ଅଭ୍ୟର୍ଥନା ଉତ୍ତର କୋଟି କୋଟି ନରନାରୀ ଯେଉଁ ସ୍ତୋତ୍ରଟିକୁ ପ୍ରତିଦିନ ପାଠ କରନ୍ତି, ଯେଉଁ ସ୍ତବକଟିକୁ ମୁଁ ଶୈଶବରୁ ଆବୃତ୍ତି କରି ଆସୁଛି, ତାହାର କେତୋଟି ପଙ୍କ୍ତି ମୁଁ ଆପଣଙ୍କ ନିକଟରେ ଆବୃତ୍ତି କରୁଛି :
‘ରୁଚୀନାଂ ବୈଚିତ୍ରଦୃଜୁଟିଳ ନାନାପଥଜୁଷାମ୍ । ନୃଣାମେକୋ ଗମ୍ୟସ୍ତମସି ପୟସାମଣ୍ଡବ ଇବ ।’* ୨୩
—ବିଭିନ୍ନ ନଦୀର ଉତ୍ସ ବିଭିନ୍ନ ସ୍ଥାନରେ, କିନ୍ତୁ ସେମାନେ ସମସ୍ତେ ଯେପରି ଗୋଟିଏ ସମୁଦ୍ରରେ ସେମାନଙ୍କର ଜଳରାଶି ଢାଳି ଏକତ୍ର ମିଳତି ହୁଅନ୍ତି, ସେହିପରି ହେ ଭଗବାନ୍ ! ନିଜ ନିଜ ରୁଚିର ବୈଚିତ୍ର୍ଯବଶତଃ ସରଳ, କୁଟିଳ ପ୍ରଭୃତି ନାନା ପଥରେ ଯେଉଁମାନେ ଯାଉଛନ୍ତି, ତୁମେ ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ।
ଏହି ଧର୍ମମହାସଭା ଗୀତା-ପ୍ରଚାରିତ ସେହି ଅଦ୍ଭୁତ ମତର ସତ୍ୟତା ପ୍ରତିପନ୍ନ କରୁଛି, ସେହି ବାଣୀ ଘୋଷଣା କରୁଛି:
‘ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ । ମମ ବର୍ମାନୁବର୍ଗନ୍ତେ ମନୁଷ୍ୟ ପାର୍ଥ ସର୍ବଶଃ ॥’
—ଯେ ଯେଉଁ ଭାବ ଆଶ୍ରୟ କରି ଆସୁନା କାହିଁକି, ମୁଁ ତାକୁ ସେହି ଭାବରେ ଅନୁଗ୍ରହ କରିଥାଏ। ହେ ଅର୍ଜୁନ ! ମନୁଷ୍ୟମାନେ ସର୍ବତୋଭାବରେ ମୋ ଦିଗକୁ ହିଁ ଅନୁଗମନ କରିଥାଆନ୍ତି ।
ସାମ୍ପ୍ରଦାୟିକତା, ସଂକୀର୍ଣ୍ଣତା ଓ ଏସବୁର ଭୟାବହ ଫଳସ୍ଵରୂପ ଧର୍ମୋନ୍ମତ୍ତତା ଏହି ସୁନ୍ଦର ଧରାକୁ ବହୁକାଳ ଧରି ଅଧିକାର କରି ରଖୁଛି । ଏଗୁଡ଼ିକ ପୃଥିବୀକୁ ହିଂସାରେ ପୂର୍ଣ୍ଣ କରିଛି, ବହୁବାର ଏହାକୁ ନରଶୋଣିତରେ ସିକ୍ତ କରିଛି, ସଭ୍ୟତାକୁ ଧ୍ୱଂସ କରିଛି ଏବଂ ସମଗ୍ର ଜାତିକୁ ହତାଶାରେ ମଗ୍ନ କରିଛି । ଏହିସବୁ ଭୀଷଣ ପିଶାଚଗୁଡ଼ିକ ଯଦି ନ ଥାନ୍ତେ, ତାହାହେଲେ ମାନବସମାଜ ଆଜି ପୂର୍ବାପେକ୍ଷା ବହୁଗୁଣ ଉନ୍ନତ ହୋଇଥାଆନ୍ତା । ତେବେ ଏମାନଙ୍କର ମୃତ୍ୟୁକାଳ ଉପସ୍ଥିତ, ମୁଁ ସର୍ବାନ୍ତଃକରଣରେ ଆଶା କରେ ଯେ, ଏହି ଧର୍ମ-ମହାସମିତିର ସମ୍ମାନାର୍ଥ ଆଜି ଯେଉଁ ଘଣ୍ଟାଧ୍ଵନି ନିନାଦିତ ହୋଇଛି, ତାହା ହିଁ ସର୍ବବିଧ ଧର୍ମୋନ୍ମତ୍ତତା, ତରବାରି ଅଥବା ଲେଖନୀଦ୍ଵାରା ଅନୁଷ୍ଠିତ ସର୍ବପ୍ରକାର ନିର୍ଯ୍ୟାତନାର ଏବଂ ସେହି ଏକ ଲକ୍ଷ୍ୟଦିଗକୁ ଅଗ୍ରସର ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବବିଧ ଅସଦ୍ଭାବର ସମ୍ପୂର୍ଣ୍ଣ ଅବସାନର ବାର୍ତ୍ତା ଘୋଷଣା କରୁ ।
- ଶିବମହିମଃ ସ୍ତୋତ୍ରମ