ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭୂମିକା

ଆଧାର୍ମିକ ଭାବଧାରା ଏବଂ ସେଦିନ ତାଙ୍କ ଭିତରଦେଇ ସେହି ଭାବଗୁଡ଼ିକ ସର୍ବପ୍ରଥମ ସଂଜ୍ଞା, ଐକ୍ୟ ଓ ରୂପଲାଭ କରିଥିଲା । ଭାରତବର୍ଷର ଯେଉଁ ଧର୍ମକୁ ସେ ପ୍ରଥମେ ଦକ୍ଷିଣେଶ୍ୱରରେ ନିଜ ଗୁରୁଙ୍କ ମଧ୍ୟରେ ଏବଂ ପରେ ଭାରତର ସର୍ବତ୍ର ଭ୍ରମଣକାଳରେ ପ୍ରତ୍ୟକ୍ଷ କରିଥିଲେ, ତାହାହିଁ ଏଠାରେ ତାଙ୍କ ମୁଖରୁ ନିଃସୃତ ହେଲା । ଯେଉଁ ଭାବଗୁଡ଼ିକ ମଧ୍ୟରେ ସମଗ୍ର ଭାରତର ଐକ୍ୟ ନିହିତ, ସେହି ଭାବଗୁଡ଼ିକ ସେ ବ୍ୟକ୍ତ କରିଥିଲେ, ଅନୈକ୍ୟର କଥାଗୁଡ଼ିକ ପ୍ରକାଶ କରିନଥିଲେ । ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀସମ୍ପନ୍ନ ଧର୍ମମହାସମେଳନରେ(ବିଭିନ୍ନ ଧର୍ମବିଷୟକ) ପ୍ରବନ୍ଧାଦି ଆଲୋଚନା କରିବା ପାଇଁ ସତର ଦିନ ଲାଗିଗଲା । ସେପ୍ଟେମ୍ବର ୧୯ ତାରିଖରେ ସ୍ବାମୀ ବିବେକାନନ୍ଦ ସ୍ଵୀୟ ଲିଖିତ ପ୍ରବନ୍ଧ ପାଠ କଲେ । କିନ୍ତୁ ଯେଉଁଦିନ ପ୍ରତିନିଧିମାନଙ୍କ ଉଦ୍ଦେଶ୍ୟରେ ଆନୁଷ୍ଠାନିକ ଅଭ୍ୟର୍ଥନାସୂଚକ ବକୃତା ଏବଂ ସେଗୁଡ଼ିକର ଉତ୍ତର ପ୍ରଦତ୍ତ ହୋଇଥିଲା, ସେହି ପ୍ରଥମ ଦିନରୁ ସ୍ୱାମୀଜୀ ଶ୍ରୋତୃବର୍ଗର ସଂସ୍ପର୍ଶରେ ଆସିଥିଲେ । ଅପରାହ୍ନର ଶେଷ ଆଡ଼କୁ ସେ ଅଭ୍ୟର୍ଥନାର ଉତ୍ତର ଦେଲେ । ଯେତେବେଳେ ସେ ସରଳ ଭାରତୀୟ ସମ୍ବୋଧନ ମାଧ୍ୟମରେ ଆମେରିକାବାସୀଗଣଙ୍କୁ “ଭଗିନୀ ଓ ଭ୍ରାତା’ ବୋଲି ସମ୍ଭାଷଣ କଲେ, ଯେତେବେଳେ ସେହି ପ୍ରାଚୀ ସନ୍ନ୍ୟାସୀ ନାରୀଜାତିକୁ ପ୍ରଥମ ସ୍ଥାନ ଦେଲେ ଏବଂ ସମଗ୍ର ଜଗତକୁ ନିଜ ପରିବାର ବୋଲି ଘୋଷଣା କଲେ, ସେତେବେଳେ ସେହି ମହାସମେଳନରେ ଆନନ୍ଦର ଯେଉଁ ଶିହରଣ ସଞ୍ଚାରିତ ହୋଇଥିଲା, ତାହା ଶ୍ରୋତୃବର୍ଗଙ୍କ ନିକଟରୁ ମୁଁ ଅନେକ ଥର ଶୁଣିଛି । ସେମାନେ କହିଲେ, “ଆମର ସ୍ବଜାତୀୟ କୌଣସି ବ୍ୟକ୍ତି ଏପରି ଭାବରେ ଆମକୁ ସମ୍ବୋଧନ କରିବା କଥା ଭାବିପାରିଲେ ନାହିଁ ! ସେହି ମୁହୁର୍ଭରୁ ବୋଧ ହୁଏ ତାଙ୍କର ନିଶ୍ଚିତ ସାଫଲ୍ୟର ସୂଚନା ମିଳି ଥିଲା। ପରେ ସମ୍ମେଳନର ବ୍ୟବସ୍ଥାପକଗଣଙ୍କୁ, ଉଦବେବେଳିତ ଶ୍ରୋତୃବର୍ଗଙ୍କୁ କୌଶଳରେ ଶାନ୍ତ କରିବା ପାଇଁ ବହୁବାର କହିବାକୁ ପଡ଼ିଥିଲା ଯେ, ସେମାନେ ଯଦି ଧୈର୍ଯ୍ୟ ଧାରଣ କରି ଅପେକ୍ଷା କରନ୍ତି, ତାହାହେଲେ ସର୍ବଶେଷରେ ସ୍ୱାମୀଜୀ ଗୋଟିଏ ଗପ କହିବେ ବା ବକୃତା ଦେବେ । ଏହି ଭାଷଣସମୂହର କିଛି କିଛି ଅଂଶ ସୁରକ୍ଷିତ ହୋଇ ଏହି ପୁସ୍ତକରେ ଅନ୍ୟାନ୍ୟ ବକୃତାମଧ୍ୟରେ ସଂକ୍ଷିପ୍ତ ଭାଷଣରୂପେ ସନ୍ନିବେଶିତ ହୋଇଛି ।

ହିନ୍ଦୁ ଧର୍ମର ଇତିହାସରେ ଏହି ସମ୍ମେଳନ ଏପରି ଗୋଟିଏ ଯୁଗର ସୂଚନା କରିଛି, ଯାହାର ମୂଲ୍ୟ ଓ ଗୁରୁତ୍ୱ କାଳକ୍ରମେ ଆହୁରି ଗଭୀର ଭାବରେ ଉପଲବ୍ଧି କରାଯିବ । କେବଳ ବାହ୍ୟ ଚାକଚକ୍ୟ ଓ ଆଡ଼ମ୍ବରଦିଗରୁ ପ୍ରତିନିଧିମାନଙ୍କର ସମ୍ମେଳନ ସଭା ପ୍ରାରମ୍ଭରେ ଓ ଅବସାନରେ ଏପରି ଗୋଟିଏ ଦୃଶ୍ୟ ରଚନା କରିଥିଲା, ଯାହା ଆମର ସମସାମୟିକ କେହି ହେଲେ କେବେ ଦେଖି ନଥିବେ । କୋଟିକୋଟି ମାନବଙ୍କର ବିଭିନ୍ନ ଧର୍ମମତର ପ୍ରତିନିଧିଗଣ ମଞ୍ଚ ଉପରେ ଉପସ୍ଥିତ ଥିଲେ । ଦୃଶ୍ୟଟିକୁ ଯଥାଯଥ