ପୃଷ୍ଠା:Aama Debadebi.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରି ଥାଆନ୍ତି । ଫଳରେ ଆମର ଚରିତ୍ର ଉନ୍ନତ ଓ ମନ ନିର୍ମଳ ହୋଇଥାଏ । ଏଣୁ ଏହି ସବୁ ଦୁଷ୍ଟ ପ୍ରବୃତ୍ତିଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରି ଗଣେଶଙ୍କ ପୂଜା କରିବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ ।

ଉପରେ ଉଲ୍ଲେଖ କରାଯାଇଥବା ପୁରାଣମାନଙ୍କରେ ଗଣେଶଙ୍କର ଯେଉଁ ସବୁ ବର୍ଣ୍ଣନା ଓ ଲୀଳା କାହାଣୀ ଅଛି, ସେଥିରେ ପରସ୍ପର ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ତେବେ ସେହି ବର୍ଣ୍ଣନାର ଆଧାରରେ ଗଣେଶଙ୍କ ସମ୍ପର୍କରେ ଏକ ସର୍ବଜନଗ୍ରାହ୍ୟ ଧାରଣା କରାଯାଏ । ତାହା ହେଉଛି-

ଗଣେଶ ଏକଦନ୍ତ ଓ ଚତୁର୍ଭୁଜ । ତାଙ୍କର ଚାରି ହାତରେ ପାଶ, ଅଙ୍କୁଶ, ଅଭୟ ଓ ବରଦ ମୁଦ୍ରା ଶୋଭିତ । ତାଙ୍କର ବାହନ ମୂଷିକ । ଶରୀର ରକ୍ତବର୍ଣ୍ଣ । ରକ୍ତବର୍ଣ୍ଣ ବସନ ଓ ପୁଷ୍ପ ତାଙ୍କର ପ୍ରିୟ ।

ଶ୍ରୀତତ୍ତ୍ୱନିଧି, ମନ୍ତ୍ର ମହୋଦଧି, ମନ୍ତ୍ର ରତ୍ନାକର, ରୂପ ମଣ୍ଡନ, ଶିଳ୍ପ ରତ୍ନ, ମନ୍ତ୍ରମହାର୍ଣ୍ଣବ, ଅଂଶୁମଦ୍‌ଭେଦାଗମ, ଉତ୍ତର କାମିକାଗମ, ସୁପ୍ରଭେଦାଗମ ଆଦି ଅନେକ ଗ୍ରନ୍ଥରେ ଗଣେଶଙ୍କର ଆହୁରି ବହୁ ରୂପ, ଗୁଣର ବର୍ଣ୍ଣନା ଅଛି । କେଉଁଠି ତାଙ୍କର ହାତ ସଂଖ୍ୟା ୧୬ ତ କେଉଁଠି ୮ ଓ ପୁଣି କେଉଁଠି ୬ । ଶରୀରର ବର୍ଣ୍ଣ ବି ସେମିତି । କେଉଁଠି ଆଉଟା ସୁନାପରି ଉଜ୍ଜଳ ତ କେଉଁଠି ସକାଳର ସୁର୍ଯ୍ୟ ପରି ଲାଲ ଏବଂ ପୁଣି କେଉଁଠି ଚନ୍ଦ୍ରପରି ଶ୍ୱେତବର୍ଣ୍ଣ । ହେରମ୍ବ ଗଣପତିଙ୍କ ବାହନ ସିଂହ, ମୟୂରେଶ ଗଣପତିଙ୍କ ବାହନ ମୟୂର ଓ ବହୁ ସ୍ଥାନରେ ବାହନ ମୂଷିକ । ପୁଣି କଳିଯୁଗରେ ତାଙ୍କର ବାହନ ହେବ ଅଶ୍ୱ । ପୁଣି କେଉଁଠି ସେ ପଞ୍ଚମୁଖ (ହେରମ୍ବ ଗଣପତି) ତ କେଉଁଠି ଏକମୁଖ, ଗଜାନନ ।

ଗଣେଶଙ୍କ ବେଶଭୂଷାର ବର୍ଣ୍ଣନା ମଧ୍ୟ ଗଣେଶ ପୁରାଣରେ ଖୁବ୍ ଚମତ୍କାର ଭାବରେ ରହିଛି । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମୁଖରେ ଗଣେଶଙ୍କ ବେଶଭୂଷାର ବର୍ଣ୍ଣନା ଦିଆଯାଇ ଗଣେଶ ପୁରାଣରେ କୁହାଯାଇଛି-

ମୋତି ଓ ରତ୍ନ ଆଦି ତାଙ୍କର ମୁକୁଟରେ ଖଞ୍ଜା ହୋଇଥାଏ । ସମଗ୍ର ଶରୀରରେ ସେ ରକ୍ତ ଚନ୍ଦନ ଲେପନ କରନ୍ତି । ଗଳାରେ ମୋତିମାଳା, ମସ୍ତକରେ ସିନ୍ଦୂରର ଶୋଭା, ବକ୍ଷସ୍ଥଳରେ ସର୍ପ-ପଇତା । ବାହୁରେ ରତ୍ନ ଖଚିତ ବାହୁଟି, ମର୍କତମଣିର ମୁଦି । କଟିରେ ସର୍ପ-ରଜ୍ଜୁ । ଭାଲପଟରେ ଚନ୍ଦ୍ରମା । ଦନ୍ତ ସୁନ୍ଦର ଓ ଶୁଭ୍ର । ହାତ ବରଦ ମୁଦ୍ରାରେ ଶୋଭିତ ।

ଏହି ଅଳଙ୍କାର ଓ ଆଭୂଷଣ ସେ ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ଲକ୍ଷ୍ମୀ, ସାବିତ୍ରୀ, ସରସ୍ୱତୀ ଆଦିଙ୍କ ଠାରୁ ପାଇଛନ୍ତି ବୋଲି ବ୍ରହ୍ମବୈବର୍ତ୍ତ ପୁରାଣରେ ଉଲ୍ଲେଖ ଅଛି ।

୧୦ . ଆମ ଦେବଦେବୀ