ଜାତି, ଜାଗୃତି ଓ ପ୍ରଗତି/ଫକୀରମୋହନ, ମଧୁସୂଦନ ଓ ବିଜୁବାବୁ ଆଉଥରେ ଜନ୍ମ ହୁଅନ୍ତେ କି ?

ଉଇକିପାଠାଗାର ରୁ
Jump to navigation Jump to search
ଜାତି, ଜାଗୃତି ଓ ପ୍ରଗତି (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଫକୀରମୋହନ, ମଧୁସୂଦନ ଓ ବିଜୁବାବୁ ଆଉଥରେ ଜନ୍ମ ହୁଅନ୍ତେ କି ?

୯୬ / ଜାତି, ଜାଗୃତି ଓ ପ୍ରଗତି


ଫକୀରମୋହନ, ମଧୁସୂନ ଓ ବିଜୁବାବୁ ଆଉଥରେ ଜନ୍ମ ହୁଅନ୍ତେ କି?


ଆଧୁନିକ ଓଡ଼ିଶାର ବର୍ତ୍ତମାନ ବୟସ ୭୨ବର୍ଷ ୯ମାସ । ଆଉ ମାତ୍ର ୧୫ମାସ ପରେ ୭୫ବର୍ଷ ଛୁଇଁବ । ସରକାରୀ ସ୍ତରରେ ଏହାର ପାଳନପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେବ । ନିଜକୁ ସ୍ୱାଭିମାନୀ ଓଡ଼ିଆ ବୋଲି କହୁଥିବା କେତେକ ଖାଉଟିଆ ଗୋଷ୍ଠୀ ଆରମ୍ଭ କରିବେ ମହା ଆଡ଼ମ୍ବରରେ ହୀରକ ଜୟନ୍ତୀ ପାଳନର ଅପୂର୍ବ ସମାରୋହ । ଏହି ସମୟରେ ଏମାନେ ଗତ ୭୫ ବର୍ଷର ଘଟଣାବହୁଳ ପ୍ରତ୍ୟେକ ମୁହୂର୍ତ୍ତକୁ ମନେ ପକାଇବା ବଳରେ ହିସାବ କରିଚାଲିବେ କିଏ କେତେ ଖାଇବେ ଆଉ ପାଇବେ । ମାତ୍ର ଅତୀତର ଏହି ଗୌରବମୟ ଇତିହାସକୁ ଆଧାର କରି ବଞ୍ଚିଥବ ଏହି କଳଙ୍କିତ ୭୨ ବର୍ଷର ଓଡ଼ିଶା, ତା’ର ସନ୍ତାନଗଣପାଇଁ ବିଶ୍ୱସ୍ତରରେ ଯେତେ ଗର୍ବିତ ହୋଇନାହିଁ, ତା’ଠାରୁ ଢ଼େର ଅଧିକ ଲଜ୍ଜିତ ହୋଇଯାଇଛି ବୋଲି କେହି ବି ଆତ୍ମସମୀକ୍ଷା କରିବେ ନାହିଁ । ଗୋଟିଏ ଜାତି ଏହି ସମୟ ଭିତରେ ପାଇଛି କ’ଣ? ଆଉ ହରାଇଛି କ’ଣ ତାହା ମଧ୍ୟ ଏହି ମାଟି ଉପରେ ବାସ କରୁଥିବା ଚାରିକୋଟି ବ୍ୟକ୍ତିବିଶେଷ ମନେପକାଇବେ ନାହିଁ ।


ଏ ଜାତିର ଗତି ତଳକୁ କାହିଁକି?

ଏକ ଲଢ଼ୁଆ ଜାତିକୁ ପଙ୍ଗୁ କରିବାପାଇଁ କୁଟିଳ ବଣିକ ଇଂରେଜଜାତି ଶାସନର ଚକ୍ରବ୍ୟୁହରେ ଖଣ୍ଡ ଖଣ୍ଡ କରି ସାରିବା ପରେ, ଏହି ମାଟିର ଜନତାବର୍ଗଙ୍କୁ ଶାସନ କରିବାପାଇଁ ଏକା ଓଡ଼ିଶା ଭୂ-ଭାଗର ଅଂଶବିଶେଷ ଥିବା ବଙ୍ଗାଳୀଙ୍କୁ ଆଣି ଓଡ଼ିଶା ନାମରେ ଚିହ୍ନିତ ଥିବା ଏକ କ୍ଷୁଦ୍ର ଅଞ୍ଚଳ- କଟକ, ପୁରୀ, ବାଲେଶ୍ୱର ଭଳି ସମୃଦ୍ଧ ଭୂଖଣ୍ଡକୁ


ଜାତି, ଜାଗୃତି ଓ ପ୍ରଗତି / ୯୭
ସେମାନଙ୍କ ହାତରେ ଟେକି ଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସ୍ୱାଭିମାନ ଓ ସ୍ୱାବଲମ୍ବନକୁ ଧ୍ୱଂସ କରିବାପାଇଁ । ଫଳରେ ବଙ୍ଗାଳୀଙ୍କ ଚକ୍ରାନ୍ତ ଯୋଗୁଁ ୧୮୬୬ ମସିହାରେ ଖାଦ୍ୟଶସ୍ୟର ଘୋର ଅଭାବ ଘଟି ଯେଉଁ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା, ସେଥିରେ କୃଷି, ଶିଳ୍ପ ଓ ବାଣିଜ୍ୟକୁ ନେଇ ବଞ୍ଚୁଥିବା ଓଡ଼ିଶା ମାଟିର ତିନିଭାଗ ଜନସାଧାରଣ କେବଳ ମରି ଯାଇ ନ ଥିଲେ, ବରଂ ଯେକୌଣସି ପ୍ରକାରରେ ବଞ୍ଚିଥିବା ଏକଭାଗ ଓଡ଼ିଆଙ୍କଠାରୁ ସ୍ୱାଭିମାନ, ସ୍ୱାବଲମ୍ବନ ଆଉ ସଂସ୍କୃତି ସଭ୍ୟତାକୁ ନେଇ ଗର୍ବ କରିବାର ଟାଣପଣ ମଧ୍ୟ ମରିଯାଇଥିଲା । ତଥାପି ଯେଉଁ କେତେଜଣଙ୍କଠାରେ ଏହା ବଞ୍ଚି ରହିଥିଲା, ତାହା କେବଳ କୁଚକ୍ରୀ ବଙ୍ଗାଳୀ ନୁହଁ ବରଂ ତ‌ତ୍କାଳୀନ ଇଂରେଜ ଅଫିସରଗଣଙ୍କୁ ମଧ୍ୟ ହତଚକିତ କରିଦେଇଥିଲା ବୋଲି ସେମାନଙ୍କ ବହୁ ଲେଖାରୁ ଜଣାପଡ଼େ ।

ତଥାପି ବଙ୍ଗାଳୀ ଜମିଦାରୀଙ୍କ ଆଧିପତ୍ୟ ତଥା ପ୍ରଲୋଭନ‌ଦ୍ୱାରା ଗରିବୀ ତାଡ଼ନାରେ ଜର୍ଜରିତ ଏହି ଓଡ଼ିଆ ପୁଅ ଧନୀ ହେବାର ମୋହକୁ ଗ୍ରହଣ କରି, ସ୍ୱାଭିମାନକୁ ତ୍ୟାଗ କରିବାପାଇଁ ଆଗେଇ ଆସିବାରୁ ଓଡ଼ିଶା ମାଟିରୁ ଲୋପ ପାଇଗଲା ନିଃସ୍ୱାର୍ଥପରତା, ସ୍ୱାଭିମାନ ଆଉ ସ୍ୱାବଲମ୍ବନ । ଏହା ବଳରେ ଦୃଢ଼ ଭାବରେ ସ୍ଥାପିତ ହେଲା ସ୍ୱାର୍ଥୀ, କୁଚକ୍ରୀ, ପଦଲେହନକାରୀ ତଥା କଳହପ୍ରିୟ ଓଡ଼ିଆ କଙ୍କଡ଼ା ଜାତି । ଯେଉଁମାନଙ୍କ ସାହାଯ୍ୟରେ ବଙ୍ଗାଳୀ କିରାଣୀ ଦଳ ତେଜି ଉଠିଲେ ଓଡ଼ିଆ ମାଟିରୁ ଓଡ଼ିଆଭାଷା ଓ ସଂସ୍କୃତିକୁ ଲୋପ କରି ବଙ୍ଗଳାଭାଷା ଓ ସଂସ୍କୃତି ପ୍ରଚଳନ କରିବାପାଇଁ । ଆଉ ଏହାକୁ ନୀରବ ସମର୍ଥନ କରିଥିଲେ ସେ ସମୟରେ ନିଜକୁ ଅସହାୟ ମଣୁଥିବା ଓଡ଼ିଶାବାସୀ । ଯେମିତି ଇଂରେଜୀ, ହିନ୍ଦୀ, ତେଲୁଗୁ ଭାଷା ସଂସ୍କୃତରି ପ୍ରଭାବକୁ ଆମେ ବର୍ତ୍ତମାନ ଉଚ୍ଚଶିକ୍ଷତ ଓଡ଼ିଆ ପ୍ରତିବାଦ ନ କରି ନୀରବ ସମର୍ଥନ କରୁଛୁ ।

ଜଣେ ଯୋଗଜନ୍ମାଙ୍କ ଆବିର୍ଭାବ :

ଜାତିଟିଏ ଲୋପ ପାଇଲା ବେଳକୁ ଜଣେ ଜଣେ ଯୋଗଜନ୍ମା ସନ୍ତାନଙ୍କ ଆବିର୍ଭାବ ପରି ବଙ୍ଗାଳୀ ଆକ୍ରମଣର ପ୍ରଥମ କେନ୍ଦ୍ରବିନ୍ଦୁ ପାଲଟିଥିବା ବାଲେଶ୍ୱର ମାଟି ଫକୀରମୋହନ ନାମକ ଯେଉଁ ବ୍ୟକ୍ତିକୁ ଜନ୍ମ ଦେଇଥିଲା; ସେହି ମହାମହିମ ବ୍ୟକ୍ତିଟି କ୍ଷୁଧା, ଦାରିଦ୍ର୍ୟ, ଅଭାବ, ଅନଟନ, ପାରିବାରିକ ଝଡ଼ଝଞ୍ଜା ଭିତରେ ରହି ମଧ୍ୟ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆମପାଇଁ ସୁରକ୍ଷିତ ରଖିବାରେ ସଫଳ ହୋଇଥିଲେ ।
ଫକୀରମୋହନ ବାଲ୍ୟକାଳରୁ ନିଜ ସ୍ୱାଭିମାନକୁ ହରାଇ ନ ଥିଲେ । ତେଣୁ ସେ ଓଡ଼ିଆଙ୍କଠାରେ ସ୍ୱାଭିମାନର ଅଭାବକୁ ଅନୁଭବ କରିଥିଲେ । ବିଶେଷ କରି ବଙ୍ଗାଳୀ


୯୮/ ଜାତି, ଜାଗୃତି ଓ ପ୍ରଗତି
କିରାଣୀ ଦଳ ଓଡ଼ିଆ ପାଠ୍ୟପୁସ୍ତକର ଅଭାବ ଦର୍ଶାଇ ଯେତେବେଳେ ଓଡ଼ିଶାର ମାଟିବଂଶ ଅବଧାନଙ୍କଠାରୁ ଓଡ଼ିଆ ଶିକ୍ଷା ପ୍ରଣାଳୀ ଛଡ଼େଇ ନେଇ ଆଧୁନିକ ପ୍ରଣାଳୀରେ ବଙ୍ଗଳା ଶିକ୍ଷା ପ୍ରଚଳନ କରିବାକୁ ଅଣ୍ଟା ଭିଡ଼ି ବାହାରିଲେ, ସେତେବେଳେ ଫକୀରମୋହନ ନିଜେ ରାତି ରାତି ଅନିଦ୍ରା ରହି ଓଡ଼ିଆ ଭାଷାଦ୍ୱାରା ଆଧୁନିକ ଶୈଳୀରେ ଇତିହାସ, ଭୁଗୋଳ, ଜୀବନୀ, ବିଜ୍ଞାନ, ସାମାଜିକ ଜ୍ଞାନ, ପୁରାଣ, କବିତା ଇତ୍ୟାିଦି ରଚନା କରି ପ୍ରମାଣ କରାଇଦେଲେ ଯେ, ଓଡ଼ିଆ ମଧ୍ୟ ଆଧୁନିକ ଶିକ୍ଷା ସମ୍ବଳିତ ପୁସ୍ତକ ରଚନା କରିପାରେ । କେବଳ ସେତିକି ନୁହେଁ, ପାଶ୍ଚାତ୍ୟ ସାହିତ୍ୟ ଅନୁକରଣରେ ସାମାଜିକ ସ୍ଥିତିକୁ ବହନ କରିଥିବା ଗଳ୍ପ, ଉପନ୍ୟାସ, କବିତା ଭଳି କାଳଜୟୀ ପୁସ୍ତକମାନ ରଚନା କରି କୁଚକ୍ରୀ ବଙ୍ଗାଳୀ ଲେଖକମାନଙ୍କୁ ମୁହଁତୋଡ଼ ଜବାବ ଦେଇ ସୂଚାଇଥିଲେ ଯେ, ଓଡ଼ିଆ ବି ଏଭଳି ସାହିତ୍ୟ ସୃଷ୍ଟି କରିପାରେ ।

ଏହା ପରର ଘଟଣା ଆମେମାନେ ସମସ୍ତେ ଜାଣିଛେ । ବଙ୍ଗାଳୀ ଚକ୍ରାନ୍ତ ମାତ୍ର ୫ ବର୍ଷ ଭିତରେ ପଣ୍ଡ ହୋଇଗଲା କେବଳ ଏହି ବ୍ୟକ୍ତିର ଓଡ଼ିଆ ପ୍ରାଣତା ଓ ପ୍ରଚଣ୍ଡ ସ୍ୱାଭିମାନୀ ବିବେକ ଯୋଗୁଁ । ଯଦିଓ ନିଜର ଜୀବନ ଜୀବିକାପାଇଁ ଇଂରେଜ ପ୍ରଶାସନ ସହିତ ଘନିଷ୍ଠତା ବଢ଼ାଇଥିଲେ, ତଥାପି ଏଥିରେ ଓଡ଼ିଆ ଜାତିର ସ୍ୱାଭିମାନକୁ ତଳେ ନ ପକାଇ ବରଂ ଉଚ୍ଚ କରିବାରେ ସେ ଏହି ଘନିଷ୍ଠତାକୁ ବ୍ୟବହାର କରିଥିଲେ । ଓଡ଼ିଆ ଜାତିର ଏହି ଚାଣକ୍ୟଙ୍କ ସ୍ଥାନ ପୂରଣ କରିବ କିଏ?

ଆଉ ଜଣେ ସୁଯୋଗ୍ୟ ସନ୍ତାନ :

ଠିକ ସେହିପରି ଆମେ ଆଉ ଜଣେ ବ୍ୟକ୍ତିଙ୍କୁ ଦେଖୁ- ମଧୁସୂଦନ ଦାସ । ହାଇସ୍କୁଲ ଶିକ୍ଷା ପରେ ଶିକ୍ଷକତାକୁ ଆଦରି ନେଇ ଯେତେବେଳେ ବାଲେଶ୍ୱର ମାଟିରେ ପାଦ ଦେଲେ ସେତେବେଳେ ସେ ମଧ୍ୟ ଅନୁଭବ କରିଥିଲେ ସ୍ୱାଭିମାନୀ ଓଡ଼ିଆଙ୍କ ଦାରୁଣ ଅବସ୍ଥାକୁ । ଏହାର ଦୂରୀକରଣପାଇଁ ଉଚ୍ଚଶିକ୍ଷିତ ଓଡ଼ିଆଙ୍କ ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ନିଜେ ଉଚ୍ଚଶିକ୍ଷା ଲାଭ କରିବାକୁ ଆଗ୍ରହୀ ହେଲେ । ମାତ୍ର ଏଠାରେ ଉଚ୍ଚଶିକ୍ଷାର କୌଣସି ସୁବିଧା ନାହିଁ । ଯାହା କେବଳ କଲିକତାରେ ହିଁ ମିଳିପାରିବ । ତେଣୁ ବାପାଙ୍କ ପାଖକୁ ନିଜର ଅଭିଳାଷ କଥା ଚିଠିଦ୍ୱାରା ଜଣାଇଦେଇ ଡଙ୍ଗା ଚଢ଼ି ଚାଲି ଯାଇଥିଲେ କଲିକତା । ସେଠାରେ ଦୀର୍ଘ ତିନିିଦିନ ଧରି ମୁଢ଼ି ଆଉ ରାସ୍ତାକଡ଼ ପାଣି ଛଡ଼ା ତାଙ୍କୁ ଆଉ କିଛି ମିଳି ନ ଥିଲା, କି କୌଣସି ଓଡ଼ିଆ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ ଏହି ଉଚ୍ଚାକାଂକ୍ଷୀ ଯୁବକଙ୍କ ନିକଟକୁ । ମାତ୍ର ଦୃଢ଼ ଇଚ୍ଛାଶକ୍ତି ନିକଟରେ ସମସ୍ୟା ହାର ମାନିଯାଏ- ଏହି କଥା ପ୍ରମାଣ କରିଦେଲେ ମଧୁସୂଦନ । ଉଚ୍ଚଶିକ୍ଷା ମୋହରେ, ଜାତିକୁ ଜାତି, ଜାଗୃତି ଓ ପ୍ରଗତି / ୯୯
ଆଗେଇ ନେବାର ଦୃଢ଼ ଇଚ୍ଛାରେ ନିଜର ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟଧର୍ମ ଗ୍ରହଣ କଲେ । ଜଣେ ଖ୍ରୀଷ୍ଟଧର୍ମ ପ୍ରଚାରକଙ୍କ ସାହାଯ୍ୟରେ କଲିକତାରୁ କଲେଜସ୍ତରୀୟ ଶିକ୍ଷା ଗ୍ରହଣ କରିସାରିବା ପରେ ଚୁକ୍ତି ଅନୁଯାୟୀ ଯେତେବେଳେ ତାଙ୍କୁ ଖ୍ରୀଷ୍ଟଧର୍ମ ପ୍ରଚାରପାଇଁ କୁହାଗଲା, ସେତେବେଳେ ସେ ରୋକ୍‌ଠୋକ ମନା କରିଦେଲେ ଏବଂ କଲିକତାରେ ଚଳିବାପାଇଁ ଟିଉସନ ଆରମ୍ଭ କଲେ । ସେ ସମୟରେ ବିଶିଷ୍ଟ ଶିକ୍ଷାବିତ୍, କଲିକତା ବିଶ୍ୱଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ଆଶୁତୋଷ ମୁଖାର୍ଜୀଙ୍କୁ ପାଇଥିଲେ ଛାତ୍ର ରୂପେ ତାଙ୍କର ଘରୋଇ ଶିକ୍ଷକ ଭାବରେ ଶିକ୍ଷକତା କରି । ତଥାପି ଅର୍ଥର ଅଭାବ ପୂରଣ ନ ହେବାରୁ ‘ସହଜ ଇଂରେଜୀ ଶିକ୍ଷା’ ବହି ମୁଦ୍ରଣ କରି ବିକ୍ରି କରିବା ଆରମ୍ଭ କଲେ । ପରେ ଆଇନ୍ ଶିକ୍ଷା ସମାପ୍ତ କରି ଓକିଲାତିକୁ ବୃତ୍ତି ଭାବରେ ଗ୍ରହଣ କଲେ । ଜାତିରେ ଖ୍ରୀଷ୍ଟିୟାନ, ମୁହଁରେ ବଙ୍ଗଳା ଭାଷାଥିବା ‘ମଧୁ ଉଡେ’ ଘର, ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ ମଧ୍ୟ ମାଟିର ମୋହକୁ ଏଡେଇ ପାରି ନ ଥିଲେ । ଏହି ସମୟରେ ଓଡ଼ିଶା ମାଟିରେ ବଙ୍ଗାଳୀଙ୍କ ଚକ୍ରାନ୍ତ, ନୂଆ ଭାବରେ ଗଠିତ ହୋଇଥିବା ବିହାର-ଓଡ଼ିଶା ରାଜ୍ୟରେ ବିହାରୀଙ୍କ ପ୍ରାଦୁର୍ଭାବ ତଥା ନୀରିହ ଓଡ଼ିଆଙ୍କ ଦୁଃଖମୟ ସ୍ଥିତିକୁ ଆଉ ଦେଖି ନ ପାରି ସେ ଫେରି ଆସିଥିଲେ ଓଡ଼ିଶାବାସୀ ଆଉ ଓଡ଼ିଆମାଟିର ସେବା କରିବାପାଇଁ । ଯେତେବେଳେ ସେ କଟକର କିଲଟରୀ ହତାରେ ପାଦ‌ଦେଲେ, ସେତେବେଳେ ତାଙ୍କୁ ବସିବାପାଇଁ କୋଉ ଓଡ଼ିଆ କିମ୍ବା ବଙ୍ଗାଳୀ ଓକିଲଗଣ ସ୍ଥାନ ଟିକିଏ ଦେଇ ନ ଥିଲେ । ନିଜର ବୁଦ୍ଧିବଳରେ ସେ କେବଳ ସେଠାରେ ସ୍ଥାନ ପାଇଲେ, ତା’ ନୁହେଁ ବରଂ କେତୋଟି ମାତ୍ର ଦିନ ପରେ ସମଗ୍ର ଓଡ଼ିଆ ଜାତିଙ୍କ ହୃଦୟରେ ସ୍ଥାନ ପାଇଗଲେ । ସେହି ସମୟରେ ଛିନ୍ନ ବିଚ୍ଛିନ୍ନ ହୋଇଥିବା ଓଡ଼ଶାର ବିଭିନ୍ନ ଅଞ୍ଚଳକୁ ଏକାଠି କରିବାକୁ ସେ ଉକ୍ରଳ ସମ୍ମିଳନୀ ନାମକ ଯେଉଁ ଛୋଟିଆ ବୃକ୍ଷଟିଏ ଲଗାଇଥିଲେ, ସେ ବୃକ୍ଷଟି ବୃଦ୍ଧି ପାଇ ପରବର୍ତ୍ତୀ କାଳରେ ତାଙ୍କୁ ସିନା ଘଉଡ଼ାଇ ଦେଲା, ମାତ୍ର ଗୋଟିଏ ଜାତିକୁ ଭାଷା ଭିତ୍ତିରେ ଏକାଠି କରିବାରେ ଏହି ବୃକ୍ଷ ରୂପକ ଅନୁଷ୍ଠାନଟି ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା, ତାହା ଅନ୍ୟତ୍ର ଦେଖିବାକୁ ବିରଳ । ଏହି ମଧୁବାବୁଙ୍କ ଉଉ୍ୟମ ଯୋଗୁଁ ୭୨ ବର୍ଷ ୯ ମାସ ତଳେ ଓଡ଼ିଆ ଜାତିକୁ ଏକାଠି କରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ମାଧ୍ୟମରେ ଓଡ଼ିଶାର ଆତ୍ମପରିଚୟ ସୃଷ୍ଟି କରିଥିଲେ । କେବଳ ସେତିକି ନୁହେଁ, ମୁହଁରେ ବଙ୍ଗଳା କହୁଥିଲେ ମଧ୍ୟ ଓଡ଼ିଆ ଭାଷା, ଓଡ଼ିଆ ଜାତି, ଓଡ଼ିଆ ଧର୍ମ, ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ସ୍ୱାଭିମାନର ସୁରକ୍ଷାପାଇଁ ସେ ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ତାଙ୍କରି ମାନସ ପ୍ରସୂତ ସ୍ୱାୟତ୍ତଶାସନ ବ୍ୟବସ୍ଥା ଆଜି ଭାରତୀୟ ଗଣତନ୍ତ୍ରର ଏକ ସୁଦୃଢ଼ ସ୍ତମ୍ଭ । ସର୍ବପ୍ରଥମେ ତାଙ୍କଦ୍ୱାରା ପ୍ରଚଳିତ କୁଟୀରଶିଳ୍ପର ବିକାଶ ଓ ସ୍ୱଦେଶୀ ଆନ୍ଦୋଳନ ମହାତ୍ମାଗାନ୍ଧୀଙ୍କର ହୋଇଯାଇଥିଲା ଦିବ୍ୟ ଅସ୍ତ୍ର । ଯାହାକୁ ଗ୍ରହଣ

୧୦୦ / ଜାତି, ଜାଗୃତି ଓ ପ୍ରଗତି
କରି ଆଜି ସମଗ୍ର ଭାରତ ପାଇଛି ସ୍ୱାଧୀନତା । ଆଜି ଖୋର୍ଦ୍ଧା ମହାରାଜା ଓଡ଼ିଶାରେ ଗଜପତି ମହାରାଜାର ସାମାଜିକ ପ୍ରତିଷ୍ଠା ପାଇଛନ୍ତି; ତାହା ମଧ୍ୟ ଏହି ମଧୁବାବୁଙ୍କ ଯୋଗୁଁ । ଯଦି ମଧୁବାବୁ ନ ଥାନ୍ତେ, ତେବେ ଓଡ଼ିଶା ନ ଥାନ୍ତା, ଓଡ଼ିଆ ଜାତି ନ ଥାନ୍ତା, ଓଡ଼ିଆ ସଂସ୍କୃତି ନ ଥାନ୍ତା । ପୁରୀ ଗଜପତି ବଂଶ ଓଡ଼ିଶାର ଅନ୍ୟାନ୍ୟ ରାଜବଂଶ ପରି ଅଲୋଡ଼ା ହୋଇପଡିଥାନ୍ତା । ଓଡ଼ିଆ ଜାତିପ୍ରତି ଏ ପ୍ରଗାଢ଼ ଆନ୍ତରିକତା ଆଉ କାହା ପାଖରେ ଅଛି?

ଶେଷ ଯୋଦ୍ଧା ବିଜୁ!

ମଧୁବାବୁଙ୍କ ଶେଷ ନିଶ୍ୱାସ ତ୍ୟାଗ ବେଳକୁ ଏହି ଓଡ଼ିଶାମାଟି ଆଉ ଏକ ଯୋଗଜନ୍ମାଙ୍କୁ ଜନ୍ମ ଦେଇ ଯୌବନରେ ପହଞ୍ଚାଇ ସାରିଥିଲା ମଧୁବାବୁଙ୍କ ବାକିଥିବା କାର୍ଯ୍ୟକୁ ଆଗେଇ ନେବାକୁ । ସେ ବ୍ୟକ୍ତିଜଣଙ୍କ ହେଲେ ଭୂମିପୁତ୍ର ବିଜୁ ପଟ୍ଟନାୟକ । ଯୁବାବସ୍ଥା ବେଳକୁ ଇଂରେଜୀ ଗୋଲାମୀକୁ ସହି ପାରୁ ନ ଥିବା ଏହି ବ୍ୟକ୍ତିିଟି ସ୍ୱାଧୀନତା ସମୟରେ ଦୁଃସାହସିକ ପଦକ୍ଷେପମାନ ନେଇ କେବଳ ଓଡ଼ିଶାର ବିକାଶ ନୁହଁ, ସମଗ୍ର ଭାରତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଏହି ଉଦ୍ଦାମ ଯୁବକ ବିଜୁ ପଟ୍ଟନାୟକ ନିଜର କାର୍ଯ୍ୟଶୈଳୀ ଯୋଗୁଁ ଦିନେ ବିଶିଷ୍ଟ ସମାଲୋଚକଙ୍କ ଲେଖନୀରେ ନେହେରୁଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଭାବରେ (After Nehru who?) ପରିଗଣିତ ହୋଇଥିଲେ । ନେହେରୁଙ୍କ ମୁଖ୍ୟ ପରାମର୍ଶଦାତାମଣ୍ଡଳୀ ମଧ୍ୟରେ ଅନ୍ୟତମ ଏହି ବ୍ୟକ୍ତି ପାକିସ୍ତାନ ଆକ୍ରମଣର ଜବାବ୍ ବୋକୁ ଯାଇ ୧୯୪୮ରେ ଶ୍ରୀନଗର ବିମାନ ବନ୍ଦରରେ ନିଜର ଡାକୋଟା ବିମାନକୁ ସର୍ବ ପ୍ରଥମେ ଅବତରଣ କରାଇବାର ଦୁଃସାହସ ହେଉ, କିମ୍ବା ୧୯୬୨ ଚୀନ୍ ଯୁଦ୍ଧ ବେଳେ ହିମାଳୟର ଉତ୍ତୁଙ୍ଗ ଶିଖରରେ ସୈନ୍ୟବାହିନୀଙ୍କୁ ଖାଦ୍ୟ ଯୋଗାଇବାର ଅକ୍ଳାନ୍ତ ଚେଷ୍ଟା ଯୋଗୁଁ ହେଉ; ସେ ସମଗ୍ର ଭାରତବାସୀଙ୍କଠାରେ ଆଦରଣୀୟ ହୋଇପାରିଥିଲେ । କେବଳ ସେତିକି ନୁହେଁ, ଓଡ଼ିଆ ପ୍ରାଣପାଇଁ ତାଙ୍କ ହୃଦୟରେ ଯେଉଁ ଆବେଗ ଥିଲା, ଯେଉଁ ଉନ୍ମାଦନା ଭରି ରହିଥିଲା, ତାହା ପୂରଣ କରିଥିଲେ ପାରାଦ୍ୱୀପ ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ସୁନାବେଢ଼ାସ୍ଥିତ ମିଗ୍ ବିମାନ କାରଖାନା, ଚୌଦ୍ୱାର, ଜଗତପୁର, ମଞ୍ଚେଶ୍ୱର ଭଳି ଅସଂଖ୍ୟ ଶିଳ୍ପାଞ୍ଚଳ ଗଢ଼ି ସେ ଖଣିଜ ସମ୍ପଦଶାଳୀ ଓଡ଼ିଶାରେ ଶିଳ୍ପର ବିକାଶ ଘଟାଇବାକୁ ସେ ଦୃଢ଼ ଉଦ୍ୟମ କରିଥିଲେ । ଓଡ଼ିଶା ମାଟିରେ ପ୍ରଶାସନକୁ ବିକେନ୍ଦ୍ରୀକରଣ କରିବାପାଇଁ ଏବଂ କୁଟୀରଶିଳ୍ପକୁ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ଦେବାପାଇଁ ସେ କେବଳ ବ୍ଲକ୍ ଓ ଜିଲ୍ଲା ସଂଖ୍ୟା ବଢ଼ାଇ ନ ଥିଲେ, ବରଂ ପ୍ରତ୍ୟେକ ବ୍ଳକ୍‌ରେ ପଞ୍ଚାୟତ ଶିଳ୍ପ ସଂସ୍ଥା ସ୍ଥାପନ କରିଥିଲେ; ଯାହା ସମଗ୍ର ଭାରତବର୍ଷରେ ପ୍ରଥମ ଥିଲା । ବିଜୁବାବୁ ଏଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ, ଯିଏ ନିର୍ଭୟରେ ଓଡ଼ିଆ

ଅଧିକାର ଦର୍ଶାଇବାକୁ ଯାଇ କହିପାରୁଥିଲେ-‘ମୁଁ ଇନ୍ଦିରାକୁ କହିଲି, ମୋତେ ଗୋଟିଏ ବମ୍ବେ ଦେ, ମୋର ପାରାଦ୍ୱୀପକୁ ବମ୍ବେ କରିବାକୁ ପଡିବ ।’ କିମ୍ବା ‘ମୁଁ ସ୍ୱରାଜ ପାଲ୍‌କୁ କହିଲି, ମୋତେ ଗୋଟିଏ ଇସ୍ପାତ କାରଖାନା ଗଢ଼େଇ ଦେ, ମୋ ଓଡ଼ିଶା ମାଟିରେ ଲୁଚି ରହିଥିବା ଲୁହାପଥରକୁ ଓଡ଼ିଆପୁଅମାନେ ତରଳାଇ ଇସ୍ପାତ ତିଆରି କରିବେ ।’

ହୀରକ ଜୟନ୍ତୀ ବୟସରେ ପଦାର୍ପଣ କରିବାକୁ ଯାଉଥିବା ଓଡ଼ିଶା ଆଜି ବିଭିନ୍ନ ସମସ୍ୟାକୁ ନେଇ ଗତି କରୁଛି । ଯଦିଓ ଏହି ମାଟି ତା’ର ସନ୍ତାନବର୍ଗଙ୍କୁ ଉଚ୍ଚଶିକ୍ଷା ଦେଇଛି; ଏହାର ମାଟି ତଳେ ଲୁଚି ରହିଥିବା ପ୍ରଚୁର ଖଣିଜ ସଂପଦକୁ ବ୍ୟବହାର କରିବାପାଇଁ, ନ‌ଦୀ, ନାଳ, ଘଞ୍ଚ ଅରଣ୍ୟକୁ ସଦୁପଯୋଗ କରି ଖାଦ୍ୟ ଅଭାବ ଦୂର କରିବାପାଇଁ ସୁଯୋଗ ଦେଇଛି; ତଥାପି ଓଡ଼ିଆଜାତି ବିଶ୍ୱ ଦୃଷ୍ଟିରେ ନିଜକୁ ପ୍ରତିଷ୍ଠିତ କରିପାରିନାହିଁ । ଓଡ଼ିଶାଠାରୁ ବହୁ ପଛରେ ଜନ୍ମଲାଭ କରିଥିବା ଆନ୍ଧ୍ର, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, ହରିୟାଣା, ଉରାଞ୍ଚଳ ଆଦି ରାଜ୍ୟଗୁଡ଼ିକ ବିକାଶ ଦୃଷ୍ଟିରୁ ଓଡ଼ିଶାକୁ ଅତିକ୍ରମ କରିଯାଇଥିଲା ବେଳେ, ଓଡ଼ିଶା ଆଜି ତା’ର ଦୂରଦୃଷ୍ଟିବିହୀନ ସନ୍ତାନଗଣଙ୍କପାଇଁ ପଛରେ ପଡ଼ିରହିଛି ।

ଯେଉଁ କେତେଜଣ ବ୍ୟକ୍ତି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ସମ୍ପଦ ଓ ସ୍ୱାଭିମାନର ବିଲୋପତାକୁ ଦେଖିପାରି ଆକୁଳ ଚିକ୍ରାର କରୁଛନ୍ତି; ସେମାନେ ନିଜ ସ୍ୱାର୍ଥକୁ ଆଉ କେତେଜଣ ସ୍ୱାର୍ଥୀ ଓଡ଼ିଆଙ୍କ ପ୍ରରୋଚନାରେ ତଥା ଓଡ଼ିଶାକୁ ଲୁଟ୍ କରିବାକୁ ଆସିଥିବା ଅଣଓଡ଼ିଆଙ୍କ ପ୍ରଲୋଭନରେ ନିଜର ବିବେକକୁ ବନ୍ଧା ପକେଇ ଓଡ଼ିଆତ୍ୱ ଲୋପ କରିବା ଉଦ୍ଦେଶ୍ୟରେ ଆଗେଇ ଆସୁଛନ୍ତି । ଏମାନଙ୍କୁ ପ୍ରତିରୋଧ କରିବା ପାଇଁ ଆଉ କ’ଣ ଏ ମାଟିରେ ଫକୀରମୋହନ, ମଧୁସୂଦନ କିମ୍ବା ବିଜୁବାବୁ ସୃଷ୍ଟି ହେବେନାହିଁ ! ନା, ଏ ମାଟି ଏହିଭଳି ଯୋଗଜନ୍ମାଙ୍କୁ ଧାରଣ କରିବାରେ ଅକ୍ଷମ ହୋଇପଡ଼ିଛି ?

କିଏ ହେବ ଏହି ତିନି ନାୟକଙ୍କ ଉପଯୁକ୍ତ ଦାୟାଦ ?

ସତରେ ! ଆଜିର ଏ ଦୁସ୍ଥିତିକୁ ଦେଖିଲା ପରେ ଓଡ଼ିଆପ୍ରାଣରୁ ଦୀର୍ଘନିଶ୍ୱାସ ସହ ବାହାରିପଡୁଛି-ଫକୀରମୋହନ, ମଧୁସୂନ ଓ ବିଜୁବାବୁ ଆଉଥରେ ଜନ୍ମ ହୁଅନ୍ତେକି ?

***