ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ଉପଲବ୍ଧି କରିବା ପାଇଁ ମାନବାତ୍ମାର ବିବିଧ ଚେଷ୍ଟା ମାତ୍ର । ଜନ୍ମ, ସଙ୍ଗ ଓ ପରିବେଶ ଅନୁଯାୟୀ ପ୍ରତ୍ୟେକ ସାଧକର ସାଧନ-ପ୍ରଚେଷ୍ଟା ନିରୂପିତ ହୁଏ । ପ୍ରତ୍ୟେକଟି ସାଧନ ହିଁ କ୍ରମୋନ୍ନତିର ବିଭିନ୍ନ ଅବସ୍ଥା ମାତ୍ର । ପ୍ରତ୍ୟେକ ମାନବାତ୍ମା ହିଁ ଈଗଲ୍ ପକ୍ଷୀର ଶାବକ ପରି କ୍ରମଶଃ ଉଚ୍ଚରୁ ଉଚ୍ଚତର ସ୍ତରକୁ ଉଠି ଥାଆନ୍ତି ଏବଂ କ୍ରମଶଃ ଶକ୍ତି ସଞ୍ଚୟ କରି ଶେଷରେ ସେହି ମହାନ୍‌ ସୂର୍ଯ୍ୟର ସମୀପବର୍ତୀ ହୁଅନ୍ତି । ୩୬ ବହୁତ୍ଵ ମଧ୍ୟରେ ଏକତ୍ଵ ହିଁ ପ୍ରକୃତିର ନିୟମ—ହିନ୍ଦୁଗଣ ଏହି ରହସ୍ୟ ଉପଲବ କରିଛନ୍ତି । ଅନ୍ୟାନ୍ୟ ଧର୍ମସମୂହ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ମତବାଦକୁ ବିଧବଦ୍ଧ କରି ସମଗ୍ର ସମାଜକୁ ବଳପୂର୍ବକ ସେଗୁଡ଼ିକୁ ମାନି ନେବା ପାଇଁ ଚେଷ୍ଟା କରନ୍ତି । ସମାଜ ସମ୍ମୁଖରେ ସେମାନେ ଏକ ମାପର ଜାମା ରଖିଦିଅନ୍ତି; ଜ୍ୟାକ୍, ଜନ୍, ହେନ୍‌ରି ପ୍ରଭୃତି ସମସ୍ତଙ୍କୁ ହିଁ ଏହି ଏକ ମାପର ଜାମା ପିନ୍ଧିବାକୁ ହେବ । ଯଦି ହେନ୍‌ରି ବା ଜନ୍‌ର ଦେହକୁ ତାହା ନ ହୁଏ, ତେବେ ତାକୁ ଜାମା ନ ପିନ୍ଧି ଖାଲି ଦେହରେ ରହିବାକୁ ହେବ । ହିନ୍ଦୁଗଣ ଆବଷ୍କାର କରିଛନ୍ତି ଯେ, ଆପେକ୍ଷିକକୁ ଆଶ୍ରୟ କରିବାଦ୍ୱାରା ନିରପେକ୍ଷ ପରମ ତତ୍ତ୍ଵର ଚିନ୍ତା, ଉପଲବ୍‌ ବା ପ୍ରକାଶ କରିବା ସମ୍ଭବ; ପ୍ରତିମା, କ୍ରୁଶ୍ ବା ଚନ୍ଦ୍ରକଳା ପ୍ରତୀକମାତ୍ର, ଆଧ୍ୟାତ୍ମିକ ଭାବ ପ୍ରକାଶ କରିବାର ଅବଲମ୍ବନ– ସ୍ଵରୂପ । ଏହି ପ୍ରକାର ସାହାଯ୍ୟ ଯେ ସମସ୍ତଙ୍କ ପକ୍ଷରେ ଆବଶ୍ୟକ ତାହା ନୁହେଁ, ତେବେ ଅଧିକାଂଶ ଲୋକଙ୍କ ପକ୍ଷରେ ଏହି ପ୍ରକାର ସାହାଯ୍ୟ ଆବଶ୍ୟକ । ଯେଉଁମାନଙ୍କ ପକ୍ଷରେ ଏହା ଆବଶ୍ୟକ ନୁହେଁ, ସେମାନଙ୍କର ଏହାକୁ ଅନ୍ୟାୟ ବୋଲି କହିବାର କୌଣସି ଅଧିକାର ନାହିଁ । ଆଉ ଗୋଟିଏ ବିଷୟ କହିବା ମୋର ଅବଶ୍ୟ କର୍ତ୍ତବ୍ୟ । ଭାରତବର୍ଷରେ ମୂର୍ତ୍ତିପୂଜା କହିଲେ କୌଣସି ଅନର୍ଥକୁ ବୁଝାଏ ନାହିଁ । ଏହା ଦୁଷ୍କର୍ମର ଜନକ ନୁହେଁ, ବରଂ ଏହା ଅପରିଣତ ମନଦ୍ଵାରା ଉଚ୍ଚ ଆଧ୍ୟାତ୍ମିକ ଭାବ ଧାରଣ କରିବାର ଚେଷ୍ଟା ମାତ୍ର । ହିନ୍ଦୁମାନଙ୍କର ଅନେକ ଦୋଷ ଅଛି, ଅନେକ ବୈଶିଷ୍ଟ୍ୟ ମଧ୍ୟ ଅଛି; କିନ୍ତୁ ଏହା ଲକ୍ଷ୍ୟ କରିବାର ବିଷୟ ଯେ ସେମାନେ ସର୍ବଦା ନିଜ ଦେହକୁ ପୀଡ଼ା ଦିଅନ୍ତି, ସେମାନେ ପ୍ରତିବେଶୀଙ୍କର ଅନିଷ୍ଟ କରନ୍ତି ନାହିଁ । କୌଣସି କୌଣସି ଧର୍ମୋନ୍ମାଦ ହିନ୍ଦୁ ଚିତାଗ୍ନିରେ ନିଜ ଦେହକୁ ଦଗ୍‌ଧ କରନ୍ତି ସତ, କିନ୍ତୁ ସେମାନେ ବିଧର୍ମୀମାନଙ୍କୁ ଶାସ୍ତି ଦେବା ପାଇଁ କେବେହେଁ ଅଗ୍ନି ପ୍ରଜ୍ଜ୍ୱଳିତ କରନ୍ତି ନାହିଁ; ଏହାକୁ ଯଦି ତାଙ୍କର ଦୁର୍ବଳତା କୁହ, ତେବେ ସେ ଦୋଷ ତାଙ୍କ ଧର୍ମର ନୁହେଁ, ଯେପରି ଡାହାଣୀ ପୋଡ଼ାଇବାର ଦୋଷ ଖ୍ରୀଷ୍ଟଧର୍ମ ଉପରେ ଦିଆଯାଇପାରେ ନାହିଁ । ଅତଏବ ହିନ୍ଦୁମାନଙ୍କ ମତରେ ସମଗ୍ର ଧର୍ମ-ଜଗତ ନାନା ରୁଚି ବିଶିଷ୍ଟ ନରନାରୀଙ୍କର ନାନା ଅବସ୍ଥା ଓ ପରିବେଶ ମଧ୍ୟ ଦେଇ ସେହି ଏକ ଲକ୍ଷ୍ୟକୁ ଅଗ୍ରସର ହେବା ବ୍ୟତୀତ ଆଉ କିଛି ନୁହେଁ । ପ୍ରତ୍ୟେକ ଧର୍ମ ହିଁ ଜଡ଼ଭାବାପନ୍ନ ମନୁଷ୍ୟର ଦେବତ୍ଵକୁ ବିକଶିତ କରେ ଏବଂ ସେହି ଏକ ଚୈତନ୍ୟସ୍ୱରୂପ ଈଶ୍ବର ହିଁ ସକଳ ଧର୍ମର ପ୍ରେରଣାଦାତା । ତେବେ ଏତେ ପରସ୍ପର ବିରୋଧୀ ଭାବସବୁ କାହିଁକି ରହିଛି ? ହିନ୍ଦୁମାନେ କହନ୍ତି ଆପାତଦୃଷ୍ଟିରେ, ଭିନ୍ନ ଭିନ୍ନ ପରିବେଶରେ, ବିଭିନ୍ନ ପ୍ରକୃତିର ମନୁଷ୍ୟମାନଙ୍କର ଉପଯୋଗୀ ହେବା ପାଇଁ ସେହି ଏକ ସତ୍ୟହିଁ ଏପରି