ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କର୍ମ—ରହସ୍ଯ ୭୫ କରିପାରେ ଓ ଏହି ଜ୍ଞାନଦ୍ୱାରା ଆତ୍ମା ନିଜକୁ ମୁକ୍ତ କରିପାରେ—ଏହା ହିଁ ପ୍ରୟୋଜନ । ଯଦି ଆମେ ସର୍ବଦା ଏହି କଥା ସ୍ମରଣ ରଖୁ, ତେବେ କେବେହେଲେ ପ୍ରକୃତିଦ୍ୱାରା ଆସକ୍ତ ହେବୁ ନାହିଁ; ଆମେ ବୁଝିବୁ ଯେ, ପ୍ରକୃତି କେବଳ ଆମର ଗୋଟିଏ ପାଠ୍ୟ ପୁସ୍ତକ ପରି । ସେଥିରୁ ଜ୍ଞାନଲାଭ କରିବା ପରେ, ଆମ ନିକଟରେ ଏ ଗ୍ରନ୍ଥର ଆଉ କୌଣସି ମୂଲ୍ୟ ରହେ ନାହିଁ । ତାହା ନ କରି ପ୍ରକୃତି ସହିତ ଆମେ ନିଜକୁ ମିଶାଇ ଦେଉଛୁ, ଭାବୁଛୁ ଆତ୍ମା ଯେପରି ପ୍ରକୃତି ପାଇଁ । ପ୍ରଚଳିତ କଥାରେ ଅଛି, ‘ମନୁଷ୍ୟ ଖାଇବା ପାଇଁ ଜୀବନ ଧାରଣ କରେ, ଜୀବନଧାରଣ କରିବା ପାଇଁ ଖାଏ ନାହିଁ ।’ ଆମେ ସର୍ବଦା ଏହି ଭୁଲ କରୁଅଛୁ; ପ୍ରକୃତିକୁ ହିଁ ‘ମୁଁ’ ଭାବି ସେଥ୍‌ରେ ଆସକ୍ତ ହେଉଅଛୁ । ଏହି ଆସକ୍ତିରୁ ହିଁ ଆତ୍ମା ଉପରେ ଗଭୀର ସଂସ୍କାର ପଡ଼େ । ଏହି ଆମକୁ ବଦ୍ଧ କରେ ଓ ସ୍ଵାଧୀନ ଭାବରେ କର୍ମ କରିବାକୁ ନ ଦେଇ କ୍ରୀତଦାସ ତୁଲ୍ୟ କର୍ମ କରାଇଥାଏ । | ସଂସ୍କାର ଏହି ଶିକ୍ଷାର ସାରମର୍ମ ଏହି ଯେ, ପ୍ରଭୁ ପରି କର୍ମ କରିବାକୁ ହେବ, କ୍ରୀତଦାସ ପରି ନୁହେଁ । ସର୍ବଦା କର୍ମ କର, କିନ୍ତୁ ଦାସ ଭଳି କର୍ମ କର ନାହିଁ । ସମସ୍ତେ କି ଭାବରେ କର୍ମ କରୁଛନ୍ତି, ତାହା କଅଣ ଦେଖୁ ନାହଁ ? କେହି ହେଲେ ସମ୍ପୂର୍ଣ ଭାବରେ କର୍ମହୀନ ହୋଇ ନ ପାରେ । ଶତକଡ଼ା ଅନେଶତ ଜଣ ଲୋକ କ୍ରୀତଦାସ ଭଳି କର୍ମ କରିଥାଆନ୍ତି—ତାହାର ଫଳ ଦୁଃଖ ଏପରି କର୍ମ ସ୍ବାର୍ଥପର । ସ୍ଵାଧୀନ ଭାବରେ କାର୍ଯ୍ୟ କର, ପ୍ରେମର ସହିତ କାର୍ଯ୍ୟ କର ! ‘ପ୍ରେମ’ ଶବ୍ଦଟି ହୃଦୟଙ୍ଗମ କରିବା ବଡ଼ କଠିନ । ସ୍ଵାଧୀନତା ନ ଥିଲେ କେବେହେଲେ ପ୍ରେମ ଆସି ନପାରେ । କ୍ରୀତଦାସ ପକ୍ଷରେ ଯଥାର୍ଥ ପ୍ରେମ ସମ୍ଭବପର ନୁହେଁ । ଯଦି ଗୋଟିଏ କ୍ରୀତଦାସକୁ ଆଣି ତାହାକୁ ଶିକୁଳିରେ ବାନ୍ଧି କାମ କରାଅ, ସେ ମଧ୍ୟ ବାଧ୍ୟ ହୋଇ କଷ୍ଟେମଷ୍ଟେ କାମ କରିବ ସତ; କିନ୍ତୁ ତା ଅନ୍ତରରେ କୌଣସି ପ୍ରେମ ରହିବ ନାହିଁ । ଏହିପରି ଆମେ ମଧ୍ୟ ଯେତେବେଳେ ସାଂସାରିକ ଲାଭ ପାଇଁ କ୍ରୀତଦାସ ଭଳି କାର୍ଯ୍ୟ କରୁ, ଆମ ଅନ୍ତରରେ ମଧ୍ୟ କୌଣସି ପ୍ରେମ ନ ଥାଏ । ସୁତରାଂ ଆମର ଏ କାର୍ଯ୍ୟ ପ୍ରକୃତ କାର୍ଯ୍ୟ ନୁହେଁ । ଆମର ଆତ୍ମୀୟ ଓ ବନ୍ଧୁବାନ୍ଧବଙ୍କ ପାଇଁ ଆମେ ଯେଉଁ କାର୍ଯ୍ୟ କରୁ, ଏପରିକି ଆମ ନିଜ ପାଇଁ ଯେଉଁ କାର୍ଯ୍ୟ କରୁ, ସେ କ୍ଷେତ୍ରରେ ମଧ୍ୟ ଏହା ସତ୍ୟ । ସ୍ଵାର୍ଥ ପାଇଁ କର୍ମ ଦାସ-ସୁଲଭ କର୍ମ । ପୁଣି କୌଣସି କର୍ମ ସ୍ଵାର୍ଥ ନିମିତ୍ତ କି ନୁହେଁ, ତାହାର ପରୀକ୍ଷା ଏହି ଯେ, ପ୍ରେମର ସହିତ ଯେକୌଣସି କାର୍ଯ୍ୟ କରାଯାଏ, ସେଥିରେ ଆମେ ସୁଖୀ ହୋଇଥାଉ । ପ୍ରକୃତ ପ୍ରେମ ପ୍ରଣୋଦିତ ଏପରି କୌଣସି କାର୍ଯ୍ୟନାହିଁ, ଯାହାର ଫଳ– ସ୍ବରୂପ ଶାନ୍ତି ଓ ଆନନ୍ଦ ନ ମିଳିବ । ପ୍ରକୃତ ସତ୍ତା ପ୍ରକୃତ ଜ୍ଞାନ, ପ୍ରକୃତ ପ୍ରେମ ଅନନ୍ତକାଳ ପାଇଁ ପରସ୍ପରର ସମ୍ବନ୍ଧଦ୍ଵାରା ସଂଯୁକ୍ତ; ଆଉ ପ୍ରକୃତରେ ଏ ତିନିହେଁ ଏକ । ଏମାନଙ୍କ ମଧ୍ୟରୁ ଯେଉଁଠି ଗୋଟିଏ ଅଛି, ଅନ୍ୟଗୁଡ଼ିକ ସେଠାରେ ଅବଶ୍ୟ ଥିବ । ଏମାନେ ସେହି ଅଦ୍ବିତୀୟ ସଚ୍ଚିଦାନନ୍ଦଙ୍କର ତ୍ରିବିଧ ରୂପ । ଯେତେବେଳେ ସେହି (ନିରପେକ୍ଷ) ସତ୍ତା ଆପେକ୍ଷିକ ଭାବାପନ୍ନ ହୁଏ, ସେତେବେଳେ ଆମେ ତାହାକୁ ଜଗତ ରୂପରେ ଦେଖୁ । ସେହି ଜ୍ଞାନ ପୁଣି ଜାଗତିକ ବସ୍ତୁ-ବିଷୟକ ଜ୍ଞାନରେ ପରିଣତ ହୁଏ ଏବଂ ସେହି ଆନନ୍ଦ ହିଁ ମାନବ-ହୃଦୟରେ ସର୍ବବିଧ ପ୍ରେମର ଭିଭିସ୍ବରୂପ । ଅତଏବ ପ୍ରକୃତ ପ୍ରେମ କେବେହେଲେ ପ୍ରେମିକ ଅଥବା ପ୍ରେମାସ୍ପଦ କାହାରି ଦୁଃଖର କାରଣ ହୋଇ ନ ପାରେ ।