ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୧୪ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା କ୍ଷେମ-ତ୍ୟାଗ ଏବଂ ବର୍ଜନ ସଦୃଶ ଦାୟସ୍ବରୂପ ।। । ଏହି ଉପଲବ୍ଧ ହିଁ ବିବେକାନନ୍ଦଙ୍କୁ କର୍ମର ମହାନ୍ ପ୍ରଚାରକରେ ପରିଣତ କରିଛି । କର୍ମ ଜ୍ଞାନ ଓ ଭକ୍ତିଠାରୁ ବିଛିନ୍ନ ନୁହେଁ, ବରଂ ଏଗୁଡ଼ିକର ପ୍ରକାଶକ ମାତ୍ର । ତାଙ୍କ ନିକଟରେ କାରଖାନା, ପାଠଗୃହ, କ୍ଷେତଖମାର ପ୍ରଭୃତି ସାଧୁର କୁଟୀର କିମ୍ବା ମନ୍ଦିର ପରି ପବିତ୍ର ଏବଂ ଭଗବାନଙ୍କ ସହିତ ମନୁଷ୍ୟର ମିଳନର ଉପଯୁକ୍ତ କ୍ଷେତ୍ର । ତାଙ୍କ ନିକଟରେ ମାନବ ସେବାରେ ଓ ଭଗବଦାରାଧନାରେ କୌଣସି ପ୍ରଭେଦ ନାହିଁ; ତାଙ୍କ ନିକଟରେ ପୁରୁଷକାର ଓ ବିଶ୍ବାସରେ, ଯଥାର୍ଥ ସଦାଚାର ଓ ଆଧ୍ୟାତ୍ମିକତାରେ କୌଣସି ପାର୍ଥକ୍ୟ ନାହିଁ । ଗୋଟିଏ ଦିଗରୁ ଦେଖୁଲେ ତାଙ୍କର ସକଳ ବାଣୀ ଏହି ମୁଖ୍ୟତତ୍ତ୍ୱର ଭାଷ୍ୟ ବୋଲି ବୋଧହୁଏ । ଥରେ ସେ କହିଥିଲେ, ଚାରୁକଳା, ବିଜ୍ଞାନ ଓ ଧର୍ମଗୋଟିଏ ସତ୍ୟକୁ ପ୍ରକାଶ କରିବାର ତିନୋଟି ଉପାୟ ।” କିନ୍ତୁ ଏହି କଥାର ଯଥାର୍ଥ ମର୍ମ ବୁଝିବାକୁ ହେଲେ ଆମମାନଙ୍କୁ ଅଦ୍ବୈତବାଦ ଗ୍ରହଣ କରିବାକୁ ହେବ । ଯେଉଁ ଗଠନମୂଳକ ପ୍ରଭାବଦ୍ୱାରା ତାଙ୍କର ଅଲୌକିକ ଦୃଷ୍ଟି ନିରୂପିତ ହୋଇଥିଲା, ତାହାର ତିନୋଟି ସୂତ୍ର ଅଛି । ପ୍ରଥମତଃ ସଂସ୍କୃତ ଓ ଇଂରାଜୀ ସାହିତ୍ୟରେ ତାଙ୍କର ଶିକ୍ଷାଲାଭ । ଏହି ଭାବରେ ଦୁଇଟି ବିରୁଦ୍ଧ ଜଗତର ସଂଘାତ ତାଙ୍କ ନିକଟରେ ସ୍ପଷ୍ଟ ହୋଇଉଠିଥିଲା; ଏହା ସହିତ ଭାରତୀୟ ଶାସ୍ତ୍ରସମୂହର ମୂଳ ବିଷୟବସ୍ତୁରୂପେ ଯେଉଁ ବିଶେଷ ଉପଲବ୍ଧି, ତାହାର ଦୃଢ଼ ଧାରଣା ଜଡ଼ିତ ଥିଲା । ଅତଏବ ଏହି ଉପଲବ୍ଧି ଯଦି ସତ୍ୟ ହୋଇଥାଏ, ତେବେ ଅନ୍ୟମାନଙ୍କ ନିକଟରେ ଆକସ୍ମିକ ହେଲେ ମଧ୍ୟ ଭାରତୀୟ ଋଷିମାନେ ଆକସ୍ମିକ ଭାବରେ ଏହି ସତ୍ୟର ସମ୍ମୁଖୀନ ହୋଇ ନ ଥିଲେ । ଏହା ଗୋଟିଏ ବିଜ୍ଞାନ-ପ୍ରତିପାଦ୍ୟ ବିଷୟ, ସେହି ଯୁକ୍ତିମୂଳକ ବିଶ୍ଳେଷଣର ବିଷୟୀଭୂତ-ଯାହା ସତ୍ୟ ଅନ୍ବେଷଣରେ କୌଣସି ପ୍ରକାର ତ୍ୟାଗ ସ୍ବୀକାର କରିବାକୁ ବିମୁଖ ନୁହେଁ ।

ଦକ୍ଷିଣେଶ୍ୱରର ମନ୍ଦିରୋଦ୍ୟାନରେ ରହି ଶ୍ରୀରାମକୃଷ୍ଣ ପରମହଂସ ଯେତେବେଳେ ତାଙ୍କର ଭାବ ଶିକ୍ଷା ଦେଉଥିଲେ, ସେତେବେଳେ ସ୍ୱାମୀ ବିବେକାନନ୍ଦ-ତଦାନୀନ୍ତନ ନରେନ’ ତାଙ୍କ ଗୁରୁଙ୍କ ଭିତରେ ପୁରାତନ ଶାସ୍ତ୍ରସମୂହର ସେହି ପ୍ରମାଣ ପାଇଥିଲେ, ଯାହା ତାଙ୍କ ହୃଦୟ ଓ ବୁଦ୍ଧି ଖୋଜୁଥିଲା । ଏଠାରେ ସେ ସେହି ତତ୍ତ୍ବକୁ ପାଇଥିଲେ, ଯାହା ଗ୍ରନ୍ଥିସମୂହରେ ଅସ୍ଫୁଟ ଭାବରେ ବର୍ଣ୍ଣିତ । ଏଠାରେ ଏପରି ଜଣେ ଥିଲେ, ସମାଧି ଯାହାଙ୍କ ଜ୍ଞାନଲାଭର ଏକମାତ୍ର ପଦ୍ଧତି । ମୁହୁର୍ମୁହୁ ତାଙ୍କ ମନର ଗତି ବହୁରୁ ଏକ ଅଭିମୁଖରେ ଧାବିତ ହେଉଥିଲା । ପ୍ରତି ମୁହୁର୍ତ୍ତରେ ତାଙ୍କ ସମାଧିଲବ୍ଧ ଜ୍ଞାନ ବାଣୀରୂପେ ଉଚ୍ଚାରିତ ହେଉଥିଲା । ତାଙ୍କ ସାନ୍ନିଧ୍ୟରେ ଯେଉଁମାନେ ଥିଲେ, ସେମାନେ ସମସ୍ତେ ଦିବ୍ୟଦର୍ଶନ ଲାଭ କରିଥିଲେ । ଏହି ଶିଷ୍ୟଟିକୁ ଅତୀନ୍ଦ୍ରିୟ ଜ୍ଞାନଲାଭର ତୃଷ୍ଣା ଜ୍ବର ଭଳି ଘୋଟିଯାଇଥିଲା ।