Jump to content

ଗୋପୀଭାଷା/ଏକ ଗୋପୀ ବୋଇଲା ଶୁଣ ସଖୀ

ଉଇକିପାଠାଗାର‌ରୁ
ଗୋପୀଭାଷା ଲେଖକ/କବି: ଦନାଇ ଦାସ
ଏକ ଗୋପୀ ବୋଇଲା ଶୁଣ ସଖୀ
ବିଜୟ ଚନ୍ଦ୍ର ମଜୁମଦାରଙ୍କ ବହି "ଟିପିକାଲ ସିଲେକ୍ସନ୍ସ ଫ୍ରମ ଓଡ଼ିଆ ଲିଟରେଚର"ରେ ଗୋପୀଭାଷା ଆଂଶିକ ଭାବେ ଦିଆଯାଇଛି । ଏଣୁ ତଳେ ସେହି କିୟଦଂଶ ଦିଆଗଲା ।

ରାଗ - ଚକ୍ରକେଳି

ସାନ ବେଳହୁଁ ମାୟା ଅଗୋଚର ।
ତାର ପାପ ପୁଣ୍ୟକୁ ନାହିଁ ଡ଼ର ।
ଜୀଉଁ ଜୀଉଁ ଯେ ଆମ୍ଭଙ୍କୁ ଲେଛିଲା ।
ଆମ୍ଭେ ମଲେ ହିଁ ତାର କିସ ଗଲା ।
ଏକ ଗୋପୀଏ ବୋଲେ ଆଗସରି ।
ବୁଦ୍ଧି ହରାଇ ମରୁଅଛି ଝୁରି ।
ଆମ୍ଭେ ପୂର୍ବେ କରିଅଛୁଁ ପାତକ ।
ଗୋରୁ ବ୍ରାହ୍ମଣ ମାରିଛୁ ଅନେକ ।
କାର ଭର୍ତ୍ତା ଛଡ଼ାଇ ଦୂର କଲୁଁ ।
ଭୋଗୀ ଭୂଞ୍ଜିଲା ଅନ୍ନ ଫିଙ୍ଗି ଦେଲୁଁ ।
ଆମ୍ଭେ ବଡ଼ ଅଭାଗୀ ଗୋପନାରୀ ।
ତେଣୁ ଉପେକ୍ଷି ଗଲେ ନରହରି ।
ସଖି ଅଛିଟିକି ତୁମ୍ଭ ମନର ।
ଦିନେ ଯାହା କଲେ କୁଞ୍ଜବନର ।
ନିଶାକାଳେ ମୁରଲୀ ବଜାଇଲେ ।
ସବୁ ଗୋପୀଙ୍କି ବାଇ କରାଇଲେ ।
ଯେତେ ରଙ୍ଗ କଲେ କୁଞ୍ଜବନର ।
ବୃନ୍ଦାବତୀ ଘେନି ହେଲେ ଅନ୍ତର ।
ପାଦପଦ୍ମ ଚିହ୍ନି ଭେଟ ପାଇଲୁଁ ।
ତାଙ୍କ ଅଧରୁ ଅମୃତ ଖାଇଲୁଁ ।
ଛାଡ଼ ନ ଯାଇ ମନରୁ ସେ କଥା ।
କୁନ୍ତ ମାଇଲେ ଯେହ୍ନେ ଥାଇ ବ୍ୟଥା ।
ଏକ ଗୋପୀଏ ବୋଇଲା ନ ଭାଳ ।
ଆମ୍ଭ ହୃଦୟ ଦୁଃଖ ଅସମ୍ଭାଳ ।
ମନେ ବିଚାରି ଗୋପୀଏ ବୋଇଲା ।
ସେ ଗୋ ନ ପୋଷି ଆମ୍ଭଙ୍କୁ ନାଶିଲା ।
ଯାହା ସଙ୍ଗେ କରେ ଯେଉଁ ପୀରତି ।
ନିଶ୍ଚେ କାଳ ହୁଅଇ ସେହିମତି ।
ସେଗୋ ମରିଥିଲେ ଭଲ ହୁଅନ୍ତା ।
ଏତେ ଦୁଃଖ କିପାଁ ଦେହ ସହନ୍ତା ।
ଗଛ ଭାଜିଲା ମାଡ଼ି ନ ପଡ଼ିଲା ।
ପୋଡ଼ୁ ଶଗଡ଼ହିଁ ମାଡ଼ି ନ ଗଲା ।
ଭୂତ ଉଡ଼ାଇ ନେଇ ନ ଗିଳିଲା ।
ଅଜଗର ପେଟରୁ ନିକିଳିଲା ।

କାଳୀ ଦଂଶିଲା ଯାଇଥାନ୍ତା ସରି ।
ଆମ୍ଭେ ମରନ୍ତୁ କିପାଁ ଏତେ ଝୁରି ।
ଏକ ଗୋପୀଏ ବୋଇଲା ତୁରିତ ।
ତାକୁ କିପାଁ ଗାଳି ଦିଅ ସଙ୍ଗାତ ।
କେତେଠାରୁ ରଖି ନାହିଁ ଆମ୍ଭନ୍ତା ।
ତାର ଅରିଷ୍ଟ ପଡ଼ୁ ଆମ୍ଭମାଥ ।
ନୋହି ପାଶୋରିବା ଗୁଣ ଯେତେକ ।
ଗୋପପୁରେ କରିଅଛି ତେତେକ ।
ସର୍ପ ଗିଳିଲା ପୁଅଙ୍କୁ ରଖିଲା ।
କେତେ କେତେ ସଙ୍କଟୁ ନ ତାରିଲା ।
ଇନ୍ଦ୍ର ବିବାଦୁଁ ରଖିଲା ଯେମନ୍ତ ।
କାହାବେଳେ କରି ନୋହେ ତେମେନ୍ତ ।
ବନ ପୋଡ଼ିଲେ ସମସ୍ତେ ମରନ୍ତୁ ।
ନିଆଁ ଗିଳି ରଖିଲେ ସର୍ବ ଜନ୍ତୁ ।
ନନ୍ଦ ଯମୁନା ଜଳେ ବୁଡ଼ିମଲା ।
ମଲା ଜିଆଇ ପୁଣି ଆଣି ଦେଲା ।
ଆଉ କରିଛି ଯେତେ ଉପକାର ।
ଗୋପପୁରଯାକ ତାର କୋୟର ।
ତାଙ୍କୁ କେମନ୍ତ କରି ମୁରୁଛିବା ।
ପୋଡ଼ୁ ପୋଡ଼ୁ ଏ ଜୀବନ ଲେଛିବା ।
ଅଗ୍ନି କୁଢ଼ାଇ ଭିତରେ ପଶିବା ।
ଡେଇଁ ଯମୁନାଜଳରେ ଝାସିବା ।
ତାର ଉପରେ ପଛେ କଥା ଥାଉ ।
ପରମାନନ୍ଦ ଲାଗି ଦେହ ଯାଉ ।
ଫେଡ଼ି କହିଲେ ସଖିଲୋ ଉତ୍ତର ।
ଫାନ୍ଦେ ପଡ଼ିଛି ସଖି ପାରି କର ।
ଏକ ଗୋପୀଏ ବୋଲେ ବୁଦ୍ଧି ଏକ ।
ଲିହି କୃଷ୍ଣଙ୍କୁ ଚାଳିଦେବା ଲେଖ ।
ଆମ୍ଭେ ସେତେ ଯେବେ ତାଙ୍କ ସେବକ ।
ଆସି ଭେଟ ହୋଇଯିବେ ବାରେକ ।
ଆମ୍ଭେ ଆଶା କରିଅଛୁଁ ଅନେକ ।
ଯେହ୍ନେ ଗଗନ-ନୀରକୁ ଚାତକ ।
ତୁମ୍ଭ ଅଧରୁ ଅମୃତ ପିଆଅ ।
ମରୁଅଛୁଁ ସର୍ବଗୋପୀ ଜୀଆଅ ।

ତୁମ୍ଭ ଲାବଣ୍ୟ କନ୍ଦର୍ପ ମୂରତି ।
ବାରେ ଦେଖିଲେ ହେବ ମୋକ୍ଷଗତି ।
ତୁମ୍ଭେ ଦୀନଜନ ଆଶା ବିଶ୍ରାମ ।
ଜୀବ ରଖିଛୁଁ ଧରି ତୁମ୍ଭ ନାମ ।
ତୁମ୍ଭେ ବାରେ ନଇଲେ ନନ୍ଦବତ୍ସ ।
ନିଶ୍ଚେ ମଳୁଁଟି ଆମ୍ଭଙ୍କୁ ମୁରୁଛ ।
ନାମ ବୋଲାଉ ଅଛି ଗୋପୀନାଥ ।
ଯେହୁ ବୋଲିବ ସାରିବୁଁ ମହତ ।
ଏବେ ମଥୁରାନାଥ ବୋଲାଇବ ।
ଆମ୍ଭ ନାମ ଧରି ଭଲ ନୋହିବ ।
ଏକ ଗୋପୀଏ ବୋଲେ ନୋହେ କିଛି ।
ମୋତେ ଭଲ ବୁଦ୍ଧି ଏହି ଦିଶୁଛି ।
ଗୋପପୁରଯାକ ରୁଣ୍ଡ ହୋଇବା ।
କରେ କାଉଁରି ଲୁଉଡି ଧରିବା ।
ମଧୁପୁରକୁ ବୋଲି ଯିବା ଧାଇଁ ।
ଝାସି ପଣିବା କଟକେ ଝସାଇଁ ।
ତାଙ୍କ ସନ୍ନିଧେ ହୋଇବା ପ୍ରବେଶ ।
ତାଙ୍କୁ ବୋଲିବା କୃଷ୍ଣ ଗୋପେ ଆସ ।
ଯେବେ ନ ଛାଡିବେ ମଧୁଯୁବତୀ ।
ଗୋଳ କରି ଆଣିବା ଶିରୀପତି ।
ସଭା କଲେ ଲୋକେ ନ ବୋଲବେ କି ।
ଗୋପୀନାଥଙ୍କୁ ଗୋପୀ ନ ନେବେ କି ।
ଏକ ଗୋପୀଏ ବୋଲେ ନୋହେ କିଛି ।
ମୋତେ ଏହି ଭଲ ବୁଦ୍ଧି ଦିଶୁଛି ।
ଜଗନ୍ନାଥ ଏମନ୍ତ କରିବେଣି ।
ତାହା ଦେଖିବା ବେନି ଚକ୍ଷୁ ଘେନି ।
ଭାଜି ଯିବଣି ମଥୁରା ନଗର ।
କୃଷ୍ଣ ପୁଣି ଆସିବେ ଗୋପପୁର ।
ଆମ୍ଭେ ରୁଷିଣ କଥା ନ କହିବା ।
ତାଙ୍କ ଚାଟୁ କହିଲେ ନ ଶୁଣିବା ।
ଗୋପୀ ଏମନ୍ତ ବୋଲିଣ ମଉନ ।
ତହିଁ ଶୁଭିଲା କୋକିଳର ସ୍ୱ‌ନ ।
ଚାହିଁ ବୋଲନ୍ତି ବରଜ ସୁନ୍ଦରୀ ।
ପିକ ନୋହୁ ଆମ୍ଭେ ତୋର ବଇରି ।

ଆମ୍ଭେ ନିର୍ମାଖା ଅଟୁ ଗୋପନାରୀ ।
ଆମ୍ଭେ ମଲେ ଅର୍ଜିବୁ କେଉଁ ଶିରୀ ।
ଏବେ ଚଳିଯା ମଥୁରା ନଗର ।
କୃଷ୍ଣ ଆଗେ କର ସୁଧୁନିସ୍ୱର ।
ତାକୁ କନ୍ଦର୍ପ-ବାଧା ଲଗାଇବୁ ।
ଆମ୍ଭଠାରେ ତା ସ୍ନେହ ବଢ଼ାଇବୁ ।
ଆଣି ପାରିଲେ ତୋତେ ସେବିଥିବୁଁ ।
ଖାଇବାକୁ ଖଣ୍ଡରେ ଖୀର ଦେବୁଁ ।
ଶୁଣି ମଉନ ହୋଇଲା କୋକିଳ ।
ଚନ୍ଦ୍ରଉଦୟ ଦେଖିଣ ବିକଳ ।
ତାକୁ ଗୋପୀଏ କରନ୍ତି ଦୟିନି ।
ତୋତେ ଦେଖିଲେ ହୃଦ ହୁଏ ହାଣି ।
ପୂର୍ବ ଗଲା କଥା ମନେ ପଡ଼ଇ ।
ଆମ୍ଭ ହାଡ଼ରୁ ମାଉଁସ ଝଢ଼ଇ ।
ଆଉ ଏଡ଼େ ହୋଇ ଉଦେ ନୋହିବୁ ।
ଆମ୍ଭେ ମଲେ ତୁ କି ସୁଖ ପାଇବୁ ।
ମନେ ବିଚାରି ଗୋପୀଏ ବୋଇଲା ।
କୃଷ୍ଣ ଗଲେ ଏଥୁଁ ଭଲ ହୋଇଲା ।
ଏଥି ଥିଲେ ହୁଅନ୍ତା ମହାଖୁଡ଼ ।
ତହିଁ ହୋଇଛି ସବୁରି ଠାକୁର ।
ସ୍ଥାନବିଶେଷେ ଦିବ୍ୟ ପୂଜା ପାଇ ।
ଯେଉଁ ସ୍ଥାନେ ଯେଉଁ ଦ୍ରବ୍ୟ ବିକାଇ ।
ଥିଲା ଶବରଣୀ ହାତେ ମାଣିକ ।
ତାହା ଚିହ୍ନି ଘେନିଗଲା ଗୁଣିକ ।
ଯେହ୍ନେ ଶାମୁକୁଁ ବାହାରେ ମୁକୁତା ।
କାଳେ ଭୋଗ କରେ ତାହା ଦେବତା ।
ଗୁଣ ଘୋଷୁ ଘୋଷୁ ଜ୍ଞାନ ହୋଇଲା ।
ଏକ ଗୋପୀଏ ଥାଇଣ ବୋଇଲା ।
ଯାହା ମହିମା ଦେବଙ୍କୁ ଦିର୍ଲ୍ଲଭ ।
କାହିଁ ପ୍ରାପତ ଆମ୍ଭଙ୍କୁ ସୁଲଭ ।
ଭାରା ଉଶ୍ବାସିବା ପାଇଁ ଜନମ ।
ଆନ ବେଳେ କରି ନୋହେ ସେମାନ ।
ଭାଗ୍ୟ ଯେତେ ଦିନ ଥିଲା ଆମ୍ଭର ।
କୃଷ୍ଣ ଘେନି ଖେଳୁଥିଲୁଁ ସଙ୍ଗର ।

ଜଗଦାତ୍ମାରେ ଜଗତ ପୂରିତ ।
କୃଷ୍ଣ ଜାଣିଲେ ଗୋପୀଙ୍କ ଆରତ ।
ବେଗେ ରାଇଲେ ଉଦ୍ଧବଙ୍କୁ ପାଶ ।
ତୁମ୍ଭେ ଗୋପପୁରକୁ ଯାଇ ଆସ ।
ତୁ ଯେ ଭକତ ଆମ୍ଭର ବାନ୍ଧବ ।
ତେଣୁ ବରଗୁ ଅଛୁଁ ଭକ୍ତଠାବ ।
ମୋତେ ନ ଦେଖିଣ ଗୋପୀ ଗୋପାଳ ।
ନିରନ୍ତରେ ହୋଉଛନ୍ତି ବିକଳ ।
ମୋତେ ନ ଲୋଡ଼ନ୍ତି ଗୋପୀ ଯେମନ୍ତେ ।
ତାଙ୍କୁ ବୁଝାଇ କହିବ ତେମନ୍ତ ।
ଆଜ୍ଞା ପ୍ରମାଣେ ଉଦ୍ଧବ ଚଳଇ ।
ଯାଇଁ ଗୋପନଗରେଣ ମିଳଇ ।
ପାଶେ ବସାଇଣ ଗୋପୀ ଗୋପାଳ।
ତାଙ୍କୁ ବାରତା ପୁଚ୍ଛନ୍ତି ସକଳ ।
କୃଷ୍ଣ କହିବା କଥାମାନ କହି ।
ବେଗେ ଉଦ୍ଧବ ବାହୁଡ଼ି ଆସଇ ।
ଗୋପୀ ବିରହ ବୋଲି ସୁଧାରିସ ।
ଶୁଣି ସୁଜନେ କଳୁଷ ବିନାଶ ।
କୃଷ୍ଣ ପଦ୍ମପାଦରେ ଦେଇ ଚିତ୍ତ ।
ଦାସ ଦନାଇ ସେବେ ଗୋପୀନାଥ ।