କୋଟିବ୍ରହ୍ମାଣ୍ଡ ସୁନ୍ଦରୀ/ମଙ୍ଗଳାଚରଣ

ଉଇକିପାଠାଗାର‌ରୁ
Jump to navigation Jump to search
କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ପ୍ରଥମ ଛାନ୍ଦ: ମଙ୍ଗଳା ଚରଣ

ପ୍ରଥମ ଛାନ୍ଦ: ମଙ୍ଗଳା ଚରଣ, ରାଗ: ମଙ୍ଗଳ ଗୁଜ୍ଜରୀ

ଶୁଣ କୋବିଦେ ଭରତଖଣ୍ଡେ ପୁଣ୍ୟଧାମ,
ଯେଣୁ ନାରାୟଣଦେହୀ ତେଣୁ ସେହି ନାମ ହେ | ୧ |
ଗୀର୍ବାଣମତେ ନିର୍ବାଣ ସାରୂପ୍ୟକୁ ଦେଇ,
ସାକ୍ଷୀ ପକ୍ଷୀ କରଟ ପ୍ରତିମାରୂପେ ଥାଇ ଯେ | ୨ |
ଯେ ବ୍ରହ୍ମହତ୍ୟା-ପାତକ-ନିପାତକ ମହୀ,
କପାଳମୋଚନ ତ୍ରିଲୋଚନ ସାଷୀ ଯହିଁ ଯେ | ୩ |
ଆସି କାଶୀଶ୍ୱର ବାସ କଲେ ଏହା ଜାଣି,
ଅନ୍ୟ କ୍ଷେତ୍ର ସମସ୍ତଙ୍କ ଏ ମସ୍ତକମଣି ହେ | ୪ |
ଏଣୁ କ୍ଷେତ୍ର ନରେନ୍ଦ୍ର ପଦତ ସମ୍ଭାବିତ,
ବିନାଶେ ଭୁଜଙ୍ଗ ଦୋଷ ତାକୁ କେତେ ମାତ୍ର ହେ | ୫ |
ଅବିଦ୍ୟା ବିଷମ ଆଶୀବିଷଘାତୀ ଜନେ,
ଜ୍ଞାନାଜ୍ଞାନେ ପରାଧୀନେ ସେ ସ୍ଥାନ ଗମନ ହେ | ୬ |
ଶ୍ରୀମହାପ୍ରସାଦ ଗଦ ପଦ ଘଣ୍ଟଘୋଷ,
ଭକ୍ଷଣେ ଶ୍ରବଣେ ଯେ କିଳବିଷ ବିଷ ନାଶ ହେ | ୭ |
ଉନ୍ନତ ପ୍ରାସାଦରାଜ ପତାକା ଉଡ଼ାଇ,
ଏ ପ୍ରଦେଶେ ସମବର୍ତ୍ତୀପଣ ନାହିଁ ନାହିଁ ହେ | ୮ |
ବଟରାଜା ଶାଖା ଘେନି ନିଗମ ସାକ୍ଷାତ,
ପାପ ତାପ ପଶୁ ନାଶ ସୁକର୍ମ ଉଦିତ ଯେ | ୯ |
ସେ ଦୁର୍ଗ-ପରୀକ୍ଷା ତୀର୍ଥରାଜ ଗର୍ଜନରେ,
କହେ ଅବଗାହେ ପାପବ୍ୟୁହ ଦହ ନରେ ହେ | ୧୦ |
ଦହି ସବୁ ବାଡ଼ବରେ ଦେବ ଏ ପକାଇ,
ଏ ଦରବଶରୁ ଦୂରୁ ଦୂରିତ ପଳାଇ ହେ | ୧୧ |
ସେ କମ୍ବୁ କଟକ ରାଜା ନାମ ଜଗନ୍ନାଥ,
ଚାରିବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ ହେ | ୧୨ |
ଭକତି ଦେବା ଗୁପ୍ତ ହୋଇଅଛି ଯୁକ୍ତାକ୍ଷରେ,
ବୈଷ୍ଣବ ବିହୀନେ କେବା ଜାଣିବ ସଂସାରେ ହେ | ୧୩ |
ପାଦେ ବନ୍ଦେ ସାର୍ବଭୌମ ବୋଲିବା କି ଯଶ,
ବୃଷାସନଙ୍କର ଶିର ଲାଗିବାକୁ ଆଶ ହେ |୧୪ |
ଯାହା କଟାକ୍ଷ-କୁଠାର ପତନମାତରେ,
ଅନେକ ଦୁଃଖ-ଅନୋକହକୁ ଛେଦି ପାରେ ହେ | ୧୫|
ସେହି ପାଦପଦ୍ମାସନୀ ପାଟ ମହାଦେବୀ,
ଅଷ୍ଟ ଐଶ୍ୱର୍ଯ୍ୟଦାୟିନୀ ଅଷ୍ଟଶକ୍ତି ସେବି ହେ | ୧୬ |
ଭରସା କରି ଆସନ୍ତି ଦୂର ଦେଶୁଁ ପ୍ରାଣୀ,
ଆରତ ଭଞ୍ଜନ ଦୀନବନ୍ଧୁ ନାମ ଶୁଣି ହେ | ୧୭ |
କର ଯୋଡ଼ି ଛାମୁରେ ଜଣାଇ ପକ୍ଷିଧବ,
ଆର୍ତ୍ତଜନ ଗୁହାରିକି ସାବଧାନ ହେବ ହେ | ୧୮ |
କୋଟି-କନ୍ଦର୍ପ-ଲାବଣ୍ୟ-ମୂର୍ତ୍ତି ଦରଶନ,
ଦେବାକୁ ସୁବେଶେ ବିଜେ ରତ୍ନସିଂହାସନେ ହେ | ୧୯ |
ଶିରେ ହେମ-ରତନ-ମୁକୁଟ ସପ୍ତଶାଖା,
କରୁଣା-ସିନ୍ଧୁରେ କି ବଡ଼ବାନଳ ଶିଖା ହେ | ୨୦ |
କିମ୍ପାଇଁ ସାର୍ଥ ନୋହିବ ଏମନ୍ତ ବିଚାର,
ପୁଣି ମଞ୍ଜୁଳ କୁଣ୍ଡଳ ମକର ଆକାର ହେ | ୨୧ |
ପ୍ରବାଳତରଣୀ ଦୃଷ୍ଟି ରଙ୍ଗାଧରେ ଅଛି,
ବିଶେଷ ଯହିଁ ଲାବଣ୍ୟ ଲକ୍ଷ୍ମୀ ସମ୍ଭବିଛି ହେ | ୨୨ |
ଦଶଅବତାର ଲୀଳା ଯାତ୍ରା ବିରଚନ,
ଜନଙ୍କୁ ଦେଖାନ୍ତି ଯୁଗାନ୍ତର କଥାମାନ | ୨୩ |
ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂଲୀଳା ଯାର,
ପତିତ ପାବନ ଅର୍ଥେ ପ୍ରସାଦୁଁ ବାହାର ହେ | ୨୪ |
ଜ୍ୟେଷ୍ଠ ପୌର୍ଣ୍ଣମାସୀ ପୂର୍ବନିଶି ଅବଶେଷେ,
ସେବକ ଉତ୍ସୁକେ ମିଳି ମହାପ୍ରଭୁ ପାଶେ ହେ | ୨୫ |
ସେ କାଳକି ଅନୁସରି ଯାତ୍ରି ନରନାରୀ,
ଯେ ଯାହାର ନିତ୍ୟକର୍ମ ତ୍ୱରା ହୋଇ ସାରି ହେ | ୨୬ |
ହରି ହରି-ଦ୍ୱାରେ ମିଳେ ହରି-ଧ୍ୱନି କଲେ,
ହରିତ ପୁରିତ ତ୍ୱରିତରେ ତହିଁ ହେଲେ ହେ | ୨୭ |
ପଡ଼ିଲା ତୂଳୀ ପାହାଡ଼ା ବିଜୟ ନିମିତ୍ତେ,
ବାଜିଲା ମେଘା ମୃଦଙ୍ଗ ମର୍ଦ୍ଦଳ ସହିତେ ହେ | ୨୮ |
କଂସାଳ ତାଳ କର୍ଣ୍ଣାଳ ପଟହ ଝର୍ଝରା,
ମୋ ପରେ ବିଜେ କରିବେ ଭାବି ତୋଷ ଧରା ହେ | ୨୯ |
ନୋହିବେ ସର୍ବଜ୍ଞ କିପାଁ ବ୍ରହ୍ମ-ପରିବାର,
ଜାଣିଲେ ନିଶ୍ଚୟ ପ୍ରଭୁ ଦକ୍ଷିଣ-କୁଞ୍ଜର ହେ | ୩୦ |
ପୂର୍ବଜରେ ପୂର୍ବଗଜ ଭାବ ଉପୁଜାଇ,
ପହଣ୍ଡି ବିଜୟ କଲେ ଝୁଲାଇ ଝୁଲାଇ ଯେ | ୩୧ |
ଏମନ୍ତ ନୋହିଲେ କି ପ୍ରାସାଦ-ଦରୀ ତେଜି,
ମଣ୍ଡପ ସର-ଅବଗାହରେ ଚିତ୍ତ ମଜ୍ଜି ହେ | ୩୨ |
ସାର ଗନ୍ଧସାର-ପଙ୍କେ ଭୂଷିତ ହୋଇବେ,
ଜନ-ପଙ୍କ-ପଙ୍କଜ-ବନକୁ ଉଜାଡ଼ିବେ ହେ | ୩୩ |
ସବୁଦିନେ ଲୀଳାସ୍ଥାନ ନୀଳ ମହୀଧର,
ଭକ୍ତିଭାବ ରଜ୍ଜୁରେ ବନ୍ଧନ ଅଛି ଯାର ହେ | ୩୪ |
ଜଡ଼ ଯେତେ ଛନ୍ତି ଏତେ ଭାବ କି ଜାଣିବେ,
ବାହୁଡ଼ିବା ବେଳେ ବେଶେ ବ୍ୟକତ ହୋଇବେ ହେ | ୩୫ |
ଭବ-ସାଗର-ସୁବର୍ଣ୍ଣ ତରଣୀ ବିଚାରି,
ସୁଭଦ୍ରାଙ୍କୁ ବିଜେ କରାଇଲେ ତହା ଧରି ହେ | ୩୬ |
ତାପ-ତ୍ରୟ-ଭାଣ୍ଡ-ଭଞ୍ଜନକୁ ଦଣ୍ଡବର,
ସୁଦରଶନଙ୍କ ବିଜେ ସେହି ପରକାର ହେ | ୩୭ |
ଇନ୍ଦ୍ରପଦ ଦାତା ସେ ରାଜାଧିରାଜେଶ୍ବର,
ବିଜେ କରେ ଦ୍ବ ଜେ ଦେଇ ନିଜ କରଭର ହେ | ୩୮ |
ଢାଳନ୍ତି ଚାମର ଶ୍ବେତପତ୍ର ଟେକା ତହିଁ,
କ୍ଷୀର ସାଗର-ଲହରୀ ଭ୍ରମ ଉପୁଯାଇ ହେ | ୩୯ |
ଗହଳ ହୋଇଣ କଲାଛତ୍ର ଶୋଭା ଦିଶି,
ତୁଙ୍ଗ ଶିଖରୀ ପରେ କି ଜଳଦ ଆକର୍ଷି ହେ | ୪୦ |
ପତାକା ବ୍ୟାଜଟି ତେଜେ ଶୂନ୍ୟେ ନୀରଧାର,
ସ୍ବେଦଛଳେ କରେ ନରତନୁ ଜରଜର ହେ | ୪୧ |
ଚଞ୍ଚଳା ଚଳା ଚଳିବା ଖଦୀ ପୀତବାସ,
ତୃଷିତ ଦ୍ବିଜ-ଚାତକ ଜଳପାନେ ତୋଷ ହେ | ୪୨ |
ଏ ପ୍ରମାଣ ବଋହିଣ ପୁଚ୍ଛ ତେଣୁ ଚଳି,
ନିଶାଣ ମଣ୍ଡୁକ ନାଦେ ଦିଗନ୍ତ ଉଛୁଳି ଯେ | ୪୩ |
ପ୍ରଭୁ ଚଳନ ଶବଦ ଜନିତ ସ୍ତନିତ,
ପୁଷ୍ପାଞ୍ଜଳି ବଳାବଳୀ ଉଡ଼ି ଖସେ ସତ ହେ | ୪୪ |
ଏମନ୍ତେ ସ୍ନାନ ମଣ୍ଡପେ ସିଂହାସନ ପର,
ବିଜେ ମହାପ୍ରଭୁ ଘେନି ଭଗ୍ନୀ ସହୋଦର ହେ | ୪୫ |