କାନ୍ତର ବିମନ ଜାଣି

ଉଇକିପାଠାଗାର ରୁ
Jump to navigation Jump to search

କାନ୍ତର ବିମନ ଜାଣି
ବିଷୟ
ରାଗ ସିନ୍ଧୁକାମୋଦୀ

କାନ୍ତର ବିମନ ଜାଣି, ପଚାରନ୍ତି ଠାକୁରାଣୀ,
ଦିଶୁଛିତ ଶ୍ରୀମୁଖ ବିରସ ।
ଆଜ ହେବ ଅଭିଷେକ, ନେତ୍ରେ ପୂରିଛି ଲୋତକ,
ମୁଁ ଅବା କଲି କେବଣ ଦୋଷ । ହେ ପ୍ରାଣନାଥ ।

ପୂର୍ବେ କୈକେୟୀଙ୍କି ବର, ଦେଇଣ ଥିଲେ ପିଅର,
ରଖିଥିଲେ ଗୁପତେ ସେ ମନେ ।
ଆମ୍ଭଅଭିଷେକ ଶୁଣି, ମାଗିଲେ ସେ ସ‌ତ୍ୟ ବାଣୀ,
ଭ୍ରତ ରାଜା ରାମ ଯିବେ ବନେ । ଗୋ ଚନ୍ଦ୍ରମୁଖି ।

ନ ଧର ମନେ ବିରସ, ନୋହିବ ଦିବ୍ୟ ସୁବେଶ,
ସେବି ଥିବ ମାତାଙ୍କର ପାଶ ।
ଘରୁ ନୋହିବ ବାହାର, ସଙ୍ଗ ନୋହିବ କାହାର,
ଯେମନ୍ତେ ଭ୍ରତ ନ କରେ ରୋଷ । ଗୋ ଚନ୍ଦ୍ରମୁଖି ।

ଶ୍ରୀରାମ ଶ୍ରୀମୁଖୁଁ ବାଣୀ, ଶୁଣି ସୀତା ଠାକୁରାଣୀ,
ବୋଲନ୍ତି ଜାଣିଲି ତୁମ୍ଭ ମନ ।
ତୁମ୍ଭେ ଯେବେ ଯିବ ବନେ, ମୁଁ କିପାଁ ଥିବି ସଦନେ,
ତୁମ୍ଭ ସଙ୍ଗେ କରିବି ଗମନ । ହେ ପ୍ରାଣନାଥ ।

ଯେବେ ନ ନେବ ସଙ୍ଗରେ, ନ ଥିବ ପ୍ରାଣ ଅଙ୍ଗରେ,
ତୁମ୍ଭେ ମୋ ପରାଣ ପଞ୍ଚଭୂତ ।
କରୁଥିବି ବନେ ସେବା, ଶତ ବରଷ ହେଉ ବା,
ତେବେ ମୋର ତୋଷ ହେବ ଚିତ୍ତ । ହେ ପ୍ରାଣନାଥ ।

ଶୁଣି ରାମାରମ୍ୟବାଣୀ, ବୋଲନ୍ତି କୋଦଣ୍ତପାଣି,
ତୁମ୍ଭେ ମୋର ପିଣ୍ତର ଜୀବନ,
ଜାଣିବାକୁ ତୁମ୍ଭ ମନ, ବୋଇଲି ସଖି ଏସନ,
ଜଳବିନୁ ନ ବର୍ତ୍ତନ୍ତି ମୀନ । ଗୋ ଚନ୍ଦ୍ରମୁଖି ।

ଏହି ସମୟେ ଲକ୍ଷଣ, ସଜ ହୋଇ ସେହିକ୍ଷଣ,
ଶ୍ରୀରାମ ଛାମୁରେ ପରବେଶ ।
ଲକ୍ଷ୍ମଣଙ୍କୁ ଚାହିଁ ତୋଷ, ହେଲେ ବନବାସୀ ବେଶ,
ବୋଲେ ବିଶି ସବୁରି ବିରସ । ହେ ସୁଜ୍ଞଜନେ ।