ଆଶା ତମସା/ପୃଥକ୍‌ ପୃଥିବୀ

ଉଇକିପାଠାଗାର ରୁ
Jump to navigation Jump to search
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ପୃଥକ୍ ପୃଥିବୀ


ପରଶମଣି ଭଟ୍ଟ ମହାଶୟ ଯେ ଆମ ସୁରଦାଦି, ସଠିକ ଭାବେ ଏତିକି ଜାଣିବାକୁ ମୁଁ ଅଚାବୁଆ ଅବସ୍ଥାରେ ପଡିଗଲି । ଚିଫ୍ ଇନ୍‌କମଟାକ୍ସ କମିସନର, ସହରର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ଯୋଗ ଦେବାକୁ ଆସିଥା’ନ୍ତି । ଆଡ଼ମ୍ବର ଏବଂ ଆୟୋଜନର ଯେତେ ସମ୍ଭାର ତାଙ୍କ ପଦବୀ ସହିତ ଯୋଡ଼ା ହେବା କଥା ସବୁ ସେହିପରି ଲଦି ହୋଇ ରହିଥାଏ । ପାଦ ତଳୁ ପଦୁଅଁ ଫୁଟୁଥିବା ଆମ ସୁରଦାଦିଙ୍କ ସେବା ପାଇଁ କେଡ଼େକେଡ଼େ ଲୋକ ତାଙ୍କୁ ଘେରି ରହିଥା’ନ୍ତି । ମାତ୍ର ଆମ ସଂପର୍କ ଓ ସ୍ଥିତି ଏତେ ଅଧିକ ଦୂରଛଡ଼ା ହୋଇ ସାରିଥିଲା ଯେ ତାଙ୍କୁ ପରିଚିତ ବୋଲି କହିବାକୁ ମୋତେ ଲାଜ ଲାଗୁଥାଏ । ମୁଁ ତ ତାଙ୍କୁ ଚିହ୍ନି ପାରୁନି, ସିଏ ମୋତେ କାହିଁକି ଚିହ୍ନିବେ? ସେ ପୂରା ଚନ୍ଦା । ବୟସ ସହିତ ଚେହେରା ଯେତିକି ବଦଳିବା କଥା ସେମିତି ହୋଇଛି । ମାତ୍ର ଟିକେ ବି ମଉଳଣ ହୋଇନି । କାଳେ ଯଦି ମୋତେ ସେ ନ ଚିହ୍ନିବେ । ପ୍ରିୟତାର ଉଲ୍ଲାସ ଠାରୁ ଏ ଆତଙ୍କ ମୋତେ ବେଶି ଛଟପଟ କରୁଥିଲା ।

ତଥାପି ଭରସି ପାଖକୁ ପଶିଗଲି । ହଃ ନ ଚିହ୍ନିଲେ ପରିଚୟ ଦେବି । ତଥାପି ନ ଚିହ୍ନିଲେ ବାହୁଡ଼ି ଆସିବି । ଏତିକି ହେବ ଯେ ଦେଖିବା ଲୋକ ମୋତେ ଥୋବରାଟେ ଭାବି ମନେମନେ ହସିବେ । ଯାହାହେଉ ମୁଁ ତାଙ୍କୁ ଭେଟିବି ।

କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଆହୁରି ବାକି ଥାଏ । ସେ ଗୋଟିଏ ତିନିଜଣିଆ ସୋଫାରେ ଏକା ବସିଥାନ୍ତି । ବଡ଼ବଡ଼ ପଦାଧିକାରୀମାନେ ବଗ ପରି ନିଜ ମୁହଁଟିମାନ ଲମ୍ବେଇ ତାଙ୍କ ସହିତ କଦବାକ୍ୱଚିତ୍ କଥା ହେଉଥା’ନ୍ତି । ପାଦ ଛୁଇଁ ପ୍ରଣାମ କଲି । ଦୋଦୋଚିହ୍ନା ହୋଇ ସେ ଅନେଇଲେ । ଗାଁ ପରିଚୟ ଶୁଣି ତାଙ୍କ ଚକିତ ଅଥଚ ସୁଖୀ ଚେହେରା ବାରି ହୋଇଗଲା । ପାଖରେ ବସିବାକୁ କହିଲେ । ଏତେ ସାହସ ବା କିପରି କରିଥା’ନ୍ତି ? ସେ ବୁଝିପାରିଲେ । କହିଲେ, “ମୁଁ କାଲି ସନ୍ଧ୍ୟା ଯାଏ ଅଛି । ସର୍କିଟ ହାଉସ୍ ଆସିବୁ । ଖୁଡ଼ୀ ବି ଆସିଚି । ବୋହୂକୁ ସାଙ୍କରେ ଆଣିବୁ । ଗପସପ ହେବା ।”

ଦେଖା ହେଲା । ତାଙ୍କଠୁଁ ଶୁଣିଲି, ଅଜା ଆଉ ଇହଜଗତରେ ନାହାନ୍ତି । ସେ ଆମ ଘରର ଭଲମନ୍ଦ ପଚାରି ଚାଲିଲେ । “ତୁ ଗାଁକୁ କେବେଠୁଁ ଯାଇନୁ?”

ଲାଜେଇ କହିଲି, “ହଁ, ତିରିଶ ବର୍ଷ ହବ । ଭାବିଛି ଜମିବାଡ଼ି ଯାହା ଅଛି ବିକିବୁକା ଦେବି ।”

“ଏଠି ଘରଦୁଆର କଲୁଣି ? ଚାକିରିବାକିରି କଲ । ରୋଜଗାର କଲ । ସବୁ ଠିକ୍ ଯେ । ହେଲେ ମୂଳ ଛାଡ଼ିବନି । ଡାଳ ଝାଉଁଳି ଯିବ ।”

ତାଙ୍କ କଥାର ଆବେଗ ଓ ଢଙ୍ଗ ମୋତେ ଠିକ୍ ରଥୀ ଅଜାଙ୍କ ପରି ଲାଗୁଥିଲା ।

ଆମ ପିଲାଦିନ । ନୂଆ ସ୍ୱାଧୀନତା ପାଇଥିବା ଭାରତବର୍ଷ । ସ୍ୱାସ୍ଥ୍ୟସେବା ସକାଶେ ପାଣି ପାଦୁକ କି ବଇଦ ଠାକୁରାଣୀ ମାନସିକତାଠାରୁ ଦୂରଛଡ଼ା ହେବାକୁ ମୋଟେ ପ୍ରସ୍ତୁତ ନ ଥିବା ଆମ ଅଞ୍ଚଳର ଲୋକ ନୂଆ ପରି ଲାଗୁଥିବା ଏଲୋପାଥି ପଦ୍ଧତିର ପ୍ରଶଂସା କରୁଥିଲେ ସୁଦ୍ଧା, ପୂର୍ଣ୍ଣ ବିଶ୍ୱାସରେ ତାହା ଆପଣେଇ ପାରୁ ନ ଥା’ନ୍ତି । କୌଣସି ଆହ୍ଲାଦିତ ନୂଆ ପାଇଁ ଯେତିକି ଆମୋଦିତ ଆବେଗ ବା ଅଜଣା ଭୟ ରହିବା କଥା, ଅବସ୍ଥା ତାହା ହିଁ ଥିଲା ।

ବହୁ ଅପାଠୁଆ ଜନସମଷ୍ଟିଙ୍କ ନଜରରେ ପଡ଼ିବାପରି ବୋଧାତୀତ ପାଞ୍ଚ ଛ’ ଧାଡ଼ି ଶିକ୍ଷାଗତ ଯୋଗ୍ୟତା ଘୋଷଣା କରୁଥିବା ନାମଫଳକଧାରୀ ଡାକ୍ତର ସମେତ ଇଂଲଣ୍ଡ ମହାରାଣୀଙ୍କ ସଇସନ୍ତକରେ ମୁକରିର ସିଭିଲସର୍ଜନ, ଲଣ୍ଡନ ଫେରନ୍ତା ଏଫ.ଆର.ସି.ଏସ ମାନେ ଅଛନ୍ତି ବୋଲି ଜାଣି ସୁଦ୍ଧା ମୋ ମନକୁ ଆଚ୍ଛାଦିତ କରିଥା’ନ୍ତି ରଥୀ ଅଜା । କାହିଁକି? ଏକଥା ଭାବି ନାହିଁ । ବଡ଼ ହେଲା ପରେ ବରଂ ଭାବିଛି – ଭଲ ପାଇବାର କିଛି କାରଣ ଇ ନ ଥାଏ । ଯେଉଁମାନେ କାରଣ ଉଣ୍ଡାଳି ଭଲପାଇବା ପରି ନାଁକୁ ବିଷ୍ଠାଛୁଆଁ ଅପବିତ୍ରତାରେ ପରିଣତ କରିପାରନ୍ତି ସେମାନେ ହଡ଼ାବେପାର କି ଶୁଖୁଆ ରିଟେଲ୍ ଦୋକାନ କରିବା ଭଲ । ସେଥିରୁ ଲାଭ ମିଳେ ।

ସିନିଅର ଓ ବଡ଼ଭାଇମାନେ ଡାକ୍ତର ଅଜା କହୁଥିବା ଶୁଣି ଆମେ ବି ତାଙ୍କୁ ସେଇଆ ଡାକୁଥିଲୁ ।

ରଥୀ ଅଜା ବା ଦାଶରଥୀ ଭଟ୍ଟ ଡାକ୍ତର ନ ଥିଲେ । ସେ ଥିଲେ ଜିଲ୍ଲା ସଦର ଚିକିତ୍ସାଳୟର କମ୍ପାଉଣ୍ଡର । କେତେଥର ଉଦ୍ୟମ ସତ୍ତ୍ୱେ ଏବେକାର ମ୍ୟାଟ୍ରିକତୁଲ୍ୟ ସେତେବେଳେ ଏଣ୍ଟ୍ରାନ୍ସ ପାଶ୍ କରିବାକୁ ସକ୍ଷମ ହୋଇପାରି ନ ଥିବା କାରଣରୁ କଲିକତା ଚଟକଳରେ ମୁନ୍‌ସୀ ଚାକିରି କରୁଥିବା ତାଙ୍କ ମାମୁଁ ସାଙ୍ଗରେ କଲିକତା ନେଇଗଲେ । ସେଠୁ ସେ ପାଠ ପଢ଼ି ଫେରିଥିଲେ ।

ଆମ ଗାଁକୁ କେନ୍ଦ୍ର କରି ଏକ ବିସ୍ତୃତ ଅଞ୍ଚଳର ଲୋକଙ୍କ ଧାରଣା ଅନୁଯାୟୀ ତାଙ୍କଠୁଁ ବଳି ଆଉ ଡାକ୍ତର ଏ ପୃଥିବୀରେ ଥିବା ସମ୍ଭବ ନୁହେଁ । ବଡ଼ ଡାକ୍ତର ଅଛନ୍ତି ଯେ ହେଲେ ଅବସ୍ଥା ସଙ୍ଗୀନ ହେଲେ ହିଁ ଯାଇ ସେମାନେ ରୋଗୀଙ୍କୁ ଦେଖନ୍ତି । ଥରେ ସେମାନେ ଦେଖିବାର ଅର୍ଥ ହେଲା, ରୋଗୀ ଆଉ ଏ ଲୀଳାମୟ ସଂସାରକୁ ଫେରିବ ନାହିଁ । ରଥୀ ଅଜା ବି ସେପରି ରୋଗୀଙ୍କୁ ନ ପାରି ପଠେଇ ଦିଅନ୍ତି ବଡ଼ବଡ଼ ଡାକ୍ତରଙ୍କ କତିକି । ଲୋକେ ଭାବନ୍ତି, ରଥୀ ଅଜା ହିଁ କେବଳ ମରଣର ପୂର୍ବାଭାଷ ପାଇପାରନ୍ତି ଏବଂ ଯେଉଁ ରୋଗୀକୁ ସେ ଭଲ କରିପାରିବେ ନାହିଁ ବୋଲି ମନା କରିଦିଅନ୍ତି, ଏ ବ୍ରହ୍ମାଣ୍ଡରେ ତାକୁ ଭଲ କରିବାର ଶକ୍ତି ଆଉ କାହାର ନାହିଁ । ତେଣୁ ଆମ ଅଞ୍ଚଳରେ ରୋଗବୈରାଗ ପାଇଁ ରଥୀ ଅଜା ଥିଲେ ଗୋଟିଏ ମାପକାଠି । ଯିଏ ତାଙ୍କୁ ଟପିବ, ସେପରି ଡାକ୍ତର ହୁଏତ ଚର୍ଚ୍ଚାକୁ ଆସି ପାରିଥା’ନ୍ତେ ।

କି ଖରା କି ବର୍ଷା, ପ୍ରତିଦିନ ସକାଳୁ ନାଳ ବନ୍ଧେବନ୍ଧେ ବାର ମାଇଲ ବାଟ ସାଇକେଲରେ ସଦରମହକୁମା ହସପିଟାଲକୁ ସେ ଯାଆନ୍ତି । ଗୋରା ତକତକ ଡେଙ୍ଗା ନକନକିଆ ଚଞ୍ଚଳିଆ ଚେହେରାଟିଏ ତାଙ୍କର । ବଟରଫ୍ଲାଏ ନିଶ । ଧୀର କଥା । ଛୁଆଁ ଅଛୁଁଆ ବାରଣ ନ ଥାଏ । ଦିନକୁ ନିଶ୍ଚୟ ଦୁଇଥର ନିଜ ଘରେ ଠାକୁରପୂଜା କରନ୍ତି । ଥରକୁ ତିନିରୁ ପାଞ୍ଚ ମିନିଟ୍ । କାର୍ତ୍ତିକପୂନେଇ ଦିନ ଯେମିତି, ଛାଡ଼ଖାଇ ଦିନ ବି ସେମିତି । ପୂଜାପାର୍ବଣରେ ବି ସେ ମନ୍ଦିର ଯିବା କେହି ଦେଖି ନ ଥିବେ ।

ତାଙ୍କ ସବୁଦିନର ପୋଷାକ ଓ ସାଜ ହେଲା – ଖାକି ଫୁଲ୍‌ପେଣ୍ଟ, ଧଳା ହାୱାଇସାର୍ଟ । ମୁଣ୍ଡରେ ସୋଲ ଓ କପଡ଼ା ତିଆରେି ଟୋପି ବା ହ୍ୟାଟ୍ । ପାଦରେ କାନଭାସ ଜୋତା । କମ୍ପାସରେ ବୃତ୍ତ ଆଙ୍କିଲା ପରି ଗୋଲ ଷ୍ଟିଲ୍ ଫ୍ରେମ୍ ଚଷମା । କାନରେ ନାଡ଼ ଦୁଇଟି ମୂଷାଲାଙ୍ଗୁଡ଼ ପରି ନକନକିଆ ସ୍ପ୍ରିଙ୍ଗ୍ । ମାତ୍ର ବେଶ୍ ମଜବୁତ । ସାଇକେଲ ଚେନ୍‌ରେ‌ ପ୍ୟାଣ୍ଟ ଓଟାରି ନ ହେବା ସକାଶେ ଦୁଇଟିଯାକ ଗୋଡ଼ ତଳେ ଗୋଟିଏଲେଖା କ୍ଳିପ । କ୍ୟାରିୟରରେ ଗୋଟେ ଚୌକୋଣୀ ଚମଡ଼ାବାକ୍ସ ।

ଆଠକାଳି ବାରମାସୀ ସବୁଦିନେ ସକାଳେ ଦି ଘଣ୍ଟା, ସନ୍ଧ୍ୟାରେ ତିନି ଘଣ୍ଟା ସେ ଗାଁରେ ରୋଗୀ ଦେଖିବେ । ଖରା ବର୍ଷା ଶୀତ କାକର କିଛି ବାରଣ ନାହିଁ । କେତେ କିସମର ଲୋକ । କିସମ କିସମର ବିଚାର ବେଭାର ।

ଆଜି ପଞ୍ଚାୟତ ଅଫିସ ସଂଲଗ୍ନ ଆମ ସମୁଦାୟ ଅଞ୍ଚଳରେ ସବୁଠୁଁ ବଡ଼ ଭାବେ ପରିଚିତ ହାଟ, ବା ବର୍ତ୍ତମାନ ଗାଁ ଲୋକେ ଯାହାକୁ ମାର୍କେଟ ବୋଲି କହୁଛନ୍ତି, ତା ଉତ୍ପତ୍ତିର କାରଣ କେବଳ ତାଙ୍କ ଦ୍ୱାରା ପରିଚାଳିତ ତାଙ୍କ ଗାଁ ଡିସ୍ପେନ୍ସରି । ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ପରିଜନ ରହିବା ଖାଇବାରେ ବହୁ ହଇରାଣ ହେଉଥିଲେ ବୋଲି ଦନେଇ ସାମୁଲ ରଥୀ ଅଜାଙ୍କ ଖଳାକୁ ଲାଗି ଠାକୁରଙ୍କ ଅନାବାଦୀ ତୋଟାରେ ବଡ଼ ଚାଳିଆଟେ କଲା । ଅଜା ତାକୁ ଛଣ, ତାଙ୍କ ନଈକୂଳ ବୁଦାରୁ କେତେଖଣ୍ଡ ବାଉଁଶ ଯୋଗେଇବା ପରି ଅଳ୍ପ କିଛି ସାହାଯ୍ୟ କରିଥିଲେ । ଚାଳିଆକୁ ଦି ଭାଗ କରି ଛୋଟଟିରେ ଦନେଇ ଚଲି ଜଳେଇ ଭାତ ରୋଷେଇ କଲା । ଆରଟିରେ ରୋଗୀ ଓ ସହକାରୀମାନଙ୍କୁ ଆବଶ୍ୟକ ଅନୁଯାୟୀ ନଡ଼ିଆବାହୁଙ୍ଗା ତିଆରି ଲମ୍ବା ଲମ୍ବା ତାଟି ଯୋଗାଇ ଦେଉଥିଲା । ତା ହୋଟେଲରେ ଖାଇଲେ ତାଟି ଫ୍ରି, ବସିବା ରହିବା ବି ଫ୍ରି । ଟିଭି, ଫ୍ରିଜ୍ ବା ମୋବାଇଲ ପରି ଦାମିକା ଜିନିଷ ବିକ୍ରି ହେଉଥିବା ଆଜି ଏଇ ମାର୍କେଟରେ ଆରମ୍ଭ ତ ସେଇଠୁ ।

ଡାକ୍ତର ଅଜା । ରୋଗୀ ପଇସା ଦେଲେ ହଁ, ନ ଦେଲେ ହଁ । କଦଳୀ କଖାରୁ ଛେନା ସାରୁଆଦି ବି ଲୋକେ ଆଣି ଦିଅନ୍ତି । ବଟମହାପୁରୁଷଙ୍କ ପାଖେ ବର୍ଷକୁ ଯେଉଁ ଚାରିପାଞ୍ଚ ଥର ହପ୍ତା ବସେ ବା ଆଉଆଉ ଡାକୁର ଠାକୁରାଣୀମାନଙ୍କ ଭୋଜନଯୁକ୍ତ ଯାନିଯାତ୍ରା ଅନୁଷ୍ଠିତ ହୁଏ, ସେତେବେଳେ ରୋଗୀମାନଙ୍କର ଏହି ଅନୁଦାନ ବେଶ୍ ସଂଯୋଜିତ ଭାବେ କାହିଁରେ କେତେ ବଢ଼ିଯାଏ । ଲୋକେ ଦେଇ ସାରି ରଥି ଅଜାଙ୍କୁ ନିଶ୍ଚୟ ଖବର କରନ୍ତି । କିନ୍ତୁ ସେ କେବେ ସେପରି ଦାନକୁ ନିଜ ଗୌରବ ସହିତ ଯୋଡ଼ନ୍ତି ନାହିଁ । କିମ୍ବା ମେଡ଼ିକାଲ୍‌ରୁ ଛୁଟି ନେଇ ଥରେ ହେଲେ ଭୋଜିଭାତ ତଦ୍‌ବିର କରିବା କେହି ଦେଖି ନ ଥିବେ । ନିହାତି ଅସୁବିଧା ନ ଥିଲେ, ଅବଶ୍ୟ ସେ ସନ୍ଧ୍ୟାବେଳେ ପ୍ରସାଦ ପାଇବାକୁ ଆସନ୍ତି । ସମବୟସ୍କମାନଙ୍କ ଗହଣରେ ବସନ୍ତି । ମଜାମଜା କଥା କହନ୍ତି । ଅମୁକ କି ଢମୁକ କାହିଁକି ଆସିନି ବା କାଇଁ ଆଗେ ପଳେଇଲା, ଏମିତିକା ପ୍ରଶ୍ନମାନ ପଚାରନ୍ତି । ଅତି ଅଡୁଆ ହୋଇ ନ ଥିଲେ, କାହା କାହା ଭିତରେ ରହିଥିବା ବିବାଦ ସୁଉଦୁ ତାଙ୍କ କଥାରେ ହିଁ ତୁଟିଯାଉଥିଲା । ଆମେ ପିଲାମାନେ ତାଙ୍କୁ ଘେରି ରହିଥିବା ବଳୟରୁ ଆପେଆପେ ଦୂରଛଡ଼ା ହୋଇଯାଉ । ଦରକାର ହେଲେ ସେ ରୋଗୀ ଘରକୁ ବି ଯାଆନ୍ତି । ରଥୀ ଡାକ୍ତର ଆସି ରୋଗୀ ଦେଖି ଯାଇଛିର ଅର୍ଥ ହେଲା, ଏଥର ରୋଗୀ ନିଶ୍ଚୟ ଭଲ ହେବ କିମ୍ବା ତାକୁ ଏବଂ ତା ଆଶ୍ରୀତମାନଙ୍କୁ ଏଣିିକ ଭଗବାନ ଭରସା ।

ଡାକ୍ତରଖାନାରେ ତାଙ୍କ କାମ ବି ଦେଖିଛୁ । ଔଷଧ ବିତରଣ ପାଇଁ ଥିବା କାଠ କାଉଣ୍ଟର ପଛରେ ସେ ଠିଆ ହୋଇଥିବେ । ପଛରେ ବଡ଼ବଡ଼ ରଙ୍ଗୀନ ବୋତଲଗୁଡ଼ାଏ । କୁଇନାଇନ ପରି ଗୁରୁତର ଔଷଧ ଛାଡ଼ି ଟ୍ୟାବଲେଟ୍‌ର ବିଶେଷ ପ୍ରଚଳନ ନ ଥିଲା । ସେତେବେଳେ ବହୁ ରୋଗ ଭଲ ହେଉଥିଲା ନାନା ପ୍ରକାର ପାଉଡ଼ର ଓ ପାଣି ଔଷଧରେ ।

ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ସହିତ ରୋଗୀ କାଉଣ୍ଟର ଖୋପ ବାଟେ ଗୋଟିଏ ବୋତଲ ବଢ଼େଇଦିଏ । ତା’ପରେ ରଥୀ ଅଜାଙ୍କ ହାତ ଚାଲେ ବିଜୁଳି ବେଗରେ । ବଡ଼ବଢ଼ ବୋତଲରୁ ଟିକେଟିକେ ରଙ୍ଗୀନ ତରଳ ଦ୍ରବ୍ୟ କାଢ଼ି ସେ ଆଉ ଏକ ପାତ୍ରରେ ଘାଣ୍ଟିବେ । କାଚ କାହାଳୀ ଦେଇ ରୋଗୀର ବୋତଲରେ ପୂରାଇବେ । ଖଣ୍ଡେ ସରୁ ପଟି କାଗଜକୁ ବୋତଲରେ ଥିବା ଓଷଦ ସହିତ ମାପିବେ । କେତେ ଥର ମୋଡ଼ି ଚିହ୍ନ ତିଆରି କରିବା ପାଇଁ କଇଁଚିରେ କୋଣ କାଟିବେ । କାଗଜଟିକୁ ସିଧା କରି ଅଠା ମାରି ବୋତଲରେ ଲଗାଇବେ । ଓଷଦ କେମିତି ଖାଇବ କହି ସାରି ରୋଗୀ କ’ଣ ଖାଇବନି ବା ଆଉ କ’ଣ କରିବନି ଏମିତି ବୁଝେଇ କାଉଣ୍ଟରର ପରବର୍ତ୍ତୀ ଲୋକ ଆଡ଼କୁ ହାତ ବଢ଼େଇ ଦିଅନ୍ତି । ସେ କେତେ ରକମ ମଲମ ବି ତିଆରି କରନ୍ତି । ପାଉଡ଼ର ପରି ଓଷଦକୁ ପୁଡ଼ିଆ କରନ୍ତି । ଡ୍ରେସିଙ୍ଗ ବି କରନ୍ତି ସେଇ । ଦୁଇ ଜଣ ମାତ୍ର ମେହେନ୍ତରକୁ ଧରି ସେ ସବୁ କାମ କରୁଥା’ନ୍ତି ।

ଡାକ୍ତରଖାନା । କେତେବେଳେ କେମିତି ଲୋକେ ଗାଳି ଦିଅନ୍ତି ତାଙ୍କୁ । ସେ ବିଚଳିତ ହୁଅନ୍ତି ନାହିଁ । କାମ କରି ଚାଲିଥା’ନ୍ତି । ବରଂ କହନ୍ତି: ରୋଗୀ ଚିଡ଼ିବନି ତ ଆଉ ଚିଡ଼ିବ କିଏ ?

ଏତେ ବଡ଼ ହସପିଟାଲରେ ବି ତ୍ରାଣକର୍ତ୍ତା ଥିଳେ ଆମ ଗାଁ ରଥି ଅଜା । ଯିଏ ଯେଉଁ ଡାକ୍ତର ପାଖରେ ଚିକିତ୍ସା ହେଉଥାଉ ନା କାହିଁକି, ସେ ରଥୀ ଅଜାଙ୍କୁ ନ ଚିହ୍ନିବାର ଉପାୟ ନ ଥିଲା । ସେଠି ବି ଥିଲେ ସେ ଆଶାର ଶେଷ ପାହାଚ ।

ପରେ ଅଜା ହେଲେ - ଅକର୍ମଣ୍ୟ, ବୁଢ଼ା । ପରାମର୍ଶ ଦେବା ଛଡ଼ା ସେ ଖାସ୍ କିଛି କରିପାରୁ ନ ଥା’ନ୍ତି ।

ଅଥଚ, କେହି ପରାମର୍ଶ ମାଗୁ ନ ଥା’ନ୍ତି । ଚିକିତ୍ସା ବ୍ୟବସ୍ଥାରେ ନାନାଦି ନବୀକରଣ ହୋଇସାରିଥାଏ । ବିକଳ୍ପ ସୁଯୋଗମାନ ବି ହାତପହୁଞ୍ଚ । ତାଙ୍କ ଅଭାବ ଆଉ କାହାରିକି ଖାସ୍ ଜଣା ପଡୁ ନ ଥାଏ । ତାହା ଥିଲା ଅଜାଙ୍କ ପାଇଁ ଅତି କରୁଣ, ଅତି ନିଃସଙ୍ଗ, ଅତି ଅସହାୟ କାଳ । ସେତିକିବେଳେ ମୋ ପାଠ ଶେଷ ହେଲା । ରଥୀ ଅଜା ମୋ ଯୁବାବସ୍ଥାରେ ନିଶ୍ଚୟ ଜଣେ ମୋହାଚ୍ଛନ୍ନ ବ୍ୟକ୍ତିତ୍ୱ ରୂପେ ବିରାଜି ଥିଲେ । ତାଙ୍କୁ ଏତେ କତିରୁ ପାଇବା ମୋ ଭାଗ୍ୟରେ ସମ୍ଭବ ହୋଇ ନ ପାରେ, ଏହିପରି ଆବେଗ ମନରେ ଥିବାରୁ ସୁଯୋଗ ପାଇବା ମାତ୍ରେ ତାଙ୍କ ସହିତ ଯୋଡ଼ିହୋଇଗଲି । ଆଃ, କି ପବିତ୍ର ଲୋକ! ମଣିଷ ଚିହ୍ନିବାରେ ଆଖି ଆମର କେତେ ଅଯୋଗ୍ୟ, ରଥୀ ଅଜାଙ୍କ ପରି ଲୋକଙ୍କୁ ନ ଜାଣିଲେ ବାରି ହେବନି ।

ସେ ଜନ୍ମରୁ ଗରିବ ନ ଥିଲେ ବା ଡାକ୍ତରୀ ପରି କାମ କରି ଅଧିକ ଧନୀ ବି ହୋଇ ନ ଥିଲେ । ଅଜା ପ୍ରକାରେ ତ ଆଇ ଆଉ ପ୍ରକାରେ । ସନ୍ତାନ ଉପୁଜେଇ ସେମାନଙ୍କୁ ଲାଳନପାଳନ କରିବା, ପୂଜାପାର୍ବଣ ଅବସରରେ ଖାଇବା ଖୁଆଇବାର ନାନାବିଧ ଆୟୋଜନରେ ସତତ ବ୍ୟସ୍ତ ରହୁଥିବା ଛଡ଼ା ଆଇଙ୍କ ପାଇଁ ପୃଥିବୀରେ ଅନ୍ୟ କିଛି ପରିଧି ହିଁ ନ ଥିଲା । ଅଜା ଗମ୍ଭୀର ଲାଗନ୍ତି । ତାଙ୍କ ସହିତ ଭାବ ଯୋଡ଼ିବାକୁ ଏତେ ଭରସି ହୁଏ ନାହିଁ ।

ଆଇ ପୂରା ହସକୁରୀଟେ । ବଡ଼ବଡ଼ କଥାକୁ ବି ସେ ତାଙ୍କ ସୁନ୍ଦର ମୁହଁ ଓ ଆହୁରି ସୁନ୍ଦର ମନ ଖଟେଇ ପରିହାସରେ ଟଳେଇ ପାରଛନ୍ତି । ତାଙ୍କର ସେଇ ଯଶ ସ୍ମରଣ କରିବାକୁ ଯଦି ଗୋଟିଏ ମାତ୍ର କଥା କୁହାଯାଏ ତାହା ହିଁ ଯଥେଷ୍ଟ । ବନ୍ଧୁ ପରିଡ଼ାଙ୍କ ବଡ଼ଝିଅ ବାହାଘର କଥା । କନ୍ୟାର କପାଳ ଟିକେ ଉଚ୍ଚା ବୋଲି ଯେତେବେଳେ ୟାଙ୍କ ଘରେ ଆସି ଖୋଦ ଶ୍ୱଶୁର ମତ ଦେଲେ, ଯହିଁର ପରିଣତି କେବଳ ବିବାହ ଭଙ୍ଗ ବ୍ୟତୀତ ଆଉ କିଛି ହୋଇ ନ ଥା’ନ୍ତା, ସେତିକିବେଳେ ଆଇ କୁଆଡ଼େ ରାଧା-କୃଷ୍ଣ ରାସଲୀଳାରୁ ଏମିତି ପଦଟେ ଗାଇଲେ, ଯହିଁରେ ଉଚ୍ଚକପାଳକୁ ନାରୀରୂପର ଏକ ମହିମାମୟ ପ୍ରକାଶ ବୋଲି କୁହାଯାଇଥିଲା । କଥାବାର୍ତ୍ତା ଆରମ୍ଭରେ ବାହାଘରକୁ ଉଭୟ ପକ୍ଷ ଏକ ସମରସଜ୍ଜା ବୋଲି ଭାବୁଥିବା ସେଇ କାଳର ସବୁ ଗମ୍ଭୀରତା କାଟି କଥାଟା କୁଆଡ଼େ କୋମଳ ହୋଇଗଲା । ବେଶ୍ ଆଡ଼ମ୍ବରରେ ସେଇଠି ବାହାଘର ହେଲା । ସେଦିନର ସେଇ ଝିଅ ନିଜର ସୁନ୍ଦର ଘରସଂସାର କଲା । ତା ପୁଅ ଏବେ ଆଇ,ଏ,ଏସ. ଓ ଝିଅ ଡାକ୍ତର । ଯଦି ସେଠି ଆଇ ନଥା’ନ୍ତେ, ବାହାଘର ତ ଭାଙ୍ଗି ଯାଇଥା’ନ୍ତା ନା !

ପରସ୍ପର କେତେ ନିର୍ଭରଶୀଳ ତାହା ଜଣାପଡ଼େ ପୁଅ ଝିଅମାନଙ୍କ ସଂସାର ସଂପର୍କରେ ସେ ଦି’ଜଣ ଯେତେବେଳେ କଥା ହୁଅନ୍ତି । ଦୁହେଁ ମିଶି ଯେମିତି ଯାଗା ଧରିବେ ଅଜା ଆଇ ପିଲାମାନଙ୍କ ସହିତ ସେତିକି ନିବିଡ଼ଭାବେ ଜଡ଼ିତ । ନହେଲେ ନାହିଁ । ପିଲାଏ ମଧ୍ୟ ବାପା ବୋଉଙ୍କୁ ଠିକ୍ ଠଉରେଇ ସେମାନଙ୍କ ସ୍ୱାଧୀନତା କି ସହଗମନରେ ବି ହାତ ମାରି ନାହାନ୍ତି । ପରିବାରର ସବାବଡ଼ – ମାନେ ସୁରଦାଦି – ସଭିଁଙ୍କ ଭିତରେ ଦୁଃଖସୁଖ ଲେଣଦେଣ କରୁଥିଲେ । ଅଜା ଆଇଙ୍କୁ କେନ୍ଦ୍ର କରି ସୁଖର ବଳୟଟି ଆରମ୍ଭ ହୋଇଥିଲା । ମାତ୍ର ପରେ ତାହା ନିଜସ୍ୱ ବଳ ଉପରେ ଆପେଆପେ ଠିଆ ହୋଇପଡ଼ିଲା ।

ଅଜା ଆଇଙ୍କର ଉଞ୍ଚାଉଞ୍ଚା ଆସନ । ପୁନଶ୍ଚ, ପିତା ମାତାଙ୍କ ବାର୍ଦ୍ଧକ୍ୟରେ ସନ୍ତାନସନ୍ତତିଙ୍କ ଠାରୁ ଯେତିକି ସତର୍କତା ଆଶା କରାଯାଏ, ତହୁଁ ଅଧିକ ଯତ୍ନଶୀଳ ଥିଲେ ପିଲାମାନେ । ଦୁହିଁଙ୍କ ସଂପର୍କ ଦୁରଛଡ଼ା ପରି ଲାଗେ ଯେ ହେଲେ ତାହା ସେତିକି ମଧୁମୟ ଯେମିତି ବାସନ୍ତୀ ମାସମାନଙ୍କଠାରୁ ମଳୟର ଦୂରତା, ଜିହ୍ୱା ଓ ସ୍ୱାଦ ଭିତରେ ଥିବା ଦୂରତା କି ଆନନ୍ଦ ଓ ଆତ୍ମା ଭିତରେ ଦୂରତା ପରି ।

ଭାଗବଖରାରେ ବିନର୍ବ୍ୟୟ ହୋଇଥାଉ ପଛେ, ଅଜା ଘରର ଚାଷକାମ ନିଜେ ବୁଝିଛନ୍ତି । ଦି’ପୁଅଙ୍କୁ ଭଲ ପାଠ ପଢ଼େଇଛନ୍ତି । ସେମାନେ ବଡ଼ବଡ଼ ଚାକିରି କରନ୍ତି । ସହରରେ ରହନ୍ତି । ଝିଅକୁ ଜଣେ ଗେଜେଟେଡ଼୍ ଅଫିସର ସହିତ ବାହାଘର କରେଇ ପାରିଛନ୍ତି ।

ସେ କହନ୍ତି : ମୁଁ ସଫଳ । ପୁଅ ଦି’ଜଣଙ୍କ ଆଦରଆପତ୍ତି ବିରୁଦ୍ଧରେ ସେ କହନ୍ତି, ପୈତୃକ ଭୁସଂପତ୍ତିରେ ଗୁଣ୍ଠେ କି ବିଶ୍ୱାଏ ମିଶେଇ ପାରିନି? ରକ୍ଷା, ବିକିନି ତ । ଭଲ କାମଟିଏ କରିଛି । ପିତୃପୁରୁଷଙ୍କଠୁଁ ଯେତିକି ପାଇ ତମ ପାଇଁ ଜଗୁଆଳି ହେଲି, ସେତକ ବି ତମ ଯୋଗରେ ନାହିଁ । ଯୋଉଠି ସବୁ ରହିଲ, ଯାହା ଖାଉଥିବ ସବାଖିଆ କେଳାଙ୍କ ପରି କିଣି ଖାଉଚ । ମୁଁ ଜମି କାଇଁ ବଢ଼େଇ ଥା’ନ୍ତି? କ’ଣ ଆଉରି ଯୋଗ୍ୟ ଜଗୁଆଳି ଉପାଧି ପାଇବା ପାଇଁ?

“ଏତେ ରୋଗୀ ଯେ ଭଲ ହେଉଥିଲେ, ଆପଣଙ୍କ ଔଷଧରେ କି ଗୁଣ ଥିଲା?”

ଏହାର ଉତ୍ତର ହିଁ ଥିଲା ମୋ ଜିଜ୍ଞାସାର ଫୁଲବେଦୀରେ ଅଭିସାରିକାର ଆର୍ବିଭାବ ପରି ।

ସେ କହୁଥିଲେ, “ନାଇଁରେ ବାପ, ଯୁଗ ଯେମିତି କି ରୋଗ ସେମିତି । ଆମ ବେଳଠାରୁ ଓଷଧ ଏବେ ଢେର ଭଲ । ଚିକିତ୍ସାବିଜ୍ଞାନ କ’ଣ ନାଇଁ କ’ଣ ହେଲାଣି । ହେଲେ ଲୋକଙ୍କ ମନରେ ଆଶା ରହୁନି କାହିଁକି? ଅଳ୍ପ କିମ୍ବା ବିନା ପଇସାରେ ମୁଁ ରୋଗୀଙ୍କ ମନରେ ବଞ୍ଚିବା ପାଇଁ ଆଶା ଟିକେଟିକେ ବାଣ୍ଟି ପାରୁଥିଲି । ସେମାନେ ତ ବେଶୀ ଥିଲେ ଗରିବଗୁରୁବା । ଓଷଧ କି ପଥି ଖର୍ଚ୍ଚ କରିବାକୁ ବି ସକ୍ଷମ ହୋଇପାରୁ ନ ଥିଲେ । ଏବେଠାରୁ ବହୁ ଅଧିକ କଷ୍ଟ ଭୋଗୁଥିଲେ ।”

“ଆପଣ ଏତେ ତ୍ୟାଗ କଲେ । ଅଥଚ ଆପଣଙ୍କୁ ସମସ୍ତେ ଭୁଲିଗଲେ?”

“ଦୂର ବୋକା, ମୁଁ ତ୍ୟାଗ ଫ୍ୟାଗ କିଛି କରିନି । ଲୋଭ ଠାରୁ ଦୂରେଇ ରହିବା ଯଦି ତ୍ୟାଗ ହୁଏ, ହୁଏତ ସେମିତି କିଛି କରିଛି । ଠାକୁର ଠାକୁରାଣୀଙ୍କଠୁଁ ପ୍ରତ୍ୟକ୍ଷ ବର ପାଇଲା ପରି ମୁଁ ଉପକାର ବି ପାଇ ସାରିଚି । ଡାକ୍ତର ନ ହୋଇ ବି ଚିକିତ୍ସା ବାଟେ କେଡ଼େ ସୁନ୍ଦର ଭାବନାବର ପୃଥିବୀଟା ମୋ ଚାରିପଟେ ଘୂରୁଥିଲା, କହିଲୁ? ମାନବିକତାର ଆଉ କୋଉ ନୂଆ ଆକର୍ଷଣ ଲୋଭରେ ତାକୁ ଭୁଲି ପାରିଥା’ନ୍ତି ।

ଖୁଡ଼ୀ ଓ ସୁରଦାଦୀ ସର୍କିଟହାଉସ ଗେଟ୍ ପର୍ଯ୍ୟନ୍ତ ଆମ ଦି’ଜଣଙ୍କୁ ବାଟେଇଦେବାକୁ ଆସିଲାବେଳେ ପୁଣି କହିଲେ –ବୁଝିଲୁ, ମୁଳ ଛାଡ଼ିବୁନି । ଡାଳ ଝାଉଁଳି ଯିବ ।