ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ବିଯୁକ୍ତ ବିଚ୍ଛିନ୍ନ ଭାବ ସ୍ପଷ୍ଟ ହିଁ ଦେଖାଇ ଦେଉଛି ଯେ ବ୍ରାହ୍ମଣର ଧୀ—ଶକ୍ତି ଓ ଦର୍ଶନ ଶାସ୍ତ୍ରର ସାହାଯ୍ୟ ନ ନେଇ ବୌଦ୍ଧମାନେ ଦୃଢ଼ତା ଲାଭ କରିପାରନ୍ତି ନାହିଁ ଏବଂ ବ୍ରାହ୍ମଣ ମଧ୍ୟ ବୌଦ୍ଧର ହୃଦୟ ଛଡ଼ା ତିଷ୍ଠି ରହି ନପାରେ । ବୌଦ୍ଧ ଓ ବ୍ରାହ୍ମଣଙ୍କର ଏହି ବିଚ୍ଛେଦ ହିଁ ଭାରତବର୍ଷର ଅବନତିର କାରଣ । ଏଥିପାଇଁ ଆଜି ଭାରତବର୍ଷ ତରିଶ କୋଟି ଭିକ୍ଷୁକର ବାସଭୂମିରେ ପରିଣତ ହୋଇଛି, ଏଥପାଇଁ ସହସ୍ର ବର୍ଷଧରି ସେ ବିଜେତାମାନଙ୍କର ଦାସତ୍ବ କରୁଛି । ଅତଏବ ଆସନ୍ତୁ, ଆମେ ବ୍ରାହ୍ମଣର ଅପୂର୍ବ ଧୀ-ଶକ୍ତି ସହିତ ଲୋକଗୁରୁ ବୁଦ୍ଧଙ୍କର ହୃଦୟ, ମହାନ ଆତ୍ମା ଏବଂ ଅସାଧାରଣ ଲୋକ କଲ୍ୟାଣକାରୀ ଶକ୍ତିକୁ ଯୁକ୍ତ କରିଦେବା । ୪୨ ବିଦାୟ ଭାଷଣ (୨୭ ସେପ୍ଟେମ୍ବର, ସପ୍ତଦଶ (ଶେଷ) ଦିବସର ଅଧିବେଶନ) ବିଶ୍ଵଧର୍ମ –ମହାସମ୍ମଳନ ଏବେ ବାସ୍ତବରେ ରୂପାୟିତ ହୋଇଛି ଏବଂ ଯେଉଁମାନେ ଏହି ମହାସଭାକୁ କାର୍ଯ୍ୟକାରୀ କରିବା ପାଇଁ ପରିଶ୍ରମ କରିଥିଲେ, କରୁଣାମୟ ଈଶ୍ବର ସେମାନଙ୍କୁ ସହାୟତା କରିଛନ୍ତି ଓ ତାଙ୍କର ନିଃସ୍ୱାର୍ଥ ପରିଶ୍ରମକୁ ସାଫଲ୍ୟମଣ୍ଡିତ କରିଛନ୍ତି । ଯେଉଁମାନଙ୍କର ପ୍ରଶସ୍ତ ହୃଦୟ ଏବଂ ସତ୍ୟାନୁରାଗ ସ୍ୱପ୍ନ ତୁଲ୍ୟ ଏହି ଆଶ୍ଚର୍ଯ୍ୟ ଘଟଣାକୁ ସର୍ବପ୍ରଥମେ କଳ୍ପନା କରିଛି ଓ ତାହାକୁ କାର୍ଯ୍ୟରେ ପରିଣତ କରିଛି, ମୁଁ ସେହି ମହାନୁଭବ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଉଛି । ଏହି ସଭାମଞ୍ଚରୁ ଯେଉଁ ସକଳ ଉଦାର ଭାବ ପରିବେଷିତ ହୋଇଛି, ସେଥ୍‌ପାଇଁ ମୁଁ କୃତଜ୍ଞ । ଏହି ଶିକ୍ଷିତ ଶ୍ରୋତୃମଣ୍ଡଳୀ ମୋ ପ୍ରତି ସମଭାବରେ ଦୟା ପ୍ରକାଶ କରିଛନ୍ତି, ଏବଂ ଯେଉଁ ଭାବଗୁଡ଼ିକଦ୍ୱାରା ବିଭିନ୍ନ ଧର୍ମସମୂହର ବିବାଦ ମନ୍ଦୀଭୂତ ହୁଏ, ତାହା ସେମାନେ ଉପଲବ୍ଧି କରିଛନ୍ତି ଓ ସେଥ୍‌ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ଏହି ସମତା ଓ ଶୃଙ୍ଖଳା ମଧ୍ୟରେ ବେଳେବେଳେ କିଛି ଶ୍ରୁତିକଟୁ ଧ୍ଵନି ମଧ୍ୟ ଶୁଣାଯାଇଛି ଏବଂ ମୁଁ ଏଥିପାଇଁ ବିଶେଷ ଭାବରେ କୃତଜ୍ଞ; କାରଣ ଏହି ବୈଷମ୍ୟଦ୍ଵାରା ସେମାନେ ଆମମାନଙ୍କର ମନୋଯୋଗ ଆକର୍ଷଣ କରିଛନ୍ତି ଏବଂ ଆମମାନଙ୍କ ମଧ୍ୟରେ ଯେଉଁ ସ୍ଵାଭାବିକ ସାମଞ୍ଜସ୍ୟ ରହିଛି, ତାହାକୁ ମଧୁରତର କରିବାର ସାହାଯ୍ୟ କରିଛନ୍ତି । ଧର୍ମସମନ୍ବୟର ସାଧାରଣ ଭିଭିଭୂମି ସମ୍ବନ୍ଧରେ ଅନେକ କଥା କୁହାହୋଇଛି । ମୁଁ ବର୍ତ୍ତମାନ ଏ ବିଷୟରେ ମୋ ମତବାଦ ଉପସ୍ଥାପନ କରୁନାହିଁ କିନ୍ତୁ ଯଦି ଏଠାରେ କେହି ଏପରି ଆଶା କରନ୍ତି ଯେ, ଏହି ଐକ୍ୟ ପ୍ରଚଳିତ ବିଭିନ୍ନ ଧର୍ମଗୁଡ଼ିକ ମଧ୍ୟରୁ ଗୋଟିକର ଅଭ୍ୟୁଦୟ ଓ ଅପରଗୁଡ଼ିକର ବିନାଶ ଦ୍ଵାରା ସାଧୁ ହେବ, ତେବେ ତାଙ୍କୁ ମୁଁ କହେ, ‘ଭାଇ ! ଏହା ତୁମର ଦୁରାଶା ।’ ମୁଁ କ’ଣ ଇଚ୍ଛା କରେ ଯେ ଜଣେ ଖ୍ରୀଷ୍ଟିୟାନ୍ ହିନ୍ଦୁ ହେଉ ? ଈଶ୍ଵର ତାହା ନ କରନ୍ତୁ । ମୋର କ’ଣ ଇଚ୍ଛା ଯେ, କୌଣସି ହିନ୍ଦୁ, ବୌଦ୍ଧ ବା ଖ୍ରୀଷ୍ଟିୟାନ୍ ହୁଅନ୍ତୁ ? ଭଗବାନ ତାହା ନ କରନ୍ତୁ ।