Jump to content

ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୭୯ କେବଳ ବାଳକର ଏହି କାର୍ଯ୍ୟର ପ୍ରଶଂସା କରାହୋଇଛି । କିନ୍ତୁ ସେଥିରେ ଅସାଧାରଣ କଅଣ ଅଛି ? ଏହି ଗଳ୍ପ ଯେ କି ନୀତିଶିକ୍ଷା ଦିଏ ତାହା କୌଣସି ହିନ୍ଦୁ ବାଳକ ପକ୍ଷରେ ବୁଝିବା ସମ୍ଭବ ନୁହେଁ । ବର୍ତ୍ତମାନ ପାଶ୍ଚାତ୍ୟ ଦେଶର ଭାବ-ନିଜ କଥା ନିଜେ ଦେଖ ।’ ଏହି କଥାରୁ ମୁଁ ବିଷୟଟି ବୁଝିପାରୁଛି । ଏ ଦେଶରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜେ ସବୁ ଭୋଗ କରନ୍ତି, ବାପା-ମା-ସ୍ତ୍ରୀ-ପୁତ୍ରଙ୍କୁ ଦେଖନ୍ତି ନାହିଁ । ଗୃହସ୍ଥର ଏପରି ଆଦର୍ଶ କେବେହେଲେ ଉଚିତ ନୁହେଁ । ବର୍ତ୍ତମାନ ତୁମେ ବୁଝିପାରୁଛ, କର୍ମଯୋଗର ଅର୍ଥ କଅଣ । ଏହାର ଅର୍ଥ-ମୃତ୍ୟୁର ସମ୍ମୁଖୀନ ହେଲେ ସୁଦ୍ଧା ମୁହଁ ବନ୍ଦ କରି ସମସ୍ତଙ୍କୁ ସାହାଯ୍ୟ କରିବା । ଲକ୍ଷ ଲକ୍ଷ ଥର ଲୋକେ ତୁମକୁ ପ୍ରତାରଣା କରନ୍ତୁ, କିନ୍ତୁ ତୁମେ କୌଣସି ପ୍ରଶ୍ନ କର ନାହିଁ କିମ୍ବା ତୁମେ ଯେ କୌଣସି ଭଲକାମ କରୁଅଛି, ତାହା ମଧ୍ୟ ଭାବ ନାହିଁ । ଦରିଦ୍ରମାନଙ୍କୁ ତୁମେ ଯେଉଁ ଦାନ କରୁଅଛ, ସେଥିପାଇଁ ବଡ଼ିମା ପୋଷଣ କର ନାହିଁ, ଅଥବା ସେମାନଙ୍କ ନିକଟରୁ କୃତଜ୍ଞତାର ଆଶା ମଧ୍ୟ କର ନାହିଁ; ବରଂ ସେମାନେ ଯେ ତୁମକୁ ତାଙ୍କର ସେବା କରିବାର ସୁଯୋଗ ଦେଇଛନ୍ତି, ସେଥ୍ପାଇଁ ସେମାନଙ୍କ ପ୍ରତି କୃତଜ୍ଞ ହୁଅ । ଅତଏବ ସ୍ପଷ୍ଟ ଦେଖାଯାଉଛି, ଆଦର୍ଶ ସନ୍ନ୍ୟାସୀ ହେବା ଅପେକ୍ଷା, ଆଦର୍ଶ ଗୃହୀ ହେବା କଷ୍ଟକର । ଯଥାର୍ଥ ତ୍ୟାଗୀର ଜୀବନ ଅପେକ୍ଷା ଯଥାର୍ଥ କର୍ମୀର ଜୀବନ କଠୋରତର ନ ହେଲେ ମଧ୍ୟ ସମଭାବେ କଠିନ ।

କର୍ତ୍ତବ୍ୟ କଅଣ ? କର୍ମଯୋଗର ତତ୍ତ୍ଵ ବୁଝିବାକୁ ହେଲେ କର୍ତ୍ତବ୍ୟ କାହାକୁ କୁହାଯାଏ, ଆମର ତାହା ଜାଣିବା ଆବଶ୍ୟକ । ମୋତେ ଯଦି କିଛି କରିବାକୁ ହୁଏ, ତେବେ ପ୍ରଥମେ ଜାଣିବାକୁ ହେବ ମୋର କର୍ତ୍ତବ୍ୟ କଅଣ, ତେବେ ଯାଇ ତାହା କରିପାରିବି । କର୍ତ୍ତବ୍ୟଜ୍ଞାନ ପୁଣି ବିଭିନ୍ନ ଜାତି ମଧ୍ୟରେ ଭିନ୍ନ ଭିନ୍ନ । ମୁସଲମାନ୍ କହନ୍ତି, ତାଙ୍କ ଶାସ୍ତ୍ର କୋରାନରେ ଯାହା ଲେଖା ଅଛି, ତାହା ହିଁ ତାଙ୍କର କର୍ତ୍ତବ୍ୟ । ହିନ୍ଦୁ କହନ୍ତି, ତାଙ୍କ ବେଦରେ ଯାହା ଅଛି, ତାହା ହିଁ ତାଙ୍କର କର୍ତ୍ତବ୍ୟ । ଖ୍ରୀଷ୍ଟିୟାନ୍ ପୁଣି କହନ୍ତି ଯେ, ତାଙ୍କର ବାଇବେଲରେ ଯାହା ଅଛି, ତାହା ହିଁ ତାଙ୍କର କର୍ତ୍ତବ୍ୟ । ସୁତରାଂ ଆମେ ଦେଖୁ, ଜୀବନର ବିଭିନ୍ନ ଅବସ୍ଥାରେ, ଇତିହାସର ବିଭିନ୍ନ ଯୁଗରେ ଓ ବିଭିନ୍ନ ଜାତି ମଧ୍ୟରେ କର୍ତ୍ତବ୍ୟର ଭାବ ଭିନ୍ନ ଭିନ୍ନ । ଅନ୍ୟାନ୍ୟ ସାର୍ବଜନୀନ-ଭାବବୋଧକ ଶବ୍ଦ ପରି ‘କର୍ତ୍ତବ୍ୟ’ ଶବ୍ଦର ମଧ୍ୟ ସ୍ପଷ୍ଟ ସଂଜ୍ଞା ଦେବା ଅସମ୍ଭବ । କର୍ମ ଜୀବନରେ ଏହାର ପରିଣତି ଓ ଫଳାଫଳ ଜାଣି ଆମେ ତାହା ସମ୍ବନ୍ଧରେ ଗୋଟିଏ ମୋଟାମୋଟି ଧାରଣା କରିପାରୁ । ଯେତେବେଳେ ଆମମାନଙ୍କ ସମ୍ମୁଖରେ କେତେଗୁଡ଼ିଏ ଘଟଣା ଘଟେ, ସେତେବେଳେ ଆମର ସେଗୁଡ଼ିକ ସମ୍ବନ୍ଧରେ କୌଣସି ବିଶେଷ ଭାବରେ କାର୍ଯ୍ୟ କରିବା ପାଇଁ ସ୍ଵାଭାବିକ, ଅଥବା ପୂର୍ବସଂସ୍କାର ଅନୁଯାୟୀ ଭାବର ଉଦୟ ହୁଏ । ସେହି ଭାବର ଉଦୟ ହେଲେ ମନ ତାହାର ପରିବେଶ ସମ୍ବନ୍ଧରେ ଚିନ୍ତା କରିବାକୁ ଆରମ୍ଭ କରେ । କେତେବେଳେ ମନେହୁଏ, ଏପରି ଅବସ୍ଥାରେ ଏହି ଭାବରେ କାର୍ଯ୍ୟ କରିବା ହିଁ ସଙ୍ଗତ, ପୁଣି ଅନ୍ୟ ସମୟରେ ଠିକ୍