର ବେଗରେ ଭାସି ପାରେ କେବଳ । ସୁଅକୁ ଅଟକାଇ ପାରେନା କିମ୍ବା ନିଜର ଗତିକୁ ମଧ୍ୟ ନିୟନ୍ତ୍ରଣ କରି ପାରେନା । ପ୍ରତିଷ୍ଠାନର ପ୍ରଚାର ଭିତରେ ପ୍ରତିଷ୍ଠାତା ବ୍ୟକ୍ତି ଜଣକ ନିଜର ଫଟୋ ହସ୍ତାନ୍ତର କରି ନିଜେ ହଜିବାକୁ ଉଚିତ ମନେ କରେ ।
  ବେଳେବେଳେ ଏକାନ୍ତରେ ସ୍ୱାମୀ-ସ୍ତ୍ରୀ ଜୀବନର ହିସାବ ନିକାଶ କରନ୍ତି । ଥରେ ହିରଣ୍ମୟୀ ପଚାରିଲେ, “ସତ କହିଲ, ଆମେ ଇଏ କି ଜୀବନଟେ ବଞ୍ଚିଛୁ?”
  ପହଲି ଦାଶ ଦୀର୍ଘ ନିଶ୍ୱାସ ଛଡା କିଛି ଉତ୍ତର ଦେଇ ନ ଥିଲେ ।
  “ଆମେ ଧର୍ମ କରିଚୁ ନା ପାପ କରିଚୁ?”
  କହା ଜର୍ଦ୍ଧା ମିଶା ଛେପ ତଣ୍ଟିରେ ଲାଗୁଥିବା ପରି ଅସହାୟ ବାସ୍ତବତାରେ ପହଲି ଦାଶ ଏ ପ୍ରଶ୍ନର ଉତ୍ତରକୁ ମଧ୍ୟ ଢ଼ୋକି ଦେଲେ ।
  “ଆମ ନିନି ଯଦି ବଞ୍ଚିଥା’ନ୍ତା?”
  ବାରି ହେଲା ପରି ପହଲି ଦାଶ ଏବେ ଉଞ୍ଚା ସ୍ୱରରେ ହସିଲେ । “ସେଇ ଦିନଟି ମନେ ଅଛି – ତମେ ମତେ ଛୋଟିଆ ଆଶାର କିରଣଟିକେ ଦେଖେଇ ଥିଲ? ଉୁଁ ମନକୁ ଭୂଲେଇ ନ ପାରିଥିଲେ କୁକୁଡ଼ା କେମିତି ଆସି ଥା’ନ୍ତେ? ନିନିର ଚିକିତ୍ସା ଖର୍ଚ୍ଚ ପାଇଁ ନିଜକୁ ଅସମର୍ଥ ଅନୁଭବ କଲାବେଳେ ଏତେ ଗରିବ ହେବା ଉଚିତ ନୁହେଁ ବୋଲି ଆମେ ଦିହେଁ ବହୁତ ଭାବି ନ ଥିଳେ କି? ଧନୀ ହେଲୁ ଯେ, କିନ୍ତୁ ଆମ ନିନି ଆଉ ନ ଥିଲା । ସମୟର ନିଜ ନିଜ ଖୋପରେ ଥିବା ଧନ ବା ନିନି – କେହି କାହାରିକୁ ଅପେକ୍ଷା କରି ପାରିଲେନି । ଖାଲି ନିିନି ମୁହଁ ଆମେ ଭୁଲିନୁ । ଚିଆଁ ଦେଖିବା ଲୋଭ ବି ଛାଡି ହୋଇଗଲା । ଏବେ କୁହ, ନ ହେଲେ ଅଣ୍ଡା କମର୍ସିଆଲ୍ ହୋଇ ଥା’ନ୍ତା କେମିତି? ବୁଝିଲ, ଲୋକେ ଦୁଃଖ ବଦଳରେ ସୁଖ ଚାହାଁନ୍ତି କି? ସୁଖ କ’ଣ ଜାଣି ନ ଥିଲେ ତ? ଅବସ୍ଥାର କିଛି ପରିବର୍ତ୍ତନକୁ ସୁଖ ବୋଲି ଭାବି ନିଅନ୍ତି । ମଣିଷ ସବୁଦାୟ ଦୁଇଟି କଥା ଶିଖିଚି । ଟୁ ଆଡ୍‌ଜଷ୍ଟ ଉଇଥ୍ ପେନ୍ ଏଣ୍ଡ ପ୍ଳେଜର । ବୁଝିଲ ଗୋ ସୁନ୍ଦରୀ ପତ୍ନୀ? ମନଟା ଟିକେ ରୋମାଣ୍ଟିକ୍ ଲାଗୁଛି ।”
  “ମୁଁ ଜାଣିଚି, ମୋ ପ୍ରଶ୍ନର ଉତ୍ତର ତମେ ଦେଇ ପାରିବନି । ହସିଲ ଯେ ସତ, ତାହା ହସ ନ ଥିଲା ମୁଁ ତମର । ତମକୁ ଚିହ୍ନି ଚିହ୍ନି ବୁଢ଼ୀ ହେଲିଣି । କ’ଣ ଜାଣି ପାରିବିନି – ମସଲ୍ ହସ କେମିତି ଦେଖାଯାଏ ଆଉ ମନ ହସ କେମିତି ଲାଗେ? ଛାଡ । ହେଲେ ତୁମ ମୁହଁରୁ ଏତେ ଗମ୍ଭୀର କଥା ଶୁଣିବାକୁ ମତେ ଡର ଲାଗୁଛି । ଟିକେ ହସ ନା । ପୋଡା ଜୁଇ ତଳୁ ମଡାଟାକୁ ମୁଁ କାହିଁକି ଉଖାରୁ ଥିଲି କେଜାଣି ।” ହୀରଣ୍ମୟୀ ସତକୁ ସତ ଆବାକାବା ହୋଇ ଯାଉଥିଲେ ।
  “ତମର ବିଚିଆ ସୋଇଁ କଥା ମନେ ପଡୁଛି?”
  “ମଲା, ଏଇ ସାତ ଆଠ ଦିନ ତଳେ ଫୋନ୍ କରିଥିଲେ ପରା । କହୁଥିଲେ କ’ଣ ତାଙ୍କ ଦଳରେ କ’ଣ ଗୋଟେ ଗଣ୍ଡଗୋଳ ଚାଲିଛି ।”
  “ସେ ଶଳାଟାର ସବୁବେଳେ ଗଣ୍ଡାଗୋଳ ଚାଲିଥାଏ । ଯୋଉ ଦିନ ଠାରୁ ରଥୀ ନନ୍ଦ ଠାରୁ ୱାର୍ଡ଼ ମେମ୍ବର ନିର୍ବାଚନ ହାରିଲା, ସେଇ ଦିନ ସେ ପ୍ରତିଜ୍ଞା କରିଥିଲା – ଲୋକଙ୍କୁ ଖୁସି କରିବ ଓ ତା ବଦଳରେ ସଫଳ ହେବ । ସେ ଠିକ୍ ସେଇଆ କରୁଚି । ମୁଁ ବେଖାତିରି କଲେ ବୁ ଶଳାଟାକୁ ସେଇଦିନୁ ଗୁରୁ କରିଥିଲି ଯେ ।”
  ହିରଣ୍ମୟୀ ଦେଖିଲେ, କଥା ତଥାପି ବାଟ ଛାଡ଼ୁନି ।ସେ କାନ୍ଦି ପକେଇେଲ ।
  ପହଲି ଦାଶ ଚମକିଲା ପରି ପାଟି ଉଠିଲେ । “ହେ.....ଇ, ଟିଭି ଆଡ଼େ ଅନାଇଲେ ଆମ ବିଚିଆ କ’ଣ କେନ୍ଦ୍ରରେ ମନ୍ତ୍ରୀ ହେବାକୁ ଶପଥ ନଉଚି । ସିଏ ମୋ ସାଙ୍ଗରେ ଦି ତିନି ଦିନ ତଳେ କଥା ହଉଥିଲା । କାଇଁ କିଛି କହୁ ନ ଥିଲାତ? ଶଳା ଏଥର ବୋଧେ ଲୋକଙ୍କୁ ଫ୍ଲାଇଓଭର୍ ତିଆରି କରିବା ସ୍ୱପ୍ନ ଦେଖେଇବ । ନିଜେ ଏଯାବତ୍ ନିଲାମଘାଟଟେ ବି କରାଇ ପାରିଲାନି ।”