ଆଶା ତମସା/ମୁରବି

ଉଇକିପାଠାଗାର‌ରୁ
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ମୁରବି
ସମୁଦାୟ ଚବିଶ ଘର ବିଶିଷ୍ଟ ଏକ ସମ୍ଭ୍ରାନ୍ତ କଲୋନିର ବାଦିନ୍ଦା ଆମେ । ସହର ବିସ୍ତାର ରୂପେ ଉଭା ହେବାପରେ ଜମି ସମସ୍ୟା କାହିଁରେ କେତେ । ମୂଲ ଅମୂଲ ଦର । ମାତ୍ର ଆମ ଚବିଶ ଘର, କାହାରି ଜଗା ଅଧ ଏକରରୁ କମ୍ ନୁହେଁ । ଗୋଟିଏ ପିଢ଼ି ପ୍ରାୟ ଅତିକ୍ରମ କରିବାକୁ ବସିଲାଣି । କେହି ନିଜ ହତା ଭାଗ କରିନାହାନ୍ତି କି ବିକି ନାହାଁନ୍ତି । ବଳବନ୍ତରାୟ ମଉସା ଆର.ଟି.ଓ. ଥିଲେ । ତାଙ୍କ ଚକଡା ଭିତରେ ତ ଗୋଟିଏ ଛୋଟକାଟିଆ ପୋଖରୀ ଅଛି । ମଉସା ଥିଲାବେଳୁ ସେଥିରେ ନାନା ବଣ୍ଣରେ କଇଁଫୁଲ ଓ ମାଛ ଚାଷ ଆରମ୍ଭ କରିଥିଲେ । ମାଛ ଧରା ହୁଏନି କି ଫୁଲ ଛିଣ୍ଡା ଯାଏନି । କିଛି ବର୍ଷ ତଳେ ଧଣ୍ଡ ଢ଼ମଣା ପଶି ମାଛ ଖାଇଗଲେ । ତାଙ୍କ ପୁଅ ରୋହିତ ଭାଇ ଘରର ପଛ ଆଡକୁ ଗେଟ୍ ଟେ ରଖି ପୂରା ପୋଖରୀକୁ ମୋଟା ତାରଜାଲି ଦେଇ ଉପର ତଳ ଚାରିଆଡୁ ବନ୍ଦ କରିଦେଲା । କି ସୁନ୍ଦର ରଙ୍ଗୀନ ଲାଇଟ ଲଗେଇଚି ପୋଖରୀ ଉପରେ ଓ ବଗିଚାଟା ସାରା । ଦେଖିଲେ ମନ ପୂରିଯାଏ ।
  ଦାଶରଥି ମଉସା ଦଶଟା ଫ୍ଲାଟ କରି ସେଥିରୁ ନଅଟା ଭଡାରେ ଦେଇଛନ୍ତି । ଗୋଟିକରେ ନିଜେ ରହନ୍ତି । ଏମିତି ପ୍ରାୟ ସମସ୍ତଙ୍କର ଆଧି ପ୍ରୟୋଜନ । ସେଠି ଗରିବ କେହି ନାହାଁନ୍ତି ।
  ଆମ ବାପା ଯେ ଫରେଷ୍ଟର ଥିଲେ ତାହା ବି ଆମ ଘରର କାଠ କାମ ଦେଖିଲେ ଜଣା ପଡିଯାଏ । ସେ ପୂରା ଆୟୁ ବଞ୍ଚôଥିଲେ ଆହୁରି ସୁନ୍ଦର କରି ପାରିଥା’ନ୍ତେ । ଏ କଥା ବୋଉ କହେ । ମୁଁ ବିଶ୍ୱାସ କରେ ମଧ୍ୟ । ଆମର ଛୋଟ ସଂସାର । ବୋଉ, ଆମେ ଦି ଜଣ, ଆମର ତିନି ବର୍ଷର ଝିଅଟିଏ । ଜଣେ ଚାକରାଣୀ । ବାପାଙ୍କ ପ୍ରତିଷ୍ଠା ସହିତ ପୁଅ ଭାବେ ମୁଁ ଆଦୌ ତୁଳନୀୟ ନୁହେଁ । ମାତ୍ର ବୋଉର ପେନ୍ସନ୍ ଓ ଆମ ଦି ଜଣଙ୍କ ଚାକିରିରୁ ଯେତିକି ଦରମା ଆସେ ସବୁ ମିଶି ତାହା ବାପାଙ୍କର ସ୍ମୃତି ଓ ପ୍ରତିଷ୍ଠାର ରକ୍ଷଣାବେକ୍ଷଣ ପାଇଁ ଯଥେଷ୍ଟ ।
  ବୋଉ ତା କାଳରେ ଆଧୁନିକା ଥିଲା । ଏବେ ସେ ପ୍ରତ୍ୟେକ କଥାରେ ସଂସ୍କାର କଥା କହେ । ପତ୍ଣୀ ନିଜ ଶାଶୁ ଖାତିରିରେ ଯେତିକି ସମ୍ଭବ, ସେତିକି ବ୍ରତଚାରିଣୀ । ଅନ୍ୟଥା ସେ ବି ମାନସିକ ଭାବେ ଆଧୁନିକା । ମଝିରେ ଥାଏ ମୁଁ । ବୋଉ ଆଡକୁ ଆଦରରେ ଟାଣି ହେଉଥାଏ । ଘର ଜାଗା ସବୁ ତା ନାଁରେ । ସେମିତି ରୋଜଗାରିଆ, ସୁନ୍ଦରୀ ଓ ଗୁଣମୟୀ ପତ୍ଣୀଙ୍କ ପାଇଁ ମୋ ମନର ମୋହ କମ୍ ନୁହେଁ । ସୁଖର କଥା ଦୁଇ ଜଣଙ୍କ ଭିତରେ ଝମଝମ ହେବାକୁ କରକଙ୍କଣ କେବେ ବି ବାଜି ନାହିଁ । ତେଣୁ ମୋ ବ୍ୟକ୍ତସଭା ପାରିବାରିକରୂପେ ଅତି ନିରାମୟ । ବୋଉ ମୁହଁରୁ ସଂସ୍କାରର ନାନା ବିବରଣୀ ଶୁଣେ । ଭଲ ଲାଗେ । ସ୍ତ୍ରୀଙ୍କ ଠାରୁ ଆଧୁନିକତା ନାଁରେ ପରିବର୍ତ୍ତନର ନାନା ଚିତ୍ର ଦେଖେ । ସେଗୁଡିକ ବି ଭଲ ଲାଗେ । ସମୟ ସହିତ ଉଡୁଥିବା କାଉ ଶାଗୁଣାଙ୍କ ପରି ଘଣ୍ଟାଘଣ୍ଟା ଆଲୋଚନା କରିବାକୁ ସକ୍ଷମ ହେଲେ ବି, ନିଜେ ତାହା ବୁଝି ପାରେନି ।
  ଶରତ ଋତୁ । ସନ୍ଧ୍ୟା ବେଳ । ଆମେ ସମସ୍ତେ ଉପର ମହଲା ଖୋଲା ବାଲକୋନିରେ ବସିଥାଉ । ଟକଲମକଲ ହୋଇ ସେଇଠି ଝିଅ ଖେଳୁଥାଏ ।
  ଦଳେ ଲୋକ ଆମ ପଡିଶା ଲଜାରସ ଭାଇଙ୍କ ଘରକୁ ଆସିଥିଲେ । କିଛି ସମୟ ପରେ ସେଠାରୁ ଉଚ୍ଚବାଚ ଶୁଣାଗଲା । କାନ ଡେରି ଶୁଣିଲୁ । ପୂଜା ଚାନ୍ଦା ପାଇଁ ସେମାନେ ଆମ ପଡୋଶୀଙ୍କ ସହିତ ଝଗଡା କରୁଥିଲେ । କଲୋନିର ପରିବେଶ ଏମିତି ଶାନ୍ତ ଯେ ଯଦି ଦି’ଟା କୁକୁର ଏକାସାଙ୍ଗରେ ଭୁକନ୍ତି ତାହା ରଏଟ୍ ପରି ଭୟାନକ ଲାଗେ । ଆମ ପଡୋଶୀ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ । ତାଙ୍କ ବାପା କାରଖାନାରେ ଚାକିରି କରିଥିଲେ । ମା ନର୍ସ ଥିଲେ । ବାପା ଆଉ ନାହାନ୍ତି । ମାରିଅମ ଆଣ୍ଟୀ ଦିଲ୍ଲୀରେ ରହନ୍ତି ଝିଅ ଲିଜା ପାଖରେ । ଘର ସେମାନେ ତିଆରି କରିଥିଲେ ।
  ସେଇ ପରିବାରର ଜୀବନ ଶୈଳୀ ସହଜ ଓ ସରଳ । ମ୍ୟାଡମ୍ ଏକ ଇଂଲିଶ ସ୍କୁଲର ଶିକ୍ଷୟିତ୍ରୀ । ଆମ ଘରର ପ୍ରଥମ ମହଲା ବାଲ୍‌କୋନିରୁ ଟିକେ କଣେଇ ହୋଇ ତାଙ୍କ ଗେଟ୍ ଦେଖାଯାଏ । ସେଠାକୁ ଯେଉଁ ଦଳେ ଲୋକ ଆସିଥିଲେ ସେମାନଙ୍କ ଭିତରୁ କେହି ଜଣେ ବେଚସ୍ମା ଲୋକ କହିଲା, “ଶଳା, ତୁ ରହିବୁ ଏଠି । ଚାନ୍ଦା ଦବୁନି?”
  ପଡେଶୀ କହିଲେ ମୁଁ ତ କାହା ବାପ ଜାଗାରେ ଘର କରିନି । ଇଏ ମୋ ନିଜ ଘର ।” ମୁହଁ ତୋଖଡ୍ ଦେଖେଇଥିବା ସେଇ ଲୋକ ଓ ଆଉ ଦି ଜଣ ମିଶି ପଡୋଶୀଙ୍କୁ ଅସଦ୍ବ୍ୟବହାର କଲେ । ପ୍ରଥମ ଏହା ଧକ୍କାରୁ ଆରମ୍ଭ ହେଲା । ପରେ ରିତିମତ ମାରଧରରେ ପରିଣତ ହେଲା । ତାଙ୍କ ଦୁଆରମୁହଁରୁ ପରିବାରର ଅନ୍ୟମାନଙ୍କ ଅସଂଜତ କାଉଲବାଉଳ ସ୍ୱର ଶୁଭିଲା ।
  ୟେ କ’ଣ ହେଉଛି? ଆମେ ସମାଜରେ ଅଛୁଁ ନା ଜଙ୍ଗଲରେ? ମନ ବିଷାକ୍ତ ହେଉଥିଲା । ଭାବିଲି, ପଦାକୁ ବାହାରି କହି ଦେଇଥା’ନ୍ତି – ଲଜାରସ ମାଥୁ୍ୟ ତ ଖ୍ରୀଷ୍ଟିଆନ ଲୋକ । ତମ ପୂଜା ପାଇଁ କାହିଁକି ତାଙ୍କୁ ଚାନ୍ଦା ମାଗୁଚ?
  “ପର କଳିରେ ମୁଣ୍ଡ ପୁରେଇବା ଆମର କି ଦରକାର?” ଏମିତି କହି ପତ୍ଣୀ ମୋ ହାତ ଧରି ଭିତରକୁ ଟାଣି ନେଲେ ଅନ୍ତତଃ ଯେଉଁଠାରୁ ଆମ ଛାଇ ବି ମାଥ୍ୟୁ ପରିବାରର କେହି ଦେଖି ପାରିବେ ନାହିଁ । ସେଥିରେ ରାଜି ହେଲା ପରି ସେଠୁ ଉଠି ବୋଉ ଝିଅକୁ ନେଇ ଭିତରକୁ ପଳାଇଲା । ମାଥୁ୍ୟ ପରିବାର ଭିତରକୁ ଯାଇ ପଦା ଆଲୁଅ ଲିଭାଇ ଦେଇଥିଲେ । ତାଙ୍କ ଘର ବାହର ଅନ୍ଧାର । ଛକାଛକି ହେଲା ପରି ତିନି ଚାରି ଜଣ ପଡୋଶୀ ପରେପରେ ପଦାକୁ ବାହରିଲୁ । ସମସ୍ତେ ମର୍ମାହତ । ଇସ୍, ମିଷ୍ଟର ମିସେସ୍ ମାଥୁ୍ୟ, ଝିଅ ଏଲିନା ଅନ୍ଧାର ଘର ଭିତରେ ମାଡର ପୀଡା ଅପେକ୍ଷା ଅପମାନ ଓ ଅବସାଦ ଯୋଗୁ ବହୁତ କଷ୍ଟ ପାଉଥିବେ ନା? କନକ ମାଉସୀ କହିଲେ, “ସେମାନେ ବି କେମିତି ଲୋକ କେଜାଣି! କାହାରିଠୁଁ ସାହାଯ୍ୟ ଟିକେ ଖୋଜିଲେ ନାହିଁ । ଲଜାରସଟା ଭଲ ପିଲା ଯେ ହେଲେ ତା’ ମାଇକିନା ଖଣ୍ଡକ ପାଠ ଦି ଅକ୍ଷର ପଢ଼ିଚି ବୋଲି ଗର୍ବରେ ଫାଟି ପଡୁଚି ।”
  ଆଉ ଗୋଟିଏ ଦୃଶ୍ୟ । ନରୋତ୍ତମ ପଲେଇ ଆମ ପରିବାରର ଚିହ୍ନା ଲୋକ । ସେ କାରଖାନାରେ ଚାକିରି କରନ୍ତି । ବେଶ୍ ହସଖୁସିଆ ମିଜାଜର । ଭଲ କାମ କରନ୍ତି ବୋଲି ସେ ବର୍ଷେ ଦି ବର୍ଷ ଅନ୍ତରରେ କିଛି ନା କିଛି ପୁରସ୍କାର ପାଉଥା’ନ୍ତି । ଖବରକାଗଜରେ ତାଙ୍କ ଫଟୋ ଓ ପ୍ରଶଂସା ପ୍ରକାଶ ପାଏ । ତାଙ୍କ ସ୍ତ୍ରୀ ମୋ ସ୍ତ୍ରୀଙ୍କ ସହକର୍ମୀ । ତେଣୁ ସଂର୍ପକ କେବଳ ସ୍ୱାଭାବିକ ନୁହେଁ, ସୌହାର୍ଦପୂର୍ଣ୍ଣ ।
  ଦିନେ ଏକ ଭୋଜିଭାତ ସାରି ପତ୍ନୀଙ୍କ ସହିତ ଖରାବେଳେ ମୁଁ ହନୁମାନବାଟିକାରୁ ଫେରୁଥାଏ । କାରଖାନା ସାମ୍ନା ରିଙ୍ଗ୍ରୋଡ୍ରେ ଗୋଟିଏ ଛକରେ ରାସ୍ତାଜାମ୍ ଯୋଗୁ ଆମ କାର ଅଟକିଲା । “ତୋର ଏଡ଼େ ହିମ୍ମତ, ଆମ ୟୁନିଅନ ମେମ୍ବର ହବୁନି?” କହି କିଛି ଲୋକ ନରୋତ୍ତମ ପଲେଇଙ୍କୁ ଧକ୍କା ବିଧା ଗେବା ମାରୁଥା’ନ୍ତି । ପଲେଇ ବାବୁ ଆକ୍ତାମାକ୍ତା ହେଉଥା’ନ୍ତି ।
  ଆମ ଗାଡି ପାଖରେ ଜଣେ କନେଷ୍ଟବଳ ଠିଆ ହୋଇଥାଏ । ତାକୁ ପଚାରିବାରୁ ସେ କହିଲା, “ଇଏ ସେମାନଙ୍କ ୟୁନିଅନ ବିବାଦ । ଆମେ କାହିଁକି ସେଥିରେ ମୁଣ୍ଡ ପୂରେଇବୁ?” “ତା ବୋଲି ଜଣେ ଭଦ୍ରଲୋକ ବିଚରାସ୍ତାରେ ମାଡ ଖାଉଚି । ତମେ ତାକୁ ରକ୍ଷା କରିବନି?”
 ଲଢ଼େଇ ବେଳେ ହୁରୁଡା ଷଣ୍ଢ କଣେଇ କଣେଇ ଅନେଇ ବାଟ କାଟୁଥିବା ପରି କନେଷ୍ଟବଳ ଜଣକ ସେ ସ୍ଥାନ ଛାଡି ଖଣ୍ଡେ ଦୁରରେ ଯାଇ ଠିଆ ହେଲା । 
 ବେଶ୍ କିଛି ସମୟ ସକାଶେ ପରାଜିତ ପଲେଇ ବାବୁ ଓ ବିଜେତାମାନଙ୍କ ଭିତରେ ଧକମଧକା ଚାଲିଲା । ପରେପରେ ତାହା ସନ୍ଧି କି ସାଲିସରେ ପରିଣତ ହେବା ପରି ଲାଗିଲା । କ୍ରମେକ୍ରମେ ବିଜେତାମାନଙ୍କ ଭିତରୁ ଜଣେ ଆଦେଶ ଦେଲା ପରି ଢ଼ଙ୍ଗରେ ଡାହାଣ ହାତମୁଠା ବନ୍ଦ କରି ବିଶି ଆଙ୍ଗୁଠିକୁ ଅନ୍ତତଃ ଆଠ ଦଶ ଇଞ୍ଚ ଉପର ତଳ ହଲାଇ କିଛି କହୁଥିଲେ । ପଲେଇ ବାବୁ ଶେଷ ଆଡକୁ ଅସ୍ତିସୂଚକଭାବେ ମୁଣ୍ଡ ଟୁଙ୍ଗାରି ନିଜ ସାର୍ଟର ଛିଣ୍ଡା ଅଂଶକୁ କେମିତି ଲୁଚାଇବେ ସେଥିପାଇଁ ପ୍ରୟାସ ଆରମ୍ଭ କଲେ ।
  ଗାଡିରୁ ଓହ୍ଲେଇ ତାଙ୍କ ପାଖକୁ ଯିବାକୁ ମନହେଉଥିଲା । ସ୍ତ୍ରୀ ପାଖରେ ବସିଥିଲେ । ପରାମର୍ଶ ଦେଲେ, “ଇଏ ସେମାନଙ୍କ ୟୁନିଅନ ମାମଲା । ତମେ କ’ଣ ୟୁନିଅନ ନେତା ଯେ ସେ ବିବାଦରେ ପଶି ଅବସ୍ଥା ସମ୍ଭାଳି ପାରିବ?” ତୁନି ହୋଇ କାରରେ ବସି ରହିଲି ରାସ୍ତା ଖାଲି ହେବା ପର୍ଯ୍ୟନ୍ତ । ଭିତରେ ପ୍ରଚଣ୍ଡ ଗରମ ସତ୍ତ୍ୱେ ସାଇଡ୍‌ଗ୍ଲାସ୍ ଟେକି ଦେଇଥିଲି ।
  ଆଉ ଏକ ଦୃଶ୍ୟ । ଡିସେମ୍ବର ମାସ । ଦିନ ଏଗାରଟାରୁ ବାରଟା ଭିତରେ । ବ୍ରଜବନ୍ଧୁ ରାଉତରାୟ । ସିଭିଲ ଟାଉନସିପ୍ରେ ନିଜ ଘର । ତାଙ୍କ ବଡ ଝିଅ ଇଂଜିନିୟର । ତା ବାହାଘର ପ୍ରସ୍ତାବ ନେଇ ଜଣେ ମଧ୍ୟସ୍ଥି ଓ ଅନୁଗୁଳରୁ ଆସିଥିବା ବରଘରର କେତେ ଜଣ ଲୋକ ଡ୍ରଇଂରୁମରେ ବସିଥା’ନ୍ତି । ଗପସପ ଚାଲିଥାଏ । ଆମକୁ ମଧ୍ୟ ସେଠାକୁ ଡକା ଯାଇଥାଏ । ଚାରି ଜଣ ଯୁବକ ତାଙ୍କ ଦୁଆରେ କଲିଙ୍ଗ୍‌ବେଲ୍ ମାରିଲେ । ସମସ୍ତଙ୍କ ମୁଣ୍ଡରେ ଗୋଟେ ଗୋଟେ ନାଲି ପଟି ଓ କପାଳରେ ସୁନ୍ଦର ଗାର ।
  ସେମାନଙ୍କ ଡାକ ଶୁଣି ବ୍ରଜବନ୍ଧୁ ପଦାକୁ ଗଲେ । ସେମାନେ କହୁଥିଲେ, “ଆମ ଦଳ ଗୋଟିଏ ପ୍ରକାଣ୍ଡ ମନ୍ଦିର କରିବ । ଏ ବିଶ୍ୱରେ ସେପରି ମନ୍ଦିର ପୂର୍ବରୁ ନ ଥିଲା ବା ଭବିଷ୍ୟତରେ ହେବ ନାହିଁ । ଏହି ଜାତୀୟ କାର୍ଯ୍ୟକ୍ରମରେ ସମସ୍ତ ଭାରତୀୟ ମୁକ୍ତ ହସ୍ତରେ ସାହାଯ୍ୟ କରନ୍ତୁ । ଆପଣ ଶହେ ଖଣ୍ଡ ନୂଆ ଇଟା ବା ତତ୍ତୁଲ୍ୟ ମୁଲ୍ୟ ଦିଅନ୍ତୁ ।” ସେମାନେ ମଝିରେ ମଝିରେ ଭାରତୀୟ ସଂସ୍କୃତି ଆଧାରିତ ପଦମାନ ଉଚ୍ଚସ୍ୱରରେ କହୁଥିଲେ ।
  ଘରେ ଝିଅ ବାହାଘର ପରି ଆତୁର ଅନୁଷ୍ଠାନର ଅତିଶୟ ଭଙ୍ଗପ୍ରବଣ କୁଣିଆଙ୍କୁ ବସେଇ ବ୍ରଜବାବୁ ଜାତୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବାକୁ ଚାହୁଁ ନ ଥିଲେ । ସେ କହିଲେ, “ଆପଣମାନେ ପରେ ଆସନ୍ତୁ । ମୋର ଏବେ ବେଳ ନାହିଁ ।” “ଆମର ବି ବେଳ ନାହିଁ ।
  ଆପଣଙ୍କ ପରି ପାଠୁଆଶାଠୁଆ ଓ ପ୍ରତିଷ୍ଠିତ ଲୋକେ ଦେଶ କଥା ଭାବିବେନି ତ ଆଉ ଭାବିବ କିଏ?” ଏହିପରି ନାନା କଥା ଧୀରେଧୀରେ ଆରମ୍ଭ ହୋଇ ଉଚ୍ଚସ୍ୱରରେ ତାହା କୁବାକ୍ୟ ରୂପ ନେବାକୁ ଲାଗିଲା । ବ୍ରଜବନ୍ଧୁ ସେମାନଙ୍କର କିଛି କଥା ଶୁଣିବାକୁ ରାଜି ହେଉ ନ ଥିଲେ । ସେମାନେ ରାଗିପାଚି ଫେରିଗଲେ । ଗଲାବେଳେ ତାଙ୍କ ଗେଟ୍ର ଗୋଟେ ଗ୍ଳୋବଲାଇଟ୍ କାଚ ଭାଙ୍ଗି ଦେଲେ ।
  କୁଣିଆଙ୍କ ଉପସ୍ଥିତିରେ ବ୍ରଜବାବୁ ପାଟି ନ କରି ମୋତେ ପଦାକୁ ଡ଼ାକି ସବୁ କଥା କହିଲେ ଏବଂ ପଛକୁ ଅନେଇ ଅନେଇ ରାସ୍ତାରେ ଯାଉଥିବା ଲୋକଗୁଡ଼ାଙ୍କୁ ଦେଖେଇ ଦେଲେ । ମୁଁ ତାଙ୍କୁ ସ୍ୱାନ୍ତନା ଦେଲି । “ଯୁଗ କି ମାରତ୍ମକ ଗତିରେ ଚାଲୁଛି ଆପରତ ଦେଖୁଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହା ହେବା କଥା ହୋଇ ସାରିଲାଣି । ଆମର ଗ୍ଳୋବଗ୍ଳାସ ଦି’ଟାଯାକ ସେମିତି ଥୁଆ ହୋଇଛି । ଆମ ଗେଟ୍ ଡିଜାଇନ୍ ତ ଚେଞ୍ଜ ହୋଇଗଲା । ମୁଁ ଆଜି ଆଣି ଦେଇଦେବି । ଭିତରକୁ ଚାଲନ୍ତୁ । ଏ କଥା ଏବେ ଘରେ କହିବେନି ।” ଶୁଣିଲେ କୁଣିଆ ଖରାପ ଭାବିବେ । 
 ଶେଷପୂର୍ବ ଦୃଶ୍ୟ । ମହିଳା କଲେଜ ପାଖରେ ନିରୋଳିଆ ରାସ୍ତାଟେ । ତଳକୁ ମୁହଁ ପୋତି ଚାଲି ଚାଲି ଯାଉଥାଏ ଝିଅଟିଏ । ଗୋଟେ ଲଫଙ୍ଗା ଅସଭ୍ୟ ଟୋକା ମଟରସାଇକେଲରେ ହୁ’ଦସ୍ତ କେଉଁଠୁ ଆସି ତା ପାଖରେ ବ୍ରେକ ଦେଲା । ଗୋଟିଏ ହାତରେ ହାଣ୍ଡେଲ ଏବଂ ଆର ହାତ ଝିଅର ଛାତିକୁ ଛୁଇଁବାକୁ ଚେଷ୍ଟା କରିଥିଲା । ଝିଅଟି ଚମକି ପଡିଲା ଓ ଚିକ୍ରାର କଲା । ତା ହାତରୁ ବହି ଖାତା ଇତ୍ୟାଦି ତଳେ ପଡ଼ି ଯାଇଥିଲା । ଅଚାନକ ମୋତେ ନିକଟରେ ଦେଖି ସେ ବଜ୍ଜାତ ଟୋକାଟା ହରବର ହୋଇ ପଲେଇଲା ।
  ଝିଅଟି ବରଡ଼ାପତ୍ର ପରି ଥରୁଥାଏ । ବହି ଗୋଟାଗୋଟି କରିବାରେ ମୁ୍ୟ ସାହାଯ୍ୟ କଲି ଏବଂ ଗୁରୁଜନ ପରି ତାକୁ କହିଲି, “ବୁଝିଲ, ଧୂ ଧୂ ଖରାବେଳେ ଏମିତିକା ନିରୋଳା ରାସ୍ତାରେ ଏକଲା ଝିଅପିଲା କ’ଣ ଆସନ୍ତି?”
  କାନ୍ଦିଲା ପରି ଝିଅଟି କହୁଥିଲା, “ମୋର ଲ୍ୟାବ ଥିଲା । ଆମ ଘର ତ ଏଇ ଲାଇନ୍‌ର । ଆଉ କୋଉ ରାସ୍ତାରେ ଯାଇଥାନ୍ତି?”
  “ତମ ବାପାଙ୍କ ନାଁ କ’ଣ?”
  “ଜୟରାମ ସାହୁ ।”
  “ଆରେ ତୁ ଆମ ଜୟରାମ ବାବୁଙ୍କ ଝିଅ? ମୁଁ ତୋ ଏକୋଇଶା ଭୋଜି ଖାଇଚି । ତୁ କଲେଜରେ ପଢ଼ିଲୁଣି? କିଛି ବ୍ୟସ୍ତ ହୁଅନା । ଯା ଘରକୁ ପଳା ।”
  ଶେଷ ଦୃଶ୍ୟ । ଆମେ ସ୍ୱାମୀ ସ୍ତ୍ରୀ ମିଶି ଫାଷ୍ଟ ସୋ ସିନେମା ଦେଖି ଫେରୁଥାଉ । ବୋଉ କହିଥିଲା କହି, ବିସ୍ରା ଛକ ତଳ ବଜାରରୁ ଆମ୍ବ ନେବାକୁ ସ୍ତ୍ରୀ ବରାଦ କଲେ । ମଟରସାଇକେଲ ସାଇଡ଼୍ କରି ମୁଁ ହେଲ୍ମେଟ ଖୋଲୁଥାଏ । ଆମ ଦିହିଁଙ୍କ ଏକଦମ୍ କତିରେ ପତ୍ନୀଙ୍କ ଅନେଇ ଦୁଇ ଜଣ ଯୁବକ ଆମେ ଶୁଣିପାରୁଥିବା ଢ଼ଙ୍ଗରେ କଥା ହେଉଥିଲେ, “ବଢ଼ିଆ ମାଲ୍‌ଟା ହେଇଚି ବେ ।”
  ମୁଁ ତତ୍‌କ୍ଷଣାତ୍ ପ୍ରତିବାଦ କଲି । “ଆବେ ହେ, ଜାଣିଚୁ ସିଏ କିଏ? ସିଏ ମୋ ସ୍ତ୍ରୀ?”
  ଟିକେ ବିଚଳିତ ନହୋଇ ସେଥିରୁ ଜଣେ କହିଲା, “ଭଲ ହେଲା । କୋଉଠି ରହୁଚ ତମ ଠିକଣା ଦଉନା । ରାତି ତ ଆଗକୁ ଆସୁଚି ।”
  ଲୋଫର ଦୁଇଟା ଅବିଚଳିତ ଭାବେ ମଟରସାଇକେଲ ଷ୍ଟାର୍ଟ କଲେ ଏବଂ ସେଠାରୁ ଚାଲିଗଲେ । ମୋ ପାଟିରୁ ବାହାରିପଡିଲା – ବାଷ୍ଟାର୍ଡ଼ ।
  ‘ମୁଁ’ ଠାରୁ ‘ଆମେ’ର ଦୂରତା କେତେ? ମାପିବା ଏତେ ସହଜ ନୁହେଁ । ଦୁର୍ଯ୍ୟୋଧନ ନିଜେ ମରିବା ପୂର୍ବରୁ ରକ୍ତନଦୀ ସନ୍ତରଣ କଲା ପଛେ ସେତିକି ତ ମାପି ପାରିଲାନି । ମାଥ୍ୟୁବାବୁ, ନରୋତ୍ତମ ପଲେଇ, ବ୍ରଜବାବୁ ବା ସେ ଅଚିହ୍ନା ଝିଅଟି ମୋତେ ଠିକ୍‌ଠିକ୍ ‘ମୋର’ ପରି ଲାଗି ଥିଲେ କି? ମାତ୍ର ସ୍ତ୍ରୀଙ୍କ ପାଇଁ ପ୍ରତିବାଦ କଲା ବେଳକୁ ମୁଁ ଏକୁଟିଆ ହୋଇଗଲି । ସେତେବେଳେ ମୋ ପାଖକୁ କେହି ଆସି ନ ଥିଲେ ।
  ଆମ୍ବ କିଣିବୁ କ’ଣ, ଅସହାୟ ଭାବେ ଆମେ ଦୁଇଜଣଯାକ ମୁହଁ ଚାହାଁଚାହିଁ ହୋଇ ଠିଆ ହୋଇ ରହିଗଲୁ ।