ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭୂମିକା

ସ୍ୱାମୀଜୀ ଓ ତାଙ୍କର ବାଣୀ

(ଭଗିନୀ ନିବେଦିତାଙ୍କ ଦ୍ବାରା ଲିଖିତ ଭୂମିକାର ଅନୁବାଦ)

ସ୍ୱାମୀ ବିବେକାନନ୍ଦଙ୍କର ଯେଉଁ ଚାରିଖଣ୍ଡ ଗ୍ରନ୍ଥାବଳୀ ବର୍ତ୍ତମାନ ସଂସ୍କରଣରେ ନିବଦ୍ଧ ହୋଇଛି, ତାହାର ମାଧ୍ୟମରେ ଆମେ ଯେ କେବଳ ସମଗ୍ର ବିଶ୍ୱବାସୀଙ୍କ ପ୍ରତି ସାଧାରଣଭାବରେ ଗୋଟିଏ ଦିବ୍ୟବାଣୀ ପାଇଛୁ, ତାହା ନୁହେଁ; ବରଂ ଏଥିରୁ ହିନ୍ଦୁଧର୍ମର ସନ୍ତାନମାନଙ୍କ ପାଇଁ ମଧ୍ୟ ଏହି ଧର୍ମର ଗୋଟିଏ ସନନ୍ଦ ଲାଭ କରିଛୁ । ବର୍ତ୍ତମାନ ଯୁଗର ବ୍ୟାପକ ଅବକ୍ଷୟ ମଧ୍ୟରେ ଏହି ଧର୍ମର ପ୍ରୟୋଜନ ଥିଲା ଗୋଟିଏ ଶୈଳଦୃଢ଼ ଆଶ୍ରୟ, ଯେଉଁଠାରେ ହିନ୍ଦୁଧର୍ମ ଗୋଟିଏ ସ୍ଥିର ଭୂମି ଲାଭ କରିପାରିବ; ପ୍ରୟୋଜନ ଥିଲା ଗୋଟିଏ ପ୍ରାମାଣିକ ଆପ୍ତବାକ୍ୟ, ଯାହାଦ୍ୱାରା ସେ ତାହାର ନିଜର ସ୍ବରୂପ ଉପଲବ୍ଧ କରିପାରିବ । ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ମାଧ୍ୟମରେ ଏତକ ତାକୁ ଦିଆଯାଇଛି । । ଅନ୍ୟତ୍ର ଯେପରି କୁହାଯାଇଛି, ଇତିହାସରେ ସର୍ବପ୍ରଥମ ହିନ୍ଦୁଧର୍ମ ସାମଗ୍ରିକ ଭାବରେ ଜଣେ ଶ୍ରେଷ୍ଠ ହିନ୍ଦୁମନିଷୀଙ୍କ ଦ୍ବାରା ବିବୃତ ହେଲା । ଭବିଷ୍ୟତରେ ବହୁକାଳ ଧରି ଯେତେବେଳେ ହିନ୍ଦୁଧର୍ମାବଲମ୍ବୀ ହିନ୍ଦୁଧର୍ମର ପ୍ରମାଣ ଚାହିଁବେ, ଯେତେବେଳେ କୌଣସି ହିନ୍ଦୁଜନନୀ ତାଙ୍କୁ ସନ୍ତାନମାନଙ୍କୁ ପୂର୍ବପୁରୁଷମାନଙ୍କର ଧର୍ମ କଅଣ ଥିଲା ସେ ବିଷୟରେ ଶିକ୍ଷା ଦେବେ, ସେତେବେଳେ ପ୍ରମାଣ ଓ ଆଲୋକ ପାଇଁ ସେ ଏହି ଗ୍ରନ୍ଥାବଳୀ ଉପରେ ହଁ ନିର୍ଭର କରିବେ । ଭାରତରୁ ଇଂରାଜୀ ଭାଷା ବିଲୁପ୍ତ ହେବାର ବହୁକାଳ ପରେ ମଧ୍ୟ ଏହି ଭାଷା ମାଧ୍ୟମରେ ବିଶ୍ୱ ନିକଟରେ ଯେଉଁ ଉପହାର ପ୍ରଦତ୍ତ ହେଲା, ତାହା ଏଠାରେ ସ୍ଥାୟୀ ଭାବରେ ବିରାଜମାନ କରିବ ଏବଂ ପ୍ରାଚ୍ୟ ଓ ପାଶ୍ଚାତ୍ୟରେ ସମଭାବରେ ଫଳପ୍ରସୂ ହେବ । ହିନ୍ଦୁଧର୍ମର ପ୍ରୟୋଜନ ଥିଲା ନିଜ ଚିନ୍ତାଧାରାର ସଙ୍ଗଠନ ଓ ସାମଞ୍ଜସ୍ୟ– ବିଧାନ; ପୃଥିବୀର ପ୍ରୟୋଜନ ଥିଲା ଏପରି ଗୋଟିଏ ଧର୍ମ, ଯାହା ସତ୍ୟ ସମ୍ମୁଖରେ ନିର୍ଭୀକ । ଏହି ଗ୍ରନ୍ଥରେ ଏହି ଦୁଇଟିର ସନ୍ଧାନ ମିଳିବ । ସଂଙ୍କଟପୂର୍ଣ ମୁହୁର୍ତ୍ତରେ ଯେ ଜାତୀୟ ଚେତନାକୁ ସଂହତ କରି ବାଙ୍ମୟରୂପ ପ୍ରଦାନ କଲେ, ସେହି ବ୍ୟକ୍ତିଙ୍କ ଅଭ୍ୟୁଦୟ ଅପେକ୍ଷା ସନାତନ ଧର୍ମର ଶାଶ୍ବତ ଶକ୍ତିର ଏବଂ ଅତୀତ ସଦୃଶ ବର୍ତ୍ତମାନର ଭାରତ ଯେ ମହିମାମୟ, ଏହି ସତ୍ୟର ମହତ୍ତର ପ୍ରମାଣ ଆଉ କଣ ଥାଇପାରେ ?

  • ଇଂରେଜୀରେ ସ୍ବାମୀଜୀଙ୍କ ଗ୍ରନ୍ଥାବଳୀ ପ୍ରଥମେ ୪ ଖଣ୍ଡରେ ପ୍ରକାଶିତ ହୁଏ । ବର୍ତ୍ତମାନ ତାହା ୮ଖଣ୍ଡରେ ପ୍ରକାଶିତ ହେଉଛି । ଗ୍ରନ୍ଥାବଳୀର ଓଡ଼ିଆ ସଂସ୍କରଣ ୧୦ଖଣ୍ଡରେ ବିଭକ୍ତ ।