ବୌଦ୍ଧଧର୍ମ ସହିତ ହିନ୍ଦୁଧର୍ମର ସମ୍ବନ୍ଧ (୨୬ ସେପ୍ଟେମ୍ବର, ଷୋଡ଼ଶ ଦିବସର ଅଧ୍ଵବେଶନରେ ପ୍ରଦତ୍ତ ବକ୍ତୃତା) ଆପଣମାନେ ସମସ୍ତେ ଶୁଣିଛନ୍ତି ଯେ ମୁଁ ବୌଦ୍ଧ ନୁହେଁ, ତଥାପି ଏକ ଭାବରେ ମୁଁ ବୌଦ୍ଧ । ଚୀନ, ଜାପାନ, ଓ ସିଂହଳ ସେହି ମହାନ ଗୁରୁବୁଦ୍ଧଙ୍କର ଉପଦେଶ ଅନୁସରଣ କରନ୍ତି, କିନ୍ତୁ ଭାରତ ତାଙ୍କୁ ଈଶ୍ବରାବତାର ବୋଲି ପୂଜା କରେ । ଆପଣମାନେ ବର୍ତ୍ତମାନ ଶୁଣିଲେ ଯେ, ମୁଁ ବୌଦ୍ଧଧର୍ମର ସମାଲୋଚନା କରିବାକୁ ଉଠିଛି; କିନ୍ତୁ ମୁଁ ଚାହେଁ ଯେ ଆପଣମାନେ ଏହା ପୂର୍ବୋକ୍ତ ଅର୍ଥରେ ହିଁ ଗ୍ରହଣ କରିବେ । ଯାହାଙ୍କୁ ମୁଁ ଈଶ୍ବରାବତାର ବୋଲି ପୂଜା କରେ, ତାଙ୍କ ବିରୋଧରେ ସମାଲୋଚନା କରିବା ମୋର ଅଭିପ୍ରାୟ ନୁହେଁ । ବୁଦ୍ଧଦେବଙ୍କ ସମ୍ବନ୍ଧରେ ଆମର ମତ ହେଉଛି—ତାଙ୍କର ଶିଷ୍ୟଗଣ ତାଙ୍କୁ ଠିକ୍ ଠିକ୍ ବୁଝିପାରିନାହାନ୍ତି । ଇହୁଦୀ ଧର୍ମ ସହିତ ଖ୍ରୀଷ୍ଟିୟାନ୍ ଧର୍ମର ଯେଉଁ ସମ୍ବନ୍ଧ, ହିନ୍ଦୁଧର୍ମ ଅର୍ଥାତ୍ ବେଦବିହିତ ଧର୍ମ ସହିତ ଭିମାନ ଯୁଗର ବୌଦ୍ଧଧର୍ମର ପ୍ରାୟ ସେହିପରି ସମ୍ବନ୍ଧ । ଯୀଶୁଖ୍ରୀଷ୍ଟ ଇହୁଦୀ ଥିଲେ ଓ ଶାକ୍ୟମୁନି ହିନ୍ଦୁଥିଲେ, ତେବେ ପ୍ରଭେଦ ଏତିକି ଯେ ଇହୁଦୀମାନେ ଯୀଶୁଙ୍କୁ ପରିତ୍ୟାଗ କରିଥିଲେ ଏବଂ ଏପରିକି କ୍ରୁଶରେ ବିଦ୍ଧ କରି ତାଙ୍କୁ ହତ୍ୟା କଲେ; ହିନ୍ଦୁମାନେ କିନ୍ତୁ ଶାକ୍ୟମୁନିଙ୍କୁ ଈଶ୍ଵରଙ୍କର ଅବତାର ଭାବରେ ଗ୍ରହଣ କରି ଆଜିପର୍ଯ୍ୟନ୍ତ ତାଙ୍କୁ ପୂଜା କରନ୍ତି । କିନ୍ତୁ ଆଧୁନିକ ବୌଦ୍ଧଧର୍ମ ସହିତ ବୁଦ୍ଧଦେବଙ୍କର ପ୍ରକୃତ ଶିକ୍ଷାର ଯେଉଁ ପାର୍ଥକ୍ୟ, ଆମେ ହିନ୍ଦୁମାନେ ଦେଖାଇବାକୁ ଚାହୁଁ, ତାହା ପ୍ରଧାନତଃ ଏହାଯେ, ଶାକ୍ୟମୁନି ନୂତନ କିଛି ପ୍ରଚାର କରିବାକୁ ଆସିନଥିଲେ; ଯୀଶୁଙ୍କ ପରି ସେ ମଧ୍ୟ ‘ ପୂର୍ଣ୍ଣ କରିବା ପାଇଁ ଆସିଥିଲେ, ଧ୍ୱଂସ କରିବାକୁ ଆସିନଥିଲେ ।’ ପ୍ରଭେଦ କେବଳ ଏତିକି ଯେ, ଯୀଶୁଙ୍କ କ୍ଷେତ୍ରରେ ପ୍ରାଚୀନମାନେ ଅର୍ଥାତ୍ ଇହୁଦୀମାନେ ହିଁ ତାଙ୍କୁ ବୁଝିପାରି ନାହାନ୍ତି, ଆଉ ବୁଦ୍ଧଦେବଙ୍କ କ୍ଷେତ୍ରରେ ତାଙ୍କରି ଶିଷ୍ୟମାନେ ତାଙ୍କ ଶିକ୍ଷାର ମର୍ମ ବୁଝିପାରି ନାହାନ୍ତି । ଇହୁଦୀମାନେ ଯେପରି (ଯୀଶୁଙ୍କ ମଧ୍ୟରେ) ଓଲଡ୍ ଟେଷ୍ଟାମେଣ୍ଟର ପୂର୍ଣ୍ଣ ପରିଣତି ବୁଝିପାରିନାହାନ୍ତି, ବୌଦ୍ଧଗଣ ମଧ୍ୟ ସେହିପରି (ବୁଦ୍ଧଙ୍କ ମଧ୍ୟରେ) ହିନ୍ଦୁଧର୍ମର ସତ୍ୟଗୁଡ଼ିକର ପୂର୍ଣ୍ଣ ପରିଣତି ବୁଝିପାରି ନାହାନ୍ତି । ମୁଁ ପୁଣି କହୁଛି—ଶାକ୍ୟମୁନି ପୂର୍ଣ୍ଣ କରିବାକୁ ଆସିଥିଲେ, ଧ୍ବଂସ କରିବାକୁ ନୁହେଁ; ସେ ଥିଲେ ହିନ୍ଦୁଧର୍ମର ସ୍ଵାଭାବିକ ପରିଣତି ଓ ଯୁକ୍ତି ସଂଗତ ସିଦ୍ଧାନ୍ତ- ନ୍ୟାୟସମ୍ମତ ବିକାଶ । ହିନ୍ଦୁଧର୍ମ ଦୁଇ ଭାଗରେ ବିଭକ୍ତ—କର୍ମକାଣ୍ଡ ଓ ଜ୍ଞାନକାଣ୍ଡ; ସନ୍ନ୍ୟାସୀମାନେ ଜ୍ଞାନକାଣ୍ଡର ଆଲୋଚନା କରିଥାଆନ୍ତି; ଏଥରେ ଜାତିଭେଦ ନାହିଁ । ଭାରତରେ ଯେପରି ଉଚ୍ଚତମ ବର୍ଷର ମଣିଷ ସନ୍ନ୍ୟାସୀ ହୋଇପାରେ, ସେପରି ନିମ୍ନତର ବର୍ଣ୍ଣର ମଣିଷ ମଧ୍ୟ ସନ୍ନ୍ୟାସୀ ହୋଇପାରେ । ସେତେବେଳେ ଉଭୟ ଜାତି ହିଁ ସମାନ ହୋଇଯାଆନ୍ତି । ଧର୍ମରେ ଜାତିଭେଦ ନାହିଁ; ଜାତିଭେଦ କେବଳ ଗୋଟାଏ ସାମାଜିକ ବ୍ୟବସ୍ଥା ମାତ୍ର । ଶାକ୍ୟମୁନି ସ୍ବୟଂ ସନ୍ନ୍ୟାସୀ ଥିଲେ ଏବଂ ତାଙ୍କ ହୃଦୟ ଏତେ ଉଦାର ଥିଲା ଯେ ବେଦ ମଧ୍ୟରେ ଲୁକ୍କାୟିତ ସତ୍ୟକୁ ବାହାର କରି ସେ
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪୦
Appearance