Jump to content

ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୧୫ ଯଦିଓ ରାମକୃଷ୍ଣ ଧର୍ମଗ୍ରନ୍ଥ-ସମୂହର ଜୀବନ୍ତ ବିଗ୍ରହ ଥିଲେ, ତଥାପି ସେ ତାଙ୍କ ଅଜ୍ଞାତସାରରେ ଏହି ରୂପ ଥିଲେ, କାରଣ ସେ କୌଣସି ଗ୍ରନ୍ଥ ପଢ଼ି ନ ଥିଲେ । ଗୁରୁ ରାମକୃଷ୍ଣ ପରମହଂସଙ୍କୁ ନିକଟରେ ବିବେକାନନ୍ଦ ତାଙ୍କ ଜୀବନର ଚାବିକାଠି ଖୋଜି ପାଇଥିଲେ ।

ତେବେ ସୁଦ୍ଧା ତାଙ୍କର ନିର୍ଦ୍ଧାରିତ କର୍ମ ପାଇଁ ପ୍ରସ୍ତୁତ ସମ୍ପୂର୍ଣ୍ଣ ହୋଇନାହିଁ । ତାଙ୍କୁ ହିମାଳୟଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତବର୍ଷର ସର୍ବତ୍ର ଭ୍ରମଣ କରିବାକୁ ହୋଇଥିଲା - ସାଧୁ, ପଣ୍ଡିତ ଓ ସାଧାରଣ ମନୁଷ୍ୟ ସହିତ ସମଭାବରେ ମିଶିବାକୁ ହୋଇଥିଲା, ସମସ୍ତଙ୍କ ନିକଟରୁ ଶିକ୍ଷା ଗ୍ରହଣ କରିବାକୁ ହୋଇଥିଲା, ସମସ୍ତଙ୍କୁ ଶିଖାଇବାକୁ ହୋଇଥିଲା, ସମସ୍ତଙ୍କ ନିକଟରେ ବାସ କରିବାକୁ ହୋଇଥିଲା ଏବଂ ଭାରତମାତା ଅତୀତରେ ଯେପରି ଥିଲେ ଏବଂ ଯାହା ହୋଇଛନ୍ତି ତାହା ଦେଖିବାକୁ ହୋଇଥିଲା-ଏହି ଭାବରେ ବିଶାଳ ସମଗ୍ରତାର ସର୍ବାବଗାହିତ୍ୱ ତାଙ୍କ ଉପଲବ୍ଧି କରିବାକୁ ହୋଇଥିଲା—ତାଙ୍କ ଗୁରୁଦେବଙ୍କ ଜୀବନ ଓ ବ୍ୟକ୍ତିତ୍ୱ ଯାହାର ସଂକ୍ଷିପ୍ତ ଓ ଘନୀଭୂତ ବିଗ୍ରହ ।


ସୁତରାଂ ଶାସ୍ତ୍ର, ଗୁରୁ ଓ ମାତୃଭୂମି—ଏହି ତିନୋଟି ସ୍ୱର ମିଳିତ ହୋଇ ସୃଷ୍ଟି କରିଛି ସ୍ୱାମୀ ବିବେକାନନ୍ଦଙ୍କ ରଚନାବଳୀର ମହାନ୍ ସଙ୍ଗୀତ । ଏହି ସମ୍ପଦ ହିଁ ତାଙ୍କ ପକ୍ଷରୁ ଉପହାର ଦେବାର ଥିଲା । ଏହିସବୁ ଉପାଦାନ ଦ୍ୱାରା ସେ ପୃଥିବୀ ପାଇଁ ତାଙ୍କର ଅପାର୍ଥିବ କରୁଣାସିକ୍ତ ସର୍ବତାପହର ମହୌଷଧି ପ୍ରସ୍ତୁତ କରିଥିଲେ । ଏଗୁଡ଼ିକ ଯେପରି ତିନୋଟି ଦୀପଶିଖା ସଦୃଶ-ଗୋଟିଏ ଦୀପାଧାରରେ ହିଁ ପ୍ରଜ୍ଜଳିତ । ଭାରତବର୍ଷ ଏହି ପ୍ରଦୀପକୁ ତାଙ୍କ ହସ୍ତରେ ଜଳାଇ ରଖୁଛନ୍ତି - ତାଙ୍କ ସନ୍ତାନଗଣ ଓ ସମଗ୍ର ମାନବଜାତିର ପଥନିର୍ଦ୍ଦେଶ କରିବା ପାଇଁ–୧୯ ସେପ୍ଟେମ୍ବର ୧୮୯୩ ଠାରୁ ୪ ଜୁଲାଇ ୧୯୦୨ ପର୍ଯ୍ୟନ୍ତ ମାତ୍ର ଏହି କେତୋଟି ବର୍ଷର କର୍ମ ମାଧ୍ୟମରେ । କେହି କେହି ଏହି ଦୀପ ପ୍ରଜ୍ଜଳନ ପାଇଁ ଓ ଯେଉଁ ଲେଖାମାଳା ସ୍ୱାମୀଜୀ ଆମମାନଙ୍କ ପାଇଁ ରଖିଯାଇଛନ୍ତି, ସେଥିପାଇଁ ସ୍ବସ୍ତିବାଦ ଜଣାଉଛନ୍ତି—ସେହି ଦେଶକୁ, ଯେଉଁ ଦେଶରେ ସେ ଜନ୍ମଗ୍ରହଣ କରିଥିଲେ, ଧନ୍ୟବାଦ ଜଣାଉଛନ୍ତି ସେମାନଙ୍କୁ, ଯେଉଁମାନେ ତାଙ୍କୁ ପାଶ୍ଚାତ୍ୟକୁ ପ୍ରେରଣ କରିଥିଲେ ଏବଂ ଆମର ବିଶ୍ୱାସ, ଏବେ ସୁଦ୍ଧା ତାଙ୍କ ବାଣୀର ବିଶାଳତା ଓ ତାତ୍ପର୍ଯ୍ୟ ବୁଝିବାର ସୌଭାଗ୍ୟ ଆମର ହୋଇନାହିଁ । ୪ ଜୁଲାଇ, ୧୯୦୭ ରାମକୃଷ୍ଣ ବିବେକାନନ୍ଦଙ୍କ ନିବେଦିତା। (N.of RK. V)