Jump to content

ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୪୬ ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ଭଲ ପାଆନ୍ତି କାରଣ ସେ ପ୍ରେମସ୍ୱରୂପ । ବକ୍ତା ଚିକାଗୋକୁ ଆସିବାଦିନୁ ହିଁ ମାନବର ଭ୍ରାତୃତ୍ଵ ସମ୍ବନ୍ଧରେ ଅନେକ କଥା ଶୁଣିଛନ୍ତି, ମାତ୍ର ସେ ବିଶ୍ଵାସ କରନ୍ତି ଯେ ଆହୁରି ଗୋଟିଏ ଦୃଢ଼ତର ବନ୍ଧନ ମାନବକୁ ଯୁକ୍ତ କରି ରଖୁଛି, କାରଣ ସମସ୍ତେ ହିଁ ଈଶ୍ଵର-ପ୍ରେମରୁ ସୃଷ୍ଟ । ମାନବର ଭ୍ରାତୃତ୍ବ ଈଶ୍ଵରଙ୍କ ପିତୃତ୍ଵର ହିଁ ଯୁକ୍ତିଗତ ସିଦ୍ଧାନ୍ତ । ବକ୍ତା କହିଲେ : ସେ ଭାରତର ବଣ-ଜଙ୍ଗଲରେ ଅନେକ ଭ୍ରମଣ କରିଛନ୍ତି, ପର୍ବତଗୁହାରେ ରାତ୍ରିଯାପନ କରିଛନ୍ତି, ସମଗ୍ର ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରି ସେ ଏହି ବିଶ୍ଵାସରେ ଉପନୀତ ହୋଇଛନ୍ତି ଯେ ସ୍ଵାଭାବିକ ନିୟମର ଉର୍ଦ୍ଧ୍ବରେ ଏପରି କିଛି ଅଛି, ଯାହା ମଣିଷକୁ ଅସତ୍ୟ ବା ଅନ୍ୟାୟରୁ ରକ୍ଷା କରେ ଏବଂ ଏହା ହେଉଛି ଈଶ୍ଵର ପ୍ରେମ । ଈଶ୍ବର ଯଦି ଯୀଶୁ, ମହମ୍ମଦ ଏବଂ ବୈଦିକ ଋଷିଗଣଙ୍କ ସହିତ କଥାବାର୍ତ୍ତା କରିଥାଆନ୍ତି, ତେବେ ସେ ତାଙ୍କ ସହିତ କାହିଁକି କଥା କହିବେ ନାହିଁ, ଯେହେତୁ ସେ ମଧ୍ୟ ଈଶ୍ବରଙ୍କର ସନ୍ତାନ । ସ୍ଵାମୀଜୀ ଆହୁରି କହିଲେ : ବାସ୍ତବିକ ଈଶ୍ଵର ମୋ ସହିତ ଏବଂ ତାଙ୍କର ଅନ୍ୟାନ୍ୟ ସକଳ ସନ୍ତାନମାନଙ୍କ କଥା କହିଥାନ୍ତି । ଆମେ ତାଙ୍କୁ ଆମର ଚତୁର୍ଦ୍ଦିଗରେ ଦେଖୁ ଏବଂ ତାଙ୍କ ଅସୀମ ପ୍ରେମ ଦ୍ଵାରା ସର୍ବଦା ପ୍ରଭାବିତ ହେଉ, ସେହି ପ୍ରେମରୁ ଆମେ ପ୍ରତ୍ୟେକ ମଙ୍ଗଳ ଓ ଶୁଭକର୍ମ ପାଇଁ ପ୍ରେରଣା ମଧ୍ୟ ଲାଭକରୁ ।