ଓଡ଼ିଶା ଇତିହାସ/1

ଉଇକିପାଠାଗାର ରୁ
Jump to navigation Jump to search
ଓଡ଼ିଶା ଇତିହାସ
ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ


ସରକାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପ୍ରତି ନମନୀୟ ହୋଇ ଭାରତୀୟମାନଙ୍କ ସହଯୋଗ ଲୋଡ଼ିବା କଥା । ମାତ୍ର ତାହା କରୁ ନଥିଲେ । ପ୍ରାଦେଶିକ ମନ୍ତ୍ରିମଣ୍ଡଳଗୁଡ଼ିକର ବିନା ପରାମର୍ଶରେ ଭାରତକୁ ଯୁଦ୍ଧରେ ମିତ୍ର ପକ୍ଷର ସମର୍ଥରେ ସାମିଲ୍‍ କରିଦେଲେ । ଏହାର ପ୍ରତିବାଦ କରି ୧୯୩୯ ନଭେମ୍ୱରରେ କଂଗ୍ରେସର ମନ୍ତ୍ରିମଣ୍ଡଳଗୁଡ଼ିକ ସରକାରରୁ ଇସ୍ତଫା ଦେଲେ, ଯାହା ପୂର୍ବରୁ ଆଲୋଚିତ ହୋଇ ସାରିଛି ।   ଏହିଭଳି ପରିସ୍ଥିତିରେ ଜାତୀୟ କଂଗ୍ରେସ ଓ ତା'ର ନେତୃତ୍ୱରେ ଥିବା ମହାତ୍ମାଗାନ୍ଧୀଙ୍କ ପାଇଁ ଆନ୍ଦୋଳନକୁ ନେଇ ନିଷ୍ପତ୍ତି ନେବା କଠିନ ହୋଇ ପଡ଼ିଲା । ୧୯୪୦ ମସିହାରେ ଗାନ୍ଧି ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କଲେ । କର୍ମୀମାନଙ୍କ ମନୋବଳକୁ ଅତୁଟ ରଖିବା ସକାଶେ ଏହା ଥିଲା ଏକ ସୀମିତ ଆନ୍ଦୋଳନ । ୧୯୪୨ ଏପ୍ରିଲ୍‍ରେ ସରକାର ଯୁଦ୍ଧରେ କଂଗ୍ରେସର ସହଯୋଗପାଇଁ କ୍ରିପ୍‍ସ ମିଶନକୁ ଭାରତ ପ୍ରେରଣ କଲେ । ସାର ଷ୍ଟାଫୋର୍ଡ଼ କ୍ରିପ୍ପଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ମିଶନ ଭାରତର ସ୍ୱାଧୀନତାପାଇଁ କୌଣସି ଠୋସ୍‍ ପଦକ୍ଷେପକୁ ସ୍ୱୀକାର କଲା ନାହିଁ । ଫଳରେ କଂଗ୍ରେସ ତାକୁ ଅଗ୍ରାହ୍ୟ କଲା । ଏଥିରୁ ଆହୁରି ମଧ୍ୟ ସ୍ପଷ୍ଟ ହେଲା ଯେ, ଇଂରେଜମାନେ ଫାସୀବାଦର ଆକ୍ରମଣ ସତ୍ତ୍ୱେ ଭାରତର ଦାବିକୁ ମାନିନେଇ ପ୍ରକୃତ ସହଯୋଗ ପାଇବା ଲକ୍ଷ୍ୟରେ ନାହାନ୍ତି । ସରକାରର ଅନମନୀୟତା ଲୋକଙ୍କୁ ଅଧିକ ଉଗ୍ର କଲା । ଅନ୍ୟ ପକ୍ଷରେ ଯୁଦ୍ଧଯୋଗୁଁ ଦରଦାମ ବୃଦ୍ଧି ମଧ୍ୟ ଲୋକଙ୍କୁ ସରକାର ବିରୋଧୀ କଲା । ଏସବୁ ବ୍ୟତୀତ ଯୁଦ୍ଧରେ ଦକ୍ଷିଣ ପୂର୍ବ ଏସିଆରେ ଜାପାନର ଆଶୁ ସଫଳତା ଓ ବ୍ରିଟିଶ୍‍ର ତୀବ୍ର ବିଫଳତାରୁ ମନେ ହେଲା ଯେ ଇଂରେଜ ସରକାର ଯେ କୌଣସି ସମୟରେ ଭାରତରେ ଜାପାନ ଆକ୍ରମଣର ସମ୍ମୁଖୀନ ହେବ ଏବଂ ତାକୁ ପ୍ରତିହତ କରି ନପାରି ଜାପାନ ଭଳି ଏକ ଫାସୀବାଦୀ ଶକ୍ତି ହାତରେ ଦେଶକୁ ଛାଡ଼ି ପଳାଇବ । ମାଳୟ ଓ ବର୍ମାରେ ବ୍ରିଟିଶ୍‍ମାନେ ପରାଜୟର ସମ୍ମୁଖୀନ ହୋଇ ସାରିଥିଲେ । ୧୯୪୩ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ମଧ୍ୟ ବ୍ରିଟିଶ୍‍ ହାତରୁ ଜାପାନ ହାତକୁ ଚାଲିଗଲା । ଏହି ସ୍ଥିତିରେ ଉଭୟ ଇଂରେଜ ଉପନିବେଶବାଦ ଓ ଜାପାନୀ ସାମରିକ ଫାସୀବାଦରୁ ଦେଶକୁ ସୁରକ୍ଷିତ କରିବାନିମିତ୍ତ ଏକ ବ୍ୟାପକ ଗଣ ଆନ୍ଦୋଳନ ଆରମ୍ଭ କରିବାକୁ ଗାନ୍ଧୀ ନିଷ୍ପତ୍ତି ନେଲେ ।

୧୯୪୨ ଜୁଲାଇ ୧୪ ତାରିଖ ଦିନ ଓ୍ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହେଲା । ତହିଁରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିବାକୁ ସ୍ଥିର କରାଗଲା । ୧୯୪୨ ଅଗଷ୍ଟ ୮ ତାରିଖ ଦିନ ମୁମ୍ୱାଇ(ବମ୍ୱେ)ର ଗୋଓ୍ୱାଲିଆଟେଙ୍କଠାରେ ଅଖିଳ ଭାରତ କଂଗ୍ରେସ କମିଟିର ବୈଠକରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଗଲା । ବୈଠକସ୍ଥଳୀ ସମ୍ମୁଖରେ ଏକତ୍ରିତ ଜନ ସମାଗମରୁ ସ୍ପଷ୍ଟ ହେଲା ଯେ, ଆଗତ ଗଣ-ଆନ୍ଦୋଳନର ପ୍ରଭାବ ଦୀର୍ଘସ୍ଥାୟୀ ଓ ସୁଦୂରପ୍ରସାରୀ ହେବ ।

ଅଗଷ୍ଟ ବିପ୍ଳବକୁ ମୂଳରୁ ଦମନ କରିବା ସକାଶେ ସରକାର ସମସ୍ତ ବନ୍ଦୋବସ୍ତ କରିଥିଲେ । ବମ୍ୱେରେ ଏକତ୍ରିତ କଂଗ୍ରେସର ନେତୃବର୍ଗଙ୍କୁ ୯ ତାରିଖ ବେଳକୁ ଗିରଫ କରାଗଲା ଏବଂ ଅଜଣା ସ୍ଥାନମାନଙ୍କରେ ଅଟକ ରଖାଗଲା । କଂଗ୍ରେସକୁ ନିଷିଦ୍ଧ ଘୋଷଣା କରାଗଲା । କଂଗ୍ରେସକୁ ବଦନାମ କରିବାପାଇଁ ତଥା ସରକାରୀ ଦମନକୁ ଯୁକ୍ତିସିଦ୍ଧ କରିବାପାଇଁ ସରକାର କଂଗ୍ରେସ ବିରୁଦ୍ଧରେ ନାନା ଅଭିଯୋଗ ଆଣିଲେ । ତହିଁରେ କଂଗ୍ରେସର ସମାନ୍ତରାଳ ସରକାର ଗଠନ କରିବା, ବ୍ରିଟିଶ୍‍ ବ୍ୟକ୍ତିମାନଙ୍କୁ ସାମାଜିକ ବାସନ୍ଦ କରିବା, ଗାନ୍ଧିଙ୍କର ନିଜକୁ ବିଦ୍ରୋହୀ ଓ ବ୍ରିଟିଶ୍‍ ନାଗରିକତାକୁ ତ୍ୟାଗ କରିବା ନେଇ ଘୋଷଣା କରିବା, ରାସ୍ତାର ପୋଲ ଭାଙ୍ଗିବା, ସରକାରୀ କର୍ମଚାରୀମାନଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପ୍ରବର୍ତ୍ତାଇବା, ରେଳ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି କରିବା, ଟେଲିଗ୍ରାଫ୍‍ ଯୋଗାଯୋଗରେ ବାଧା ଉତ୍ପନ୍ନ କରିବା, ବିନା ଟିକଟରେ ରେଳ ଯାତ୍ରା କରିବା ଆଦି ଉଲ୍ଲେଖ ଥିଲା । ସରକାରଙ୍କ ଅଭିଯୋଗ ଯେତେବେଳେ ଲୋକଲୋଚନକୁ ଆସିଲା, ଲୋକ ସେସବୁକୁ କଂଗ୍ରେସର ଉଦ୍ଦେଶ୍ୟ ମନେକରି କାର୍ଯ୍ୟକାରୀ କରିବାକୁ ଲାଗିଲେ । ଫଳରେ ଅଗଷ୍ଟ ବିପ୍ଳବ ହିଂସାତ୍ମକ ରୂପ ନେଲା । କଂଗ୍ରେସର ନେତୃବୃନ୍ଦ ଗିରଫ ହୋଇ ଥିବାରୁ ଲୋକଙ୍କୁ ଏସବୁ କାର୍ଯ୍ୟରୁ ବାରଣ ସୁଦ୍ଧା କରାଯାଇ ପାରିଲା ନାହିଁ । ଅଗଷ୍ଟ ପ୍ରସ୍ତାବର ଆଲୋଚନା ବେଳେ ବ୍ୟାପକ ଦମନର ଆଶଙ୍କା କରି ଗାନ୍ଧୀ ସୁସ୍ପଷ୍ଟ କରିଥିଲେ ଯେ 'କର ବା ମର' ହେବ ଏହି ବିପ୍ଳବର ମୂଳମନ୍ତ୍ର । ଦମନଯୋଗୁଁ ଯଦି କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବାକୁ ଅସମର୍ଥ ହୁଏ, ତେବେ ପ୍ରତ୍ୟେକ ସ୍ୱାଧୀନତାକାମୀ ନିଜେ ନିଜର ପଥ ପ୍ରଦର୍ଶକ ହେବେ । ଗାନ୍ଧୀଙ୍କର ଏହି ନିର୍ଦେଶ ଲୋକଙ୍କୁ ନିଜ ନିଜ ମତେ ଆନ୍ଦୋଳନର ପନ୍ଥା ନିର୍ଦ୍ଧାରଣ କରିବାକୁ ଅବସର ଦେଲା । ଏହା ଫଳରେ ଅଗଷ୍ଟ ବିପ୍ଳବ ଆଉ ଅହିଂସ ରହିପାରିଲା ନାହିଁ । ଲୋକ ପୋଷ୍ଟ ଅଫିସ୍‍ ଲୁଟି ନେଲେ, ରେଳଧାରଣା ଉପାଡ଼ି ଦେଲେ, ଟେଲିଗ୍ରାଫ୍‍ ତାର କାଟି ନେଲେ, ସରକାରୀ ଅଫିସ୍‍ଗୁଡ଼ିକ ଉପରେ ଆକ୍ରମଣ କଲେ ତଥା ବିଭିନ୍ନ ସ୍ଥାନରେ ସମାନ୍ତରାଳ ସରକାର ଗଠନ କଲେ । ଅଳ୍ପ ସମୟ ମଧ୍ୟରେ 'ଭାରତ ଛାଡ଼ ଆନ୍ଦୋଳନ' ଏକ ବ୍ୟାପକ ବିପ୍ଳବର ରୂପ ନେଲା ।   ଦେଶର ଅନ୍ୟ ପ୍ରଦେଶଗୁଡ଼ିକ ଭଳି ଓଡ଼ିଶାରେ ମଧ୍ୟ ୯ ଅଗଷ୍ଟ ପ୍ରତ୍ୟୂଷରେ ଅଧିକାଂଶ କଂଗ୍ରେସ ନେତାଙ୍କୁ ଗିରଫ କରାଗଲା । ଏହି ନେତାଙ୍କ ମଧ୍ୟରେ ଥିଲେ ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମାଦେବୀ, ଭାଗୀରଥି ମହାପାତ୍ର, ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନ୍‌ଗୋ, ରାଜକୃଷ୍ଣ ବୋଷ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ପ୍ରାଣକୃଷ୍ଣ ପଢ଼ିଆରୀ, ମଦନ ମୋହନ ପଟ୍ଟନାୟକ, ସଦାଶିବ ତ୍ରିପାଠୀ, ରାଧାକୃଷ୍ଣ ବିଶ୍ୱାସରାୟ, ମନମୋହନ ଚୌଧୁରୀ, ରାଧାନାଥ ରଥ, ଆଚାର୍ଯ୍ୟ ହରିହର ଦାସ, ଲୋକନାଥ ମିଶ୍ର, ସୁଧୀର ଘୋଷ, ନୀଳାମ୍ୱର ଦାସ ଓ ମହମ୍ମଦ ଅଝର । ସେହିଦିନ (୯ ଅଗଷ୍ଟ ୧୯୪୨) ସରକାରୀ ଗେଜେଟରେ କଂଗ୍ରେସର ୩୮ଟି କାର୍ଯ୍ୟାଳୟକୁ ବେଆଇନ୍‍ ଘୋଷଣା କରାଗଲା ଏବଂ ସେଗୁଡ଼ିକର ସମସ୍ତ ଆସବାବପତ୍ରକୁ ବାଜ୍ୟାପ୍ତ କରାଗଲା । ଏହା ପରେ ଆନ୍ଦୋଳନ ଆଉ ବଡ଼ ନେତାଙ୍କ ନିୟନ୍ତ୍ରଣରେ ରହିଲା ନାହିଁ । ବିଶେଷକରି ଯୁବକର୍ମୀ ଓ ଛାତ୍ର, ଆଦିବାସୀ ଓ ସାଧାରଣ କର୍ମୀ ଏଣିକି ଆନ୍ଦୋଳନକୁ ପରିଚାଳନା କଲେ । ଫଳରେ ଅଗଷ୍ଟ ବିପ୍ଳବ ହିଂସ୍ର ହେବାକୁ ଅବସର ପାଇଲା ।

ବମ୍ୱେର କଂଗ୍ରେସ ବୈଠକରେ ଓଡ଼ିଶାରୁ ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ପ୍ରହଲ୍ଲାଦ ରାୟ ଲାଠ ଓ ଲକ୍ଷ୍ମୀ ନାରାୟଣ ମିଶ୍ର ରାଜ୍ୟ ପ୍ରତିିନିଧି ଭାବେ ଯୋଗ ଦେଇଥିଲେ । ଅଗଷ୍ଟ ୧୧ ଓ ୧୨ ବେଳକୁ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ମାଳତୀ ଦେବୀ କଟକ ଫେରିଆସିବା ପରେ ଏକ ଗୁପ୍ତ ସଂଗଠନ ଭାବରେ ସେମାନେ କଂଗ୍ରେସର କାର୍ଯ୍ୟ ଆରମ୍ଭ କଲେ । କଂଗ୍ରେସ ବାର୍ତ୍ତା ଓ ସତ୍ୟ ସମ୍ୱାଦ ନାମକ ବୁଲେଟିନ୍ ବାହାର କରି ସୁରେନ୍ଦ୍ରନାଥ ଦ୍ୱିବେଦୀ ସେଗୁଡ଼ିକୁ କଲେଜ ଛାତ୍ରମାନଙ୍କ ହାତରେ ବିଭିନ୍ନ ସ୍ଥାନକୁ ପ୍ରେରଣ କଲେ । ମଥୁରାନନ୍ଦ ସାହୁ ଓ ଗୌରଚନ୍ଦ୍ର ଦାସ ଥିଲେ ତାଙ୍କର ପ୍ରଧାନ ସହଯୋଗୀ । ବୁଲେଟିନ୍‍ ମାଧ୍ୟମରେ ଜିଲ୍ଲାମାନଙ୍କରେ ଗୁପ୍ତ ସଂଗଠନ ସ୍ଥାପନ କରିବାକୁ ତଥା ଗିରଫ ନ ହୋଇ 'ଅଣ୍ଡରଗ୍ରାଉଣ୍ଡ'ରେ ଥିବା କର୍ମୀମାନଙ୍କ ମଧ୍ୟରେ ସହଯୋଗ ରକ୍ଷା କରିବାକୁ ଉଦ୍ୟମ କରାଯାଉଥିଲା । ଏହାଛଡ଼ା ଛାତ୍ର, ବ୍ୟବସାୟୀ, ପୋଲିସ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ବିପ୍ଳବରେ ଯୋଗଦେବାକୁ ପ୍ରେରଣା ଦିଆଯାଉଥିଲା । ଆଜାଦ ପଞ୍ଚାୟତ ଗଢ଼ି ତାହାରି ମାଧ୍ୟମରେ ଆପୋସରେ କଳି, ଗଣ୍ଡଗୋଳକୁ ସମାଧାନ କରିବାକୁ ତଥା ସରକାରୀ ତହସିଲ୍‍ରେ ଖଜଣା କିମ୍ୱା ଜୋରିମାନା ନ ଦେବାକୁ ଏଥିରେ ପରାମର୍ଶ ଦିଆଯାଉଥିଲା । କେତେକ ସ୍ଥଳରେ ବିପ୍ଳବ-ବିରୋଧୀଙ୍କୁ ଗୁପ୍ତ ସଂଗଠନ ଧମକପୂର୍ଣ୍ଣ ଚିଠି ମଧ୍ୟ ଦେଉଥିଲା । ପୋଲିସକୁ ନିରସ୍ତ୍ର କରିବା ସକାଶେ ମଧ୍ୟ ଏଥିରେ ପରାମର୍ଶ ଦିଆ ଯାଉଥିଲା ।   'ଭାରତର ସ୍ୱାଧୀନତାପାଇଁ ଶେଷ ବିପ୍ଳବ' ନାମକ ଏକ ବୁଲେଟିନ୍‌ରେ ଉଲ୍ଲେଖ ଥିଲା -

"ବନ୍ଧୁଗଣ ! ଇଂରେଜକୁ ଛାଡ଼ନାହିଁ । ଏତେ ଦିନ ଧରି ଯେ ଆମ ରକ୍ତ ଶୋଷି ଚାଲିଥିଲେ, ଅତି କମ୍‍ରେ ଥରୁଟିଏ ଭାରତରେ ସେମାନଙ୍କ ରକ୍ତପାତ ହେଉ । ଆଉ ସମୟ ନାହିଁ । ସମସ୍ତେ ଜାଗ୍ରତ ହୁଅ । ସବୁ ସରକାରୀ କାର୍ଯ୍ୟାଳୟକୁ ଜାଳିଦିଅ । ଟେଲିଫୋନ୍‍ ଓ ବିଜୁଳି ତାରକୁ କାଟି ପକାଅ । ରାଜକୋଷ ଲୁଟି ନେଇ ଗରିବଙ୍କ ମଧ୍ୟରେ ବାଣ୍ଟିଦିଅ । ...ରାତିରେ ଗୋରା ସାହେବଙ୍କ ଉପରେ ଅତର୍କିତ ଆକ୍ରମଣ କର ।"

କଟକବାସୀଙ୍କୁ ସଂବୋଧନ କରି ଅନ୍ୟ ଏକ ବୁଲେଟିନ୍‌ରେ ଲେଖାଥିଲା, "ହେ କଟକବାସୀ! ତୁମେ କ'ଣ ଏହି ମହାନ ସଂକଳ୍ପରୁ ଦୂରେଇ ରହିବ ? ଆଉ ବିଳମ୍ୱ ନ କରି ସାହସ ଓ ଦମ୍ଭର ସହିତ ଏହି ପ୍ରବଳ ସ୍ରୋତରେ ଝାସ ଦିଅ । ସରକାରୀ କଳକୁ ଅଚଳ କରିଦିଅ । ପୋଲିସ୍‍ ଷ୍ଟେସନ, କଚେରି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର କାଗଜପତ୍ରକୁ ପୋଡ଼ିଦିଅ । ଟେଲିଗ୍ରାଫ୍‍ ଓ ଟେଲିଫୋନ୍‍ ଖୁଣ୍ଟଗୁଡ଼ିକୁ ଉପାଡ଼ି ପକାଅ । ରେଳ ଷ୍ଟେସନକୁ ଧ୍ୱଂସ କର । ଶତ୍ରୁର ଦାସତ୍ୱର ବେଡ଼ିରୁ ପୋଲିସ୍‍, ଡେପୁଟି ମାଜିଷ୍ଟ୍ରେଟ୍‍ ଓ କିରାଣି ଭାଇମାନଙ୍କୁ ମୁକୁଳେଇ ଦିଅ । ସରକାରର ସାହାଯ୍ୟକାରୀମାନଙ୍କୁ କିଛି ବିକ୍ରୀ କରନାହିଁ । ମଫସଲରେ ଆନ୍ଦୋଳନକୁ ବିସ୍ତାରିତ କର ।"

ବୁଲେଟିନ୍‌ଗୁଡ଼ିକରେ ସରକାରୀ କର୍ମଚାରୀ, ପୋଲିସ ଏବଂ ଜନସାଧାରଣଙ୍କୁ ମଧ୍ୟ ବହୁ ସଂଖ୍ୟାରେ ବିପ୍ଳବରେ ଯୋଗ ଦେବାକୁ ଆହ୍ୱାନ କରାଯାଇଥିଲା । ବୁଲେଟିନ୍ ମାଧ୍ୟମରେ ବହୁ ଉତ୍ତେଜନାମୂଳକ ଲେଖା ପ୍ରକାଶିତ ହେଉଥିଲା । ଏସବୁ କାର୍ଯ୍ୟରେ ପରିଣତ ନହେଲେ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଓ କଟକ ଜିଲ୍ଲାର ଗୋବିନ୍ଦପୁର, ଏରସମା, ତିର୍ତ୍ତୋଲ୍‍ ଓ ଯାଜପୁରଠାରେ ଯେଉଁ ହିଂସାତ୍ମକ ଘଟଣାମାନ ଘଟିଥିଲା, ତହିଁରେ ତା'ର ଅନେକ ପ୍ରଭାବ ରହିଥିଲା । ସମଗ୍ର ପ୍ରଦେଶରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଆନ୍ଦୋଳନର ଶାଖା ଗଠନ କରିବାକୁ ପ୍ରୟାସ କରିଥିଲେ । ମାତ୍ର, ମୁଖ୍ୟତଃ କଟକ ଓ ବାଲେଶ୍ୱର ଜିଲ୍ଲା ଯାଏଁ ତାଙ୍କର ଗତିବିଧି ସୀମିତ ଥିବା ମନେହୁଏ । ଆନ୍ଦୋଳନକୁ ବିସ୍ତାରିତ କରିବାନିମିତ୍ତ ଯେଉଁ ସଂଖ୍ୟାରେ କର୍ମୀମାନଙ୍କର ଆବଶ୍ୟକତା ଥିଲା, ତା'ର ଘୋର ଅଭାବ ରହିଥିଲା । ନିଜେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ମଧ୍ୟ ସେତେବେଳକୁ ଜଣେ ଆଗଧାଡ଼ିର ନେତା ନଥିଲେ । ଏହା ଗୁପ୍ତ ଆନ୍ଦୋଳନର ବ୍ୟାପ୍ତିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଏସବୁ ସତ୍ତ୍ୱେ କଂଗ୍ରେସ ସଂଗଠନକୁ ତିଷ୍ଠି ରହିବାରେ ତାଙ୍କର ଭୂମିକା ଖୁବ୍‍ ମହତ୍ତ୍ୱପୂର୍ଣ୍ଣ ଥିଲା । ଅକ୍ଟୋବର ୧୩ ତାରିଖରେ (୧୯୪୨) କଟକଠାରେ ତାଙ୍କୁ ପୋଲିସ ଗିରଫ କରିବା ପରେ 'ଅଣ୍ଡର ଗ୍ରାଉଣ୍ଡ' ବା ଭୂମିଗତ ଗୁପ୍ତ ଆନ୍ଦୋଳନ ଓଡ଼ିଶାରେ ଶେଷ ହୋଇ ଯାଇଥିଲା ।   ଓଡ଼ିଶାରେ ଅଗଷ୍ଟ ବିପ୍ଳବର ଏକ ବଡ଼ ବିଶେଷତ୍ୱ ହେଲା ଯେ, ୧୯୪୨ର ଅଗଷ୍ଟ ୯ରୁ ଆରମ୍ଭ ହୋଇ ସେହି ମାସ ଶେଷ ସୁଦ୍ଧା ଏହା ତୀବ୍ର ରୂପ ଧାରଣ କଲା ଏବଂ ତା' ସହିତ ଊଣାଅଧିକ ଅସ୍ତମିତ ମଧ୍ୟ ହେଲା । ସେପ୍ଟେମ୍ୱର ମାସ ବେଳକୁ ଆନ୍ଦୋଳନାତ୍ମକ ଘଟଣାଗୁଡ଼ିକର ସଂଖ୍ୟା ଅନେକ ହ୍ରାସ ପାଇଥିଲା ଏବଂ ଅକ୍ଟୋବର ମାସରେ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ଭୂମିଗତ ଗୁପ୍ତ ଆନ୍ଦୋଳନକୁ କେବଳ ଦେଖିବାକୁ ମିଳିଥିଲା । କିନ୍ତୁ ସେହି ଗୋଟାଏ ମାସ ମଧ୍ୟରେ ବଣନିଆଁ ଭଳି ଏହା ଏତେ ତୀବ୍ର ଗତିରେ ଚାରିଆଡ଼କୁ ବିସ୍ତାରିତ ହେଲା ଯେ, ଇଂରେଜ ସରକାର ଯେତେ ଶୀଘ୍ର ସମ୍ଭବ ଦେଶ ଛାଡ଼ି ଯିବାକୁ ନିଷ୍ପତ୍ତି ନେଲେ ।

ରେଭେ୍‍ସା ମହାବିଦ୍ୟାଳୟରେ ଧର୍ମଘଟ   ଓଡ଼ିଶାରେ ଅଗଷ୍ଟ ବିପ୍ଳବର ଆରମ୍ଭ ହେଲା କଟକ ସହରରେ ଏକ ଛାତ୍ର ଆନ୍ଦୋଳନ ରୂପରେ । ଅଗଷ୍ଟ ୯ ତାରିଖରେ ଶୀର୍ଷସ୍ତରୀୟ ନେତାମାନଙ୍କ ଗିରଫ ପରେ ଅଗଷ୍ଟ ୧୦,୧୧,୧୨ ତାରିଖରେ କଟକ ରେଭେନ୍‌ସା ମହାବିଦ୍ୟାଳୟର ଛାତ୍ରମାନେ ସଭା ଆୟୋଜନ କରି ତା'ର ପ୍ରତିବାଦ କଲେ । ଏହି ସଭାରେ ଭାଗୀରଥି ମିଶ୍ର, ଉପେନ୍ଦ୍ର ମହାନ୍ତି, ନୃସିଂହ ତ୍ରିପାଠୀ, ବୀରେନ୍ ମିତ୍ର, ଦୁର୍ଗାଚରଣ ମହାନ୍ତି, ମନମୋହନ ମିଶ୍ର, ରାମଚନ୍ଦ୍ର ଦାସ, ବିଜୟଚନ୍ଦ୍ର ଦାସ ଓ ବୈଦ୍ୟନାଥ ରଥ ଉଦ୍ୟୋକ୍ତା ତଥା ବକ୍ତା ଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଗିରଫ ମଧ୍ୟ କରାଗଲା । ସଭା ପରେ ରେଭେନ୍‌ସାରେ ଏବଂ ତା'ର ପ୍ରଭାବରେ ୧୩ ତାରିଖରୁ କଲିଜିଏଟ୍‍ ସ୍କୁଲ୍‍, ପ୍ୟାରୀମୋହନ ଏକାଡେମୀ ଓ ଭିକ୍ଟୋରିଆ ସ୍କୁଲ୍‍ରେ ଧର୍ମଘଟ ଆରମ୍ଭ ହେଲା । ପ୍ରାୟ ୨୦୦ କଲେଜ ଛାତ୍ର ୧୩ ଅଗଷ୍ଟ ଦିନ କଲେଜର କାର୍ଯ୍ୟାଳୟ ଓ ଲାବରେଟୋରୀରେ ଭଂଗାରୁଜା କଲେ । ଏହି ଘଟଣାରେ ବନମାଳୀ ପଟ୍ଟନାୟକ, ବୀରେନ ମିତ୍ର, ସୁରଜମଲ ଶାହ, ବିବୁଧେନ୍ଦ୍ର ମିଶ୍ର, ମାୟାଧର ମହାନ୍ତି ଓ ବିଜୟକେତନ ମଙ୍ଗରାଜ ଆଦି ସଂପୃକ୍ତ ବୋଲି ପୋଲିସ୍‍ ରିପୋର୍ଟ ଦେଲେ । ସୁରଜମଲ ଶାହ ଓ ବିବୁଧେନ୍ଦ୍ର ମିଶ୍ରଙ୍କୁ ଗିରଫ କରି ବ୍ରହ୍ମପୁର ସେଣ୍ଟ୍ରାଲ୍‍ ଜେଲ୍‍କୁ ପଠାଗଲା ।   ଧର୍ମଘଟଯୋଗୁଁ ରେଭେନ୍‌ସା ମହାବିଦ୍ୟାଳୟ ଦୀର୍ଘ ଦୁଇମାସ ପର୍ଯ୍ୟନ୍ତ ବନ୍ଦ ରହିଲା । କିଛି ଛାତ୍ର ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ସଂଯୋଜନାରେ ଚାଲିଥିବା ଭୂମିଗତ ଗୁପ୍ତ ଆନ୍ଦୋଳନରେ ମଧ୍ୟ ସଂପୃକ୍ତ ରହିଲେ । ରେଭେନ୍‌ସାରେ ସେମାନେ ସିକ୍ରେଟ୍‍ ନ୍ୟୁଜ୍‍ ସର୍ଭିିସେସ୍‍ (ଏସ୍‍ଏନ୍‍ଏସ୍‍) ନାମରେ ଏକ ସଂସ୍ଥା ଗଠନ କରି ତା' ମାଧ୍ୟମରେ ଆନ୍ଦୋଳନ ସଂପର୍କିତ ଖବରମାନ ପ୍ରସାର କରୁଥିଲେ । ଧର୍ମଘଟରେ ସଂଶ୍ଳିଷ୍ଟ ଛାତ୍ରନେତାଙ୍କୁ ପ୍ରିନ୍‌ସିପାଲ୍‍ କଲେଜରୁ ବହିଷ୍କାର କରି ତଥା ଅନ୍ୟ ଛାତ୍ରମାନଙ୍କଠାରୁ ସନ୍ତୋଷଜନକ ଆଚରଣପାଇଁ ମୁଣ୍ଡପିଛା୧୦ଟଙ୍କା ଲେଖା ଜାମିନ୍ ଆଦାୟ କରି ଶେଷରେ ଛାତ୍ର ଆନ୍ଦୋଳନକୁ ଦମନ କଲେ । କିନ୍ତୁ 'ଭାରତ ଛାଡ଼' ଆନ୍ଦୋଳନରେ ଛାତ୍ରମାନଙ୍କର ସଂପୃକ୍ତି ଏକ ନୂଆ ରାଜନୀତିର ସଂକେତ ଦେଲା ।

କୋରାପୁଟ ଆନ୍ଦୋଳନ   ଅଗଷ୍ଟ ୯ ତାରିଖ ଦିନ କୋରାପୁଟ ଅଞ୍ଚଳର ପ୍ରମୁଖ କଂଗ୍ରେସ ନେତା ରାଧାକୃଷ୍ଣ ବିଶ୍ୱାସରାୟ, ରାଧାମୋହନ ସାହୁ ଏବଂ ସଦାଶିବ ତ୍ରିପାଠୀଙ୍କୁ ଗିରଫ କରାଯାଇଥିଲା ଏବଂ ଜିଲ୍ଲା କଂଗ୍ରେସ ଅଫିସ୍‍କୁ ବାଜ୍ୟାପ୍ତ କରି ଦିଆଯାଇଥିଲା । ଏହାପରେ ସୁଦୂର ଏବଂ ବଣଜଙ୍ଗଲଘେରା କୋରାପୁଟରେ ଯେ ଅଗଷ୍ଟ ବିପ୍ଳବ ଆରମ୍ଭ ହୋଇ ପାରିବ- ଏହି ଆଶଙ୍କା ସରକାର କରି ପାରୁ ନଥିଲେ । ମାତ୍ର କୋରାପୁଟରେ ଆନ୍ଦୋଳନ ଖୁବ୍‍ ତୀବ୍ର ରୂପ ନେଲା ଏବଂ ତା'ର ନେତୃତ୍ୱ ପୂର୍ଣ୍ଣତଃ ସ୍ଥାନୀୟ ଆଦିବାସୀମାନଙ୍କ ହାତକୁ ଚାଲିଗଲା ।

ଆନ୍ଦୋଳନର ଆରମ୍ଭ ହେଲା ଅଗଷ୍ଟ ୧୩ ତାରିଖରେ । ଜୟପୁରରେ ଦୁଇଜଣ କିଶୋର ବାଳକ କଂଗ୍ରେସ ପତାକା ଧରି 'ଗାନ୍ଧିଙ୍କ ବାର୍ତ୍ତା' ନାମରେ ଏକ ପ୍ରଚାର ପତ୍ର ବାଣ୍ଟିଲେ । ସେମାନଙ୍କ କହିବା କଥା ଯେ, ପତ୍ରଟିକୁ ଗାନ୍ଧୀ ବମ୍ୱେରୁ ପଠାଇଛନ୍ତି । ପତ୍ରଟି ଲୋକଙ୍କ ମନରେ ଖୁବ୍‍ ଉତ୍ସାହ ସୃଷ୍ଟିକଲା ଏବଂ ସେହିଦିନ ଜୟପୁରରେ ହରତାଳ ଆରମ୍ଭ ହେଲା । ପତ୍ରରେ ଇଂରେଜ ସରକାର ଦେଶରୁ ବିତାଡ଼ିତ ହୋଇ ସାରିଛି ଏବଂ ଲୋକଙ୍କୁ ଏଣିକି ଖଜଣା ଦେବାକୁ ପଡ଼ିବ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା । ଲୋକେ ଜେଲରୁ ଗାନ୍ଧୀଙ୍କ ମୁକ୍ତିଲାଗି ଶପଥ ନେଲେ ଏବଂ ସରକାରୀ କୋଠା ଘରଗୁଡ଼ିକ ଉପରେ ଆକ୍ରମଣ କଲେ । ସେମାନେ ଜୟପୁର ପୋଲିସ୍‍ ଷ୍ଟେସନର ପ୍ରବେଶ ପଥକୁ ମଧ୍ୟ ଗଛକାଟି ଅବରୁଦ୍ଧ କଲେ । ବିଦ୍ରୋହର ରୂପ ଧାରଣ କରିଥିବା ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାଲାଗି ପୋଲିସ ଲାଠି ଚାର୍ଯ କଲେ ଏବଂ କେତେକ ନେତାଙ୍କୁ ଗିରଫ କଲେ ।

୧୭ ଅଗଷ୍ଟ ଦିନ ଜିଲ୍ଲାର ଗୁଣପୁର, ଲକ୍ଷ୍ମୀପୁର, ସେମିଳିଗୁଡ଼ା ଓ ଦଶମନ୍ତପୁରରେ ଆନ୍ଦୋଳନ ଆରମ୍ଭ ହେଲା । ସେମିଳିଗୁଡ଼ାରେ ପ୍ରାୟ ୨୦୦ ଲୋକ ଜୟପୁର ଯାଇ ସେଠାକାର ରେଭିନ୍ୟୁ ଅଫିସ୍‍କୁ ଆକ୍ରମଣ କଲେ । ଦଶମନ୍ତପୁରରେ ଆଦିବାସୀମାନେ ଥାନାକୁ କବ୍‍ଜା କରିନେଲେ । କିନ୍ତୁ ସେମାନଙ୍କ ସରଳତାର ସୁଯୋଗ ନେଇ ଆଠ ଜଣ ଆଦିବାସୀଙ୍କୁ ଗିରଫ କରି ପୋଲିସ ଅଫିସର ଥାନାକୁ ମୁକ୍ତ କଲେ । ଲକ୍ଷ୍ମୀପୁର ଓ ଗୁଣପୁରରେ ଆଦିବାସୀ କଚେରି, ମଦ ଦୋକାନ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆଗରେ ପିକେଟିଂ ଆରମ୍ଭ କଲେ । କୋରାପୁଟର ସଂରକ୍ଷିତ ଜଙ୍ଗଲକୁ ପଶି ଗଛଗୁଡ଼ିକୁ ମଧ୍ୟ ସେମାନେ କାଟି ପକାଇଲେ ଏବଂ କୋରାପୁଟ କଳାହାଣ୍ଡି ସୀମାନ୍ତରେ ଆମ୍ୱପାଣିଠାରେ ଏକ ପୋଲକୁ ଭାଙ୍ଗି ଯୋଗାଯୋଗ ଧ୍ୱଂସ କଲେ । ଏହା ସେମାନଙ୍କ ପୁଂଜୀଭୂତ କ୍ରୋଧକୁ ପରିପ୍ରକାଶ କଲା । ଜଙ୍ଗଲ ଆଇନ ବଳରେ ସରକାର ଆଦିବାସୀମାନଙ୍କର ପାରଂପରିକ ଅଧିକାରକୁ ନେଇ ଯାଇଥିଲେ । ତା'ର ସେମାନେ ବିରୋଧ ମାତ୍ର କରୁଥିଲେ । 'ଗାନ୍ଧୀଙ୍କ ବାର୍ତ୍ତା' ନାମକ ସାମାନ୍ୟ ପ୍ରଚାରପତ୍ରଟି ସେମାନଙ୍କୁ ଖୋଲାଖୋଲି ବିଦ୍ରୋହ କରିବା ସକାଶେ ଦିଆସିଲି କାଠି ଭଳି ଉପଯୋଗୀ ସିଦ୍ଧ ହୋଇଥିଲା ।   ୨୧ ଅଗଷ୍ଟ ଦିନ ଜିଲ୍ଲାର ମାଥିଲିଠାରେ ଆନ୍ଦୋଳନ ଉଗ୍ର ରୂପ ନେଲା । ଜିଲ୍ଲାସ୍ତରର ଜଣେ କଂଗ୍ରେସ କର୍ମୀ ଲକ୍ଷ୍ମଣ ନାୟକ ସେଠାରେ ଆନ୍ଦୋଳନର ନେତୃତ୍ୱ ନେଲେ । ୧୯୩୬ ମସିହାରୁ ସେ କଂଗ୍ରେସର ପ୍ରାଥମିକ ସଭ୍ୟ ଥିଲେ ଏବଂ 'ଖଜଣା ଛାଡ଼' ଆନ୍ଦୋଳନ କରି ଗିରଫ ମଧ୍ୟ ହୋଇଥିଲେ । ୧୯୪୦ରେ ଯେତେବେଳେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହେଲା, ତହିଁରେ ମଧ୍ୟ ଗିରଫ ହୋଇ ସେ ୯ମାସ ଜେଲ୍‍ରେ କାଟିଥିଲେ । ଅଗଷ୍ଟ ବିପ୍ଳବ ସମୟରେ ସହସ୍ରାଧିକ ଲୋକଙ୍କୁ ନେଇ ସେ ମାଥିଲି ଥାନାକୁ କବ୍‍ଜା କରିବାକୁ ବାହାରିଲେ । ରାସ୍ତାରେ କୋଙ୍ଗ୍ରାବେଡ଼ା, ଚନ୍ଦ୍ରବେଡ଼ା ଓ କୁଣ୍ଟିପାଲୁଠାରେ ମଦ ଦୋକାନଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରି ପକାଇଲେ ।

ମାଥିଲି ଥାନାରେ କଂଗ୍ରେସର ପତାକା ଉତ୍ତୋଳନ କରିବା ଅବସରରେ ଉପସ୍ଥିତ ଜନତାକୁ ସଂବୋଧନ କରି ଲକ୍ଷ୍ମଣ ନାୟକ କହିଥିଲେ, "ଆମ୍ଭେମାନେ ହେଲେ ଯୋଦ୍ଧା । ମହାତ୍ମାଗାନ୍ଧୀ ଆମର ନେତା । ସେ କହିଛନ୍ତି, ଆଜିଠାରୁ ଦେଶ ଆମର । ଇଂରେଜ ସରକାର ଚାଲିଯାଇଛି । ମହାତ୍ମାଗାନ୍ଧୀ ଆମର ରାଜା । ଜୟପୁର ରାଜା ଆଉ ନାହିଁ । ଆମେ ସ୍ୱାଧୀନତା ପାଇ ସାରିଛୁ । ଥାନା ଆମର । ପୋଲିସ ଭାଇମାନେ ହେଲେ ଭାରତବାସୀ । ସେମାନେ ଆମ ସାଙ୍ଗରେ ମିଶିଯିବେ । ଆସ ଭାଇମାନେ ! ସମସ୍ତେ ଏହି ଯୁଦ୍ଧରେ ସାମିଲ୍‍ ହୁଅ । ମହାତ୍ମାଗାନ୍ଧୀଙ୍କର ଜୟ!" ଲକ୍ଷ୍ମଣ ନାୟକଙ୍କର ଭାଷଣରୁ ମନେହୁଏ ଯେ, ସେ ହିଂସା ଭିଆଇବାକୁ ଚାହୁଁ ନଥିଲେ । ମାତ୍ର ମାଲକାନଗିରିରୁ ପୋଲିସ ଆସିଲା ପରେ ମାଥିଲି ପୋଲିସ ନିଜକୁ ଅଜେୟ ମନେକଲେ ଏବଂ ସମବେତ ଆଦିବାସୀମାନଙ୍କ ଉପରେ ଗୁଳି ଚାଳନା କଲେ । ଏଥିରେ ପାଞ୍ଚ ଜଣ ଆଦିବାସୀଙ୍କର ମୃତ୍ୟୁ ହେଲା ଏବଂ ୧୭ ଜଣ ଗୁରୁତର ଆହତ ହେଲେ । ନିଜେ ଲକ୍ଷ୍ମଣ ନାୟକ ମଧ୍ୟ ଗୁରୁତର ଭାବେ ଆହତ ହୋଇ ସଂଜ୍ଞା ହରାଇଥିଲେ । ତାଙ୍କୁ ପରେ ଗିରଫ କରାଗଲା ଏବଂ ଘଟଣା ଦିନ ମୃତ୍ୟୁବରଣ କରିଥିବା ଜଣେ ଫରେଷ୍ଟ ଗାର୍ଡ଼କୁ ହତ୍ୟା କରିବା ଅଭିଯୋଗରେ ୨୯ ମାର୍ଚ୍ଚ ୧୯୪୩ ଦିନ ବ୍ରହ୍ମପୁର ଜେଲରେ ଫାଶୀ ଦିଆଗଲା । ଲକ୍ଷ୍ମଣ ନାୟକଙ୍କ ସାଙ୍ଗରେ ଥିବା ଅନ୍ୟ ୫୦ ଜଣ ଆଦିବାସୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ମାଥିଲିରେ ଲକ୍ଷ୍ମଣ ନାୟକ ଓ ତାଙ୍କ ସହଯୋଗୀମାନଙ୍କର ଆନ୍ଦୋଳନ ଏବଂ ସେମାନଙ୍କ ଉପରେ ପୋଲିସର ଦମନଲୀଳା ଇଂରେଜ ସରକାରର ମୁଖା ଖୋଲିଦେଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।   ଅଗଷ୍ଟ ୨୪ ତାରିଖ ଦିନ କୋରାପୁଟ ଜିଲ୍ଲାର ନବରଂଗପୁର ନିକଟସ୍ଥ ପାପଡହାଣ୍ଡିଠାରେ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କଲା । ସେଠାରେ ଆଦିବାସୀମାନେ ସଭା କଲେ ଏବଂ ସଭା ପରେ ଜଗନ୍ନାଥ ତ୍ରିପାଠୀ, ସୀମାଞ୍ଚଳ ବେହେରା ଓ ଲକ୍ଷ୍ମଣ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ନବରଂଗପୁର ଥାନା କବ୍‍ଜା କରିବାକୁ ଶୋଭାଯାତ୍ରାରେ ବାହାରିଲେ । ରାସ୍ତାରେ ପାପଡହାଣ୍ଡିର ତୂରୀ ନଦୀ ଉପରେ ଥିବା ପୋଲରେ ସେମାନଙ୍କୁ ପୋଲିସ୍‍ ଅବରୋଧ କଲା । ପୋଲିସ ପକ୍ଷରୁ ପୋଲକୁ ଭାଂଗି ଦିଆଗଲା ଏବଂ ଲୋକଙ୍କ ଉପରକୁ ଗୁଳି ଚାଳନା କରାଗଲା । ଏଥିରେ ଅନ୍ୟୂନ ୧୫ ଜଣ ଲୋକ ପ୍ରାଣ ହରାଇଲେ ଏବଂ ୧୭ ଜଣ ଗୁରୁତର ଆହତ ହେଲେ । ଅନେକ ଲୋକ ପୋଲିସ ଗୁଳିରୁ ରକ୍ଷାପାଇବାପାଇଁ ନଦୀକୁ ଡେଇଁ ପଡ଼ିଲେ ।

ଏସବୁ ବାହାରେ ମଧ୍ୟ କୋରାପୁଟର ଅନ୍ୟ ଅଞ୍ଚଳଗୁଡ଼ିକରେ ଆନ୍ଦୋଳନ ହୋଇଥିଲା । କେବଳ ଏହି ଜିଲ୍ଲାରୁ ଅଗଷ୍ଟ ବିପ୍ଳବରେ ୧୯୭୦ ଜଣ ଗିରଫ ହୋଇଥିଲେ ଏବଂ ତନ୍ମଧ୍ୟରୁ ୫୭୦ ଜଣଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଜେଲରେ ୫୦ ଜଣ ଓ ପୋଲିସ୍‍ ଫାୟାରିଂରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଆହତଙ୍କ ମୋଟ ସଂଖ୍ୟା ଥିଲା ୨୧୪୭ । ପୋଲିସ ପକ୍ଷରୁ ମୋଟ ୨୪ ଥର ଏବଂ ୪୫୧ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଏସବୁ ବ୍ୟତୀତ ପିଟୁଣି ଟିକସ ଓ ଅନ୍ୟାନ୍ୟ ଜୋରିମାନା ବାବଦରେ ଲୋକଙ୍କଠାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରାଯାଇଥିଲା । ଅଗଷ୍ଟ ମାସରେ ଆନ୍ଦୋଳନ ଆରମ୍ଭ ହୋଇ କୋରାପୁଟରେ ସେହି ମାସରେ ପ୍ରାୟ ଶେଷ ହୋଇ ଯାଇଥିଲା । ସେପ୍ଟେମ୍ୱର ଓ ଅକ୍ଟୋବର ବେଳକୁ ସେଠାରେ ଆଉ ପ୍ରାୟ ଆନ୍ଦୋଳନ ନ ଥିଲା । ପୋଲିସ ଦମନଯୋଗୁଁ ସେଠାରେ ଅତି ଅଳ୍ପ ଅବଧି ମଧ୍ୟରେ ଆନ୍ଦୋଳନର ଅବସାନ ଘଟିଥିଲା ।

କଟକ ଜିଲ୍ଲାରେ ଆନ୍ଦୋଳନ   ରାଜ୍ୟର ପ୍ରମୁଖ ସହର ଭାବରେ କଟକ ଓ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ଅଗଷ୍ଟ ବିପ୍ଳବ ସମୟରେ ଖୁବ୍‍ ଅଧିକ ମାତ୍ରାରେ ସକ୍ରିୟ ହୋଇଥିଲା । ରେଭେ୍‍ସା ମହାବିଦ୍ୟାଳୟର ଛାତ୍ର-ଆନ୍ଦୋଳନ କଥା ପୂର୍ବରୁ ଆଲୋଚିତ ହୋଇଛି । ଅଗଷ୍ଟ ମାସରେ ହିଁ ଜିଲ୍ଲାର ଅଭ୍ୟନ୍ତରରେ ମଧ୍ୟ ଆନ୍ଦୋଳନାତ୍ମକ ଘଟଣାମାନ ଦେଖିବାକୁ ମିଳିଲା । ଜିଲ୍ଲାର ଯାଜପୁର, ବରୀ, କାଇପଦା, ବଡ଼ଚଣା, ବିଂଝାରପୁର, ତିର୍ତ୍ତୋଲ୍‍, ଏରସମା, ବାଗଲପୁର ଓ ମାହାଙ୍ଗା ଅନ୍ତର୍ଗତ କୁଆଁପାଳ ଆଦି ସ୍ଥାନରେ ଲୋକେ ସକ୍ରିୟ ଭାବରେ ଆନ୍ଦୋଳନ କରିଥିଲେ ।

ବରୀଠାରେ ୧୯୩୪ରୁ ଗୋପବନ୍ଧୁ ଚୌଧୁରୀ ଏକ ଆଶ୍ରମ ସ୍ଥାପନ କରି ବରୀ ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ଗଠନମୂଳକ କାର୍ଯ୍ୟ କରୁଥିଲେ । ସେହି ପ୍ରକ୍ରିୟାରେ ସେଠାରେ କିଛି କଂଗ୍ରେସ କର୍ମୀ ସୃଷ୍ଟି ହୋଇଥିଲେ । ଅଗଷ୍ଟ ୯ ତାରିଖରେ ଗୋପବନ୍ଧୁ ଚୌଧୁରୀ, ତାଙ୍କ ପତ୍ନୀ ରମାଦେବୀ ଓ ପୁତ୍ର ମନମୋହନ ଚୌଧୁରୀଙ୍କୁ ଗିରଫ କଲା ପରେ ପୋଲିସ ଆଶ୍ରମକୁ ମଧ୍ୟ ଦଖଲ କଲା ଏବଂ ସେଠାରେ ଥିବା କାଗଜପତ୍ର ନଷ୍ଟ କରିଦେଲା । ଏହାର ପ୍ରତିକ୍ରିୟା ସ୍ୱରୂପ ୧୬ ଅଗଷ୍ଟରେ 'ରକ୍ତ ବାହିନୀ' ନାମରେ ଏକ ସଂଗଠନ ଗଢ଼ି କିଛି ଯୁବକ ଆଶ୍ରମକୁ ପୁନର୍ଦଖଲ କଲେ । ସେଠାରେ କିଶୋର ବୟସର ଯୁବକମାନେ ବାନର ସେନା ଗଢ଼ି ଆନ୍ଦୋଳନକୁ ପୁନର୍ଜୀବିତ କରି ରଖିଥିଲେ । କେତେକ ଲୋକ ବରୀ ଆଶ୍ରମର ବାଜ୍ୟାପ୍ତ ଜିନିଷପତ୍ର ଗଚ୍ଛିତ ଥିବା ପିଡବ୍ଲ୍ୟୁଡି କୋଠାରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ପରେ ପୋଲସ ଦୁଃଶାସନ ଜେନା ଓ ପ୍ରହଲ୍ଲାଦ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।   ଗୋବିନ୍ଦପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ବାଗଲପୁର ଗାଁରେ ଗୌରାଙ୍ଗ ଚରଣ ଦାସଙ୍କ ନେତୃତ୍ୱରେ କିଛି ଯୁବକ ସୁରକ୍ଷା ବାହିନୀ ଗଢ଼ିଥିଲେ । ପୋଲିସ ଦମନର ମୁକାବିଲାପାଇଁ ସେମାନେ ଲାଠି ଚାଳନା ଶିକ୍ଷା କରିଥିଲେ । ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ପରିଚାଳନାରେ ଚାଲିଥିବା ଭୂମିଗତ ଆନ୍ଦୋଳନ ସହ ସେମାନଙ୍କର ସଂପର୍କ ଥିଲା । ଏହି ବାହିନୀର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଥିଲେ ଚିତ୍ତରଂଜନ ଦାସ, ଜଗନ୍ନାଥ ଦାସ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, କମଳା ଚରଣ ଦାସ, କଳ୍ପତରୁ ଦାସ ଓ ଇନ୍ଦ୍ରମଣି ଦାସ । ଏହି ବାହିନୀ ବିଭିନ୍ନ ସରକାରୀ ଅଫିସ୍‍ ଓ ପୋଷ୍ଟ ଅଫିସ୍‍ ପୋଡ଼ା ଘଟଣାରେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଥିଲେ । କଟକରୁ ଆସୁଥିବା ଗୁପ୍ତ ବୁଲେଟିନ୍‌କୁ ମଧ୍ୟ ସେମାନେ ବାଣ୍ଟିବା କାମ କରୁଥିଲେ । ସେମାନଙ୍କ ଗତିବିଧିରୁ ସ୍ପଷ୍ଟ ହେଉଥିଲା ଯେ, ଆନ୍ଦୋଳନ ସାମୟିକ ଘଟଣାରେ ସୀମିତ ନରହି ଦିନକୁ ଦିନ ଦୃଢ଼ ହେବାକୁ ଆରମ୍ଭ କରିଥିଲା । ଗୌରାଙ୍ଗ ଚରଣ ଦାସ ଆଦି କେତେକ କର୍ମୀ ସୁଦୂର ଗଡ଼ଜାତ ଅଂଚଳକୁ ମଧ୍ୟ ଯାଇ ଆନ୍ଦୋଳନ କାମ ଆରମ୍ଭ କଲେ ।

ଅଗଷ୍ଟ ୨୦ରୁ ୨୬ ତାରିଖ ମଧ୍ୟରେ ବରୀର ବାନରସେନା, କାଇପଦା, ସନ୍ନ୍ୟାସୀପୁର ଆଦି ଗ୍ରାମରେ ଅନେକ ସଭା ସମିତି ଓ ହିଂସାତ୍ମକ ଘଟଣା ଭିଆଇଲେ । ୨୦ ଅଗଷ୍ଟରେ ସେମାନେ କାଇପଦା ପୋଷ୍ଟ ଅଫିସ୍‍ରେ ନିଆଁ ଲଗାଇଦେଲେ ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଅନେକ ଜିନିଷ ଭଙ୍ଗାରୁଜା କଲେ । ୨୫ ଓ ୨୬ ତାରିଖରେ ଅଧିକ ପୋଲିସ ଫୋର୍ସ ଆସିବା ପରେ ପୋଲିସ ଓ ଲୋକଙ୍କ ମଧ୍ୟରେ ଛକାପଂଝା ଚାଲିଲା । ଆଖପାଖରୁ ଲୋକ ଆସି ପୋଲିସର ବିରୋଧ କଲେ । ଯେତେବେଳେ ପୋଲିସ ଇନ୍ଦ୍ରମଣି ତ୍ରିପାଠୀ, ବିଦ୍ୟାଧର ରାୟ, ଡମ୍ୱରୁଧର ରାୟ, ହୃଷୀକେଶ ରାୟ, ଅନାମ ଚନ୍ଦ୍ର ଦାସ ଓ ବେଣୁଧର ଦାସଙ୍କ ସମେତ ଅନ୍ୟ କେତେଜଣ କର୍ମୀଙ୍କୁ ଗିରଫ କରି ଦଉଡ଼ିରେ ବାନ୍ଧି କାଇପଦା ସେବାଶ୍ରମକୁ ନେଲା, ଲୋକ ଗିରଫ କର୍ମୀଙ୍କୁ ମୁକ୍ତ କରିବାପାଇଁ ପୋଲିସର ଅନୁଧାବନ କଲେ । କଳାମାଟିଆ ଛକରେ ସେମାନେ ଗୌରାଙ୍ଗ ପଣ୍ଡା ନାମକ ଜଣେ ଗିରଫ କର୍ମୀଙ୍କୁ ପୋଲିସ କବଳରୁ ଛଡ଼େଇ ଆଣିଲେ ଏବଂ ପୋଲିସର ଏକ ରାଇଫଲ୍‍ ମଧ୍ୟ ଲୁଟିନେଲେ । ଏହା ପରେ ପୋଲିସ ଫାୟାରିଂରେ ଚାରିଜଣ ଲୋକ ପ୍ରାଣ ହରାଇଲେ ଏବଂ ୧୯ ଜଣ ଲୋକ ଗୁରୁତର ଆହତ ହେଲେ । ଅନେକ ବାନରସେନା କର୍ମୀଙ୍କୁ ମଧ୍ୟ ଗିରଫ କରାଗଲା । ଗିରଫ କର୍ମୀମାନଙ୍କୁ ଅଧିକ ଗଣ୍ଡଗୋଳ ଆଶଂକାରେ ପ୍ରଥମେ ବିଂଝାରପୁର ଓ ଯାଜପୁର ଏବଂ ସେଠାରୁ କଟକ ଜେଲକୁ ପଠାଇ ଦିଆଗଲା ।   କାଇପଦା-କଳାମାଟିଆ ପୋଲିସ୍‍ ଫାୟାରିଂ ଘଟଣା ଜଣାପଡ଼ିବା ପରେ ୨୭ ଅଗଷ୍ଟ ଦିନ ଯାଜପୁରରେ ତା'ର ଖୁବ୍‍ ପ୍ରତିବାଦ ହେଲା । କାଇପଦାରେ ଗିରଫ କର୍ମୀମାନଙ୍କୁ ଯାଜପୁରରେ ରଖାଯାଇଥିବାରୁ ସେମାନଙ୍କୁ ମୁକ୍ତ କରିବାକୁ ହଜାର ହଜାର ଲୋକ ପୋଲିସ ଷ୍ଟେସନକୁ ଘେରାଉ କରିବାକୁ ଆସିଲେ । ପଦ୍ମନାଭ ରାୟ, ବୈଦ୍ୟନାଥ ଦାସ, ଗୋପୀନାଥ ସାହୁ ଓ ଦୁର୍ଯ୍ୟୋଧନ ରାଉତ ଥିଲେ ସେମାନଙ୍କର ନେତା । ପୋଲିସକୁ ସେମାନେ ଗିରଫ କଂଗ୍ରେସ କର୍ମୀମାନଙ୍କୁ ମୁକ୍ତ କରିବାକୁ ତଥା ଚାକିରିରୁ ଇସ୍ତଫା ଦେଇ ଆନ୍ଦୋଳନରେ ଯୋଗ ଦେବାକୁ ଦାବି କଲେ । ଉପସ୍ଥିତ ଭିଡ଼କୁ ନିୟନ୍ତ୍ରଣ କରିବା ସକାଶେ ପୋଲିସ ସହରରେ ୧୪୪ ଧାରା ଜାରିକଲେ ଏବଂ ହେଲିକପ୍‍ଟରରୁ ଲୁହବୁହା ଗ୍ୟାସ୍‍ ପକାଇଲେ । ଫଳରେ ଲୋକ ଇତସ୍ତତଃ ଦୌଡ଼ି ପଳାଇଲେ । ବାଟରେ କେତେକ କର୍ମୀ ରାମବାଗଠାରେ ପୋଷ୍ଟ ଅଫିସ୍‍ରେ ନିଆଁ ଲଗାଇ ଦେଲେ ।

୨୨ଅଗଷ୍ଟ ଦିନ ମାହାଙ୍ଗାର କୁଆଁପାଳ ପୋଷ୍ଟ ଅଫିସ୍‍ରେ ଏବଂ ବାଲିଚନ୍ଦ୍ରପୁର ତହସିଲ ଅଫିସ୍‍ରେ ଲୋକେ ନିଆଁ ଲଗାଇ ଦେଲେ । ଜଣେ କନେଷ୍ଟବଲ୍‍ ଓ ଦୁଇଜଣ ଚୌକିଦାରଙ୍କ ପୋଷାକ କାଢ଼ି ତହିଁରେ ମଧ୍ୟ ନିଆଁ ଲଗାଇ ଦିଆଗଲା । ଏହାପରେ ମାହାଙ୍ଗା ଗାନ୍ଧୀ ନାମରେ ପରିଚିତ ସଚ୍ଚିଦାନନ୍ଦ ଜେନା ଓ ବିରଜା ପ୍ରସାଦ ରାୟଙ୍କୁ ପୋଲିସ ଗିରଫ କରି ଜେଲ୍‍କୁ ପଠାଇଲେ । ବଡ଼ଚଣାର ଗୋପାଳପୁର ଡାକବଙ୍ଗଳାକୁ ଉତ୍ତ୍ୟକ୍ତ ଜନତା ୨୧ ତାରିଖ ଦିନ ପୋଡ଼ିଦେଲେ ଏବଂ ଚୌକିଦାରର ପୋଷାକ କାଢ଼ି ନେଲେ । ୨୬ ତାରିଖରେ କୃଷ୍ଣଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଅନେକ ଲୋକ ବଡ଼ଚଣା ଥାନା ଆକ୍ରମଣ କରି ସେଠାରେ କାର୍ଯ୍ୟରତ ଚୌକିଦାରଙ୍କ ପୋଷାକ କାଢ଼ି ତହିଁରେ ନିଆଁ ଲଗାଇ ଦେଇଥିଲେ । ୩୧ ତାରିଖ ଦିନ ତିର୍ତ୍ତୋଲ୍‍ର ବାଲିପାଟଣାଠାରେ ପ୍ରାୟ ୫୦୦ ଲୋକ ପୋଲିସ୍‍ ଉପରେ ଆକ୍ରମଣ କରି ଜଣେ କଂଗ୍ରେସ କର୍ମୀଙ୍କୁ ମୁକ୍ତ କରିଥିଲେ ।

କୋରାପୁଟ ପରି କଟକ ଜିଲ୍ଲାରେ ମଧ୍ୟ ଲୋକ ସମବେତ ହୋଇ ଥାନା ଓ ସରକାରୀ କୋଠାଘର ଉପରେ ଆକ୍ରମଣ କରିଥିଲେ । ଅନେକ ସ୍ଥାନରେ ସେମାନଙ୍କର ମୁଖ୍ୟ ଦାବି ଥିଲା ଗିରଫ କର୍ମୀଙ୍କର ମୁକ୍ତି । ପୋଲିସ ଓ ଚୌକିଦାରମାନଙ୍କ ୟୁନିଫର୍ମ କାଢ଼ି ତହିଁରେ ସେମାନେ ନିଆଁ ଲଗାଇ ଦେଉଥିଲେ । କେତେକ ସ୍ଥାନରେ ଉତ୍ତ୍ୟକ୍ତ ଜନତା ଗିରଫ କଂଗ୍ରେସ କର୍ମୀଙ୍କୁ ପୋଲିସ କବଳରୁ ମୁକ୍ତ କରିବାରେ ମଧ୍ୟ ସଫଳ ହୋଇଥିଲେ । ପୋଲିସ ବିରୁଦ୍ଧରେ ଏକତ୍ରିତ ଭିଡ଼କୁ ଇତସ୍ତତଃ କରିବାପାଇଁ ସରକାରଙ୍କ ପକ୍ଷରୁ ଗୁଳିଚାଳନା ସହିତ କେତେକ ସ୍ଥାନରେ ଆକାଶ ମାର୍ଗରୁ ହେଲିକପ୍ଟର ମାଧ୍ୟମରେ ଲୁହବୁହା ବାଷ୍ପ ମଧ୍ୟ ପ୍ରୟୋଗ କରାଯାଇଥିଲା । ଏହା ସରକାରଙ୍କ ଅସହାୟତାକୁ ଦର୍ଶାଉଥିଲା ।

ବାଲେଶ୍ୱର ଆନ୍ଦୋଳନ   କଟକ ପରି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଅଗଷ୍ଟ ବିପ୍ଳବ ଗୁରୁତର ଆକାର ଧାରଣ କରିଥିଲା । ଅଗଷ୍ଟ ୧୭ ତାରିଖ ଦିନ ଏହି ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଲୋକେ ଥାନା   ଉପରେ ଆକ୍ରମଣ କଲେ, ଡାକଘର ପୋଡ଼ି ଦେଲେ ଏବଂ ରାସ୍ତାର ଏକ ପୋଲକୁ ଧ୍ୱଂସ କରିଦେଲେ । ଆନ୍ଦୋଳନକୁ ଦମନ କରିବାଲାଗି ପୋଲିସ ଜଗନ୍ନାଥ ଦାସ, ବୈଷ୍ଣବ ଚରଣ ନାୟକ, ମହନ୍ତ ଦୁର୍ଗାଚରଣ ଭାରତୀ ଏବଂ ଦ୍ୱାରିକାନାଥ ଦାସଙ୍କୁ ଗିରଫ କଲେ ଏବଂ ଆକ୍ରମଣରେ ଭାଗ ନେଇଥିବା ଭଣ୍ଡାରିପୋଖରୀ, ଉତ୍ତରବାଡ଼, ଦକ୍ଷିଣବାଡ଼, ଚନ୍ଦ୍ରଭାନପୁର, କୋହରାପୋଖରୀ, ରାଜେନ୍ଦ୍ରପୁର, ନଅଗାଁ, ପଟୌଲି, ପାଲଟ୍‍ ଓ ତୋରାଟ ଆଦିର ଗ୍ରାମବାସୀଙ୍କ ଉପରେ ଛଅ ହଜାର ଟଙ୍କା ପିଟୁଣି ଟିକସ ଲାଗୁ କଲେ ।

ସେପ୍ଟେମ୍ୱର ୫ ତାରିଖରେ ଧାମନଗର ନିକଟସ୍ଥ ଧୁଷୁରୀଠାରେ ଲୋକେ ଚୌକିଦାର ଓ ଦଫାଦାରଙ୍କ ପୋଷାକ କାଢ଼ିନେଇ ତହିଁରେ ନିଆଁ ଲଗାଇ ଦେଲେ । ଧାମନଗର ଅଂଚଳର ପ୍ରମୁଖ ନେତା ଥିଲେ ମୁରଲୀଧର ପଣ୍ଡା । ସେ ପାଣ୍ଠିପାଇଁ ସ୍ଥାନୀୟ ଜମିଦାର ଓ ମହାଜନମାନଙ୍କଠାରୁ ଜବରଦସ୍ତି ଧାନ ଚାଉଳ ଆଦାୟ କରୁଥିବାର ଅଭିଯୋଗ ପାଇ ୨୨ ସେପ୍ଟେମ୍ୱରରେ ପୋଲିସ ତାଙ୍କୁ ଗିରଫ କରିବାକୁ ଲୁଣିଆ-କାଟସାହି ଗଲେ । ତା' ପୂର୍ବରୁ ସେପ୍ଟେମ୍ୱର ୨୦ ତାରିଖରେ ମୁରଲୀଧର ଜେନା ନାମକ ଜଣେ କର୍ମୀଙ୍କୁ ଗିରଫ କରିବା ପରେ ପୋଲିସ ଜାଣିପାରିଲା ଯେ, ୨୫ ସେପ୍ଟେମ୍ୱରରେ ମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ଭଦ୍ରକ କଚେରି କବ୍‍ଜା କରିବାକୁ ଯୋଜନା ହୋଇଛି । ପୋଲିସ ଆସିବାର ଖବର ପାଇ ପାଞ୍ଚ-ଛଅ ହଜାର ଲୋକ ପୋଲିସର ବିରୋଧ କରିବାକୁ ସଂଗେସଂଗେ ଏକତ୍ରିତ ହେଲେ । ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ସଂସର୍ଗରେ ଆସିଥିବା ମୁରଲୀଧର ପଣ୍ଡା ସାଧାରଣ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ଜମିଦାର ଓ ମହାଜନମାନଙ୍କଠାରୁ ଶସ୍ୟ ଆଦାୟ କରି ସେ ଦରିଦ୍ର ଲୋକଙ୍କ ମଧ୍ୟରେ ତାକୁ ବଣ୍ଟନ କରୁଥିଲେ । ଇଂରେଜ ସରକାର ଅପସରି ଗଲେ ଜମିଦାରୀ ବ୍ୟବସ୍ଥା, ବେଠି, ବେଗାରି ଆଦି ଉଚ୍ଛେଦ ହେବ ବୋଲି ସେ ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିଲେ । ତାଙ୍କ ଗିରଫର ବିରୋଧ କରିବାଲାଗି ଲୋକ ନିକଟସ୍ଥ ଚଣ୍ଡିଆ ପୋଷି ପଡ଼ିଆରେ ପୋଲିସକୁ ଘେରିଗଲେ । ସେମାନେ ପୋଲିସର ରାଇଫଲ୍‍ ଓ ଗୁଳିଗୋଳା ମଧ୍ୟ ଲୁଟି ନେଇଗଲେ । ମାତ୍ର ଏହାଦ୍ୱାରା ପୋଲିସ ଦଳ ଚାକିରି ହରାଇବେ ଜାଣି ପୁଣି ସେଗୁଡ଼ିକୁ ଦୟାପରବଶ ହୋଇ ଫେରସ୍ତ ଦେଲେ । ଅସ୍ତ୍ରଶସ୍ତ୍ର ଫେରିପାଇ ପୋଲିସ ଗୁଳିଚାଳନା କଲେ ଏବଂ ତହିଁରେ ନଅଜଣ କର୍ମୀଙ୍କର ମୃତ୍ୟୁ ହେଲା । ଲୋକଙ୍କଠାରୁ ପିଟୁଣି ଟିକସ ବାବଦକୁ ୨୨୫୫ଟଙ୍କା ମଧ୍ୟ ଆଦାୟ କରାଗଲା । ଏହିଭଳି ଭାବେ ବିଶ୍ୱାସଘାତକତା କରି ପୋଲିସ ଲୁଣିଆ ଆନ୍ଦୋଳନକୁ ଦମନ କଲେ ।

ଛତ୍ର ଗାଁର ସମାନ୍ତରାଳ ସରକାର   ବାଲେଶ୍ୱର ଜିଲ୍ଲାର ଖଇରା ପୋଲିସ ଷ୍ଟେସନ ଅନ୍ତର୍ଗତ ଛତ୍ର ଗାଁକୁ କେନ୍ଦ୍ର କରି ସେପ୍ଟେମ୍ୱର ୧୯୪୨ରେ ଏକ ସମାନ୍ତରାଳ ସରକାର ଗଠିତ ହୋଇଥିଲା । ତୁଡିଗଡ଼ିଆ, ଖଇରାଡିହ, ହରେକୃଷ୍ଣପୁର, ପାଣି ସିଆଳି ଓ ମଲ୍ଲିକ୍‍ ପୁର ଆଦି ଗାଁର ଲୋକେ ଏହି ସରକାରର ପ୍ରମୁଖ ସହଯୋଗୀ ଥିଲେ । ଖଇରାଡିହର ଜଣେ ଯୁବକ ବୈଦ୍ୟନାଥ ରାଉତ, ଯିଏ ରେଭେନ୍‌ସା ମହାବିଦ୍ୟାଳୟର ଛାତ୍ର ଧର୍ମଘଟରେ ଜଣେ ସାଧାରଣ ଛାତ୍ରକର୍ମୀ ଭାବରେ ଭାଗ ନେଇଥିଲେ, ସମାନ୍ତରାଳ ସରକାରର କେନ୍ଦ୍ର ଥିଲେ । ଧାମନଗରର ସୂର୍ଯ୍ୟମଣି ତ୍ରିପାଠୀ ଓ ସୋରୋ ହାଇସ୍କୁଲ୍‍ର କେତେକ ଛାତ୍ର ମଧ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏମାନଙ୍କ ବ୍ୟତୀତ କୃଷ୍ଣଚନ୍ଦ୍ର ଜେନା, ଚିନ୍ତାମଣି ପଣ୍ଡା ଓ ପୁରୁଷୋତ୍ତମ ପାଢ଼ୀ ଆଦି କେତେକ ପୁରୁଖା କର୍ମୀ ମଧ୍ୟ ସମାନ୍ତରାଳ ସରକାର ଗଠନରେ ସକ୍ରିୟ ସହଯୋଗ କରିଥିଲେ ।   ସେପ୍ଟେମ୍ୱର ୬ ତାରିଖରେ ଏକ କଂଗ୍ରେସ ସଭାର ଆୟୋଜନ ହେଲା ଏବଂ ସେହି ପ୍ରକ୍ରିୟାରେ ଅଗଷ୍ଟ ବିପ୍ଳବର ସେଠାରେ ଶୁଭାରଂଭ ହେଲା । ୧୨ ତାରିଖ ଦିନ ତୁଡିଗଡ଼ିଆ ଓ ତା'ର ଆଖପାଖର ୧୬ ବର୍ଗମାଇଲ୍‍ କ୍ଷେତ୍ରକୁ ସ୍ୱାଧୀନ ଓ ମୁକ୍ତ ଘୋଷଣା କରାଗଲା । ଛତ୍ର ଗାଁ ସ୍ଥିତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଘର ସମାନ୍ତରାଳ ସରକାରର ମୁଖ୍ୟ କେନ୍ଦ୍ର ହେଲା । ତହିଁରେ ସ୍ୱାଧୀନ ସରକାରର କଚେରି ଓ ଜେଲ ମଧ୍ୟ ରହିଲା । ସରକାରର ମୁଖ୍ୟ କୃଷ୍ଣଚନ୍ଦ୍ର ପଣ୍ଡା ତେଣିକି ଖଇରା ଥାନାର ପୋଲିସ ଓ ଚୌକିଦାରମାନଙ୍କୁ ତଲବ କଲେ । ସେପ୍ଟେମ୍ୱର ୨୨ ତାରିଖରେ ପୋଲିସ ଛତ୍ର ଗାଁରେ ପହଞ୍ଚି ବୈଦ୍ୟନାଥ ରାଉତଙ୍କୁ ଗିରଫ କଲେ । ଖବର ପାଇ ହଜାର ହଜାର ଲୋକ ଏକତ୍ରିତ ହେଲେ । ପୋଲିସ ଓ ଜନତା ମଧ୍ୟରେ ଆରମ୍ଭ ହୋଇଥିବା ଖଣ୍ଡଯୁଦ୍ଧରେ ପୋଲିସ ସବ୍‍ ଇନ୍‍ସପେକ୍ଟର, ଚୌକିଦାର ଓ ଦଫାଦାରଙ୍କ ଉପରେ ପ୍ରବଳ ମାଡ଼ ହେଲା । କଂଗ୍ରେସ କର୍ମୀ ସୂର୍ଯ୍ୟମଣି ତ୍ରିପାଠୀ ମଧ୍ୟ ପୋଲିସ ମାଡ଼ରେ ଆହତ ହେଲେ । ବୈଦ୍ୟନାଥ ରାଉତଙ୍କୁ ପୋଲିସ କବଳରୁ ମୁକ୍ତ କରାଗଲା । ଭିଡ଼ ଅଧିକ ହେବାରୁ ଭୟରେ ପୋଲିସ ଦଳ ଛତ୍ରଭଙ୍ଗ ଦେଲେ । ଏହା ବିପ୍ଳବୀମାନଙ୍କର ମନୋବଳକୁ ବୃଦ୍ଧି କଲା ।

୨୪ ସେପ୍ଟେମ୍ୱରରେ ଅଧିକ ସଂଖ୍ୟକ ପୋଲିସ ନେଇ ଜଣେ ଇନ୍‍ସପେକ୍ଟର କଂଗ୍ରେସ ନେତାମାନଙ୍କୁ ଗିରଫ କରିବାପାଇଁ ଖଇରାଡିହରେ ପହଞ୍ଚିଲେ । ଭିଡ଼କୁ ଇତସ୍ତତଃ କରିବାପାଇଁ ଗୁଳିଚାଳନା କରାଗଲା । ଫଳରେ ମାଗୁଣି ଜେନା ନାମକ ଜଣେ କର୍ମୀ ଗୁରୁତର ଆହତ ହେଲେ । ଏହା ସତ୍ତ୍ୱେ ଲୋକେ ପୋଲିସକୁ ବିରୋଧ କରିବାରୁ ପଛଘୁଞ୍ଚା ଦେଲେ ନାହିଁ । ବାଧ୍ୟ ହୋଇ ଶେଷରେ ପୋଲିସ ପୁଣି ଥରେ ଛତ୍ରଭଂଗ ଦେଲା । ସେପ୍ଟେମ୍ୱର ୨୬ ତାରିଖରେ ତୃତୀୟ ଥରପାଇଁ ପୋଲିସ ବୈଦ୍ୟନାଥ ରାଉତଙ୍କୁ ଗିରଫ କରିବାକୁ ଆସି ଖଇରାଡିହରେ ସମବେତ ଜନତାର ସମ୍ମୁଖୀନ ହେଲା । ପୁଣି ଥରେ ପୁଲିସ ଗୁଳିଚାଳନା କଲା । ରଘୁ ବେହେରା ଓ ମକର ଜେନାଙ୍କର ପୋଲିସ ଗୁଳିରେ ମୃତ୍ୟୁ ହେଲା ଏବଂ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହେଲେ । ବୈଦ୍ୟନାଥ ରାଉତଙ୍କୁ ଗିରଫ କରିବାପାଇଁ ତାଙ୍କ ପୈତୃକ ଘର ଖାନତଲାସୀ କରାଗଲା ଏବଂ ଆସବାବପତ୍ରକୁ କୋରଖ କରାଗଲା । ମୃତ ଦେହ ଓ ଆସବାବପତ୍ରକୁ ସାଙ୍ଗରେ ନେଇ ତୁଡିଗଡ଼ିଆ କେମ୍ପକୁ ଫେରୁଥିବା ପୋଲିସ ବାହିନୀ ଉପରେ ପ୍ରାୟ ୩୦୦୦ ଲୋକ ଆକ୍ରମଣ କଲେ । ସେମାନଙ୍କ ନେତୃତ୍ୱ ନେଇଥିଲେ ବୈଦ୍ୟନାଥ ରାଉତ, ଚିନ୍ତାମଣି ପଣ୍ଡା, କୃଷ୍ଣଚନ୍ଦ୍ର ଜେନା ଓ ସୂର୍ଯ୍ୟମଣି ତ୍ରିପାଠୀ । ପୋଲିସ ପକ୍ଷରୁ ସେଠାରେ ପୁଣି ଥରେ ଗୁଳିଚାଳନା ହେଲା । ଅନେକ କର୍ମୀ ଗିରଫ ହେଲେ । ଲୋକଙ୍କ ଉପରେ ପିଟୁଣି ଟିକସ ଲାଗୁ ହେଲା । ଶେଷରେ ୩୦ ସେପ୍ଟେମ୍ୱର ଦିନ ବୈଦ୍ୟନାଥ ରାଉତଙ୍କ ଗିରଫ ପରେ ଛତ୍ରଗାଁର ସମାନ୍ତରାଳ ସରକାରର ପତନ ହେଲା ।

ଇରମ ହତ୍ୟାକାଣ୍ଡ   ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ଇରମଠାରେ ସେପ୍ଟେମ୍ୱର ୧୯୪୨ରେ ଏକ ଅଭିନବ ସମାନ୍ତରାଳ ସରକାର ଗଠିତ ହୋଇଥିଲା । ତାକୁ ଦମନ କରିବାକୁ ଯାଇ ପୋଲିସ ଗୁଳିଚାଳନା କରିଥିଲା । ଯାହା ଫଳରେ ୨୯ ଜଣଙ୍କର ମୃତ୍ୟୁ ହେଲା ଏବଂ ଶହେରୁ ଅଧିକ ଗୁରୁତର ଆହତ ହେଲେ । ଅଗଷ୍ଟ ବିପ୍ଳବରେ ଏହା ଇରମ ହତ୍ୟାକାଣ୍ଡ ନାମରେ କୁଖ୍ୟାତ ।

ସ୍ୱାଧୀନତା ସଂଗ୍ରାମରେ ଇରମର ସଂପୃକ୍ତି ଅସହଯୋଗ ଆନ୍ଦୋଳନ ସମୟରୁ ରହି ଆସିଥିଲା । ଇରମର ବାଞ୍ଛାନିଧି ମହାନ୍ତି ଗୀତି କବିତା ଓ ଅଭିନୟ ମାଧ୍ୟମରେ ଅସହଯୋଗ ଓ ଆଇନ ଅମାନ୍ୟର ବାର୍ତ୍ତାକୁ ସମଗ୍ର ଓଡ଼ିଶାରେ ପ୍ରଚାରିତ ଓ ପ୍ରସାରିତ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଲୋକ ଇରମରେ ଜାତୀୟତା ଆନ୍ଦୋଳନ ଓ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇଥିଲେ । ରାଧାକାନ୍ତ ପାଢ଼ୀ ନାମରେ ଜଣେ ସ୍ଥାନୀୟ ଜମିଦାର ମଧ୍ୟ କଂଗ୍ରେସକୁ ନିୟମିତ ସହଯୋଗ କରୁଥିଲେ । ଅବଶ୍ୟ ଏହି ଅଗଷ୍ଟ ବିପ୍ଳବରେ ତାଙ୍କର ଭୂମିକା ବିଶେଷ ନଥିଲା । ବିଶେଷକରି ସେଠାକାର ଯୁବପିଢି ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା । ତନ୍ମଧ୍ୟରେ ଥିଲେ ଗୌରାଙ୍ଗ ଚନ୍ଦ୍ର ମହାନ୍ତି, ଶ୍ୟାମସୁନ୍ଦର ପାଣିଗ୍ରାହୀ, କମଳା ପ୍ରସାଦ କର, ପ୍ରଭାକର ତ୍ରିପାଠୀ, ଅନିରୁଦ୍ଧ ମହାନ୍ତି ଓ ଗଣେଶ ପ୍ରସାଦ ତ୍ରିପାଠୀ । ଅଗଷ୍ଟ ୨୭ ତାରିଖରୁ ସେମାନେ ନିୟମିତ ଜନସଭା ଆୟୋଜନ କରୁଥିଲେ । ସେମାନଙ୍କ ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ଲୋକେ ବାସୁଦେବପୁର ଥାନା ପୋଡ଼ିବାକୁ ଉଦ୍ୟମ କରିଥିଲେ । ସ୍କୁଲ୍‍ ଓ ବଜାରରେ ହରତାଳ ପାଳିତ ହୋଇ କେତେକ ଚୌକିଦାର ଓ ଦଫାଦାରଙ୍କ ୟୁନିଫର୍ମକୁ ମଧ୍ୟ ପୋଡ଼ି ଦିଆଯାଇଥିଲା । ଆନ୍ଦୋଳନକାରୀମାନଙ୍କ ଚାପରେ କେତେକ କଂଗ୍ରେସ ବିରୋଧୀ ଜମିଦାର ମଧ୍ୟ ଚୁପ୍‍ ରହିବାକୁ ବାଧ୍ୟ ହୋଇଥିଲେ, ଯାହା ଲୋକଙ୍କୁ ଅଧିକ ସଂଖ୍ୟାରେ ଅଗଷ୍ଟ ବିପ୍ଳବରେ ଯୋଗ ଦେବାକୁ ସାହସ ଓ ଅବସର ପ୍ରଦାନ କରିଥିଲା ।

ସେପ୍ଟେମ୍ୱର ୧୭ ତାରିଖରେ ସ୍ଥାନୀୟ ନେତୃବର୍ଗ ଇରମରେ ଏକ ସମାନ୍ତରାଳ ସ୍ୱାଧୀନ ସରକାର ଗଠନ କଲେ । ବାଞ୍ଛାନିଧି ମହାନ୍ତିଙ୍କ ନାମରେ ଏହାର ନାମ ହେଲା 'ସ୍ୱାଧୀନ ବାଞ୍ଛାନିଧି ଚକଲା' । ଛଅଟି ପଞ୍ଚାୟତର ୨୬ଟି ଗ୍ରାମକୁ ନେଇ ଯେଉଁ ଅଞ୍ଚଳ, ତା'କୁ ଚକଲା କୁହାଗଲା । ଏହାର କ୍ଷେତ୍ରଫଳ ଥିଲା ୧୯ ବର୍ଗ ମାଇଲ । ଚକଲା ସରକାରର ପରିଚାଳନାନିମନ୍ତେ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଏକ ପରିଷଦ ଗଠିତ ହୋଇଥିଲା । ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଥିଲେ ସରକାରର ପ୍ରଧାନମନ୍ତ୍ରୀ ଓ କମଳା ପ୍ରସାଦ କର ଥିଲେ ନିର୍ଦ୍ଦେଶକ ଓ ମୁଖ୍ୟ ସେନାପତି । ପରିଷଦର ଅନ୍ୟ ସଦସ୍ୟମାନେ ଥିଲେ ଅନିରୁଦ୍ଧ ମହାନ୍ତି, ପ୍ରଭାକର ତ୍ରିପାଠୀ ଓ ଶ୍ୟାମସୁନ୍ଦର ପାଣିଗ୍ରାହୀ । ଅର୍ଜୁନ ବିଶ୍ୱାଳଙ୍କ ଘରେ 'ସ୍ୱାଧୀନ ସରକାର'ର ଅଫିସ୍‍ ସ୍ଥାପିତ ହେଲା । ପ୍ରତିଦିନ ସକାଳେ ଘର ଉପରେ କଂଗ୍ରେସ ପତାକା ଉଡ଼େ ଏବଂ ସନ୍ଧ୍ୟାରେ ତାକୁ ସାମରିକ କାଇଦାରେ ଅବତରଣ କରାଯାଏ । ସ୍ୱାଧୀନ ସରକାରର କଚେରିରେ କଂଗ୍ରେସକୁ ଅମାନ୍ୟ କରୁଥିବା ଲୋକଙ୍କର ବିଚାର ହୁଏ ଏବଂ ଦୋଷୀ ବ୍ୟକ୍ତିଙ୍କୁ 'ଜେଲ'ରେ ରଖାଯାଏ । ବିଶେଷକରି ଆନ୍ଦୋଳନର ବିରୋଧୀ ଓ ଇଂରେଜ ସମର୍ଥକ ଏବଂ ସେମାନଙ୍କ ଗୁପ୍ତଚରମାନଙ୍କୁ ଦଣ୍ଡ ବିଧାନ କରାଯାଏ । ସେପ୍ଟେମ୍ୱର ୨୮ ତାରିଖ ପର୍ଯ୍ୟନ୍ତ ସ୍ୱାଧୀନ ସରକାର କାର୍ଯ୍ୟ କରିଥିଲା ।   ଇରମ ସମାନ୍ତରାଳ ସରକାରର ସାମୟିକ ସଫଳତା ପଛରେ ଏକାଧିକ କାରଣ ରହିଥିଲା । ଭୌଗୋଳିକ ଦୃଷ୍ଟିରୁ ଏହା ଥିଲା ଏକ ଦ୍ୱୀପପ୍ରାୟ ଅଂଚଳ । ଏହାର ଗୋଟିଏ ପାଖରେ ସମୁଦ୍ର ଓ ଅନ୍ୟ ପାଖରେ ନଦୀ ରହିଥିଲା, ଯାହା ଫଳରେ ବିଚ୍ଛିନ୍ନ ପ୍ରାୟ ଏହି କ୍ଷେତ୍ର ସଂପର୍କରେ ପୋଲିସ କର୍ତ୍ତୃପକ୍ଷଙ୍କ ପାଖରେ ସୂଚନା ପହଞ୍ଚି ପାରୁ ନଥିଲା । ସମାନ୍ତରାଳ ସରକାର ପ୍ରତି ପ୍ରବଳ ଜନ ସମର୍ଥନ ରହିଥିଲା । ତୃତୀୟରେ, ଦଣ୍ଡ ଭୟରେ ସ୍ଥାନୀୟ ଚୌକିଦାର ଓ ସରକାରୀ କର୍ମଚାରୀମାନେ ସ୍ୱାଧୀନ ସରକାରକୁ ସହଯୋଗ କରୁଥିଲେ । ବିଶେଷକରି ଚୌକିଦାରମାନଙ୍କ ସହଯୋଗଯୋଗୁଁ ସମାନ୍ତରାଳ ସ୍ୱାଧୀନ ସରକାରର ଗଠନ ସଂକ୍ରାନ୍ତରେ ସୂଚନା ପୋଲିସ ପାଖରେ ଅନେକ ଦିନ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲା ।

ଶେଷରେ 'ସ୍ୱାଧୀନ ବାଞ୍ଛାନିଧି ଚକଲା' ଧନୀ ଜମିଦାରମାନଙ୍କ ଗୋଦାମ ଲୁଟ କଲା ଏବଂ ତଟ ନିରୀକ୍ଷଣ କେନ୍ଦ୍ର ଉପରେ ଆକ୍ରମଣ କଲା । ଜମିଦାରମାନଙ୍କ ଅଭିଯୋଗକ୍ରମେ ପୋଲିସ କାର୍ଯ୍ୟନୁଷ୍ଠାନପାଇଁ ୨୮ ତାରିଖରେ ଇରମ ଅଭିମୁଖେ ଯାତ୍ରା କଲେ । ପୋଲିସ ଆସିବାର ଖବର ପାଇ ଛଅ ସାତ ହଜାର ଲୋକ ଏକତ୍ରିତ ହେଲେ । ସେମାନେ ପୋଲିସ ବାହିନୀର ଜିିଷପତ୍ର ବୋହିଥିବା ଚୌକିଦାରମାନଙ୍କୁ ଲୁଟି ନେଲେ । ସ୍ଥାନୀୟ ମେଳଣ ପଡ଼ିଆରେ କଂଗ୍ରେସର ସଭା ଚାଲିଲା । ପୋଲିସ ସେଠାରେ ପହଞ୍ଚି ଗୁଳି ଚାଳନା କଲେ । ସଭାରେ ସମବେତ ଜନତାଙ୍କ ମଧ୍ୟରୁ କେତେକ ମହିଳାଙ୍କ ସମେତ ମୋଟ ୨୯ ଜଣ ଲୋକ ପୋଲିସ ଗୁଳିରେ ପ୍ରାଣତ୍ୟାଗ କଲେ; ଶହେରୁ ଅଧିକ ଲୋକ ଗୁରୁତର ଆହତ ହେଲେ । ଗୁଳିଚାଳନା ପରେ ପୋଲିସ ଗାଁ ଲୋକଙ୍କ ଘରବାଡ଼ି ଲୁଟି ନେଲେ । ଆନ୍ଦୋଳନର ପ୍ରମୁଖ ନେତା ଅନିରୁଦ୍ଧ ମହାନ୍ତି, କମଳା ପ୍ରସାଦ କର ଓ ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କୁ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଗିରଫ କରାଗଲା । ଏହା ପରେ ଇରମର ଆନ୍ଦୋଳନ ଆଉ ମୁଣ୍ଡଟେକି ପାରିଲା ନାହିଁ ।

ନିମାପଡ଼ା ଗୁଳିକାଣ୍ଡ   ଅସହଯୋଗ ଓ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଅପେକ୍ଷାକୃତ ଅଧିକ ସକ୍ରିୟ ଥିବା ପୁରୀ ଜିଲ୍ଲା, ଅଗଷ୍ଟ ବିପ୍ଳବରେ ବେଶି ସଂପୃକ୍ତ ଥିବା ଜଣା ପଡ଼ିଥିଲା । ଏହାର ଏକାଧିକ କାରଣ ମଧ୍ୟରେ ଏକ ପ୍ରଧାନ କାରଣ ହେଲା ଯେ, ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୦୯ରେ ସ୍ଥାପିତ ସତ୍ୟବାଦୀ ସ୍କୁଲ୍‍ ସେତେବେଳକୁ ସଂପୂର୍ଣ୍ଣ ରୂପେ ପତନର ଶିକାର ହୋଇ ସାରିଥିଲା । ନିଜେ ଗୋପବନ୍ଧୁ ଦାସ ମଧ୍ୟ ୧୯୨୮ରେ ମୃତ୍ୟୁବରଣ କରିସାରିଥିଲେ । ଦ୍ୱିତୀୟତଃ, ଆଚାର୍ଯ୍ୟ ହରିହର ଦାସଙ୍କୁ ବାଦ ଦେଲେ ସତ୍ୟବାଦୀର ଅନ୍ୟ ପ୍ରମୁଖ ପ୍ରତିଷ୍ଠାତାମାନେ, ଯଥା ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ର କଂଗ୍ରେସରୁ ବାହରି ଯାଇ ସରକାରର ସମର୍ଥନରେ ଓଡ଼ିଶାରେ ମିଳିତ ସରକାର ଗଢ଼ିଥିଲେ । ସତ୍ୟବାଦୀ ନେତୃତ୍ୱର ଏହିଭଳି କଂଗ୍ରେସ ବିରୋଧୀ ଭୂମିକା ଯୋଗୁଁ ବୋଧହୁଏ ପୁରୀରେ ଅଗଷ୍ଟ ବିପ୍ଳବ ବିଶେଷ ଉଧେଇ ପାରି ନଥିଲା ।   ସେ ଯାହାହେଉ, ଅଗଷ୍ଟ ମାସରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅଗଷ୍ଟ ବିପ୍ଳବ ସଂଘଟିତ ହେବା ପରେ ତା'ର ପ୍ରଭାବ ପୁରୀରେ ମଧ୍ୟ ପଡ଼ିଲା ଏବଂ ପରିଣାମ ସ୍ୱରୂପ ନିମାପଡ଼ାଠାରେ ୧୬ ସେପ୍ଟେମ୍ୱରରେ ଆନ୍ଦୋଳନ ଆରମ୍ଭ ହେଲା । ଆଖପାଖ ଗ୍ରାମାଞ୍ଚଳରୁ ପ୍ରାୟ ୫୦୦ ଲୋକ ସେଠାରେ ଏକ ସଭା ଆୟୋଜନ କଲେ ଏବଂ ନିମାପଡ଼ା ଥାନାକୁ କବ୍‍ଜା କରି ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ସଭାର ନେତୃତ୍ୱ ନେଇଥିଲେ ପଦ୍ମଚରଣ ସାମନ୍ତସିଂହାର, ଭବାନୀ ଚରଣ ପଟ୍ଟନାୟକ, ଲୋକନାଥ ସେନାପତି, ଅଲେଖ ପାତ୍ର, ମହେଶ୍ୱର ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ସାହୁ । ସଭା ପରେ କଂଗ୍ରେସ ପତାକା ଧରି ଲୋକେ ଥାନାକୁ ପଟୁଆରରେ ଗଲେ ଏବଂ ପୋଲିସକୁ ଆନ୍ଦୋଳନରେ ଯୋଗ ଦେବାପାଇଁ ଆହ୍ୱାନ କଲେ । ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବାଧା ଦିଆଯିବାରୁ ଖଣ୍ଡଯୁଦ୍ଧ ଆରମ୍ଭ ହେଲା । ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ପୋଲିସ ଉପରକୁ ପଥର ମାଡ଼ ହେଲା । ଜଣେ କଂଗ୍ରେସ କର୍ମୀ ଉଚ୍ଛବ ମଲ୍ଲିକ୍‍ କଂଗ୍ରେସ ପତାକା ଧରି ପୋଲିସ ଥାନା ଭିତରକୁ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ଗୁଳିରେ ତାଙ୍କର ମୃତ୍ୟୁ ହେଲା । ଉଚ୍ଛବ ମଲ୍ଲିକ ଥିଲେ ଜଣେ ଦଳିତ ଜାତିର ବ୍ୟକ୍ତି । ପୋଲିସ ଗୁଳିରେ ଅଗଷ୍ଟ ବିପ୍ଳବରେ ତାଙ୍କର ସହିଦ ହେବା ଘଟଣା ଆନ୍ଦୋଳନର ବ୍ୟାପକତାକୁ ଦର୍ଶାଇଲା । ଗୁଳିଚାଳନାଯୋଗୁଁ ୧୬ ଜଣ କର୍ମୀ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଏହି ଘଟଣା ପରେ ଉଚ୍ଛବ ମଲ୍ଲିକଙ୍କ ପୁଅ ଗଜେନ୍ଦ୍ର ମଲ୍ଲିକଙ୍କ ସହିତ ୪୧ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି ଜେଲକୁ ପଠାଗଲା । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଏକାଧିକ ଥିଲେ ଦଳିତ । ଏହାକୁ ନିମାପଡ଼ା ଆନ୍ଦୋଳନର ଏକ ବୈଶିଷ୍ଟ୍ୟ ଭାବରେ ଗ୍ରହଣ କରାଯାଇପାରେ । ୧୯୦୯ରେ 'ସତ୍ୟବାଦୀ'ର ଶୁଭାରମ୍ଭ ହୋଇ ପୁରୀରେ ଜାତୀୟତା ଆନ୍ଦୋଳନର ଯେମିତି ଭିତ୍ତି ପଡ଼ିଥିଲା । ସେତେବେଳେ ଆନ୍ଦୋଳନର ମୁଖ୍ୟ ଆଧାର ଥିଲେ ଉଚ୍ଚ ଜାତିର ବ୍ରାହ୍ମଣମାନେ । ୧୯୪୨ର ଅଗଷ୍ଟ ବିପ୍ଳବ ବେଳକୁ ଦଳିତମାନେ ଜିଲ୍ଲାରେ ଅଗ୍ରଣୀ ଭୂମିକା ନେଲେ ।

ସମ୍ୱଲପୁର ଜିଲ୍ଳାରେ ଆନ୍ଦୋଳନ   ବମ୍ୱେ କଂଗ୍ରେସ ବୈଠକରେ ଯୋଗ ଦେଇ ସମ୍ୱଲପୁର ଫେରିବା ବାଟରେ ଲକ୍ଷ୍ମୀନାରାୟଣ ମିଶ୍ର ଓ ପ୍ରହଲ୍ଲାଦ ରାୟ ଲାଠ ୯ ଅଗଷ୍ଟ ଦିନ ଗିରଫ ହେଲେ । ଜିଲ୍ଲାର ତିିନିଟି କଂଗ୍ରେସ ଅଫିସ୍‍ ଉପରେ ନିଷେଧାଜ୍ଞା ଜାରିହେଲା । ସମ୍ୱଲପୁର ଜିଲ୍ଲାର ଅନ୍ୟ ଜଣେ ପ୍ରମୁଖ ନେତା ଭାଗୀରଥି ପଟ୍ଟନାୟକ, ତାଙ୍କ ପତ୍ନୀ ଜମ୍ୱୁବତୀ ପଟ୍ଟନାୟକ ଓ ପୁତ୍ର ପ୍ରଫୁଲ୍ଲ ପଟ୍ଟନାୟକ ଅଗଷ୍ଟ ବିପ୍ଳବ ସମୟରେ ବିହାରରେ ଯାଇ କଂଗ୍ରେସ କାମ କରୁଥିଲେ । ଫଳରେ ସାଧାରଣ କଂଗ୍ରେସ କର୍ମୀମାନେ ହିଁ ଜିଲ୍ଲାରେ ଆନ୍ଦୋଳନକୁ ସକ୍ରିୟ କରିଥିଲେ ।   ଜିଲ୍ଲାରେ ଆନ୍ଦୋଳନର ଆରମ୍ଭ ହେଲା ୧୮ ଅଗଷ୍ଟ ଦିନ । ୧୭ ଅଗଷ୍ଟ ଦିନ ଜମ୍ୱୁବତୀ ଦେବୀ ଏବଂ ପ୍ରେମାଦେବୀଙ୍କୁ ବିହାରର ଦୁମୁକାଠାରେ ଗିରଫ କରାଗଲା । ଏହାର ପ୍ରତିବାଦ କରି ୧୮ ଅଗଷ୍ଟ ଦିନ ଝାରସୁଗୁଡ଼ାରେ ଛାତ୍ରମାନେ ସହରରେ ହରତାଳ ପାଳନ କଲେ; ଶୋଭାଯାତ୍ରା କଲେ । ତା' ପରଦିନ ହରତାଳକୁ ସହଯୋଗ କରିବା ଅଭିଯୋଗରେ ନୃସିଂହ ଗୁରୁ, ତାଙ୍କ ଭାଇ ଦୁର୍ଗାପ୍ରସାଦ ଗୁରୁ, ଦୟାନିଧି ଶତପଥୀ, ଲକ୍ଷ୍ମୀନାରାୟଣ ଅଗ୍ରଓ୍ୱାଲ୍‍ ଓ ରାମରକ୍ଷା ଶୁକ୍ଳଙ୍କୁ ପୋଲିସ ଭାରତ ରକ୍ଷା ଆଇନ ବଳରେ ଗିରଫ କଲେ । ଏହାର ଦୁଇଦିନ ପରେ ୨୧ ଅଗଷ୍ଟ ଦିନ ସମ୍ୱଲପୁର ଭୁଲିଆ ପଡ଼ାର ଯୁଧିଷ୍ଠିର ମେହେର, ପ୍ରେମାନନ୍ଦ ମେହେର, ଆନନ୍ଦ ମେହେର, ରାଧେଶ୍ୟାମ ମେହେର ଓ ପବିତ୍ର ଦାସ ଗିରଫ ହେଲେ । ତନ୍ତୀ ସଂପ୍ରଦାୟର ଏହି କଂଗ୍ରେସକର୍ମୀଗଣ ରେଭିନ୍ୟୁ ଅଫିସରଙ୍କୁ ସରକାରୀ ପଦବୀରୁ ଇସ୍ତଫା ଦେବାପାଇଁ ବାଧ୍ୟ କରିଥିଲେ । ଏହି ସମୟରେ ବରଗଡ଼ରେ ଫକୀର ବେହେରା, ରାଜେନ୍ଦ୍ର ପଣ୍ଡା ଓ ତୀର୍ଥବାସୀ ପୁରୋହିତଙ୍କୁ ଗିରଫ କରାଯାଇ ସମ୍ୱଲପୁର ଜେଲରେ ରଖାଗଲା ।

ସମ୍ୱଲପୁର ଆନ୍ଦୋଳନର ବିଶେଷତ୍ୱ ଥିଲା ନାରୀ ନେତୃତ୍ୱର ଉଦୟ । ଭାଗୀରଥି ପଟ୍ଟନାୟକଙ୍କ ପତ୍ନୀ ଜମ୍ୱୁବତୀ ଦେବୀ ଆଇନ ଅମାନ୍ୟ ସମୟରୁ ସକ୍ରିୟ ରହି ଅଗଷ୍ଟ ବିପ୍ଳବ ବେଳେ ବିହାରରେ ଗିରଫ ହୋଇଥିଲେ । ତାଙ୍କଦ୍ୱାରା ଉଦ୍‍ବୁଦ୍ଧ ହୋଇ ବରଗଡ଼ ନିକଟସ୍ଥ ସମଲାଇପଦର ଗ୍ରାମର ପାର୍ବତୀ ଗିରି ଓ ତେଲିପଡ଼ାର ପ୍ରଭାବତୀ ଦେବୀ ବରଗଡ଼ରେ ମହିଳାମାନଙ୍କୁ ପଟୁଆରରେ ନେଇ ଶୋଭାଯାତ୍ରା କରିଥିଲେ । ସେମାନେ କେତେକ ମଦ ଦୋକାନକୁ ବନ୍ଦ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ପୋଲିସ ଉଭୟଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲେ ।

ବରଗଡ଼ ନିକଟସ୍ଥ ପାଣିମୋରା ଗ୍ରାମରେ ୩୨ଜଣ କର୍ମୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେମାନେ ସମସ୍ତେ ଥିଲେ ଚାଷୀ ଓ ମଜୁରିଆ ଶ୍ରେଣୀର । ସେମାନେ ଗିରଫ ହୋଇ କାରାଦଣ୍ଡ ଭୋଗିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଗଷ୍ଟ ବିପ୍ଳବର ବହୁ ପୂର୍ବରୁ ଭାଗୀରଥି ପଟ୍ଟନାୟକଙ୍କ ସହ ମିଶି କଂଗ୍ରେସର ଗଠନମୂଳକ କାର୍ଯ୍ୟରେ ସଂପୃକ୍ତ ଥିଲେ । ପାଣିମୋରାର କର୍ମୀମାନଙ୍କ ମଧ୍ୟରେ ଥିଲେ ଫୁଲଶର ପ୍ରଧାନ, ଦିବ୍ୟ କିଶୋର ସାହୁ, ଅଭିମନ୍ୟୁ ଭୋଇ, ଗୋକୁଳଚନ୍ଦ୍ର ନାୟକ, ଶ୍ରୀବତ୍ସ ନାୟକ, ମଦନ ମୋହନ ପ୍ରଧାନ, ଧନୁ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଧନଞ୍ଜୟ ପ୍ରଧାନ, ରାଘବଚନ୍ଦ୍ର ପରଡ଼ିଆ, ଚୈତନ୍ୟ ସରାଫ୍‍, ଶଙ୍କର ପ୍ରଧାନ, ଦୟାନିଧି ନାୟକ, ସୁଖଶରଣ ଭୋଇ, ଚନ୍ଦ୍ରଭାନୁ ପରଡ଼ିଆ, ଧନସିଂହ ପ୍ରଧାନ, ପ୍ରଭାକର ପ୍ରଧାନ, କହ୍ନେଇଲାଲ୍‍ ସାହୁ, ମଦନ ଭୋଇ, ରୁଷି ସରାଫ୍‍, ହରିହର ଭୋଇ, ଦାଶରଥି ନାୟକ ଓ କଏରା ସାହୁ । ସେମାନଙ୍କ ସଂପୃକ୍ତି ଅଗଷ୍ଟ ବିପ୍ଳବକୁ ବ୍ୟାପକ ପରିସରଭୁକ୍ତ କଲା ।   ସମ୍ୱଲପୁର ଜିଲ୍ଲାରେ ମୋଟ ୧୫୫ ଜଣ କର୍ମୀ ଏଥିରେ ଜେଲଦଣ୍ଡ ଭୋଗି ଥିଲେ । ପୁଣି ଅନେକ କର୍ମୀ ଗିରଫ ନ ହୋଇ ଆନ୍ଦୋଳନ କାମରେ ସଂଶ୍ଳିଷ୍ଟ ଥିଲେ । ସମ୍ୱଲପୁର ଜିଲ୍ଲା ଅଗଷ୍ଟ ବିପ୍ଳବର ବିଶେଷତ୍ୱ ହେଲା ଯେ, ସେଠାରେ କୌଣସି ବ୍ୟାପକ ହିଂସାକାଣ୍ଡ ବା ପୋଲିସ୍‍ ଗୁଳିଚାଳନା ପରିଦୃଷ୍ଟ ହୋଇ ନଥିଲା । କର୍ମୀମାନେ ସାଧାରଣତଃ ଶୋଭାଯାତ୍ରାରେ ଯାଇ କଂଗ୍ରେସ ଓ ଗାନ୍ଧୀଙ୍କ ନାମରେ ସ୍ଲୋଗାନ ଦେଉଥିଲେ ଏବଂ ସେହି ପ୍ରକ୍ରିୟାରେ ପୋଲିସ ସେମାନଙ୍କୁ ଗିରଫ କରୁଥିଲା । ଅଧିକାଂଶ ଗିରଫ କର୍ମୀ ପୂର୍ବରୁ ସ୍ୱାଧୀନତା ଆନ୍ଦୋଳନ ଓ ତା'ର ଗଠନମୂଳକ କାର୍ଯ୍ୟ ସହ ପରିଚିତ ଥିଲେ । ସେହି ଶୃଙ୍ଖଳା ଅଗଷ୍ଟ ବିପ୍ଳବରେ ଅଂଶଗ୍ରହଣ କଲା ସମୟରେ ମଧ୍ୟ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଉଦାହରଣ ସ୍ୱରୂପ, ନୃସିଂହ ଗୁରୁ ଅସହଯୋଗ ସମୟରୁ ଏବଂ ଦୟାନନ୍ଦ ଶତପଥୀ ବାମଣ୍ଡା ପ୍ରଜା ଆନ୍ଦୋଳନ (୧୯୨୮) ସମୟରୁ କଂଗ୍ରେସର କାର୍ଯ୍ୟ ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ ।

ଗଞ୍ଜାମରେ ଆନ୍ଦୋଳନ   ୯ ଅଗଷ୍ଟ ୧୯୪୨ ଦିନ ଓଡ଼ିଶାର ଅନ୍ୟ ପ୍ରମୁଖ ନେତାମାନଙ୍କ ମଧ୍ୟରେ ଗଞ୍ଜାମର ଉମାଚରଣ ପଟ୍ଟନାୟକ ଗିରଫ ହୋଇଥିଲେ ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ ଅଫିସ୍‍ ସମେତ ଗୁରୁଣ୍ଡି ସେବାଶ୍ରମ ଓ କୁଲାଡ଼ୋ ଆଶ୍ରମକୁ ପୋଲିସ ବାଜ୍ୟାପ୍ତ କରି ଦେଇଥିଲେ । ଆନ୍ଦୋଳନ ଆରମ୍ଭ ହୋଇଥିବା କଥା ପ୍ରଚାର ହେବା ପରେ, ୧୦ ଅଗଷ୍ଟ ଦିନ ବିପି ବିହାରୀ ରଥ ନାମକ ଜଣେ କିଶୋର ଯୁବକଙ୍କ ନେତୃତ୍ୱରେ ପ୍ରାୟ ୧୦୦ ଜଣ ସ୍କୁଲ୍‍ ଛାତ୍ର ବ୍ରହ୍ମପୁର ମୁଖ୍ୟ ପୋଷ୍ଟ ଅଫିସ୍‍ ଆଗରେ ପିକେଟିଂ କଲେ । ପରଦିନ ଆସ୍କା ହାଇସ୍କୁଲ୍‍ରେ ଏବଂ ୧୪ ତାରିଖ ଦିନ ପାରଳାଖେମୁଣ୍ଡି କଲେଜର ଛାତ୍ର କଂଗ୍ରେସ ନେତୃବୃନ୍ଦଙ୍କ ଗିରଫ ପ୍ରତିବାଦରେ ହରତାଳ ହେଲା । ଅଗଷ୍ଟ ୧୫ ତାରିଖରେ ଗୁରୁଣ୍ଡିଠାରେ ଏକ ଜନସଭା ଆୟୋଜିତ ହେଲା । ଏଥିରେ ଜିଲ୍ଲା କୃଷକ ସଭାର ସଭାପତି ନାରାୟଣ ପାତ୍ର ବକ୍ତୃତା ଦେବା ପରେ ପୋଲିସଦ୍ୱାରା ଗିରଫ ହେଲେ । ପାରଳାଖେମୁଣ୍ଡିରେ ଏକ ସରକାରୀ ଡାକବଙ୍ଗଳାକୁ ଆଦିବାସୀମାନେ ଭାଙ୍ଗି ପକାଇଲେ । ଛତ୍ରପଡ଼ା, କେରୁଣା, କଣ୍ଟାପାରି ଆଦି ସ୍ଥାନରେ ମଧ୍ୟ ସେହି ଦିନ ହରତାଳ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ଦିନରେ ବିଭିନ୍ନ ସ୍ଥାନରେ ଗୋଟାଏ କାର୍ଯ୍ୟକ୍ରମ ସଂଘଟିତ ହେଉଥିବାରୁ ସିଦ୍ଧ ହୁଏ ଯେ, କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଆପୋସ ବୁଝାମଣା ରହିଥିଲା ଏବଂ ମିଳିତ ଭାବରେ ସେମାନେ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରୁଥିଲେ । ଅଗଷ୍ଟ ୧୮ ତାରିଖ ଦିନ ରସୁଲକୋଣ୍ଡାରେ ପ୍ରତିବାଦ ସଭା ଓ ହରତାଳ ଆୟୋଜିତ ହୋଇଥିଲା ।

ଗଞ୍ଜାମ ଜିଲ୍ଲାରେ ମୋଟ ୧୦୧ ଜଣ କଂଗ୍ରେସ କର୍ମୀ ଗିରଫ ହୋଇଥିଲେ । ତନ୍ମଧ୍ୟରେ ଥିଲେ କୁଲାଡ଼ା ଆଶ୍ରମର କର୍ମୀ ହରିହର ପତି, ଆପ୍ପା ରାଓ, ମହାଦେବ ପଣ୍ଡା, ଖଲି ସାହୁ, ଗୋପୀନାଥ ସାହୁ ଏବଂ ଫୁଲ ଦେଇ । ଜିଲ୍ଲାର ଅନ୍ୟ ପ୍ରମୁଖ ଗିରଫ କର୍ମୀଙ୍କ ମଧ୍ୟରେ ଥିଲେ ଶୀହର୍ଷ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଦୀନବନ୍ଧୁ ବେହେରା, ଅପନ୍ନା ପାତ୍ର, ବିଶ୍ୱନାଥ ଦାସ, ବନମାଳୀ ମହାରଣା ଏବଂ ମାଗୁଣି ଦାସ । ପୁରୁଷୋତ୍ତମପୁର ହାଇସ୍କୁଲ୍‍ର ଛାତ୍ର ରାମମୋହନ ଜେନା ଗୁଣ୍ଡାରି ଥାନାକୁ ପୋଡ଼ି ଦେବାକୁ ଉଦ୍ୟମ କରିବା ଅପରାଧରେ ଗିରଫ ହୋଇଥିଲେ । ଜିଲ୍ଲାର ଜଗନ୍ନାଥପ୍ରସାଦରେ ଲୋକ ଜଙ୍ଗଲ ଆଇନକୁ ଅମାନ୍ୟ କରିବା ଉଦ୍ଦେଶ୍ୟରେ ପଞ୍ଚବଟୀ ଜଙ୍ଗଲର ଗଛ କାଟି ନେଇଗଲେ । ଋଷିକୂଲ୍ୟା ନଦୀ ଉପରେ ଥିବା ଏକ ପୋଲକୁ ଡିାମାଇଟ୍‍ ଲଗାଇ ଧ୍ୱଂସ କରିବାକୁ ମାଗୁଣି ଦାସ, ଡକ୍ଟର ରାମମୂର୍ତ୍ତିି ଓ ନିରଞ୍ଜନ ପଟ୍ଟନାୟକ ଆଦି ଯୋଜନା କରିଥିଲେ । ଏଥିପାଇଁ ଡିନାମାଇଟ୍‍ ମଧ୍ୟ ସଂଗ୍ରହ କରାଯାଇଥିଲା । ମାତ୍ର ନେତାମାନେ ଗିରଫ ହେବାରୁ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ମୋଟ ଉପରେ ଦେଖିଲେ, ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ବିପ୍ଳବ ଖୁବ୍‍ ବେଶି ଧ୍ୱଂସାତ୍ମକ ହୋଇ ନଥିଲା । ହିଂସାତ୍ମକ ପଦକ୍ଷେପ ଗୃହୀତ ହେବା ପୂର୍ବରୁ ଅନେକ ସ୍ଥଳରେ ନେତାମାନଙ୍କୁ ଗିରଫ କରାଯାଇଥିଲା । ଦ୍ୱିତୀୟତଃ କାଁ ଭାଁ କେତୋଟି ଘଟଣାକୁ ବାଦ ଦେଲେ ସେଠାରେ ଆନ୍ଦୋଳନ କର୍ମୀମାନଙ୍କ ମଧ୍ୟରେ ସୀମିତ ଥିଲା । ବ୍ୟାପକ ସ୍ତରରେ ସାଧାରଣ ଜନତା ଆନ୍ଦୋଳନରେ ଭାଗ ନେଇ ନଥିଲେ, ଯଦିଓ ସେମାନଙ୍କର ଆନ୍ଦୋଳନ ପ୍ରତି ମୌନ ସମର୍ଥନ ରହିଥିଲା ।

ଗଡ଼ଜାତରେ ଆନ୍ଦୋଳନ   ଅସହଯୋଗ ଓ ଆଇନ ଅମାନ୍ୟ ସମୟରେ ସାମାନ୍ୟ କେତୋଟି ଗଡ଼ଜାତରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ମାତ୍ର ହୋଇଥିଲା । ମାତ୍ର ୧୯୪୨ ବେଳକୁ ଗଡ଼ଜାତଗୁଡ଼ିକ ମୋଗଲବନ୍ଦି ଅପେକ୍ଷା ରାଜନୀତିକରଣରେ ଆଗୁଆ ରହିଲେ । ଶିକ୍ଷାଦୀକ୍ଷାରେ ପଛରେ ରହିବା ସତ୍ତ୍ୱେ ଗଡ଼ଜାତର ଏହି ପ୍ରତ୍ୟକ୍ଷ ରାଜନୀତିକରଣ ତାକୁ ମୋଗଲବନ୍ଦିର ସମତୁଲ କରିଦେଲା । ସେହି ଦୃଷ୍ଟିରୁ ଦେଖିଲେ, ଅଗଷ୍ଟ ବିପ୍ଳବ ଉଭୟ ଓଡ଼ିଶାର ସମନ୍ୱୟ ଦିଗରେ ଏକ ପ୍ରମୁଖ ଅନୁପୂରକ ପ୍ରମାଣିତ ହେଲା । ୧୯୩୮- ୩୯ରେ ଗଡ଼ଜାତମାନଙ୍କରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ହୋଇଥିବା କଥା ପୂର୍ବରୁ ଆଲୋଚିତ ହୋଇଛି । ୧୯୪୨ ଅଗଷ୍ଟ ଆନ୍ଦୋଳନରେ ମଧ୍ୟ ଏହି ପ୍ରଜାମାନେ ଅନୁରୂପ ଭାବରେ ଭାଗ ନେଲେ । ଫଳରେ ପ୍ରଜାମଣ୍ଡଳ ଓ ଅଗଷ୍ଟ ଆନ୍ଦୋଳନ ସେଠାରେ ସମ ରୂପ ହେଲା । ଗଡ଼ଜାତ ରାଜାମାନେ ଇଂରେଜଙ୍କ ସମର୍ଥନ ଓ କଂଗ୍ରେସର ବିରୋଧ କରୁଥିବାଯୋଗୁଁ ପ୍ରଜାମାନେ ପ୍ରତ୍ୟକ୍ଷ ରୂପରେ ରାଜାବିରୋଧୀ ହେଲେ ।

ତାଳଚେରରେ ଆନ୍ଦୋଳନ   ଗଡ଼ଜାତଗୁଡ଼ିକ ମଧ୍ୟରେ ତାଳଚେରର ଅଗଷ୍ଟ ଆନ୍ଦୋଳନ ସର୍ବାଗ୍ରେ ରହିଥିଲା । ସେଠାରେ ପ୍ରଜାମଣ୍ଡଳର ଭିତ୍ତି ଉପରେ ଆନ୍ଦୋଳନ ତୀବ୍ର ରୂପ ନେଲା । ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ୱରେ ପ୍ରଜା ତାଳଚେରରେ ସ୍ୱାଧୀନ ସମାନ୍ତରାଳ ସରକାର ଗଠନ କଲେ ଏବଂ ତାକୁ ଦମନ କରିବାପାଇଁ ସରକାର ପକ୍ଷରୁ ହେଲିକେପ୍ଟରରେ ବୋମା ବର୍ଷଣ ମଧ୍ୟ କରାଗଲା । ସମଗ୍ର ଦେଶରେ ତାଳଚେରର ଆନ୍ଦୋଳନ ଅଭୂତପୂର୍ବ ବୋଲି ପ୍ରସିଦ୍ଧି ପାଇଲା ।   ନଭେମ୍ୱର ୧୯୪୦ରେ ତାଳଚେରରେ ପବିତ୍ର ମୋହନ ପ୍ରଧାନ ଓ ତାଙ୍କ ସହଯୋଗୀମାନେ ପ୍ରଜାମଣ୍ଡଳ ଆନ୍ଦୋଳନଯୋଗୁଁ ଗିରଫ ହୋଇ ଜେଲରେ ଥିଲେ ମଧ୍ୟ ଅଗଷ୍ଟ ବିପ୍ଳବର ସୂଚନା ସେମାନଙ୍କୁ ମିଳିଥାଏ । ୧୯୪୨ ଅଗଷ୍ଟ ୩୧ ତାରିଖରେ ଜେଲ ଡେଇଁ ପବିତ୍ରବାବୁ ପଳାଇଯିବା ସହିତ ଗୋପନରେ ଆନ୍ଦୋଳନକୁ ନେତୃତ୍ୱ ଦେଲେ ।

ପବିତ୍ରବାବୁଙ୍କୁ ଧରାଇ ଦେବାପାଇଁ ରାଜାଙ୍କ ପକ୍ଷରୁ ୫୦୦୦ଟଙ୍କା, ୫୦୦ ଏକର ଜମି, ପାଞ୍ଚଟି ଗ୍ରାମର ସରବରାକାରୀ ଅଧିକାର (ରାଜସ୍ୱ ଅସୁଲିର ଅଧିକାର) ଏବଂ ପଦପଦବୀ ଘୋଷଣା କରାଗଲା । ଅନ୍ୟପକ୍ଷରେ, ପ୍ରଜାମାନେ ଧରିନେଲେ ଯେ ପବିତ୍ରବାବୁଙ୍କୁ ରାଜା ହତ୍ୟା କରିଛନ୍ତି । ଫଳରେ ଆନ୍ଦୋଳନ ଅଧିକ ତୀବ୍ର ଆକାର ଧାରଣ କଲା । ସେପ୍ଟେମ୍ୱର ୩ ତାରିଖରେ କୁମୁଣ୍ଡା ଗ୍ରାମରେ ତାଳଚେର ପ୍ରଜାମଣ୍ଡଳର କର୍ମକର୍ତ୍ତାମାନଙ୍କର ବୈଠକ ବସି ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନର ଉଦ୍ଦେଶ୍ୟ ଅନୁସାରେ ସମାନ୍ତରାଳ ସରକାର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଗଲା । ପବିତ୍ରବାବୁଙ୍କ ହତ୍ୟା ଗୁଜବ ଜନବିକ୍ଷୋଭକୁ ପ୍ରଜ୍ଜ୍ୱଳିତ କରିଦେଲା । ଲୋକେ ସରକାରଙ୍କୁ ଅବଜ୍ଞା କଲେ । 'ରାଜବଂଶ ଧ୍ୱଂସ କର', 'ଗଡ଼ଜାତ ସରକାରକୁ ଧ୍ୱଂସ କର', 'ଗାନ୍ଧିଜୀଙ୍କ ହୁକୁମ ଅନୁସାରେ ପଞ୍ଚାୟତ ସରକାର ଗଢ଼' ଏବଂ 'ଇଂରେଜକୁ ମାରି ତଡ଼' ବୋଲି ସ୍ଳୋଗାନ ଦେଲେ । ଜନବିକ୍ଷୋଭକୁ ନିୟନ୍ତ୍ରିତ କରିବାପାଇଁ ରାଜ୍ୟରେ ଅଫିସ୍‍, ଅଦାଲତ ଓ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଗଲା । ସେପ୍ଟେମ୍ୱର ୩ ତାରିଖରୁ ବ୍ରିଟିଶ୍‍ ସରକାରଙ୍କ ପ୍ରତ୍ୟକ୍ଷ ସହାୟତାରେ ତାଳଚେରରେ ବୋମା, ହେଲିକେପ୍ଟର, ମେସିଗନ ଓ ସେନାବାହିୀ ଆଦି ପଇଁତରା ମାରିଲା । ପ୍ରଜାଙ୍କୁ ଦମନ କରିବାପାଇଁ ଧୂଆଁବାଣ ଓ ଲୁହବୁହା ବୋମାର ପ୍ରୟୋଗ ହେଲା ।

ସେପ୍ଟେମ୍ୱର ୭ ତାରିଖରୁ ତାଳଚେରରେ 'ପ୍ରଜାସଭା'ର ନିୟନ୍ତ୍ରଣରେ ସ୍ୱାଧୀନ ସରକାର ଗଠିତ ହେଲା । ଆନ୍ଦୋଳନକାରୀଙ୍କ ଏକ ହିସାବ ଅନୁଯାୟୀ ତାଳଚେରରେ ସେଦିନ ୪୦ ହଜାର ପ୍ରଜା ଏକତ୍ରିତ ହୋଇ ସଭା କଲେ ଏବଂ ରାଜା ଓ ବ୍ରିଟିଶ ବିରୋଧୀ ସ୍ଳୋଗାନ ଦେଲେ । ଉତ୍ତ୍ୟକ୍ତ ଜନତା ସରକାରୀ ଡାକବଙ୍ଗଳା ଓ ଘରଗୁଡ଼ିକୁ ପୋଡ଼ିଦେଲେ । ପୋଲିସ ଥାନା ଓ ଜଙ୍ଗଲ ବିଭାଗର ଅଫିସ୍‍ ମଧ୍ୟ ଆକ୍ରମଣରୁ ରକ୍ଷା ପାଇଲା ନାହିଁ । ଟେଲିଫୋନ୍‍ ତାରକୁ କାଟି ପକାଇଲେ । ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାର ପୋଲଗୁଡ଼ିକୁ ନଷ୍ଟ କଲେ ଏବଂ ତାଳଚେର-ପୁରୀ ରେଳ ଲାଇନ୍‍କୁ ସ୍ଥାନେ ସ୍ଥାନେ ଉପାଡ଼ି ଦେଲେ । ରାଜ୍ୟରେ ସେହିଦିନଠାରୁ ଚାଷୀ ମୂଲିଆ ପଞ୍ଚାୟତ ସରକାରର ପ୍ରତିଷ୍ଠା ହେଲା । ରାଜ୍ୟର ଗ୍ରାମେ ଗ୍ରାମେ ଏହି ସରକାର କାର୍ଯ୍ୟକାରୀ ହୋଇଥିବାରୁ ରାଜାଙ୍କ ସରକାର ସଂପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିଲା । ଏଥିରେ ପବିତ୍ର ବାବୁଙ୍କ ବ୍ୟତୀତ ମାଗୁଣି ଚରଣ ପ୍ରଧାନ, ବନମାଳୀ ପ୍ରଧାନ, କାଳିନ୍ଦୀ ଚରଣ ପ୍ରଧାନ, ଦାଶରଥି ପାଣି, ଝୁଲୁଦାସ, କୃତ୍ତିବାସ ରଥ, ପବିତ୍ର ବେହେରା ଓ ଗୋବର୍ଦ୍ଧନ ସାହୁ ଆଦି ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଅନ୍ୟ ପକ୍ଷରେ ଆନ୍ଦୋଳନକୁ ଦମନ କରିବାପାଇଁ ସରକାରଙ୍କ ପକ୍ଷରୁ ତାଳଚେର ସହରରେ ହେଲିକେପ୍ଟର ଉପରୁ ମେସି୍‍ଗନ୍‍ରୁ ଗୁଳି ବର୍ଷଣ କରାଗଲା । ମାର୍ଚ୍ଚ ୧୯୪୩ ପର୍ଯ୍ୟନ୍ତ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଲା । ପବିତ୍ର ବାବୁ ପୋଲିସ୍‍ ହାତରେ ଧରା ନ ପଡ଼ିବେ ବୋଲି ତାଳଚେରରୁ ପ୍ରଥମେ ବିହାର, ବଂଗ ଓ ଆସାମ ଚାଲିଗଲେ । ସେ ସୁଭାଷ ଚନ୍ଦ୍ର ବୋଷଙ୍କ ଫରଓ୍ୱାର୍ଡ଼ ବ୍ଲକ୍‍ ଦଳ ସହ ମଧ୍ୟ ଯୋଗସୂତ୍ର ରକ୍ଷା କରି ସେମାନଙ୍କ ସହାୟତାରେ ଯୁଦ୍ଧ କରିବାକୁ ଉଦ୍ୟମ କରିଥିଲେ ।

ଢେଙ୍କାନାଳରେ ଆନ୍ଦୋଳନ
  ୧୯୩୮-୩୯ର ଢେଙ୍କାନାଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ପରେ, ୧୯୪୨ର ଅଗଷ୍ଟ ଓ ସେପ୍ଟେମ୍ୱର ମାସରେ ଏହାର ପରିବର୍ଦ୍ଧିତ ରୂପ ଦେଖାଗଲା, ଯାହା ଅଗଷ୍ଟ ବିପ୍ଳବ ନାମରେ ପରିଚିତ । ଅଗଷ୍ଟ ୧୬ ତାରିଖରେ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରଜାମଣ୍ଡଳର ନେତାମାନେ କୃତ୍ତିିବାସ ପ୍ରଧାନଙ୍କ ସଭାପତିତ୍ୱରେ ଖଣ୍ଡବନ୍ଧଠାରେ ବୈଠକ କଲେ । ଏହାର ସୂଚନା ପାଇ ପୋଲିସ ଆନ୍ଦୋଳନର ନେତା ମହେଶ୍ୱର ସୁବାହୁ ସିଂହ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବ୍ରଜକିଶୋର ଧଳ, ଶ୍ରୀକାନ୍ତ ରାଉତ ଓ ନରୋତ୍ତମ ଦାସ ଆଦିଙ୍କୁ ୧୮ରୁ ୨୩ ଅଗଷ୍ଟ ମଧ୍ୟରେ ଗିରଫ କଲା । ପ୍ରଜାମଣ୍ଡଳର ପ୍ରମୁଖ ନେତା ବୈଷ୍ଣବ ଚରଣ ପଟ୍ଟନାୟକ ପୂର୍ବରୁ ଜେଲ୍‍ରେ ଥାଇ ଏପ୍ରିଲ୍‍ ୧୯୪୨ରେ ଖଲାସ ହୋଇଥିଲେ । ସେ ଆନ୍ଦୋଳନର ନେତୃତ୍ୱ ନେଲେ । ତାଙ୍କ ଘର ତଲାସୀ ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇ ପାରିଲା ନାହିଁ । ବୈଷ୍ଣବଙ୍କ ନେତୃତ୍ୱରେ ଏକ ୧୯ ଜଣିଆ ଗରିଲା ବାହିନୀ ଗଠିତ ହେଲା ଏବଂ ଆନ୍ଦୋଳନପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଲା । ଗରିଲା ବାହିନୀର ଅନ୍ୟ ସଦସ୍ୟ ଥିଲେ ମୂଷା ମଲ୍ଲିକ, ବାଇଧର ସ୍ୱାଇଁ, ଆନନ୍ଦ ଚନ୍ଦ୍ର ସ୍ୱାଇଁ, କୁଳମଣି ପ୍ରଧାନ ଓ ପଦ୍ମନାଭ ସାହୁ ଆଦି । ଅଗଷ୍ଟ ୨୬ ତାରିଖ ଦିନ ପୂର୍ବ ନିଷ୍ପତ୍ତି ମତେ ରାଜ୍ୟର ମଢି (କାମାକ୍ଷାନଗର) ସ୍ଥିତ ଥାନା ସେମାନେ ଆକ୍ରମଣ କଲେ । ଥାନାର କାଗଜପତ୍ର ପୋଡ଼ିଦେବା ସହିତ ୪ଟି ବନ୍ଧୁକ, ୬୦ ରାଉଣ୍ଡ ଗୁଳି ଏବଂ ପ୍ରାୟ ୨୦୦୦୦ ଟଙ୍କା ସେମାନେ ଲୁଟ୍‍ କରିନେଲେ । ଏହା ପରେ ସେମାନେ ତହସିଲ, ଫରେଷ୍ଟ ଅଫିସ୍‍ ଓ ଥାନାବାବୁଙ୍କ ବସାଗୃହକୁ ପୋଡ଼ିଦେଲେ । ଦେଶୀ ବନ୍ଧୁକ, ଧନୁ, ତୀର, ବର୍ଚ୍ଛା ଓ ଲାଠି ଆଦି ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେମାନେ ଏହି ଆକ୍ରମଣ କରିଥିଲେ । ଗରିଲା ବାହିନୀର ଏହି କାଣ୍ଡ ଦେଖି ହଜାର ହଜାର ଲୋକ ରୁଣ୍ଡ ହେଲେ ଓ ସମସ୍ତେ ମିଶି ରାଜାଙ୍କ କୋଠଘରକୁ ଲୁଟିନେଲେ । ତା'ପରଠାରୁ ମଢ଼ିଠାରେ ସ୍ୱାଧୀନ ସମାନ୍ତରାଳ ସରକାର ଗଠିତ ହେଲା ।

ସେପ୍ଟେମ୍ୱର ୪ ତାରିଖରେ ଗରିଲା ବାହିନୀ ଚାନ୍ଦପୁର ଥାନା ଓ ତହସିଲ ଅଫିସ୍‍ରେ ନିଆଁ ଲଗାଇଦେଲେ । ଏହା ପରେ ସେମାନେ ପର୍ଜଙ୍ଗ ଥାନା ଆକ୍ରମଣପାଇଁ ଯାଉଥିବା ବେଳେ ପୋଲିସ ସହିତ ସେମାନଙ୍କର ଖଣ୍ଡଯୁଦ୍ଧ ହେଲା । ତେଣିକି ପୋଲିସ ଗୁଳିରେ ବାହିନୀର ପ୍ରମୁଖ ନେତା ବୈଷ୍ଣବ ଚରଣ ପଟ୍ଟନାୟକ ଆହତ ହେଲେ ଏବଂ ବୀର ସାହୁ ଓ ବେଣୁ ସାହୁ ନାମକ ଦୁଇଜଣ କର୍ମୀଙ୍କର ମୃତ୍ୟୁ ହେଲା । ଗରିଲା ବାହିନୀର ଅନ୍ୟ ନେତାମାନଙ୍କୁ ପୋଲିସ୍‍ ଗିରଫ କଲା । ଅଦାଲତରେ ବିଚାର ହୋଇ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ବୈଷ୍ଣବ ଧରାପଡ଼ିଲେ ନାହିଁ । ତାଙ୍କୁ ମୃତ ବା ଜୀବିତ ଅବସ୍ଥାରେ ଧରାଇଦେବାପାଇଁ ସରକାରଙ୍କ ପକ୍ଷରୁ ୨୦୦୦ଟଙ୍କାର ପୁରସ୍କାର ରାଶି ଘୋଷଣା କରାଗଲା । ଢେଙ୍କାନାଳରେ ଅଗଷ୍ଟ ବିପ୍ଳବରେ ଭାଗନେବା ଅପରାଧରେ ମୋଟ ୩୦୦ଜଣଙ୍କୁ ଗିରଫ କରାଗଲା ଏବଂ ଲୋକଙ୍କ ପାଖରୁ ପ୍ରାୟ ୮୦,୦୦୦ଟଙ୍କା ପିଟୁଣି ଟିକସ ଆଦାୟ କରାଗଲା । ଅନେକ ଗ୍ରାମବାସୀଙ୍କ ଘର ପୋଲିସ ତଲାସୀ କଲା ଏବଂ ସେମାନଙ୍କ ଆସବାବପତ୍ରକୁ ବାଜ୍ୟାପ୍ତ କଲା । ଢେଙ୍କାନାଳ ପୋଲିସର ଦମନ ଲୀଳା ସମଗ୍ର ଓଡ଼ିଶାରେ ଆତଙ୍କର ବାତାବରଣ ସୃଷ୍ଟି କଲା ।

  ତାଳଚେର ପରି ଢେଙ୍କାନାଳରେ ମଧ୍ୟ ଆନ୍ଦୋଳନକାରୀ ଅନେକ ହିଂସାକାଣ୍ଡ ଭିଆଇଥିଲେ । ମାତ୍ର ସବୁଗୁଡ଼ିକୁ ଗରିଲା ବାହିନୀ କାର୍ଯ୍ୟକାରୀ କରିଥିଲେ । ତାଳଚେରରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଢେଙ୍କାନାଳରେ ଗରିଲା ବାହିନୀ ଅଧିକ ଶୃଙ୍ଖଳିତ ଢଙ୍ଗରେ ଓ ବିଶେଷକରି ଅତର୍କିତ ଭାବରେ ସରକାରୀ କଳ ଉପରେ ଆକ୍ରମଣ କରୁଥିଲେ । ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱଯୋଗୁଁ ଏସବୁ ସଂଭବପର ହୋଇ ପାରିଥିଲା । ଲୌକିକ ସ୍ତରରେ ତାଙ୍କୁ ବୀର' ବୋଲି କୁହାଯାଉଥିଲା ।

ନୟାଗଡ଼ରେ ଆନ୍ଦୋଳନ   ଅଗଷ୍ଟ ମାସ ୯ ତାରିଖରେ ନୟାଗଡରେ ରାଜାଙ୍କ କଚେରି, କାର୍ଯ୍ୟାଳୟ ଓ ଥାନାକୁ କବ୍‍ଜା କରିବାନିମିତ୍ତ ପ୍ରଜାମଣ୍ଡଳ ପକ୍ଷରୁ ପ୍ରସ୍ତୁତି ଚାଲିଲା । ଏହାର ସୂଚନାପାଇ ବାଞ୍ଛାନିଧି ସେନାପତି, ଲକ୍ଷ୍ମଣ ମହାରଣା, ନାରାୟଣ ନନ୍ଦ, ଉଦୟନାଥ ପୃଷ୍ଟି, କୁବେର ସାହୁ ଆଦି ଅନେକ ପ୍ରଜାମଣ୍ଡଳ ନେତାଙ୍କୁ ପୋଲିସ ଗିରଫ କଲା । ଗୋଡ଼ିପଡ଼ା ଥାନା ଅନ୍ତର୍ଗତ ମହୁଲିଆରେ ପ୍ରଜାମଣ୍ଡଳର ସଭା ଭଣ୍ଡୁର କରିବାନିମିତ୍ତ ପୋଲିସ ଲାଠି ଚାର୍ଜ କଲା । ଫଳରେ ଲଡ଼ୁକେଶ୍ୱର ମିଶ୍ର, ଭୁବନେଶ୍ୱର ଭୂୟାଁ ଓ ଗୌରାଙ୍ଗ ମହଲା ଆହତ ହେଲେ । ଉଦୟନାଥ ପୃଷ୍ଟି, ବିନାୟକ ମିଶ୍ର ଓ ଭରତ ସାହୁ ଆଦି ୧୩ ଜଣ କର୍ମୀଙ୍କୁ ପୋଲିସ ଗିରଫ କରିନେଲା । ଏହା ପରେ ଓଡ଼ଗାଁ ଓ ଲାଠିପଦାରେ ମଧ୍ୟ ସଭା ଓ ଶୋଭାଯାତ୍ରା ଆୟୋଜିତ ହେଲା ଏବଂ ତାକୁ ଭଣ୍ଡୁର କରିବାନିମିତ୍ତ ପୋଲିସ ଲାଠି ଚାଳନା କଲା । ଭାଗବତ ଜାନି, କୁଶିଆ ପ୍ରଧାନ, ସୁଲି ପ୍ରଧାନ ଓ ଲକ୍ଷ୍ମୀଧର ପ୍ରଧାନ ଆଦି କେତେକ ଆଦିବାସୀ ନେତାଙ୍କୁ ମଧ୍ୟ ଗିରଫ କରି ନୟାଗଡ଼ ଜେଲରେ ରଖାଗଲା । । ପୋଲିସର ପ୍ରବଳ ଦମନ ସତ୍ତ୍ୱେ ୧୭ ଅଗଷ୍ଟ ୧୯୪୨ ଦିନ ନୟାଗଡ଼ ଓ ଓଡ଼ଗାଁରେ ହରତାଳ ପାଳିତ ହେଲା । ଓଡ଼ଗାଁର ମହାଜନ ଭଗବାନ ଚୌଧୁରୀଙ୍କ ଖମାରକୁ ଆନ୍ଦୋଳନକାରୀ ଲୁଟି ନେଲେ । ଏହା ପରେ ସେଠାରେ ପୋଲିସର ଅକଥନୀୟ ଦମନ ଲୀଳା ଆରମ୍ଭ ହେଲା । ରାଜା ବିରୋଧୀମାନଙ୍କ ଘର ଉପରେ ବାହାରୁ ଆସିଥିବା ଶିଖ ପୋଲିସ୍‍ ବାହିନୀ ଆକ୍ରମଣ କଲେ । ଦୋକାନଗୁଡ଼ିକୁ ଲୁଟିନେଲେ । ଏପରିକି ସେମାନଙ୍କ ଅତ୍ୟାଚାରରୁ ମହିଳାମାନେ ମଧ୍ୟ ତ୍ରାହି ପାଇଲେ ନାହିଁ । ଏହା ଫଳରେ ଆନ୍ଦୋଳନର ଦମନ ହେଲା ବୋଲି ବାହାରକୁ ଜଣାପଡ଼ୁଥିଲେ ସୁଦ୍ଧା ଗୋପନ ଭାବେ ତା'ପାଇଁ ପ୍ରସ୍ତୁତି ଚାଲିଥିଲା ।   ଅକ୍ଟୋବର ୮ ତାରିଖରେ ବାହାଡ଼ାଝୋଲା ଜଙ୍ଗଲରେ ପ୍ରଜାମଣ୍ଡଳର ବୈଠକ ବସି ରାଜାଙ୍କୁ ଗାଦିଚ୍ୟୁତ କରିବାକୁ ତଥା ସରକାରୀ ଅଫିସ୍‍ଗୁଡ଼ିକୁ କବ୍‍ଜା କରିବାକୁ ଗୁପ୍ତ ନିଷ୍ପତ୍ତି ନିଆଗଲା । ବୈଠକରେ ଆନନ୍ଦ ଚନ୍ଦ୍ର ସ୍ୱାଇଁ, ସଦାଶିବ ଷଡ଼ଙ୍ଗୀ, କଣ୍ଡୁରୀ ପରିଡ଼ା, ଲକ୍ଷ୍ମଣ ସାହୁ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନେ ଚାରୋଟି ଦଳରେ ବିଭକ୍ତ ହୋଇ ଏକା ସାଙ୍ଗରେ ଗୋଡ଼ିପଡ଼ା, ଓଡ଼ଗାଁ, ବାହାଡ଼ାଝୋଲା ଓ ବରକୋଳା ଉପରେ ଆକ୍ରମଣ କରିବାକୁ ଯୋଜନା କଲେ । ୯ ଅକ୍ଟୋବର ଦିନ ସେମାନେ ବରକୋଳା ଡାକବଙ୍ଗଳାରେ ଡିମ୍ୱିରିପଲ୍ଲୀ ଫରେଷ୍ଟ ଅଫିସ ଆକ୍ରମଣ କଲେ । ଅକ୍ଟୋବର ୧୦ ତାରିଖ ଦିନ ଆଦିବାସୀ କଂଧମାନେ ମିଶି ନୂଆଗାଁ ଥାନା ଉପରେ ଆକ୍ରମଣ କଲେ । ପୋଲିସ ପକ୍ଷରୁ ଗୁଳିଚାଳନା ହେଲା । ତହିଁରେ କାସ୍ତି ଡାକୁଆ ନାମକ ଜଣେ କନ୍ଧ ଯୁବକର ମୃତ୍ୟୁ ହେଲା । ପ୍ରାୟ ୫୦ ଜଣ ଲୋକ ଗୁରୁତର ଆହତ ହେଲେ । ଏହି ସମୟରେ ୨୦୦୦ ଲୋକ ନୟାଗଡ଼ ସହରକୁ କବ୍‍ଜା କରିବାକୁ ଏକତ୍ରିତ ହୋଇ ଗୋଟାଏ ଡାକବଙ୍ଗଳା ଏବଂ ହରେକୃଷ୍ଣପୁରର ସ୍କୁଲ୍‍ ଗୃହକୁ ଭାଂଗି ପକାଇଲେ ।

ଆନ୍ଦୋଳନକୁ ପ୍ରଶମିତ କରିବାପାଇଁ ପୋଲିସର ଦମନ ଲୀଳା ଚାଲିଲା । ଅନେକ ନେତାଙ୍କର ବାସଗୃହ କୋରଖ ହେଲା । ପ୍ରାୟ ୧୦୦୦ ଲୋକ ଗିରଫ ହେଲେ । ଏତେ ଅଧିକ ସଂଖ୍ୟକ ଆନ୍ଦୋଳନକାରୀ ୧୯୪୨ରେ ଅନ୍ୟ କେଉଁଠି ଗିରଫ ହୋଇ ନଥିଲେ । ୨୨ଟି ଗାଁରେ ପିଟୁଣି ଟିକସ ଲାଗୁ ହେଲା । ରାଜ୍ୟରେ ଯେହେତୁ ଏତେ ଅଧିକ ସଂଖ୍ୟକ ବନ୍ଦିଙ୍କୁ ରଖିବାପାଇଁ ଆବଶ୍ୟକ ମାତ୍ରାରେ ଜେଲ ଘର ନଥିଲା; ଅନେକ ଘୋଡ଼ାଶାଳ, ମଠଘର ଓ କଚେରିକୁ ଅସ୍ଥାୟୀ ଭାବେ ଜେଲରେ ପରିଣତ କରାଗଲା । ମାତ୍ର ୩୦ଜଣ ବନ୍ଦିଙ୍କ ଲାଗି ନିର୍ମିତ ନୟାଗଡ଼ ଜେଲରେ ୨୦୦ ରାଜବନ୍ଦିଙ୍କୁ ରଖାଗଲା । ଫଳରେ ଅସ୍ୱାସ୍ଥ୍ୟକର ପରିବେଶରେ ରହି ୨ ଜଣ ରାଜବନ୍ଦି ଜେଲ ଭିତରେ ମୃତ୍ୟୁବରଣ କଲେ ।

ନୟାଗଡ଼ ଆନ୍ଦୋଳନର ବିଶେଷତ୍ୱ ହେଲା ଯେ, ଅଗଷ୍ଟରୁ ଆରମ୍ଭ ହୋଇ ନାନା ପ୍ରତିଘାତ ସତ୍ତ୍ୱେ ଅନ୍ୟ ଅଞ୍ଚଳରେ ଆନ୍ଦୋଳନ ଅବଦମିତ ହେବା ପରେ ବି ଅକ୍ଟୋବରର ମଧ୍ୟ ଯାଏ ଏହା ଚାଲିଥିଲା । ଏଠାରେ ମଧ୍ୟ ପ୍ରଜାମଣ୍ଡଳ ଶୃଙ୍ଖଳିତ ଭାବରେ ବିଭିନ୍ନ ସ୍ଥାନରେ ଏକ ସମୟରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଉଭୟ ଅଣ-ଆଦିବାସୀ ଓ କଂଧ ଆଦିବାସୀ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ରାଜଧାନୀ ନୟାଗଡ଼ ଓ ମୁଖ୍ୟ ସହର ଓଡ଼ଗାଁ ବ୍ୟତୀତ ବାହାଡ଼ାଝୋଲା ଗାଁ ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ଥିଲା ।

ନୀଳଗିରି ଆନ୍ଦୋଳନ   ନୀଳଗିରି ଗଡ଼ଜାତରେ ପ୍ରଜାମଣ୍ଡଳ ଆନ୍ଦୋଳନଯୋଗୁଁ ରାଜନୈତିକ ସଚେତନତା ଯଥେଷ୍ଟ ବୃଦ୍ଧି ପାଇଥିଲା । ପ୍ରଜାମଣ୍ଡଳର ନେତୃବର୍ଗ ଓଡ଼ିଶାର ବାମପନ୍ଥୀ ନେତାମାନଙ୍କ ସହ ସଂପର୍କ ରଖିଥିଲେ । ଅଗଷ୍ଟ ବିପ୍ଳବର ଖବର ପ୍ରସାରିତ ହେବା ପରେ ସେମାନେ ଆନ୍ଦୋଳନ କରିବାକୁ ଯୋଜନା ପ୍ରସ୍ତୁତ କଲେ । ଅଗଷ୍ଟ ୧୨ ତାରିଖ ଦିନ ନୀଳଗିରି ସହରରେ ଏକ ସାଧାରଣ ସଭା ଆୟୋଜନ କଲେ ଏବଂ ହରତାଳ ପାଳନ କଲେ । ଏହା ପରେ ପ୍ରଜାମଣ୍ଡଳର ସଭାପତି କୈଳାସ ଚନ୍ଦ୍ର ମହାନ୍ତି ଏବଂ ଉଦୟନାଥ ବୀରବର, ସାଧୁ ପ୍ରସାଦ ବିଦ୍ୟାଧର ମହାପାତ୍ର, ଶରତଚନ୍ଦ୍ର ମହାନ୍ତି, ଜଗନ୍ନାଥ ପଣ୍ଡା, ଗିରିଧର ପଣ୍ଡା ଓ ପ୍ରଭୁନାଥ ଅଗସ୍ତି ଆଦି କେତେକ ପ୍ରଜାମଣ୍ଡଳ ନେତାଙ୍କୁ ପୋଲିସ ଗିରଫ କଲା । ଏହି ଗିରଫଦାରିର ପ୍ରତିବାଦରେ ୧୩ ଅଗଷ୍ଟ ୧୯୪୨ ଦିନ ପୁଣି ଜନସଭା ଓ ହରତାଳ ଆୟୋଜିତ ହେଲା । ଯଦିଓ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଚାଲିଥିଲା, ସରକାର ତାକୁ ଦୃଢ଼ ହସ୍ତରେ ଦମନ କରିବାକୁ ପ୍ରୟାସ କଲେ । ଗାଁ ଗାଁରେ ପୋଲିସ ଘୂରିବୁଲିଲେ ଏବଂ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କଲେ । ଅତ୍ୟାଚାରରେ ଅତିଷ୍ଠ ଜନତା ରାଜକର୍ମଚାରୀମାନଙ୍କୁ ସାମାଜିକ ବାସନ୍ଦ କଲେ । କେତେକ କର୍ମଚାରୀଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପ୍ରଜାମଣ୍ଡଳ ଧମକ ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା । ପ୍ରଜା ରାସ୍ତା ଅବରୋଧ ଓ ରାଜାଙ୍କ ଅମାର ଆଦି ଲୁଟ୍‍ କରିଥିବାର ଖବର ପ୍ରଚାରିତ ହୋଇଥିଲା । ଦମନପାଇଁ ପିଟୁଣି ଟିକସ୍‍ ବ୍ୟତୀତ ହେଲିକପ୍‍ଟରରୁ ଫାୟାରିଂ ମଧ୍ୟ କରାଯାଇଥିଲା । ଫଳରେ ଦୁଇଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଅତ୍ୟାଚାର ଅସହ୍ୟ ହେବାରୁ ଅନେକ ଲୋକ ରାଜ୍ୟ ଛାଡ଼ି ମୋଗଲବନ୍ଦି ଅଂଚଳକୁ ପଳାଇଲେ । ନୀଳଗିରି ଆନ୍ଦୋଳନର ପ୍ରମୁଖ ନେତା ଥିଲେ ବନମାଳୀ ଦାସ । ସେ ମାର୍ଚ୍ଚ ୧୯୪୩ ପର୍ଯ୍ୟନ୍ତ ଆତ୍ମଗୋପନ କରି ଆନ୍ଦୋଳନ ପରିଚାଳନା କରିଥିଲେ । ସେ ଗିରଫ ହେବା ପରେ ଆନ୍ଦୋଳନ ଶିଥିଳ ପଡ଼ିଗଲା ।

ଅନ୍ୟାନ୍ୟ ଆନ୍ଦୋଳନ   ଏସବୁ ଗଡ଼ଜାତକୁ ବାଦ ଦେଲେ ଆଠଗଡ଼, ବଡମ୍ୱା, ବୌଦ, ଖଣ୍ଡପଡ଼ା, ମୟୂରଭଞ୍ଜ, ନରସିଂହପୁର, ରଣପୁର ଓ ସୋନପୁର ଆଦି ଗଡ଼ଜାତ ଓ ଜମିଦାରୀରେ ମଧ୍ୟ ଅଗଷ୍ଟ ବିପ୍ଳବ ଖିବାକୁ ମିଳିଥିଲା । ନରସିଂହପୁରରେ ଚକ୍ରଧର ଜେନାଙ୍କ ନେତୃତ୍ୱରେ ପଟୁଆରରେ ଯାଉଥିବା ଜନତା ଉପରେ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ।

ଉଭୟ ମୋଗଲବନ୍ଦି ଓ ଗଡ଼ଜାତରେ ଅଗଷ୍ଟ ବିପ୍ଳବ ବେଳେ ଲୋକ ଗିରଫଦାରିକୁ ବରଣ କରୁ ନଥିଲେ । ବରଂ ଆତ୍ମଗୋପନ କରିି ଆନ୍ଦୋଳନପାଇଁ କାମ କରିବାକୁ ପ୍ରୟାସ କରୁଥିଲେ । ସୁରେନ୍ଦ୍ର ନାଥ ଦ୍ୱିବେଦୀ, ମାଳତୀ ଚୌଧୁରୀ , ବୀର ବୈଷ୍ଣବ ପଟ୍ଟନାୟକ ଓ ନୀଳଗିରିର ବନମାଳୀ ଦାସ ଆଦି ପୋଲିସ ହାତରେ ଧରା ନ ପଡ଼ିବାକୁ ସର୍ବଦା ପ୍ରୟାସ କରୁଥିଲେ ଏବଂ ଗୋପନରେ ଆନ୍ଦୋଳନ ପରିଚାଳନା କରୁଥିଲେ । ତାଳଚେରର ପବିତ୍ର ମୋହନ ପ୍ରଧାନ ଜେଲ ପାଚେରି ଡେଇଁ ପଳାଇଥିଲେ । ଏହି ନେତୃବର୍ଗଙ୍କର ଦୁଃସାହସପୂର୍ଣ୍ଣ ପଦକ୍ଷେପ ଆନ୍ଦୋଳନକୁ ତୀବ୍ରତର କରିଥିଲା । ଅଗଷ୍ଟ ବିପ୍ଳବ ସେମାନଙ୍କୁ ନେତାର ମର୍ଯ୍ୟାଦା ପ୍ରଦାନ କରିଥିଲା ।

ଏକଥା ସର୍ବବିଦିତ ଯେ, ଅନେକ ସ୍ଥାନରେ ଆନ୍ଦୋଳନକାରୀ ହିଂସାତ୍ମକ ଘଟଣା ଭିଆଇଥିଲେ । ସରକାରୀ ଘରେ ନିଆଁ ଲଗାଇବା, ଥାନା ଉପରେ ଆକ୍ରମଣ କରିବା, ରାସ୍ତାଘାଟର ପୋଲ ଭାଂଗିବା ତଥା ଡାକବଙ୍ଗଳାକୁ ଭାଂଗିଦେବା ଥିଲା ସେତେବେଳର ସାଧାରଣ ଘଟଣା । ମାତ୍ର କୌଣସି ସ୍ଥାନରେ ସେମାନେ ସରକାରୀ ପକ୍ଷର ଲୋକଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରି ନଥିଲେ । ଏଭଳିକି ଲକ୍ଷ୍ମଣ ନାୟକଙ୍କୁ ଜଡ଼ିତ କରାଯାଇଥିବା ହତ୍ୟାରେ ମଧ୍ୟ ଆନ୍ଦୋଳନକାରୀ ଆଦିବାସୀ ଜନତା ସଂଶ୍ଳିଷ୍ଟ ନଥିଲେ । ଅନ୍ୟ ପକ୍ଷରେ, ସରକାର ପକ୍ଷରୁ ନିର୍ମମ ଭାବରେ ଗୁଳି ଚାଳନା ତଥା ହେଲିକେପ୍ଟରରୁ ମେସିନ୍ ଗନ୍‍ରେ ଗୁଳି ବର୍ଷଣ କରାଯାଇ ଲୋକଙ୍କୁ ହତ୍ୟା କରାଯାଇଥିଲା । ସରକାର ଓ ପୋଲିସ ସାମାନ୍ୟ ଧୈର୍ଯ୍ୟ ରଖିଥିଲେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇ ନଥାନ୍ତା । ପୁଣି ଯେଉଁ ସ୍ଥାନରେ ପୁରୁଖା କଂଗ୍ରେସ କର୍ମୀ ଆନ୍ଦୋଳନ ପରିଚାଳନା କରୁଥିଲେ, ସେଠାରେ ହିଂସାକାଣ୍ଡ ଘଟି ନଥିଲା । ପ୍ରଜାମଣ୍ଡଳର କେତେକ ନେତାଙ୍କୁ ବାଦ ଦେଲେ, କଂଗ୍ରେସର ପୁରୁଖା ନେତାମାନେ ସର୍ବଦା ହିଂସାକାଣ୍ଡ ଯେମିତି ନଘଟେ, ତା'ପାଇଁ ଅଗଷ୍ଟ ବିପ୍ଳବ ବେଳେ ପ୍ରୟାସ କରୁଥିଲେ । ଏହି ଦୃଷ୍ଟିରୁ ଦେଖିଲେ, ୯ ଅଗଷ୍ଟ ୧୯୪୨ ଦିନ କଂଗ୍ରେସର ତୁଙ୍ଗ ନେତାମାନଙ୍କୁ ସରକାର ଗିରଫ କରି ପ୍ରକାରାନ୍ତରେ ଆନ୍ଦୋଳନକୁ ବେ-ଲଗାମ ଓ ହିଂସାତ୍ମକ ହେବାକୁ ଅବସର ଦେଇଥିବା ସୁସ୍ପଷ୍ଟ ।   ଅଗଷ୍ଟ ବିପ୍ଳବ ସହରାଞ୍ଚଳ ଅପେକ୍ଷା ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ ଉଗ୍ର ରୂପ ଧାରଣ କରିଥିଲା । ସମାନ୍ତରାଳ ସରକାର ମଧ୍ୟ ଯୋଗାଯୋଗରୁ ଅପେକ୍ଷାକୃତ ବିଚ୍ଛିନ୍ନାଞ୍ଚଳରେ କାର୍ଯ୍ୟ କରି ସଫଳ ହୋଇଥିଲା । ଲୋକ ସମ୍ମିଳିତ ଭାବେ ଥାନା, ପୋଷ୍ଟ ଅଫିସ୍‍ ଉପରେ ଆକ୍ରମଣ କରୁଥିଲେ । ଆକ୍ରମଣପାଇଁ ସେମାନେ ରାତିର ଅନ୍ଧକାରକୁ ବାଛୁ ନଥିଲେ । ଢେଙ୍କାନାଳର ଗରିଲା ବାହିନୀର କାର୍ଯ୍ୟକୁ ବାଦ ଦେଲେ, ଅନ୍ୟ ସମସ୍ତ ଘଟଣା ସର୍ବସମକ୍ଷରେ ଏବଂ ଦିନର ଆଲୋକରେ ସଂଘଟିତ ହୋଇଥିଲା । ଏହା ଆନ୍ଦୋଳନକାରୀଙ୍କ ନିର୍ଭୟ ଭାବ ଏବଂ ବ୍ୟାପକ ଜନ ସମର୍ଥନକୁ ଦର୍ଶାଏ । ଉପକୂଳ ଅଂଚଳରେ ଲୋକଙ୍କ ନିର୍ଭୟ ହେବା ପଛରେ ଗୋଟିଏ ବଡ଼ କାରଣ ହେଲା ଯେ, ସେତେବେଳେ ଏକ ଗୁଜବ ଉଠିଥିଲା, ଇଂରେଜ ସରକାରଙ୍କୁ ପରାଜିତ କରି ଜାପାନୀମାନେ ଓଡ଼ିଶାକୁ ମାଡ଼ିଆସିବେ ଏବଂ ସେମାନେ ଇଂରେଜଙ୍କୁ ବିରୋଧ କରିଥିବା ଲୋକଙ୍କୁ ଉପଯୁକ୍ତ ପୁରସ୍କାର ଦେବେ ! ଅର୍ଥାତ୍‍ ଯଦିଓ ଲୋକ ସ୍ୱାଧୀନତା ସଂଗ୍ରାମରେ ଭାଗନେଇ ଆନ୍ଦୋଳନ କରୁଥିଲେ, ସେମାନଙ୍କ ମନରେ ଶଙ୍କା ଥିଲା ଯେ ଓଡ଼ିଶାକୁ ଜାପାନର କବ୍‍ଜା କରିବା ନିଶ୍ଚିତ । ଓଡ଼ିଶାର ରାଜଧାନୀକୁ କଟକରୁ ସମ୍ୱଲପୁରକୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତି କରି ସରକାର ଲୋକଙ୍କ ଭିତରେ ବ୍ୟାପିଥିବା ଗୁଜବକୁ ବଳ ଦେଇଥିଲେ । ଜାପାନୀମାନେ ମାଡ଼ି ଆସିଲେ ଲୋକମାନେ ଅଯଥା ଇଂରେଜର ସମର୍ଥକ ହେବାର ଅଭିଯୋଗରେ ନୂଆ ସରକାରଦ୍ୱାରା ଦଣ୍ଡିତ ନ ହେବେ ବୋଲି ଆଶା କରି ଅଗଷ୍ଟ ବିପ୍ଳବରେ ଅଧିକ ସଂଖ୍ୟାରେ ଭାଗ ନେଇଥିଲେ । ଅଗଷ୍ଟ ବିପ୍ଳବ ଅଗଷ୍ଟ ମାସରେ ବଣନିଆଁ ଭଳି ଆରମ୍ଭ ହୋଇ ମୋଟାମୋଟି ଭାବରେ ଦେଖିଲେ ମାସର ଶେଷ ସୁଦ୍ଧା ପ୍ରଶମିତ ହୋଇଯାଇଥିଲା । ସେପ୍ଟେମ୍ୱରରେ ଯେଉଁ କେତେକ ସ୍ଥାନରେ ଆନ୍ଦୋଳନର ବହ୍ନି ଜଳିଥିଲା, ତାହା ସମାନ୍ତରାଳ ସରକାରର ରୂପ ନେଇଥିଲା । ଅକ୍ଟୋବରର ଆରମ୍ଭ ବେଳକୁ ଆନ୍ଦୋଳନ ପ୍ରାୟ ନିଶ୍ଚିହ୍ନ ହୋଇ ଯାଇଥିଲା । ଏହି ମାସର ଦ୍ୱିତୀୟ ସପ୍ତାହରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ କଟକରେ ଧରାପଡ଼ିବା ପରେ ଆନ୍ଦୋଳନ ଆଉ 'କାଗଜ'ରେ ମଧ୍ୟ ରହିଲା ନାହିଁ । ମାତ୍ର କେବଳ ଦୁଇ ମାସର ସ୍ୱଳ୍ପ ଅବଧିରେ ଏହା ଦୁଇ ଶହ ବର୍ଷର ଇଂରେଜ ଶାସନକୁ ଖଣ୍ଡିଆ ଖାବରା କରିଦେଲା । ଏହା ପରେ ଇଂରେଜମାନେ ଯେ ଭାରତ ଛାଡ଼ିବା ନିଶ୍ଚିତ- ତାହା ସମସ୍ତେ କଳନା କରିନେଲେ ।
  ଅଗଷ୍ଟ ବିପ୍ଳବ ବେଳେ ଇଂରେଜ ସରକାରଙ୍କ କାର୍ଯ୍ୟକୁ ଔପଚାରିକ ଭାବରେ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗ କରୁଥିବା ଭାରତୀୟବର୍ଗକୁ ସାଧାରଣତଃ ବିଶ୍ୱାସଘାତକ ଆଖ୍ୟା ଦିଆଯାଏ । ମାତ୍ର ଅନେକ ସ୍ଥଳରେ ଏଭଳି ଅଭିଯୋଗ ଅମୂଳକ ବୋଲି ମନେହୁଏ । ଏହାର ଏକ ଉଦାହରଣ ହେଉଛନ୍ତି, ମିଳିତ ସରକାରର ପାର୍ଲ୍ୟାମେଣ୍ଟାରୀ ସେକ୍ରେଟାରୀ ଯଦୁମଣି ମଂଗରାଜ । ବିହାରର ନେତା ରାମନନ୍ଦନ ମିଶ୍ର ଆତ୍ମଗୋପନପାଇଁ ଓଡ଼ିଶାରେ କିଛି ଦିନ ରହିଥିଲେ । ପୋଲିସ ସନ୍ଦେହରୁ ଦୂରେଇ ରଖିବାପାଇଁ ଯଦୁମଣି ତାଙ୍କୁ ନିଜ ସରକାରୀ ଗାଡ଼ିରେ କଟକ ସହରରେ ଯିବା ଆସିବାପାଇଁ ବ୍ୟବସ୍ଥା କରିଦେଇଥିଲେ । ଏହି ସହଯୋଗଯୋଗୁଁ ରାମନନ୍ଦନ ମିଶ୍ର ଓଡ଼ିଶାର ଭୂମିଗତ ନେତାଙ୍କ ସହ ସାକ୍ଷାତ୍‍ କରି ପାରିଥିଲେ ତଥା ପୋଲିସର ସନ୍ଦେହ ଚକ୍ଷୁରେ ପଡ଼ି ନଥିଲେ ।

  ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୧୯୪୧ ଜୁନ୍‌ରେ ନାଜି ଜର୍ମାନୀ ସୋଭିଏତ୍‍ ରୁଷ୍‍ ଉପରେ ଅତର୍କିତ ଆକ୍ରମଣ କଲା । ଫଳରେ ରୁଷ୍‍ ଓ ଇଂଲଣ୍ଡ ନେତୃତ୍ୱାଧୀନ ମିତ୍ରଶକ୍ତି ମଧ୍ୟରେ ମେଣ୍ଟ ହେଲା । ଏହାର ପରିଣାମ ସ୍ୱରୂପ ଭାରତର କମ୍ୟୁନିଷ୍ଟମାନେ ବିଶ୍ୱଯୁଦ୍ଧରେ ଇଂଲଣ୍ଡର ସମର୍ଥନ କଲେ , ଔପଚାରିକ ଭାବେ ଓଡ଼ିଶାର ରାଜ୍ୟଶାଖା, ଇଂରେଜ ବିରୋଧୀ ଅଗଷ୍ଟ ଆନ୍ଦୋଳନରୁ ଓହରିଗଲା ଏବଂ ଯୁଦ୍ଧକୁ 'ମୁକ୍ତିଯୁଦ୍ଧ' ଘୋଷଣା କଲା । ମାତ୍ର ପାର୍ଟି ନିର୍ଦେଶକୁ ଉପେକ୍ଷା କରି ରାଜ୍ୟରେ ଅନେକ କମ୍ୟୁନିଷ୍ଟ ଅଗଷ୍ଟ ବିପ୍ଳବରେ ସକ୍ରିୟ ଯୋଗଦାନ କରିଥିଲେ । ଉଦାହରଣ ସ୍ୱରୂପ, ଢେଙ୍କାନାଳର ବୈଷ୍ଣବ ପଟ୍ଟନାୟକ, ନୀଳଗିରିର ବନମାଳୀ ଦାସ ଓ ସମ୍ୱଲପୁରର ଦୟାନନ୍ଦ ଶତପଥୀ ଆଦି ଥିଲେ କମ୍ୟୁନିଷ୍ଟ ବିଚାରର କର୍ମୀ । ସେମାନଙ୍କର ଅଗଷ୍ଟ ବିପ୍ଳବରେ ସଂପୃକ୍ତି ଥିଲା ଅପରିମିତ ।

  ତଳ ସ୍ତରର ସରକାରୀ କର୍ମଚାରୀମାନେ ଆନ୍ଦୋଳନ ପ୍ରତି ଯଥେଷ୍ଟ ସହାନୁଭୂତିଶୀଳ ଥିଲେ ବୋଲି ପୋଲିସ୍‍ ରିପୋର୍ଟରେ ବାରମ୍ୱାର ଅଭିଯୋଗ ହେଉଥିଲା । ବାଲେଶ୍ୱରର ଇରମରେ ସମାନ୍ତରାଳ ସରକାରର ସଫଳତା ପଛରେ ବଡ଼ କାରଣ ଥିଲା, ସ୍ଥାନୀୟ ସରକାରୀ କର୍ମଚାରୀ ଓ ଚୌକିଦାରମାନଙ୍କ ଆନ୍ତରିକ ସହଯୋଗ । ସେମାନେ ଉପର କର୍ତ୍ତୃପକ୍ଷଙ୍କୁ ସ୍ୱାଧୀନ ସରକାର ସମ୍ୱନ୍ଧରେ ସୂଚନା ପ୍ରେରଣ କରି ନଥିଲେ । ଏହା ସମାନ୍ତରାଳ ସରକାରକୁ ଅଧିକ ଦିନ ଧରି ସୁସଂଗଠିତ କରିବାରେ ସହଯୋଗ କରିଥିଲା । ସରକାରଙ୍କ ରିପୋର୍ଟରେ ଉଲ୍ଲେଖ ଥିଲା, "...କେତେକ ସ୍ଥାନରେ ଅରାଜକତା ଦମନ କରିବାରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କଠାରେ ଅନାବଶ୍ୟକ ଭୀରୁତା ଓ ସ୍ୱେଚ୍ଛାପୂର୍ଣ୍ଣ ଅସହଯୋଗ ଦେଖାଯାଇଥିଲା । କଂଗ୍ରେସର ପ୍ରାଧାନ୍ୟ ଥିବା ଅଞ୍ଚଳରେ ଶିକ୍ଷକ ସମୁଦାୟର ଆଭିମୁଖ୍ୟ ଆମ ପ୍ରତି ଉପଯୋଗୀ ସିଦ୍ଧ ହୋଇନାହିଁ । ଡାକ କର୍ମଚାରୀମାନଙ୍କର ସହଯୋଗ ମିଳି ନାହିଁ । ଡାକଘରଗୁଡ଼ିକ ଭଂଗା ହେଲା ପରେ ଅନେକ ଜାଗାରେ ତା'ର ଅନୁସନ୍ଧାନ ସରିନାହିଁ । କାରଣ କର୍ମଚାରୀମାନେ ସାକ୍ଷ ଦେବାକୁ ଅମଙ୍ଗ ହେଉଛନ୍ତି । (ଆନ୍ଦୋଳନ ଦ୍ୱାରା)ଅଧିକ ପ୍ରଭାବିତ ଅଂଚଳରେ ଚୌକିଦାରମାନେ ପ୍ରାୟ ବେକାର ସିଦ୍ଧ ହେବାର ସୂଚନା ମିଳିଛି ।" ଏଥିରୁ ସିଦ୍ଧ ହୁଏ ଯେ, ଅନେକ ସ୍ଥଳରେ ରାଜକର୍ମଚାରୀମାନେ ସ୍ୱତଃପ୍ରବୃତ୍ତ ଭାବରେ ଆନ୍ଦୋଳନକୁ ବିରୋଧ କରି ନାହାନ୍ତି । ଉପର ଠାଉରିଆ ଭାବେ ସେମାନେ ସରକାରକୁ କେବଳ ସମର୍ଥନ କରିଛନ୍ତି । ଅନେକ କ୍ଷେତ୍ରରେ ସେମାନେ, ବିଶେଷକରି ଗାଁ ଚୌକିଦାରମାନେ ସାମାଜିକ ବାସନ୍ଦର ଭୟରେ ଆନ୍ଦୋଳନକୁ ମୌନ ସମର୍ଥନ ଦେଇଥିଲେ । ଉଦାହରଣ ସ୍ୱରୂପ, ନୀଳଗିରିରେ ୭୨ ଜଣ ଚୌକିଦାର ଅଗଷ୍ଟ ମାସରେ ଥାନାରେ ଯାଇ ଅଭିଯୋଗ କରିଥିଲେ ଯେ, ସରକାରଙ୍କୁ ସହଯୋଗ କରିଥିବାରୁ ସେମାନଙ୍କୁ ଗାଁରେ ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ିଛି । ଫଳରେ ଅନ୍ୟର ଜମିରେ ସେମାନଙ୍କ ଚାଲିବା ତଥା ପଶୁ ଚରାଇବାପାଇଁ ବି ମନା ହୋଇଛି । ପରୋକ୍ଷରେ ଏହିଭଳି ଅଭିଯୋଗ ଆଣି ସେମାନେ ଆନ୍ଦୋଳନର ଧମକ ଦେଇଥିଲେ । ଏଥିରୁ ପ୍ରମାଣିତ ହୁଏ ଯେ, ଜାତୀୟତାବାଦ ସବୁସ୍ତରକୁ ବିସ୍ତାରିତ ହୋଇ ସାରିଥିଲା । ଜାତୀୟତାବାଦର ଏଭଳି ବ୍ୟାପକ ବିସ୍ତାର ହେତୁ ଭବିଷ୍ୟତରେ ଦେଶ ପରାଧୀନ ରହିବା ଯେ ନୋହିବ- ଏକଥା ଲୋକ ଅନୁମାନ କରି ପାରୁଥିଲେ ।

...

ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ,
ସ୍ୱାଧୀନତା ପ୍ରାପ୍ତି ଓ ଗଡ଼ଜାତ ମିଶ୍ରଣ

ମିଳିତ ମନ୍ତ୍ରିମଣ୍ଡଳ

  ଅଗଷ୍ଟ ବିପ୍ଳବ ସମୟରେ ଓଡ଼ିଶାରେ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହୋଇ ସରକାରଙ୍କ ସହଯୋଗରେ କାର୍ଯ୍ୟ କଲା । ନଭେମ୍ୱର ୧୯୩୯ରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବା ପରେ ଦୁଇବର୍ଷ କାଳ ରାଜ୍ୟର ଶାସନ ରାଜ୍ୟପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଲା । ପରେ ବିଶ୍ୱଯୁଦ୍ଧର ଜଟିଳତା ବୃଦ୍ଧିପାଇଲାଏବଂ ମିତ୍ର ପକ୍ଷ ଭାରତର ସହଯୋଗ ପାଇବାଲାଗି ରାଜନୈତକ ଦଳଗୁଡ଼ିକୁ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ପ୍ରୋତ୍ସାହିତ କଲେ । ରାଜନୈତିକ ଦଳ ନେତୃତ୍ୱରେ ପ୍ରାଦେଶିକ ସ୍ତରରେ ସରକାର ଗଠିତ ହେଲେ ଲୋକଙ୍କର ବ୍ରିଟିଶ ବିରୋଧୀ ଭାବ ଊଣା ହୋଇପାରେ ବୋଲି କର୍ତ୍ତୃପକ୍ଷ ବିଚାର କରୁଥିଲେ ।

୧୯୪୧ରେ କଂଗ୍ରେସର ଜଣେ ପ୍ରମୁଖ ନେତା ଭାବରେ ପ୍ରସିଦ୍ଧି ପାଇଥିବା ନୀଳକଣ୍ଠ ଦାସ, ସୁଭାଷ ଚନ୍ଦ୍ର ବୋଷଙ୍କ ଫରଓ୍ୱାର୍ଡ଼ ବ୍ଲକ୍‍ ସହ ସଂପର୍କ ରଖିଥିବା ଅଭିଯୋଗରେ ଦଳରୁ ବହିଷ୍କୃତ ହେଲେ । ହରେକୃଷ୍ଣ ମହତାବ ଓ ବିଶ୍ୱନାଥ ଦାସ ଆଦି ରାଜ୍ୟ କଂଗ୍ରେସ ଦଳରେ ଏକ ପ୍ରଭାବଶାଳୀ ଗୋଷ୍ଠୀ ଗଢ଼ିଥାନ୍ତି । ନୀଳକଣ୍ଠ ଦାସଙ୍କ ସହିତ ସେମାନଙ୍କର ଗୋଷ୍ଠୀକନ୍ଦଳ ଚାଲିଥାଏ । କଂଗ୍ରେସର କେନ୍ଦ୍ର ସ୍ତରର ନେତୃବୃନ୍ଦ ମଧ୍ୟ ହରେକୃଷ୍ଣ ମହତାବ ଗୋଷ୍ଠୀକୁ ସମର୍ଥନ କରୁଥାନ୍ତି । ଅନ୍ୟ ପକ୍ଷରେ ନବକୃଷ୍ଣ ଚୌଧୁରୀ ଆଦି ସୋସିଆଲିଷ୍ଟ ନେତୃବର୍ଗ ନୀଳକଣ୍ଠଙ୍କୁ ରକ୍ଷଣଶୀଳ କହି ବିରୋଧ କରୁଥାନ୍ତି । ଏହି ପରିସ୍ଥିତିରେ ନୀଳକଣ୍ଠ ତାଙ୍କର ପୁରୁଣା ସହଯୋଗୀ ସତ୍ୟବାଦୀର ଅନ୍ୟତମ ପ୍ରତିଷ୍ଠାତା ଗୋଦାବରୀଶଙ୍କୁ ନେଇ ସରକାରଙ୍କ ସହାୟତାରେ ମିଳିତ ମନ୍ତ୍ରିମଣ୍ଡଳ ଗଢିବାକୁ ଉଦ୍ୟମ କଲେ । ଅନ୍ୟାନ୍ୟ କାରଣ ମଧ୍ୟରେ କଂଗ୍ରେସର ଗୋଷ୍ଠୀକନ୍ଦଳ ଉଭୟଙ୍କୁ କଂଗ୍ରେସ ଦଳ ଛାଡ଼ିବାକୁ ବାଧ୍ୟ କଲା । ସରଳାଦେବୀ ଓ ଯଦୁମଣି ମଙ୍ଗରାଜ ଆଦି ମଧ୍ୟ ସେମାନଙ୍କୁ ସହଯୋଗ କଲେ । କଂଗ୍ରେସ ବାହାରେ ପାରଳା ମହାରାଜାଙ୍କ ସହିତ ସେମାନଙ୍କର ଯୋଗସୂତ୍ର ବଢ଼ିଲା । ସମସ୍ତେ ମିଶି ୧୯୪୧ ନଭେମ୍ୱର ୨୪ରେ ପାରଳା ମହାରାଜାଙ୍କ ପ୍ରଧାନମନ୍ତ୍ରିତ୍ୱରେ (ସେତେବେଳେ ରାଜ୍ୟ ମନ୍ତ୍ରିମଣ୍ଡଳର ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) ମିଳିତ ମନ୍ତ୍ରିମଣ୍ଡଳ ଗଢ଼ିଲେ, ଯାହା ୧୯୪୪ ଜୁନ୍ ୨୯ ତାରିଖ ପର୍ଯ୍ୟନ୍ତ କ୍ଷମତାରେ ରହିଲା । ଗୋଦାବରୀଶ ମିଶ୍ରଙ୍କୁ ବାଦଦେଲେ ମନ୍ତ୍ରିମଣ୍ଡଳରେ ଅନ୍ୟ ଜଣେ ମନ୍ତ୍ରୀ ଥିଲୋ ସେ ହେଲେ ଅବଦୁସ୍‍ ଶୋଭନ ଖାଁ ।   ମିଳିତ ମନ୍ତ୍ରିମଣ୍ଡଳକୁ ବିଶେଷ ଲୋକ ସମର୍ଥନ ମିଳି ନଥିଲା । ଇଂରେଜ ବିରୁଦ୍ଧରେ ଜନମତବୃଦ୍ଧିପାଉଥିବା ବେଳେ ଏହା ଇଂରେଜ ସରକାରର ସମର୍ଥନ କରୁଥିଲା । ଦ୍ୱିତୀୟତଃ, କଂଗ୍ରେସ ଦଳ ତ୍ୟାଗ କରି ଅନେକ ନେତା ଏଥିରେ ସାମିଲ ହୋଇଥିଲେ । ସେମାନେ କ୍ଷମତାପାଇଁ ଦଳତ୍ୟାଗ କଲେ ଏବଂ ଇଂରେଜ ସମର୍ଥକ ସାଜିଲେ ବୋଲି କୁତ୍ସାରଟନା ହେଲା । ଅଗଷ୍ଟ ବିପ୍ଳବ ସମୟରେ କଂଗ୍ରେସ ଲୋକ ଜେଲ ଦଣ୍ଡ ଭୋଗୁଥିବା ବେଳେ ଏବଂ କଂଗ୍ରେସ କର୍ମୀ ପୋଲିସର ଲାଠି, ଗୁଳିର ଶିକାର ହେଉଥିବା ବେଳେ ଏହି ଦଳତ୍ୟାଗୀମାନେ କ୍ଷମତାଭୋଗୀ ହେଲେ ବୋଲି ତୀବ୍ର ସମାଲୋଚନା ପ୍ରକାଶ ପାଇଲା । ଏହାଛଡ଼ା ମନ୍ତ୍ରିମଣ୍ଡଳକୁ ସଂଖ୍ୟାଗରିଷ୍ଠ ଗୋଷ୍ଠୀର ସମର୍ଥନ ନଥିଲା । ଯାହାଦ୍ୱାରା ମନ୍ତ୍ରୀମାନେ ଅଧିକ ଲୋକଲଜ୍ଜାର ଶିକାର ହେଲେ । ମୋଟ ୬୦ ସଭ୍ୟବିଶିଷ୍ଟ ବିଧାନସଭାରେ ମନ୍ତ୍ରିମଣ୍ଡଳକୁ ୨୭ ଜଣ ସଭ୍ୟଙ୍କର ସମର୍ଥନ ରହିଥିଲା । ଲୋକସମ୍ମାନ ନଥିଲା ବୋଲି ଇଂରେଜ ସରକାର ମଧ୍ୟ ମିଳିତ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଯଥୋଚିତ ସମ୍ମାନ ଦେଉ ନଥିଲେ । ୧୯୪୨ ମାର୍ଚ୍ଚରେ ସରକାରୀ ଦଳର ପ୍ରାର୍ଥୀ ରାଜେନ୍ଦ୍ର ନାରାୟଣ ଭଞ୍ଜ (କନିକା ଜମିଦାର) ବାଲିଗୁଡ଼ା ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଉମାଚରଣ ପଟ୍ଟନାୟକଙ୍କଠାରୁ ପରାଜିତ ହେଲେ, ଯାହା ମନ୍ତ୍ରିମଣ୍ଡଳ ବିରୁଦ୍ଧରେ ଥିବା ଜନମତକୁ ସୁସ୍ପଷ୍ଟ କଲା ।

ନିଜ ସୀମିତ କାର୍ଯ୍ୟକାଳରେ ମଧ୍ୟ ମିଳିତ ମନ୍ତ୍ରିମଣ୍ଡଳ କେତୋଟି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ଉତ୍ତାରୁ ରାଜ୍ୟପାଇଁ ସ୍ୱତନ୍ତ୍ର ନ୍ୟାୟାଳୟ, ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଏବଂ ସ୍ୱତନ୍ତ୍ର ମେଡ଼ିକାଲ୍‍ କଲେଜର ଆବଶ୍ୟକତା ଥିଲା । ସେ ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପମାନ ନେଇଥିଲେ । ୧୯୪୩ ଜୁନ୍ ୩୦ ତାରିଖରେ ସ୍ୱତନ୍ତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ବିଲ୍‍ ବିଧାନସଭାରେ ଉତ୍‍ଥାପନ ହୋଇ ଅନୁମୋଦନ ଲାଭ କଲା ପରେ ୧୯୪୩ ନଭେମ୍ୱର୨୭ରେ କଟକରେ ଅସ୍ଥାୟୀ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲା । ପରେ ଏହା ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେଲା । ୧୯୪୪ ମସିହା ଜୁନ୍ ୧ ତାରିଖରେ କଟକର ମେଡ଼ିକାଲ ସ୍କୁଲ୍‍କୁ କଲେଜରେ ପରିଣତ କରାଗଲା । ଉଚ୍ଚ ନ୍ୟାୟାଳୟ ସ୍ଥାପନପାଇଁ ମଧ୍ୟ ପ୍ରାଥମିକ ପଦକ୍ଷେପମାନ ନିଆଗଲା, ଯାହା ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳର ଶାସନକାଳରେ ଜୁଲାଇ ୧୯୪୮ରୁ କାର୍ଯ୍ୟ ଆରମ୍ଭ କଲା । ୧୯୪୪ରେ ପୁରୀ, ବାଲେଶ୍ୱର ଓ ସମ୍ୱଲପୁରରେ ସରକାରୀ କଲେଜ ଖୋଲିବାକୁ ନିଷ୍ପତ୍ତି ହେଲା । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଥିଲା ଏକ ଅତି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।   ମିଳିତ ମନ୍ତ୍ରିମଣ୍ଡଳର ଭିତ୍ତି ଥିଲା ଦ୍ୱିଧାପୂର୍ଣ୍ଣ । ମନ୍ତ୍ରିମଣ୍ଡଳ ନେଇଥିବା କେତୋଟି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବଦଳରେ ଲୋକ ତା'ର ବିଫଳତା ଏବଂ ଲୋକ ବିରୋଧୀ ଚରିତ୍ରକୁ ଗଣି ବସିଲେ । ମନ୍ତ୍ରିମଣ୍ଡଳର ଶାସନ କାଳ ମଧ୍ୟରେ ଅଗଷ୍ଟ ବିପ୍ଳବ ହେଲା । ସେହି ସମୟରେ ଯେଉଁ ଅକଥନୀୟ ଦମନ ଲୀଳା ଚାଲିଲା, ତା' ପଛରେ ମିଳିତ ମନ୍ତ୍ରିମଣ୍ଡଳର ହାତ ଥିଲା ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହେଲା । କାରଣ ଯେଉଁଭଳି ଭାବେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳ (୧୯୩୭-୩୯) ପ୍ରଜାମଣ୍ଡଳ ଆନ୍ଦୋଳନକୁ ପରୋକ୍ଷ ସୁରକ୍ଷା ଦେଇଥିଲା, ମିଳିତ ମନ୍ତ୍ରିମଣ୍ଡଳ ଅଗଷ୍ଟ ବିପ୍ଳବ ପ୍ରତି ସେହି ଧରଣର ସହାନୁଭୂତିଶୀଳ ମନୋଭାବ ରଖିଲା ନାହିଁ । ବରଂ କଂଗ୍ରେସର ବିଧାନସଭା ସଦସ୍ୟମାନଙ୍କୁ ଏହା ଜେଲରେ ରଖିବାକୁ ଚାହିଁଲା, ଯେହେତୁ ସଂଖ୍ୟାଲଘୁ ମିଳିତ ମନ୍ତ୍ରିମଣ୍ଡଳ ତିଷ୍ଠି ରହିବାଲାଗି କଂଗ୍ରେସ ସଭ୍ୟଙ୍କର ବିଧାନସଭାରେ ଅନୁପସ୍ଥିତ ରହିବା ଏକ ଆବଶ୍ୟକତା ଥିଲା । ଏହା ମନ୍ତ୍ରିମଣ୍ଡଳର ଜନ ବିରୋଧୀ ସ୍ୱଭାବ ଏବଂ କ୍ଷମତା ଲୋଭକୁ ଦର୍ଶାଉଥିଲା । ଇଂରେଜ ସରକାର ହାତରେ କଣ୍ଢେଇ ସାଜି ଏହା ଲୋକଙ୍କୁ ଦମନ କଲା ବୋଲି ଲୋକ ଅଭିଯୋଗ କଲେ । ଯୁଦ୍ଧପାଣ୍ଠି ସଂଗ୍ରହ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସରକାରର ଏକ ପ୍ରମୁଖ କାର୍ଯ୍ୟ । ଏହାରି ମାଧ୍ୟମରେ ଭାରତୀୟ ବର୍ଗର ଯୁଦ୍ଧ ପ୍ରତି ସମର୍ଥନ ରହିଛି ବୋଲି ସରକାର ପ୍ରମାଣ କରିବାକୁ ଚାହୁଁଥିଲେ । ଏହା ସରକାରଙ୍କ ପ୍ରତି କଂଗ୍ରେସର ମନୋଭାବକୁ ଭୁଲ ବୋଲି ମଧ୍ୟ ସିଦ୍ଧ କରୁଥିଲା । ଆର୍ଥିକ ଦୃଷ୍ଟିରୁ ଲୋକ ଯେହେତୁ ଅସଂପନ୍ନ, ସେମାନଙ୍କ ପକ୍ଷେ ଯୁଦ୍ଧପାଣ୍ଠିକୁ ଅର୍ଥଦେବା କାଠିକର ଲା । ପୁଣି ଯୁଦ୍ଧପାଇଁ ଆଦିବାସୀ ଅଞ୍ଚଳରୁ ସ୍ୱେଚ୍ଛାସେବକ ନାଁରେ କୁଲି ସଂଗ୍ରହ କରାଯାଉଥିଲା । ଲୋକଙ୍କର ବିରୋଧ ସତ୍ତ୍ୱେ ଗଡ଼ଜାତ ରାଜା ଓ ଜମିଦାରମାନେ ସରକାରର ପ୍ରିୟପାତ୍ର ହେବା ଉଦ୍ଦେଶ୍ୟରେ ବଢ଼ିଚଢ଼ି ଲୋକଙ୍କଠାରୁ ପାଣ୍ଠି ଓ ଗାଁମାନଙ୍କରୁ କୁଲି ସଂଗ୍ରହ କରୁଥିଲେ । ଏଥିପାଇଁ ସେମାନେ ବଳ ପ୍ରୟୋଗ ମଧ୍ୟ କରୁଥିଲେ । ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେବା ପରେ ଯୁଦ୍ଧପାଣ୍ଠି ସଂଗ୍ରହ ଭାର ମନ୍ତ୍ରୀ ଓ ବିଧାନସଭା ସଭ୍ୟମାନଙ୍କ ଉପରେ ପଡ଼ିଲା । ତା'ଠାରୁ ବିଡ଼ମ୍ୱନାର ବିଷୟ ଯେ ମନ୍ତ୍ରିମଣ୍ଡଳର ଦୁଇ ଜଣ ପ୍ରମୁଖ ସହଯୋଗୀ ଖଲିକୋଟ ରାଜା ଏବଂ ନୀଳକଣ୍ଠ ଦାସ ଜାତୀୟ ଯୁଦ୍ଧ ଫ୍ରଣ୍ଟ (National War Front) ଓଡ଼ିଶା ଶାଖାର ମୁଖ୍ୟ ହେବାପାଇଁ ଗୋଷ୍ଠୀ କନ୍ଦଳରେ ଲାଗିଲେ । ଏହି ଯୁଦ୍ଧ ଫ୍ରଣ୍ଟ ମାଧ୍ୟମରେ ହିଁ ଯୁଦ୍ଧପାଣ୍ଠି ଆଦି ସଂଗୃହୀତ ହେଉଥିଲା । ନୀଳକଣ୍ଠଙ୍କୁ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନିଜର ସମର୍ଥନ ଦେଇ ଯୁଦ୍ଧ ଫ୍ରଣ୍ଟ୍‍ର ମୁଖ୍ୟ ପଦରେ ନିଯୁକ୍ତ କରିବାରୁ ଖଲିକୋଟ ରାଜା ଅସନ୍ତୁଷ୍ଟ ହେଲେ ଏବଂ ନିଜର ଜଣେ ସମର୍ଥକଙ୍କ ସହ ମିଳିତ ମନ୍ତ୍ରିମଣ୍ଡଳକୁ ବିରୋଧ କଲେ । ତାଙ୍କୁ ମନ୍ତ୍ରିମଣ୍ଡଳର ଅର୍ଥମନ୍ତ୍ରୀ ଗୋଦାବରୀଶ ମିଶ୍ର ସମର୍ଥନ କଲେ । ଫଳରେ ମନ୍ତ୍ରିମଣ୍ଡଳ ଦୁଇ ଭାଗରେ ବିଭକ୍ତ ହୋଇଗଲା । ପ୍ରଧାନମନ୍ତ୍ରୀ ଓ ନୀଳକଣ୍ଠ ଦାସ ଗୋଟାଏ ଗୋଷ୍ଠୀରେ ଏବଂ ଗୋଦାବରୀଶ ଓ ଖଲିକୋଟ ରାଜା ଅନ୍ୟ ପକ୍ଷରେ । ଗୋଦାବରୀଶ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ନୀତିକୁ ମଧ୍ୟ ପସନ୍ଦ କରୁ ନଥିଲେ । ଏହା ଗୋଷ୍ଠୀ କନ୍ଦଳକୁ ବୃଦ୍ଧି କଲା । ପରିସ୍ଥିତି ଜଟିଳ ହେବାରୁ ପ୍ରଧାନମନ୍ତ୍ରୀ ଜୁନ୍ ୧୯୪୪ରେ ଗୋଦାବରୀଶଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ । ଗୋଦାବରୀଶ ନିର୍ଦେଶର ଅବମାନନା କରିବାରୁ ସେ (ପ୍ରଧାନମନ୍ତ୍ରୀ) ନିଜେ ୨୦ ଜୁନ୍ ଦିନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ । ତାଙ୍କର ଧାରଣା ଥିଲା, ରାଜ୍ୟପାଳ ସାର ହଥର୍ଣ୍ଣ ଲୁଇ ତାଙ୍କୁ ନୂଆ କରି ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଆମନ୍ତ୍ରଣ ଜଣାଇବେ ଏବଂ ତହିଁରେ ଗୋଦାବରୀଶଙ୍କୁ ସ୍ଥାନ ମିଳିବ ନାହିଁ । ମାତ୍ର ଜୁନ୍ ୨୯ ତାରିଖ ୧୯୪୪ରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଇସ୍ତଫା ଗ୍ରହଣ କଲେ ଏବଂ ରାଜ୍ୟକୁ ରାଜ୍ୟପାଳ ଶାସନରେ ରଖିଲେ । ୧୯୪୬ରେ ଦ୍ୱିତୀୟ ଥର ଲାଗି ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳର ଗଠନ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ରାଜ୍ୟପାଳ ଶାସନ ଚାଲିଲା । ଏଥିରୁ ସିଦ୍ଧ ହୁଏ ଯେ, ଇଂରେଜ ସରକାର ମଧ୍ୟ ମିଳିତ ମନ୍ତ୍ରିମଣ୍ଡଳକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରୁ ନଥିଲେ । ଅତୀତରେ ଯେଉଁ ଢଙ୍ଗରେ ଗଡ଼ଜାତମାନେ ଔପନିବେଶ ବିରୋଧୀ ଚେତନାକୁ ଅବରୁଦ୍ଧ କରିଥିଲେ, ସେହି ଢଙ୍ଗରେ ମିଳିତ ମନ୍ତ୍ରିମଣ୍ଡଳ ଅଗଷ୍ଟ ବିପ୍ଳବକୁ ରୋକି ପାରିଲା ନାହିଁ । ତେଣୁ ଇଂରେଜ ସରକାର ମନ୍ତ୍ରିମଣ୍ଡଳ ଉପରେ ପ୍ରସନ୍ନ ନଥିଲେ । ଆନ୍ତରିକ ବିଶୃଙ୍ଖଳା ଯୋଗୁଁ ମିଳିତ ମନ୍ତ୍ରିମଣ୍ଡଳ ସରକାର ଉପରେ ଆବଶ୍ୟକ ଚାପ ମଧ୍ୟ ପ୍ରୟୋଗ କରି ପାରି ନଥିଲା । ଏକଦା ସୁଭାଷ ବୋଷଙ୍କର ଫରଓ୍ୱାର୍ଡ଼ ବ୍ଲକ୍‍ର ଖୋଲା ସମର୍ଥନ କରି କଂଗ୍ରେସରୁ ବହିଷ୍କୃତ ହୋଇଥିବା ନୀଳକଣ୍ଠ ଦାସ ଯେତେବେଳେ ଯୁଦ୍ଧରେ ଇଂରେଜ ପକ୍ଷର ସମର୍ଥନଲାଗି ଗଠିତ ଜାତୀୟ ଯୁଦ୍ଧ ଫ୍ରଣ୍ଟର ରାଜ୍ୟ ଶାଖାର ମୁଖ୍ୟ ହେଲେ, ଲୋକ ତାଙ୍କ ସାମାଜିକ ଅଂଗୀକାରବଦ୍ଧତାକୁ ପ୍ରଶ୍ନ କରିବାକୁ ଆରମ୍ଭ କଲେ । ଏହା ମିଳିତ ମନ୍ତ୍ରିମଣ୍ଡଳର ଲୋକ ଦୃଷ୍ଟିରେ ପତନକୁ ନିର୍ଦେଶ କଲା ।   ୧୯୪୩-୪୪ରେ ବଂଗରେ ଭୀଷଣ ଦୁର୍ଭିିକ୍ଷ ପଡ଼ିଲା । ଲକ୍ଷ ଲକ୍ଷ ଲୋକ ସେଠି ଅନାହାରରେ ମୃତ୍ୟୁବରଣ କଲେ । ପଡେ଼ାଶୀ ରାଜ୍ୟ ଭାବରେ ଓଡ଼ିଶାର କେତେକ ଅଞ୍ଚଳ (ବାଲେଶ୍ୱର ଓ ବ୍ରହ୍ମପୁର ଆଦି) ମଧ୍ୟ ଉତ୍କଟ ଅଭାବର ସମ୍ମୁଖୀନ ହେଲେ । ସେଠାରେ ସରକାର ଅନାଥାଶ୍ରମ ଓ ଅନ୍ନଛତ୍ର ଆରମ୍ଭ କରିବାକୁ ବାଧ୍ୟ ହେଲେ । ଓଡ଼ିଶାରେ ଦେଖା ଦେଇଥିବା ଖାଦ୍ୟଶସ୍ୟର ଅଭାବ ପଛରେ ଏକ ପ୍ରମୁଖ କାରଣ ହେଲା, ବଙ୍ଗକୁ ଶସ୍ୟର ମୁକ୍ତ ରପ୍ତାନି । ସରକାରଙ୍କ ଚାପରେ ପ୍ରଧାନମନ୍ତ୍ରୀ ଏଭଳି ଯୋଗାଣ ନୀତିକୁ ସ୍ୱୀକୃତି ଦେଲେ । ଅର୍ଥମନ୍ତ୍ରୀ ଗୋଦାବରୀଶଙ୍କ ଏ ନେଇ ବିରୋଧକୁ ମଧ୍ୟ ସେ ଉପେକ୍ଷା କଲେ । ଲୋକେ ମଧ୍ୟ ଶସ୍ୟ ରପ୍ତାନିକୁ ତୀବ୍ର ବିରୋଧ କରୁଥିଲେ । ଅଗଷ୍ଟ ବିପ୍ଳବର କ୍ରୂର ଦମନ ପରେ ଏହି ପ୍ରଶ୍ନକୁ ନେଇ ଗଣ ଆନ୍ଦୋଳନ ସଂଘଟିତ ହୋଇ ନଥିଲେ ସୁଦ୍ଧା ଜନ ଅସନ୍ତୋଷ ସୁସ୍ପଷ୍ଟ ଥିଲା । ସେ କ୍ଷେତ୍ରରେ ମିଳିତ ମନ୍ତ୍ରିମଣ୍ଡଳ ଓଡ଼ିଶାରୁ ଖାଦ୍ୟଶସ୍ୟ ରପ୍ତାନିକୁ ପ୍ରୋତ୍ସାହିତ କରୁଛି ବୋଲି ଧାରଣା ସୃଷ୍ଟି ହେଲା, ଯାହା ମିଳିତ ମନ୍ତ୍ରିମଣ୍ଡଳର ଲୋକ ଅପ୍ରିୟତାକୁ ବୃଦ୍ଧି କଲା ।

ମୋଟ କଥା ହେଲା, ଇଂରେଜ ସରକାର ନିଜ ସାମ୍ରାଜ୍ୟବାଦୀ ସ୍ୱାର୍ଥରକ୍ଷାଲାଗି ରାଜ୍ୟରେ ମିଳିତ ମନ୍ତ୍ରିିମଣ୍ଡଳ ଗଢିଥିଲେ । ସରକାର ସମସ୍ତ ପ୍ରକାର ଜନବିରୋଧୀ ପଦକ୍ଷେପ ନେଲେ ଏବଂ ତା'ପାଇଁ ମିଳିତ ମନ୍ତ୍ରିମଣ୍ଡଳକୁ ଲୋକ ଦୃଷ୍ଟିରେ ଦୋଷୀ ଗଣନା କରାଗଲା । ଅବସୋସର ବିଷୟ ଯେ, ଅନେକ ଜ୍ଞାନୀ ଓ ଗୁଣୀ ବ୍ୟକ୍ତିଙ୍କର ସମାହାର ହୋଇଥିବା ସତ୍ତ୍ୱେ ମିଳିତ ମନ୍ତ୍ରିମଣ୍ଡଳ ଇଂରେଜର ମନ୍ଦ ଉଦ୍ଦେଶ୍ୟକୁ ବୁଝି ପାରିଲେ ନାହିଁ । ତାତ୍କାଳିକ ଲାଭପାଇଁ ତଥା ଓଡ଼ିଶାର ଉନ୍ନତି କରିବା ନାଁରେ ମିଳିତ ମନ୍ତ୍ରିମଣ୍ଡଳ ଓ ତାଙ୍କ ସହଯୋଗୀବର୍ଗ ଇଂରେଜ ସରକାର ହାତରେ କଣ୍ଢେଇ ସାଜିଲେ । ଓଡ଼ିଶାର ଜନସାଧାରଣ ଇଂରେଜ ସରକାର ସହ ନେତୃବର୍ଗର ମେଣ୍ଟକୁ ସହଜରେ ଗ୍ରହଣ କରି ପାରି ନଥିଲେ । ଏହା ଯେ ଲୋକଙ୍କ ସଂଗ୍ରାମୀ ଚରିତ୍ରକୁ ପ୍ରତିଫଳିତ କଲା, ଏଥିରେ ଆଦୌ ସନ୍ଦେହ ନାହିଁ ।

ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ   ୧୯୪୬ ଏପ୍ରିଲ୍‍ ମାସରେ ଓଡ଼ିଶାରେ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦ୍ୱିତୀୟ ଥର ଲାଗି ମନ୍ତ୍ରିମଣ୍ଡଳ ଗଠନ କଲା । ଏହି ମନ୍ତ୍ରିମଣ୍ଡଳ ମେ' ୧୯୫୦ ଯାଏ କାର୍ଯ୍ୟ କଲା । କଂଗ୍ରେସର ଏହି ଦ୍ୱିତୀୟ ମନ୍ତ୍ରିମଣ୍ଡଳର ଶାସନ କାଳରେ ରାଜ୍ୟରେ ଗଡ଼ଜାତଗୁଡ଼ିକର ସମ୍ମିଶ୍ରଣ ହେଲା, ଦେଶ ସ୍ୱାଧୀନତା ଲାଭ କଲା ଏବଂ ଆଧୁିନିକ ଶିଳ୍ପ ଓ ଯୋଜନାଗୁଡ଼ିକର ଭିତ୍ତି ପଡ଼ିଲା । ଏହି ଦୃଷ୍ଟିରୁ ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ ଆଧୁିନିକ ଓଡ଼ିଶା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ । ଦେଶର ସ୍ୱାଧୀନତା ପ୍ରାପ୍ତି ଓ ସ୍ୱତନ୍ତ୍ର ତଥା ସମ୍ମିଶ୍ରିତ ଓଡ଼ିଶାର ଗଠନକୁ ନେଇ ଆଧୁିନିକ ଯୁଗରେ ଅସ୍ମିତାର ଯେଉଁ ଉନ୍ମେଷ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଦେଖିବାକୁ ମିଳିଥିଲା, ତାହା ଏହି ଅବଧିରେ ଏକ ରକମର ପୂର୍ଣ୍ଣାଙ୍ଗତା ଲାଭ କଲା ।

୧୯୪୫ ଜୁନ୍ ମାସ ସୁଦ୍ଧା ଦ୍ୱିତୀୟ ବିଶ୍ୱଯୁଦ୍ଧ ଶିଥିଳ ହୋଇ ଆସିଲା । ସୋଭିଏତ୍‍ ରୁଷ୍‍ ଓ ମିତ୍ରଶକ୍ତି ନିଶ୍ଚିତ ହେଲେ ଯେ ନାଜିବାଦୀ ଓ ଫାସୀବାଦୀ ଶକ୍ତିଙ୍କର ଯୁଦ୍ଧରେ ପରାଜୟ ସୁନିଶ୍ଚିତ । ଯୁଦ୍ଧରେ ବିଜୟ ସତ୍ତ୍ୱେ ଇଂଲଣ୍ଡ ଆଉ ଅଧିକ କାଳ ବଳ ପ୍ରୟୋଗ କରି ଭାରତ ଭଳି ଏକ ବିଶାଳ ଉପନିବେଶକୁ ନିଜ କର୍ତ୍ତୃତ୍ୱରେ ରଖିପାରିବ ବୋଲି ଆଶା କରୁ ନଥିଲା । ଭାରତର ଜନ ପ୍ରତିିନିଧିଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବା ହିଁ ଏକମାତ୍ର ବିକଳ୍ପ ବୋଲି ଇଂଲଣ୍ଡର ନେତୃବର୍ଗ ଅନୁଭବ କଲେ । ସେହି ବର୍ଷ ଅଗଷ୍ଟ ମାସର ୬ ଓ ୯ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ବୋମା ନିକ୍ଷେପ କରିବାଦ୍ୱାରା ଯେଉଁଭଳି କ୍ଷୟକ୍ଷତି ହେଲା, ତାହା ମିତ୍ରଶକ୍ତିର ବିଜୟର ଦିଗକୁ ନିଶ୍ଚିତ କରିଦେଲା । ଏହି ସମୟରେ ଭାରତର ଯୋଗକୁ ବ୍ରିଟେନରେ ଶ୍ରମିକ ଦଳ ନିର୍ବାଚନରେ ଜୟଯୁକ୍ତ ହେଲେ । ଦଳର ନେତା ଭାବରେ କ୍ଲିମେଣ୍ଟ ଅଟଲୀ ସରକାର ଗଠନ କଲେ । ଅଟଲୀ ଓ ତାଙ୍କ ଦଳ ଚିରାଚରିତ ଭାବେ ଭାରତର ଦାବି ପ୍ରତି ଅପେକ୍ଷାକୃତ ଅଧିକ ସହାନୁଭୂତିଶୀଳ ଥିଲେ । ଏବେ କ୍ଷମତା ତାଙ୍କ ହାତକୁ ଆସିବା ପରେ ଭାରତରେ କ୍ଷମତା ହସ୍ତାନ୍ତରପାଇଁ ପ୍ରସ୍ତୁତି ଚାଲିଲା ।

ଏହି ପ୍ରସ୍ତୁତିର ଏକ ଦିଗ ଭାବରେ ୧୯୪୬ରେ ରାଜ୍ୟମାନଙ୍କରେ ବିଧାନସଭାପାଇଁ ନିର୍ବାଚନ ହେଲା ଏବଂ କେନ୍ଦ୍ରରେ ଅନ୍ତରୀଣ ସରକାର (Interim Government) ଗଠିତ ହେଲା । ଓଡ଼ିଶାରେ ୧୯୪୬ ଏପ୍ରିଲ୍‍ରେ ବିଧାନସଭାପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ମୋଟ ୬୦ଟି ଆସନରୁ କଂଗ୍ରେସ ପ୍ରାର୍ଥୀ ୪୭ଟି ଆସନରେ, ମୁସଲିମ୍‍ ଲିଗ୍‍ ୪ଟି ଆସନରେ, କମ୍ୟୁନିଷ୍ଟ ଗୋଟାଏ ଆସନରେ ଏବଂ ସ୍ୱାଧୀନ ସଭ୍ୟ ୪ଟି ଆସନରେ ଜୟଯୁକ୍ତ ହେଲେ । ଏମାନଙ୍କ ବ୍ୟତୀତ ୪ଜଣ ସଭ୍ୟ ବିଧାନସଭାକୁ ମନୋନୀତ ହୋଇ ଯାଇଥିଲେ । ସେମାନଙ୍କ ମନୋନୟ ବେଳେ ସଂଖ୍ୟାଗରିଷ୍ଠ ଦଳ ଭାବରେ କଂଗ୍ରେସର ମତ ନିଆଯାଇଥିଲା । କଂଗ୍ରେସର ଏହି ଅଭୂତପୂର୍ବ ନିର୍ବାଚନୀ ସଫଳତାଠାରୁ ମଧ୍ୟ ଅଧିକ ଚମକପ୍ରଦ ଥିଲା ପୂର୍ବରୁ ସରକାର ଗଢ଼ିଥିବା ମିଳିତ ମନ୍ତ୍ରିମଣ୍ଡଳର ମୁଖ୍ୟ ଦଳ ମିଳିତ ଜାତୀୟ ଦଳ (United National Party) ଓ ଓଡ଼ିଶା ପ୍ରଜା ଦଳ(Orissa Peoples' Party) ର ଦାରୁଣ ପରାଜୟ । ଉଭୟ ଦଳକୁ ନିର୍ବାଚନରେ ଗୋଟାଏ ସୁଦ୍ଧା ଆସନ ମିଳିଲା ନାହିଁ ।   ୧୯୪୬ ଏପ୍ରିଲ୍‍ ୨୩ ତାରିଖରେ ହରେକୃଷ୍ଣ ମହତାବଙ୍କ ପ୍ରଧାନମନ୍ତ୍ରିତ୍ୱରେ କଂଗ୍ରେସ ଦ୍ୱିତୀୟଥର ଲାଗି ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ କଲା । ଏହି ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲେ ମୋଟ ୪ ଜଣ ମନ୍ତ୍ରୀ ରହିଥିଲେ । ସେମାନେ ହେଲେ ନବକୃଷ୍ଣ ଚୌଧୁରୀ, ଲିଙ୍ଗରାଜ ମିଶ୍ର, ନିତ୍ୟାନନ୍ଦ କାନୁନ୍‌ଗୋ ଏବଂ କୋରାପୁଟର କଂଗ୍ରେସ ନେତା ରାଧାକୃଷ୍ଣ ବିଶ୍ୱାସରାୟ । ଏମାନେ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମରେ ଭାଗନେଇ ବାରମ୍ୱାର ଜେଲ ଦଣ୍ଡ ଭୋଗିଥିଲେ । ବିଧାନସଭାର ବାଚସ୍ପତି ହେଲେ କଂଗ୍ରେସର ଲାଲମୋହନ ପଟ୍ଟନାୟକ ଓ ଉପବାଚସ୍ପତି ହେଲେ ଏ. ଲକ୍ଷ୍ମୀବାଈ । ପ୍ରଧାନମନ୍ତ୍ରୀ ମହତାବ ନିଜ ହାତରେ ଗୃହ ବିଭାଗ, ଅର୍ଥ ବିଭାଗ, ଯୋଜନା ଓ ନିର୍ମାଣ ବିଭାଗ ରଖିଥିଲେ । ଜଣେ ସମାଜବାଦୀ ନେତା ଭାବରେ ବହୁ ପରିଚିତ ନବକୃଷ୍ଣ ଚୌଧୁରୀଙ୍କ ଦାୟିତ୍ୱରେ ରାଜସ୍ୱ, ଯୋଗାଣ ଓ ପରିବହନ ବିଭାଗ ରହିଲା । 'ସମାଜ' ପତ୍ରିକାର ସଂପାଦକ ଦାୟିତ୍ୱରେ ରହିଥିବା ତଥା ସତ୍ୟବାଦୀ ଗୋଷ୍ଠୀର ଅଂଗ ହୋଇଥିବା ଲିଙ୍ଗରାଜ ମିଶ୍ର ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାୟତ୍ତ ଶାସନ ବିଭାଗ ଦାୟିତ୍ୱରେ ଥିଲେ ଏବଂ ନିତ୍ୟାନନ୍ଦ କାନୁନ୍‌ଗୋ ଆଇନ ବିଭାଗ ଦାୟିତ୍ୱରେ ଥିଲେ । ରାଧାକୃଷ୍ଣ ବିଶ୍ୱାସରାୟଙ୍କୁ ପୂର୍ତ୍ତ ବିଭାଗ, ବାଣିଜ୍ୟ ବିଭାଗ ଓ ଶ୍ରମ ବିଭାଗର ଦାୟିତ୍ୱ ଦିଆଯାଇ ଥିଲା । ମହତାବ ମନ୍ତ୍ରିମଣ୍ଡଳରେ ଜଣେ ମୁସଲିମ ସଦସ୍ୟଙ୍କୁ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ । ସାଂପ୍ରଦାୟିକ ସଦ୍‍ଭାବ ରକ୍ଷା ନିମନ୍ତେ ଏହାର ଆବଶ୍ୟକତା ମଧ୍ୟ ଥିଲା । କଟକରେ ସୟଦ ବରକତୁଲ୍ଲାଙ୍କ ନେତୃତ୍ୱରେ ମୁସ୍‍ଲିମ୍‍ ଲିଗ୍‍ରୁ ବାହାରି ଆସି ଏକ ଗୋଷ୍ଠୀ କଂଗ୍ରେସର କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲା, ଯାହାର ଅର୍ଥ ହେଲା ଦେଶର ବିଭାଜନକୁ ବିରୋଧ କରିବା । ମାତ୍ର ନାନା କାରଣରୁ ଜଣେ ମୁସଲିମ ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଇ ପାରିଲା ନାହିଁ । ଏସବୁ ସତ୍ତ୍ୱେ ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ଡଳ ସଚ୍ଚା ଦେଶପ୍ରେମୀଙ୍କର ଗୋଷ୍ଠୀ ବୋଲି ଲୌକିକ ସ୍ତରରେ ସ୍ୱୀକୃତି ପାଇଲା । ମନ୍ତ୍ରିମଣ୍ଡଳ ଗଠନ ବେଳେ ଓଡ଼ିଶାର ରାଜ୍ୟପାଳ ଥିଲେ ଚନ୍ଦୁଲାଲ ମାଧବଲାଲ ଦ୍ୱିବେଦୀ । ଜଣେ ଦକ୍ଷ ସେନା ପ୍ରଶାସକ ଓ ଶୃଙ୍ଖଳାପସନ୍ଦ ବ୍ୟକ୍ତି ଭାବରେ ତାଙ୍କର ଖ୍ୟାତି ଥିଲା । ମନ୍ତ୍ରିମଣ୍ଡଳ ଗଠନରେ ସେ କୌଣସି ହସ୍ତକ୍ଷେପ ନ କରି ଏକ ନୂଆ ପରଂପରା ସୃଷ୍ଟି କଲେ, ଯାହା ପରେ ମଧ୍ୟ ଅତୁଟ ରହିଲା ।   କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଠନ କଲା ପରେ ପ୍ରଥମେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ନିର୍ଦେଶ ଦେଲା । ଏହା ଫଳରେ ଅଗଷ୍ଟ ଆନ୍ଦୋଳନ ସମୟରେ ଜେଲ ଦଣ୍ଡ ପାଇଥିବା ଅନେକ ଆନ୍ଦୋଳନକାରୀ ଜେଲରୁ ଛାଡ଼ ପାଇଲେ । ଏଥିପାଇଁ ଶାସନ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଥିବା ଇଂରେଜ ସରକାର ପକ୍ଷରୁ ବିଶେଷ ପ୍ରତିବନ୍ଧକ ସୃଷ୍ଟି ହୋଇ ନଥିଲା । ଓଡ଼ିଶାପାଇଁ ଏକ ନୂତନ ରାଜଧାନୀ ନିର୍ମାଣକୁ ନେଇ ଏହି ସମୟରେ ନିଷ୍ପତ୍ତି ନିଆଗଲା । ଏଥିପାଇଁ ଚାରୋଟି ସ୍ଥାନ କଥା ପ୍ରସ୍ତାବକୁ ଆସିଲା । ସେଗୁଡ଼ିକ ହେଲେ: କଟକ ନିକଟସ୍ଥ ଚୌଦ୍ୱାର, ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା, ଭୁବନେଶ୍ୱର ଓ ମଞ୍ଚେଶ୍ୱର । ରାଜ୍ୟରେ ପୂର୍ବରୁ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିବା ସାର ଜନ୍‍ ଅଷ୍ଟିନ୍ ହବାକ୍‍ଙ୍କ ନେତୃତ୍ୱରେ ସ୍ଥାନ ମନୋନୟପାଇଁ ଏକ କମିଟି ଗଠିତ ହେଲା । କମିଟି ଭୁବନେଶ୍ୱରକୁ ପ୍ରସ୍ତାବ ଦେଲେ । ମହତାବ ମଧ୍ୟ ଭୁବନେଶ୍ୱରକୁ ମନୋନୟକଲେ । ଭୁବନେଶ୍ୱରର ଐତିହାସିକ ଭିତ୍ତିଭୂମି, ପରିବେଶ ଓ ପାଣିପାଗ ତଥା ନିର୍ମାଣ ସାମଗ୍ରୀର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ମତ ଦେଲେ । କଂଗ୍ରେସ ଭିତରେ ଏବଂ ବାହାରେ ଗୋଟାଏ ଗୋଷ୍ଠୀ ରଂଗେଇଲୁଣ୍ଡାପାଇଁ ଯୁକ୍ତି ବାଢ଼ିଲେ । ଏହାଦ୍ୱାରା ଦକ୍ଷିଣ ଓଡ଼ିଶାର ବିକାଶ ହୋଇପାରିବ ବୋଲି ସେମାନେ ତର୍କ ଦେଲେ । ରାଜଧାନୀପାଇଁ ସ୍ଥାନ ଚିହ୍ନଟ ପ୍ରଶ୍ନକୁ ନେଇ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ ବିବାଦ ଓ ଆଞ୍ଚଳିକ ମନୋଭାବ ସୁସ୍ପଷ୍ଟ ହେଲା । ଶେଷରେ ୩୦ ସେପ୍ଟେମ୍ୱର ୧୯୪୬ରେ ବିଧାନସଭାରେ ଭୁବନେଶ୍ୱର ନିମିତ୍ତ ପ୍ରସ୍ତାବ ପାସ୍‍ ହେଲା । କଟକରୁ ୧୦ ଅକ୍ଟୋବର ୧୯୪୯ରେ ରାଜଧାନୀ ଭୁବନେଶ୍ୱରକୁ ସ୍ଥାନାନ୍ତର ହେଲା ।

ଅସ୍ପୃଶ୍ୟତା, ନିଶା ନିବାରଣ, ମୌଳିକ ଶିକ୍ଷା ଓ ଭୂସଂସ୍କାର ଦିଗରେ ମଧ୍ୟ ମହତାବ ସରକାର କେତୋଟି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ସେତେବେଳେ ହରିଜନ କୁହାଯାଉଥିବା 'ଅସ୍ପୃଶ୍ୟ' ଦଳିତମାନଙ୍କୁ ମନ୍ଦିରପ୍ରବେଶରୁ ନିବାରଣ କରାଯାଇ ପାରିବ ନାହିଁ ବୋଲି ପ୍ରସ୍ତାବ ବିଧାନସଭାରେ ପାଶ୍‍ ହେଲା । ଏହା ସତ୍ତ୍ୱେ ଯଦିଓ ଆଜି ପର୍ଯ୍ୟନ୍ତ ଅବାଧରେ 'ଅସ୍ପୃଶ୍ୟ' ଦଳିତମାନଙ୍କୁ ମନ୍ଦିର ପ୍ରବେଶନିମନ୍ତେ ସମାଜ ବ୍ୟବସ୍ଥା ସ୍ୱାଗତ କରିନାହିଁ, ଅସ୍ପୃଶ୍ୟତା ନିବାରଣ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିଶା ନିବାରଣପାଇଁ ପରୀକ୍ଷାମୂଳକ ଭାବେ କଟକ ଜିଲ୍ଲାର ୧୬ଟି ଥାନାରେ ଦେଶୀ ଓ ବିଦେଶୀ ମଦର ପ୍ରସାରକୁ ଏପ୍ରିଲ୍‍ ୧୯୪୭ରେ ନିଷେଧ କରାଗଲା । ମାତ୍ର ସରକାରୀ ନିଷେଧାଜ୍ଞା ସତ୍ତ୍ୱେ ସଂପୂର୍ଣ୍ଣ ନିଶା ନିବାରଣ ସଂଭବ ହୋଇ ପାରିଲା ନାହିଁ । ଲୋକେ ଚୋରାରେ ମଦ କାରବାର କଲେ ଏବଂ ନିଷେଧାଜ୍ଞା ଆଳରେ ର୍ଦୁନୀତି ମଧ୍ୟ ବୃଦ୍ଧିପାଇଲା । ଅନ୍ୟ ପକ୍ଷରେ ଅବକାରୀରୁ ଆଦାୟ ହେବାକୁ ଥିବା ରାଜସ୍ୱ ଊଣା ହେଲା । କଂଗ୍ରେସ ଦଳ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ବୃଦ୍ଧିପାଇଲା । ମନ୍ତ୍ରିମଣ୍ଡଳରେ ଥିବା ନେତା ନିଶାନିବାରଣକୁ ନେଇ ସରକାରର ଅସହାୟତା ପ୍ରଦର୍ଶନକଲାବେଳେ, ଗାନ୍ଧିବାଦୀ ଗୋଷ୍ଠୀ ଏହା ସରକାରର ଅପାରଗତା ବୋଲି ସମାଲୋଚନା କଲେ । ପ୍ରକୃତରେ ଅସ୍ପୃଶ୍ୟତା ଓ ନିଶା ନିବାରଣ ପ୍ରଶ୍ନ ଏକ ସାମାଜିକ ଆନ୍ଦୋଳନ । ତାକୁ ଆଇନ ବଳରେ ନିୟନ୍ତ୍ରଣ କରାଯିବ ବୋଲି ଚିନ୍ତା କରିବା ଏକ କଳ୍ପନାବିଳାସ ମାତ୍ର । ମନ୍ତ୍ରିମଣ୍ଡଳର ଦାୟିତ୍ୱ ନେବା ପରେ କଂଗ୍ରେସ ଲୋକ ଏହାକୁ ହୃଦୟଙ୍ଗମ କରିପାରିଲେ ।   ଗାନ୍ଧିବାଦୀ ଆଦର୍ଶରେ ମୌଳିକ ଶିକ୍ଷାର ବିକାଶପାଇଁ ମୌଳିକ ଶିକ୍ଷା ବୋର୍ଡ଼ ସ୍ଥାପନ କରିବାକୁ ଉଦ୍ୟମ ହେଲା । ଅନୁଗୁଳ ଓ ଭଂଜନଗରରେ ଏଥିପାଇଁ ଦୁଇଟି ପ୍ରଶିକ୍ଷଣ ସ୍କୁଲ୍‍ ମଧ୍ୟ ସ୍ଥାପନ କରାଗଲା । ରାଜ୍ୟରେ ଅନେକ ବେସିକ୍‍ ସ୍କୁଲ୍‍ ମଧ୍ୟ ଆରମ୍ଭ ହେଲା । ତହିଁରେ ସୂତାକଟା, ଖଦିବୁଣା, ବଗିଚାକାମ ଆଦି ହସ୍ତଶିଳ୍ପର ପ୍ରଶିକ୍ଷଣ ଉପରେ ମହତ୍ତ୍ୱ ଦିଆଗଲା । ମାତ୍ର ପରବର୍ତ୍ତୀ ସମୟରେ ଏହାର ଅସଫଳତାଯୋଗୁଁ ଯୋଜନାକୁ ବନ୍ଦ କରି ଦିଆଗଲା ।

ଜମିଦାରୀ ପ୍ରଥା ଉଚ୍ଛେଦପାଇଁ ୧୯୩୦ ଦଶକରେ କଂଗ୍ରେସ ଦଳ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା । ବିଶେଷକରି ସମାଜବାଦୀ ଓ କମ୍ୟୁନିଷ୍ଟ ଗୋଷ୍ଠୀର ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ପ୍ରାଣନାଥ ପଟ୍ଟନାୟକ ଆଦିଙ୍କ ନେତୃତ୍ୱରେ ଏଥିପାଇଁ ଆନ୍ଦୋଳନ ହୋଇଥିଲା । ଅଗଷ୍ଟ ବିପ୍ଳବରେ ସାଧାରଣ ପ୍ରଜା ବଢ଼ିଚଢ଼ି ସକ୍ରିୟ ହେବା ପଛରେ ରାଜା ଜମିଦାରଙ୍କ ଅତ୍ୟାଚାର ଊଣା ହେବାର ଆଶା ରହିଥିଲା । ମହତାବଙ୍କ ମନ୍ତ୍ରିମଣ୍ଡଳରେ ନବକୃଷ୍ଣ ଚୌଧୁରୀ ରାଜସ୍ୱ ମନ୍ତ୍ରୀ ହେବା ପରେ ବାମପନ୍ଥୀ ଗୋଷ୍ଠୀ ଓ ସାଧାରଣ ପ୍ରଜାର ଆଶା ଅନେକ ପରିମାଣରେ ବୃଦ୍ଧି ପାଇଥିଲା । ମନ୍ତ୍ରିମଣ୍ଡଳ ଖାତକ ପ୍ରଜା ଉପରେ ଜମିଦାରଙ୍କ ଋଣଭାର ଊଣା କରିବାକୁ ୧୯୪୭ରେ 'ଗଞ୍ଜାମ ସ୍ମଲ୍‍ ହୋଲଡର୍ସ ରିଲିଫ୍‍ ଏକ୍ଟ' (ଗଞ୍ଜାମ କ୍ଷୁଦ୍ରଚାଷୀ ରିଲିଫ୍‍ ଆଇନ) ପାସ କଲେ । ଜମିଦାରମାନଙ୍କ ସହିତ ଆଲୋଚନା କରି ସରକାର ସୁଧ ପରିମାଣ ପୂର୍ବ ତୁଳନାରେ ଏକ ତୃତୀୟାଂଶ ଊଣା ହେବ ବୋଲି ମଧ୍ୟ ଘୋଷଣା କଲେ । ମାତ୍ର କାର୍ଯ୍ୟତଃ ଏହା ଦେଖିବାକୁ ମିଳିଲା ନାହିଁ । ପରିଣାମ ସ୍ୱରୂପ ୧୯୪୭ରେ କମ୍ୟୁନିଷ୍ଟମାନଙ୍କ ନେତୃତ୍ୱରେ ପୁରୀର ମାଳିପଡ଼ା, କାକଟପୁର ଓ ମୀନାପୁର ଆଦି କେତେକ ସ୍ଥାନରେ ରୟତ ଆନ୍ଦୋଳନ ଆରମ୍ଭ ହେଲା । ରୟତମାନେ ଜମିଦାରମାନଙ୍କ ନାମରେ ଥିବା ଚାଷ ଜମିକୁ ବଳପୂର୍ବକ ଅଧିକାର କରିବାକୁ ଉଦ୍ୟମ କଲେ । କଂଗ୍ରେସ ସରକାର ରୟତମାନଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ କରି ନିଜର ସମାଲୋଚକମାନଙ୍କ ମୁହଁ ଟାଣ କଲେ । ଏହା ପ୍ରକାରାନ୍ତରେ ଜମିଦାରମାନଙ୍କୁ ସୁରକ୍ଷା ପ୍ରଦାନ କଲା ।

ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳର କାର୍ଯ୍ୟକାଳକୁ ଏକ ନିର୍ମାଣ ଯୁଗ ମଧ୍ୟ କୁହାଯାଇ ପାରିବ । ଆଧୁିନିକ ଶିଳ୍ପୋଦ୍ୟୋଗର ବିକାଶ ନିମନ୍ତେ ଏହି ସମୟରେ ଚୌଦ୍ୱାରରେ ଓଡ଼ିଶା ଟେକ୍ସଟାଇଲ୍‍ ମିଲ୍‍ ଓ କଳିଙ୍ଗ ଟ୍ୟୁବ୍‍ସର ଶୁଭାରମ୍ଭ ହୋଇଥିଲା । ତରୁଣ ଶିଳ୍ପୋଦ୍ୟୋଗୀ ବିଜୁ ପଟ୍ଟନାୟକଙ୍କର ଏହି ପ୍ରକଳ୍ପ ସ୍ଥାପନରେ ଅନେକ ସହଯୋଗ ରହିଥିଲା । ଜଣେ ବୈମାନିକ ଭାବରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏବଂ ତା' ପରେ ମଧ୍ୟ ଅଦମ୍ୟ ସାହସର ପରିଚୟ ଦେଇ ସ୍ୱାଧୀନତା ସଂଗ୍ରାମକୁ ସହଯୋଗ କରିଥିଲେ । ପରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଏବଂ ଶିଳ୍ପ ବିକାଶପାଇଁ ଆହୁରି ଅନେକ ପଦକ୍ଷେପ ନେଲେ । ୧୯୪୬-୫୦ ମଧ୍ୟରେ 'ଦ ଓଡ଼ିଶା ମାଇନିଂ କର୍ପୋରେସନ', ଶିଳ୍ପପତି ଟାଟାଙ୍କ ସହଯୋଗରେ 'ଦ ବେଲପାହାଡ଼ ରିଫେକ୍ଟରିଜ୍‍, ରାୟଗଡ଼ା ଓ ଯୋଡ଼ାରେ 'ଦ ଫେରୋ-ମାଙ୍ଗାନିଜ ପ୍ଲାଣ୍ଟ', ବଡ଼ବିଲ୍‍ରେ 'ଦ କଳିଙ୍ଗ ଆଇରନ ୱାର୍କ୍ସ' ଏବଂ ହୀରାକୁଦରେ 'ଦ ହୀରାକୁଦ ଆଲୁମିନିୟମ୍‍ ପ୍ଲାଣ୍ଟ' ଆଦି ସ୍ଥାପିତ ହୋଇଥିଲା । କେତେକ ଉଦ୍ୟୋଗର ନିର୍ମାଣକାର୍ଯ୍ୟ ମଧ୍ୟ ୧୯୫୦ ପୂର୍ବରୁ ଶେଷ ହେଲା, ଯାହା ମନ୍ତ୍ରିମଣ୍ଡଳର ଉପଲବ୍ଧି ଭାବେ ଗଣା ହେବ । କଟକରେ ଉଚ୍ଚନ୍ୟାୟାଳୟ, ବାରବାଟୀ ଷ୍ଟାଡ଼ିୟମ୍‍ ଓ ଅଲ୍‍ ଇଣ୍ଡିଆ ରେଡ଼ିଓ ଷ୍ଟେସନର ସ୍ଥାପନ ମଧ୍ୟ ଏହି ସମୟର ଉପଲବ୍ଧି ।   ହୀରାକୁଦ ବନ୍ଧ ଓ ଦକ୍ଷିଣ ଓଡ଼ିଶାରେ ମାଛକୁଣ୍ଡ-ଡୁଡ଼ୁମା ଜଳପ୍ରକଳ୍ପ ଥିଲା ମହତାବଙ୍କ ମନ୍ତ୍ରିମଣ୍ଡଳର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରକଳ୍ପକୁ ନେଇ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଥିଲା । ୧୯୪୫ ମସିହାରେ ମହାନଦୀ ଉପରେ ହୀରାକୁଦଠାରେ ନଦୀବନ୍ଧ ନିର୍ମାଣପାଇଁ ଶିଳାନ୍ୟାସ ଦିଆଯାଇଥିଲା । ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାଲାଗି ମହତାବଙ୍କ ସରକାର ଉଦ୍ୟମ କଲେ । ଏହି ବହୁମୁଖୀ ନଦୀବନ୍ଧ ଯୋଜନାଦ୍ୱାରା ବନ୍ୟା ନିୟନ୍ତ୍ରଣ, ବିଜୁଳି ଶକ୍ତି ଉତ୍ପାଦନ ଏବଂ ସଂବଲପୁର ଓ ବଲାଙ୍ଗୀର ଅଞ୍ଚଳରେ ବ୍ୟାପକ ଜଳସେଚନ ହେବାର ଯୋଜନା ରହିଲା । ମାତ୍ର ନଦୀବନ୍ଧ ବିରୋଧରେ ପଶ୍ଚିମ ଓଡ଼ିଶାରେ ଏବଂ ବିଶେଷକରି ସମ୍ୱଲପୁରରେ ଏକ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ ହେଲା । ଆନ୍ଦୋଳନରେ କଂଗ୍ରେସର ତୁଙ୍ଗ ନେତା ଲକ୍ଷ୍ମୀନାରାୟଣ ମିଶ୍ର, ବୋଧରାମ ଦୁବେ ଆଦି ସକ୍ରିୟ ଭାବେ ଅଂଶଗ୍ରହଣ କଲେ । ଆନ୍ଦୋଳନକୁ ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ମଧ୍ୟ ସମର୍ଥନ ଦେଲେ । ସେହି ଆଳରେ ଓଡ଼ିଶାର ପଶ୍ଚିମାଞ୍ଚଳକୁ ନେଇ ଏକ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ କରିବାପାଇଁ ଦାବି ଉଠିଲା । ରାଜାବିରୋଧୀ ଗୋଷ୍ଠୀ ଅଭିଯୋଗ କଲେ ଯେ, ନିଜର ବ୍ୟକ୍ତିଗତ ଓ ରାଜ କର୍ତ୍ତୃତ୍ୱ ବଜାୟ ରଖିବାଲାଗି ପାଟଣା ରାଜା ଓଡ଼ିଶାକୁ ଭାଗ କରିବାକୁ ଉଦ୍ୟମ କରୁଛନ୍ତି ଏବଂ ତା'ପାଇଁ ହୀରାକୁଦ ବନ୍ଧବିରୋଧୀ ଆନ୍ଦୋଳନକୁ ସମର୍ଥନ ଦେଉଛନ୍ତି ।

ଆନ୍ଦୋଳନ ପଛରେ ଏକ ପ୍ରମୁଖ କାରଣ ହେଲା ବିସ୍ଥାପନ । ହୀରାକୁଦ ବନ୍ଧଯୋଗୁଁ ହଜାର ହଜାର ଚାଷୀଙ୍କର ଜମି ଜଳମଗ୍ନ ହେଲା । ପ୍ରାୟ ୩୦୦ ଗାଁ ମଧ୍ୟ ବୁଡ଼ିଗଲା । ଭିଟାମାଟି ହରାଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିଲା ନାହିଁ । ତେଣୁ ଲୋକଙ୍କର ବିରୋଧ ବୃଦ୍ଧି ପାଇଲା । ଦ୍ୱିତୀୟତଃ ମହାନଦୀରେ ବନ୍ୟାଯୋଗୁଁ ସାଧାରଣତଃ ଉପକୂଳ ଅଞ୍ଚଳ କ୍ଷତିଗ୍ରସ୍ତ ହେଉଥିଲା । ତେଣୁ ଉପକୂଳର ବନ୍ୟା ସୁରକ୍ଷାଲାଗି ପଶ୍ଚିମ ଓଡ଼ିଶାର ଲୋକେ କାହିଁକି ବାସ୍ତୁହରା ହେବେ ବୋଲି ଆଞ୍ଚଳିକ ବିଦ୍ୱେଷ ସୃଷ୍ଟି ହେଲା । ଏହା ଛଡ଼ା ଜଳ ବିଦ୍ୟୁତ୍‍ ଉତ୍ପାଦନ ପ୍ରକଳ୍ପ ସହ ଲୋକଙ୍କ ପ୍ରତ୍ୟକ୍ଷ ଅନୁଭୂତି ନଥିଲା । ତେଣୁ ଏ ନେଇ ସୃଷ୍ଟି ହେଉଥିବା ଗୁଜବକୁ ଲୋକେ ବିଶ୍ୱାସ କଲେ । ଗୁଜବ ଅନୁଯାୟୀ ବିଜୁଳି ଉତ୍ପାଦନ ହେବା ଫଳରେ ପାଣିରୁ ସାର ଅଂଶ ଲୋପ ହେବ ଓ ଉକ୍ତ ପାଣି ଜଳ ସେଚନନିମିତ୍ତ ଉପଯୋଗୀ ହେବ ନାହିଁ । ଆନ୍ଦୋଳନ ଏତେ ତୀବ୍ର ଆକାର ଧାରଣ କଲା ଯେ, ୧୯୫୧- ୫୨ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ପଡ଼ିଲା । ଏସବୁ ବିରୋଧ ସତ୍ତ୍ୱେ ୧୯୪୭ ଅଗଷ୍ଟ ମାସରେ ବିଧାନସଭାରେ ହୀରାକୁଦ ବନ୍ଧ ସଂପୂର୍ଣ୍ଣ କରିବାକୁ ପ୍ରସ୍ତାବ ପାସ ହେଲା ଏବଂ ୧୯୫୬ରେ ବନ୍ଧ ନିର୍ମାଣ ଶେଷ ହେଲା । ଏହାକୁ ଉଦ୍‍ଘାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ଜବାହରଲାଲ୍‍ ନେହରୁ ହୀରାକୁଦ ଆସିଥିଲେ ।   ୧୯୪୬ ଜାନୁଆରି ମାସରେ ମହତାବ ମନ୍ତ୍ରିମଣ୍ଡଳର ଗଠନ ପୂର୍ବରୁ ଓଡ଼ିଶା ସରକାର ଓ ମାଡ଼୍ରାସ୍‍ ସରକାର (ସେତେବେଳେ ଆନ୍ଧ୍ରପ୍ରଦେଶ ଗଠିତ ହୋଇ ନଥିଲା) ମଧ୍ୟରେ ମାଛକୁଣ୍ଡ- ଡୁଡୁମା ଜଳ ପ୍ରକଳ୍ପକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ତା' ଅନୁଯାୟୀ କୋରାପୁଟର କୋଲାବ ନଦୀ ଉପରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ବ୍ୟୟ ଓ ଉତ୍ପାଦିତ ଜଳ ବିଦ୍ୟୁତ୍‍କୁ ଉଭୟ ରାଜ୍ୟ ୭୦:୩୦ (ମାଡ୍ରାସ୍‍ ୭୦ ଭାଗ ଓ ଓଡ଼ିଶା ୩୦ ଭାଗ) ଅନୁପାତରେ ଭାଗ କରିନେବେ । ମହତାବ ମନ୍ତ୍ରିମଣ୍ଡଳ ଗଠିତ ହେବା ପରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଆଦି ନେତୃବୃନ୍ଦ ଯେଉଁମାନେ କଂଗ୍ରେସର ସୋସିଆଲିଷ୍ଟ ଗୋଷ୍ଠୀ ଗଠନ କରିଥିଲେ, ଏହି ଚୁକ୍ତିନାମାକୁ ତୀବ୍ର ବିରୋଧ କଲେ । ଚୁକ୍ତିନାମାକୁ ସମର୍ଥନ କରୁଥିବାରୁ ସେମାନେ ମହତାବ ସରକାରଙ୍କୁ ଅନେକ ସମାଲୋଚନା କଲେ । ସରକାରଙ୍କ ମତ ଥିଲା ଯେ, ପ୍ରକଳ୍ପ ନିର୍ମାଣପାଇଁ ଓଡ଼ିଶା ଏତେ ପରିମାଣର ବ୍ୟୟବରାଦ କରିପାରିବ ନାହିଁ । ଦ୍ୱିତୀୟତଃ ସେଠାରେ ଉତ୍ପାଦିତ ହେବାକୁ ଥିବା ଜଳବିଦ୍ୟୁତ୍‍କୁ ବ୍ୟବହାର କରିବା ନିମିତ୍ତ ଓଡ଼ିଶାରେ ଆବଶ୍ୟକୀୟ ଆଧୁନିକ ଶିଳ୍ପ ଉଦ୍ୟୋଗ ନାହିଁ । ଏ ନେଇ ୧୯୪୬ ସେପ୍ଟେମ୍ୱରରେ ବିଧାନସଭାରେ ଆଲୋଚନା ହେଲା ଓ ମହତାବ ଚୁକ୍ତିନାମାର ସମର୍ଥନ କଲେ । ମହତାବଙ୍କ ଯୁକ୍ତି ଯଦିଓ ମୁତଫରକା ନଥିଲା, ତାଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛି ବୋଲି ମାଛକୁଣ୍ଡ ଯୋଜନା ପରେ ଅପବାଦ ରଟିଲା । ପ୍ରକଳ୍ପଯୋଗୁଁ ମାଛକୁଣ୍ଡର ଦକ୍ଷିଣକୁ ଥିବା ଅଞ୍ଚଳ ମାଡ଼୍ରାସ୍‍ ଅଧୀନକୁ ଚାଲିଯିବ ବୋଲି ଆଶଙ୍କା ସୃଷ୍ଟି ହେଲା ।

ମୋଟ କଥା ହେଲା ଯେ, ମହତାବ ମନ୍ତ୍ରିମଣ୍ଡଳ ୨୩ ଏପ୍ରିଲ୍‍ ୧୯୪୬ରେ ଗଠିତ ହେଲା ପରେ ପ୍ରାୟ ବର୍ଷେ ଚାରି ମାସ କାଳ ଇଂରେଜର ଶାସନ ରହିଥିଲା । ତେଣୁ ମହତାବ ମନ୍ତ୍ରିମଣ୍ଡଳକୁ ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତ ହୋଇ ନଥିଲା । ମନ୍ତ୍ରିମଣ୍ଡଳର ଅନେକ କାର୍ଯ୍ୟ ଉପରେ ଇଂରେଜ ସରକାରର କର୍ତ୍ତୃତ୍ୱ ଶେଷ ହୋଇ ନଥିଲା । ତେଣୁ ମନ୍ତ୍ରିମଣ୍ଡଳକୁ ସରକାରର ଊର୍ଦ୍ଧ୍ୱରେ ବୋଲି ବିଚାର କରିବା ଉଚିତ ହେବ ନାହିଁ । ମାତ୍ର, କଂଗ୍ରେସ ଦଳ ମଧ୍ୟରେ ଥିବା ପ୍ରଗତିଶୀଳ ଗୋଷ୍ଠୀ, ଯାହାକୁ ତରୁଣ ତୁର୍କ ବୋଲି କୁହାଯାଉଥିଲା, ଏହାକୁ ବୁଝି ପାରୁ ନଥିଲେ ଏବଂ ମନ୍ତ୍ରିମଣ୍ଡଳର ସମାଲୋଚନା କରୁଥିଲେ । ବିଶେଷକରି ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ ଏହି ଗୋଷ୍ଠୀର ନେତୃତ୍ୱ ନେଉଥିଲେ । ମନ୍ତ୍ରିମଣ୍ଡଳରେ ଯୋଗଦେବା ପରେ ମଧ୍ୟ ନବକୃଷ୍ଣ ଚୌଧୁରୀ ଅନେକ ସମୟରେ ସରକାରଙ୍କୁ ସମାଲୋଚନା କରିବାରୁ ବିରତ ହେଉ ନଥିଲେ । ତରୁଣ ତୁର୍କ ଗୋଷ୍ଠୀ ବ୍ୟତୀତ ଆହୁରି ଅନେକ ବର୍ଗ ମଧ୍ୟ ମହତାବ ମନ୍ତ୍ରିମଣ୍ଡଳଠାରୁ ରାଜ୍ୟପାଇଁ ଅଧିକ ଆଶା କରିବାକୁ ଲାଗିଲେ । ସେମାନେ ମନ୍ତ୍ରିମଣ୍ଡଳକୁ ସମାଲୋଚନା କଲାବେଳେ ଆବଶ୍ୟକ ମତେ ବ୍ୟାବହାରିକ ମନୋଭାବ ପ୍ରଦର୍ଶନ କଲେ ନାହିଁ । ଏହା ସେମାନଙ୍କୁ ଅଧିକରୁ ଅଧିକ ନିରାଶ କଲା । ପରିଶେଷରେ ସେମାନେ କଂଗ୍ରେସ ଦଳ ତ୍ୟାଗ କଲେ । କଂଗ୍ରେସ ଦଳରୁ ଏଭଳି ଲୋକ ଓ ଗୋଷ୍ଠୀ ଚାଲିଯିବା ପରେ ଦଳ ତା'ର ପ୍ରକୃତ ଶକ୍ତି ହରାଇଲା । ଉଦାହରଣ ସ୍ୱରୂପ, ୧୯୪୮ରେ କଂଗ୍ରେସରୁ ବାହାରିଯାଇ ତରୁଣ ତୁର୍କ ଗୋଷ୍ଠୀର ଅନେକ ନେତା ସୋସିଆଲିଷ୍ଟ ଦଳ ଗଠନ କଲେ । ଗଡ଼ଜାତ ମିଶ୍ରଣ

  ମହତାବ ମନ୍ତ୍ରିମଣ୍ଡଳପାଇଁ ଅନ୍ୟ ଏକ ସମସ୍ୟା ଥିଲା ଗଡ଼ଜାତ ସମ୍ମିଶ୍ରଣ । ଓଡ଼ିଶାରେ ୨୬ଟି ଗଡ଼ଜାତ ରହିଥିଲେ । ସେଠାରେ ଗଣତନ୍ତ୍ର ଓ ନାଗରିକ ଅଧିକାର ଲାଗି ପ୍ରଜାମଣ୍ଡଳ ଆନ୍ଦୋଳନ ହୋଇଥିଲା । ଅଗଷ୍ଟ ବିପ୍ଳବ ସମୟରେ ମଧ୍ୟ ଗଡ଼ଜାତ ପ୍ରଜା ପୂର୍ଣ୍ଣ ପ୍ରାଣରେ ଆନ୍ଦୋଳନରେ ଭାଗ ନେଇଥିଲେ । ଇଂରେଜ ସରକାର ଦେଶରୁ ଗଲା ପରେ ଗଡ଼ଜାତଗୁଡିକ ଲୋପ ପାଇବ ଏବଂ ସମସ୍ତେ ଏକ ଗଣତାନ୍ତ୍ରିକ ଶାସନାଧୀନ ହେବେ ବୋଲି ପ୍ରଜା ଆଶା ବାନ୍ଧି ବସିଥିଲେ । ଗଡ଼ଜାତ ପ୍ରଜା ଆନ୍ଦୋଳନରେ କଂଗ୍ରେସ ନେତାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସ୍ୱୟଂ ହରେକୃଷ୍ଣ ମହତାବ ଏବଂ ନବକୃଷ୍ଣ ଚୌଧୁରୀ ଥିଲେ ଗଡ଼ଜାତ ଆନ୍ଦୋଳନ ସହ ଓତପ୍ରୋତ ଭାବେ ଜଡ଼ିତ ।

୧୯୪୬ ଏପ୍ରିଲ୍‍ରେ ମହତାବଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ଗଠିତ ହେବା ପରେ ଗଡ଼ଜାତର ମିଶ୍ରଣ ଆଶା ଉଜ୍ଜ୍ୱଳ ହେଲା । କେବିନେଟ୍‍ ମିଶନର ସଦସ୍ୟ ସାର୍‍ ଷ୍ଟାଫୋର୍ଡ଼ କ୍ରିପ୍‍ସଙ୍କୁ ଏ ସଂପର୍କରେ ମହତାବ ନିଜର ମତ ମଧ୍ୟ ୨୬ ଏପ୍ରିଲ୍‍ ୧୯୪୬ରେ ଲେଖିଥିବା ଏକ ପତ୍ରରେ ସୁସ୍ପଷ୍ଟ କରି ସାରିଥିଲେ । ଗଡ଼ଜାତର ମିଶ୍ରଣ ଓଡ଼ିଶାପାଇଁ ଏକ ଆବଶ୍ୟକତା ହୋଇ ପଡ଼ିଲା କାରଣ, ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଇଷ୍ଟର୍ଣ୍ଣ ଷ୍ଟେଟସ୍‍ ୟୁନିଅନ୍‍ (ପୂର୍ବାଞ୍ଚଳ ଗଡ଼ଜାତ ସଂଘ) ନାମରେ ଗଡ଼ଜାତଗୁଡିକ ସଂଘବଦ୍ଧ ହୋଇ ସେମାନଙ୍କୁ ଏକ ସ୍ୱତନ୍ତ୍ର ପ୍ରଦେଶର ମର୍ଯ୍ୟାଦା ଦାବି କରୁଥିଲେ । ଗଡ଼ଜାତର ରାଜାମାନେ ବର୍ତ୍ତମାନର ଛତିଶଗଡ଼ର ଦେଶୀୟ ରାଜାଙ୍କ ସହିତ ୨୧ ଓ ୨୨ ଡିସେମ୍ୱର ୧୯୪୬ରେ ଏକ ବୈଠକରେ ବସି ସଂଘର ସ୍ଥାପନା କରିଥିଲେ । ପାଟଣା ରାଜା ଆଞ୍ଚଳିକତା ଆଧାରରେ ସ୍ୱତନ୍ତ୍ର କୋଶଳ ପ୍ରଦେଶର ଦାବିକୁ ସମର୍ଥନ କରି ପ୍ରସଙ୍ଗଟିକୁ ଖୁବ୍‍ ସ୍ପର୍ଶକାତର କରିଦେଇଥିଲେ । ହୀରାକୁଦ ବନ୍ଧ ବିରୋଧୀ ଆନ୍ଦୋଳନର ଆରମ୍ଭ ପରେ ମନ୍ତ୍ରିମଣ୍ଡଳ ପାଟଣା ରାଜାଙ୍କ ଇଷ୍ଟର୍ଣ୍ଣ ୟୁନିଅନ୍‍ କଥାକୁ ଉପେକ୍ଷା କରିବାକୁ ସାହସ ମଧ୍ୟ କରି ପାରୁ ନଥିଲେ । ଅନ୍ୟ ପକ୍ଷରେ, ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃବୃନ୍ଦ ଗଡ଼ଜାତମାନଙ୍କୁ କଂଗ୍ରେସ ମନ୍ତ୍ରିମଣ୍ଡଳ ବଳପୂର୍ବକ ଓଡ଼ିଶା ସହିତ ମିଶ୍ରଣ କରୁ ନଥିବାରୁ ସରକାରର ତୀବ୍ରସମାଲୋଚନା କରୁଥିଲେ । ଏହି ପରିସ୍ଥିତିରେ ଆପୋସ କଥାବାର୍ତ୍ତା ମାଧ୍ୟମରେ ଗଡ଼ଜାତଗୁଡ଼ିକୁ ଓଡ଼ିଶାରେ ମିଶ୍ରଣପାଇଁ ମହତାବ ପ୍ରସ୍ତାବ ଦେଲେ । ଆଗରୁ ଯେମିତି ମୋଗଲବନ୍ଦି ଓ ଗଡ଼ଜାତ ଥିଲା, ସେହି ରୀତିରେ ଏକ ସାଧାରଣ ପ୍ରଶାସନ ଅଧୀନରେ ଉଭୟ ପ୍ରଦେଶ ଓ ଗଡ଼ଜାତ ରହିବ ବୋଲି ସେ ଲିଖିତ ଭାବେ ଜଣାଇଲେ । ମାତ୍ର ରାଜାମାନଙ୍କ ପକ୍ଷରୁ ଦାବି ହେଲା ଯେ ସେମାନଙ୍କୁ ସାର୍ବଭୌମ କ୍ଷମତା ଦିଆଯାଉ । ଯେହେତୁ ସ୍ୱାଧୀନତା ମିଳି ନଥାଏ, କେନ୍ଦ୍ର ଓ ରାଜ୍ୟର କଂଗ୍ରେସ ନେତୃତ୍ୱପାଇଁ ଏ ଦିଗରେ ସ୍ୱାଧୀନ ଭାବେ କୌଣସି ପଦକ୍ଷେପ ନେବା ସଂଭବ ହେଉ ନଥାଏ ।

ପ୍ରଦେଶ ସହିତ ଗଡ଼ଜାତର ମିଶ୍ରଣରେ ବିଳମ୍ୱ ଘଟୁଥିବାରୁ ସ୍ୱାଧୀନତା ପରେ ପରେ ୧୯୪୭ ଅକ୍ଟୋବର-ନଭେମ୍ୱରରେ ନୀଳଗିରିରେ ପ୍ରଜାମଣ୍ଡଳ ପକ୍ଷରୁ ଆନ୍ଦୋଳନ ପୁଣି ଆରମ୍ଭ ହେଲା । ଏହା କ୍ରମଶଃ ଅଧିକରୁ ଅଧିକ ଜଟିଳ ହୋଇପଡ଼ୁଥିବା ଗଡ଼ଜାତ ପ୍ରସଙ୍ଗକୁ ଏକରକମ ସମାଧାନ ଦେଇଗଲା । ଆନ୍ଦୋଳନର ସମାଧାନପାଇଁ ରାଜା ପ୍ରଜାମଣ୍ଡଳ ସହିତ ରାଜିନାମା ସ୍ୱାକ୍ଷର କଲେ । ତଦନୁଯାୟୀ ରାଜ୍ୟରେ ପ୍ରଜାମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧୀନରେ ସରକାର ଗଠିତ ହେଲା । ଏହା ସତ୍ତ୍ୱେ ଆନ୍ଦୋଳନ ଭୀଷଣ ରୂପ ନେବାରୁ ୧୪ ନଭେମ୍ୱରରେ ସେଠାରେ ଓଡ଼ିଶା ମିଲିଟାରୀ ପୋଲିସ ପ୍ରବେଶ କଲେ ଏବଂ ରାଜା ବିନା କୌଣସି ପ୍ରତିରୋଧରେ କ୍ଷମତା ହସ୍ତାନ୍ତର କଲେ । ଅଗଷ୍ଟ ୧୫ ତାରିଖ ୧୯୪୭ରେ ଦେଶରୁ ଇଂରେଜମାନେ ଯିବା ପରେ ଏବଂ ଦେଶ ସ୍ୱାଧୀନ ହେବା ପରେ ନୀଳଗିରି ରାଜା ପ୍ରାଦେଶିକ ହସ୍ତକ୍ଷେପକୁ ପ୍ରତିରୋଧ କରିପାରିବେ ନାହିଁ ବୋଲି ବୁଝିପାରିଲେ । ଅନ୍ୟ ପକ୍ଷରେ, ଓଡ଼ିଶା ସରକାର ଏବଂ ଭାରତ ସରକାର ଏହି ଅନୁଭୂତି ପରେ ଦୃଢ଼ ନିଶ୍ଚିତ ହେଲେ ଯେ, ସାମାନ୍ୟ ଚାପ ପ୍ରୟୋଗ କଲେ ଦେଶୀୟ ରାଜ୍ୟମାନେ ଦେଶ ସହିତ ମିଶ୍ରଣକୁ ପ୍ରତିରୋଧ କରିବେ ନାହିଁ ।   ଜବାହରଲାଲ୍‍ ନେହରୁଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାରରେ ଗୃହମନ୍ତ୍ରୀ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍ । ମହତାବଙ୍କ ପରି ସେ ମଧ୍ୟ ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହ ସମ୍ମିଶ୍ରଣପାଇଁ ବ୍ୟକ୍ତିଗତ ଭାବେ ଉଦ୍ୟମ କରୁଥିଲେ । ପ୍ରକୃତରେ ଯଦି ଦେଖାଯାଏ, ଜନମତକୁ ମହତାବ ଓ ପଟେଲ୍‍ ଭଳି ନେତୃବର୍ଗ ପ୍ରତିଫଳିତ କରୁଥିଲେ ମାତ୍ର । ୧୪ ଡିସେମ୍ୱର ୧୯୪୭ରେ ପଟେଲ୍‍ ଓଡ଼ିଶା ଆସି ଓଡ଼ିଶାର ପ୍ରଧାନମନ୍ତ୍ରୀ, କେତେକ ମହତ୍ତ୍ୱପୂର୍ଣ୍ଣ ଉଚ୍ଚ ଅଧିକାରୀ ଓ ଅନେକ ଗଡ଼ଜାତ ରାଜାଙ୍କ ସହ ବୈଠକ କଲେ ଏବଂ ମିଶ୍ରଣ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସୁସ୍ପଷ୍ଟ କଲେ । ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ଯିବା ବାଟରେ ତାଙ୍କୁ ଲୋକେ ଶହ ଶହ ସଂଖ୍ୟାରେ ଶୋଭାଯାତ୍ରା କରି ମିଶ୍ରଣପାଇଁ ଦାବି ଜଣାଇଥିଲେ । ଏଥିରେ ପ୍ରଭାବିତ ହୋଇ ସର୍ଦ୍ଦାର ପଟେଲ ମିଶ୍ରଣ ପ୍ରସ୍ତାବକୁ ଅଧିକ ଦୃଢ଼ତାର ସହିତ ଆଗତ କଲେ । ସେ କହିଥିଲେ:

"ଓଡ଼ିଶାର ଗଡ଼ଜାତରେ ଥିବା ଉଭୟ ରାଜା ଓ ପ୍ରଜାଙ୍କ ସୁରକ୍ଷା ବିପଦପୂର୍ଣ୍ଣ । ସେହି କାରଣରୁ ସାର୍ବଭୌମ ଭାରତର ପ୍ରତିିନିଧି ବା ଅନ୍ୟ କୌଣସି ବିଦେଶୀ ଶକ୍ତିର ଦୂତ ହୋଇ ନୁହେଁ, ବରଂ ମୁଁ କଟକକୁ ଆସିଛି ରାଜାମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ପରାମର୍ଶ ଦେବାପାଇଁ । ପ୍ରଜାଙ୍କ ସ୍ୱାର୍ଥରେ ତଥା ନିଜ ବ୍ୟକ୍ତିଗତ ସ୍ୱାର୍ଥରେ ସେମାନେ ମିଶ୍ରଣ ଚୁକ୍ତିକୁ ସ୍ୱୀକାର କରିିନିଅନ୍ତୁ ।"

ସର୍ଦ୍ଦାର ପଟେଲ ଆହୁରି ମଧ୍ୟ ଉଲ୍ଲେଖ କଲେ ଯେ, ପ୍ରଦେଶର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଶୀଘ୍ର ମିଶ୍ରଣ ହେବା କଥା । ଯଦି ତାଙ୍କର ପରାମର୍ଶକୁ ରାଜାମାନେ ଉପେକ୍ଷା କରନ୍ତି, ପ୍ରଜା ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଦିଲ୍ଲୀକୁ ଠେଲି ଦେବେ । ସେତେବେଳେ ଗୃହମନ୍ତ୍ରୀ ଭାବରେ ତାଙ୍କଠାରୁ ରାଜାମାନେ କୌଣସି ସହଯୋଗ ଚାହିଁଲେ, ତାହା ମିଳିବା ନୋହିବ । ସେ ଆହୁରି ଧମକପୂର୍ଣ୍ଣ ଭାବେ କହିଲେ, "ଗଡ଼ଜାତମାନେ ହେଲେ ପ୍ରଦେଶର ରୋଗ ସଦୃଶ । ହୁଏତ ସେମାନଙ୍କୁ ରୋଗମୁକ୍ତ କରିବାକୁ ହେବ ଅଥବା ରୋଗକୁ ନିଶ୍ଚିହ୍ନ କରିବାକୁ ହେବ । ଯଦି ସେମାନେ ମୋ' କଥା ଶୁଣନ୍ତି, ରୋଗରୁ ମୁକ୍ତି ମିଳିବ ନଚେତ୍‍ ପ୍ରଜାଙ୍କଦ୍ୱାରା ସେମାନେ ନିର୍ମୂଳ ହେବେ ।" ସେ ରାଜାମାନଙ୍କର କୌଣସି ଦାବିକୁ ଗ୍ରହଣ କଲେ ନାହିଁ । ଶେଷରେ ମୟୂରଭଞ୍ଜ, ଷଢେ଼ଇକଳା ଓ ଖରସୁଆଁ ବ୍ୟତୀତ ଅନ୍ୟ ଗଡ଼ଜାତମାନ ୧ ଜାନୁଆରି ୧୯୪୮ରୁ ଓଡ଼ିଶା ପ୍ରଦେଶ ସହିତ ସମ୍ମିଶ୍ରିତ ହେଲେ । ଏହି ଦିନକୁ ଗଡ଼ଜାତ ମୁକ୍ତି ଦିବସ ରୂପେ ପାଳନ କରାଗଲା । ଷଢ଼େଇକଳା ଓ ଖରସୁଆଁ ଗଡ଼ଜାତର ମଧ୍ୟ ଓଡ଼ିଶା ସହ ମିଶ୍ରଣ ହେବା କଥା । ମାତ୍ର ସେଠାକାର ସ୍ଥାନୀୟ ଆଦିବାସୀ ଲୋକ ଓଡ଼ିଶା ସହିତ ନ ମିଶି ବିହାର ସହିତ ମିଶିବେ ବୋଲି ଦାବି କଲେ । ଏପରିକି ସେଠାକାର ଓଡ଼ିଆ ସମାଜ ଏ ଦିଗରେ ଯଥେଷ୍ଟ ମୁଖର ହୋଇ ପାରିଲା ନାହିଁ ବୋଲି ଅଭିଯୋଗ ହେଲା । ମୟୂରଭଞ୍ଜ ମଧ୍ୟ ମିଶ୍ରଣକୁ ଆରମ୍ଭରେ ବିରୋଧ କରୁଥିଲା । ମାତ୍ର ସେଠାକାର ଆଦିବାସୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା । ଆଦିବାସୀମାନେ ଏକ ସ୍ୱତନ୍ତ୍ର ଆଦିବାସୀ ପ୍ରଦେଶ ପାଇଁ ଦାବି କରୁଥିଲେ । ସେମାନଙ୍କର ନେତା ଥିଲେ ସୋନାରାମ ସୋରେନ୍ ଓ ରାମଚନ୍ଦ୍ର ମାଝି । ବିହାରର ଆଦିବାସୀ ନେତା ଜୟପାଳ ସିଂ ସେମାନଙ୍କୁ ସମର୍ଥନ ଜଣାଇଲେ । ଶେଷରେ ଆନ୍ଦୋଳନ ତୀବ୍ର ହେବାରୁ ମୟୂରଭଞ୍ଜ ରାଜା (ମହାରାଜା) ଓ ତାଙ୍କ ମୁଖ୍ୟମନ୍ତ୍ରୀ ଶରତ ଚନ୍ଦ୍ର ଦାସ ଦିଲ୍ଲୀରେ ଭାରତ ସରକାରଙ୍କ ସହ ୧୬ ଅକ୍ଟୋବର ୧୯୪୮ ଦିନ ମିଶ୍ରଣପାଇଁ ଚୁକ୍ତିନାମା ସ୍ୱାକ୍ଷର କଲେ । ୧୯୪୯ ଜାନୁଆରି ୧ ତାରିଖ ଦିନ ଭାରତ ସରକାର ମୟୂରଭଞ୍ଜକୁ ଓଡ଼ିଶା ରାଜ୍ୟ ସରକାରଙ୍କ ହାତରେ ଅର୍ପଣ କଲେ । ଏହିଭଳି ଭାବେ ଗଡ଼ଜାତଗୁଡ଼ିକ ଓଡ଼ିଶାରେ ମିଶ୍ରିତ ହେଲା, ଯାହା ରାଜ୍ୟକୁ (ଓଡ଼ିଶାକୁ) ଏକ ରକମର ପୂର୍ଣ୍ଣାଙ୍ଗ ରୂପ ଦେଲା । ଏହା ପୂର୍ବରୁ ୧୫ ଅଗଷ୍ଟ ୧୯୪୭ ଦିନ ଦେଶ ସ୍ୱାଧୀନତା ଲାଭ କଲାରୁ ଯେଉଁ ଆନନ୍ଦ ଓଡ଼ିଶା ପାଇଥିଲା, ଗଡ଼ଜାତର ସମ୍ମିଶ୍ରଣଯୋଗୁଁ ତାହା ଦ୍ୱିଗୁଣିତ ହେଲା ।   ଭାରତ ଭଳି ଓଡ଼ିଶାରେ ମଧ୍ୟ ସ୍ୱାଧୀନତା ସଂଗ୍ରାମର ଇତିହାସ ଢେର ପୁରୁଣା । ଓଡ଼ିଶା ୧୮୦୩ରେ ଇଂରେଜମାନଙ୍କ ହାତକୁ ଗଲା ଦିନଠାରୁ ଏଠାରେ ନିରନ୍ତର ଆନ୍ଦୋଳନ ହୋଇଛି । ଊନବିଂଶ ଶତାବ୍ଦୀରେ ଇଂରେଜ ଉପନିବେଶ ବିରୋଧରେ ଲଢ଼ିବା ବେଳେ ଓଡ଼ିଶାର ନେତୃବର୍ଗ ସ୍ଥାନୀୟ ଅସ୍ମିତା ପ୍ରଶ୍ନକୁ ମଧ୍ୟ କଦାଚିତ ଗୌଣ କରି ନାହାନ୍ତି । ଭାଷା ଓ ସଂସ୍କୃତିର ପ୍ରଶ୍ନ ଓଡ଼ିଶା ପାଇଁ ବିଦେଶୀ କବଳରୁ ସ୍ୱାଧୀନତା ଭଳି ମହତ୍ତ୍ୱପୂର୍ଣ୍ଣ, ନା କମ୍‍ ନା ବେଶି ? ତେଣୁ ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହେବା ସହିତ ୧୯୩୬ ଏପ୍ରିଲ୍‍ ୧ ତାରିଖରେ ସ୍ୱତନ୍ତ୍ର ପ୍ରଦେଶର ସ୍ୱୀକୃତି ମିଳିବା ଏବଂ ୧୯୪୭-୪୮ରେ ଗଡ଼ଜାତମାନଙ୍କର ରାଜ୍ୟରେ ମିଶ୍ରଣ ତଥା ବିଲୟ ହେବା ମଧ୍ୟ ଓଡ଼ିଶାର ଆଧୁିନିକ ଇତିହାସରେ ଏକା ମାତ୍ରାରେ ମର୍ଯ୍ୟାଦା ଦାବି କରନ୍ତି । ପ୍ରକାରାନ୍ତରେ, ଏହା ଭାରତର ଅନୈକ୍ୟ ଭିତରେ ରହିଥିବା ଐକ୍ୟକୁ ଦର୍ଶାଏ । ସେହି ଦୃଷ୍ଟିରୁ ଭାରତର ଜାତୀୟ ଇତିହାସ କିମ୍ୱା ଅନ୍ୟ କୌଣସି ପ୍ରଦେଶର ଇତିହାସ ଭଳି ଓଡ଼ିଶା ଇତିହାସ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଭାରତର ଅନ୍ୟ ଅଞ୍ଚଳର ଇତିହାସ ଅପେକ୍ଷା କମ୍‍ ବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଦାବି କରିବା ଅଯୌକ୍ତିକ ନିଶ୍ଚୟ । ମାତ୍ର ତା'ଠାରୁ ବଡ଼କଥା, ଏଭଳି ଦାବି ଖୁବ୍‍ ଅଧିକ ଇତିହାସ-ଅସମ୍ମତ ମଧ୍ୟ ।

...

ଓଡ଼ିଶା ଇତିହାସ ସମ୍ୱନ୍ଧୀୟ କେତେକ ଉପାଦେୟ ପୁସ୍ତକ


1. Acharya, Pritish - The National Movement and Politics in Orissa: 1920-29, New Delhi, 2008
2. Bannerjee, R.D. - History of Orissa (from earliest times to the British period) Vol. 1-2, Calcutta, 1930
3. Behera, S.C. - Rise and Fall of the Sailodbhabas, 1982
4. Boulton, J.V. - Phakirmohana and His Times (1976), Bhubaneswar, 1993 (Reprint)
5. Cobden Ramsay L.E.S. - Feudatory States of Orissa, 1950
6. Das, Binod Sankar - Studies in the Economic History of Orissa From Ancient Times to 1833, Calcutta, 1878
7. Das, M.N. (Ed.) - Sidelights on the History and Culture of Orissa, Cuttack, 1977
8. Dash, S.C. - Orissa, New Delhi, 1970
9. De, Sushil Ch. (Ed.) - Guide to Orissan Records, Vol. 1-5, Bhubaneswar, 1961-65.
10. Ghosh, Sunit - Orissa in Turmoil, Bhubaneswar, 1979
11. Hunter, W.W. - Orissa, London, 1872
12. Jena, K.C. - Land Revenue System Administration in Orissa during the Nineteenth Century, New Delhi, 1968
13. Mahatab, Harekrishna - History of the Freedom Movement in Orissa, Cuttack, 1972
14. Mallik, Basanta Ku., (Ed.) - Eastern India Essays in History, Society, Culture, Bhubaneswar, 2004
15. Mallik, Basanta Kumar - Medieval Orissa: Literature Society Economy, Bhubaneswar, 1996
16. Mallik, Basanta Kumar - Paradigms of Dissent and Protest : Social Movements in Eastern India (CAD 14001700), New Delhi, 2004
17. Mishra, Binayak - Orissa Under the Bhauma Kings, Calcutta, 1934
18. Mishra, P.K. - The Political History of Orissa, 1866-1936, New Delhi, 1979
19. Mishra, P.K. (Ed.) - Culture, Tribal History and Freedom Movement, New Delhi, 1989
20. Mishra, P.K. & J.K. Samal - Comprehensive History and Culture of Orissa,Vol. I & II, 1977
21. Mittal, A.C. - Early History of Orissa, 1962
22. Mohanty, Nivedita - Oriya Nationalism, Quest for a United Orissa, 1866-1936.
23. Mohapatra, G.C. - The Stone Age Culture of Orissa, 1962
24. Mukherjee, P. - History of Orissa, Vol. V., Bhubaneswar, 1964
25. Mukherjee, P. - History of the Jagannath Temple in the 19th Century, Calcutta, 1977
26. Mukherjee, P. - History of Medieval Vaisnavism in Orissa, Calcutta, 1940
27. Mukherjee, P. - The History of Gajapati Kings of Orissa and their successors, Calcutta, 1953
28. Nanda, Chandi Prasad - Vocalizing Silence : Political Protests, 193042, New Delhi, 2008
29. Panda, Shishir Kumar - Political and Cultural History of Orissa, New Delhi, 1999
30. Panda, Shishir Kumar - New Perspectives on the History and Culture Of Orissa, Kolkata, 2000
31. Panigrahi, Krishna Ch. - History of Orissa (Hindu Period), Cuttack, 1981
32. Pati, Biswamoy - Resisting Domination, Delhi, 1993
33. Patra, K.M. - Orissa Under The East India Company, New Delhi, 1971
34. Patra, K.M. - Orissa State Legislature and Freedom Struggle,1912-47, New Delhi, 1979
35. Patra, K.M. & Bandita Devi - An Advanced History of Orissa, New Delhi, 1983
36. Pradhan Atul Ch. - A Study of History of Orissa, Bhubaneswar, 1985
37. Pradhan, S. - Orissa, History, Culture and Archaeology, 1999
38. Pradhan, Sadasib - Agrarian and Political Movements : States of Orissa, 1931-49, New Delhi, 1986
39. Ray, B.C. - Foundations of British Orissa, Cuttack, 1958
40. Ray, B.C. - Orissa Under the Marathas, Cuttack, 1963
41. Ray, B.C. & Others(Ed.) - Freedom Struggle in Orissa, 2 Vols.,Bhubaneswar, 2006

42. Sahu, J.K. - Historical Geography of Orissa, New Delhi, 1997

43. Sahu, Nabin Kumar - History of Orissa, Cuttack, 1979

44. Samal, J.K.- Orissa Under The British Crown, 1858-1905,New Delhi, 1977

45. Smith, D.- Pilgrimage to Juggernath, 1868

46. Sterling, Andrew- Orissa its Geography, Statistics, History,Religion and Antiquities (1846), Jagatsinghpur, Orissa, 2004 (New Edition)

47. Toynbee, G. - A Sketch of the History of Orissa : From 1803 to 1828, (1873), Jagatsinghpur, Orissa, 2005 (New Edition)

48. Tripathy, S. - Early and Medieval Coins and Currency System in Orissa

49. Two Bachlor of Arts - The Oriya Movement, Ganjam, 1919

50. ଆଚାର୍ଯ୍ୟ, ପ୍ୟାରୀମୋହନ- ଓଡ଼ିଶାର ଇତିହାସ (୧୮୭୫), କଟକ, ୨୦୦୯, (ନୂତନ ମୁଦ୍ରଣ)

୫୧. ମହାନ୍ତି, ସୁରେନ୍ଦ୍ର- ଓଡ଼ିଆ ସାହିତ୍ୟର ଆଦିପର୍ବ, କଟକ,୧୯୬୩

୫୨. ମହାନ୍ତି, ସୁରେନ୍ଦ୍ର- ଓଡ଼ିଆ ସାହିତ୍ୟର ମଧ୍ୟପର୍ବ ଓ ଉତ୍ତର ମଧ୍ୟପର୍ବ, (ଷଷ୍ଠ ମୁଦ୍ରଣ), କଟକ,୧୯୯୫

୫୩. ମହାପାତ୍ର, କେଦାରନା - ଅଶୋକ ପ୍ରଶସ୍ତି, ସହକାର, କଟକ, ୧୯୩୫

୫୪. ମହାପାତ୍ର, କେଦାରନା - ଅଶୋକ ଓ କଳିଙ୍ଗ ଯୁଦ୍ଧ, ଉତ୍କଳ ସାହିତ୍ୟ, କଟକ, ୧୯୩୬

୫୫. ମିଶ୍ର, ପ୍ରବୋଧ କୁମାର - ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ପ୍ରମ ଓ ଦ୍ୱିତୀୟ ଭାଗ, କଟକ, ୨୦୦୮

୫୬. ପ୍ରଧାନ, ପବିତ୍ରମୋହନ- ମୁକ୍ତି ପେ ସୈନିକ, ଭୁବନେଶ୍ୱର- ୧୯୭୩

୫୭. ରାୟ, ଭବାନୀ ଚରଣ- ମୋଗଲ ଓଡ଼ିଶା ଇତିହାସ ଓ ସଂସ୍କୃତି, କଟକ-୧୯୮୯

୫୮. ରାଜଗୁରୁ, ସତ୍ୟନାରାୟଣ - ଓଡ଼ିଶା ଇତିହାସର ଅନ୍ଧକାର ଯୁଗ

୫୯. ସିଂହ, ଜଗବନ୍ଧୁ- ପ୍ରାଚୀନ ଉତ୍କଳ, ପ୍ରମ ଓ ଦ୍ୱିତୀୟ ଖ¨ (୧୯୧୭) ଭୁବନେଶ୍ୱର, ୧୯୮୨ (ପୁନଃପ୍ରକାଶନ)

...