ଆଶା ତମସା/ଜଡ଼ା

ଉଇକିପାଠାଗାର ରୁ
Jump to navigation Jump to search
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ଜଡ଼ା

ରାଜଧାନୀ ହେବା ପୂର୍ବରୁ ଆମ ବଡ଼ଅପା ଘର ଭୁବନେଶ୍ୱର । ସେଇଠି ମୁଁ ଜଡ଼ାକୁ ଦେଖିଥିଲି । ଭିଣେଇ ଥିଲେ ଜଣେ ପଦସ୍ଥ ପୁଲିସ ଅଫିସର । ଚାକିରି ଜୀବନ ସାରା ଅଡ଼ର୍ଲି ଅଭ୍ୟାସର ବଶବର୍ତ୍ତୀ ହୋଇଥିବା ଯୋଗୁ, ଯେଉଁ ନାଁରେ ବି ହେଉ, ଅପାର ସଦାବେଳେ ଚାରିପାଞ୍ଚ ବୋଲହାକକାରୀ ଦରକାର । ଠାକୁରେ ତାକୁ ଭଲରେ ରଖିଥିଲେ । ତେଣୁ ଏ ଆଧିନିଧି ସେ ତୁଲେଇ ପାରୁଥିଲା ମଧ୍ୟ ।

ବହୁ କାରଣରୁ ବେଶ୍ କେତେ ବର୍ଷ ଲାଗ୍‌ଲାଗ୍ ମୁଁ ଭୁବନେଶ୍ୱର ଯାଉଥିଲି । ନିବାସ - ଅପା ଘର । ମୋର ଆଗ୍ରହ ଥାଉ ବା ନଥାଉ, ଇତିମଧ୍ୟରେ କିଏ ନୂଆ ରହିଲା ବା କିଏ କାହିଁକି ଛାଡ଼ିଚାଲିଗଲା, ସେପରି କଥାଗୁଡ଼ାଏ ଅପା ନିଶ୍ଚୟ ଗପିବ ।

ତା ଘରେ କି କାମ ଯେ, ଏତେ ଲୋକ ଦରକାର? ତେଣୁ ମତେ ଲାଗେ, ବେଶି ସେ ନିଜର ମନସ୍ତାତ୍ତ୍ୱିକ ପ୍ରତିରକ୍ଷା ପାଇଁ ଅଯଥା ଗୁଡ଼ିଏ ଗପୁଥିଲା । ମାତ୍ର ଥରେ ସେ ଏମିତି ଜଣେ ନୂଆଲୋକ ରଖିଚି ବୋଲି କହିଲା ଯାହାଠିଁ ମୋର ଆଗ୍ରହ ଅଟକୁ ଅଟକୁ ଅଟକିଗଲା । ଯାହାହେଉ ଭୁଲ କରୁକରୁ ଅପା ଗୋଟେ ଠିକ୍ କାମ ଇ କରି ଦେଇଥିଲା ।

ସେ ନୂଆ ଲୋକକୁ ସମସ୍ତେ ଡାକୁଥିଲେ ଜଡ଼ା । ତା ସ୍ୱରରେ କିଛି ବିଲକ୍ଷଣ ନ ଥିଲା । ହେଲେ, ତାକୁ ଆଉ କେହି କିଛି ଡାକୁ ନ ଥିବାରୁ ତା ନାଁ ଜଡ଼ା ବୋଲି ମୁଁ ବି ଧରି ନେଇଥିଲି ।

ବାସ୍ତବରେ ସେ ଜଡ଼ା ନୁହେଁ । କଥା କହେ । କଥା ଶୁଣେ । ତା ଜୀବନ ଗତିପଥର ଛବିଗୁଡ଼ାକ କେବଳ ଆବୁରୁଜାବୁର । ଯେମିତି କି, ଛୁଆଦିନୁଁ ସେ କହିଥିବା ଅନେକ ଧ୍ୱନୀରୁ ଗୋଟିଏ ବି ଜୀବନ୍ୟାସ ପାଇ କଥାରେ ପରିଣତ ହୋଇପାରିନି । ତେଣୁ କଥା କହିବାକୁ ତା ମନରେ ଆବେଗ ନ ଥାଏ । ଜୀବନ ତାକୁ ଶିଖେଇ ଦେଇଛି, ସୁଉଦୁ ପଶୁପରି ବଞ୍ଚିବା ପାଇଁ କଥା କହିବା ମୋଟୁରୁ ଦରକାର ନାହିଁ । ଲାଗେ, ସେ କଥା କହିବା ଯେମିତି ଅଭ୍ୟାସ କରିନି ମୋଟେ । ମୋ ମନରେ ଅକଳନ ଅଳସ ଆଗ୍ରହର ସମାରୋହ ଭିତରେ ଜଡ଼ା ବେଶ୍ ନିଃଶବ୍ଦ ରୋଷଣି ସହ ଏକ ପ୍ରଚଣ୍ଡ ପଟୁଆରରେ ହିଁ ଚାଲୁଥିଲା ଓ ବିରାଜୁ ଥିଲା ।

କ୍ରମେ କ୍ରମେ ତା କଥା ମୁଁ ବି ବୁଝି ପାରୁଥିଲି । ବୋଧହୁଏ ବୁଝି ପାରୁଥିଲି ବୋଲି ସେ ମୋତେ ବାରମ୍ବାର କହିବାକୁ ମନ କରୁଥିଲା । ତେଣୁ ମୋତେ ଶୁଣିବାକୁ ଭଲ ଲାଗୁଥିଲା ଓ ତାକୁ କହିବାକୁ ବି ।

ଦିନକର କଥା । ଖରାବେଳ ସ୍ୱଳ୍ପବିଶ୍ରାମ କାଳରେ ନିକଟରୁ ଶୁଭୁଥିବା ପଥର-ନିହଣର ଟଙ୍ଗ୍ ଟଙ୍ଗ୍ ଶବ୍ଦ ଯୋଗୁ ଭିଣୋଇ ବିରକ୍ତ ହେଲେ । ଅପା ମୋତେ କହିଲା, “ତଳେ ଯାଇ ଜଡ଼ାକୁ ମନା କର ।”

ଜଡ଼ାର ଶିଳ୍ପୀସତ୍ତା ସହିତ ଏହା ଥିଲା ମୋର ପ୍ରଥମ ଭେଟ । ସେତେବେଳକୁ ସେ ସେଠି ଚାରିମାସରୁ ଅଧିକା ରହି ସାରିଥାଏ । ଖଡ଼ିପଥରରେ ଏକ ନଟୀମୂର୍ତ୍ତିି ତିଆରି କରିଥିଲା । ତାହା ସେମିତି ତଳ ଗ୍ୟାରେଜରେ ଥୁଆ ହୋଇଥାଏ ପ୍ରଶଂସା କଲା ପରି ଅନେଇବା ଯୋଗୁ ସେ ନିଜ ଗାମୁଛାରେ ତାକୁ ଝାଡ଼ି ଝୁଡ଼ି ଦେଲା । କହୁଥାଏ, ଏଥିରେ ବାର୍ଣ୍ଣିସ ଦିଆଯିବା କଥା । ମା, ଅର୍ଥାତ ଆମ ଅପା, ସେଥିପାଇଁ ତାକୁ ପଇସା ଦେଉନି । ମୂଳ ପଦ୍ମବେଦୀକୁ ମିଶେଇ ପ୍ରାୟ ତିନ ଫୁଟ ଉଞ୍ଚା ସେଇ କୃତିର ଜଡ଼ା ଯେ ଶିଳ୍ପୀ, ଏହା ମୋ ପକ୍ଷରେ ବିଶ୍ୱାସ କରିବା ପ୍ରଥମେ ଏତେ ସହଜ ହୋଇ ନ ଥିଲା ।

ଅପା କହିଲା, ଜଡ଼ା କୁଆଡ଼େ ସେ ମୂର୍ତ୍ତିଟିକୁ ମୋଟେ ମାସକରେ ଶେଷ କରିଛି । “ଜାଣିଛୁ ନା - ପାଗଳ ଓ ଭଗବାନ କାହାରିକି କୈଫତ୍ ଦିଅନ୍ତିନି । ଜଡ଼ା ଭଗବାନ ନୁହେଁ କି ପାଗଳ ନୁହେଁ । କିନ୍ତୁ ସେ କାହାରି କି କିଛି କୈଫତ ଦିଏନି ।”

ନଟୀ । ଶୀଳାରୁ ଶ୍ରାବଣ ଝରୁଥିଲା । ପ୍ରାଣ ଥିଲେ ମୁତ୍ତିଁଟି କଥା କହିଥା’ନ୍ତା କି ଆଉ ! ବାରି ହୋଇ ପଡୁଥାଏ ତହିଁରୁ ଅନଭ୍ୟସ୍ତ ଅଭିସାରିକର ଜହରମଖା ଆଖି । ଅଙ୍ଗରେ ବେପଥୁର ଲହଡ଼ି । ଦୀର୍ଘ ଆନତ ଗ୍ରୀବା । କ୍ଷିଣ କମ୍ର ଲଳିତ କଟୀବନ୍ଧ । ବିପୁଳ ଅଥଚ ସ୍ତୋକନମ୍ର ସ୍ତନଯୁଗଳ । ଅସତର୍କ ଭାବେ ବହୁ ଅଂଶ ଅନାବୃତ । ତନୁରେ ବେପଥୁ ବିନ୍ୟାସର ଅମାପ ଅନ୍ୱେଷଣ । ଓଠ ଏବଂ ତହିଁର ଶେଷ ସରୁ ଧନୁରେଖା ଜୀବନ୍ତ ମହୁଫେଣା ପରି ସତେଜ । ଅମଣବାଟରେ ଯାଉଥିବା ନାୟିକା ପାଦରେ କଣ୍ଟା ଲାଗିବା ପୀଡ଼ା ଓ କଣ୍ଟ ରଖିପାରି ନ ଥିବା ବିଷର୍ଣ୍ଣତା ଫୁଟି ଉଠିଛି ମୁହଁରେ । ବିଚଳିତ ଭାବ । ତଥାପି ଆଖିରେ ଲାଖି ରହିଥାଏ ପ୍ରଣୟର ପ୍ରତିଜ୍ଞା ।

ମନରେ ନିଆଁ ଆଉଟା କନକପୁଟର ଚିଆଁ ନ ଲାଗିଲେ, କେବଳ କାରିଗର ବୋଲି ଜଣଙ୍କର ହାତ ଏଡ଼େ ସୁନ୍ଦର ଶିଳ୍ପ ରଚି ପାରିବ ନାହିଁ ।

ଅପାର ଛୋଟମୋଟ ବରାଦ ତାମିଲ କଲା ପରେ ଜଡ଼ା ବଳକା ସମୟ ମୂର୍ତ୍ତି ତିଆରିରେ ବିତାଉ ଥିଲା । ତା’ର ସେଥିପାଇଁ ଆଗ୍ରହ ବାରି ହେଉଥିଲା । ଜୀବନରୁ ଟିକେ ପଦାକୁ ବାହାରିବାକୁ ଇଚ୍ଛା କରୁଥିବା ଜଡ଼ା ପରି ଗୋଟିଏ ଶିଳ୍ପୀ-ମନ । ଅପା ଘର ଥିଲା ତା ପାଇଁ ଏକ ସୁନ୍ଦର କାମଚଳା ସହାବସ୍ଥାନ । ଶିଳ୍ପୀ ଭାବେ ସେ ଅବଶ୍ୟ ମର୍ଯ୍ୟାଦା ପାଉନି । ମାତ୍ର ସଜିଲ ହାତ ଦିଓଟି ଚଳେଇ ରଖିବା ସକାଶେ ସୁଯୋଗ ତ ମିଳୁଛି । ସେ ହୁଏତ ଦୁଇଟିକୁ ତଉଲିଥିବ । ଅପା ଘରେ ସେ କିଛି ସ୍ୱପ୍ନ ଦେଖି ପାରୁଛି । ପଥର ନିହଣ ଧରିଲେ ମନରେ ଯେଉଁ ଉନ୍ମାଦନା, ତା ସାମ୍ନାରେ ଆଉ ସବୁ ତୁଚ୍ଛ ଲାଗେ ତାକୁ । ଘରର ଅନ୍ୟ ବରାଦ ବି ଆଗ୍ରହରେ କରେ । କିନ୍ତୁ ପଥର କାମ ପାଇଁ ତା ପାଖରେ ସତେ ଯେମିତି ସଦ୍ୟ ପରିଣତ ମନଟିଏ ମହଜୁଦ୍ ଥାଏ ।

ହତା ଭିତରେ ଟିକେ ଦୂରଛଡ଼ା ହୋଇ ଆଉ ଗୋଟେ ନିର୍ଜନ ଟୁଙ୍ଗି । କୋଠା ନିର୍ମାଣ ବେଳେ ତାହା ଥିଲା କନ୍‌ଷ୍ଟ୍ରକସନ ଷ୍ଟୋର୍ । ବିବାହଆଦି ଅନୁଷ୍ଠାନ ବେଳେ ସରଘରରୂପେ ବ୍ୟବହାର ହେବା ବ୍ୟତୀତ ତାହା ସର୍ବଦା ଖାଲି ପଡ଼ିଥାଏ । ତହିଁର ଆଗପଛ ଦୁଇଟି ଝଙ୍କାଳିଆ ଆମ୍ବଗଛ । ଗୋଟିଏ ଜାମୁଡୋଳ ଓ ଦୁଇଟି ପଣସଗଛ । ଇଚ୍ଛା ନ କଲେ କେହି ସେଠାକୁ ଯାଆନ୍ତି ନାହିଁ । ସେଇ ଘରକୁ ସେ ମୂର୍ତ୍ତି ତିଆରି ପାଇଁ ବ୍ୟବହାର କରନ୍ତା ବୋଲି ପ୍ରସ୍ତାବ ଦିଅନ୍ତେ, ଅପା ରାଜି ହେଲା । ଅପା ସେତେବେଳେ କହିଥିଲା, “ସେ ପାଗଳଟା ସେଠି କ’ଣ କରୁଚି କରୁଥାଉ ।” ମତେ ଲାଗୁଥିଲା ଜଡ଼ା ପାଇଁ ତା ଭିତରେ ଥିଲା ଆଉ ଗୋଟେ ପ୍ରକାର ମନ । ତାହା ଜଣେ ପୁଲିସ ସାହେବଙ୍କ ପତ୍ନୀର ମନ ନୁହେଁ, ମୋ ଅପାର ।

ସେତେବେଳେ ଜଡ଼ାର ଖୁସୀ ଦେଖିବା କଥା । ଘର ବାହାର ସଫାସୁତୁରା କଲା । ମନ୍ଦିରକୁ ଯାଇ ଶୁକାନା ସହିତ ପୂଜା ପାଇଁ ସମୟ ଠିକ୍ କରି ଦେଲା । ଅପାର ପୂର୍ଣ୍ଣ ସହାୟତାରେ ଭଲ ଆୟୋଜନରେ ପୁଜାଟିଏ ସେଠି କରାଇଲା । ପାଖପଡ଼ୋଶୀରେ ରହିଥିବା କେତେଜଣ ବାବୁ ବାବୁଆଣୀଙ୍କୁ ମଧ୍ୟ ସେ ପୂଜାକୁ ଡାକି ଆଣିଲା । ଆମେ ଜାଣିବାରେ, ସେମାନେ ପ୍ରାୟ ପଡ଼ୋଶୀ ଖାତିରିରେ ଆସିଥିଲେ । ଅଥଚ ଜଡ଼ା ସେମାନଙ୍କୁ ତା କଳାର ପ୍ରେମୀ ବୋଲି ଭାବୁଥିଲା !

ପୂଜା ସରିବା ସାଙ୍ଗେସାଙ୍ଗେ ସେ ଶୀଳାନଟୀ, ଆଉ କେତେଖଣ୍ଡ ଛୋଟବଡ଼ ପଥର, ନିଜର ଯନ୍ତ୍ରପାତି ଓ ମୁଣିଆଦି ଘରର ବିଭିନ୍ନ ସ୍ଥାନରୁ ଗୋଟେଇରୁଣ୍ଡେଇ ଟୁଙ୍ଗିକୁ ବୋହି ଆଣିଲା । ଯନ୍ତ୍ରପାତି ରଖିବାକୁ ଅପା ଯୌତୁକରେ ଆଣିଥିବା ମୋଟା କୁନ୍ଦକରା ସିନ୍ଦୁକଟିକୁ ଦେଇଥିଲା । ବଡ଼ ସେଇ ମୂର୍ତ୍ତିଟିକୁ ଏକାଟିଆ ଟେକି ସେ ସେଇ ସିନ୍ଦୁକ ଉପରେ ଥୋଇଲା । ଏପଟରୁ ସେପଟ, ଦୂରରୁ ପାଖ, ପାଖରୁ ଦୂରକୁ ଯାଇ ସେ ନିଠେଇ ନିଠେଇ ଦେଖିଲା । ପସନ୍ଦ ହେବା ପର୍ଯ୍ୟନ୍ତ ତାକୁ କେତେ ରକମ ବଙ୍କେଇଲା ବା ସଳଖେଇଲା । ତା’ର ଇଚ୍ଛା ଥିଲା, ସମସ୍ତେ ତା ଶିଳ୍ପଟିକୁ ଦେଖନ୍ତୁ । କେହି କଣ ହେଲେ ପଦେ କୁହନ୍ତୁ । ସତେ ଯେମିତି ସେ ସାମ୍ରାଜ୍ୟଟେ ହାଲିହାଲି ଜିତିଛି । ଏଡ଼େ ବଡ଼ ମୂର୍ତ୍ତିଟେ, କେହି କ’ଣ ଦେଖି ପାରିବେନି ? ମାତ୍ର ଦୁଃଖର କଥା, ସମସ୍ତେ ଭୋଗ ପାଇଲେ ଓ ଚାଲିଗଲେ । ବରଂ ମିସେସ୍ ପୁରୋହିତ ଅପାକୁ କହିଲେ, “ଭୁବନେଶ୍ୱର ପରି ସହରରେ ଏଡ଼େ ଜାଗାଟେ କାହିଁକି ପକେଇ ରଖିଛନ୍ତି ମ ? ଫ୍ଲାଟ୍ କରି ଭଡ଼ା ଦେଲେ, ଖୁବ୍ କମ୍‌ରେ ମାସକୁ ପଚାଶ ହଜାର ଆସନ୍ତା ।”

“କରିବ କିଏ ?” ତା ସୁବିଧା ଅସୁବିଧା କହିଲା ।

ବ୍ଳକ ଅଫିସକୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆସିଥିବା ନିରକ୍ଷର ଗାଉଁଲୀ ବୃଦ୍ଧାଙ୍କୁ ଡବ୍‌ଲ୍ୟୁ.ଟି.ଓ, ଜର୍ଜ ବୁଶ୍ ବା ଇରାନ ଯୁଦ୍ଧଆଦି ଗପ ଶୁଣିଲେ ଯେମିତି ଲାଗନ୍ତା, ଆମ ଜଡ଼ାକୁ ମିସେସ୍ ପୁରୋହିତଙ୍କ ପ୍ରସ୍ତାବ ବା ଅପାର କୈଫିୟତ ସବୁ ସେମିତି ଲାଗିଥିଲା । କେବଳ ନୂଆ ଘର ତିଆରି ପ୍ରସ୍ତାବଟିକୁ ସେ ବୁଝୁଥିଲା ଓ ଚମକିଥିଲା । ଦୁହିଁଙ୍କ ଗପସପରେ ଯେମିତି ଉଭୟଙ୍କର ହିଁ ଆଗ୍ରହ ନ ଥିଲା । ଦରକାର ବୋଲି ଅଯଥା କଥା ଗୁଡ଼େ ହେଉଥିଲେ କେବଳ ।

ସେ କହେ, ସେ ଏଇଥିପାଇଁ ଜଡ଼ା !

ସକାଳୁ ଗାଧୁଆପାଧୁଆ ଶେଷ କରି ସେ ସେଠି ଧୂପ ଦିଏ । ପ୍ରାର୍ଥନା କଲା ପରି କ’ଣ ଗୁଣୁଗୁଣୁ ହୁଏ । ସମସ୍ତେ ନିଜ କାମରେ ବ୍ୟସ୍ତ । ଜଡ଼ାର ଏଇ ଟିକକ ସୁଖ ଦେଖିବାକୁ ବା ବୁଝିବାକୁ କେହି କେୟାର କରନ୍ତିନି ।

ଅପା ଉପରେ ବି ଜଡ଼ାର ମନ କଷ୍ଟ । “ଯାହା ମାଗିଲେ ଦିଅନ୍ତି । ହେଲେ ଥରେ ବି ଦେଖିବାକୁ ଆସି ନାହାଁନ୍ତି ।”

ଜଡ଼ା ସହିତ ଅଙ୍ଗେ ଲିଭେଇଲା ଭଳି ଏହିପରି କେତେକ ଅନୁଭୂତି । ଏଥିରେ କିଛି କାରୁକୌଶଳ ନ ଯୋଡ଼ିବା ଉଚିତ । ଯେକୌଣସି ସରଳ କଥାର ପରିବହନ ସ୍ପଷ୍ଟତା ମଧ୍ୟ ସରଳ । ଦୁଃଖ ହେଉ ବା ସୁଖ ହେଉ, ଆକାର ହେଉ କି ବିକାର ହେଉ, ନିର୍ମଳତା ହିଁ କଥାର ଏକମାତ୍ର ନିର୍ଭରଯୋଗ୍ୟ ବାହକ । ଠକୁର ପରି ସତ, ସରଳତା ଓ ସ୍ନେହଆଦି ଅତୁଟ ଅନୁଭବଗୁଡ଼ିକ ମଣିଷ ପକ୍ଷରେ ବୁଝିବା ଅତି ସହଜ ହୁଅନ୍ତା । ମାତ୍ର, ବୁଝେଇବାକୁ ଚିତ୍ରଟିଏଲେଖା ଆଙ୍କି ଆମେ ଯେମିତି ଠାକୁରଙ୍କୁ ଅବୁଝା କରି ପକାଉ, ସରଳ କଥାର ଦୁର୍ଭାଗ୍ୟ ସବୁବେଳେ ସେଇଆ ।

ନିଜର ନିରୁତା ଅବବୋଧରେ କିଛି କଳ୍ପନା ଯୋଡ଼ିବା ଜଡ଼ାର ବ୍ୟକ୍ତିତ୍ୱ ପ୍ରତି ଅନ୍ୟାୟ ହେବ ବୋଲି ମୋର ବିଶ୍ୱାସ ।

ଜଡ଼ା । ହତାଦର ଚେହେରା । ଗୋରା ଲମ୍ବା ଲୋକଟିଏ । ବୟସ ଚାଳିଶ ହୋଇ ନ ଥାଏ । ତେବେ ବି ସେ ବୁଢ଼ା ଦେଖା ଯାଉଥିଲା । ଦେହସାରା ଟଣାଟଣା ଶିରା । ପିଲାଦିନେ କଟା ପଥର ଖଣ୍ଡେ ବାଜି ଡାହାଣ ଭ୍ରୂଲତାରେ ଗହୀରିଆ ଚିହ୍ନଟେ ରହି ଯାଇଛି । ତା ମୁହଁକୁ ଭାରି ମାନେ । ବିଚରା ଯଦି ଗରିବ ହୋଇ ନ ଥା’ନ୍ତା, ସେଇ କ୍ଷତଚିହ୍ନ କେତେ ଯୁବତୀଙ୍କ ଅଦେଖା କ୍ଷତର କାରଣ ହୋଇଥା’ନ୍ତା । ମନ ଚୁଙ୍ଗଚୁଙ୍ଗ, ଆଖି ଦିଓଟି ବେଶ୍ ସ୍ଥିର ।

ଏପରି ଅତି ସାଧାରଣ ମଣିଷ ସହିତ ସାମ୍ନାରେ ଦେଖୁଥିବା ଚମତ୍କାର ଶିଳ୍ପକୁ ଯୋଡ଼ିବା ସକାଶେ ମୋ ମନରେ ଜିଜ୍ଞାସା ଆସିଲା । ସମୟ ଏବଂ ସୁଯୋଗ ବି ଥିଲା । ପିଲାଦିନେ ତନ୍ତିଘର କଣ୍ଟାରେ ବାନ୍ଧ ନଟି ଛନ୍ଦା, ବଢ଼େଇର ନକାସି କଟା ବା ବଣିଆର ଗହଣାଗଢ଼ା କାମ ଘଣ୍ଟା ଘଣ୍ଟା ନିରକ୍ଷଣ କରିବାକୁ ମତେ ଭଲ ଲାଗୁ ଥିଲା । ଜଡ଼ା କାମ କଲାବେଳେ ତା ବାଁ ହାତର ପାଞ୍ଚୋଟିଯାକ ଆଙ୍ଗୁଠି କେତେ କ୍ଷିପ୍ର ଭାବେ ନିହଣ ସାଙ୍ଗରେ ମିଶି ଖାଞ୍ଚଜାକ କରିକରି କେମିତି ଉପର ତଳ ହେଉଥିଲେ ବା ବୃତ୍ତ ବୁଲି ଯାଉଥିଲେ । ସେଠୁ ଆଖି ଫେରେଇବାକୁ ମୋଟେ ଇଚ୍ଛା ହେଉ ନ ଥିଲା ।

ବୋଧହୁଏ ମୋଠାରେ ସେ ପ୍ରଶଂସକକୁ ଠାବ କରୁଥିଲା । ତାକୁ ଭଲ ଲାଗୁଥିଲା । ମୋତେ ବି । ମୁଁ ଦେଖି ଓ ସେ ଦେଖେଇ ହୋଇ - ଦୁହେଁ ଖୁସି ହେଉଥିଲୁ ।

ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟନ୍ତ ବା ତା ନୂଆ ୱାର୍କସପ୍‌ରେ ଆରମ୍ଭ କରିଥିବା ଆଉ ଏକ କାମକୁ ପ୍ରଶଂସା କରିବା ତ ଦୂରର କଥା, କେହି ନିଘା ବି ଦେଇ ନ ଥିଲେ । ହଃ, କ’ଣ ଗୋଟେ କରୁଚି । ଏହିପରି ବେପରୁଆ ବଦାନ୍ୟତା ।

ଭିଣେଇଙ୍କ ହାବିଲଦାର ଡ୍ରାଇଭର ଆସ୍ଲାମର ଗାଁ ଲୋକ ସିଏ । ଘର ନୟାଗଡ଼ । ଦିନେ ଆସଲାମ ଜଡ଼ାକୁ ଆଣି ଅପା ପାଖରେ ହାଜର । “ମା, ୟାକୁ ରଖନ୍ତୁ ବୋଲହାକ କରିବ । ଦରମାପତ୍ର କିଛି ନାହିଁ ।” ଏମିତିକା ସୁଯୋଗ ଅପା କେମିତି ହାତଛଡ଼ା କରିଥା’ନ୍ତା ? ପରେ ସେ ମୋତେ କହିଲା, “ଜାଣିଚୁ ନା, ସେ ଭାରୀ ଦୁଃଖୀ । ନ ହେଲେ ଆମର ଆଉ ଲୋକ କ’ଣ ଦରକାର? ଏଡ଼େ ସୁନ୍ଦର ଚିତ୍ର କରେ କି !

“ତୁ ଯେମିତି ପୃଥିବୀରେ ସବୁ ଦୁଃଖୀଙ୍କି ନିସ୍ତାର କରିବୁ ବୋଲି ଠିକା ନେଇଛୁ । ଭାଇ ଜାଣିଛନ୍ତି ?”

“ଯାଉନୁ । ସିଏ ଆଗେ ତାଙ୍କର ସବୁ ଅର୍ଡରଲିଙ୍କୁ ଚିହ୍ନିଛନ୍ତି ନା? ମୋଟା ପେଟାମାନଙ୍କଠୁଁ ଜଡ଼ାବରଂ ବେଶି ଭଲ ପୁଲିସଟେ ପରି ଦେଖାଯାଉଚି ।” “ତା ସାଙ୍ଗରେ କ’ଣ କଥା ହେଉ?”

ଅପାର ଉତ୍ତର ଥିଲା, “ଯାଉନୁ କିଏ ତା ସାଙ୍ଗରେ ଚବରଚବର ହବ ମ?”

ବୟାଳିଶ ସାଲ ମହାମାରୀ ହଇଜାରେ ତା ବୋଉ ଚାଲିଗଲା । ଜଡ଼ାକୁ ସେତେବେଳେ ତିନିବର୍ଷ । ବାପା ତାକୁ ସାଙ୍ଗରେ ଧରି ପଥର ଖଳାକୁ ଯାଉଥାଏ । ବୋଳହାକ କରୁକରୁ ସେଇ କଅଁଳ ବୟସରୁ ବି ନିହଣ ମୁଗୁର ଧରି ଶି୍ଖିଲା । ଗାଁ ସ୍କୁଲ ଡେଇଁ ଅଧିକ ପାଠ ପଢ଼ି ପାରିଲା ନାହିଁ । ମା କୋଳର ଅଭୟ ଆଶ୍ରା ପାଇ ନ ଥିବା ଶିଶୁଟି ଦଶ ବର୍ଷ ବୟସରେ ବାପକୁ ହରେଇଲା । ପାହାଡ଼ରୁ ଖଣ୍ଡ କାଢୁଥିବା ବେଳେ ପଥରଟେ ବାପା ଉପରେ ପଡ଼ିଗଲା । ସେଇଠି ସେ ମରିଗଲା । ମା ନ ଥିଲା, ସାହା ନ ଥିଲା ଏବେ ବାପ ଗଲା, ଧାପ ଗଲା ।

ଘରଡିହ ଖଣ୍ଡିକ ଛାଡ଼ି କିଛି ଭୂସମ୍ପତ୍ତି ନାହିଁ । ତହିଁରେ ସେ ଦଶବର୍ଷର ବାଳୁତ । ମାଲିକ ହୋଇ କଣ ବା କରିଥା’ନ୍ତା?

ବୋଉ ମଲା ପରେ ପୁଅ ପାଇଁ ବାପା ନିଜର ବିଧବା ମାଉସୀକି ନେହୁରାନିମିତ୍ତ ହୋଇ ଆଣି କତିରେ ରଖିଥିଲା । ମା ପରି ଶବ୍ଦ କହିଲେ, ଜଡ଼ାର ମନ ସେଇ ମାଉସି - ଆଇକି ହେଜେ । ବୁଢ଼ୀ ମୁଢ଼ିମୁଆଁ ହାଟଧୂଳିରେ ଗଡ଼େଇ କେତେଥର ତାକୁ ଖୁଆଇଲା । ପିଲାଟା କାଳେ ସମସ୍ତେ ବୁଝିଲା ପରି କଥା ଦି’ପଦ କହିବ । ଅଳ୍ପ ଟିକେ ପାଟି ଲାଗିଚି ବୋଲି ସମସ୍ତେ କାଇଁ ତାକୁ ଜଡ଼ା କହିବେ ନା? ବୁଢ଼ୀର ଏପରି ନିଃଶବ୍ଦ ପ୍ରତିବାଦକୁ କେହି ଶୁଣି ନ ଥିଲେ ।

ବାପା ଯିବା ପରେ ଦି’ ପ୍ରାଣୀ ଠିକ ଦି ଓଳି ଖାଇବାକୁ ବି ପାଇଲେ ନାହିଁ । ଅବଶ୍ୟ ଦୟା ପାଇଲା । ଜଡ଼ାକୁ ଗୋରୁ ଜଗିବାକୁ ସୁଯୋଗ ମିଳିଲା । ବାପ ମରଣର ବର୍ଷେଖଣ୍ଡେ ପରେ କିଛି ଦିନ କତରାରେ ପଡ଼ିପଡ଼ି ମାଉସୀ-ଆଇ ବି ଚାଲିଗଲା । ପେଟ ପାଇଁ ପରାଧୀନ ଅସହାୟ ବ୍ୟସ୍ତତା ସତ୍ତ୍ୱେ ଜଡ଼ା ବୁଢ଼ୀର ଘୁଅମୁତ କରିଥିଲା ।

ଆଇର ତିନି ପୁଅ-ବୋହୂ ବୁଢ଼ୀକି କତିକି ନେବା ତ ଦୂରର କଥା, ମଲା ଖବର ପାଇ ବି ଜଣେ କେହି ଆସିଲେ ନାହିଁ । ଜଡ଼ାକୁ ସେତେବେଳେ ଏଗାର ପୂରି ବାର । ସେ ବୁଢ଼ୀର କାମ କଲା । ଆଇ ମଲା ପରେ ସେ ଘରର ଭିତର ବାହାର ଚାରିଆଡ଼େ ଅନାଏ । ବାପା ଓ ଆଇଙ୍କି ମନେ ପକାଏ । ନିଶୂନ ଲାଗେ ପୃଥିବୀଟା । ଆଉରି ଶୂନ୍ୟ ହୋଇପଡ଼େ ତାର ମନ । କାନ୍ଦ ମାଡ଼େ ଯେ, ହେଲେ ଲୁହ ଦେଖିବାକୁ କେହି ନ ଥବାରୁ ସେ କାନ୍ଦୁ ନ ଥାଏ । ଆକାଶ ଆଡ଼କୁ ସେ ଟିକେ ଅନେଇ ରହେ । ଭାବନାରୁ ଯୋଉ ଟିକେ ଲୁହ ଜକେଇ ଆସିଥାଏ ତାହା ପବନରେ ଶୁଖିଯାଏ ।

ମଲା ପର୍ଯ୍ୟନ୍ତ ବୁଢ଼ୀ ଘୁମୂରୁଥିଲା । ଛୁଆଟା ନିଆଶ୍ରା ହେଲେ, କରିବ କ’ଣ । ସେ ଯେମିତି ଥିଲା ଜଡ଼ା ପାଇଁ ଅତୁଟ ଆଶ୍ରା । ତାକୁ ବୁଢ଼ୀ ବିସ୍ତର କଲ୍ୟାଣ କରୁଥିଲା ।

ବୋଉ ଠିକ୍ ମନେ ପଡ଼େନି । ବାପା କି ଆଇ ତା’ର ସବୁ ଭାଷା ବୁଝି ପାରୁଥିଲେ । ଜନ୍ମ ବେଳେ ସେ କୁଆଡ଼େ କଣ୍ଢେଇ ପରି ଡଉଲଡାଉଲ ଦେଖା ଯାଉଥିଲା । ତାକୁ ସେମାନେ କହ୍ନେଇ ନାଁରେ ଡାକୁଥିଲେ । ଏଡ଼େ ସୁନ୍ଦର ନାଁଟିଏ କାହିଁକି ଯେ ମାତ୍ର ଦି’ତିନି ତୁଣ୍ଡ ଡେଇଁ ଆଗକୁ ଯାଇ ପାରିଲା ନାହିଁ, ତାହା ସେ ବହୁତ ଭାବିଲେ ସୁଦ୍ଧା କାହାରି ଠାରୁ ଉତ୍ତର ଆଶା କରି ପାରି ନ ଥିଲା । ପରିଶେଷରେ ଏ ସବୁ ସେ ଭୁଲିଗଲା । ନ ହେଲେ, କାହା ପାଖରେ ଅଭିମାନ କରିଥା’ନ୍ତା ଯେ ? ଜଡ଼ା ପରି ଏକ ଆତ୍ମାହୀନ ନାଁ ତାକୁ ମୋଟେ ଭଲ ଲାଗୁ ନଥିଲା । ବରଂ ନିରର୍ଥକ ଜୀବନ ପରି ଆଉ ଏକ ନିରର୍ଥକ ନାଁ ସହିତ ବଞ୍ଚି ଶିଖିବାକୁ ଆରମ୍ଭ କଲା ।

ଗୋଠେ ଗାଇ ପୁରୁଷେଲେଖା ଉଞ୍ଚା ଦି ହଳ ବଳଦ । ଚାଷବନ୍ଦୀ ଘର । ମୁରବି କୁଳମଣି ବାହିନୀପତି । ବେଶ୍ ମାତବର ଲୋକ । ତାଙ୍କ କରୁଣା କହିବା ଆରମ୍ଭ କଲେ ଜଡ଼ାର ଆଖି ଜକେଇ ଆସେ । ତାଙ୍କ ପରି ଭଲ ଲୋକମାନେ ସଂସାରରେ ଅଛନ୍ତି ବୋଲି ସମୁଦ୍ର କୂଳ ଲଘୁଂ ନାହିଁ ଏବଂ ସୂର୍ଯ୍ୟ ଚନ୍ଦ୍ର ନିୟମିତ ଆତଯାତ ହେଉଛନ୍ତି । ବୁଢ଼ା ମାଉସୀ-ଆଇର କ୍ରିୟାକର୍ମରେ ସବୁମନ୍ତେ ସାହାଯ୍ୟ କରିଥିଲେ । ଶେେରେ ଠୁକ୍‌ଠୁ୍କ୍ ହୋଇ ଜଡ଼ା ଘରେ ହାଜର । କହିଲେ, “ଚାଲରେ ଗେଡ଼, ଆମଘରକୁ ଚାଲ ।”

ପ୍ରସ୍ତାବଟା ଜଡ଼ାକୁ ଆଦୌ ଭଲ ଲାଗି ନ ଥିଲା । ଅନ୍ୟ କିଛି ଉପାୟ ବି ନ ଥିଲା । ତା’ପରେ ଆଉ ଏକ ନୂଆ ଜୀବନ ସହିତ ଅଭ୍ୟସ୍ତ ହୋଇ ପଡ଼ିଲା । ଗାଇ ଜଗୁଆଳ କାମ । ପଠାକୁ ଯାଏ । ଗୋଠ କାମ ପାଇଁ ଅନ୍ୟ ଚାକରବାକର । ବୁଢ଼ା ବାହିନୀପତିଙ୍କ ନାଁରେ ଚାଲୁଥିବା ଏକାନ୍ନ ଯୌଥ ପରିବାରରେ ପୁଅ ବୋହୂ, ସେମାନଙ୍କ ପିଲାଝିଲା ଓ ଚାକର ନୌକର ମିଶେଇ ପଚାଶ ପ୍ରାଣୀ କୁଟୁମ୍ବ ଭିତରେ ଜଡ଼ା ଆଉ ଜଣେ ହୋଇଗଲା ।

ତାକୁ ଆଉରି ବିସ୍ମୟ ଲାଗିଥିଲା କୁଳମଣି ବାହିନୀପତିଙ୍କ ଭାର୍ଯ୍ୟା । ଅନେକଙ୍କ ପରି ସିଏ ବି ତାଙ୍କୁ ଆଇ ଡାକୁଥିଲା । ବୋହୂମାନେ କି ଚାକର ପୋଇଲୀ ଯିଏ ଯେଝା କାମ କରୁଥା’ନ୍ତି । ହେଲେ ସବୁ ଆଇଙ୍କ ନିଘାରେ । ଦିଅଁ ଘରେ ବୁଢ଼ୀଙ୍କର ବେଶି ସମୟ ବିତେ । ତଥାପି, ତାଙ୍କ ହୃଦୟଟା ପଦାରେ ଘୂରୁଥାଏ । ସ୍ନେହର ଜାଲ ଖଣ୍ଡିଏ ସେଇ ପରିଧି ଚାରି ପଟେ ରହିଥାଏ ।

ବୁଢ଼ୀ କୁଆଁରପୁନେଁଇ ଜହ୍ନିଫୁଲ ପରି ସରଳ । ତଥାପି ତାଙ୍କୁ କେହି ଠକନ୍ତିନି । ଆଦର ଯେ ଏତେ ଆକଟ ଉପୁଜେଇ ପାରେ, ଏଥିପାଇଁ ଆଇଙ୍କ ଠାରୁ ବଡ଼ ଉଦାହରଣ ସିଏ ଦେଖି ନ ଥିଲା । ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ଯେମିତି । ତାଙ୍କ ପାଦ ତଳିପାରେ କୁଆଡ଼େ ପଦ୍ମ ଚିହ୍ନଥିଲା ।

ସକାଳୁ ବେଲାଏ ପଖାଳ ଖାଇ ଘରୁ ଗୋଡ଼ଡ କାଢ଼ିବା ଆଗରୁ ଜଡ଼ା ଯୋଉଠୁ ହେଲେ ଋତୁ ଅନୁସାରେ ପୁଳାଏ ଫୁଲ ତୋଳି ସୁନ୍ଦର ଗଜରା ହାରଟେ ଗୁନ୍ଥି କଦଳୀପତ୍ରରେ ଗୁଡ଼େଇ ଦିଅଁ ଘରେ ଥୋଇ ଦିଏ । ବୁଢ଼ୀ ଖୁସ୍, ଜଡ଼ା ବି ଖୁସ୍ ।

ବୁଢ଼ା ବାହିନୀପତିଙ୍କର ଚାରି ପୁଅ । ସେମାନଙ୍କର ସାତ ପୁଅ । ପରିବାର ଭିତରେ ସାନମଝିଆଁ ନିମେଇଙ୍କର ଗୋଟିଏ ଝିଅ - ଚାରୁବାଳା । ସୁନ୍ଦରୀ । ଖାଲି ଅନେଇ ଦେଲେ ମନ ପୂରି ଯିବ । ସଭିଁଙ୍କର ଅଲିଅଳୀ । ଆଇ ରୂପ ଛଡ଼େଇ ଆଣିଛି ଯେମିତି । କାର୍ବାଇଟ ପାଚିଲା କଦଳୀ ରଙ୍ଗ । ତା ମନ ଦେହ ଲତଲତ ହେବା ଆରମ୍ଭ ବେଳେ ବୁଢ଼ା ବାହିନତପତି ନାତୁଣୀର ପଦାକୁ ଯିବା ବନ୍ଦ କରିଦେଲେ । ସେଥିପାଇଁ ସେ ଢେର କାନ୍ଦିଥିଲା । ବୋଉ ଖୁଡ଼ୀ କି ଜେଠେଇ କାହାର ବହପ ଅଛି ଯେ କୁଳ ବାହିନୀପତି ସାମ୍ନାରେ ଠିଆ ହୋଇ ଝିଅ ଲାଗି ଫେରାଦ କରିପାରିବ? ପ୍ରାଇମେରି ବୃତ୍ତି ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରିଥିବା ଚାରୁଦେଇ ମାଇନର ପାଶ୍ କରିବା ସମ୍ଭବ ହେଲାନି । ମିଳିଥିବା ଗୀତଖାତାର ଅଧାରୁ ବେଶି ଖାଲି ପଡ଼ିଥିବା ପୃଷ୍ଠାଗୁଡ଼ିକୁ ଚାରୁଦେଇ ମନରୁ ଫାନ୍ଦି ଝିଅ-ବାହୁନା ଓ କୁଆଁରପୂନେଇ ଗୀତ ଲେଖି, ଆଠ ଦଶ ପ୍ରକାର ଫାସ ବନ୍ଧ ନକ୍ସାଚିତ୍ର ଆଙ୍କି ପୂରା କରିଦେଲା ।

ଗୋରୁଗାଇ ଚରେଇବା ଭିତରେ ବେଳ ଯୋଗାଡ଼ କରି ଚାରୁଦେଇର ଖାତାରୁ ଦେଖିଥିବା ଚିତ୍ର ମନେ ପକେଇ ଜଡ଼ା ନିଜ କଅଁଳ ହାତରେ ଛୋଟ ଖଣ୍ଡେ ପଥରରେ ନବଗୁଞ୍ଜର ଖୋଦେଇ କରିଦେଲା । ଚାରୁଦେଇ ଦେଖି ଭାରି ଖୁସି ହେଲା । କହିଲା, “କ’ଣ ତୋ ବାପା ପରିକା ହୋଇପାରିବୁ? ନଡ଼ିଆ ବାଉଙ୍ଗା ପଡ଼ି କୁଆଡ଼େ ଆମ ଦାଣ୍ଡଚଉରା କାନି ଭାଙ୍ଗିଯିବା ପରେ ଏବେକା ଚଉରା ପୂରା ନୂଆ କରି ତୋ ବାପା କରିଥିଲା ଯେ । ହେଲେ ତୁ ଡମ୍ଫାଟେ । ମିଛ କହୁଚୁ ।” ସେ ଯେ ନବଗୁଞ୍ଜର ଖୋଦେଇ ନିଜେ କରିଥିବ, ଏକଥା ଚାରୁ ଦେଇ ବିଶ୍ୱାସ କଲାନି । ନିଜ ପ୍ରତ୍ୟୟକୁ ପ୍ରମାଣ କରିପାରୁନି ପରି ଅବସାଦ ଯୋଗୁ ସେ ଦମ୍ଭରେ କହିଲା, “ତମେ ଯଦି ମତେ ଚିତ୍ର ଖାତା ପକେଇ କରିବାକୁ ଦିଅନ୍ତ ନା, ତାକୁ ଦେଖି ଦେଖି ମୁଁ ପୂରା ମୁର୍ତ୍ତିଟିଏ ବି କରି ପାରନ୍ତି । ଇଏ ତ ମୋଟେ ଖୋଦେଇଟେ ।”

ସତକୁ ସତ, ଲୋକ ଆତଯାତ ହେଉ ନ ଥିବା ଖଳା ପରସ୍ତର ପଛ ପିଣ୍ଡାରେ ତେଣିକି ସବୁ ଦିନେ ଗୋଠରୁ ଫେରି ଜଡ଼ା କାମ ଆରମ୍ଭ କଲା । ସନ୍ଧ୍ୟା ହେଲେ ଚାରୁଦେଇ ଲଣ୍ଠଣଟେ ଲଗେଇ ସେଠି ଆଣି ଥୋଇ ଦିଏ । ଦଧିବାବନଙ୍କ ଆଳତି ପାଇଁ ଦେଉଳରେ ଦୀପ ଭୋଗ ପହଞ୍ଚେଇ ସାରି ସେ ତା କତିକି ଆସେ । ସେଇଠି ସେ ଢ଼ିଙ୍କିକି ଆଉଜି ବସେ । ଗୋଟାଳି ପଥରଖଡ଼ି ଖଣ୍ଡିକରେ ମାଟିରେ କେତେ ଫୁଳ ଚଢ଼େଇ ଆଦି ଚିତ୍ର କରେ । ଗପ ହୁଏ । ମନେ ନ ଥିବା ତା ବୋଉ ବିଷୟରେ ପଚାରେ । ଯଦିଓ ତା ବାପା କାମ କରିବା ଚାରୁଦେଇ କେବେ ବି ଦେଖି ନ ଥିଲା, ତଥାପି ତାର ପ୍ରଶଂସା କରେ । ଏମିତି ସାତ ଆଠ ଦିନ ପରେ ଜଡ଼ା ନବଗୁଞ୍ଜରଟେ ତିଆରି କରି ଦେଲା । ତଥାପି ଜଡ଼ା କହୁଥାଏ, ଆଉରି ସରିନି । ଚାରୁଦେଇ ମୂର୍ତ୍ତିଟିକୁ ନେଇ ଆଇହେରିକାଙ୍କୁ ଦେଖେଇବାକୁ ଦୌଡ଼ି ପଳେଇଲା । ଚାରୁ ଦେଇର ଆଖି କେଡ଼େ ସୁନ୍ଦର ପ୍ରଶଂସାର କଥା କହିପାରେ ଟି! ସେ ନିଜ ଭିତରେ ଅଲଗା ରକମର ଏକ ଶୀହରଣ ଅନୁଭବ କଲା । ବିମୋହିତ ହେଲା ।

ଚାରୁଦେଇ କହିଲା, “ବାଳୁଙ୍ଗା ତୁ ଦିନେ କାରିଗରଟେ ହବୁରେ ।” ପ୍ରଶଂସା ଏତେ ସୁଖ ଲାଗେ! ଜାଣି ନ ଥିଲା ସେ ।

ଏଥର ସେ ଭାବିଲା, ପଥର ମୂର୍ତ୍ତିଟେ ତିଆର କରିବ । ଠିକ୍ ଚାରୁଦେଇ ପରିକା । ମନକଥା କହିଲାନି । ଘରେ କରିବନି । ପଠା ଭଲ । ସେଠି ନିରୋଳା ସମୟ ବେଶି ମିଳୁଥିଲା ।

ଜଡ଼ା ଠାରୁ ବୟସରେ ଚାରୁ ଦେଇ ଦି’ତିନି ବର୍ଷ ବଡ । ଜଡ଼ା ତାପାଇଁ ମନରେ ଅଲଗା ଆଗ୍ରହ । ଚପଳତାରୁ ଅନୁରାଗ ବାଟେ ମନ ହୁଏତ କେତେ ଢଙ୍ଗରେ ଆଶା କତିରେ ପହଞ୍ଚୁଥିବ । ମଖା ହୋଇ ଥାଇପାରେ ସେପରି ଆଶାରେ ଯୌବନର ହାଲ୍‌କା ରଙ୍ଗ । ଫୁଙ୍କି ଦେଲେ ଉଡ଼ି ଯିବ । ମିଶି ଥାଇପାରେ ଅଯଥା କଳ୍ପନାରୁ ପୁଳାଏ ।

ଜଡ଼ା ବୁଝିପାରୁଥିଲା ଯେ ଚାରୁ ଦେଇ ତାକୁ ଆଦର କରେ । କେବଳ ବୁଝି ପାରୁ ନ ଥିଲା, କାହିଁକି । ଭଲ ହେଲା, ନ ହେଲେ ଶ୍ରଦ୍ଧା ବିନା ମଣିଷ ପିଲାଟେ ବଢ଼ିବ ବା ବଞ୍ଚିବ କିପରି?

ଜନ୍ମକଲା ମା’ର ଚିତ୍ର-ପ୍ରତିମା ତା ମନ ଭିତରେ ନ ଥାଏ । ବାପାକୁ ମଣିଷ ଭାବେ ଚିହ୍ନିବାକୁ କଣ୍ଟ ଅଣ୍ଟିଲାନି । ଆଇମା, ଥୁଣ୍ଟା ଗଛଟିଏ ପରି ଘରେ ପଡ଼ି ରହିଥିଳେ ବି ଜଡ଼ାର ଆଶ୍ରା ପାଇଁ ତା’ର ଗୋଟେ ନାଁ ଥିଲା । ସବୁ ହଜେଇଲା ପରେ ତାକୁ ଚାରୁ ଦେଇ ଦୂରନ୍ତ ଇନ୍ଦ୍ରଧନୁ ପରି ଦେଖା ଯାଉଥିଲେ ବି ଅତି କତିର ଲାଗୁଥାଏ । ଆପଣାର । ନିଜର । ତା ମନ କାଉଲବାଉଲ ହୋଇପଡ଼ିଲା ।

ନାରୀକୁ କେବଳ ଏକ ଭୋଗଯୋଗ୍ୟ ଦେହ ନ ଭାବି ଭଲ ପାଇବାର ଏତେ ଉଞ୍ଚା ସଉଧ ଆଉ କେହି ଗଢ଼ି ତୋଳିଥିବେ, କେଜାଣି! ଜଡ଼ାକୁ ଛାଡ଼ି ମୋ ପାଖରେ ଏମିତିକା ଦ୍ୱିତୀୟ ବ୍ୟକ୍ତିର ଉଲାଖ ନାହିଁ ।

ପ୍ରଗଣେ ଗଡ଼ମୁକୁନ୍ଦସାହି ସରବରାକାର ସୁନେଇ ବା ସୁବର୍ଣ୍ଣ ସେନାପତିଙ୍କ ବଡ଼ ପୁଅ ସାଙ୍ଗରେ ଚାରୁ ଦେଇର ବାହାଘର ପ୍ରସ୍ତାବ ପଡ଼ିଲା । କୁଳ ବାହିନୀପତି ଉଚ୍ଛୁଳି ପଡୁଥା’ନ୍ତି । ଅଣିମା ପ୍ରାର୍ଥନା କରି ଇଷ୍ଟ ଦଧିବାବନଙ୍କ ପାଖରେ ବୁଢ଼ା କାଷ୍ଠା ଗୋଟିଏ ଦିନ ଅଧିଆ ପଡିଲେ । କେଜାଣି ଚାରୁ କପାଳରେ ଥିଲେ ସିଏ ସରବରାକାର ଘର ବୋହୂ ହେବ ।

ଘରବରଦେଖା ଦିନ ଆଗରୁ ସଜତିଆର ହୋଇ ଜଡ଼ା ବସିଛି । ସାଙ୍ଗରେ ଯିବ । ଆଇକି ସେ ଆଗରୁ କହି ରଖିଥାଏ । ଆଇ ହଁ କହିଥା’ନ୍ତି ଓ ଆଉରି ବି କହିଥା’ନ୍ତି, “ଶାଶୁ ସାଙ୍ଗରେ ଗପ ହବୁ । ଲୋକ କେମିତିକା, କହିବୁ । ହେ, ମା ଠାକୁରାଣୀ!”

ଚାରୁ ଦେଇ ବାହା ହୋଇ ଶାଶୁଘରକୁ ପଳେଇଲେ ତା ମନରୁ ପର ଝଡ଼ିଯିବ । ସେ ଏବେ ବାହା ନ ହେଲେ କ’ଣ ହୁଅନ୍ତାନି! ,ତେ କଥା ଭାବିବାକୁ ତା’ର ଅଧିକାର କେତେ ? ବାଟ ସାରା ସେ ଏମିତି ଗୁଡ଼ାଏ ଭାବୁଥାଏ । ଚାରୁ ଦେଇ ବରକୁ ଦେଖିଲା । ଛି, ଏଇ ଅପ୍ରକାରିଆ ଲୋକଠାକୁ ଚାରୁ ଦେଇ ବାହା ହବ? ଅସୁର ଦାନ୍ତରେ କାମୁଡ଼ି ପରୀ ରାଇଜର ସବୁଠୁଁ ସୁନ୍ଦରୀକି ଉଡ଼େଇ ନେଲା ପରି ଦେଖାଯିବ । ତା ଦେହରେ କେଉଁଠୁ ଆସି ବୁନ୍ଦା ବୁନ୍ଦା ତତଲା ରକ୍ତ ପଡୁଥାଏ ଯେମିତି । ବାହାଘର ଠିକ ହେବା କାରଣରୁ ବାହିନୀପତି ପରିବାରରେ ହସ ଖେଳିଗଲା । ଜଡ଼ା ଆଇଙ୍କି ଆଉ ନିଜ ମନ କଥା କହିଲାନି ।

ଫଗୁଣ ପୁନେଇ ଦିନ ଚାରୁ ଦେଇର ବାହାଘର । ଆଗରୁ ଆଇ କହିଲେ, “ଦେଇ ସାଙ୍ଗରେ ତୁ ଯିବୁ? ନେତ ବି ଯିବ । ନେତ ବେଶି ଦିନ ରହିବ । ତୁ ଚାନ୍ଦ ସାରି ଫେରିଆସିବୁ ।” ଖାସ ଆଗ୍ରହ ନ ଥିଲା ଜଡ଼ାର । ଚାରୁଦେଇ ପାଇଁ ତିଆରି କରିଥିବା ପଥରମୂର୍ତ୍ତିଟିକୁ ଇତିମଧ୍ୟରେ ସେ ଘରକୁ ଆଣି ତାକୁ ଦେଖେଇଥିଲା । ଦେଇ ବହୁତ କାନ୍ଦିଲା । ସେମିତି କାନ୍ଦି କାନ୍ଦି କହିଲା, “ହାତ ଜମା ବନ୍ଦ କରିବୁନି । ତୋ’ର ଯାହା ଦରକାର, ମୋ ପାଖକୁ ଯିବୁ । ତୁ ପରା ମୋ ଭାଇଟା ପରିକା । ମୁଁ ତତେ ସବୁ ଦେବି । ମୋଟେ ପଥର କାମ ଛାଡ଼ିବୁନି ।” ଜଡ଼ା ବି କାନ୍ଦୁଥାଏ । ମାତ୍ର ବାହାଘର ବେଳେ ଅମାପ ଜାନିଯଉତୁକ ଭିତରେ କେହି ସେ ମୂର୍ତ୍ତିଟି ପଠେଇବାକୁ ନିଘା ଦେଲେନି । ଚାରୁ ଦେଇ ବି ନବାକୁ ମନେ କଲା ନାହିଁ । ତାହା ବାହିନୀପତିଙ୍କ ପଛପଟେ ନଘାଂରେ ପଡ଼ି ରହିଲା ।

ଚାରୁଦେଇ ଚାନ୍ଦଫିଟା ପରେ ଜଡ଼ା ଆଉ ଗଡମୁକୁନ୍ଦସାହିରୁ ଗାଁକୁ ଫେରି ନ ଥିଲା । ନିମାପଡ଼ା ଅଞ୍ଚଳରେ କେହି ତାକୁ ଗାଇଗୋଠ ଜଗିବାକୁ ରଖିଲା । ସେଇ ଗୋପାଳର ଚିହ୍ନାରେ ସେ ଆସି ଭୁବନେଶ୍ୱରର ଏକ ରାସ୍ତାକଡ଼ ହୋଟେଲରେ ପ୍ଳେଟ ଉଠେଇବା ଆଦି କାମ କଲା । ପାଖ ପଥର ଦୋକାନରେ ବି ମୂର୍ତ୍ତି କାମ କଲା । ସେତିକିବେଳେ ନିଜ ଗହନ ମନରେ ସାଇତି ରଖିଥିବା ଚାରୁ ଦେଇକି ସେ ଭୁଲି ପାରୁ ନ ଥାଏ । ସମାନ ଭାବରେ ଭୁଲି ପାରୁ ନ ଥାଏ ଅପ୍ରକାରିଆ ଭିଣେଇ ସାଆନ୍ତଙ୍କୁ । ଏ ଦି’ଜଣଙ୍କୁ ଛାଡ଼ି ତା’ର ଆଉ ଗୋଟିଏ ଚିଜ ମନେ ପଡୁଥାଏ – ତାହାଦ୍ୱାରା ତିଆରି ପଥର ମୁର୍ତ୍ତିଟି । ତାକୁ ଭାବୁଥାଏ ଚାରୁ ଦେଇ ବୋଲି । ସେଇ ପାଖାପାଖି ଜାଗାରେ ନରିଆ ମା’ ମୋତିଆରାକୁ ସାଉଁଳି କଦଳୀ ପତ୍ରରେ ଗୁଡ଼େଇ ପିଙ୍କା ତିଆରି କରେ ଓ ସେଇଠି ଟାଣେ । ସାଆନ୍ତଘର କେହି ଆସିବା ଆଭାସ ପାଇଲେ ସେ ତାକୁ ଲିଭେଇ ଯୋଉଠିସେଠି ଲୁଚେଇ ଦିଏ । ସେ ନିଶ୍ଚେ ସେଇ ମୁର୍ତ୍ତିରେ ଘଷି ପିଙ୍କା ନିଆଁ ଲିଭୋଉଥିବ ।

ଶେଷ କଥାଟି ବେଶିରୁ ବେଶି ମନେ ପଡ଼ିବାରୁ ତାକୁ ଅତି ଅସହାୟ ଲାଗିଲା । ବୋଉ ମନେ ପଡୁଚି ବୋଲି କାନ୍ଦି କାନ୍ଦି ହୋଟେଲବାଲାକୁ କହି ମୋଟେ ତିନିଦିନ ପାଇଁ ଗାଁକୁ ଯିବାକୁ ଛୁଟି ମାଗିଲା । ସେତେବେଳକୁ ସେ ସେଠାରେ ଦି’ବର୍ଷ ଚାକିରି କରିଥିଲେ ସୁଦ୍ଧା ହୋଟେଲବାଲା ତାକୁ ଜମାରୁ ଶହେଟା ଟଙ୍କା ଦେଇଥିଲା ।

ଜଡ଼ା ଭାବିଲା, ସେ ଚତୁର । କାଳେ ଅଧିକ ମାଗିଲେ ଦୋକାନୀ ମୂଳରୁ ନ ଛାଡ଼ିବ, ତେଣୁ ବେଶି ଓଜରଆପତ୍ତି କଲା ନାହିଁ । ଦୋକାନୀ ବି ଚତୁର । ଜଡ଼ା ନ ଫେରିଲେ ଭଲ । ତା’ର ଅନେକ ଟଙ୍କା ବଞ୍ଚିଯିବ ।

ମଧ୍ୟବର୍ତ୍ତୀ କାଳର ଅନୁପସ୍ଥିତି ସଂପର୍କରେ ସେ ନାନା ବାହାନା ବଖାଣି ପୁଣି ଯାଇ ବାହିନୀପତିଙ୍କ ଘରେ ପହଞ୍ଚିଲା । ତାକୁ କିଏ କାହିଁକି ସେଠୁ ଯା ବୋଲି କହିଥା’ନ୍ତା ଯେ? ତେଣୁ ସେ ପୁଣି ଗୋରୁଜଗା କାମରେ ମୁକରିର ହୋଇଗଲା । ସେ ଅନୁଭବ କରିପାରୁଥିଲା ଯେ ତା ଜୀବନ ଆଉ କଚରିଙ୍ଗ୍ କାଗଜ ପରି ଚକ୍-ଚକ୍ କରୁନି । ବାହିନୀପତି ଘରର ସାତଆଠ ଜଣ ଚାକର ଚାକରାଣୀଙ୍କ ଭିତରେ ସେ ଆଉ ଜଣେରେ ପରିଣତ ହୋଇଗଲା ।

ମନେମନେ ସେ ଚାରୁ ଦେଇର ମୁହଁ ବୋଲି ତିଆରିଥିବା ମୂର୍ତ୍ତିଟିକୁ ଚାରିଆଡ଼େ ଖୋଜୁଥିଲା । ପାଉ ନ ଥିଲା । ଯେତେ ଖୋଜିଳେ ବି ତାହା ଆଉ ସିଏ ଦେଖିବାକୁ ପାଉ ନ ଥାଏ । ସାକୁଲେଇ ସେ ନରିଆ ମା’କୁ ପଚାରିଲା । ଜାଣିଲା ଯେ ସାଆନ୍ତଙ୍କ ଖମାରଘର ପ୍ରସ୍ତରେ ନୂଆ ଗୋଟେ ଚୁଡା ଢ଼ିଙ୍କି ପଡିଛି । ସମା ଗାତ ପାଇଁ ଛୋଟ ଖଣ୍ଡେ ପଥର ହଠାତ୍ ନ ମିଳିବାରୁ ତାହା ସେଠାରେ ଓଲଟାଇ ପୋତି ଦେବାକୁ ନରିଆ ମା ଦେଇଥିବା ପ୍ରସ୍ତାବକୁ ଘରସାରା କେହି ଆପତ୍ତି କରି ନ ଥିଲେ । ନିରବତା ଯେଉଁଠି ସବୁଠୁଁ ଅଧିକ ଶବ୍ଦ କରେ, ମନ ପରି ସେ ଭୟାନକ ଇଲାକାରେ ବିସ୍ଫୋରଣ ସେ ସହି ପାରିଲା ନାହିଁ । ଆସ୍‌ଲାମ ସହିତ ଆସିଲା ଏବଂ ପହଞ୍ଚିଲା ମୋ ଅପାଘରେ ।

ତାକୁ ଅନ୍ତରଙ୍ଗ ଭାବେ ଜାଣିଛି ବୋଲି ବିଶ୍ୱାସ ହେବା ପରେ ତାକୁ ମୋ କଥା କହିଦେଲି । “ତୁ ମାର୍ବଲ କାମ ଜାଣୁ?”

“ମାମୁଁ, ଇସ୍କୁଲରେ ଆଚାର୍ଯ୍ୟ ହରିହରଙ୍କ ମୂର୍ତ୍ତି କିଏ, କରିଛି କି?”

“ସେଥିରେ ତ ଆଉ ଜଣଙ୍କ ନାଁ ଲେଖା ହୋଇଛି?”

“ସେଇଟା ଦୋକାନୀର ନାଁ ।”

“ଆଚ୍ଛା, ଦୋକାନୀ ବି ନିଜକୁ ଶିଳ୍ପୀ ବୋଲି ଘୋଷଣା କରି ପାରନ୍ତି?”

ଜଡ଼ା ଏ ଗପସପ ଆଗକୁ ନେଲା ନାହିଁ ।

“ମୋର ଗୋଟେ କାମ କରି ଦବୁ?”

“ଲକ୍ଷ୍ମୀ, ସରସୋତି, ଗଣେଶ” – ଏମିତି ତା ଅନୁମାନରୁ ସେ ଆଉ କେତେକ ନାଁ କହିଲା ।

“ନାଁ ।”

ଜଡ଼ାର କାହାଣୀ ଆଉ ପ୍ରକାରେ ତ ମୋର ଆଉ ପ୍ରକାରେ । ମନଧ୍ୟାନ ଦେଇ ଥର ଥର କେତେ ଥରରେ ସେ ସବୁ ମୋଠାରୁ ଶୁଣିଲା । ମୁଁ ଏମିତି ଗୋଟିଏ ମାର୍ବଲର ମୁହଁ କରାଇବାକୁ ଚାହୁଁଥିଲି ଯିଏ ମୋ’ର ଖୁବ୍ ଜଣା ଥିଲା ଓ ଥିଲା ଅତି ଆପଣାର । ଯିଏ ଅଳ୍ପ କାଳ ପାଇଁ ହେଉପଛେ, ମୋ ଜୀବନର ସ୍ୱର୍ଗ ମର୍ତ୍ତ ପାତାଳ ସବୁ ପରିଧିକି ଏକାବେଳକେ ନିସ୍ତରଙ୍ଗ କରି ଦେଇଥିଲା । ଯିଏ ଅତୀତରେ ଅନେକ ଶୋକ ଓ ସୁଖକୁ ଏକାକାର କରି ନୂଆ ଭୂଇଁଟିଏ ଗଢ଼ିବାକୁ ମୋ ମନରେ ସାହସ ପୂରାଇ ପାରିଥିଲା । ଯିଏ ମୋ ଠାରୁ କଦାପି ଦୂରଛଡ଼ା ହେବ ନାହିଁ ବୋଲି ରାଣ ପକେଇ ପ୍ରତିଜ୍ଞା କରିଥିଲେ ସୁଦ୍ଧା ନିଜ କଥା ନିଜେ ରଖି ପାରିଲା ନାହିଁ ।

ଜଡ଼ାକୁ ମୋ କଥା ସବୁ ନୂଆ ନୂଆ ଳାଗୁଥିଲା । ଏ ଇଚ୍ଛା ମୋ ପାଇଁ କେତେ ଲୋଡ଼ା ଏବଂ ତା କଳାକାର ସତ୍ତା ଉପରେ ମୋର ବେଶ୍ ଭରସା ଅଛିବୋଲି ପରତେ ହେବା ପରେ ସେ ଦମ୍ଭିଲା ସ୍ୱରରେ ପଚାରିଲା, “ମାମୁ, କେତେ ରକମ ମୁହଁର ଫଟ ଅଛି ? ମୁଁ ଟିକେ ଦେଖନ୍ତି ।”

ଯେଉଁ କାମ ପାଇଁ ମୋତେ ବାରମ୍ବାର ଭୁବନେଶ୍ୱର ଯିବାକୁ ପଡୁଥିଲା, ତାହା ସରିଗଲା । ୟା’ପରେ ମାସେ ଦି’ ମାସରେ ଥରେ ଗଲେ ହେଲା, ନ ହେଲେ ନାହିଁ । ମାତ୍ର ଜଡ଼ା ତା କାମରେ ଲାଗି ପଡ଼ିଥାଏ ।

ଥରେ ସେ କହିଲା, “ମାମୁ, ଠାକୁରେ ତମକୁ ସିନା ଦୁଃଖ ଦେଲେ । ମୁଁ ତିଆରି କରିସାରେ, ଛୁଇଁଲେ ତମକୁ ନିଜର ପରି ଲାଗିବ କି ନାଇଁ ଦେଖିବ । ଚାରୁ ଦେଇ ମୁହଁ ମୁଁ ସେମିତି କରିଥିଲି । ସିଏ ଗ୍ରାନାଇଟ୍ ଥିଲା । ଇଏ ତ ମାର୍ବଲ । କାରିଗର ଯଦି କାମରେ ନିଜ ମନ ବୋଳିବ ପାଷାଣ ପରା କଥା କହେ । କଇବନି ?”

ଇସ୍, ଇଏ ଆମ ଜଡ଼ା । କଳାକାର ଭାବେ କି ପ୍ରଚଣ୍ଡ ଦର୍ପ ଓ ତଥାପି କେତେ ନିରୀହ ବିଶ୍ୱାସ ଲୋକଟାର !

ଦେଖିଛି, ସେ ଖଣ୍ଡିଏ ଫୁଟିକିଆ ଘନାକୃତିର ମାର୍ବଲ ଆଣିଲା । କପିଙ୍ଗ୍ ପେନିସିଲରେ ୟାଡୁସାଡୁ ଗାର ଟାଣିଲା ସେଥିରେ । ଆଲ୍‌ବମଟା ପାଖରେ ରଖିଥାଏ । ଆଉଥରେ ଦେଖିଲା ବେଳକୁ ସେ ମାର୍ବଲକୁ କାଟିକୁଟି ଟିକେ ସାଇଜ୍ କରିଛି । ବାରି ହୋଇ ଯାଉଛି ଯେ ତାହା ଏକ ନାରୀର ମୁହଁ ବା ମୁଣ୍ଡ ହିଁ ହେବ ।

ଆଉ ଦିନେ ଅଗଷ୍ଟ ସାତ ତାରିଖ । “ଅପା ଦେହ ଅତି ଖରାପ । ତୁ ଶୀଘ୍ର ଆ । ସମସ୍ତେ ଆସୁଛନ୍ତି ।” ଭିଣେଇଙ୍କର ଏତେ ବିଚଳିତ ସ୍ୱର ଆଗରୁ କେବେ ଶୁଣି ନ ଥିଲି ।

ମୋ ଆଶଙ୍କା ସତ ହେଲା । ବାର ଘଣ୍ଟା ଯାତ୍ରା ଶେଷ କରି ପହଞ୍ଚିଲା ବେଳକୁ ଶେଷ ପର୍ବର ଆରମ୍ଭ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଥାଏ । ହେଇ, ଆଉ ଟିକେ ପରେ ଅହିଅ ଡେଙ୍ଗୁରା ବଜେଇ ଅଫେରାକ ବାଟରେ ସେ ଚାଲିଯିବ । ଏଯାବତ୍ ଅପାଘର କହି ଉଛୁଳି ପଡୁଥିବା ଏକ ପ୍ରତିଷ୍ଠା ସହିତ ଏଣିକି ମୋର ବା ଆମ ଘରର ଅନ୍ୟମାନଙ୍କ ସଂପର୍କ ସୀମୀତ ରହିବ ବିବାହ ବ୍ରତଆଦି କେତେକ ଉପଚାରକୁ ଆଶ୍ରା କରି । ତା ମରଣ ସକାଶେ ଲୁହ ନାଁରେ ମନରୁ ଲହୁ ଝରେଇବାକୁ ସକ୍ଷମ ଆମ ବୋଉ ବାପା ଆଗରୁ ଚାଲି ଯାଇଥା’ନ୍ତି ।

ଶବର ପାଦ ଛୁଇଁ ଶେଷ ପ୍ରଣାମ କଲି ।

ବାପଘରେ ବା ଶାଶୂଘରେ ସେ କୌଣସି କନିଷ୍ଠର ମରଣ ଦେଖିନି । ସ୍ନେହ, ଶୃଙ୍ଖଳା ଓ ସଂକଳ୍ପର ଆୟୁ ନେଇ ସଫଳ ଜୀବନଟେ ବଞ୍ଚିଥିଲା ବିଚାରୀ । କେତେ କାହାକୁ ଧନ ଦେଇଥିବ, ଜାଣେନି । ମୋ ପରି ଅନେକଙ୍କୁ ସେ ପାହିଲି ଗଉଣିରେ ମାପିମାପି ମନ ଦେଉଥିଲା । ତା କୋମଳତାକୁ କେହି ହତାଦର କଲେ ସେ କେବେ କୋପ କରୁ ନ ଥିଲା । କାହା ଉପରେ ରାଗିବା ପରି କଥା ଉପୁଜିଲେ ସେ କହେ - ଆରେ ବାବା, ସେ ଯେତିକି ଶିଖିଛି ସେତିକି କଲା । ଏମିତି କଥା ତା ମୁହଁରୁ ଶୁଣିଲା ବେଳେ ବରଂ ତାକୁ ଅସହାୟ ବା ଦୁର୍ବଳ କହି ଇଷତ୍ ପରିହାସ କରିବାକୁ ମନ ହେଉଥିଲା ।

ସଂସାରର ପ୍ରତି ଚଉହଦୀ ଜଗି ମା’ଟିଏ ଭାବେ ସେ ତା ପିଲାମାନଙ୍କୁ ମଣିଷ କଲା । ଥରଟେ ପାଇଁ ବି ସେ କାହାରି ସେବା ପାଇବାକୁ ଅପେକ୍ଷା କଲା ନାହିଁ । ସକାଳୁ କଫି ପିଇଲା । ଗାଧୋଇପାଧୋଇ ସାରି ଠାକୁର ପୂଜା କଲା । ବର୍ଷାଦିନେ ବି କୋଉଠୁ ଯୋଗାଡ଼ କରି ଏତେ ଫୁଲ ଆଣିଚୁ କହି ତାକୁ ତା ସାମ୍ନାରେ ପ୍ରଶଂସା କଲା । ଠାକୁରଘର ଦୁଆରମୁହଁରେ ଜଡ଼ା ଠିଆ ହୋଇଥାଏ । ହାତଯୋଡ଼ି ନମସ୍କାର କରୁକରୁ ସେଇଠି ଅପା ଟଳି ପଡ଼ିଲା । ଘରୁ ସମସ୍ତେ ଦଉଡ଼ି ଆସିଲେ । ଭିଣେଇ ବି । ଅପା କାହରି ସହିତ କିଛି କଥା ହେବା ଅବସ୍ଥାରେ ନ ଥିଲା । ନର୍ସିଙ୍ଗହୋମ୍‌ରେ ଡିପ୍‌କୋମା କହି ତାକୁ ଆଉ ଦୁଇ ଦିନ ଶୁଆଇ ଦିଆଗଲେ ବି ଅପା ଆଉ ଫେରି ନ ଥିଲା ।

ବୟସରେ ଥକିଯାଇଥିବା ମଣିଷଟେ । ସ୍ୱର୍ଗକୁ ହେଉ କି ନର୍କକୁ ହେଉ, ଏବେ ସେ ଯାଉ । ଅପା ସଜ ହୋଇ ଶୋଇଥାଏ । ସମସ୍ତେ ପାଖରେ ଠିଆ ହୋଇଥା’ନ୍ତି । ଜଡ଼ା ବି । ସମସ୍ତେ କାନ୍ଦୁଥା’ନ୍ତି, ଜଡ଼ାକୁ ଛାଡ଼ି ।

ଜୁଆର ଛାଡ଼ିଯିବା ପରେ ସମାନ ହୋଇ ଯାଇଥିବା ବିସ୍ତାରିତ ବେଳାଭୂମିରେ ପୁଣି ମଣିଷଙ୍କପାଦ ଚିହ୍ନ ପଡ଼ିବା ପରି ସମସ୍ତେ ନିଜନିଜକୁ ସଜାଡ଼ିବା ପାଇଁ ସ୍ୱକୀୟ ଢ଼ଙ୍ଗରେ ଧୀରେଧୀରେ ଅପାକୁ ମନେ ପକେଇବାକୁ ବା ଭୁଲିବାକୁ ଆରମ୍ଭ କଲେ । ଅପାର ଝିଅ ନ ଥିଲା । ତିନି ଭଣଜା ଏବଂ ବୋହୂମାନେ । ସମସ୍ତେ ପ୍ରତିଷ୍ଠିତ । କେହି ଓଡ଼ିଶାରେ ରହୂ ନ ଥିଲେ । ସାନ ଭଣଜାପୁଅ ଓ ତା ସ୍ତ୍ରୀ, ଦି’ଜଣଯାକ ବ୍ୟାଙ୍କ୍ ଅଫିସର । ସେମାନେ ଭୁବନେଶ୍ୱର ବଦଳି ହୋଇ ଆସି ପାରିବେ ପରି ଏକ ସମ୍ଭାବନା ଦେଖାଗଲା । ପରେ ତାହା ହେଲା ମଧ୍ୟ । ଅବସର ନେଇ ସାରିଥିବା ଭିଣେଇ ମନା କଲେ । କାହାରି ସାଙ୍ଗରେ ସେ କୋଉଠିକି ଯିବେ ନାହିଁ ବା ଘରେ ବି ରହିବେ ନାହିଁ । ମାନସିକ ଶାନ୍ତି ପାଇଁ ସେ ତାଙ୍କ ପୁରୀ ଘରେ ଏକା ରହିବେ ।

ବହୁ ପୂର୍ବରୁ ପୁରୋହିତ ମ୍ୟାଡମ୍‌ଙ୍କ ପ୍ରସ୍ତାବ ଭିନ୍ନ ରୂପ ସହ ପ୍ରବର୍ତ୍ତିତ ହେଲା । କେବଳ ଘରଟିକୁ ଛାଡ଼ି, ପ୍ରାୟ ଏକରେରୁ ଅଧିକ ଜାଗା ସମୁଦାୟ ଭାବେ ଜଣେ ବିଲ୍‌ଡରକୁ ଦିଆଗଲା ।

ଅପାର ସାନ ବୋହୂ ମତେ ଟେଲିଫୋନ କରି କହିଲେ । “ଜାଗା ହାଣ୍ଡଓଭର୍ ଦିଆଯିବ । ବାପା ଆସିବାକୁ ମନା କଲେ । ଆମର ମୁରବି ଆଉ କିଏ ଅଛନ୍ତି କି? ଆପଣ ଯେମିତି ହେଲେ ଦିନକ ପାଇଁ ନିଶ୍ଚୟ ଆସିବେ ।”

ନିର୍ଦ୍ଧାରିତ ଦିନରେ ପହଞ୍ଚି ପଚାରିଲି, “ଜଡ଼ା କାହିଁ?”

ବହୁତ ହେଜି ମନେ ପକେଇଲେ ସେ । କହିଲେ, “ଆମେ ଏଠିକି ଆସିବାର ସାତ ଆଠ ଦିନ ପରେ ସେ ତ ଚାଲିଗଲା ।” ଜଣା ପଡ଼ିଲା, ଜଡ଼ାର ନାଁଟା ଆଉଥରେ ଅପାଙ୍‌କ୍ତେୟ ତାଲିକା ଭିତରକୁ ପଶିଗଲା । ବୋହୂ କହିଲେ, “ଚାଲନ୍ତୁ ନା ଆପଣ ସେଇ ପଦା ଘରର ଭିତରଟା ଦେଖି ଦେବେ । କାଳେ ଘରର କିଛି ଜିନିଷପତ୍ର ସେଠି ଥିବ । ଆମେ ତ କିଛି ଜାଣିନୁ । ଆଜି ଇଭିନିଙ୍ଗ୍‌ରେ ସେମାନେ ଜମି ହାଣ୍ଡଓଭର୍ ନେବେ ।” ଅଳନ୍ଦୁ ଝାଡ଼ି ବୋହୁ ଘର ଖୋଲିବା ପରେ ମୁଁ ଚମିକି ପଡ଼ିଲି । ସିନ୍ଦୁକ ଉପରେ ଥୁଆ ହୋଇଥାଏ ଗୋଟେ ଆଲବମ୍ ଏବଂ ଆବଡ଼ାଖାବଡ଼ା ଅଧାତିଆରି ମାର୍ବଲ ଖଣ୍ଡିକ । ଜଡ଼ା ତାହାକୁ ପୂରା କରିଥିଲେ ଯାହା ହୋଇଥା’ନ୍ତା ତାହା ମୁଁ କେବଳ ଜାଣି ପାରୁଥିଲି ।

କହିଲି, “ନାଇଁରେ ମା, କିଛି ନାହିଁ । ଏଇ ସିନ୍ଦୁକଟା ନବ ଯଦି ନେଇଯା ।” ଅନ୍ୟଥା ଆତ୍ମାହୀନ ଭୁବନେଶ୍ୱର ପରି ଏଡ଼େ ବହ ସହରଟାରେ ମୁଁ ଜଡ଼ାକୁ କେଉଁଠି ଖୋଜିଥା’ନ୍ତ ବା କହିଁକି ଖୋଜିଥା’ନ୍ତିି?

ବୋହୂ କହିଲେ, “ଘରେ ଆଉ ଜାଗା ନାହିଁ । ଆମ ଜିନିଷ ଗୁଡାକ ସବୁ କଲିକତାରୁ ଆସିଗଲା ନା । ବିଲ୍‌ଡର୍ ଯଦି ସେଇଟା ନବ ନେଇଯାଉ ।” ଆଲବମ୍‌ଟିକୁ ଚୁପ୍‌ଚାପ୍ ଉଠାଇ ଆଣିଲି । ସେଇଟା କ’ଣ ବୋଲି ବୋହୂ ମୋତେ ପଚାରି ନ ଥିଲେ ବା ମୁଁ ତାଙ୍କୁ କିଛି କହି ନ ଥିଲି ।