ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୨୭ ହିନ୍ଦୁଧର୍ମ କରିବାର ଚେଷ୍ଟା କରେ—‘ମୁଁ’ ‘ମୁଁ’ ‘ମୁଁ’, ତାହାହେଲେ ମୋ ମନରେ କେଉଁ ଭାବ ଉଦିତ ହେବ ? ଏହି ଦେହଟି ମୁଁ~ଏହି ଭାବ ହିଁ ମନରେ ଆସେ; ତେବେ କ’ଣ ମୁଁ ଜଡ଼ର ସମଷ୍ଟି ଛଡ଼ା ଆଉ କିଛି ନୁହେଁ ? ବେଦ କହୁଛନ୍ତି : ନା, ମୁଁ ଦେହ ମଧ୍ୟସ୍ଥ ଆତ୍ମା—ମୁଁ ଦେହ ନୁହେଁ । ଦେହ ମରିବ; କିନ୍ତୁ ମୁଁ ମରିବି ନାହିଁ । ମୁଁ ଏହି ଦେହ ମଧ୍ୟରେ ଅଛି; କିନ୍ତୁ ଯେତେବେଳେ ଏହି ଦେହ ମରିଯିବ, ସେତେବେଳେ ମଧ୍ୟ ମୁଁ ବଞ୍ଚି ରହିବି ଏବଂ ତା’ପୂର୍ବରୁ ମଧ୍ୟ ମୁଁ ଥୁଲି । ଆତ୍ମା ଶୂନ୍ୟରୁ ସୃଷ୍ଟ ନୁହେଁ, କାରଣ ‘ସୃଷ୍ଟି’ ଶବ୍ଦର ଅର୍ଥ ବିଭିନ୍ନ ଦ୍ରବ୍ୟର ସଂଯୋଗ; ଭବିଷ୍ୟତରେ ନିଶ୍ଚୟ ଏଗୁଡ଼ିକ ବିଚ୍ଛିନ୍ନ ହେବ । ଅତଏବ ଆତ୍ମା ଯଦି ସୃଷ୍ଟ ପଦାର୍ଥ ହୁଅନ୍ତି, ତା’ହେଲେ ନିଶ୍ଚୟ ଏହା ମରଣଶୀଳ ହେବ: ସୁତରାଂ ଆତ୍ମା ସୃଷ୍ଟି ପଦାର୍ଥ ନୁହଁନ୍ତି । କେହି ଜନ୍ମକାଳରୁ ସୁଖଭୋଗ କରୁଛନ୍ତି—ଶରୀର ସୁସ୍ଥ ଓ ସୁନ୍ଦର, ମନ ଉତ୍ସାହପୂର୍ଣ, କୌଣସି ଜିନିଷର ଅଭାବ ନାହିଁ; ପୁଣି କେହି ଜାତ ହେବା ଦିନୁ ଦୁଃଖ ଭୋଗ କରୁଛନ୍ତି, କାହାର ହାତଗୋଡ଼ ନାହିଁ, କେହି ବା ଜଡ଼ବୁଦ୍ଧି ଏବଂ ଅତିକଷ୍ଟରେ ଜୀବନଯାପନ କରୁଛନ୍ତି । ସମସ୍ତେ ଯଦି ଏକ ନ୍ୟାୟପରାୟଣ ଓ କରୁଣାମୟ ଈଶ୍ଵରଙ୍କ ଦ୍ବାରା ସୃଷ୍ଟି, ତେବେ କେହି ସୁଖୀ ଏବଂ କେହି ଦୁଃଖୀ ହେଲେ କାହିଁକି ? ଭଗବାନ କାହିଁକି ଏତେ ପକ୍ଷପାତୀ ? ଯଦି କୁହ ଯେ, ଯେଉଁମାନେ ଏଜନ୍ମରେ ଦୁଃଖ ଭୋଗ କରୁଛନ୍ତି, ପରଜନ୍ମରେ ସେମାନେ ସୁଖୀ ହେବେ, ତାହାହେଲେ ଅବସ୍ଥାର କିଛି ହେଲେ ଉନ୍ନତି ହେଲା ନାହିଁ । ଦୟାମୟ ଓ ନ୍ୟାୟପରାୟଣ ଈବରଙ୍କ ରାଜ୍ୟରେ ଜଣେ ହେଲେ କାହିଁକି ଦୁଃଖ ଭୋଗ କରିବ ? ଦ୍ବିତୀୟତଃ ସୃଷ୍ଟିକର୍ତ୍ତା ଇଶ୍ଵରଙ୍କୁ ଏହି ଭାବରେ ଦେଖିଲେ ଏହି ଦୃଷ୍ଟିଭଙ୍ଗି ମଧ୍ୟରେ ସୃଷ୍ଟିର ଅନ୍ତର୍ଗତ ଅସଙ୍ଗତିର କୌଣସି କାରଣ ପ୍ରଦର୍ଶନ କରିବାରେ ଚେଷ୍ଟା ଲକ୍ଷିତ ହୁଏ ନାହିଁ; ପରନ୍ତୁ ଏକ ସର୍ବଶକ୍ତିମାନ୍ ସ୍ୱେଚ୍ଛାଚାରୀ ପୁରୁଷଙ୍କର ନିଷ୍ଠୁର ଆଦେଶକୁ ହିଁ ସ୍ଵୀକାର କରାଗଲା । ସ୍ପଷ୍ଟତଃ ଏହା ଅବୈଜ୍ଞାନିକ; ଅତଏବ ସ୍ଵୀକାର କରିବାକୁ ହିଁ ହେବ, ସୁଖୀ ବା ଦୁଃଖୀ ହୋଇ ଜନ୍ମିବାର ପୂର୍ବେ ନିଶ୍ଚୟ ବହୁ ପ୍ରକାର କାରଣ ଅଛି, ଯାହା ଫଳରେ ଜନ୍ମ ପରେ ମଣିଷ ସୁଖୀ ବା ଦୁଃଖୀ ହୁଏ ଓ ତାହାର ନିଜ ପୂର୍ବଜନ୍ମର କର୍ମସମୂହ ହିଁ ସେହି ସବୁର କାରଣ । ଦେହମନର ପ୍ରବଣତା ମାତାପିତାଙ୍କର ଦେହମନର ପ୍ରବଣତାରୁ ଉତ୍ତରାଧିକାର ସୂତ୍ରରେ ଲବ୍ଧ ହୁଏ ନାହିଁ କି ? ଦେଖାଯାଉଛି ଯେ, ଦୁଇଟି ସତ୍ତା ସମାନ୍ତରାଳ ଭାବରେ ବର୍ତ୍ତମାନ : ଗୋଟିଏ ମନ, ଅପରଟି ସ୍ଥୂଳ ପଦାର୍ଥ । ଯଦି ଜଡ଼ ଓ ଜଡ଼ର ବିକାର ଦ୍ଵାରା ହିଁ ଆମର ଅନ୍ତର୍ନିହିତ ଭାବଗୁଡ଼ିକୁ ଯଥାର୍ଥଭାବେ ବ୍ୟାଖ୍ୟା କରାଯାଏ, ତେବେ ଆଉ ଆତ୍ମାର ଅସ୍ତିତ୍ଵ ସ୍ବୀକାର କରିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଜଡ଼ରେ ଯେ ଚିନ୍ତାରେ ଉଦ୍ଭବ ହୋଇଛି ଏହା ପ୍ରମାର କରିହେବ ନାହିଁ ଏବଂ ଯଦି ଦାର୍ଶନିକ ଦୃଷ୍ଟିକୋଣରୁ ଏକତ୍ଵବାଦ ଅପରିହାର୍ଯ୍ୟ ହୁଏ, ତେବେ ଆଧାମ୍ବିକ ଏକତ୍ବବାଦ ଅପେକ୍ଷା ଏହା କମ୍ ବାଞ୍ଛନୀୟ ନୁହେଁ; କିନ୍ତୁ ବର୍ତ୍ତମାନ ପ୍ରସଙ୍ଗରେ ଏ ଦୁଇଟି ଆମର କୌଣସିଟିର ପ୍ରୟୋଜନ ନାହିଁ । ଆମେ ଅସ୍ୱୀକାର କରିପାରିବା ନାହିଁ ଯେ, ଶରୀରମାତ୍ରେ ଉତ୍ତରାଧିକାର ସୂତ୍ରେ କେତେଗୁଡ଼ିଏ