ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ସେତୁଃ ପ୍ରତିଷ୍ଠିତୋ ଯେନ ତେନ ଲୋକତ୍ରୟଂ ଜିତମ୍ ॥ ୮/୬୩ —ଯେ ବ୍ୟକ୍ତି ଜଳାଶୟ ଖନନ, ବୃକ୍ଷରୋପଣ, ପଥ ମଧ୍ୟରେ ବିଶ୍ରାମଗୃହ ଓ ସେତୁ ନିର୍ମାଣ କରି ଜନସାଧାରଣଙ୍କ ପାଇଁ ତାହା ଉତ୍ସର୍ଗ କରନ୍ତି, ସେ ତ୍ରିଭୁବନ ଜୟ କରିଥାଆନ୍ତି । ବଡ଼ ବଡ଼ ଯୋଗୀମାନେ ଯେଉଁ ପଦକୁ ପ୍ରାପ୍ତ ହୁଅନ୍ତି, ସେ ମଧ୍ୟ ଏହି ସକଳ ସତ୍ଵକର୍ମ କରି ସେହି ଦିଗରେ ଅଗ୍ରସର ହୁଅନ୍ତି । ଏହା ମଧ୍ୟ କର୍ମଯୋଗ —ଗୃହସ୍ଥର କର୍ତ୍ତବ୍ୟ ଓ ଅବଶ୍ୟ କର୍ମ । ଉକ୍ତ ତନ୍ତ୍ରଗ୍ରନ୍ଥରେ ହିଁ ଅନ୍ୟତ୍ର ଆଉ ଗୋଟିଏ ଶ୍ଳୋକ ଆମେ ଦେଖିବାକୁ ପାଉ : ୬୬ ନ ବିଭେତି ରଣାଦ୍ ୟୋ ବୈ-ସଂଗ୍ରାମେଽପ୍ୟପରାମୁଖୀ । ଧର୍ମୟୁଷେ ମୃତୋ ବାପି ତେନ ଲୋକତ୍ରୟଂ ଜିତମ୍ ॥ ୮/୬୭ —ଯେ ଯୁଦ୍ଧକୁ ଭୟ କରନ୍ତି ନାହିଁ, ଯେ ସଂଗ୍ରାମରେ ଅପରାମୁଖ ବା ଯେ ଧର୍ମଯୁଦ୍ଧରେ ମୃତ ହୁଅନ୍ତି, ସେ ତ୍ରିଭୁବନ ଜୟ କରନ୍ତି । ଯଦି ସ୍ଵଦେଶ ବା ସ୍ଵଧର୍ମ ପାଇଁ ଯୁଦ୍ଧ କରି ଗୃହସ୍ଥର ମୃତ୍ୟୁ ହୁଏ, ତେବେ ଯୋଗୀଗଣ ଧ୍ୟାନଦ୍ବାରା ଯେଉଁ ପଦ ଲାଭ କରନ୍ତି, ସେ ମଧ୍ୟ ସେହି ପଦ ପ୍ରାପ୍ତ ହୋଇଥାଆନ୍ତି । ତେଣୁ ଏହା ସ୍ପଷ୍ଟ ଯେ, ଜଣକ ପକ୍ଷରେ ଯାହା କର୍ତ୍ତବ୍ୟ, ଅନ୍ୟ ଜଣକ ପକ୍ଷରେ ତାହା କର୍ତ୍ତବ୍ୟ ନ ହୋଇପାରେ । ଶାସ୍ତ୍ର କୌଣସି ହେଲେ କର୍ତ୍ତବ୍ୟ କର୍ମକୁ ହୀନ ବା ଉନ୍ନତ କହେ ନାହିଁ । ଦେଶ-କାଳ-ପାତ୍ର ଅନୁସାରେ କର୍ତ୍ତବ୍ୟ ମଧ୍ୟ ବିଭିନ୍ନ ଏବଂ ଆମେ ଯେଉଁ ଅବସ୍ଥାରେ ରହିଛୁ, ଆମକୁ ତଦୁପଯୋଗୀ କର୍ତ୍ତବ୍ୟ ପାଳନ କରିବାକୁ ହେବ । ଏସବୁ ଆଲୋଚନାରୁ ଆମେ ଏହି ଶିକ୍ଷା ଲାଭ କରୁଛୁ ଯେ, ଦୁର୍ବଳତା ମାତ୍ରେ ଘୃଣ୍ୟ ଓ ପରିତ୍ୟାଜ୍ୟ । ଆମର ଦର୍ଶନ, ଧର୍ମ ବା କର୍ମ ଭିତରେ—ଆମର ସମୁଦାୟ ଶାସ୍ତ୍ରୀୟ ଶିକ୍ଷା ମଧ୍ୟରେ—ଏହି ଗୋଟିଏ ଭାବ ମୋର ଖୁବ୍ ପସନ୍ଦ ହୁଏ । ଯଦି ତୁମେ ବେଦ ପାଠକର, ତେବେ ଦେଖିବ ସେଥ୍‌ରେ ‘ଅଭୟ’ ଶବ୍ଦଟି ବାରମ୍ବାର ଉକ୍ତ ହୋଇଅଛି । କିଛିହେଲେ ଭୟ କର ନାହିଁ—ଭୟ ଦୁର୍ବଳତାର ଚିହ୍ନ । ଏହି ଦୁର୍ବଳତା ହିଁ ମନୁଷ୍ୟକୁ ଭଗବାନଙ୍କ ପଥରୁ ବିଚ୍ୟୁତ କରି ନାନା ପାପକର୍ମ କରାଏ । ସୁତରାଂ ଜଗତର ଘୃଣା ଓ ଉପହାସ ଆଡ଼କୁ ଆଦୌ ଲକ୍ଷ୍ୟ ନ ରଖ୍ ନିଭୀକ ଭାବରେ ନିଜ କର୍ତ୍ତବ୍ୟ କରିଯାଅ । ଯଦି କେହି ସଂସାରରୁ ଦୂରରେ ରହି ଈଶ୍ବରଙ୍କ ଉପାସନା କରନ୍ତି, ତେବେ ତାଙ୍କ ପକ୍ଷରେ ଏପରି ଭାବିବା ଉଚିତ ନୁହେଁ ଯେ, ଯେଉଁମାନେ ସଂସାରରେ ରହି ଜଗତର ହିତ ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ଈଶ୍ବରଙ୍କ ଉପାସନା କରୁନାହାନ୍ତି । ପୁଣି ଯେଉଁମାନେ ସ୍ତ୍ରୀ-ପୁତ୍ରାଦିଙ୍କ ପାଇଁ ସଂସାରେ ରହିଛନ୍ତି, ସେମାନେ ଯେପରି ସଂସାରତ୍ୟାଗୀମାନଙ୍କୁ ନୀଚ ବା ଅକର୍ମଣ୍ୟ ବୋଲି ମନେ ନ କରନ୍ତି । ନିଜ ନିଜ କ୍ଷେତ୍ରରେ ସମସ୍ତେ ମହାନ୍ତି । ଏହା ବୋଧଗମ୍ୟ ହେବା ପାଇଁ ମୁଁ ଏକ ଗଳ୍ପର ଅବତାରଣା କରୁଅଛି । କୌଣସି ଦେଶରେ ଜଣେ ରାଜା ଥିଲେ । ତାଙ୍କ ରାଜ୍ୟକୁ ଯଦି କୌଣସି ସାଧୁସନ୍ୟାସୀ ଆସନ୍ତି ତେବେ ତାଙ୍କୁ ସେ ପଚାରନ୍ତି, ‘ଯେ ସଂସାର ତ୍ୟାଗ କରି ସନ୍ନ୍ୟାସୀ ହୁଏ; ସେ ବଡ଼, ନା ଯେ ଘରେ ରହି ଗୃହସ୍ଥର ସମୁଦାୟ କର୍ତ୍ତବ୍ୟ ପାଳନ କରେ ସେ ବଡ଼ ?’ ଅନେକ ବିଜ୍ଞ ଲୋକ ମଧ୍ୟ ଏହି ସମସ୍ୟାର ମୀମାଂସା କରିବା ପାଇଁ ଚେଷ୍ଟା କଲେ । କେହି କେହି କହିଲେ ଯେ ସନ୍ନ୍ୟାସୀ ବଡ଼ । କିନ୍ତୁ ରାଜା ଏହି କଥାର ପ୍ରମାଣ ଚାହିଁଲେ । ସେମାନେ ଯେତେବେଳେ