Jump to content

ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା କର୍ତ୍ତବ୍ୟ ସମ୍ବନ୍ଧରେ ମଧ୍ୟ ତଦ୍ରୂପ । କର୍ତ୍ତବ୍ୟର ଧାରଣା ବିଭିନ୍ନ ଜାତି ମଧ୍ୟରେ ଭିନ୍ନ ଭିନ୍ନ । କୌଣସି ଦେଶରେ ଯଦି କେହି ଗୋଟିଏ କାର୍ଯ୍ୟ ନ କରେ, ଲୋକେ କହିବେ ଯେ ସେ ଅନ୍ୟାୟ କରିଛି; ଅଥଚ ଅନ୍ୟ ଗୋଟିଏ ଦେଶରେ ଠିକ୍ ସେହି କାର୍ଯ୍ୟଗୁଡ଼ିକ କଲେ ଲୋକେ କହିବେ ଯେ, ସେ ଠିକ୍ କାମ କରି ନାହିଁ । ତଥାପି ଆମେ ଜାଣୁ, କର୍ତ୍ତବ୍ୟର ଗୋଟିଏ ସାର୍ବଜନୀନ ଧାରଣା ଅଛି । ତେଣୁ ଗୋଟିଏ ସମାଜ ଏକ ଶ୍ରେଣୀର କାର୍ଯ୍ୟକୁ କର୍ତ୍ତବ୍ୟ ବୋଲି ମନେକରେ, ଅନ୍ୟ ଏକ ସମାଜ ପୁଣି ଠିକ୍ ଏହାର ବିପରୀତ ମତ ପୋଷଣ କରେ ଏବଂ ଏପରି କାର୍ଯ୍ୟ କରିବାକୁ କୁଣ୍ଠିତ ହୁଏ । ବର୍ତ୍ତମାନ ଆମ ସମ୍ମୁଖରେ ଦୁଇଟି ପଥ ଉନ୍ମୁକ୍ତ, ଗୋଟିଏ ହେଲା ଅଜ୍ଞ ଲୋକର ପଥ : ସେମାନେ ମନେକରନ୍ତି, ସତ୍ୟ ଲାଭର ପଥ ମାତ୍ର ଗୋଟିଏ, ଅନ୍ୟ ସବୁ ପଥ ଭୁଲ ; ଅନ୍ୟ ଗୋଟିଏ ହେଲା ଜ୍ଞାନୀମାନଙ୍କ ପଥ—ସେମାନେ ସ୍ଵୀକାର କରନ୍ତି ଯେ, ଆମର ମାନସିକ ଗଠନ ଅଥବା ଅବସ୍ଥାର ସ୍ତର ଅନୁସାରେ କର୍ତ୍ତବ୍ୟ ମଧ୍ୟ ଭିନ୍ନ ଭିନ୍ନ ହୋଇପାରେ; ସୁତରାଂ କର୍ତ୍ତବ୍ୟ ଓ ସଦାଚାରର ବିଭିନ୍ନ କ୍ରମ ଅଛି । ଜୀବନର ଏକ ଅବସ୍ଥାରେ, ଏକ ପରିବେଶରେ ଯାହା କର୍ତ୍ତବ୍ୟ, ଅନ୍ୟ ଏକ ଅବସ୍ଥାରେ, ଅନ୍ୟଗୋଟିଏ ପରିବେଶରେ ତାହା କର୍ତ୍ତବ୍ୟ ହୋଇ ନ ପାରେ । ଗୋଟିଏ ଉଦାହରଣ ନିଆଯାଉ । ମହାପୁରୁଷଗଣ ଉପଦେଶ ଦେଇଛନ୍ତି—‘ଅଶୁଭର ପ୍ରତିରୋଧ କର ନାହିଁ, ଅପ୍ରତିକାର ହିଁ ସର୍ବୋଚ୍ଚ ଆଦର୍ଶ ।’ କିନ୍ତୁ ଆମେ ଜାଣୁ ଯେ ଯଦି ଆମେ କେତେଜଣ ମାତ୍ର ଏହି ନୀତିକୁ ପୂର୍ଣ୍ଣ ଭାବରେ କାର୍ଯ୍ୟରେ ପରିଣତ କରିବାର ଚେଷ୍ଟା କରୁ, ତେବେ ସମାଜ-ଗଠନ ବ୍ୟବସ୍ଥା ଭାଙ୍ଗି ପଡ଼ିବ, ଆମର ସମ୍ପତ୍ତି ଇତ୍ୟାଦି ସବୁ ଦୁଷ୍ଟ ଲୋକମାନଙ୍କର ହସ୍ତଗତ ହେବ, ଆମମାନଙ୍କ ଜୀବନ ମଧ୍ୟ ସେହିମାନଙ୍କଦ୍ୱାରା ପରିଚାଳିତ ହେବ —ଆମ ସହିତ ସେମାନେ ଯାହା ଇଚ୍ଛା ତାହା କରିବେ । ମାତ୍ର ଗୋଟିଏ ଦିନ ପାଇଁ ମଧ୍ୟ ଯଦି ଆମେ ଏହି ‘ଅପ୍ରତିକାର-ନୀତି’ କାର୍ଯ୍ୟରେ ପରିଣତ କରୁ, ତେବେ ସମାଜ ଧ୍ୱଂସ ହୋଇଯିବ । ଏହା ସତ୍ତ୍ବେ, ଆମେ ବିଚାର-ବିଶ୍ଳେଷଣ ନ କରି ମଧ୍ୟ ‘ଅପ୍ରତିକାର’ ରୂପକ ଉପଦେଶର ସତ୍ୟତା ଅନ୍ତରରେ ଉପଲବ୍‌ କରିଥାଉ । ଏହା ହିଁ ସର୍ବୋଚ୍ଚ ଆଦର୍ଶ ବୋଲି ଆମର ଧାରଣା; କିନ୍ତୁ କେବଳ ଏହି ମତକୁ ପ୍ରଚାର କଲେ ମାନବ ଜାତିର ଏକ ବିରାଟ ଅଂଶ ନିନ୍ଦନୀୟ ହେବ । କେବଳ ସେତିକି ନୁହେଁ, ଏହାଦ୍ବାରା ଲୋକଙ୍କର ଧାରଣା ହେବ ଯେ ସେମାନେ ସର୍ବଦା ହିଁ ଅନ୍ୟାୟ କରୁଛନ୍ତି, ତେଣୁ ସକଳ କାର୍ଯ୍ୟରେ ହିଁ ସେମାନେ ମନରେ ବିବେକର ସଂକୋଚନ ଅନୁଭବ କରି ଚାଲିବେ । ଏହା ସେ ଦୁର୍ବଳ କରିଦେବ ଏବଂ ଅନ୍ୟାନ୍ୟ ଦୁର୍ବଳତାଗୁଡ଼ିକ ଅପେକ୍ଷା ଆତ୍ମଗ୍ଳାନିରୁ ଅଧ୍ଵତର ପାପର ସୃଷ୍ଟି ହେବ । ଯେଉଁ ବ୍ୟକ୍ତି ନିଜକୁ ଘୃଣା କରିବାକୁ ଆରମ୍ଭ କରିଛି, ତାହାର ଅବନତିର ଦ୍ବାର ଉଦ୍‌ଘାଟିତ ହୋଇଛି । ଗୋଟିଏ ଜାତିର କ୍ଷେତ୍ରରେ ମଧ୍ୟ ଏହି କଥା ସତ୍ୟ । ତେଣୁ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜକୁ ଘୃଣା ନ କରିବା । ଉନ୍ନତ ହେବାକୁ ହେଲେ, ପ୍ରଥମେ ନିଜ ଉପରେ ଓ ପରେ ଈଶ୍ବରଙ୍କ ଉପରେ ମଧ୍ୟ ବିଶ୍ବାସ ଆବଶ୍ୟକ । ଯାହାର ନିଜ ଉପରେ ବିଶ୍ୱାସ ନାହିଁ, ତାହାର କେବେହେଲେ ଈଶ୍ବରଙ୍କ ଉପରେ ବିଶ୍ଵାସ ଆସିପାରେ ନାହିଁ ।