ଭଜନ ମାଳା/କାଳିଆ ଧନ

ଉଇକିପାଠାଗାର‌ରୁ
(କାଳିଆ ଧନରୁ ଲେଉଟି ଆସିଛି)
Jump to navigation Jump to search
ଭଜନ ମାଳା ଲେଖକ/କବି: ସାଲବେଗ
କାଳିଆ ଧନ


କାଳିଆ ଧନ, ତୋ ଲାଗି ଯାଉ ଏ ଜୀବନ ।
ବାରେ ନ ଦେଲୁ ଦରଶନ ।

କାଳିଆ କାଳିଆ ତ୍ରିପଣ୍ଡ କାଳିଆ ପିନ୍ଧିଛି ଝୀନ ପତନି ।
କାଳିଆ ଅଙ୍ଗରୁ ବହେ ଶ୍ରମଝାଳ କାଳନ୍ଦୀ ନଦୀର ପାଣି ।୧।

ନନ୍ଦିଘୋଷ ରଥେ ବସିଛି କାଳିଆ ଜଗତ୍ର ମୋହିବା ପାଇଁ ।
ହରି ହରି ବୋଲି ଶବଦ ଶୁଭୁଛି ମନରେ ଆନନ୍ଦ ହୋଇ ।୨।

ଅଣ୍ଟା ଗୋଟି ତୋର ଡମ୍ବରୁ ଆକାର ଗଢ଼ିଛି କେଉଁ ବିନ୍ଧାଣି ।
ଚାଲି ଗୋଟି ତୋର ମତ୍ତଗଜ ପ୍ରାୟେ ଚାହାଣି ତୋ ସିଂହଠାଣି ।୩।

ଏ ଗୋପପୁରରେ ଯେତେକ ବାଳକ ସମସ୍ତେ ଧରନ୍ତି ତାଳ ।
ସର୍ବ ଗୋପୀ ମୁଣ୍ଡେ ଫୁଲ ଖଣ୍ଡେ ଖଣ୍ଡେ କୃଷ୍ଣଶିରେ ଜାମୁଡାଳ ।୪।

ସେପାଖେ ଚତୁରା ଏପାଖେ ଚତୁରୀ ମଝିରେ ଗୁଞ୍ଜରାମାଳ ।
ଶ୍ରୀଜଗନ୍ନାଥଙ୍କ ଶ୍ରୀପାଦେ ଶରଣ କହେ ସାଲବେଗ ହୀନ । ୫।