କପିଳା ବୋଲିଣ ଗାଈ ସେ

ଉଇକିପାଠାଗାର‌ରୁ
Jump to navigation Jump to search
ଲେଖକ/କବି: ପର୍ଶୁରାମ ବିହାରୀ
କପିଳା ବୋଲିଣ ଗାଈ ସେ

କପିଳା ବୋଲିଣ ଗାଈ ସେ ସଦା ସର୍ବଦା ଯୁବା ।
ଷଡ଼ମୁଖ ତିନିଲୋଚନ ଏକ ପାଦରେ ଉଭା ।
ଭଲା ବିପରୀତ ଗାଈ ସେ ଲାଞ୍ଜ ବାଟେ ଚରଇ ।
ମୁଖ ବାଟେ ତାର ମଳ ଯେ ଚକ୍ଷୁ ବାଟେ ପ୍ରସଇ ।
ଧବଳ ମୂରତି ଗାଈ ସେ ତାର ନାମଟି ହୀରା ।
ସଦଗୁରୁ ସେବା କଲେ ତୁ ଭେଦ ପାଇବୁ ପରା ।
ଦଶ ଖୁରା ସେହି ଗାଈର ତାର ଚାରୋଟି ପାଦ ।
ଗୁରୁସେବା କଲେ ପାଇବୁ ଆର ମରମ ଭେଦ ।
ଅଢ଼ାଇ ଦିନର ଗାଈ ସେ ତ ହେଲା ବଣୁଆ ।
ଗୁରୁକୃପା କଲେ ଗୋପାଳେ ହେବ ସେ ଗାଈ ଦୁହାଁ ।
ଗାଈକି ଗୁହାଳ ସଜାଡ଼ ପାଞ୍ଚ ଖମ୍ବ ବସାଇ ।
ତହିଁ ତିନି ଶ୍ରେଣୀ ନିରୋଧି ବତା ଛାତେଣୀ ଦେଇ ।
ଷଡ଼ ଗୁଣ କରି ଲଇ ସେ ଗଣ୍ଠି ତ୍ରିଗୁଣେ ଦେଇ ।
କହେ ପର୍ଶୁରାମ ବିହାରୀ ଗୁରୁ ସେବିଲେ ପାଇ ।