ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ବାନପ୍ରସ୍ଥ ଓ ସନ୍ୟାସ ଏହିସବୁ ବିଭିନ୍ନ ଆଶ୍ରମ ପାଇଁ ବିଭିନ୍ନ ପ୍ରକାର ବିଧୂର ନିର୍ଦ୍ଦେଶ ରହିଛି । ହିନ୍ଦୁ ଶାସ୍ତ୍ରମତରେ ମାନବର ସାଧାରଣ-ଧର୍ମ ବ୍ୟତୀତ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବିଭିନ୍ନ କର୍ତ୍ତବ୍ୟ ଅଛି । ହିନ୍ଦୁକୁ ପ୍ରଥମେ ବ୍ରହ୍ମଚର୍ଯ୍ୟାଶ୍ରମରେ ଛାତ୍ର–ଜୀବନ ଆରମ୍ଭ କରିବାକୁ ହୁଏ; ତା’ପରେ ବିବାହ କରି ଗୃହୀ ହେବାକୁ ପଡ଼େ; ବୃଦ୍ଧାବସ୍ଥାରେ ହିନ୍ଦୁ ଗୃହସ୍ଥାଶ୍ରମରୁ ବିଦାୟ ଗ୍ରହଣ କରି ବାନପ୍ରସ୍ଥ ଅବଲମ୍ବନ କରେ ଏବଂ ସର୍ବଶେଷରେ ସଂସାର ତ୍ୟାଗ କରି ସନ୍ନ୍ୟାସୀ ହୁଏ । ବିଭିନ୍ନ ଆଶ୍ରମ ଅନୁସାରେ ଜୀବନର ପ୍ରତ୍ୟେକ ସ୍ତର ପାଇଁ ବିଭିନ୍ନ କର୍ତ୍ତବ୍ୟ ଉପଦିଷ୍ଟ ହୋଇଅଛି । ଏହି ଆଶ୍ରମଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ଅନ୍ୟଗୁଡ଼ିକ ଠାରୁ ବଡ଼ ନୁହେଁ, ଯେ ବିବାହ ନ କରି ଧର୍ମକାର୍ଯ୍ୟ ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି, ତାଙ୍କ ଜୀବନ ଯେତିକି ମହତ୍, ବିବାହିତ ବ୍ୟକ୍ତିଙ୍କ ଜୀବନ ମଧ୍ୟ ସେତିକି ମହତ୍ । ସିଂହାସନାରୂଢ଼ ରାଜା ଯେପରି ମହାନ୍ ଓ ଗୌରବାନ୍ବିତ, ରାସ୍ତାର ଏକ ଝାଡୁଦାର ମଧ୍ୟ ତାହା । ରାଜାଙ୍କୁ ତାଙ୍କ ସିଂହାସନରୁ ଉଠାଇନେଇ ଝାଡୁଦାରର କାମ କରିବାକୁ ଦିଅ—ଦେଖ ସେ କେତେଦୂର ଏହା କରିପାରୁଛନ୍ତି । ପୁଣି ଝାଡୁଦାରକୁ ନେଇ ସିଂହାସନରେ ବସାଅ—ଦେଖ, ସେ ମଧ୍ୟ ରାଜକାର୍ଯ୍ୟ କିପରି ପରିଚାଳନା କରେ । ସଂସାରୀ ଅପେକ୍ଷା ସଂସାରତ୍ୟାଗୀ ମହତ୍ତର, ଏକଥା କହିବା ବୃଥା । ସଂସାରରୁ ସ୍ବତନ୍ତ୍ର ରହି ସହଜ ସ୍ଵାଧୀନ ଜୀବନଯାପନ ଅପେକ୍ଷା ସଂସାରରେ ରହି ଈଶ୍ବରଙ୍କୁ ଉପାସନା କରିବା ବରଂ କଠିନ । ଆଜିକାଲି ଭାରତରେ କିନ୍ତୁ ପୂର୍ବୋକ୍ତ ଚାରୋଟି ଆଶ୍ରମ କେବଳ ଗାର୍ହସ୍ଥ୍ୟ ଓ ସନ୍ୟାସ – –ଏହି ଦୁଇଟି ଆଶ୍ରମରେ ପରିଣତ ହୋଇଅଛି । ଗୃହସ୍ଥ ବିବାହ କରନ୍ତି ଏବଂ ସାମାଜିକ କର୍ତ୍ତବ୍ୟ ପାଳନ କରନ୍ତି; ଆଉ ସଂସାରତ୍ୟାଗୀଙ୍କର କର୍ତ୍ତବ୍ୟ-ତାଙ୍କର ସମୁଦାୟ ଶକ୍ତି କେବଳ ଧର୍ମ ଦିଗରେ ନିୟୋଜିତ କରିବା । ସେ କେବଳ ଧର୍ମଶିକ୍ଷା ଦେବେ ଓ ଈଶ୍ବରୋପାସନା କରିବେ । ‘ମହାନିର୍ବାଣ-ତନ୍ତ୍ର’ରୁ ଏହି ପ୍ରସଙ୍ଗରେ କିଛି ଅଂଶ ମୁଁ ଆବୃରି କରିବି । ଏଗୁଡ଼ିକ ଶୁଣିଲେ ତୁମେ ବୁଝିବ ଗୃହସ୍ଥ ହେବା ଏବଂ ଗୃହସ୍ଥର କର୍ତ୍ତବ୍ୟ ଯଥାଯଥ ଭାବରେ ପ୍ରତିପାଳନ କରିବା ଅତି କଠିନ । ୬୦ ବ୍ରହ୍ମନିଷ୍ଠା ଗୃହସ୍ଥ ଧ୍ୟାତ୍ ବ୍ରହ୍ମଜ୍ଞାନପରାୟଣ । ଯଦ୍‌ଯତ୍ କର୍ମ ପ୍ରକୂର୍ବୀତ ତଦ୍ ବ୍ରହ୍ମଣି ସମର୍ପୟେତ୍ ॥ ୮/୨୩ —ଗୃହସ୍ଥ ଈଶ୍ୱରପରାୟଣ ହେବେ । ବ୍ରହ୍ମଜ୍ଞାନ ଲାଭ କରିବା ହିଁ ଯେପରି ତାଙ୍କ ଜୀବନର ଚରମ ଲକ୍ଷ୍ୟ ହୁଏ । ତଥାପି ତାଙ୍କୁ ସର୍ବଦା କର୍ମ କରିବାକୁ ହେବ, ତାଙ୍କୁ ନିଜର ସମୁଦାୟ କର୍ତ୍ତବ୍ୟ ସାଧନ କରିବାକୁ ହେବ ଏବଂ ସେ ଯାହା କରିବେ; ତାହା ବ୍ରହ୍ମଙ୍କୁ ସମର୍ପଣ କରିବାକୁ ହେବ । କର୍ମ କରିବା ଅଥଚ ଫଳାକାଙକ୍ଷା ନ କରିବା, ଲୋକଙ୍କୁ ସାହାଯ୍ୟ କରିବା ଅଥଚ ତାଙ୍କ ନିକଟରୁ କୌଣସି ପ୍ରକାର କୃତଜ୍ଞତା ପ୍ରତ୍ୟାଶା ନ କରିବା, ସତ୍କର୍ମ କରିବା ଅଥଚ ତାହାଦ୍ୱାରା ନାମଯଶ ହେଲା ବା ନ ହେଲା, ଏ ବିଷୟରେ ଏକାବେଳକେ ଦୃଷ୍ଟି ନ ଦେବ-ଏହା ଜଗତରେ ସବୁଠାରୁ କଠିନ କାମ । ଲୋକେ ଯେତେବେଳେ ପ୍ରଶଂସା କରନ୍ତି, ସେତେବେଳେ ଘୋର କାପୁରୁଷ ମଧ୍ୟ ସାହସୀ ହୁଏ । ସମାଜର ଅନୁମୋଦନ ଓ ପ୍ରଶଂସା ପାଇଲେ ନିର୍ବୋଧ ବ୍ୟକ୍ତି ମଧ୍ୟ ବୀରୋଚିତ କାର୍ଯ୍ୟ କରିପାରେ; କିନ୍ତୁ କାହାରି ହେଲେ ସ୍ତୁତି ପ୍ରଶଂସା ଆଶା ନ କରି, ସେ ଦିଗକୁ ଆଦୌ ଦୃଷ୍ଟି ନ ଦେଇ ସର୍ବଦା ସତ୍କାର୍ଯ୍ୟ କରିବା ହିଁ ପ୍ରକୃତରେ ସର୍ବଶ୍ରେଷ୍ଠ ସ୍ଵାର୍ଥତ୍ୟାଗ ।