ଓଡ଼ିଶା ଇତିହାସ/ଓଡ଼ିଶା ଇତିହାସ
←ଓଡ଼ିଶା ଇତିହାସ | ଓଡ଼ିଶା ଇତିହାସ (୨୦୧୧) ଲେଖକ/କବି: ଓଡ଼ିଶା ଇତିହାସ |
ଐତିହାସିକ ଭୂଗୋଳ→ |
ଓଡ଼ିଶା ଇତିହାସ
ଇତିହାସ ଅତୀତର ଘଟଣାବଳୀକୁ ଲିପି ମାଧ୍ୟମରେ ଅଭିବ୍ୟକ୍ତ କରେ । ଯେହେତୁ ଲିପିର ଆରମ୍ଭ ସର୍ବତ୍ର ଏକା ସମୟରେ ହୋଇନାହିଁ, ତେଣୁ ଭିନ୍ନ ଭିନ୍ନ ସ୍ଥାନର ଇତିହାସ ଲେଖା ଅଲଗା ଅଲଗା ସମୟରେ ଆରମ୍ଭ ହୋଇଛି । ମାତ୍ର ଲିପି ଉଦ୍ଭାବନର ବହୁ ପୂର୍ବରୁ ପୃଥିବୀରେ ମାନବର ଅବତରଣ ହୋଇଛି, କାର୍ଯ୍ୟକଳାପ ଲାଗି ରହିଛି । ଚାର୍ଲ୍ସ ଡାରଉଇନ୍ଙ୍କ ବିବର୍ତ୍ତନବାଦ ଅନୁସାରେ ସୃଷ୍ଟି ବା ବିବର୍ତ୍ତନର ମୋଟ ଅବଧି ଯଦି ୪ ଘଣ୍ଟା, ତହିଁରୁ ମାତ୍ର ଶେଷ ସାତ ମିନିଟ୍ରେ ମାନବ ଧରାପୃଷ୍ଠରେ ରହିଛି । ଅର୍ଥାତ୍ ମାନବର ବହୁ ପୂର୍ବରୁ ଅନ୍ୟ ପ୍ରାଣୀ ଓ ବୃକ୍ଷଲତା ରହିବା ଆରମ୍ଭ କରିଛନ୍ତି । ପୁଣି, ଡାରଉଇନ୍ କହନ୍ତି ଯେ, ଏହି ଶେଷ ସାତ ମିନିଟ୍ର ପ୍ରକୃତ ଅବଧି ହେବ ପାଖାପାଖି ୧୮ ଲକ୍ଷ ବର୍ଷ । ଏଥିରୁ ମାତ୍ର ଶେଷ ପାଞ୍ଚ ହଜାର ବର୍ଷରେ ହିଁ ଲିପିର ଉଦ୍ଭାବନ ହୋଇଛି, ସଭ୍ୟତାର ଇତିହାସକୁ ଲିପିବଦ୍ଧ କରିବାକୁ ପ୍ରୟାସ କରାଯାଇଛି । ବିଶ୍ୱର ସମସ୍ତ ବୃହତ୍ ସଭ୍ୟତା, ଯଥା ମିଶରର ନୀଳନଦୀ ସଭ୍ୟତା, ମେସୋପୋଟାମିଆ ସଭ୍ୟତା, ଚୀନ୍ ଓ ହରପ୍ପା ସଭ୍ୟତା ଆଦି ଉକ୍ତ ୨୪ ଘଣ୍ଟାର ଶେଷ କିଛି ମୁହୂର୍ତ୍ତରେ ଜନ୍ମ ନେଇଛନ୍ତି, ବିକଶିତ ହୋଇଛନ୍ତି ଏବଂ ବିଲୟ ମଧ୍ୟ ହୋଇଛନ୍ତି । ମାନବ କାର୍ଯ୍ୟକଳାପର ପ୍ରାୟ ସବୁତକ କାଳାଂଶ ଲିପି ଉଦ୍ଭାବନର ପୂର୍ବ ଖଣ୍ତରେ ରହିଯାଇଛି ।
ଲିଖିତ ଇତିହାସର ଅଭାବଯୋଗୁଁ ଇତିହାସର ଯେଉଁ କାଳାଂଶ ଆବୃତ ରହେ, ତାକୁ ପ୍ରାକ୍- ଐତିହାସିକ ଯୁଗ ବୋଲି କୁହାଯାଏ । ମୋଟ ଇତିହାସର ୯୯ ପ୍ରତିଶତରୁ ଅଧିକ ଭାଗ ଏହି ପ୍ରାକ୍- ଐତିହାସିକ ଯୁଗରେ ସନ୍ନିବିଷ୍ଟ । ପ୍ରତ୍ନତତ୍ତ୍ୱବିତ୍ମାନେ ପ୍ରାକ୍- ଐତିହାସିକ ପ୍ରସ୍ତର ଖଣ୍ତ, ପଶୁହାଡ଼ନିର୍ମିତ ଅସ୍ତ୍ରଶସ୍ତ୍ର, ଆଦିମାନବଦ୍ୱାରା ନିର୍ମିତ ଓ ବ୍ୟବହୃତ ଅନ୍ୟ ଉପକରଣ ସବୁକୁ ଅଧ୍ୟୟନ କରି ସେହି ଆଧାରରେ ତତ୍କାଳୀନ ମଣିଷର ଜୀବନ ଯାତ୍ରା କହିବାକୁ ପ୍ରୟାସ କରନ୍ତି । ଉପଲବ୍ଧ ଉପକରଣକୁ ଭିତ୍ତି କରି ପ୍ରାକ୍- ଇତିହାସ କାଳର ଇତିବୃତ୍ତ ରଚନା ଅଗ୍ରଗତି କରେ । ମାତ୍ର ଏହି ସମୟରେ ସଂଘଟିତ ଘଟଣାବଳୀର ସତ୍ୟାସତ୍ୟ ସମ୍ବନ୍ଧରେ ଐତିହାସିକମାନେ ନିଶ୍ଚିତ ହୋଇ ପାରନ୍ତି ନାହିଁ । ପ୍ରାକ୍-ଐତିହାସିକ ଅଧ୍ୟୟନରୁ ପ୍ରତିପାଦିତ ହୁଏ ଯେ, ଆଦିମାନବ ମୁଖ୍ୟତଃ ପ୍ରସ୍ତରନିର୍ମିତ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ପଶୁ ଶିକାର ସାଙ୍ଗକୁ ଜଙ୍ଗଲରୁ ଫଳ ମୂଳ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲା ଏବଂ ସମ୍ପୂର୍ଣ୍ଣ ଭାବେ ପ୍ରକୃତି ଉପରେ ନିର୍ଭରଶୀଳ ଥିଲା । ବିବର୍ତ୍ତନର ମୋଟ ଅବଧିରୁ ଯେଉଁ କିଛି ସମୟ ମଣିଷ ଧରା ପୃଷ୍ଠରେ ଅବସ୍ଥାନ କରିଛି ତହିଁରୁ ଅଧିକାଂଶ କାଳ ଅତିବାହିତ ହୋଇଛି ଆଦିମାନବ ରୂପରେ । ସମୟକ୍ରମେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିଛି । ମଣିଷ ତା'ଚାରିପଟର ପରିବର୍ତ୍ତନକୁ ଅନୁଧ୍ୟାନ କରି ଜଙ୍ଗଲର ପଶୁ ଓ ବୃକ୍ଷଲତାଙ୍କୁ ବ୍ୟବହାର ଉପଯୋଗୀ କରିଛି । ସମୟକ୍ରମେ ସେ ନିଆଁର ବ୍ୟବହାର ଶିଖିଛି ଓ କୃଷିକାର୍ଯ୍ୟ ଆରମ୍ଭ କରିଛି । ଏହା ତାକୁ ସ୍ଥାୟୀ ବସତି ସ୍ଥାପନ କରିବାକୁ ଅବସର ପ୍ରଦାନ କରିଛି ଏବଂ ସଭ୍ୟତା ଓ ସଂସ୍କୃତି ନିର୍ମାଣ କରିବାକୁ ସୁଯୋଗ ଦେଇଛି ।
ପ୍ରାକ୍-ଐତିହାସିକ ବିବିଧ ସାମଗ୍ରୀ ପୃଥିବୀର ବିଭିନ୍ନ ସ୍ଥାନରେ ମିଳିସାରିଛି । ଏହାର ଅର୍ଥ ହେଲା ବିବର୍ତ୍ତନର ପ୍ରକ୍ରିୟା କୌଣସି ଗୋଟିଏ ସ୍ଥାନରେ ସୀମିତ ହୋଇନାହିଁଁ । ସାମଗ୍ରୀଗୁଡ଼ିକର ବିଜ୍ଞାନସମ୍ମତ ପ୍ରଣାଳୀ ମାଧ୍ୟମରେ ସମୟ ନିରୂପଣ କରାଯାଏ । କେଉଁ ସାମଗ୍ରୀ କେତେ ପ୍ରାଚୀନ, ସେ ନେଇ ପ୍ରତ୍ନତତ୍ତ୍ୱବିଦ୍ମାନେ ଏକ ସହମତିରେ ଉପସ୍ଥିତ ହୁଅନ୍ତି । ଅର୍ଥାତ୍ ସାମଗ୍ରୀଗୁଡ଼ିକର ପ୍ରାଚୀନତା ଆଧାରରେ ଘଟଣାବଳୀଗୁଡିକୁ କାଳ କ୍ରମାନୁସାରେ ବିଭାଗୀକରଣ କରାଯାଏ । ସମଗ୍ର ପୃଥିବୀରେ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ବେଳେ ଏହି ବିଭାଗୀକରଣକୁ ମାନ୍ୟତା ଦିଆଯାଏ ।
ପୃଥିବୀର ଆନୁମାନିକ ବୟସ ହେବ ୪୦,୦୦୦ ଲକ୍ଷ ବର୍ଷ । ଏହି ସମୟସୀମାକୁ ଚାରିଖଣ୍ତରେ ବିଭକ୍ତ କରାଯାଏ । ଶେଷ ଖଣ୍ତଟିକୁ ପୁଣି ଦୁଇ ଭାଗରେ ବିଭକ୍ତ କରି ପ୍ଲିଷ୍ଟୋସିନ୍ (Pleistocene) ଓ ହଲୋସିନ୍(Holocene) ଯୁଗ ବୋଲି କୁହାଯାଏ । ପ୍ଲିଷ୍ଟୋସିନ୍ ଯୁଗ ହେଲା ଖ୍ରୀଷ୍ଟପୂର୍ବ ୨୦,୦୦,୦୦୦ରୁ ଖ୍ରୀଷ୍ଟପୂର୍ବ ୧୦,୦୦୦ ମଧ୍ୟବର୍ତ୍ତୀ କାଳଖଣ୍ତ । ହଲୋସିନ୍ ଯୁଗ ହେଲା ଖ୍ରୀଷ୍ଟପୂର୍ବ ୧୦,୦୦୦ ଏବଂ ବର୍ତ୍ତମାନ ଅବ୍ଦ ମଧ୍ୟବର୍ତ୍ତୀ ଅବଧି । ପ୍ରଥମେ ମାନବ ପ୍ଲିଷ୍ଟୋସିନ୍ ଯୁଗର ଆଦ୍ୟ କାଳରେ ଦେଖାଯାଇଥିଲା ବୋଲି ଅନୁମାନ କରାଯାଏ । ପ୍ରାଚୀନ ପ୍ରସ୍ତର ଯୁଗର ଆରମ୍ଭ ପ୍ଲିଷ୍ଟୋସିନ୍ ଯୁଗରେ । ତାକୁ ଗ୍ଲାସିଏସନ ଯୁଗ (Glaciation) ବୋଲି ମଧ୍ୟ କୁହାଯାଏ ।
ଆଦିମାନବ ଥିଲା ଅନେକାଂଶରେ ବାନରାକୃତି ଓ ତା'ର ଚରିତ୍ର ଥିଲା ବାନର ସୁଲଭ ।ପରବର୍ତ୍ତୀକାଳରେ ବିବର୍ତ୍ତିିତ ହୋଇ ସେ ଆଧୁନିକମାନବର ସାଦୃଶ୍ୟ ଅବସ୍ଥାରେ ପହଞ୍ଚିଲା । ଆଦିକାଳରେ ତା'ର କୌଣସି ନିର୍ଦ୍ଦିଷ୍ଟ ବାସସ୍ଥାନ ନଥିଲା; ଖାଦ୍ୟ ଅନ୍ୱେଷଣରେ ସେ ଯାଯାବର ଜୀବନଯାପନ କରୁଥିଲା । ବିଶାଳକାୟ ହିଂସ୍ର ଜନ୍ତୁମାନଙ୍କ ସହ ବସବାସ କରୁଥିଲା । ବିବର୍ତ୍ତିିତ ଅବସ୍ଥାରେ ଶରୀର ଗଠନ ଓ ସାମର୍ଥ୍ୟ ଦୃଷ୍ଟିରୁ ସେ ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ଦୁର୍ବଳ ଓ ଅସହାୟ ଥିଲା । ହେଲେ, ତା'ର ମାନସିକ ଶକ୍ତି ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ଅଧିକ ରହିଥିଲା ବୋଲି ସେ ଅଧିକ ବଳୀୟାନ ବିବେଚିତ ହେଲା । ଏପରିକି କେତେକ ବନ୍ୟ ପଶୁଙ୍କୁ ସେ ବଶ କରି ସେମାନଙ୍କୁ ନିଜ ସ୍ୱାର୍ଥରେ ବିନିଯୋଗ କରିବା ମଧ୍ୟ ଆରମ୍ଭ କଲା । ସେହିଭଳି ବୁଦ୍ଧି ପ୍ରୟୋଗ କରି ସେ ପ୍ରସ୍ତରନିର୍ମିତ ଉପକରଣ ନିର୍ମାଣ କଲା। ପଥର ବ୍ୟତୀତ ହାଡ଼, ପଶୁ ଶିଙ୍ଘ, ମୃତ ପ୍ରାଣୀର ଚମଡାକୁ ବ୍ୟବହାର କରି ସେ ନିଜ ଆବଶ୍ୟକତା ଅନୁଯାୟୀ କୁରାଢ଼ି, ଛୁରୀ, ନିହଣ, ତୀର, ବର୍ଚ୍ଛା, ଫଳା, ଶାବଳ ଆଦି ମଧ୍ୟ ତିଆରି କଲା।
ହାତହତିଆର ଓ କାରିଗରି କୌଶଳ ଆଧାରରେ ମଧ୍ୟ ପ୍ରତ୍ନତତ୍ତ୍ୱବିତ୍ମାନେ ପ୍ରସ୍ତର ଯୁଗକୁ ତିନି ଭାଗରେ ବିଭକ୍ତ କରନ୍ତି। ତାହା ହେଲା: ପ୍ରାଚୀନ ପ୍ରସ୍ତର ଯୁଗ(ପ୍ରା.ସା ୯୦୦୦ ପୂର୍ବାବସ୍ଥା), ମଧ୍ୟ ପ୍ରସ୍ତର ଯୁଗ (ପ୍ରା.ସା. ୯୦୦୦ ଓ ପ୍ରା.ସା. ୪୦୦୦ ମଧ୍ୟବର୍ତ୍ତୀକାଳ) ଓ ନୂତନ ପ୍ରସ୍ତର ଯୁଗ। ହିଂସ୍ର ପଶୁକୁ ଶିକାର କରିବା ଯୋଗ୍ୟ ଉପକରଣ ଓ ଜଙ୍ଗଲ ହାଣି, ମାଟିକୁ କର୍ଷଣ କରି କୃଷି କର୍ମ କରିପାରିବା ପରି ଉପକରଣ ଆଦି ନୂତନ ବା ଶେଷ ପ୍ରସ୍ତର ଯୁଗରେ ହିଁ ମଣିଷ ନିର୍ମାଣ କରିବାକୁ ସକ୍ଷମ ହେଲା।
୧୮୫୯ ରେ ଡାରଓ୍ୱିନ୍ଙ୍କ 'ଅରିଜିନ ଅଫ୍ ସ୍ପେସିସ୍' ପୁସ୍ତକ ପ୍ରକାଶିତ ହେଲା। ଏହା ବିବର୍ତ୍ତନବାଦ ସମ୍ବନ୍ଧରେ ନୂଆ ତଥ୍ୟ ଦେଲା। ଅନ୍ୟମାନେ ମଧ୍ୟ ଆଦିମାନବ ସମ୍ବନ୍ଧିତ ଡାରଓ୍ୱିନଙ୍କ ଯୁକ୍ତିକୁ ଗ୍ରହଣ କଲେ। ସେହି ବର୍ଷ ଫରାସୀ ପ୍ରତ୍ନତତ୍ତ୍ୱବିତ୍ ବାଉଚର ଡି ପର୍ଥସ୍ (Boucher de Perthes) ଆବିଷ୍କାର କରିଥବା ପ୍ରସ୍ତର ସାମଗ୍ରୀ ପ୍ରସ୍ତର ଯୁଗୀୟ ଓ ମଣିଷନିର୍ମିତ ବୋଲି ଏକ ସନ୍ଦର୍ଭରେ ଉପସ୍ଥାପନ କଲେ। ଏହାର ଚାରି ବର୍ଷ ପରେ ୧୮୬୩ରେ ଲୁବକ୍ (Lubbock) ନାମକ ଜଣେ ଜର୍ମାନ ପ୍ରତ୍ନତତ୍ତ୍ୱବିତ୍ ସମଗ୍ର ପ୍ରାକ୍-ଇତିହାସ ଯୁଗକୁ ଦୁଇଟି ପୃଥକ୍ ସାଂସ୍କୃତିକ ପର୍ଯ୍ୟାୟରେ ବିଭକ୍ତ କରି ପ୍ରାଚୀନ ପ୍ରସ୍ତର ଯୁଗ (Palaeolithic) ଓ ନୂତନ ପ୍ରସ୍ତର ଯୁଗ (Neolithic) ଭାବରେ ନାମିତ କଲେ। ଫଳରେ, ଆଦିମାନବ ସମ୍ବନ୍ଧୀୟ ଅବଧାରଣାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଲା।
୧୮୬୩ରେ ଭାରତର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ରବର୍ଟ ବୃଶ୍ ଫୁଟ୍ (Robert Bruce Foot) ମାଡ୍ରାସ ସହର ଉପକଣ୍ଠସ୍ଥିତ ପଲ୍ଲଭରମ୍ଠାରୁ ପ୍ରଥମ କରି ଭାରତରେ ପ୍ରାଚୀନ ପ୍ରସ୍ତର ଯୁଗୀୟ ଉପକରଣମାନ ଆବିଷ୍କାର କରିଥିଲେ। ଏହା ପରେ ସେ ତାଙ୍କର ଜଣେ ସହକର୍ମୀ ଓ୍ୱିଲିଅମ୍ କିଙ୍ଗ (William King)ଙ୍କ ସହ ମିଶି ମାଡ୍ରାସ ନିକଟସ୍ଥ କୋର୍ଟାଲାୟର ଓ ନର୍ଣ୍ଣାଭରମ ନଦୀ ଶଯ୍ୟାରୁ ଆହୁରି କିଛି ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କାର କଲେ। ଏଥିରୁ ପ୍ରତିପାଦିତ ହେଲା ଯେ, ଆଜି ଭାରତବର୍ଷ ନାମରେ ପରିଚିତ ଏହି ଭୂଖଣ୍ତରେ ମଧ୍ୟ ପ୍ରସ୍ତର ଯୁଗରେ ଆଦିମାନବ ଅବସ୍ଥାନ କରୁଥିଲା।
ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ପ୍ରତ୍ନତାତ୍ତ୍ୱିକ ଖନନର ପରଂପରା ଓଡ଼ିଶାକୁ ମଧ୍ୟ ବିସ୍ତାରିତ ହେଲା। ପ୍ରଥମେ ୧୮୭୫ରେ ଭାଲେଣ୍ଟାଇନ୍ ବଲ୍ ନାମକ ଜଣେ ବ୍ରିଟିଶ୍ ଭୂତତ୍ତ୍ୱବିତ୍ ଓଡ଼ିଶାର ଚାରିଟି ସ୍ଥାନରୁ ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କାର କଲେ। ଉକ୍ତ ସ୍ଥାନଗୁଡ଼ିକ ହେଲା: ସମ୍ବଲପୁର ଜିଲ୍ଲାର ବୁର୍ସାପାଲି, ଅନୁଗୁଳ ଜିଲ୍ଲାର କାଳିଆ କଟା, ହରିଚନ୍ଦନପୁର ଓ ଢେଙ୍କାନାଳ। ମୋଟ କଥା ହେଲା ଯେ, ପାଖାପାଖି ପ୍ରାୟ ଏକ ସମୟରେ ସମଗ୍ର ପୃଥିବୀରେ ପ୍ରାକ୍-ଐତିହାସିକ ପ୍ରତ୍ନତାତ୍ତ୍ୱିକ ଖନନ ଓ ଗବେଷଣା ଆରମ୍ଭ ହୋଇଥିଲା। ୧୮୭୫ରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଗବେଷଣା ପରବର୍ତ୍ତୀ କାଳରେ ବହୁଦିନ ଧରି ଅବହେଳିତ ହୋଇ ରହିଥିଲା। ପରେ ୧୯୨୩ରେ ପରମାନନ୍ଦ ଆଚାର୍ଯ୍ୟ ଏହାର ପୁନରାରମ୍ଭ କରି ନିଜ ଗାଁ ମୟୂରଭଞ୍ଜ ଜିଲ୍ଲାସ୍ଥିତ ବଇଦିପୁରଠାରେ ନୂତନ ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କାର କଲେ। ପରେ ଆର.ଡି. ବାନାର୍ଜୀ "ଓଡ଼ିଶା ଇତିହାସ' (History of Odisha) ପୁସ୍ତକରେ ଓଡ଼ିଶାରେ ପ୍ରାକ୍-ଐତିହାସିକ ପ୍ରସ୍ତର ସଂସ୍କୃତି ରହିଥିବା କଥା ଉଲ୍ଲେଖ କଲେ। ପରମାନନ୍ଦ ଆଚାର୍ଯ୍ୟ ଓ ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ଗବେଷକ ଡବ୍ଲ୍ୟୁ.ସି. ଓରମ୍ୟାନଙ୍କ ମିଳିତ ଉଦ୍ୟମରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରୁ ମଧ୍ୟ ପ୍ରାଚୀନ ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କୃତ ହେଲା। ୧୯୪୮ରେ କଲିକତା ବିଶ୍ୱବିଦ୍ୟାଳୟର ନିର୍ମଳ କୁମାର ବୋଷ ଓ ଧରଣୀ ସେନ୍ଙ୍କ ସହଯୋଗରେ ମଧ୍ୟ କୁଳିଅଣାଠାରେ ପ୍ରତ୍ନତାତ୍ତ୍ୱିକ ଖନନ ଆରମ୍ଭ ହେଲା। ଏହାକୁ ଭାରତର ପ୍ରାକ୍-ଐତିହାସିକ ଗବେଷଣାର ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ମନେ କରାଯାଏ। ଏଠାରୁ ମାଟିପାତ୍ର ଓ ଧାନ ମଧ୍ୟ ଆବିଷ୍କୃତ ହୋଇଛି।
ପରବର୍ତ୍ତୀ କାଳରେ ଓଡ଼ିଶାର ବହୁ ସ୍ଥାନରୁ ପ୍ରସ୍ତର ଯୁଗୀୟ ଉପକରଣମାନ ଆବିଷ୍କୃତ ହୋଇଛି। ପୁନା ଡେକାନ୍ କଲେଜର ପ୍ରତ୍ନତତ୍ତ୍ୱବିଦ୍ ଗୋପାଳଚନ୍ଦ୍ର ମହାପାତ୍ର ଉକ୍ତ ସ୍ଥାନଗୁଡ଼ିକର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିଛନ୍ତି। ସେହି ତାଲିକା ଅନୁଯାୟୀ ସ୍ଥାନଗୁଡ଼ିକ ହେଲା:
ମୟୂରଭଞ୍ଜ ଜିଲ୍ଲା: ବାରିପଦା, ବାଙ୍ଗିରିପୋଷି, କୁଳିଅଣା, କୁଚାଇ, ପ୍ରତାପପୁର, ସିର୍ସା, ବଇଦିପୁର, ଚିତ୍ରଡା, ହରିପୁର, କପ୍ତିପଦା, ଖିଚିଙ୍ଗ ଏବଂ ମଣ୍ତା।
ଅବିଭକ୍ତ ଢେଙ୍କାନାଳ ଜିଲ୍ଲା: ଢେଙ୍କାନାଳ, ଭୀମକୁଣ୍ତ, ହିନ୍ଦୋଳ ରୋଡ୍, ତାଳଚେର, ହରିଚନ୍ଦନପୁର ଓ ଡୁଁରିଆ।
ସୁନ୍ଦରଗଡ଼ ଜିଲ୍ଲା: ଜଙ୍ଗ୍ରା, ସାତକୁଟା, ବଣାଇଗଡ଼, ବିସ୍ରା, ଖଡ଼ିଆକୁଦର ଓ ଖୁଣ୍ଟାଗାଁ।
କେନ୍ଦୁଝର ଜିଲ୍ଲା: ଚମ୍ପୁଆ, ଜଗନ୍ନାଥପୁର, ରମଲା ଓ ପାଟଣା।
ଅବିଭକ୍ତ ପୁରୀ ଜିଲ୍ଲା: ଭୁବନେଶ୍ୱର, ଉଦୟଗିରି, ରଣପୁର ଓ ଶିଶୁପାଳଗଡ଼।
କଟକ ଜିଲ୍ଲା: ମଥୁରାପୁର (ଆଠଗଡ଼)।
ଗଞ୍ଜାମ ଜିଲ୍ଲା: ଜଉଗଡ଼।
ସମ୍ବଲପୁର ଜିଲ୍ଲା: ବୁର୍ସାପାଲି, କୁଡ଼ା ବଗା ଓ ଲସା (କୁଚିଣ୍ତା)
ଏହା ବାହାରେ ମଧ୍ୟ ବଲାଙ୍ଗୀର, ଫୁଲବାଣୀ ଆଦି ଜିଲ୍ଲାରେ ପ୍ରସ୍ତର ଯୁଗୀୟ ଅବଶେଷର ସନ୍ଧାନ ମିଳିଛି।
ନୂତନ ପ୍ରସ୍ତର ଯୁଗ ହେଉଛି ପ୍ରାକ୍-ଐତିହାସିକ ସାଂସ୍କୃତିକ ବିବର୍ତ୍ତନର ଏକ ବୈପ୍ଳବିକ କାଳଖଣ୍ତ। ପ୍ରାଚୀନ ପ୍ରସ୍ତର ଯୁଗୀୟ ମଣିଷ ମୁଖ୍ୟତଃ ଶିକାର ଓ ଫଳମୂଳ ସଂଗ୍ରହକୁ ଜୀବିକା ନିର୍ବାହର ମାଧ୍ୟମ ରୂପେ ଗ୍ରହଣ କରିଥିଲା। ମଧ୍ୟ-ପ୍ରସ୍ତର ଯୁଗରେ ଶିକାରନିମିତ୍ତ ବ୍ୟବହୃତ ପ୍ରସ୍ତର ଉପକରଣରେ ଉନ୍ନତି ଦେଖାଗଲା, ମାତ୍ର ସେ ଆଗ ଭଳି କେବଳ ଶିକାରୀ ଓ ଫଳ ସଂଗ୍ରହକାରୀ ହୋଇ ରହିଲା। ନୂତନ ପ୍ରସ୍ତର ଯୁଗରେ ଶିକାର ଓ ଫଳମୂଳ ସଂଗ୍ରହ ବ୍ୟତୀତ ମଣିଷ ଉନ୍ନତ ଅସ୍ତ୍ରଶସ୍ତ୍ର ଓ ଉପକରଣ ନିର୍ମାଣ କରି କୃଷି ଉତ୍ପାଦନ ମଧ୍ୟ ଆରମ୍ଭ କଲା। ଏହା ତାକୁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାୟୀ ଭାବରେ ରହିବାକୁ ଅବସର ପ୍ରଦାନ କଲା। ଏହି ସମୟରେ ମଣିଷ ତା'ର ପାରିପାର୍ଶ୍ୱିକ ପରିବେଶ, ବୃକ୍ଷଲତା ଓ ଜୀବଜନ୍ତୁଙ୍କ ଉପରେ ଅଧିକ ପ୍ରଭାବ ବିସ୍ତାର କଲା। ଅନ୍ୟ ଶବ୍ଦରେ କହିଲେ, ନୂତନ ପ୍ରସ୍ତର ଯୁଗରେ ମଣିଷର ଜୀବନଶୈଳୀରେ ଏକ ଅଭୂତପୂର୍ବ ଭୌତିକ ଓ ସାମାଜିକ ପରିବର୍ତ୍ତନ ଦେଖାଗଲା।
ଓଡ଼ିଶାରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷଗୁଡିକରୁ ଅଧିକାଂଶ ନୂତନ ପ୍ରସ୍ତରଯୁଗୀୟ ବୋଲି ଅନୁମାନ କରାଯାଏ। ଉଦାହରଣ ସ୍ୱରୂପ, ମୟୂରଭଞ୍ଜ ଜିଲ୍ଲା ବଇଦିପୁରଠାରେ ମାଟିପାତ୍ର ଓ ଧାନର ନମୁନା ମିଳିଛି। ୧୯୬୧-୬୨ରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ବି.କେ. ଥାପରଙ୍କ ଉଦ୍ୟମରେ ବାରିପଦା ନିକଟସ୍ଥ କୁଚାଇଠାରେ ଖନନ କାର୍ଯ୍ୟ କରାଯାଇଥିଲା ଏବଂ ତହିଁରୁ ଲାଲମାଟି ପାତ୍ର ଓ କେତୋଟି ଚିକ୍କଣ ପ୍ରସ୍ତର ନିର୍ମିତ ଅସ୍ତ୍ରଶସ୍ତ୍ର ଆବିଷ୍କୃତ ହୋଇଥିଲା। ଏଗୁଡ଼ିକ ନୂତନ ପ୍ରସ୍ତର ଯୁଗୀୟ ସଂସ୍କୃତିର ବୋଲି ଧାରଣା ସୃଷ୍ଟି ହୁଏ।
ଓଡ଼ିଶାରେ ଆବିଷ୍କୃତ ନୂତନ ପ୍ରସ୍ତର ଯୁଗୀୟ ବିଭିନ୍ନ ଉପକରଣର ପ୍ରକାରଭେଦ, ଅବସ୍ଥିତି ଏବଂ ତହିଁରେ ବ୍ୟବହୃତ ପ୍ରସ୍ତରକୁ ଭିତ୍ତିକରି ଗବେଷକ ରବିନାରାୟଣ ଦାସ ସେଗୁଡିକୁ ପାଞ୍ଚଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆୟତାକାର କୁରାଢ଼ି; ଦ୍ୱିତୀୟ ପର୍ଯ୍ୟାୟରେ ଲମ୍ବାକୃତି ଖଣତି; ତୃତୀୟ ପର୍ଯ୍ୟାୟରେ ତ୍ରିଭୁଜାକାର ଓ ଗୋଲାକୃତି ଖଣତି; ଚତୁର୍ଥ ପର୍ଯ୍ୟାୟରେ ଧାରବିହୀନ ଚତୁଷ୍କୋଣୀ ଖଣତି ଏବଂ ଶେଷ ପର୍ଯ୍ୟାୟରେ ସିଧା ଜ୍ୟାମିତିକ ତୀକ୍ଷ୍ଣ ଧାରଯୁକ୍ତ ଖଣତିର ତିଆରି ଓ ପ୍ରୟୋଗ ହେଉଥିଲା ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ନିକଟସ୍ଥ ସୁଲଭଡିହଠାରେ ନୂତନ ପ୍ରସ୍ତର ଯୁଗର କିଛି ଅସ୍ତ୍ରଶସ୍ତ୍ର ଆବିଷ୍କୃତ ହୋଇଛି। ଏହି ପ୍ରତ୍ନତାତ୍ତ୍ୱିକ ଖନନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗବେଷକ ପ୍ରଦୀପ କୁମାର ବେହେରାଙ୍କ ଉଦ୍ୟମରେ ସଂଘଟିତ ହୋଇଛି। ଆବିଷ୍କୃତ ଅସ୍ତ୍ରଶସ୍ତ୍ରଗୁଡିକ ମଧ୍ୟରେ ମୁଖ୍ୟ ହେଲା- କୁରାଢ଼ି, ନିହଣ ଓ ହାତୁଡ଼ି; ସେଗୁଡିକ କୃଷ୍ଣବର୍ଣ୍ଣର ଆଗ୍ନେୟଶିଳାରେ ନିର୍ମିତ। କୁରାଢ଼ିର ତୀକ୍ଷ୍ଣତାରୁ ଅନୁମାନ କରିହୁଏ ଯେ ଜମିକୁ ଚାଷୋପଯୋଗୀ କରିବାପାଇଁ ବା ଜଙ୍ଗଲ ସଫା କରିବା ପାଇଁ ଏହାର ବ୍ୟବହାର କରାଯାଉଥିଲା। ନୂତନ ପ୍ରସ୍ତର ଯୁଗୀୟ ସଂସ୍କୃତି ଓଡ଼ିଶାରେ ବିଶେଷ କରି ନଦୀ ଉପତ୍ୟକାଗୁଡ଼ିକରେ ଦେଖାଯାଏ।
ନୂତନ ପ୍ରସ୍ତର ଯୁଗ ପରବର୍ତ୍ତୀ କାଳରେ ମଣିଷ ତାମ୍ର-ପ୍ରସ୍ତର ଯୁଗରେ ଅବତୀର୍ଣ୍ଣ ହେଲା। ଏହି ଯୁଗର ବିଶେଷତ୍ୱ ହେଲା, ପାରମ୍ପରିକ ପ୍ରସ୍ତର ଉପକରଣ ବ୍ୟତୀତ ମଣିଷ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ନିର୍ମାଣପାଇଁ ଧାତୁର ବ୍ୟବହାର ଆରମ୍ଭ କଲା। ଆବିଷ୍କୃତ ଧାତୁ ମଧ୍ୟରେ ପ୍ରଧାନ ଥିଲା ତମ୍ବା। ଧାତୁ ବ୍ୟତୀତ ଚିତ୍ରିତ ମାଟି ପାତ୍ରର ବ୍ୟବହାର ମଧ୍ୟ ଏହି ସମୟରେ ଆରମ୍ଭ ହୋଇଥିଲା।
୧୯୫୦ରେ ଗବେଷକ ଏଚ୍.ଡି. ସଙ୍ଖାଲିଆ ପଶ୍ଚିମ ମହାରାଷ୍ଟ୍ରର ଜୋରେଓ୍ୱଠାରେ ତାମ୍ର-ପ୍ରସ୍ତର ଯୁଗୀୟ ଅବଶେଷମାନ ପ୍ରତ୍ନତାତ୍ତ୍ୱିକ ଖନନ ପ୍ରକ୍ରିୟାରେ ଆବିଷ୍କାର କରିଥିଲେ। କାର୍ବନ ଡେଟିଂ ପଦ୍ଧତିଦ୍ୱାରା ଏହି ସଂସ୍କୃତିର ସମୟକାଳ ପ୍ରାୟ ଖ୍ରୀ.ପୂ.୨୦୦୦ରୁ ଖ୍ରୀ.ପୂ. ୭୦୦ ବୋଲି ନିର୍ଦ୍ଧାରଣ କରାଯାଇଛି । ଜୋରୱେକୁ ବାଦଦେଲେ ମହାରାଷ୍ଟ୍ରର ନେଭାସା, ଦାଇମାବାଦ, ଚନ୍ଦୋଲି, ସୋନଗାଁଓ, ଇନାମଗାଁଓ, ପ୍ରକାଶ ଓ ନାସିକଠାରେ ମଧ୍ୟ ତାମ୍ର-ପ୍ରସ୍ତର ଯୁଗୀୟ ଅସ୍ତ୍ରଶସ୍ତ୍ର ଏବଂ ସଂସ୍କୃତି ଆବିଷ୍କୃତ ହୋଇଛି । ସର୍ବପ୍ରଥମେ ଲେକଲୋଚନକୁ ଆସିଥିବା 'ଜୋରୱେ ସଂସ୍କୃତି' ସହିତ ଏଗୁଡ଼ିକର ଅନେକ ସାମଞ୍ଜସ୍ୟ ରହିଥିବାରୁ ଏ ସମସ୍ତ ସଂସ୍କୃତିକୁ 'ଜୋରୱେ ସଂସ୍କୃତି' ନାମରେ ନାମିତ କରାଯାଏ । ଭାରତର ଆହୁରି ଅନେକ ସ୍ଥାନରୁ ମଧ୍ୟ ତାମ୍ର-ପ୍ରସ୍ତର ଯୁଗୀୟ ଅବଶେଷମାନ ଆବିଷ୍କୃତ ହୋଇଛି । ତନ୍ମଧ୍ୟରେ ରହିଛି : ରାଜସ୍ଥାନର ଆହର (Ahar), ଗିଲୁନ୍ଦ (Gilund); ମଧ୍ୟପ୍ରଦେଶର କାୟଥା (Kayatha), ନାଭଦାଟୋଲି (Navadtoli), ମହେଶ୍ୱର (Maheswar), ଏରାନ (Eran); ଉତ୍ତର ପ୍ରଦେଶର କାକୁରିଆ (Kakuria), କୋଲଡିହା (Koldiha),ଖଜୁରିଆ (Khajuria); ବିହାରର ସୋନପୁର (Sonepur), ଚିରାନ୍ଦ (Chirand); ପଶ୍ଚିମବଙ୍ଗର ମହିଶ ଦାଲ (Mahisdal), ମଙ୍ଗଲକୋଟ (Mangalkot)ଏବଂ ପଣ୍ତୁରାଜାର ଡିବି (Pandu Rajar Dhibi) ।
୧୯୯୧-୯୨ରେ ଓଡ଼ିଶାରେ ପ୍ରଥମ କରି ଖୋର୍ଦ୍ଧା ଜିଲ୍ଲାର ଗୋଳବାଇଠାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ବି.କେ. ସିହ୍ନାଙ୍କ ନେତୃତ୍ୱରେ ହୋଇଥିବା ଖନନରୁ ତାମ୍ର-ପ୍ରସ୍ତର ଯୁଗୀୟ ସଂସ୍କୃତିର ଅବସ୍ଥିତି କଥା ସ୍ପଷ୍ଟ ହୁଏ । ଏହା ନୂତନ ପ୍ରସ୍ତର ଯୁଗ ଓ ଲୌହଯୁଗ ମଧ୍ୟବର୍ତ୍ତୀ କାଳଖଣ୍ତରେ ଘଟିତ ବିବର୍ତ୍ତନକୁ ଇଙ୍ଗିତ କରେ । ଓଡ଼ିଶା ତଥା ଓଡ଼ିଶା ବାହାରେ ହୋଇଥିବା ଖନନରୁ ଜଣାଯାଏ ଯେ, ଏହି ଯୁଗରେ ମଣିଷ ପଥର ବ୍ୟତୀତ ହାଡ, ତମ୍ବା ଓ ମାଟିକୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ନିର୍ମାଣ ଲାଗି ବ୍ୟବହାର କରୁଥିଲା । ଆବିଷ୍କୃତ ପ୍ରସ୍ତର ଉପରକଣଗୁଡ଼ିକ ମଧ୍ୟରେ ରହିଛି କୁରାଢ଼ି, କ୍ଷୁଦ୍ରମୁନଯୁକ୍ତ ଛୁରୀ, ଜ୍ୟାମିତିକ ଆକାରର ଏକ ପ୍ରକାରର ଅର୍ଦ୍ଧ ଉପକରଣ- ଯାହାକୁ ଇଂରାଜୀରେ କୁହାଯାଏ Lunate, ଛିଦ୍ର କରିବାପାଇଁ ଉଦ୍ଦିଷ୍ଟ ଏକ ପ୍ରକାରର ଉପକରଣ ଏବଂ ଚାପ ପ୍ରୟୋଗ କରି ବିଭିନ୍ନ ଫଳର ଚୋପା ଛଡାଇବା ଲାଗି ଉଦ୍ଦିଷ୍ଟ ଉପକରଣ, ସୁଦୀର୍ଘ ବର୍ଚ୍ଛା, ଧନୁତୀର, ଛିଦ୍ର କରିବାପାଇଁ ଉଦ୍ଦିଷ୍ଟ ଏକ ଉପକରଣ (Borer) ଇତ୍ୟାଦି । ଏହା ବ୍ୟତୀତ ଖୋଦନପାଇଁ ଉଦ୍ଦିଷ୍ଟ ଏକ ପ୍ରକାର ଉପକରଣ, ଚମଡ଼ା ଉତାରିବାପାଇଁ ଉଦ୍ଦିଷ୍ଟ ଉପକରଣ, କାଟିବାପାଇଁ ବ୍ଲେଡ୍, ଫୋଡ଼ଣୀ, ଛୁରୀ, ନିହଣ, ଗଇଁତି ଏବଂ ଫସଲ କାଟିବା ଲାଗି ବ୍ୟବହାର ହେଉଥିବା ଦାଆ ପରି ଏକ ଉପକରଣ ମଧ୍ୟ ଅସ୍ଥି ନିର୍ମିତ ଥିଲା । ଖନନରୁ ଆବିଷ୍କୃତ ହୋଇଥିବା ତାମ୍ର ନିର୍ମିତ ଉପକରଣ ମଧ୍ୟରେ ଅଛି କାନ ଗହଣା, ନିହଣ ଓ ମାଛ କଣ୍ଟା । କୃଷି ଜାତ ଉତ୍ପାଦ ମଧ୍ୟରେ ପ୍ରଧାନ ଥିଲା ଧାନ ଓ କୋଳଥ । ଏହି ଯୁଗରେ ମଣିଷ ବିଭିନ୍ନ ରଂଗର ମାଟି ପାତ୍ର ମଧ୍ୟ ବ୍ୟବହାର କରୁଥିଲା । ସେଗୁଡ଼ିକ ମଧ୍ୟରେ ସରା, ବେଲା, ଥାଳି, ପଲମ, ହାଣ୍ତି, ସୁରେଇ, ଗିନା, ଗ୍ଲାସ, ବଇଠି ଏବଂ ବୃହତ ଆକାରର ଶସ୍ୟ ସଂରକ୍ଷଣ ପାତ୍ର ଆଦି ପ୍ରଧାନ । ଖୋର୍ଦ୍ଧାର ଗୋଳବାଇକୁ ବାଦ ଦେଲେ ଢେଙ୍କାନାଳ ଜିଲ୍ଲାର ସାଙ୍କେରଜଙ୍ଗ ଓ ଦୁନିରିଆ, ସୋନପୁର ଜିଲ୍ଲାର ଖମ୍ବେଶ୍ୱରୀପାଲି, ଓ ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ୍, କ୍ଷେତ୍ରା ତଥା ବାହାଡ଼ାଠାରେ ତାମ୍ର ପ୍ରସ୍ତରଯୁଗୀୟ ଉପକରଣମାନ ମିଳିଛି । ୧୯୯୮ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସଦାଶିବ ପ୍ରଧାନ ଓ ପ୍ରଦୀପ କୁମାର ବେହେରା ଖମ୍ବେଶ୍ୱରୀପାଲିରେ କେତେକ ତାମ୍ର ଅସ୍ତ୍ରଶସ୍ତ୍ର, ତଥା ଲୋହିତ ଓ କୃଷ୍ଣବର୍ଣ୍ଣର ବିଭିନ୍ନ ମାଟି ପାତ୍ର ଖନନ ବେଳେ ଆବିଷ୍କାର କରିଥିଲେ । ମାଟିପାତ୍ରଗୁଡିକ ମଧ୍ୟରେ ରହିଥିଲା ସରା, ବେଲା, ଥାଳି, ପଲମ ଓ ହାଣ୍ତି ଭଳି ଉପାଦେୟ ସଂରକ୍ଷଣ ପାତ୍ର । ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାର ଖନନ ସ୍ଥଳୀରୁ ଆବିଷ୍କୃତ ବଡ଼ ଆକାରର ତାମ୍ର କୁରାଢ଼ିରୁ ମନେହୁଏ, ଏହାକୁ ହୁଏତ ଗଛ ହାଣିବା ତଥା ଅନ୍ୟାନ୍ୟ ବସ୍ତୁକୁ କାଟିବା କାମରେ ବ୍ୟବହାର କରା ହେଉଥିଲା । କାର୍ବନ ଡେଟିଂ ପଦ୍ଧତି ଆଧାରରେ ଓଡ଼ିଶାରେ ଏହି ସଂସ୍କୃତିର ସମୟକାଳ ଖ୍ରୀ.ପୂ. ୨୧୦୦ରୁ ଖ୍ରୀ.ପୂ. ୧୫୦୦ ମଧ୍ୟରେ ବୋଲି ଅନୁମାନ କରାଯାଏ ।
ଶୈଳଚିତ୍ର ହେଲା ପ୍ରାକ୍-ଐତିହାସିକ ଯୁଗର ଏକ ପ୍ରମୁଖ ବିଶେଷତ୍ୱ । ଏହି ଚିତ୍ରଗୁଡ଼ିକ ମୁଖ୍ୟତଃ ଶୈଳାଶ୍ରୟ ଓ ଗୁମ୍ଫାମାନଙ୍କରେ ଖୋଦିତ ଓ ରଙ୍ଗଦ୍ୱାରା ଚିତ୍ରିତ ହୋଇଥିବାର ଦେଖାଯାଏ । ଏଥିରୁ ମନେହୁଏ ଯେ ଆଦିମାନବ ଗୁମ୍ଫା ଓ ଶୈଳାଶ୍ରୟରେ ମୁଖ୍ୟତଃ ବସବାସ କରୁଥିଲା । ଚିରସ୍ରୋତା ଝରଣା ନିକଟରେ ସେ ଅଧିକ ସମୟ ଅବସ୍ଥାନ କରୁଥିବାରୁ ସେଠାରେ ମଧ୍ୟ ଶୈଳଚିତ୍ର ଦେଖିବାକୁ ମିଳେ । ଶୈଳଚିତ୍ରରୁ ଆଦିମାନବର ସୃଜନଶୀଳତା, କଳ୍ପନା, ଧର୍ମବିଶ୍ୱାସ, ଜୀବନଧାରଣ ପ୍ରଣାଳୀ ତଥା ପ୍ରକୃତି ସହ ନିବିଡ଼ ସମ୍ବନ୍ଧର ଅବଧାରଣା କରିହୁଏ ।
ଶୈଳଚିତ୍ର ମୁଖ୍ୟତଃ ଦୁଇ ପ୍ରକାରର : ବିଭିନ୍ନ ମାଟି ରଂଗଦ୍ୱାରା ଅଙ୍କିତ ଚିତ୍ର (Paintings or Pictographs) ଏବଂ ଖୋଦିତ ଚିତ୍ର (Engravings or Petroglyphs) । ପ୍ରସ୍ତର ଗାତ୍ରରେ (Rock Canvas) ଗେରୁ ରଂଗରେ ଏହି ଚିତ୍ରକଳା ଅଙ୍କିତ ହୋଇଥିବାରୁ ଦୀର୍ଘକାଳ ଧରି ସୁରକ୍ଷିତ ରହିଅଛି । କ୍ରାନ୍ତିବଳୟ, ମେରୁ ଅଞ୍ଚଳ ତଥା ବରଫାବୃତ୍ତ ଅଞ୍ଚଳରେ ମଧ୍ୟ ଶୈଳଚିତ୍ର ଦେଖାଯାଏ । ଏଥିରୁ ଅନୁମାନ କରାଯାଇପାରେ ଯେ ଆଦିମାନବ ଏକଦା ଏସବୁ ଅଞ୍ଚଳରେ ବସବାସ କରୁଥିଲା ।
ଭାରତରେ ପଶ୍ଚିମବଙ୍ଗ ଓ ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳକୁ ବାଦ୍ଦେଲେ ପ୍ରାୟ ସବୁ ରାଜ୍ୟରେ ଶୈଳଚିତ୍ର ଦେଖିବାକୁ ମିଳିଥାଏ । ଉତ୍ତର ଓ ଦକ୍ଷିଣ ଭାରତରେ ସାଧାରଣତଃ ଖୋଦିତ ଶୈଳଚିତ୍ର ଦେଖିବାକୁ ମିଳିଥାଏ । ଅନ୍ୟ ପକ୍ଷରେ ଅବିଭକ୍ତ ମଧ୍ୟପ୍ରଦେଶରେ ବହୁଳ ମାତ୍ରାରେ ଉଭୟ ଖୋଦିତ ଓ ଚିତ୍ରିତ ଶୈଳଚିତ୍ର ଦେଖିବାକୁ ମିଳିଥାଏ । ୧୯୩୩ରେ ପାଟନା ସଂଗ୍ରହାଳୟର ଗବେଷକ କେ.ପି. ଜୟସ୍ୱାଲ ସର୍ବପ୍ରଥମେ ଓଡ଼ିଶାର ବିକ୍ରମଖୋଲଠାରେ (ବର୍ତ୍ତମାନର ଝାରସୁଗୁଡ଼ା ଜିଲ୍ଲା) ଶୈଳଚିତ୍ର ଆବିଷ୍କାର କରିଥିଲେ । ପରେ ସତ୍ୟନାରାୟଣ ରାଜଗୁରୁ ଓ ଜିତାମିତ୍ର ପ୍ରସାଦ ସିଂହଦେଓ ଯଥାକ୍ରମେ କଳାହାଣ୍ତିର ଗୁଡ଼ହାଣ୍ତି ଓ ନୂଆପଡ଼ା ଜିଲ୍ଲାର ଯୋଗୀମଠଠାରେ ଶୈଳଚିତ୍ରମାନ ଆବିଷ୍କାର କରିଛନ୍ତି । କେବଳ ସଦାଶିବ ପ୍ରଧାନ ରାଜ୍ୟର ୧୧ଟି ଜିଲ୍ଲାରୁ ମୋଟ ୧୦୪ଟି ଶୈଳଚିତ୍ର ଆବିଷ୍କାର କରିଛନ୍ତି । ସାଧାରଣତଃ ଶୈଳଚିତ୍ର ଥିବା ସ୍ଥାନକୁ ଓଡ଼ିଶାରେ ଉଷାକୋଠି ବା ଲେଖାମୋଡ଼ା ବୋଲି କୁହାଯାଏ । ଖୋଦିତ ଓ ଅଙ୍କିତ ଚିତ୍ର ବ୍ୟତୀତ ଓଡ଼ିଶାରେ ଆଉ ଏକ କିସମର ଶୈଳଚିତ୍ର ଦେଖାଯାଏ । ଏଥିରେ ଲୋହିତ, ହଳଦିଆ ଓ ଧଳା ଆଦି ରଂଗର ବ୍ୟବହାର ରହିଛି । ଚିତ୍ରରେ ଅନେକ କିସମର ଜୀବଜନ୍ତୁ ରହିଛନ୍ତି । ଯଥା: ହରିଣ, ବାରଶିଂଗା, ବାରହା, ଅରଣାମଇଁଷି, ଛେଳି, କୁବ୍ଜବିଶିଷ୍ଟ ଧେନୁ, ଛେଳି, ଗଣ୍ତା, ଝିଟିପିଟି, କଇଁଛ ଓ ସାପ ଇତ୍ୟାଦି । ତା'ଛଡ଼ା ଅନେକ ଜ୍ୟାମିତିକ ଓ ଆଳଙ୍କାରିକ ଚିତ୍ର ମଧ୍ୟ ରହିଛି । ବିଭିନ୍ନ ସଂକେତ ଓ ଆଳଙ୍କାରିକ ଚିତ୍ରର ମଧ୍ୟଭାଗରେ ରହିଥିବା ବିଭାଜିତ ତ୍ରିଭୁଜ ନାରୀର ପ୍ରଜନନାଙ୍ଗ ପରି ଦେଖାଯାଏ । ଗବେଷକମାନଙ୍କ ମତରେ ଏଥିରୁ ସାବ୍ୟସ୍ତ ହୁଏ ଯେ, ପ୍ରାକ୍-ଐତିହାସିକ ଯୁଗରେ ଓଡ଼ିଶାରେ ପ୍ରଜନନ ସଂସ୍କୃତି ର ପ୍ରତୀକ ମାତୃପୂଜା ପରମ୍ପରାର ବ୍ୟାପକ ପ୍ରଚଳନ ରହିଥିଲା ।
...