କର୍ମ—ରହସ୍ଯ ଅନ୍ୟର ଦେହର ଅଭାବ ପୂରଣ କରି ତାକୁ ସାହାଯ୍ୟ କରିବା ମହତ୍ କର୍ମ ସତ; କିନ୍ତୁ ଅଭାବ ଯେତେ ଅଧିକ ଓ ସାହାଯ୍ୟ ଯେତେ ଦୂରସ୍ପର୍ଶୀ, ସେହି ଅନୁସାରେ ସେହି ଉପହାର ମଧ୍ୟ ସେତେ ମହତ୍ତର । ଯଦି ଘଣ୍ଟାକ ପାଇଁ କୌଣସି ବ୍ୟକ୍ତିର ଅଭାବ ଦୂର କରାଯାଇପାରେ; ତେବେ ଅବଶ୍ୟ ତାର ଉପକାର କରାହେଲା; ଯଦି ବର୍ଷକ ପାଇଁ ତାର ଅଭାବ ଦୂର କରାଯାଇପାରେ, ତେବେ ତାହା ଆହୁରି ଅଧିକ ଉପକାର; ଆଉ ଯଦି ଚିରକାଳ ପାଇଁ ଅଭାବ ଦୂର କରାଯାଇପାରେ; ତେବେ ତାହା ହିଁ ମନୁଷ୍ୟର ଶ୍ରେଷ୍ଠ ଉପକାର । ଏକମାତ୍ର ଅଧ୍ୟାତ୍ମଜ୍ଞାନ ହିଁ ଆମର ସମସ୍ତ ଦୁଃଖ ଚିରକାଳ ପାଇଁ ଦୂର କରିପାରେ; ଅନ୍ୟାନ୍ୟ ଜ୍ଞାନ ଅତି ଅଳ୍ପ ସମୟ ପାଇଁ ଅଭାବ ପୂରଣ କରେ ମାତ୍ର । କେବଳ ଆତ୍ମବିଷୟକ ଜ୍ଞାନଦ୍ୱାରା ହିଁ ଅଭାବ- ବୃତ୍ତି ଚିରକାଳ ପାଇଁ ବିନଷ୍ଟ ହୋଇପାରେ : ଅତଏବ ଆଧ୍ୟାତ୍ମିକ ସାହାଯ୍ୟ ହିଁ ମନୁଷ୍ୟର ସର୍ବଶ୍ରେଷ୍ଠ ସାହାଯ୍ୟ । ମନୁଷ୍ୟକୁ ଯେ ପରମାର୍ଥ-ଜ୍ଞାନ ପ୍ରଦାନ କରିପାରନ୍ତି, ସେ ମନୁଷ୍ୟର ଶ୍ରେଷ୍ଠ-ହିତୈଷୀ । ଆମେ ଦେଖିବାକୁ ପାଉ ଯେ, ମନୁଷ୍ୟର ଆଧ୍ୟାତ୍ମିକ-ଅଭାବ ପୂରଣ କରିବା ପାଇଁ ଯେଉଁମାନେ ସାହାଯ୍ୟ କରିଛନ୍ତି, ସେମାନେ ସର୍ବାପେକ୍ଷା ଶକ୍ତିଶାଳୀ ପୁରୁଷ ଥିଲେ; କାରଣ ଆଧ୍ୟାତ୍ମିକତା ଆମ ଜୀବନର ସକଳ କର୍ମପ୍ରଚେଷ୍ଟାର ପ୍ରକୃତ ଭିରି । ଆଧ୍ୟାତ୍ମିକ ଦୃଷ୍ଟିରୁ ଯେ ସୁସ୍ଥ ଓ ସବଳ, ଇଚ୍ଛା କଲେ ସେ ଅନ୍ୟାନ୍ୟ ବିଷୟରେ ମଧ୍ୟ ଦକ୍ଷ ହୋଇପାରନ୍ତି । ଭିତରେ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ନ ହେବା ପର୍ଯ୍ୟନ୍ତ ମନୁଷ୍ୟର ଶାରୀରିକ ଅଭାବଗୁଡ଼ିକ ମଧ୍ୟ ଠିକ୍ ଠିକ୍ ପୂର୍ଣ୍ଣ ହୁଏ ନାହିଁ । ଆଧ୍ୟାତ୍ମିକ ଉପକାର ପରେ ହିଁ ହେଉଛି ବୁଦ୍ଧି-ବୃତ୍ତିର ଉନ୍ନତି ପାଇଁ ସାହାଯ୍ୟ । ଅନ୍ନ-ବସ୍ତଦାନ ଅପେକ୍ଷା ଜ୍ଞାନଦାନ ଉଚ୍ଚତର-ପ୍ରାଣଦାନ ଅପେକ୍ଷା ମଧ୍ୟ ଏହା ମହତ୍, କାରଣ ଜ୍ଞାନ ହିଁ ମନୁଷ୍ୟର ପ୍ରକୃତ ଜୀବନ । ଅଜ୍ଞାନ ମୃତ୍ୟୁ ତୁଲ୍ୟ, ଜ୍ଞାନ ହିଁ ଜୀବନ । ଜୀବନ ଯଦି ଅନ୍ଧକାରରେ କଟାଇବାକୁ ହୁଏ-ଅଜ୍ଞାନ ଓ ଦୁଃଖ ଭିତର ଦେଇ ଜୀବନ ଯାପନ କରିବା ଯଦି ଜୀବନ ହୁଏ, ତେବେ ସେ ଜୀବନର କୌଣସି ମୂଲ୍ୟ ନାହିଁ । ଶାରୀରିକ ଅଭାବ ପୂରଣ କରିବା ଏହା ତୁଳନାରେ ନିମ୍ନତର । ଅତଏବ ଅନ୍ୟକୁ ସାହାଯ୍ୟ କରିବା କଥା ବିଚାର କରିବା ସମୟରେ ଆମେ ଯେପରି ଏହି ଭ୍ରମରେ ନ ପଡୁ ଯେ ଶାରୀରିକ ସାହାଯ୍ୟ ହିଁ ଏକମାତ୍ର ସାହାଯ୍ୟ । ଶାରୀରିକ ସାହାଯ୍ୟର ସ୍ଥାନ କେବଳ ଯେ ସର୍ବଶେଷରେ, ତାହା ନୁହେଁ—ବରଂ ଏହା ସର୍ବନିମ୍ନରେ ମଧ୍ୟ, କାରଣ ଏହା ସ୍ଥାୟୀ ତୃପ୍ତି ଦେଇପାରେ ନାହିଁ । କ୍ଷୁଧାଉଁ ହେଲେ ଆମେ ଯେଉଁ କଷ୍ଟ ପାଉ, ଖାଇଲେ ସେ କଷ୍ଟ ଅନ୍ତର୍ହିତ ହୁଏ; କିନ୍ତୁ କ୍ଷୁଧା ପୁନର୍ବାର ଫେରିଆସେ । ଦୁଃଖ କେବଳ ସେତେବେଳେ ନିବୃତ୍ତ ହେବ, ଯେତେବେଳେ ଆମର ସର୍ବବିଧ ଅଭାବ ଦୂର ହେବ । ତା’ ହେଲେ କ୍ଷୁଧା ଆମକୁ କଷ୍ଟ ଦେଇପାରିବ ନାହିଁ, କୌଣସି ପ୍ରକାରର ଦୁଃଖ ବା ଯନ୍ତ୍ରଣା ଆମମାନଙ୍କୁ ବିଚଳିତ କରିପାରିବ ନାହିଁ । ଅତଏବ ଯାହା ଆମମାନଙ୍କୁ ଆଧ୍ୟାତ୍ମିକ-ବଳସମ୍ପନ୍ନ କରେ, ତାହା ହିଁ ସର୍ବଶ୍ରେଷ୍ଠ ଉପକାର; ତା’ପରେ ମାନସିକ ଉପକାର , ଶେଷରେ ଶାରୀରିକ ଉପକାର । କେବଳ ଶାରୀରିକ ସାହାଯ୍ୟଦ୍ୱାରା ଜଗତର ଦୁଃଖ ଦୂର କରିବା ସମ୍ଭବ ନୁହେଁ । ଯେତେଦିନ ପର୍ଯ୍ୟନ୍ତ ମନୁଷ୍ୟର ପ୍ରକୃତି ପରିବର୍ତ୍ତନ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଏହି ଶାରୀରିକ ଅଭାବଗୁଡ଼ିକ ଆସୁଥୁବ ଏବଂ ଦୁଃଖର ଅନୁଭୂତି ନିଶ୍ଚୟ ରହିବ । ଯେତେ ବେଶୀ ଶାରୀରିକ
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭୧
ଦେଖଣା