ଋଷ୍ୟଶୃଙ୍ଗ ଯାଗ କଲେ

ଉଇକିପାଠାଗାର ରୁ
Jump to navigation Jump to search

ଋଷ୍ୟଶୃଙ୍ଗ ଯାଗ କଲେ
ବିଷୟ
ମୁନିବର ବାଣୀ

ଋଷ୍ୟଶୃଙ୍ଗ ଯାଗ କଲେ । ଦେବତା ସନ୍ତୋଷ ହେଲେ ।
ପୂର୍ଣ୍ଣ ଆହୁତିର ଶେଷେ । ଜାତପୁରୁଷେ ।
ଦାହସୁବର୍ଣ୍ଣ ଶରୀର । ପାଉଁଶ ଘେନିଛି କର ।
ମୁନି ଦେଲେ ରାଜାକର । ଘେନିଣ ସେ ନୃପବର ।
କୌଶଲ୍ୟା କୈକେୟୀ ରାଣୀ । ଦେଲେ ସେ ଆଣି ।
ବେନିରାଣୀ ବେନିଭାଗ । ସୁମିତ୍ରାଙ୍କୁ ଅନୁରାଗ ।
କରିଣ ତାହାଙ୍କୁ ଦେଲେ । ଚରୁ ଖାଇଲେ ।
ଉଦେ ନୋହୁଁ ରବିପ୍ରଭା । ଯେହ୍ନେ ପ୍ରାଚୀ ଦିଶେ ଶୋଭା ।
ସେହିରୂପେ ସେ ସୁନ୍ଦର । ରହି ଗର୍ଭର ।
ଗଲା ବେନି ପାଞ୍ଚମାସ । ହେଲା ପ୍ରସବ ଦିବସ ।
ଚଇତ୍ର ଶୁକ୍ଳନବମୀ । ପୁତ୍ର ଜନମି ।
ଯେତେ ସେ ଲକ୍ଷଣମାନ । କ‌ହିଥିଲେ ତପୋଧନ ।
ତ‌ହିଁ କି କୋଟିଏ ଗୁଣେ । ଜାତ ଲକ୍ଷଣୈ ।
ତନୁ ମରକତଶ୍ରେଣୀ । ସକଳ ଦେବ ଅଗ୍ରଣୀ ।
କୌଶଲ୍ୟା ଉଦରୁଁ ଜାତ । ଅଖିଳତାତ ।
କୈକେୟୀ ଉଦରୁଁ ପୁତ୍ର । ଦୁର୍ବାଦଳ ପ୍ରାୟ ଗାତ୍ର ।
ଅବତରିଲେ ନନ୍ଦନ । ତାହାଙ୍କ ସାନ ।
ସୁମିତ୍ରା ଗର୍ଭରୁ ଜାତ । ହୋଇଲେ ସେ ବେନିସୁତ ।
ଶୁଦ୍ଧସୁବର୍ଣ୍ଣ ଶରୀର । ଅତି ମଧୁର ।
ଦେଖି ଦଶରଥ ତୋଷ । ରାଇଲେ ଦ୍ୱିଜ ବିଶେଷ ।
ଅଶ୍ୱ ଗଜ ଗାବ ଦାନ । ଦେଲେ ହିରଣ୍ୟ ।
ହେଲା ହାଟ ତୁଠ ଜୂର । ନେଲେ ସେ ଇତର ନର ।
ଦେବତାମାନଙ୍କୁ ତୋଷ । କରି ସନ୍ତୋଷ ।
କରାଇଲେ ନୃତ୍ୟ ଗୀତ । ଉତ୍ସବ ହେଲା ବ‌ହୁତ ।
ଦୁନ୍ଦୁଭୀ ବାଜେ ସ୍ୱର୍ଗରେ । ହୃଷ୍ଟ ଅମରେ ।
କଲେକ ନାଭି ଛେଦନ । ସୁଗନ୍ଧ କଲେ ଲେପନ ।
ଉଷ୍ଣଜଳରେ ଯେ ସ୍ନାନ । କଲେ ବ‌ହ‌ନ ।
ଶ୍ରୀଅଙ୍ଗ ପୋଛି ବସନ । କରାଇଲେ କ୍ଷୀରପାନ ।
ରତ୍ନ‌ଦୋଳି ପରେ ତୋଳି । ଶୁଆନ୍ତି ବାଳୀ ।
ଯେବଣ ରାମଚରଣ । ସକଳ ଲୋକ ଶରଣ ।
ସେ ପ୍ରଭୁ ଜନମ ଆସି । ଭଣିଲେ ବିଶି ।