କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/କ୍ଷ ଚମ୍ପୂ

ଉଇକିପାଠାଗାର‌ରୁ
Jump to navigation Jump to search
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
କ୍ଷ ଚମ୍ପୂ

କ୍ଷ ଚମ୍ପୂ
(ରାଗ: କେଦାର କାମୋଦୀ, ତ୍ରିପଟା)

କ୍ଷମାନୁକମ୍ପାଧର ହେ
କ୍ଷୀରସାଗରସମ୍ଭବାକୁଚକୁମ୍ଭଯୁଗଳ ପରିରମ୍ଭଚତୁର ହେ ।ପଦ।

କ୍ଷିତିଚକ୍ରବାଳ ମହାଭୀତି ନିବାରଣ ହେ
ଶ୍ରୁତିଶିରଅବତଂସାକୃତି ଶ୍ରୀଚରଣ ହେ
ମରାଳବିହରଣ, -କରାର୍ଚ୍ଚିତ ଚରଣ, ଧରାଭାରହରଣ, ଚରାଚର ଶରଣ,
ତରାବର କିରଣ, -ବରାବର ଚରଣ, ନଖାଂଶୁ ସୁରଗଣଶିଖାଭରଣ ହେ ।୧।

କ୍ଷଣେ ହେଲେ ନାମକୁ ନ ଭଣେ ମୁଁ ତୁମ୍ଭର ହେ
ଜଣେ ତ ହେବାରୁ ପାପିଗଣେ ବିଶ୍ୱମ୍ଭର ହେ
ମନା ନ କର ହିତ, ଅନାଦର ରହିତ, -ଅନାଉଣି ନିରତ, ଚୂନା କରୁ ଦୂରିତ,
ଅନାରତ ମୋ ଚିତ୍ତ, ମନାସୁଛି ଅହିତ, ଜନାର୍ଦ୍ଦନ ପତିତଜନାବହିତ ହେ ।୨।

କ୍ଷମ ତ ମୁଁ ନୁହେ ଅନୁପମ-ଅନୁଭାବ ହେ
ଯମ ଦଣ୍ଡରୁ ମୋ ରକ୍ଷା କେମନ୍ତଟି ହେବ ହେ
ଜଳାକରଭବନ, -ବଳାସୁଖ ଭୁବନ, -ବଳାହିତ ରତନ, ବଳାବରଜ, ଜନ-
କଳାପର ବୃଜିନ, ଦଳା ସୁକୃତଧନ, -ବଳାଢ୍ୟ ମୁନିମନ, -କଳାପି-ଘନ ହେ ।୩।

କ୍ଷମାଧିପ ଜଗଦ୍ଦେବ ସମାପନ କରେ ହେ
ଶ୍ରମାର୍ତ୍ତ ହେବାରୁ ଭବ ଭ୍ରମାତିଶୟରେ ହେ
ବ୍ୟଥା ନିବହ ହର, ପ୍ରଥା ଚଳୁ ମିହିର, -ପଥାନ୍ତରକୁ ହର, ରଥାଦିରୁ ଅମର-,
ମଥାମଣି ନିକର, ରଥାଙ୍ଗଯୁତ କର, କଥା ବିନୟ ମୋର ବୃଥା ନ କର ହେ ।୪।