ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୧୧ ସେତେବେଳେ ଏହା ଆମମାନଙ୍କୁ ତାଙ୍କ ନିକଟକୁ ନେଇଯାଏ, ଯେ ମୃତ୍ୟୁମୟ ଜଗତରେ ଏକମାତ୍ର ଜୀବନ, ଯେ ନିୟତ ପରିବର୍ତ୍ତନଶୀଳ ବିଶ୍ୱର ନିତ୍ୟ ଅଧ୍ୟଷ୍ଠାନ, ଯେ ଏକମାତ୍ର ଆତ୍ମା, ଜୀବାତ୍ମାସମୂହ ଯାହାଙ୍କର ମାୟାମୟ ପ୍ରକାଶ ମାତ୍ର । ଏହି ଦୁଇଟି ଉପଦେଶକୁ ଯୋଡ଼ିଏ ପରମ ଓ ବିଶିଷ୍ଟ ସତ୍ୟ ବୋଲି ଗ୍ରହଣ କରାଯାଇପାରେ, ମାନବ ଇତିହାସର ଦୀର୍ଘତମ ଓ ଜଟିଳତମ ଅଭିଜ୍ଞତା ଦ୍ୱାରା ପ୍ରମାଣିତ ଏହି ସତ୍ୟକୁ ଭାରତବର୍ଷ ସ୍ବାମୀ ବିବେକାନନ୍ଦଙ୍କ ମାଧ୍ୟମରେ ଆଧୁନିକ ପାଶ୍ଚାତ୍ୟ ଜଗତ ସମକ୍ଷରେ ଘୋଷଣା କରିଥିଲା । ଭାରତ ପାଇଁ ଏହି କ୍ଷୁଦ୍ର ଭାଷଣଟି ସ୍ୱାଧିକାର ପ୍ରତିଷ୍ଠାର ଏକ ସଂକ୍ଷିପ୍ତ ପ୍ରମାଣପତ୍ର । ବକ୍ତା ହିନ୍ଦୁଧର୍ମକୁ ସାମଗ୍ରିକ ଭାବରେ ବେଦ ଉପରେ ପ୍ରତିଷ୍ଠା କରିଛନ୍ତି; କିନ୍ତୁ ବେଦ ଶବ୍ଦଟି ସେ ଯେତେବେଳେ ଉଚ୍ଚାରଣ କଲେ, ସେତେବେଳେ ବେଦ ବିଷୟରେ ଆମର ଧାରଣା ଆଧ୍ୟାତ୍ମ ଭାବରେ ମଣ୍ଡିତ ହୋଇଅଛି । ତାଙ୍କ ପକ୍ଷରେ ଯାହାକିଛି ସତ୍ୟ ତାହା ହିଁ ‘ବେଦ’ । ସେ କହିଛନ୍ତି ବେଦ ଶବ୍ଦ ଦ୍ୱାରା କୌଣସି ଗ୍ରନ୍ଥକୁ ବୁଝାଏ ନାହିଁ । ତାହା ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଆବିଷ୍କୃତ ସତ୍ୟସମୂହର ସତ ଭଣ୍ଡାରକୁ ହିଁ ବୁଝାଏ । ପ୍ରସଙ୍ଗ କ୍ରମେ ସେ ସନାତନ ଧର୍ମ ସମ୍ବନ୍ଧରେ ମଧ୍ୟ ତାଙ୍କର ଧାରଣାକୁ ବ୍ୟକ୍ତ କରିଛନ୍ତି –ଯାହା ତୁଳନାରେ ଆଧୁନିକ ବୈଜ୍ଞାନିକ ଆବିଷ୍କାରସମୂହ ପ୍ରତିଧ୍ବନି ପରି ମନେହୁଏ । ସେହି ବେଦାନ୍ତ-ଦର୍ଶନର ମହତ୍ତମ ଅଧ୍ୟାତ୍ମ ଚେତନାରୁ ଆରମ୍ଭ କରି ବହୁ ବିଚିତ୍ର ପୁରାଣସମନ୍ବିତ ନିମ୍ନତମ ମୂର୍ତ୍ତିପୂଜା, ବୌଦ୍ଧମାନଙ୍କର ଅଜ୍ଞେୟବାଦ, ଜୈନମାନଙ୍କର ନିରୀଶ୍ବରବାଦ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ଥାନ ହିନ୍ଦୁଧର୍ମରେ ଅଛି । ତାଙ୍କ ଚିନ୍ତାରେ ଏପରି କୌଣସି ସମ୍ପ୍ରଦାୟ, ଏପରି କୌଣସି ମତବାଦ—ଭାରତବାସୀଙ୍କର ଏପରି କୌଣସି ଆନ୍ତରିକ ଧର୍ମାନୁଭୂତି ଥାଇ ନ ପାରେ, ଯାହା ଯଥାର୍ଥ ଭାବରେ ହିନ୍ଦୁଧର୍ମର ବହିର୍ଭୁତ ହୋଇପାରେ । ବ୍ୟକ୍ତିବିଶେଷ ଏହି ସମ୍ପ୍ରଦାୟ ବା ମତବାଦ ବା ଅନୁଭୂତିକୁ ଯେତେ ବିପଥଗାମୀ ବୋଲି ଭାବନ୍ତୁ ପଛେ, ସେଥିରେ କିଛି ଯାଏ ଆସେ ନାହିଁ । ତାଙ୍କ ମତରେ ବ୍ୟକ୍ତିର ନିଜର ଇଷ୍ଟଦେବତା ବିଷୟକୁ ଶିକ୍ଷା ହିଁ ହେଲା ଭାରତବର୍ଷର ଏହି ମୂଳ ଧର୍ମଭାବର ବୈଶିଷ୍ଟ୍ୟ । ପ୍ରତ୍ୟେକ ଆତ୍ମାର ନିଜର ପନ୍ଥା ନିର୍ବାଚନ କରିବାର ଏବଂ ନିଜ ଭାବରେ ଈଶ୍ୱର ଅନୁସନ୍ଧାନ କରିବାର ଯେଉଁ ଅଧିକାର, ତାଙ୍କ ମତରେ ସନାତନ ହିନ୍ଦୁଧର୍ମର ଏହା ଏକ ବୈଶିଷ୍ଟ୍ୟପୂର୍ଣ୍ଣ ଶିକ୍ଷା । ତାହା ହେଲେ ଏହି ସଂଜ୍ଞାନୁସାରେ ହିନ୍ଦୁଧର୍ମର ବିଶାଳ ସାମ୍ରାଜ୍ୟର ପତାକା କୌଣସି ସୈନ୍ୟବାହିନୀ ବହନ କରି ନ ପାରେ, କାରଣ ଭଗବପ୍ରାପ୍ତି ତାହାର ଯେପରି ଆଧ୍ୟାତ୍ମିକ ଲକ୍ଷ୍ୟ, ସେହିପରି ପ୍ରତ୍ୟେକ ଆମ୍ବାର ସ୍ବରୂପଲାଭ ବା ସ୍ୱରୂପପ୍ରାପ୍ତି ପାଇଁ ପୂର୍ଣ୍ଣସ୍ବାଧୀନତା ତାର ଆଧ୍ୟାତ୍ମ ଅନୁଶାସନ । ତଥାପି ହିନ୍ଦୁଧର୍ମରେ ଏମାନଙ୍କୁ ଗ୍ରହଣ କରିବା ଏବଂ ପ୍ରତ୍ୟେକ ବ୍ୟକ୍ତିର ଏହି ସ୍ୱାଧୀନତା ଏ ଧର୍ମର ଗୌରବର କାରଣ ହୋଇ