ଆଶା ତମସା/ବରଗଛ

ଉଇକିପାଠାଗାର ରୁ
Jump to navigation Jump to search
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ବରଗଛ

“ଆଜ୍ଞା, ଯଦି କଚିରି ଆଡେ ଯାଉଥା’ନ୍ତି ମତେ ଟିକେ ଟ୍ରେଜେରି ପାଖରେ ଛାଡି ଦିଅନ୍ତେନି?”

ମେ’ ମାସ । ଆଉରି ବାରଟା ବାଜି ନଥାଏ । ଆକାଶରୁ ନିଆଁ ବର୍ଷୁଥାଏ । ଶିଷ୍ଟ ଓ ଭଦ୍ରଲୋକ ଜଣେ ବୃଦ୍ଧଙ୍କ ଏ ଅନୁରୋଧ ରଖିବାରେ କିଛି ଅସୁବିଧା ନ ଥିଲା । କାରଣ ମୁଁ ଯାଉଥିବା ରାସ୍ତାରେ ହିଁ ଟ୍ରେଜେରି । ଧାସରୁ ରକ୍ଷା ପାଇବାକୁ ସେ ମୁହଁ ଓ ମଥା ଘୋଡ଼ାଇଥିଲେ ଖଣ୍ଡିଏ ସଫା ମାଣିଆବନ୍ଧି ଗାମୁଛାରେ । ପିନ୍ଧିଥିଲେ ଧୋତି ଓ ହାପ୍‌ସାର୍ଟ । ଆଖିରେ ମୋଟା କାଚ ଚଷମା । ରୁଚିଶୀଳ । କେବଳ ଅମେଳ ଦେଖା ଯାଉଥିଲା ତାଙ୍କ ହାତରେ କନା ବସ୍ତାନି । ଟ୍ରେଜେରିକି ହୁଏତ ପେନ୍‌ସନ୍ ସକାଶେ ଯାଉଥିବେ । ନ ହେଲେ ପାଖାପାଖି ଅନେକ ଅଫିସ । ଆଉ କେଉଁଠି କ’ଣ କାମ ଥିବ । ଟ୍ରେଜେରି ଏକ ଜଣା ନାଁ । ତେଣୁ ସେ ତାହା ହିଁ କହିଥିବେ । ମୋର ଅଧିକ କିଛି ଭାବିବା ଦରକାର ନଥିଲା ।

ବସିଲା ପରେ ସେ କହିଲେ, “ଆପଣଙ୍କର ଧର୍ମ ହବ । ଧୂ ଧୂ ଖରା । ଦି ଘଣ୍ଟା ହେଲା ଅନେଇଚି । ଟାଉନବସ ଖଣ୍ଡେ ଆସୁନି । ସେୟାର ଅଟୋ ପାଇଁ ଆଉ ଲୋକ ଆସିଲେ ସିନା । ଜଣିକିଆ ନବାକୁ କେହି ବି ତିରିଶ ତଳକୁ ଖସୁନାହାନ୍ତି । ମୁଣିରେ ପଇସା ନାଇଁ ତ ସହରରେ ଜୀବନ ନାଇଁ । ମୋ ଲାଗି ଆପଣଙ୍କର କିଛି ଅସୁବିଧା ହେଲାନି ତ?”

“ନା ନା । ମୁଁ ସେଇ ରାସ୍ତାରେ ହିଁ ଆଉ ଟିକେ ଆଗକୁ ଯାଉଛି ।” ବାସ୍, ୟା’ପରେ ତନି ଚାରି କିଲୋମିଟର ବାଟ ଆମ ଦିହିଁଙ୍କ ଭିତରେ କଥାବାର୍ତ୍ତା ନ ଥିଲା । ଟ୍ରେଜେରି ନିକଟ ହେଲା । ତାଙ୍କୁ ପଚାରିଲି, “ଟ୍ରେଜେରି ନା କଚିରି, କୋଉଠିକି ଯିବେ? ସେଇଠି ଛାଡ଼ିଦେବି । ଖରା ଭାରି ଟାଣ । କାଇଁ କୁଆଡ଼େ ଚାଲିବେ?”

“ନାଇଁ ଆଜ୍ଞା, ଏଇଠି ଛାଡ଼ିିଦିଅନ୍ତୁ ।”

ରାସ୍ତା କଡ଼ରେ ପ୍ରକାଣ୍ଡ ଏକ ବରଗଛ । ସ୍କୁଟର ଅଟକାଇଲି । ତା ଛାଇ ତଳେ ପାଗ ବଦଳି ଯାଏ । ଗଛର ଛୋଟ ମୋଟ ସାତଟି ଓହଳ । ତହିଁରୁ ଦି’ଟା ମୂଳ ପରି ଆୟୋଜନ ବିସ୍ତାର କରିଛନ୍ତି । ଗଛର ପ୍ରାଚୀନତା କେତେ ତାହା ଜନଶ୍ରୁତି ଉପରେ ନିର୍ଭର କରେ । ସହର ତିଆରି ଆଗରୁ ସେଇ ବରଗଛ ମୂଳର ଏକ ବିରାଟ ଅଞ୍ଚଳରେ ମୋଟେ ଆଲୁଅ ପଡୁ ନ ଥିଲା । ସେଠି କୁଆଡ଼େ ଗୋଟେ ମାରାତ୍ମକ ବ୍ରହ୍ମରାକ୍ଷସ ରହୁଥିଲା । ତା ଆଦେଶରେ ପିଶାଚ ପିଶାଚୀମାନେ ଆଖପାଖରୁ ଖୋଜିଉଣ୍ଡାଳି ଜୀବଜନ୍ତୁଙ୍କୁ ମାରି ରକ୍ତ ପିଉଥିଲେ ଓ ମାଂସ ଆଣି ବ୍ରହ୍ମରାକ୍ଷସ କତିରେ ଥୋଇ ଦେଉଥିଲେ । କୁଢ଼କୁଢ଼ ହାଡ଼ଗଦା ଭିତରେ ଧୁନି ଜଳେଇ ଆଠକାଳୀ ବାରମାସୀ ବ୍ରହ୍ମରାକ୍ଷସଟା ଶିବ-ସାଧନା କରୁଥିଲା ।

ଏବେ ସେଠିକାର ଚିତ୍ର ଭିନ୍ନ । ନିତ୍ୟପ୍ରତ୍ୟ ହାଜର ହେଉଥିବା ଅଗଣନ ଅସ୍ଥାୟୀ ମଣିଷଙ୍କ ସ୍ଥାୟୀ ମନରୁ କିଛିକିଛି ପୂରଣ କରିବା ପାଇଁ ତା ତଳେ ଜାକିଜୁକି ହୋଇ ରହିଛି କେତୋଟି ଉଠା ଦୋକାନ । ସେଠି ଅନେକ ଜାଗା ମୃଦଙ୍ଗ କିରଣ ପରି ଚିକ୍କଣ । କୋଉଠି ଷ୍ଟାମ୍ପଭେଣ୍ଡର ବାବୁ ବସନ୍ତି ତ ଆଉ କେଉଁଠି ମୋତିଚୁର ପତ୍ର କାଟି ରେଡ଼ିମେଡ୍ ଖଇନି ତିଆରି କରୁଥିବା ଲୋକଟି ବସେ । ଚିନାବାଦାମ, ଚାଟ୍ ଓ ଗୁପ୍‌ଚୁପ୍ ଦୋକାନୀମାନେ ମଧ୍ୟ ସେମିତି । ଦିନ ହେଲେ କେତେ କଥା ମିଳେ ତା ତଳେ । ରାତି ହେଲେ କେତେ କଥା ହଜେ ତା ତଳେ । ଗଛ ସହିତ ଯୋଡ଼ି ହୋଇଥିବା ବାସିନ୍ଦାମାନଙ୍କର ଅନ୍ତରୀକ୍ଷ ପରି ଦିଗ ବିଚାର ନାହିଁ । ଯିଏ ଯୁଆଡ଼େ ଅନେଇ ବସିପାରନ୍ତି । କିନ୍ତୁ ଶୃଙ୍ଖଳାରେ ବି ଓଲମବିଲମ ହୁଏ ନାହିଁ । ଠିକ୍ ଅନ୍ତରୀକ୍ଷ ପରି । ସମସ୍ତେ ଅଲିଖିତ ଭାବେ ତମାମ ଗଛ ତଳଟା ନିଜ ନିଜ ଭିତରେ ବାଣ୍ଟି ନେଇଛନ୍ତି । ସିନ୍ଦୁରା ଫାଟିଲାବେଳୁଁ କ୍ରମେକ୍ରମେ ସଭିଏଁ ସେଠି ହାଜର ହେବେ । ସଫାସୁତୁରା କରିବେ । ଧୂପ ଓ ଖାଦ୍ୟର ବାସ୍ନାରେ ଭରିଯିବ ଜାଗାଟା । ଠେଲା ଦୋକାନର ଶସ୍ତା ମନୋହରୀ ଦ୍ରବ୍ୟରେ ଝଲକି ଉଠୁଥିବ ବୈଭବର ବିକଶିତ ରୂପ । ସେଇଠି ଚାଲୁଥିବ ମଣିଷମାନଙ୍କ ଆଶା ଓ ଆତଙ୍କର ସହାବସ୍ଥାନ ବା ଲଢ଼େଇ । ଅନୂଢ଼ା ସକାଳରୁ ଗାଭିଲୀ ସଞ୍ଜ ଯାଏ ଘୋ ଘୋ କରୁଥାଏ ତା ମୂଳ ।

ରତିବ୍ୟସ୍ତ କାମୁକ ପରି ସେଠି ରାତି ମଧ୍ୟ ଘଟଣାବହୁଳ । କେତୋଟି ରିଫିଉଜି ପରିବାର, ଟ୍ରଲି-ରିକ୍ସାବାଲା ଓ ଭିକାରି ସେଠି ଶୁଅନ୍ତି । ସେମାନେ ଗଛର ଖୋପ ଓ ସନ୍ଧିରେ ନିଜନିଜ ସରଞ୍ଜାମ ସାଇତି ରଖିଥା’ନ୍ତି । ଗୁଡ଼ାଖୁ, ବିଡ଼ି, ଚିଲମ, ବିଛଣା ପାଇଁ ଅପରିଚ୍ଛନ୍ନ ଅଖା କି କନା ବା ସେହିପରି ଆହୁରି କେତେ ଚିଜ । ଏଥିରେ ବି ଅନ୍ତରୀକ୍ଷର ଶୃଙ୍ଖଳା । କେହି କାହାରି ଚିଜ ଉଠେଇ ନିଅନ୍ତିନି । ବରଗଛଠାରୁ ରେଜେଷ୍ଟ୍ରି ଅଫିସ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ଅନେକ ଗହଳିଆ ଝାଟିବୁଦା ଭିତରେ କେବେକେମିତି ବାସିନ୍ଦାମାନଙ୍କର ସହମତିସଂପନ୍ନ ଜନାକାରି ଘଟଣାମାନ ମଧ୍ୟ ଘଟୁଥାଏ । ତା କୋଳରେ ନାନା ରକମର ଚଢ଼େଇଙ୍କ ବସା । ସକାଳ ସଞ୍ଜରେ ଅର୍କେଷ୍ଟ୍ରା ଓ ଦିନ ତମାମ ଅଦ୍ଭୁତ ସିମ୍ଫୋନି । କେତେବେଳେ ଶୁଭୁଥାଏ ସେମାନଙ୍କ ଭିତରେ କିଚିରିମିଚିରି କଳିକନ୍ଦଳର ଘୋ ଘୋ ତ ଆଉ କେବେ ପ୍ରେମ କାକଳିର ବେଦଧ୍ୱନି । ତା ମୂଳେ କାହାରି ପରିଚୟର ଦମ୍ଭ ଚଳେନି । ନିଷ୍ପୃହ ଅଥଚ ଚତ୍ମକାର ଶୃଙ୍ଖଳାର ଏକ ମହାମହିମ ସାକ୍ଷୀ ପରି ଗଛଟିଏ ରହି ଆସିଛି । ପ୍ରତୀକ୍ଷା ପାଇଁ କାହାଲାଗି ତାହା ସମୟର ସୀମା ନିର୍ଦ୍ଧାରଣ କରିନାହିଁ । ମହତ ଉଦାର ମା କୋଳ ପରି ତାକୁ କିଛି ଓଜନିଆ କି ଅଖାଡୁଆ ଲାଗେନା ।

ସେଇଠି ବୃଦ୍ଧ ଓହ୍ଲାଇ କହିଲେ, “କିଛି ଖରାପ ଭାବିବେନି । ଲସି, ଆଖୁରସ ନହେଲେ ଲେମ୍ବୁପାଣି ଗିଲାସେ ପିଅନ୍ତୁ । ଆପଣ ହଁ କଲେ, ମୁଁ ବି ଗିଲାସେ ପିଅନ୍ତି ।” ଶବ୍ଦ ପ୍ରୟୋଗର ସୁନ୍ଦର ମାପଚୁପ ଢଙ୍ଗ । ତାଙ୍କୁ ଏମିତି କିଛି ସାହାଯ୍ୟ କରି ନ ଥିଲି । ବୋଧେ ବଞ୍ଚାଇଥିବା ଅଟୋ ଖର୍ଚ୍ଚରୁ କିଛି ବ୍ୟୟ କରି ସେ ନିଜ କୃତଜ୍ଞତା ଜଣାଇବାକୁ ଚାହୁଁଥିଲେ ।

ଛାଇରେ ପହଞ୍ଚି ସେ ମୁହଁରୁ ଗାମୁଛା ଖୋଲିଲେ । ସାମ୍ନାରୁ ଦେଖି ଜାଣିଲି ଯେ ସେ ଥିଲେ ଆମ ହାଇସ୍କୁଲର କୈଳାଶ ସାର୍ । ମୁଁ ଚମକି ପଡ଼ିଲି । ବୟସ ଅବଶ୍ୟ ତାଙ୍କ ଚେହେରାକୁ ବହୁଭାବେ ଓଲଟପାଲଟ କରିଦେଇଚି । ଯେତେ ବଦଳୁ ମୂଳ ଛାଞ୍ଚ ଯେମିତି କି ସେମିତି । କୈଳାଶ ସାର୍ କେବଳ ଜଣେ ଶିକ୍ଷକ ନ ଥିଲେ, ଥିଲେ ଆମ ପରି ଅନେକଙ୍କ ପାଇଁ ତରୁଣ ଚେତନାର ଅସରନ୍ତି ସ୍ୱପ୍ନ । ଏକ ସର୍ବବ୍ୟାପ୍ତ ସଭା । ସେ ଇଂଲିଶ ଓ ଇତିହାସ ପଢ଼ାଇଥିଲେ । ଆମ ସିନିଅର୍ ପିଲାଙ୍କ ଠାରୁ ଶୁଣି ଶୁଣି, ଜୀବନରେ କାହା ପରି ହେବାକୁ ଚାହଁ ବୋଲି ପଚରାଗଲେ, ଅନେକଙ୍କ ମନରେ କୈଳାଶ ସାର୍‌ଙ୍କ ଛଡ଼ା ଆଉ କିଛି ପଶୁ ନ ଥିଲା ।

ତାଙ୍କ ପାଇଁ ଆଦର୍ଶର ପରିଭାଷା ଥିଲା ନିହାତି ଅଲଗା । ଚେନାଏ ହସ ଲାଖି ରହିଥବା ମୁହଁଟିଏ । ପରେ ଆମ ସ୍କୁଲ ରାଜ୍ୟରେ ନାଟକ ଓ ଖେଳ ପାଇଁ ଯେପରି ପ୍ରମୁଖ ସ୍ଥାନ ହାସଲ କରିଥିଲା ସେ ଥିଲେ ତହିଁର ଆଦ୍ୟ ପ୍ରବର୍ତ୍ତକ । ଏମିତି ଥରେ ବି ସେ କୌଣସି ପିଲାକୁ ମାରି ନାହାଁନ୍ତି । କିନ୍ତୁ ତାଙ୍କୁ ସମସ୍ତେ ଡରନ୍ତି । ତାଙ୍କ ତୁଳନାରେ ହେଡମାଷ୍ଟ୍ରେ ବି ଅପେକ୍ଷାକୃତ କମ ପ୍ରଭାମୟ ଲାଗୁଥିଲେ । ପରିଧାନ ପାଇଁ ଖଦଡ଼ ସେ ସମୟରେ ଏକ ବୌଦ୍ଧିକ ଜନପ୍ରିୟ ପୋଷାକ ଥିଲେ ମଧ୍ୟ ସେ କେବେ ତାହା ପିନ୍ଧୁ ନଥିଲେ । ଫିନ୍‌ଫିନ୍ ଧଳା ଧୋତି ଓ ଇସ୍ତିରିକରା ହାଫସାର୍ଟ । ଆମର ମଫସଲିଆ ସ୍କୁଲ । ନଖିଆ ଧୋବା ନିଜ ଗାଁ ନାଜିମନ୍ତ ପାଳି କାମ ସାରି ଅଧିକା ଦି’ ପଇସା ରୋଜଗାର କରିବାକୁ ଲଣ୍ଡ୍ରିଟିଏ ଆରମ୍ଭ କଲା । ଲଣ୍ଡ୍ରି ମାନେ, ଚାଳିଆ ଖଣ୍ଡେ । ବାଉଁଶ ଚାରିଖଣ୍ଡ ଖୁଣ୍ଟ ପରିକା ପୋତି ତା ଉପରେ ଗୋଟିଏ ଭଙ୍ଗା ଡଙ୍ଗାର ପିଠି ପାଲିସ କରି ତାକୁ ଇସ୍ତ୍ରି ସଜରେ ପରିଣତ କରିଥିଲା । ସିଏ କହେ, କୈଳାଶ ସାର୍ ନଥିଲେ ସେ ଲଣ୍ଡ୍ରି ଆରମ୍ଭ କରିପାରି ନ ଥା’ନ୍ତା ।

ଆମ ସମୟରେ ସ୍କୁଲ ଦରମା ବା କେତେ ଥିଲା? ଏକାଦଶ ଶ୍ରେଣୀ ବେଳକୁ ମାସକୁ ଟଙ୍କା ଟେ । ବୋଉ ଘଷି କୁଣ୍ଡା ବିକି ମୂଲ ଲାଗି ଯେତିକି ଉପାର୍ଜନ କରୁଥିଲେ ତାକୁ ଭରସା କରି ମୁଁ କେବେ ଠିକ ସମୟରେ ବି ଦରମା ଦେଇ ପାରୁନ ଥିଲି । ମୁଁ ଭଲ ପଶଢୁ ନ ଥିଲି । କିନ୍ତୁ ଭଲ ଭଲି ଖେଳୁଥିଲି । ଦରମା ତାରିଖର ଦୁଇ ଦିନ ଆଗରୁ ମୋ ଖେଳ ଖରାପ ହୁଏ । ସିଏ ଆମ ଗେମ୍-ସାର୍ ନ ଥିଲେ । କିନ୍ତୁ ଦିନେ ସେ ମୋତେ ଡାକି ପଚାରିଲେ । “ତୋର ଏମିତି ପ୍ରତି ମାସରେ ଚାରି ପାଞ୍ଚ ଦିନ ଖେଳ କାହିଁ ଖରାପ ହଉଚି?”

ମତେ ଭାରି ଡର ଲାଗିଥିଲା । କହିଲି, “ଆମେ ଭାରି ଗରିବ । ବାପା ମୋ ପାଇଁ ଦରମା ଦେବାକୁ ଭାରି ହଇରାଣ ହଉଚି । ମୁଁ ଆଉ ପଢ଼ିବିନି । କାଲିଠୁଁ ଆଉ ଇସ୍କୁଲ ଆସିବନି ସାର ।” ସେ ହେଡମାଷ୍ଟ୍ରଙ୍କୁ କହି ମୋର ହାଫ୍-ଫି କରାଇ ଦେଇଥିଲେ ଏବଂ ସେଇ ଦିନଠାରୁ ପ୍ରତି ମାସରେ ପକେଟରୁ ଆଠଣା ଦେଇ ମୋ ଦରମା ରସିଦ କାଟି ଦେଉଥିଲେ । ମୁଁ ପାଠ ବନ୍ଦ କଲିନାହିଁ । ଏମିତି ଏମିତି ଭଲରେ ମାଟ୍ରିକ ପାଶ୍ କଲି । ଆମ ବେଳେ ମାଟ୍ରିକ ମାନେ, ବହୁତ କଥା ଥିଲା ।

ମୁଣ୍ଡରୁ ହେଲ୍‌ମେଟ କାଢ଼ିଲି । ସ୍କୁଟର ଷ୍ଟାଣ୍ଡ କରି ତାଙ୍କୁ ପାଦ ଛୁଇଁ ପ୍ରଣାମ କଲି । ସେ ଆବାକାବା ହେଲେ । “ବାପ, ତୁ କିଏ, ଟିକେ ମନେ ପକେଇ ଦେ । ବୁଢ଼ା ହେଲିଣି ତ ।” ବୟସ ତୁଳନାରେ ସେ ସେତେ ବୁଢ଼ା ଦେଖା ଯାଉ ନ ଥିଲେ । ଗହୀରେଇ ଦୋଦୋ ଚିହ୍ନା ଆଖିରେ ଅନେଇଲେ ମୋ ଆଡ଼କୁ । ହଠାତ୍ ମେଳାରେ ଅଳ୍ପଜଣା ମାଉସୀଙ୍କୁ ହାବୁଡ଼ିଲେ ଆମେ ଯେମିତି ସାବଆଗେ ନିଜ ମନ ସହିତ ନିଜେ ପତିଆରାହୀନ ଲଢ଼େଇଟିଏ ଯୁଝୁ, ଠିକ୍ ସେମିତି । ସେ ମୋତେ ଚିହ୍ନି ପାରୁ ନ ଥା’ନ୍ତି ବା ସେତିକି କଥା ସହଜରେ କହିପାରୁ ନ ଥାନ୍ତି । ଏପରି ଟେନ୍‌ସନ୍‌ରୁ ତାଙ୍କୁ ହଟାଇବା ଦାୟିତ୍ୱ ମୋର ହୋଇପଡ଼ିଲା ।

ଅବଶ୍ୟ ସେତେବେଳକୁ କାଳ ମତେ ଗଡ଼େଇ ଦୂରକୁ ଠେଲି ଦେଇଥିଲା ସାରଙ୍କ ବିଷୟରେ ଆଉ କିଛି ମୁଁ ଜାଣି ନଥାଏ ।

ପଚାରିଲି, “ଶରତ ଏବେ କୋଉଠି?”

“ତୁ କଣ ଶରତ ସାଙ୍ଗରେ ପଢୁଥିଲୁ?”

“ହଁ, ସାର । ଆମ ଘର ବଣାସାହି ।” ସେ ଦୋ ଦୋ ଚିହ୍ନା ହେଉଥିଲେ । ହାଫ-ଫି କଥା କହିଲି ।

ମନେ ପକେଇ ପାରିଲେ ବୋଧେ । କହିଲେ, “ଆରେ ତୋ ନାଁ ଅମୁକ ନା? ଏଡୁଟିଏ ହେଲୁଣି? ତୁ କ’ଣ ଏଇଠି ଅଛୁ? କୋଉଠି ବାହା ହେଇଛୁ? ବୋହୂ ଏଠି ନା ଗାଁରେଁ? ପିଲାମାନେ କେଡ଼େକେଡ଼େ ହେଲେଣି? କ’ଣ କରୁଚୁ? ବାପା ବୋଉ କେମିତି? କତିରେ ରଖିଛୁ ନା ସେମାନେ ଗାଁରେ?ସେମାନଙ୍କ ଦେହପା ଭଲ ଅଛି ତ?”

ମୋ ବାପା ବୋଉ ଆଉ ସଂସାରରେ ନ ଥା’ନ୍ତି । ତାହା ହୁଏତ ସିଏ ଜାଣି ନଥିଲେ । ସେ ଏକା ସାଙ୍ଗରେ ଏତେ କଥା ପଚାରିଲେ, ଯେମିତି ଭୋକ ବିକଳିଆ ମଣିଷ ପାଇଲେ ସବୁ ଏକାସାଙ୍ଗରେ ଗିଳି ପକାିବା ଲୋଭ ପରି । ତାଙ୍କ ଲୁଚା ମନରୁ ଉଦ୍‌ବେଗର ଭାଷା ବୁଝିବା ସେତେବେଳେ ମୋ ପକ୍ଷରେ ସମ୍ଭବ ନ ଥିଲା । ସବୁର ଗୋଟିଗୋଟିକିଆ ଉତ୍ତର ଦେଉଦେଉ ଯେତେବେଳେ ଶୁଣିଲେ ଯେ ମୁଁ ଏଠି ଡିଷ୍ଟ୍ରିକ୍ଟ ଅଡ଼ିଟ ଅଫିସରେ ହେଡ୍ କ୍ଳର୍କ ଅଛି ବୋଲି ତାଙ୍କ ଆଖି ଚକ୍‌ଚକ୍ କଲା । ପଚାରିଲେ, “ତୁ ତା’ହେଲେ ଜଣେ ସିନିଅର ଅଡିଟର ହେମନ୍ତ ଗଜରାଜଙ୍କୁ ଚିହ୍ନିଥିବୁ? ମତେ ଟିକେ ସାହାଯ୍ୟ କରିପାରିବୁ? ମୁଁ ତାଙ୍କ ପାଖକୁ ଯାଉଚି । କେମିତିକା ଲୋକ ସିଏ?”

ହଁ ସାର, ସିଏ ଆମ ଅଫିସରେ । ସାନଭାଇ ପରିକା । ଆପଣଙ୍କର କିଛି ଅସୁବିଧା ହୋଇଚି କି?”

ସେ ନିଜେ ସମସ୍ୟା କହିଲେ । ତାଙ୍କ ଘରୋଇ ଚାକିରି ସରକାରୀ ହେବା ବେଳର କଥା । ସାର୍‌ଙ୍କ ଗାଁ ନାଁ ଗେଲିପୁର । କୌଣସି କିରାଣିର ଇଷତ୍ ଅସତର୍କତାରୁ ଇଂଲିଶ ଟାଇପମେସିନ୍ କି’ବୋର୍ଡ଼ର ପାଖ ବର୍ଣ୍ଣ ବାଡ଼େଇ ହୋଇଥିବା କାରଣରୁ ତାହା ସରକାରୀ ରେକର୍ଡ଼ରେ ଫେଲିପୁର ହୋଇଥିଲା । ସାର୍ ବା କାହିଁକି ଜାଣିଥା’ନ୍ତେ? ଏଥପାଇଁ ତାଙ୍କର କିଛି ଅସୁବିଧା ମଧ୍ୟ ହୋଇ ନ ଥିଲା । ବହୁ ପରେ, ହେମନ୍ତ ଅବଜେକ୍ସନ କରି ଦେଇଥିବ । ତା’ପରେ ସାର୍ ଅନେକ ଦୌଡ଼ାଦୌଡ଼ି କଲେ । ହେଲାନି । ତହସିଲଦାରଙ୍କଠାରୁ ପ୍ରାମାଣିକ ସାର୍ଟିଫିକେଟଟେ ହାସଲ କରି ତା ଜରିଆରେ ସଂଶୋଧନ କରିବାକୁ ପ୍ରାର୍ଥନା କଲେ । ମାତ୍ର ସେଠି ଆଉ ଏକ ଇଂଲିଶ ଅକ୍ଷରର ଅଯଥା ପ୍ରବେଶ ଯୋଗୁ ପୁଣି ସେଇ ନାଁ ହୋଇଗଲା ଘେଲିପୁର । ଦୌଡ଼ି ଦୌଡ଼ି ସେ ଅଫିସରଙ୍କୁ ଥରେ ଦେଖା କରିପାରିଲେ । ସବୁ ଶୁଣି ଅଫିସର କହିଲେ, “ଇଏ ଯାହା ସିଏ ସେଇଆ ।” ୟାଙ୍କ ଦୁଃଖ ଶୁଣିବାକୁ ତାଙ୍କର ବେଳ ନ ଥିଲା । ମାଷ୍ଟ୍ରଟେ ପ୍ରତିବାଦ କରୁଛି ଭାବି ସେ କୁଆଡ଼େ ରାଗି କହିଲେ, “ମୋଠୁଁ ତମେ କ’ଣ ବେଶି ଇଂଲିଶ ଜାଣିଛ?”

କାଳର ଅଦ୍ଭୁତ କୌଶଳ । କୈଳାଶ ସାର୍‌ଙ୍କୁ କେହି ଜଣେ ଇଂଲିଶ ଶିଖେଇଲା, ହେ ଭଗବାନ! କ୍ଷମତା ଓ ଗଲୁ ଏକଦମ୍ ଏକାପ୍ରକାର । ରକ୍ତ ନ ବାହାରିବା ଯାଏ ସୁଖ ମିଳଥାଏ ଯେ ମିଳୁଥାଏ ।

ତାଙ୍କର ଅବସର ନେବା ସେତେବେଳକୁ ଚାରି ବର୍ଷ ହେଲାଣି । ସେ କାଗଜପତ୍ର ସଜାଡ଼ିପାରି ନ ଥିଲେ । ପେନ୍‌ସନ୍ ନାହିଁ । ଦମ୍ଭରେ କହିଲି, “ଯାହା ବି ଅସୁବିଧା ଥାଉ, ମୁଁ କରେଇଦେବି ।”

ଆମ ଭିତରେ ମନର ଲୁଚକାଳି ଆଉ ନ ଥାଏ । ତାଙ୍କୁ ଡାକି ନେଇ ରାସ୍ତା ଆରପଟ ଭୋଳା ନାହାକ ପକ୍କା ହୋଟେଲରେ ଖାଇବାକୁ ବସିଗଲୁ ।

“ସାର୍, ରାତିଟା ଏଠି ରହି ଯାଆନ୍ତୁ । କାହିଁକି ନା, ଆଜି ଅଡିଟ୍ ଅଫିସର ନାହାନ୍ତି । କାମ ସବୁ ଆଜି କରିଦେବା । ମର୍ଣ୍ଣିଙ୍ଗ ଅଫିସ । କାଲି ସକାଳୁ ଅଫିସରଙ୍କ କାଉଣ୍ଟରସାଇନ କରେଇ ମୁଁ ନିଜେ ଯାଇ ସି.ଆଇ. ଅଫିସ୍ କାମ ସାରଦେବି । ଆପଣ ଅର୍ଡ଼ର ଧରି ପଳେଇବେ । ସଦର୍ସଣର ରାଧୁ ପାତ୍ର ସେଠି ବଡ଼ବାବୁ ନାହିଁ କି?”

“ଅଛି ଯେ, ଭଲ ପିଳାଟିଏ । ମନେ ରଖିଚି । ସିଏ ବି ମୋ ପାଇଁ ୟାଡ଼େସ୍ୟାଡ଼େ କେତେ ଜାଗା ଦଉଡ଼ିଛି । ହେଲେ ଅଡ଼ିଟ୍ ଅବଜେକ୍ସନ ତ । କିଛି କରିପାରିଲାନି । ୟାଙ୍କ ଆଗରୁ ଯିଏ ସି.ଆଇ ଥିଲେ ସିଏ ଏଡ଼େ ବେଚଷମା ଲୋକ ଯେ ମତେ ଥରେ ରାଧୁ ସମ୍ନାରେ ଯାହାତାହା କହିଦେଲେ । ସେଦିନୁଁ ଆଉ ସେଠିକି ଯାଇନି । ଏବେ ଜଣେ ନୂଆ ସି.ଆଇ ଆସିଲେଣି । ହେଲେ ମତେ ରାଧୁ ପାଖକୁ ଯିବାକୁ ଖରାପ ଲାଗୁଛି । କ’ଣ କରିବା, ଯାହା ଭାଗ୍ୟରେ ଥିବ । ତୁ ଏଠି ଅଛୁ ବୋଲି କାଇଁ ରାଧୁ ତ ମତେ କହିଲାନି?”

ସାର୍, ପୁଣି ଭାଗ୍ୟ କଥା କହୁଛନ୍ତି! ତାଙ୍କ ପରି ଶୃଙ୍ଖଳିତ ଲୋକ ଯେଉଁ କାମ ଏତେ ବର୍ଷ ଧରି କରି ପାରି ନଥିଲେ ତାହା ମୋ ଦ୍ୱାରା ରାତି ପାହିଲାବେଳକୁ ଶେଷ ହୋଇ ଅର୍ଡ଼ର ବାହାରିବ? କଥାଟି ତାଙ୍କୁ ପର୍ବତପ୍ରାୟ ଲାଗୁଥିଲେ ବି ସେ ଉଶ୍ୱାସ ଅନୁଭବ କରୁଥିଲେ ଏବଂ ମୋତେ ବିଶ୍ୱାସ କରୁଥିଲେ ।

ସେ କହିଲେ, “ଆଜି ଚାଲିଯା’ନ୍ତି । କାଲି ସକାଳୁ ଆସିଲେ ହୁଅନ୍ତାନି?”

“ନାଇଁ ସାର୍ ଡେରି ହୋଇଯିବ । ଆଜି ଦେଖିଲେନି, ପହଞ୍ଚିବାକୁ କେତେ ଡେରି ହେଇଥା’ନ୍ତା । ରାତିକ କଥାତ । ଆମ ଘରେ ରହିଯିବେ । କିଛି ଅସୁବିଧା ହବନି । ଗୋଟାଏ ରୁମ୍ ଏକଦମ୍ ଖାଲି । ବିଛଣାପତ୍ର ସବୁ ପଡ଼ି ରହିଛି । ଏଇ ଟିକେ ଆଗ ବ୍ଳକ କଲୋନିରେ ।”

ସାର୍ ଆଶ୍ୱସ୍ତ ହେଲା ପରି ଲାଗିଲେ । ପଚାରିଲେ, “ଘରେ ଆଉ ସବୁ କିଏ ଅଛନ୍ତି?”

ସବୁ ଶୁଣି ସାର୍ କହିଲେ, “ତାହା ହେଲେ ତୁ ହୋଟେଲରେ ଖାଇଲୁ କାହିଁକି?” ଘରେ ପିଲାଛୁଆ ଥିଲାବେଳେ ହୋଟେଲରେ ମିଲ ଖାଇବା ଯେମିତି ଅପରାଧ । ତାଙ୍କର ଏମିତିକା ତାଗିଦମିଶା ପ୍ରଶ୍ନ । ଉତ୍ତର ଦେଇ ନ ଥିଲି ।

“ଶରତ ଏବେ କୋଉଠି?”

ମୋ ପ୍ରତିଶ୍ରୁତିକୁ ଭରସା କରି ଇଷତ୍ ଉଜ୍ଜ୍ୱଳ ହୋଇ ଆସୁଥିବା ତାଙ୍କ ମୁହଁରେ କୋଉଠୁ ଆସି ଖଙ୍କାର ଲେଣ୍ଡାଏ ପଡ଼ିଗଲା କି ଯେମିତି! କଥା କହିବାର ନୂଆ ପ୍ରକାର ଦମ୍ଭପଣ ଟିକେ ଉଣା ଦେଖାଗଲା । ଅପ୍ରକାରିଆ ମୁଡ୍ ଚଞ୍ଚଳ ସଜାଡ଼ିବାକୁ ସକ୍ଷମ ହେଲେ ବି କ୍ଷଣକ ପାଇଁ ଧରା ପଡ଼ିଗଲେ । କହିଲେ, “ଏଇଠି” । ଆଉ ଧାଡ଼ିଏ ବି କଥା ଲମ୍ବେଇଲେନି ।

ଶରତ ଏଇଠି ଅଛି ଅଥଚ ମୁଁ ଜାଣିଲିନି? ଗାଁ ଚିହ୍ନା, ସ୍କୁଲ ଚିହ୍ନା ଏମିତି ଏଠି ଯେତେ ଅଛନ୍ତି, କେହି କେମିତି ଜାଣି ପାରିଲେନି? ତା’ହେଲେ ବି ତ ମୁଁ ଜାଣିଥା’ନ୍ତି । ଶରତକୁ ନେଇ ସାର୍‌ଙ୍କ ଜୀବନର ଇକୁଏସନ କିଏ ବା ନ ଜାଣେ? ଶରତ ମୋଟେ ଚାରି ପାଞ୍ଚ ବର୍ଷର ହୋଇଥାଏ । ଆଉ ଏକ ସନ୍ତାନ ପ୍ରସବ କାଳରେ ମାଉସୀ ଚାଲିଗଲେ । ସେତେବେଳେ ସାରଙ୍କ ବୟସ ବା କେତେ? ତେବେ ବି ସିଏ ଦ୍ୱିତୀୟପକ୍ଷ କଲେ ନାହିଁ । ଏକା ସାଙ୍ଗରେ ମା ଓ ବାପା ହୋଇ ସେ ତାକୁ ବଢ଼େଇଥିଲେ ।

ପଚାରିବି ପଚାରିବି ହେଉଥିଲି – ଶରତ କୋଉଠି ଅଛି? କିଛି ଶିଷ୍ଟାଚାର ଏବଂ କିଛି ଅଜଣା ଡରରେ ତାହା ମୁଁ କରି ପାରିଲିନି । ସାର୍ ନିଜଆଡୁ କିଛି କୁହନ୍ତୁ । ଅପେକ୍ଷା କଲି । ମାତ୍ର ସେ ଭୋଳା ନାହାକ ଦୋକାନରେ ରଖାଯାଇଥିବା ମିଠା ରେକ୍ ଆଡ଼କୁ ଚାଲିଗଲେ ।

ଦୋକାନରୁ ଆମେ ବାହାରୁଚୁ, ଠିକ ସେତିକିବେଳେ ହେମନ୍ତ ସେଠିକି ଖାଇବାକୁ ଆସିଲା । ତାକୁ ସାର୍‌ଙ୍କ ସହିତ ଚିହ୍ନା କରେଇଦେଲି । ତାଙ୍କ ଅସୁବିଧା ଓ ସମାଧାନର ଉପାୟ ଠିକେଠିକେ କହିଦେଲି । “ସାର୍‌ଙ୍କୁ ସାଙ୍ଗରେ ନେଇ ଘରକୁ ଯାଉଚି । ସେ ଆଜି ଆମ ଘରେ ରହିବେ । କାଲି ତାଙ୍କ କାମ ହେଲେ ସେ ଗାଁକୁ ଯିବେ । ମୁଁ ଆଉ ଅଫିସ ଫେରିବିନି ।”

ତାଙ୍କ ଆବଶ୍ୟକ କାଗଜପତ୍ର ହେମନ୍ତକୁ ଧରେଇ ଆମେ ଚାଲିଗଲୁ । ଏତଦ୍ୱାରା ମୁଁ ହେମନ୍ତକୁ ସଂକେତ ଦେଇଗଲି ଯେ ସାର୍ ମୋର ଯାଇତାଇ ଚିହ୍ନା ନୁହନ୍ତି । ତାଙ୍କ କାମ ପାଇଁ ମୁଁ ତାଙ୍କୁ ଅଟକାଇ ନିଜ ଘରେ ରଖୁଛି । ଦାପ୍ତରିକ ଦୁର୍ବଳତା ଓ ବ୍ୟକ୍ତିଗତ ଚରିତ୍ରହୀନତା ସତ୍ତ୍ୱେ, ସରକାରୀ ଅଫିସରେ ଚାକିରି କରୁଥିବା ସମସ୍ତଙ୍କ ପରି ଆମ ଭିତରେ ବି ସହଯୋଗୀ ସମନ୍ୱୟ ରହିଛି । ସେ ଜାଣେ, ମୋର ଏପରି କଥାର ମାନେ କ’ଣ । ଯେତେ ସାନଭାଇ କହିଥିଲେ ବି, ମୋ କଥାକୁ କାହିଁକି ଖାତିର କରିବ ତାହା ମଧ୍ୟ ମୁଁ ଜାଣେ । ତେଣୁ ସାର୍‌ଙ୍କ କାମ ନ ହେବ କାହିଁକି?

ଆମ ବସାଘର । ଫରଚା ଜାଗା, ହାଉଳି ପବନ ଓ ଗଛବୁର୍ଚ୍ଛ ଗହଳି ଯୋଗୁ ବ୍ଳକ କଲୋନିରେ ଗରମ ଜଣା ପଡ଼େନି । ପିଲାମାନଙ୍କ ସହିତ ଦେଖାସାକ୍ଷାତ ପର୍ବ ସରିବାପରେ ଥଣ୍ଡା ପାଣି ଗ୍ଳାସେ ପିଇ ସାର୍ ଯେ ଡ୍ରଇଂରୁମରେ ଶୋଇ ପଡ଼ିଲେ । ଉଠିଲାବେଳକୁ ଛ’ଟା । ଶେଷରେ ମୋ ସହିତ ଆସିବା ଆଗରୁ ସେ ଅଟୋକୁ ଅପେକ୍ଷା କରି ଖରାରେ ଯେଉଁ କଷ୍ଟ ପାଇଥିବେ ଭାବି ଘରେ କହିଦେଇଥିଲି, “ଯେତେ ଇଚ୍ଛା ଶୁଅନ୍ତୁ । ତାଙ୍କୁ କେହି ଉଠେଇବନି ।” ସାର୍‌ଙ୍କ କରୁଣା ମତେ କେଉଁଠୁ ଆଣି କେଉଁଠି ପହଞ୍ଚାଇଛି, ସବୁ କଥା ଠିକେ ଠିକେ ସ୍ତ୍ରୀଙ୍କ ଆଗରେ କହିଲା ବେଳେ ମୁଁ ନିଜର କୋହ ରୋକି ପାରି ନ ଥିଲି । ତାଙ୍କୁ ଅଳ୍ପ ଟିକେ ସାହଯ୍ୟ କରିବା ବରଂ ମୋ ଭାଗ୍ୟ ଥିଲା ।

ସ୍ତ୍ରୀ କହିଲେ, “ତମେ ବୋଧେ ଜାଣିନା । ତାଙ୍କୁ ପୁଅ ପଚାରୁନି । ତାଙ୍କ କଥାରୁ କାଇଁ ମତେ ସେମିତି ଲାଗିଲା । ତାଙ୍କୁ ତମେ କିଛି ପଚାରିବନି । କଥା କଥାକେ ସେ କାନ୍ଦି ପକାଉଛନ୍ତି ।”

ପର ଦିନ । ସେ ଘରେ ଥା’ନ୍ତି । ତାଙ୍କ କାମ ସାରି ଟ୍ରେଜେରି ଭାଉଚର ଆଣି ହାତେ ହାତେ ଧରେଇଦେଲି । ନୂଆ ନିୟମ ଅନୁଯାୟୀ ଗାଁରେ ଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବକେୟା ପ୍ରାପ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଚାଲିଗଲା । ବସ୍‌ରେ ଛାଡ଼ିବାକୁ ଯାଇ ତାଙ୍କୁ ପଚାରିଲି, “ଶରତର ଠିକଣା କ’ଣ? ତା ଘରେ ଟେଲିଫୋନ ଥିବ ତ?”

“ନାଇଁରେ ବାପା, ମନ ଭାରି ଅଦ୍ଭୁତ ଚିଜ । କେତେବେଳେ ଟିକି କଇଁଆ ପତରରେ କୋଟିକୋଟି ସେଥିରେ ଜାଗା ଧରନ୍ତି ତ ଆଉ କେତେବେଳେ ଦି’ଟା ଏକାଠି ରହିବାକୁ ମେଦିନୀ ଅଣ୍ଟେ ନାହିଁ ।” ସାର୍‌ଙ୍କ ଆଖି ଜକେଇ ଆସିଲା । ସେ ଚଷମା ଖୋଲି ଧୋତିକାନିରେ ଲୁହ ପୋଛିଲେ । ପତ୍ନୀ କହିଥିବା କଥା ମୋର ମନେ ପଡ଼ିଗଲା । ସେପରି ଦାରୁଣ ମୁହୂର୍ତ୍ତରୁ ରକ୍ଷା ମିଳିଗଲା, କାରଣ ବସ୍ ଛାଡ଼ିଦେଲା ।

ୟା’ପରେ ଅନେକ ବର୍ଷ ବିତି ଯାଇଛି । ସାର୍ ଆମ ବସାଘରକୁ ଆସିଥିବା ବେଳେ ପୁଅ ମୁନା ଅଷ୍ଟମରେ ପଢୁଥିଲା । ଏବେ ତାର ଡାକ୍ତରୀ ଫାଇନାଲ ଇଅର ।

ତା’ପରେ, ଫୁରସତରେ ୟାକୁତାକୁ ପଚାରି ସାର୍‌ଙ୍କ କଥା ଯାହା ଶୁଣିଲି, ରକ୍ତ-ସଂପର୍କ ନାଁ ନେଇ ପିରାମିଡ୍ ଗଢୁଥିବା ଲୋକଙ୍କ ଅକଲ ପ୍ରତି ମୋର ସନ୍ଦେହ ହେଲା । ଶରତ ବ୍ୟାଙ୍କ୍‌ରେ ଚାକିରି କରେ । ଜଣେ ଆମେଚିଓର ଅଭିନେତ୍ରୀ ପ୍ରେମରେ ପଡ଼ି ତାକୁ ହିଁ ସେ ବିବାହ କଲା । ସାର୍‌ଙ୍କ ରାଜି ଅରାଜିର ପ୍ରଶ୍ନ ନ ଥିଲା । ମାତ୍ର ସେ ସେଥିରେ ସହଯୋଗ କରିଥିଲେ । ପିଲାଛୁଆ ନାହାନ୍ତି । ସାର୍‌ଙ୍କ ସନ୍ଦେହ, ବୋହୂ ସୌନ୍ଦର୍ଯ୍ୟ ରକ୍ଷା କରିବାକୁ ଉଦ୍ୟମ କରୁକରୁ ବାଇଦା ପାରି ହୋଇଯାଇଛି । ଶରତ ଧନୀ ହେବାକୁ ବହୁ ଉଦ୍ୟମ କରି ଏବେ ଅନିର୍ଦ୍ଧିଷ୍ଟ ମଧ୍ୟବିତ୍ତତାରେ ହିଁ ଜୀବନ କଟାଉଛି । ହଁ, କୁଆଡ଼େ ବଡ଼ କୋଠାଘରଟିଏ କରିଛି । ସେୟାର ମାର୍କେଟ ଦଲାଲ କାମ କରୁଛି । କାର୍ ଚଢୁଚି । ଶାଶୂ ଶଶୁରଙ୍କୁ ଆଣି ପାଖରେ ରଖିଛି । ଏଗୁଡ଼ାକ ଏତେ ବଡ଼ ପରିଚୟ ନୁହେଁ ଯେ ଆମେ ତା ବିଷୟରେ ଆପେଆପେ ଜାଣିଥା’ନ୍ତୁ ।

ସାର୍‌ଙ୍କୁ ଟାଇଫଏଡ଼୍ ହୋଇଥିଲା । ଖବର ପାଇ କେତେ ଦିନ ପରେ ଶରତ ଯାଇ ତାଙ୍କୁ ପାଖକୁ ନେଇ ଆସିଥିଲା । ଏଥିଯୋଗୁ ବୋହୂ କି ସମୁଦି ସମୁଦୁଣୀ କେହି ଖୁସି ହେଉ ନ ଥିଲେ । ଶରତ ତାଙ୍କୁ ବସ୍‌ଷ୍ଟାଣ୍ଡରୁ ସିଧା ନେଇ ସରକାରୀ ହସପିଟାଲରେ ଆଡମିଟ୍ କରାଇଥିଲା । ତା ଛଡ଼ା ସେଠିକି କେହି ଯାଉ ନ ଥିଲେ । ଏମିତିକି, ବୋହୂ ବି ନୁହନ୍ତି । ଔଷଧ ଖର୍ଚ୍ଚ କୁଆଡ଼େ ଶରତକୁ ବାଧୁଥିଲା । ଦିନେ ସମୁଦି ସମୁଦୁଣୀ ଦେଖିବା ବାହାନାରେ ହସପିଟାଲ ଯାଇଥିଲେ ଯେ ସାର୍‌ଙ୍କ ମନରେ ସାଇତା କୋଉକାଳର ଛୋଟିଆ କାଚଘରଟିକୁ ଗୋଇଠା ମାରି ଭାଙ୍ଗିଦେଲେ ସେମାନେ ।

ଶ୍ୱଶୁର କହିଲେ, “ଆମ ଚାକିରି କଥା ଛାଡ଼ । ସମୁଦି, ତମେ ମାଷ୍ଟ୍ର ଥିଲ । ପେନସନ ଗୋଳମାଳ ହେଲା କାହିଁକି? ଟ୍ରିଟ୍‌ମେଣ୍ଟ ପାଇଁ ପରା ଝିଅ ଆମଠୁଁ ଟଙ୍କା ନେଇଚି । ହଃ, ଆଉ ଫେରୋଉ କି ନ ଫେରୋଉ । ଗୋଟେ ଶୁଭ କାର୍ଯ୍ୟରେ ଲାଗିଛି ତ ।”

ଶରତ ଶ୍ୱଶୁରଙ୍କ ସଂପର୍କରେ ଯାହା ଶୁଣିଥାଏ, ଛାଡ଼ ସେ ତ ମାନ୍ୟରେ ଗୁରୁଜନ । କ’ଣ କହିବା? ହେଲେ, ଅନ୍ତତଃ ପଦାକୁ ଯାହା ଦେଖାଯାଏ ତାହା ହେଲା, ସେ ନାନାଦି ଅପକର୍ମରେ ଲିପ୍ତ ରହିଥିବା କାରଣରୁ ତାଙ୍କ ସାଙ୍ଗର ଅନ୍ୟମାନେ ଏସ୍.ପି. କି ଡି.ଆଇ.ଜି. ହୋଇଥିଲା ବେଳେ, ସେ ଯୋଉ ପୁଲିସ ସବ୍-ଇନିସ୍ପେକ୍ଟରଭାବେ ଜଏନ କରିଥିଲେ ସେଇଥିରେ ରିଟାଏର୍ଡ କଲେ । ମଝିରେ ଦୁଇ ଥର ସସ୍ପେଣ୍ଡ୍ ହୋଇଥିଲେ । କେତେ ଯେ ଇନ୍‌କ୍ରିମେଣ୍ଟ କଟିଥିବ, ଠିକଣା ନାହିଁ । ଶେଷରେ ପେନସନ ଯୋଗ୍ୟ ହେଲା ପରେପରେ ତାଙ୍କୁ ଚାକିରିରୁ ବହିଷ୍କାର କରି ଦିଆଗଲା । ସିଏ ପୁଣି ସାର୍‌ଙ୍କ ଚାକିରିକି ଥଟ୍ଟା କରି କହିଲେ !

ଏ କଥା ଶୁଣି ସାର୍‌ଙ୍କୁ ଜୀବନ ଛି ଲାଗିଲା । ପର ଦିନ ସକାଳୁ ଡାକ୍ତରଖାନା ଛାଡ଼ି ସେ ଗାଁକୁ ବାହୁଡ଼ି ଯାଇଥିଲେ । ଦେହରେ ରୋଗ ଯେମିତିକି ସେମିତି ଥାଏ । ଗାଁ ବସ୍‌ର ମାଲିକ-କଣ୍ଡକ୍ଟର ଅନ୍ତ ସୋଇଁ ଟିକଟ ପଇସା ତ ନେଲାନି ବରଂ ଡ୍ରାଇଭର ପଛ ସିଟ୍ରେ ସାର୍ ଅଚେତପରି ପଡିଥିବା ଅବସ୍ଥାରେ ତାଙ୍କ କମିଜ ପକେଟରେ ଖଣ୍ଡିଏ ନମ୍ବରୀ ପୁରାଇ ଦେଇଥିଲା ।

ଗାଁରେ ପହଞ୍ଚି ତାଙ୍କ ଜ୍ୱର ଏମିତି ଭଲ ହୋଇଗଲା । ସେ ସବା ଆଗେ କମାର ଘର ପାଖ ଦି ଗୁଣ୍ଠିଆ ନଡ଼ିଆବାରି ପଦିଆ କମାରକୁ ବିକିଦେଲେ । ଶରତ ପାଖକୁ ହଜାରେ ଟଙ୍କା ମନିଅର୍ଡ଼ର କରି ପଠାଇ ଦେଲେ । କୁପନରେ କିଛି ଲେଖିଲେ ନାହିଁ । ଭାବିଲେ, ଯେମିତି ପୁଅ ଉପରେ ସେ ରାଗ ଶୁଝାଇ ଦେଲେ । ସାର୍ଙ୍କ ପରି ବୁଦ୍ଧିମାନ ଲୋକ, କେମିତି ବୁଛି ପାରିଲେନି ଯେ ମନ ଚିହ୍ନିବାକୁ ମାତ୍ର ଲୋଡ଼ା ଏକ ନିରୋଳା ମନ । ଧନର ଆଡ଼ମ୍ବରରେ ମନକୁ ମୋଟେ ମାପି ହୁଏନି । ତା ପରି ଶୁଖା ଶଢ଼େଇ ପାଖରେ ଏମିତିକା କୋମଳ ପ୍ରତିବାଦର ମାନେ କ’ଣ?

ଶରତ ଛଡ଼ା ତାଙ୍କ ଜୀବନରେ ଆଉ କିଛି ଆଶା ହିଁ ନଥିଲା ତ, ତେଣୁ ସେ ଯେତେ ସମ୍ଭବ ସେତେ ପ୍ରକାର କନ୍‌ସେସନ ଦେଇ ଚାଲିଥିବେ । ଜୀବନର ଶେଷ ପରାଜୟ ମାନିବା କ’ଣ ଏତେ ସହଜ କି? ହେଲେ ଶରତ ତାଙ୍କୁ ବହୁ ପ୍ରକାର ନରଖର କରୁଥିଲା ।

ପେନ୍‌ସନ୍ ପାଇବା ପରେ ସାର୍‌ଙ୍କର ଆଉ ମୋଟେ ଆର୍ଥିକ ଅସୁବିଧା ନ ଥିଲା । ଧନ କି କାମକୁ? ଡାକିଲେ ପଇସା କେବେ କାହାକୁ ଓ କରିଚି ନା କରିବ । ସାର୍ କିଛି ପିଲା ଯୋଗାଡ଼ କରି ବିନା ପାରିଶ୍ରମିକରେ ସକାଳ ସନ୍ଧ୍ୟାରେ ପଢ଼େଇଲେ । କ’ର ଦି’ଟା ଫୁଟେଇ ଦିଅନ୍ତି । ବୟସ ହେଲା ପରେ ପେଟ ଲାଗି ଯେତେ ନୁହେଁ, ମନ ପୂରେଇବାକୁ ଲୋକେ ଦି’ଟା ଖାଆନ୍ତି । ପରେ କୁଆଡ଼େ ହାତରେ ରୋଷେଇ କରିବା ଛାଡ଼ି ଦେଲେ । ଗୋପୀନାଥଙ୍କ ଅଭ୍ୟାଗତ ପ୍ରସାଦ ପାଇ ଜୀବନ ବଞ୍ଚେଇବାକୁ ଲାଗିଲେ । ନନାଙ୍କୁ ମଝିରେ ମଝିରେ ପାଞ୍ଚ ଦଶ ଦେଇ ଦେଉଥିଲେ । ସାର୍‌ଙ୍କ କାମ ବି ଚଳି ଯାଉଥିଲା ।

ଗତ ଫଗୁଣରେ ଶାଳୀ ବାହାଘର । ସ୍ତ୍ରୀଙ୍କ ସହିତ ଗାଁକୁ ଯାଇଥାଏ । ତା’ମାନେ, ମୁଁ ଯାଇଛି ପ୍ରାୟ କୋଡ଼ିଏ ବର୍ଷ ପରେ ।

ଗାଁରେ ମୋର ଗୋଟିଏ ଘର ଅଛି । ଯାହାର କାନ୍ଥ, ବାଡ଼, କୂଅ, ବଗିଚା ସବୁ ଅଛି । କିନ୍ତୁ ଆମ ଲାଗି ଖୁସି ହେବାକୁ ସେଠି କେହି ନ’ଥାନ୍ତି । ସ୍ତ୍ରୀଙ୍କ ଯୋଜନା ଅନୁସାରେ ଆମେ ସେଇ ଘରେ ଆଗେ ପହଞ୍ଚିବୁ । ଉଜୁଡ଼ା ଘରୁ ଅଳନ୍ଧୁ ଝାଡ଼ିବୁ । ସବୁ ସଜାଡ଼ିବୁ । ଖୁଡ଼ୀ ଘରେ କ’ଣ ଦି’ଟା ଖାଇବୁ କିମ୍ବା ନିଜେ ରୋଷେଇ କରିବୁ । ଦୁଇ ଦିନ ପରେ ସେଇଠୁ ଯିବୁ ପ୍ରାୟ ଆଠ ମାଇଲ ଦୂର ଶ୍ୱଶୁରଘରକୁ । ଶାଶୂଘର ଦମ୍ଭ ଦେଖେଇବା ପରି ଏହା ସ୍ତ୍ରୀଙ୍କର ଏକ ପ୍ରଦର୍ଶନୀ ହୋଇପାରେ । କିଏ ଜାଣେ?

ମୋ ପାଇଁ କେତେ ଭୋକ ବାପା ବୋଉ ଅମୃତ ଭଳି ପିଇ ଯାଉଥିଲେ । କେତେ ଦୁଃଖକୁ ଅବଲୟ କରି ଲୁଚୋଉଥିଲେ । ଖୁବ୍ ବେଶିରେ ସେମାନେ ଆଶା କରିଥିଲେ – ମୁଁ କେମିତି ଝଅଟ ଝଅଟ ବଡ଼ ହୋଇଯାଏ । ବାପା ସାଙ୍ଗରେ ମିଶିଲେ ଘରକୁ ଦି ଗୁଣା ମଜୁରି ଆସିବ । କିନ୍ତୁ ମୋ ଭାଗ୍ୟ ଯୋଗୁ ବା କୈଳାଶ ସାର୍‌ଙ୍କ ଦୟାରୁ ହେଉ, ମୁଁ ବାପା-ବୋଉଙ୍କ ଆଶାଠାରୁ ଅଧିକ ବଡ଼ ହୋଇଗଲି । ସେଥିଯୋଗୁ ସେମାନେ କ’ଣ ଖୁସି ପରି ଖୁସି ହେଉଥିଲେ କି? ଏକଦମ୍ ପାଗଳ ହେଇ ଯାଉଥିଲେ । ମୋ ସଫଳତା ସେମାନଙ୍କ ଆଖି ଆଗରେ ଘଟୁଥିଲେ ବି ସେମାନେ ପରତେ ଯାଉ ନ ଥିଲେ ଯେମିତି ।

ସୁଯୋଗ ମିଳିଲେ ଦାରିଦ୍ର୍ୟ ବିରୁଦ୍ଧରେ ବିଦ୍ରୋହ କରିବା ବି ଗୋଟେ ପ୍ରକାର ବାହାଦୂରି । ସେମାନେ ମୋ କଥା ବୁଝୁ ନ ଥିଲେ । ମୁଁ ବି ସେମାନଙ୍କ ବିନୟଭାବର କାରଣ ବୁଝୁ ନ ଥିଲି । ଗରିବ ଥିଲୁ, ତା ମାନେ ନୁହେଁ ଆମେ ଧନୀ ହେବୁନି ।

ଲାଞ୍ଚ ରିସଫତ୍ ଦରମା ସବୁ ମିଶେଇ ପୁରୁଣା ଘର ସାଙ୍ଗରେ ଦି ବଖରା କୋଠାଘର କଲି । ବାପା-ବୋଉ ଅନ୍ତତଃ ସେଇଠି ରହନ୍ତୁ । ମୁଁ ଯାହାକୁ ବାହା ହେବି, ସେ ଗାଁରେ ରହିବ । ମୁଁ ପଛେ ଯା ଆସ କରୁଥିବି । ତାହା ହିଁ ହେଲା । ମାତ୍ର କୋଠାଘର ଆମକୁ ସହିଲାନି । ବାପା-ବୋଉ ଥରୁଟିଏ ବି ପୁରୁଣା ଚାଳିଆ ଛାଡ଼ି କୋଠାରେ ଶୋଇଲେନି । କହିଲେ, “ଆମର ସେଠି ନିଦ ହବନି ।”

ତିନିଟା ବର୍ଷ ପୂରିନି, ଜଣକ ପରେ ଜଣେ ଆରପାରିକି ଚାଲିଗଲେ । ତା’ପରେ ସ୍ତ୍ରୀ ବି ଗାଁ ଛାଡ଼ି ମୋ ପାଖକୁ ଚାଲି ଆସିଲେ । ଆମ ପିଲାଏ ସହରରେ କାଇଁ ନ ବଢ଼ିବେ? ଘରେ ତାଲା ପଡ଼ି ଭିତରେ ରହିଲା ସ୍ତ୍ରୀ ଯୌତୁକରେ ଆଣିଥିବା ଖଟ ଖଣ୍ଡିଏ ଓ ଆଉ କିଛି ଆସବାସ । ଖୋଲା ପଡ଼ି ରହିଲା ବାରିବଗିଚା । ସବୁ ଖୁଡ଼ୀଘର ଦାୟିତ୍ୱରେ । ଦାଦା-ଖୁଡ଼ୀଙ୍କି ଏ ବ୍ୟବସ୍ଥା ତ ନିଶ୍ଚୟ ଭଲ ଲାଗିଲା । ଆମକୁ ବି ।

ପାଖାପାଖି ସମୟରେ ମୋର ବଦଳି ହେଲା । ମୁଁ ଚାଲିଗଲି । ଦେଖିଲି, ନୂଆ ଜାଗା ମୋ ଚାକିରି ପାଇଁ ମନ୍ଦ ନୁହେଁ । ରହୁ ରହୁ ସେଇଠି ରହିଗଲି । ମଝିରେ ମଝିରେ ପିଲାଙ୍କୁ ଧରି ସ୍ତ୍ରୀ ଗାଁକୁ ଆସନ୍ତି । ହଲି-ଡେ ଟ୍ରିପ୍ ପରି । ବାପଘର ଦେଇ ଫେରିଯା’ନ୍ତି । ମୁଁ ଆସିବାକୁ ପ୍ରାୟ ଇଚ୍ଛା କରୁ ନ ଥାଏ । ଏମିତି ବି, ରୋଜଗାର କରୁଥିବା ମୋ ଧନର ଅବତାରମାନଙ୍କୁ ମୁଁ ଗାଁରେ ଆସନ ସଜେଇ ପୂଜା କରିବାକୁ ଇଚ୍ଛା କରୁ ନ ଥିଲି । କାରଣ ଗାଁ ଲୋକେ କହିଥା’ନ୍ତେ - ଭିକମଗା ଫକୀରା ତନ୍ତୀ ପୁଅକୁ ଦେଖ । ମା କୁଣ୍ଡା ବିକୁଥିଲା, ପୁଅ ଏଇକ୍ଷଣି ନାଗର । କରି କରି ଏଠି ଘର ଦି ବଖରା କରିଥିଲି । ଯାହାପାଇଁ କରିଥିଲି ଭୋଗ କରିବାକୁ ସେମାନେ ଯଦି ନ ରହିଲେ, ସେଗୁଡ଼ିକୁ ତ୍ୟାଗ କରିବାକୁ ମଧ୍ୟ ମୁଁ ଆର୍ଥିକଭାବେ ସକ୍ଷମ ଥିଲି । ସ୍ତ୍ରୀ ତା’ର ହଲି-ଡେ’ ସକାଶେ ତାକୁ ବ୍ୟବହାର କରୁଚି ତ କରୁଥାଉ । ଗାଁକୁ ଯିବାବେଳେ କୈଳାଶ ସାର୍‌ଙ୍କ କଥା ଭାବିଥିଲି । ସମ୍ଭବ ହେଲେ, ସାକ୍ଷାତ କରିଥା’ନ୍ତି । ଗାଁରେ ବସ୍ ପହଞ୍ଚିଲା ରାତି ଚାରି । ଚାରିଆଡ଼େ ଅନ୍ଧାର । ଶୁଣିଥିଲି ସତ, ହେଲେ ଗାଁ ସଡ଼କଖଣ୍ଡିକ ଏମିତି ବଦଳି ବଜାର ପରି ହେଇଯାଇଥିବ, ନ ଦେଖିଥିଲେ ମୁଁ ବି ବିଶ୍ୱାସ କରି ନ ଥା’ନ୍ତି । ଗାଁ ଛାଡ଼ିବା ଶେଷ ଆଡ଼କୁ କ’ଣ ଦେଖିଥିଲି? ରାସ୍ତା କଟକ ଆଡୁ ଆସୁଚି, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇ ଆଡ଼କୁ ଯାଉଚି । ଗାଁ ନାଁ କହିଲେ ବସ୍ କର୍‌ନାଳି ପୋଲ ଉପରେ ଟିକେ ରହିଯାଏ ।

ଟିକିଏ ଦୂରଛଡ଼ାରେ ଥିଲା ଅଛୁତା ଗୁଡ଼ିଆର ଚାଳି ଦୋକାନ । ସକାଳେ ସନ୍ଧ୍ୟାରେ ସେ ବରା ଗୁଲୁଗୁଲା ଛାଣେ । ଚା କରେ । ଆଖପାଖ ଗାଁରେ ଯାନିଯାତ୍ରା ହେଲେ ଜିଲିପି ଆଉ କିଛି ଛେନା ମିଠା କରେ । ପିଚୁ ରାସ୍ତାରୁ ଓହ୍ଲେଇ ତା ଦୋକାନ ପାଇଁ କେହି ଗରାଖ ନଥା’ନ୍ତି ।

ଏବେ? ଇରେ ବାବ୍‌ରେ, ସେ ଜାଗା କ’ଣ ହେଲାଣି? ଖେଳେଇ ହେଇ ଯାଇଛି ବଜାର । ନଳିତା କଟା ହେଲା ପରେ, ପଚା କଚା ବାଡ଼ିଆ କି ଝୋଟ କାଉଁରିଆ ଶୁଖିବା ଛଡ଼ା ଅଧିକ ଯୋଗ୍ୟତା ନ ଥିବା ଢ଼ାଲୁ ଜମି, ଯାହାକୁ ମାଣ ମାପରେ ଯାଚିଲେ ବି କେହି ନେଇ ନ ଥା’ନ୍ତେ, ନେତରା କକେଇ ସବୁ ଫୁଟ ମାପରେ ବିକିଲା । ସେଇଠି ହେଇଚି ବଡ଼ ବଜାର । ଟିଭି, ମୋବାଇଲ ବିକ୍ରି ହେଉଛି । ସ୍ପେୟାରପାର୍ଟ ରଖିଥିବା ମଟରସାଇକେଲ ସ୍କୁଟର ରିପେୟାର ଦୋକାନଟେ ବି ଅଛି । ଆଉରି କେତେ କଥା । ଆମର ପଚାଶ ଘରିଆ ଛୋଟ ଗାଁଟିଏ ଆଉରି ଭିତରକୁ । ସେଇ ନାଁରେ ରାସ୍ତାରେ ଚାଲିଥିବା ଏ ଅର୍ଥନୈତିକ ପ୍ରଗତି ଯୋଗୁଲୋକଙ୍କ ଦାରିଦ୍ର୍ୟର ଏମିତି କିଛି ଓଲଟପାଲଟ ହୋଇନି । ଯେଉଁଠି ଚାଲିଛି ପ୍ରମତ୍ତତାର ବାରୁଆଳି, ସେଠି ଆମ ଗାଁ ନାହିଁ । ରହିଛି କେବଳ ନାଁଟି ।

ଓହ୍ଲେଇ ଚାରିଆଡ଼େ ଅନେଇଲି । କେହି ଦୋକାନ ଖୋଲି ନାହାଁନ୍ତି । ସ୍ତ୍ରୀଙ୍କୁ ପଚାରିଲି, “ଅଛୁତା ଗୁଡ଼ିଆ ଦୋକାନ ଆଉ ନାହିଁ କି?”

“ଥିଲା ତ ।” ସ୍ତ୍ରୀ ମଝିରେ ମଝିରେ ଗାଁକୁ ଆସୁଥିଲେ ସୁଦ୍ଧା ସେ ଏତେ ଘନିଷ୍ଠ ତଥ୍ୟ ରଖିବା ପରି ମତେ ଲାଗିଲା ନାହିଁ । ନିରୀଖେଇ ଅନେଇଲା ବେଳକୁ କୁହୁଡ଼ି ଭିତରୁ ସେଇ ଘରଟି ଅବଶ୍ୟ ଦେଖାଗଲା । ସାଙ୍ଗରେ ଆମର ତିନିଟା ବଡ଼ ଛୋଟ ବାକ୍ସ । ରିକ୍ସା ନ ହେଲେ ଯାଇହେବନି । ଏଡ଼େ ବଡ଼ ବଜାର ହେଲାଣି ଯେତେବେଳେ, ରିକ୍ସା ଏଠି ନିଶ୍ଚୟ ମିଳୁଥିବ । ଯାଉ ଆଉ ଅଧଘଣ୍ଟା । ଧୀରେସୁସ୍ଥେ ଯିବା । ଆମକୁ କିଏ ଅନିଷା କରି ବସିଥିବ କି? କାଳେ ଚା ଟିକେ ମଳିବ, ଏଇ ଆଶାରେ ମୁଁ ଚାଲି ଚାଲି ଆଗେଇ ଗଲି ଅଛୁତା ଦୋକାନ ଆଡ଼େ ।

ତାହା ଆଉ ଦୋକାନ ହୋଇ ନ ଥାଏ । ଇଏ କ’ଣ? କନକ ବଡ଼ମା’ ହାତ ଲଙ୍ଗଳା । ତା’ମାନେ, ଅଛୁତା ଆଉ ନାହିଁ । ବଡ଼ମା’କୁ ନମସ୍କାର କଲି । ସେ ପ୍ରଥମେ ଚିହ୍ନି ପାରିଲାନି । ଚିହ୍ନି କହିଲା, “ଇରେ, ତୁ ଫକୀରା ପୁଅ ନା? ଭଗବାନ କୁଆଡ଼େ ତତେ ଭଉତ ବଡ଼ନୋକ କରିଚେନି । ଆମ ଯୋଗିଆକୁ ଟିକେ କୋଉଠି ନଗେଇ ଦେ । ଏ ବୁଢ଼ୀଦିନେ ଆଉ କେତେ ସହିବି?”

ତା ମାନେ ଅଛୁତାର ପୁଅ ଅଛି । ତା ନାଁ ଯୋଗିଆ ।

ପଚାରିଲି, “କିଛି ପାଠ ଶାଠ ପଢ଼ିଛି?”

“ଗେଲିପୁର କଇଆ ମାଷ୍ଟ୍ର ଖର୍ଚବାର୍ଚ କରି ପଢ଼ୋଉଥିଲା । ଗଲା ସନ ଯୋଗିଆ ଫାଷ୍ଟ କିଲାସରେ ପାଶ୍ କଲା । ଆଉରି ପଢ଼ିବାକୁ ହୁକୁହୁକୁ ହଉଥେଲା । କୋଉଠୁ ହବ ବାପ, କଉନୁ? ବୁଢ଼ା ଗଲା ପରେ, ତିରଣ ନରିଆ ହାତୀଏଠି ଯୋଉ ହୁଟୁଲୁ କରିନି ମୁଁ ପା ସେଠି ବାସନ ମାଜୁଛି । ପାଠ କିଏ, ଆମେ କିଏ? ଏ ପିଲାଟାକୁ ଟିକେ କୋଉଠି ନଗେଇ ଦେ । ତୋ’ର ଧରମ ହେବ ।”

କନକ ବଡ଼ମା’ ଅତି ନିଉଛୁଣା ହୋଇ ତା ପୁଅ କଥା କହିଲାବେଳେ କୈଳାଶ ସାର୍‌ଙ୍କ ପାଇଁ ମୋ ମନ ପୂରି ଉଠୁଥିଲା । ଯାହାହେଉ, ସେ ଆଉ ଜଣକୁ ବି ମଣିଷ କରିଦେଲେ? ଆଉରି କେତେଙ୍କୁ କ’ଣ କରିଥିବେ, କିଏ ଜାଣେ? ଶରତ ସହିତ ଏବେ ତାଙ୍କର ସଂପର୍କ କେମିତି ଅଛି କେଜାଣି? ବଡ଼ମା’କୁ ପଚାରିଲି, “ଯୋଗିଆ କ’ଣ ଶୋଇଚି? ଉଠିଲେ କହିବୁ ଆମ ଘରକୁ ଟିକେ ଯିବ । ମୁଁ ପୂରା ଦିନ ରହିବି ।” ଆଜି ଯୁଗ ପାଇଁ ଯୋଗିଆର ପାଠ ଯଥେଷ୍ଟ ନୁହେଁ । ତଥାପି କଇଆ ମାଷ୍ଟ୍ରର ସେଇ ଚାରାଗଛଟିକୁ କୋଉଠିହେଲେ ଲଗେଇ ପାରବି ବୋଲି ବିଶ୍ୱାସ ଥିଲା ।

ତୁ ଜାଣିନୁ କି? କଇଆ ମାଷ୍ଟ୍ର ପରା ପଅରଦିନ ରାତିରେ ଚାଲିଗଲା । ଆହା, କି ଧର୍ମ ମରଣ । ଦେଉଳରେ ବସିଛି । ଆଳତି ଦେଖିଲା । ଠାକୁରଙ୍କ ପର୍ସାଦ ପାଇଲା । ହାତ ଧୋଇ ‘ଜୟ କୁଷ୍ଟଁ’ କଇ ଘଟିକି ଯାଉଚି ସେଇଠି ତା ପ୍ରାଣବାୟୁ ଉଡ଼ିଗଲା । କି ଧାର୍ମିକ ନୋକ ସିଏ ନ ଥେଲା, କହ । ତା ମଡ଼ା ପୁଣି ବାସି ହେଲାଣି । ତେଣେ ପୁଅ କତିକି ଟେଲିଗ୍ରାମ ହେଇଚି ଯେ ସେ ଯୋଗନୀଖିଆ କୁଆଡ଼େ କାଲି ରାତିଅଧଯାଏ ଆସି ନ ଥେଲା । ଯୋଗିଆ ପା ଯାଇ ସେଇଠି । ସେ ଆଇଲେ ନିଶ୍ଚେଁ ତୋ କତିକି ପଠେଇଦେବି । ଟିକେ ଦୟା କରିବୁ, ବାପା । ତୋ’ର ଧର୍ମ ହବ ।”

ମୁଁ ଆକାଶକୁ ଅନେଇ ରହିଗଲି । ଆହୁରି ଅନ୍ଧାର ଛାଡ଼ି ନ ଥାଏ ।