Jump to content

ଓଡ଼ିଶା ଇତିହାସ/ଖାରବେଳଙ୍କ ଶାସନ

ଉଇକିପାଠାଗାର‌ରୁ
ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଖାରବେଳଙ୍କ ଶାସନ

ଖାରବେଳଙ୍କ ଶାସନ

କଳିଙ୍ଗର ଐତିହାସିକ ଘଟଣାବଳୀକୁ ଜାଣିବାପାଇଁ ଅଶୋକଙ୍କ ଶିଳାଲେଖ ଓ ଅନୁଶାସନ ପରେ ଉଦୟଗିରି (ଭୁବନେଶ୍ୱର)ରେ ଖୋଦିତ ହାତୀଗୁମ୍ଫା ଶିଳାଲେଖ ଏକ ମହତ୍ତ୍ୱପୂର୍ଣ୍ଣ ଉପାଦାନ । ଏଥିରୁ ଖାରବେଳ ନାମକ ଜଣେ ପରାକ୍ରମୀ ରାଜାଙ୍କର ଜୀବନ, ରାଜତ୍ୱ ତଥା ତତ୍‍କାଳୀନ ଘଟଣାବଳୀ ସମ୍ବନ୍ଧରେ ସୂଚନା ମିଳେ । ଶିଳାଲେଖ କାବ୍ୟିକ ଶୈଳୀରେ, ବ୍ରାହ୍ମୀ ଲିପିରେ, ପାଲି ଭାଷା ସହିତ ଖୁବ୍‍ ସାମଞ୍ଜସ୍ୟ ଥିବା ଏକ ଭାଷାରେ ଲିଖିତ । ଅନେକ ସ୍ଥଳରେ ନଷ୍ଟ ହୋଇଯାଇଥିବାଯୋଗୁଁ ଶିଳାଲେଖବିଦ୍‍ମାନେ ଏହାର ପାଠକୁ ପୂର୍ଣ୍ଣଭାବରେ ଉଦ୍ଧାର କରି ପାରିନାହାନ୍ତି । ମାତ୍ର ଲିଖିତ ଭାବରେ ଏହା ଉପଲବ୍ଧ ହୋଇଥିବାରୁ ତଥା ଅନ୍ୟ ଉପାଦାନଗୁଡ଼ିକର ଅଭାବରେ ତତ୍‍କାଳୀନ ଇତିହାସ ରଚନାପାଇଁ ଏହାକୁ ଅନେକ ମହତ୍ତ୍ୱ ଦିଆଯାଏ । ଓଡ଼ିଶା ଇତିହାସରେ ହାତୀଗୁମ୍ଫା ଶିଳାଲେଖକୁ ମହତ୍ତ୍ୱ ମିଳିବାର ଅନ୍ୟ ଏକ କାରଣ ହେଲା ଏହା କଳିଙ୍ଗର ପରାକ୍ରମ, ଗୌରବ ତଥା ସମୃଦ୍ଧିକୁ ଦର୍ଶାଏ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ହାତରେ କଳିଙ୍ଗବାସୀ ପରାଜୟ ବରଣ କରି ଯେଉଁ ଗୌରବ ହରାଇଥିଲେ, ତାକୁ ହାତୀଗୁମ୍ଫାର ବର୍ଣ୍ଣନ ଅନେକାଂଶରେ ଭରଣା କରିବାକୁ ସ୍ଥାନୀୟ ଐତିହାସିକମାନଙ୍କୁ ଅବସର ପ୍ରଦାନ କରେ । ପ୍ରତୀକ ଭାବରେ ହେଲେ ମଧ୍ୟ ଭୁବନେଶ୍ୱର ନିକଟସ୍ଥ ଧଉଳିଗିରିର ଅଶୋକଙ୍କ ଅନୁଶାସନ ଯେତେବେଳେ କଳିଙ୍ଗର ପରାଜୟର କାହାଣୀ କହେ, ସେତେବେଳେ ତା'ର ପ୍ରତିକ୍ରିୟା ଭଳି ହାତୀଗୁମ୍ଫାର ଶିଳାଲେଖ କଳିଙ୍ଗର ପରାକ୍ରମକୁ ଲିପିବଦ୍ଧ କରେ । ସେହି ଦୃଷ୍ଟିରୁ ଦେଖିଲେ, ହାତୀଗୁମ୍ଫା ଶିଳାଲେଖ କଳିଙ୍ଗର ହୃତଗୌରବକୁ ଫେରିପାଇବାର ଏକ ପ୍ରତୀକ ରୂପେ ବିବେଚିତ ହୁଏ; ଖାରବେଳ ହୁଅନ୍ତି ଆଦର୍ଶ ନାୟକ, କଳିଙ୍ଗପାଇଁ ଅଶୋକଙ୍କ ବିକଳ୍ପ !

ହାତୀଗୁମ୍ଫା ଶିଳାଲେଖରେ ଖାରବେଳଙ୍କ ୧୩ ବର୍ଷର ଶାସନର ବର୍ଣ୍ଣନା ରହିଛି । ଏହାର ଅର୍ଥ ହେବ ଖାରବେଳଙ୍କ ରାଜତ୍ୱର ତ୍ରୟୋଦଶ ବର୍ଷରେ ଏହା ଲିଖିତ ହୋଇଛି । ତେଣୁ, ରାଜତ୍ୱର ତ୍ରୟୋଦଶ ବର୍ଷର ପରବର୍ତ୍ତୀ ଘଟଣାବଳୀ ସମ୍ବନ୍ଧରେ ଏଥିରେ କିଛି ତଥ୍ୟ ନାହିଁ । ଏହି ଆଧାରରେ ମନେ କରାଯାଏ, ଖାରବେଳ ଯେ ମାତ୍ର ତେରବର୍ଷ ରାଜତ୍ୱ କରିଥିଲେ, ହୁଏତ ଏହା ସତ୍ୟ ହୋଇ ନ ପାରେ । ଦ୍ୱିତୀୟତଃ, ଶିଳାଲେଖରେ ରହିଥିବା ବର୍ଣ୍ଣନାକୁ ବିଶ୍ଳେଷଣ କଲାବେଳେ ଐତିହାସିକମାନେ ଅନେକ ବିଷୟରେ ଏକମତ ହୋଇପାରନ୍ତି ନାହିଁ । କାରଣ ଶିଳାଲେଖ ସ୍ଥାନେ ସ୍ଥାନେ ଅସ୍ପଷ୍ଟ ରହିଛି, ଲିପି ନଷ୍ଟ ହୋଇଯାଇଛି ଏବଂ ତା'ର ଭାଷା ଆଜିର ଭାଷାଠାରୁ ଯଥେଷ୍ଟ ପୃଥକ୍‍ । ଭିନ୍ନ ଭିନ୍ନ ଅର୍ଥରେ ତାକୁ ବିଶ୍ଳେଷଣ କରାଯାଇପାରେ । ତୃତୀୟତଃ, ଶିଳାଲେଖର ବର୍ଣ୍ଣନାକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ଗ୍ରହଣ କରିବା କେତେଦୂର ଯୁକ୍ତିିନିଷ୍ଠ ତଥା ଇତିହାସସମ୍ମତ ହେବ- ତାହାବି ଏକ ପ୍ରଶ୍ନବାଚୀ । ଖାରବେଳ ଶିଳାଲେଖର ଚାରିପଟେ ବଦ୍ଧମଙ୍ଗଳ ସ୍ୱସ୍ତିକ, ନନ୍ଦିପଦ ଓ ବୃକ୍ଷ, ଚୈତ୍ୟ ଆଦି ଜୈନଧର୍ମର ପ୍ରତୀକମାନ ଖୋଦିତ କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେବ ଲିପିବଦ୍ଧ ସୂଚନାକୁ ସତ୍ୟ ଆଧାରିତ ବୋଲି ଲୋକେ ଗ୍ରହଣ କରନ୍ତୁ । ମାତ୍ର, ତାହା ସତ୍ତ୍ୱେ ଆଧୁନିକ ଇତିହାସକାର ଏହାର ତର୍ଜମା କଲାବେଳେ ସତ୍ୟାସତ୍ୟ ପ୍ରତି ଧ୍ୟାନ ଦେବାକୁ ପ୍ରୟାସ କରେ । ଅବସୋସର ବିଷୟ ଯେ ଅନ୍ୟ ଐତିହାସିକ ତଥ୍ୟ ପ୍ରମାଣ ଓ ନିଦର୍ଶନର ଅଭାବରେ ଐତିହାସିକମାନେ ତତ୍‍କାଳୀନ ଇତିହାସ ରଚନାପାଇଁ ଏହି ଶିଳାଲେଖ ଉପରେ ହିଁ ଅଧିକରୁ ଅଧିକ ନିର୍ଭର କରିବାକୁ ବାଧ୍ୟ । ଏହି ଶିଳାଲେଖ ଅନୁଯାୟୀ ଚେଦୀ ବଂଶର ମହାମେଘବାହନଙ୍କ ପୌତ୍ର ହେଲେ ଖାରବେଳ । କେତେକଙ୍କ ମତରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସେ କଳିଙ୍ଗରେ ଶାସନ କରୁଥିଲେ । ମଗଧର ରାଜା ପୁଷ୍ୟମିତ୍ର ସୁଙ୍ଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୧୮୪ରୁ ଖ୍ରୀଷ୍ଟପୂର୍ବ ୧୪୮) ଓ ଦାକ୍ଷିଣାତ୍ୟର ସାତବାହନ ରାଜା ସାତକର୍ଣ୍ଣୀ ଥିଲେ ତାଙ୍କର ସମସାମୟିକ । କଳିଙ୍ଗନଗରୀ, ଯାହାକୁ ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ଼ ସହିତ ଚିହ୍ନିତ କରାଯାଏ, ତାହା ଥିଲା ତାଙ୍କର ରାଜଧାନୀ । ସେ ଜୈନଧର୍ମର ଉପାସକ ଥିଲେ, ମାତ୍ର ଅହିଂସା ମାର୍ଗକୁ ଆପଣାଇ ନଥିଲେ । ମନେହୁଏ ସାମରିକବାହିନୀର ଉପଯୋଗ କରି ସେ ଦିଗ୍‍ବିଜୟ କରିବାରେ ଆନନ୍ଦ ଲାଭ କରୁଥିଲେ । ସମ୍ଭବତଃ ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ସେତେବେଳେ ଅନେକ ସ୍ୱାଧୀନ ରାଜ୍ୟ ମୁଣ୍ତ ଟେକିଥିଲେ । କଳିଙ୍ଗରେ ଖାରବେଳ ବଂଶ ଓ ଦାକ୍ଷିଣାତ୍ୟରେ ସାତବାହନ ବଂଶ ଥିଲେ ସେହି ଧରଣର ଗୋଟିଏ ଗୋଟିଏ ସ୍ୱାଧୀନ ରାଜ୍ୟ ।

ହାତୀଗୁମ୍ଫା ଶିଳାଲେଖରେ ଖାରବେଳଙ୍କୁ କଳିଙ୍ଗାଧିପତି ବୋଲି ବର୍ଣ୍ଣନା କରାଯାଇଛି । କଳିଙ୍ଗ ନାମରେ ଖ୍ୟାତ ସମଗ୍ର ଅଞ୍ଚଳର ଛୋଟ ଛୋଟ ରାଜ୍ୟମାନଙ୍କୁ ପ୍ରଥମେ ସେ ଜୟ କରିଥିଲେ ।

ଶିଳାଲେଖରେ ଖାରବେଳଙ୍କ ବାଲ୍ୟଜୀବନ, ଶିକ୍ଷା, ରୁଚି ଓ ସିଂହାସନ ଆରୋହଣ ସମ୍ବନ୍ଧରେ ସୂଚନା ରହିଛି । ତାହା ଅନୁଯାୟୀ, ଐତିହାସିକମାନେ ଖାରବେଳଙ୍କ କାଳ ନିରୂପଣ କରିବାକୁ ପ୍ରୟାସ କରନ୍ତି । ଯାହା ପୂର୍ବରୁ ଉଲ୍ଲିଖିତ କେତେକଙ୍କ ମତରେ ଖାରବେଳ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ରାଜ୍ୟଶାସନ କରୁଥିଲେ । ମାତ୍ର ଅନ୍ୟ ଏକ ମତ ଅନୁଯାୟୀ ଖ୍ରୀଷ୍ଟପୂର୍ବ ୬୪ରେ ସମ୍ଭବତଃ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ଚେତରାଜ ଓ ପିତାମହ ଥିଲେ ମହାମେଘବାହନ । କୈଶୋରାବସ୍ଥାରେ ସେ ପାରମ୍ପରିକ ଶିକ୍ଷା, ଅର୍ଥନୀତି, ରାଜନୀତି, ଧର୍ମଶାସ୍ତ୍ର, ସାମରିକ ବିଜ୍ଞାନ, ବିଧି ଆଦି ସହିତ ସଙ୍ଗୀତ ଓ ନୃତ୍ୟକଳାରେ ମଧ୍ୟ ପାରଦର୍ଶିତା ଲାଭ କରିଥିଲେ । ପିତାଙ୍କ ମୃତ୍ୟୁ ପରେ ସେ ମାତ୍ର ୧୫ ବର୍ଷ ବୟସରେ ଯୁବରାଜ ପଦରେ ଅଭିଷିକ୍ତ ହେଲେ ଏବଂ ଦୀର୍ଘ ନଅ ବର୍ଷ କାଳ ରାଜପ୍ରତିନିଧି ଭାବରେ ଶାସନ ପରିଚାଳନା କଲେ । ୨୬ ବର୍ଷ ବୟସରେ ସେ 'ମହାରାଜ', 'କଳିଙ୍ଗାଧିପତି' ଓ 'ଚକ୍ରବର୍ତ୍ତୀ' ଆଦି ଉପାଧି ଗ୍ରହଣ କରି ରାଜପଦ ସମ୍ଭାଳିଲେ । ଏହି ବର୍ଷରୁ ଆରମ୍ଭ କରି ୧୩ ବର୍ଷ ଯାଏ ତାଙ୍କ ସାମରିକ ଅଭିଯାନ, ରାଜ୍ୟ ଶାସନ ତଥା ଅନ୍ୟାନ୍ୟ ଜନମଙ୍ଗଳକର କାର୍ଯ୍ୟାବଳୀ ଶିଳାଲେଖରେ ବିସ୍ତୃତ ଭାବେ ବର୍ଣ୍ଣିିତ ହୋଇଛି । ଖାରବେଳ ଯୁବରାଜ ପଦରେ ରହିଥିବା ବେଳେ ପ୍ରକୃତ ଶାସନଭାର କାହା ହାତରେ ଥିଲା, ତାଙ୍କୁ ପରାମର୍ଶ ଦେବା ପାଇଁ ମନ୍ତ୍ରିପରିଷଦ ରହିଥିଲା ନା ନାହିଁ- ସେ ସମ୍ପର୍କରେ ଶିଳାଲେଖରୁ କିଛି ତଥ୍ୟ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ । ସମ୍ଭବତଃ ଉକ୍ତ ଅବଧିକୁ ସେ କଳିଙ୍ଗର ଛୋଟ ଛୋଟ ରାଜ୍ୟଗୁଡ଼ିକ ଉପରେ କର୍ତ୍ତୃତ୍ୱ ହାସଲ କରିବାରେ ଅଥବା ସେ ସମସ୍ତଙ୍କୁ ନେଇ ଏକ ମହାମେଣ୍ଟ କରିବାରେ ବିନିଯୋଗ କରିଥିଲେ । କାରଣ ଶିଳାଲେଖରେ ବର୍ଣ୍ଣିିତ ତାଙ୍କର ବିଶାଳ ସାମରିକ ବାହିନୀ; ଯାହାକୁ ଅଶ୍ୱାରୋହୀ, ଗଜାରୋହୀ, ପଦାତିକ ଓ ରଥାରୋହୀ ସୈନ୍ୟ ସମ୍ବଳିତ ଚତୁରଂଗ ସେନା ବୋଲି କୁହାଯାଇଛି; ଅନ୍ୟ କଳିଙ୍ଗ ରାଜ୍ୟଗୁଡ଼ିକ ବିନା ତାହା ଗଠନ କରିବା ସମ୍ଭବ ନଥିଲା । ଦ୍ୱିତୀୟତଃ, ଖାରବେଳଙ୍କ ପିତା ଓ ପିତାମହ 'କଳିଙ୍ଗାଧିପତି' ଥିବାର ପ୍ରମାଣ ନାହିଁ । କଳିଙ୍ଗ ଅନ୍ତର୍ଗତ ଗୋଟିଏ କ୍ଷୁଦ୍ର ରାଜ୍ୟର ହୁଏତ ସେମାନେ ଶାସକ ଥିଲେ । ପୁଣି, ନିଜ ତ୍ରୟୋଦଶ ବର୍ଷର ରାଜତ୍ୱ କାଳରେ ଖାରବେଳ କଳିଙ୍ଗ ଅନ୍ତର୍ଗତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ବିରୁଦ୍ଧରେ ସାମରିକ ଅଭିଯାନ କରିଥିବା କଥାର ଉଲ୍ଲେଖ ନାହିଁ । ଅନ୍ୟ ଶବ୍ଦରେ କହିଲେ, କଳିଙ୍ଗ ନାମରେ ବାହାରେ ଖ୍ୟାତି ପାଇଥିବା କ୍ଷେତ୍ର ମଧ୍ୟରେ ଅନେକ କ୍ଷୁଦ୍ର ରାଜ୍ୟ ଥିଲେ ଏବଂ ଖାରବେଳଙ୍କ ବିଶାଳ ସେନାବାହିନୀରେ ସେମାନେ ସାମିଲ ଥିଲେ । କଳିଙ୍ଗ ଯୁଦ୍ଧ ସମୟରେ ମଧ୍ୟ କଳିଙ୍ଗ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଥିଲା । ଏହି ରାଜ୍ୟମାନେ ଏକ ସଂଘୀୟ ରୀତିରେ ସଂଗଠିତ ଓ ପରିଚାଳିତ ହୋଇ ବହିଃ ଶତ୍ରୁର ମୁକାବିଲା କରୁଥିଲେ ବୋଲି ମଧ୍ୟ ଅନୁମାନ କରାଯାଇପାରେ । ଏହା ଉଭୟ କଳିଙ୍ଗ ଯୁଦ୍ଧ ଏବଂ ତା'ର ଦୁଇ ଶତାବ୍ଦୀ ପରେ ଐତିହାସିକ ପ୍ରସିଦ୍ଧି ପାଇଥିବା ଖାରବେଳଙ୍କ ସମୟରେ ପରିଲକ୍ଷିତ ହୁଏ । ହାତୀଗୁମ୍ଫା ଶିଳାଲେଖ ଅନୁଯାୟୀ, ଖାରବେଳ ତାଙ୍କ ରାଜତ୍ୱର ପ୍ରଥମ ବର୍ଷରେ, ପୂର୍ବରୁ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା କଳିଙ୍ଗନଗରୀ (ରାଜଧାନୀ)ର ଅଟ୍ଟାଳିକା, ଦୁର୍ଗପ୍ରାଚୀର ଆଦିର ପୁନର୍ନିର୍ମାଣ କରିଥିଲେ । ବାତ୍ୟାବିଧ୍ୱସ୍ତ ଉଦ୍ୟାନ ଓ ଜଳାଶୟଗୁଡ଼ିକର ରକ୍ଷଣାବେକ୍ଷଣରେ ମଧ୍ୟ ସେ ବହୁ ଅର୍ଥ ବ୍ୟୟ କରିଥିଲେ । ଏହି ସମସ୍ତ ପରିଯୋଜନାରେ ରାଜକୋଷରୁ ମୋଟ ୩୫ ଲକ୍ଷ ମୁଦ୍ରା ବ୍ୟୟ ହୋଇଥିଲା । ସେହିଭଳି ରାଜତ୍ୱର ତୃତୀୟ ବର୍ଷରେ, ରାଜଧାନୀରେ ଅନେକ ନୃତ୍ୟ, ସଙ୍ଗୀତ, କ୍ରୀଡ଼ା କସରତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରି ସେ ନିଜର ରୁଚିସମ୍ପନ୍ନତାର ପ୍ରଦର୍ଶନ କରିଥିଲେ । ରାଜ୍ୟଜୟ ଥିଲା ଖାରବେଳଙ୍କର ଅନ୍ୟତମ ପ୍ରମୁଖ ଆଗ୍ରହ । ସେ ରାଜତ୍ୱର ଦ୍ୱିତୀୟ ବର୍ଷରେ ସାମରିକ ବାହିନୀ ନେଇ ଦକ୍ଷିଣରେ କୃଷ୍ଣାନଦୀ ପର୍ଯ୍ୟନ୍ତ ରାଜ୍ୟ ଜୟ କରିଥିଲେ । ସାତବାହନ ରାଜ୍ୟର ରାଜା ସାତକର୍ଣ୍ଣୀ ମଧ୍ୟ ତାଙ୍କ ପରାକ୍ରମରେ ଭୀତତ୍ରସ୍ତ ହୋଇପଡ଼ିଥିଲେ । ରାଜତ୍ୱର ଚତୁର୍ଥ ବର୍ଷରେ ସେ ଦକ୍ଷିଣକୁ ପୁଣି ଥରେ ଦିଗ୍‍ବିଜୟରେ ଯାଇ ସାତବାହନ ରାଜ୍ୟ ଅଧିକାର କଲେ । ଏବଂ ରାଷ୍ଟ୍ରିକ ଓ ଭୋଜକ ନାମକ ଦୁଇଟି ରାଜ୍ୟକୁ ବଶ୍ୟତା ସ୍ୱୀକାର କରିବାକୁ ବାଧ୍ୟ କଲେ । ଏହି ଅଭିଯାନରୁ ଏତେ ମାତ୍ରାରେ ଧନସମ୍ପତ୍ତି ପ୍ରାପ୍ତ ହୋଇଥିଲା ଯେ, ରାଜକୀୟ ଶକ୍ତି ଓ ସମ୍ପଦର ପ୍ରଭାବ ଦେଖାଇ ତଥା ରାଣୀ ବଜିରଘରଙ୍କ କୋଳରେ ପୁତ୍ର ସନ୍ତାନ ଲାଭ ହେବା ଖୁସିରେ ପୌର ଓ ଜନପଦବାସୀଙ୍କ ଉପରୁ ବହୁ ଲକ୍ଷ ମୁଦ୍ରାର ରାଜସ୍ୱ, କର ଓ ଶୁଳ୍କ ଆଦି ଛାଡ଼ କରିଦେଇଥିଲେ । ରାଜତ୍ୱର ପଞ୍ଚମ ବର୍ଷରେ, ତିନିଶତ ବର୍ଷ ପୂର୍ବେ ନନ୍ଦ ଶାସନ ବେଳେ ଖୋଳା ହୋଇଥିବା କେନାଲକୁ ତନସୁଲୀ ତଥା ତୋଷାଳୀ ବାଟ ଦେଇ ସେ କଳିଙ୍ଗ ନଗରୀ ପର୍ଯ୍ୟନ୍ତ ସଂପ୍ରସାରିତ କରିଥିଲେ । ଖୋଦିତ କେନାଲର ପୁନଃ ସଂରକ୍ଷଣ ଓ ସଂପ୍ରସାରଣ କାର୍ଯ୍ୟ ଖାରବେଳଙ୍କ କୃଷିର ବିକାଶ ପ୍ରତି ରହିଥିବା ମାନସିକତା ପ୍ରତିପାଦନ କରେ । କିନ୍ତୁ ତା'ଠାରୁ ବଡ଼ କଥା 'ତିନିଶତ ବର୍ଷ'ର ଉଲ୍ଲେଖକୁ ମୂଳ କରି ଇତିହାସକାରମାନଙ୍କୁ ଏହା ଖାରବେଳଙ୍କ କାଳ ନିରୂପଣରେ ସାହାଯ୍ୟ କରେ, କାରଣ କଳିଙ୍ଗରେ ନନ୍ଦ ଶାସନର କାଳ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବୋଲି ନିରୂପିତ ହୋଇସାରିଛି । ମାତ୍ର ଶିଳାଲେଖରେ ଉଲ୍ଲିଖିତ ପଦ 'ତି-ବସ-ସତ'କୁ କେତେକ ଐତିହାସିକ '୧୦୩ ବର୍ଷ' ବୋଲି ତର୍ଜମା କରନ୍ତି, ଯାହାର ଅର୍ଥ ହେବ ଉପରୋକ୍ତ 'ନନ୍ଦରାଜା' ଭାବରେ ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗ ବିଜୟ କରିଥିବା ଅଶୋକଙ୍କୁ ଶିଳାଲେଖ ଚିହ୍ନିତ କରୁଥାଇ ପାରେ । ଏହି ଉଲ୍ଲେଖର ଅନ୍ୟ ଅର୍ଥ ହେଲା ଯେ, ଖାରବେଳଙ୍କ ପରି ନନ୍ଦରାଜା ମଧ୍ୟ ଓଡ଼ିଶା(କଳିଙ୍ଗ) ଅଧିକାର କଲା ପରେ କୃଷିର ବିକାଶପାଇଁ କେନାଲ ଖନନକୁ ଅଗ୍ରାଧିକାର ଦେଇଥିଲେ ।

ରାଜତ୍ୱର ଅଷ୍ଟମ ବର୍ଷରୁ ଦ୍ୱାଦଶ ବର୍ଷ ମଧ୍ୟରେ ଖାରବେଳ ତିିନି ଥର ଉତ୍ତର ଭାରତ ଓ ଥରେ ଦକ୍ଷିଣ ଭାରତ ଅଭିମୁଖେ ଦିଗ୍‍ବିଜୟ କରିଥିଲେ । ଏହି ସାମରିକ ଅଭିଯାନଯୋଗୁଁ ସେ ମଥୁରା, ମଗଧର ରାଜଗୃହ ଓ ପାଟଳିପୁତ୍ର, ଆନ୍ଧ୍ରପ୍ରଦେଶର ପିଥୁଣ୍ତ ନଗରୀ ତଥା ତାମିଲନାଡୁର କେତେକ ରାଜ୍ୟ ଜୟ କରିଥିବାର ଉଲ୍ଲେଖ ରହିଛି । ସାମରିକ ଅଭିଯାନର ବିବରଣୀରୁ ମନେହୁଏ ଯେ, ବିଜିତ ରାଜ୍ୟଗୁଡ଼ିକରୁ ସେ ଧନରତ୍ନ, ପୁଣି ଅନେକ ସମୟରେ ଜୀନମୂର୍ତ୍ତିି (ମଗଧରୁ ପ୍ରାପ୍ତ) ତଥା ଜୈନଧର୍ମର ପବିତ୍ର କଳ୍ପ ବୃକ୍ଷ (ମଥୁରାରୁ ପ୍ରାପ୍ତ) ଲାଭ କରିଥିଲେ । ସେ ଉକ୍ତ ରାଜ୍ୟଗୁଡ଼ିକରେ ସ୍ଥାୟୀ ଭାବେ ରାଜତ୍ୱ ବିସ୍ତାର ପରିବର୍ତ୍ତେ ତାତ୍କାଳିକଲାଭ ଧନରତ୍ନ ପ୍ରାପ୍ତି ପ୍ରତି ଅଧିକ ଧ୍ୟାନ ଦେଉଥିଲେ । ପୁଣି କଦାଚିତ ରାଜାମାନେ (ଯଥା- ମଗଧର ରାଜା ବୃହସ୍ପତି ମିତ୍ର) ଯୁଦ୍ଧ ପୂର୍ବରୁ ବଶ୍ୟତା ସ୍ୱୀକାର କରୁଥିଲେ ଓ ଧନରତ୍ନ ଆଦି ପ୍ରଦାନ କରୁଥିଲେ । ଏହି ଧନରତ୍ନକୁ ଖାରବେଳ ନିଜ ପ୍ରଜାଙ୍କ ମଧ୍ୟରେ ଭୋଜନ ଆଦି ଆୟୋଜନ କରି ବଣ୍ଟନ କରିବାର ଉଦାହରଣ ରହିଛି । ଖାରବେଳଙ୍କ ବିଶେଷତ୍ୱ ହେଲା, ଖୁବ୍‍ ଅଧିକ ଯୁଦ୍ଧପ୍ରିୟ ହେବା ସତ୍ତ୍ୱେ ସେ ଜୈନଧର୍ମର ମଧ୍ୟ ପ୍ରଭୂତ ପୃଷ୍ଠପୋଷକତା କରିଥିଲେ । କୁମାରୀ ପର୍ବତ(ଉଦୟଗିରି)ରେ ସେ ଜୈନ ଅର୍ହତ ଓ ଭିକ୍ଷୁମାନଙ୍କପାଇଁ ଏକଶହ ସତରଟି ଗୁମ୍ଫା ଖୋଦନ କରାଇଥିଲେ ତଥା ସେମାନଙ୍କୁ ରେଶମ ଓ ଶୁକ୍ଳବସ୍ତ୍ର ପ୍ରଦାନ କରିଥଲେ । ଏହା ବ୍ୟତୀତ ଦ୍ୱିତୀୟ ରାଣୀ ସିଂହପଥଙ୍କ ଅନୁରୋଧରେ ସେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଯତି, ଶ୍ରମଣ, ତପସ୍ୱୀ, ଋଷି ଓ ବୌଦ୍ଧ ଭିକ୍ଷୁଙ୍କ ବିଶ୍ରାମ ପାଇଁ ଏକଲକ୍ଷରୁ ଊର୍ଦ୍ଧ୍ୱ ମୁଦ୍ରା ବ୍ୟୟକରି ମନୋରମ ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ । ଏଥିରୁ ସିଦ୍ଧ ହୁଏ ଯେ, ଖାରବେଳଙ୍କର ଜୈନ ଧର୍ମ ପ୍ରତି ଆକର୍ଷଣ ଥିବା ସତ୍ତ୍ୱେ, ଅନ୍ୟ ଧର୍ମ ପ୍ରତି ଅସହିଷ୍ଣୁ ଭାବ ନଥିଲା । ଖାରବେଳଙ୍କ ଜନମଙ୍ଗଳ କାର୍ଯ୍ୟମାନ ରାଜଧାନୀକେନ୍ଦ୍ରିତ ଥିଲା । ରାଜଧାନୀ କଳିଙ୍ଗ ନଗରୀକୁ ବାଦ୍‍ ଦେଇ ଅନ୍ୟ କେଉଁଠି ସେ କେନାଲ ଖନନ ବା ପୁଷ୍କରିଣୀ ସୁଶୋଭନ ଆଦି କାର୍ଯ୍ୟ କରିଥିବାର ଉଲ୍ଲେଖ ତାଙ୍କ ଶିଳାଲେଖରୁ ମିଳେ ନାହିଁ । ଏଥିରୁ ଏକଥା ମଧ୍ୟ ଅନୁମିତ ହୁଏ ଯେ ତାଙ୍କର ପ୍ରତ୍ୟକ୍ଷ ଓ ପ୍ରକୃତ ଶାସନକ୍ଷେତ୍ର କଳିଙ୍ଗ ନଗରୀ ବାହାରେ ହୁଏତ ଖୁବ୍‍ ଅଧିକ ନଥିଲା । ପ୍ରାଚୀନ ଯୁଗର ଶାସନ ରୀତି ଯାହା ଥିଲା, ରାଜ୍ୟ ଜୟ ପରେ ବିଜିତ ରାଜ୍ୟରୁ ଧନସମ୍ପତ୍ତି ଲାଭ କରି ବା ବର୍ଷକୁ ବର୍ଷ ଦେୟ ପାଇବାର ପ୍ରତିଶ୍ରୁତି ପାଇ ବିଜୟୀ ରାଜା ସନ୍ତୁଷ୍ଟ ହେଉଥିଲେ । ଅନେକ ସମୟରେ ଯୁଦ୍ଧ ସଂଘଟିତ ହେବା ପୂର୍ବରୁ କ୍ଷୁଦ୍ର ରାଜ୍ୟମାନେ ଦିଗ୍‍ବିଜୟରେ ଆସିଥିବା ରାଜାଙ୍କ ବଶ୍ୟତା ସ୍ୱୀକାର କରିବାକୁ ମଧ୍ୟ ସମ୍ମତ ହୋଇଯାଉଥିଲେ । ଏହା ଯୁଦ୍ଧର କ୍ଷୟକ୍ଷତିକୁ ଏଡ଼ାଇବାରେ ସହାୟକ ହେଉଥିଲା ।

ହାତୀଗୁମ୍ଫା ଶିଳାଲେଖର ଉପଲବ୍ଧତା ଖାରବେଳଙ୍କୁ କିମ୍ବଦନ୍ତୀ ବା ଜନଶ୍ରୁତିର ଊର୍ଦ୍ଧ୍ୱରେ ଏକ ଇତିହାସର ପାତ୍ର ରୂପେ ପ୍ରତିପାଦିତ କରେ । ଏହି ଶିଳାଲେଖ ତାଙ୍କୁ ଏକ ମହାବିଜୟୀ ସମ୍ରାଟ ରୂପେ ବର୍ଣ୍ଣନା କରିଛି । ମାତ୍ର ରାଜାଙ୍କ ଆଦେଶରେ ସେତେବେଳେ ଏଭଳି ଶିଳାଲେଖମାନ ଖୋଦିତ ହୋଇଥିବାରୁ ଅର୍ଥାତ୍‍ ଏହା ରାଜପ୍ରଶସ୍ତି ହୋଇଥିବାରୁ ତାହାର ସତ୍ୟାସତ୍ୟ ନିରୀକ୍ଷଣ କରିବାର ଆବଶ୍ୟକତା ମଧ୍ୟ ରହିଛି । ପୁଣି ହାତୀଗୁମ୍ଫା ଶିଳାଲେଖର ଅନେକ ଅଂଶ ନଷ୍ଟ ହୋଇଯାଇଥିବାରୁ ତାହାର ସଂପୂର୍ଣ୍ଣ ପାଠୋଦ୍ଧାର ହୋଇପାରିନାହିଁ । ଯେଉଁ ପାଠୋଦ୍ଧାର ହୋଇଛି, ଭାଷାର ଭିନ୍ନତାଯୋଗୁଁ ସେସବୁର ତର୍ଜମା ମଧ୍ୟ ସର୍ବସମ୍ମତ ନୁହେଁ । ତାହା ସତ୍ତ୍ୱେ, ଓଡ଼ିଶା ଇତିହାସର ଅନ୍ୟତମ ସର୍ବପ୍ରାଚୀନ ଲିଖିତ ଦସ୍ତାବିଜ୍‍ ଭାବରେ ତଥା ଖାରବେଳ ନାମରେ ଜଣେ ଦିଗ୍‍ବିଜୟୀ ବୀରଙ୍କୁ ଲୋକଲୋଚନକୁ ଆଣିଥିବା କାରଣରୁ ଏହି ଶିଳାଲେଖର ଐତିହାସିକ ମହତ୍ତ୍ୱ ଖୁବ୍‍ ଅଧିକ । ତତ୍‍କାଳୀନ ଅନ୍ୟ କୌଣସି ଦସ୍ତାବିଜ୍‍ ହସ୍ତଗତ ନ ହେବାଯାଏ, ହାତୀଗୁମ୍ଫା ଶିଳାଲେଖର ମହତ୍ତ୍ୱ ଯେ ଅବ୍ୟାହତ ରହିବ- ଏହା ସହଜରେ ଅନୁମେୟ ।


...