କିନ୍ତୁ ବାୟୁଙ୍କର ତ ରାଗ ଥାଏ । ଯେମିତି ଗୋଟାଏ ପଟ ଖୋଲା ଦେଖିଛନ୍ତି ହୁ’ କରି ପ୍ରବଳ ବେଗରେ ପଶି ଆସିଲେ । ସେହି ବେଗରେ ମେରୁ ପର୍ବତକୁ ବେଢ଼ି ରହିଥିବା ପର୍ବତଗୁଡ଼ିକ ମଧ୍ୟରୁ ଗୋଟିଏ ପର୍ବତ ଭାଙ୍ଗି ଦକ୍ଷିଣକୁ ଉଡିଗଲା । ଯାଇ ଭାରତ ମହାସାଗରରେ ପଡ଼ିଲା । ସେଇଟି ଥିଲା ତ୍ରିକୂଟ ପର୍ବତ । ପୁରାଣମାନଙ୍କରେ ଥିବା ବର୍ଣ୍ଣନା ଅନୁସାରେ ରାବଣର ଲଙ୍କାପୁର ପ୍ରଥମେ ଉତ୍ତରରେ- ମହାମେରୁର ତ୍ରିକୂଟ ପର୍ବତ ଉପରେ ଥିଲା । ସେହି ଦିନଠୁ ତାହା ଦକ୍ଷିଣକୁ ଉଡି ଆସି ଭାରତ ମହାସାଗରରେ ପଡ଼ିଲା । ଫଳରେ ତାହା ଦକ୍ଷିଣର ଗୋଟିଏ ଦ୍ୱୀପରେ ପରିଣତ ହୋଇଗଲା ।
ବାସୁକୀଙ୍କ କୃତିତ୍ୱ ଓ ପରାକ୍ରମର ଆହୁରି ବହୁ ଉଦାହରଣ ପୁରାଣରେ ରହିଛି । ଭୀମ ଛୋଟ ଥିବାବେଳେ ତାଙ୍କୁ ଥରେ ବିଷ ଖୁଆଇ ଗଙ୍ଗାରେ ପିଙ୍ଗି ଦିଆଯାଇଥିଲା । ଭୀମ ପାଣିରେ ବୁଡ଼ି ନାଗଲୋକକୁ ଚାଲି ଯାଇଥିଲେ । ସେ ନାଗଲୋକରେ ପହଞ୍ଚିବା ମାତ୍ରେ ନାଗମାନେ ଧାଇଁ ଆସି ତାଙ୍କୁ ଦଂଶନ କଲେ । ଫଳରେ ବିଷକୁ ବିଷ କାଟିଲା । ଭୀମଙ୍କ ଚେତା ଫେରିଲା । ଅର୍ଯ୍ୟକ ନାମକ ଏକ ନାଗ ସହିତ ତାଙ୍କର ପରିଚୟ ହେଲା । ସେ ଭୀମଙ୍କୁ ବାସୁକୀଙ୍କ ସହିତ ସାକ୍ଷାତ କରାଇଲେ । ବାସୁକୀ ଭୀମଙ୍କୁ ଅମୃତ ପାନ କରିବାକୁ ଦେଲେ; ଫଳରେ ଭୀମ ପ୍ରବଳ ପରାକ୍ରମୀ ହୋଇପାରିଲେ । କେବଳ ଭୀମଙ୍କ ପ୍ରତି ନୁହେଁ, ପାଣ୍ଡବଙ୍କ ପ୍ରତି ମଧ୍ୟ ବାସୁକୀଙ୍କର ପ୍ରଚୁର ଶ୍ରଦ୍ଧା ଥିଲା । କର୍ଣ୍ଣ ଓ ଅର୍ଜୁନଙ୍କ ପ୍ରତି ସେ ଶୁଭେଚ୍ଛୁ ଥିଲେ । କାର୍ତ୍ତିକଙ୍କୁ ସେ ଜୟ ଓ ମହାଜୟ ନାମକ ଦୁଇଟି ଫୁଲ ଉପହାର ଦେଇଥିଲେ । ବଳରାମଙ୍କ ଦେହତ୍ୟାଗ ପରେ ତାଙ୍କର ପ୍ରାଣ ଯେତେବେଳେ ସର୍ପ ରୂପରେ ପାତାଳକୁ ଗଲା, ସେତେବେଳେ ବାସୁକୀ ତାଙ୍କୁ ସ୍ୱାଗତ କରିଥିଲେ ।
ମାତ୍ର ବାସୁକୀଙ୍କର ଆଉ ଗୋଟିଏ ଗୁରୁତ୍ୱୂର୍ଣ୍ଣ ଭୂମିକା ରହିଛି । ପୃଥିବୀକୁ ନିଜର ଫଣା ଉପରେ ଧରିଥିବା ସପ୍ତନାଗଙ୍କ ମଧ୍ୟରୁ ସେ ଜଣେ ।
ନିଜର ସଦ୍ଗୁଣ ଯୋଗୁଁ ବାସୁକୀ ନାଗମାନଙ୍କର ରାଜା ହୋଇଥିଲେ । ସେଥିାଇଁ ସେ ନାଗରାଟ, ନାଗରାଜ, ନାଗେନ୍ଦ୍ର, ପନ୍ନଗ, ପନ୍ନଗରାଟ, ସର୍ପରାଜ ଆଦି ଅନେକଗୁଡ଼ିଏ ନାମରେ ପରଚିତ । ସର୍ପରେ ଜାତ ହେଲେ ହେଁ ମହତ୍ ସ୍ୱଭାବ ଯୋଗୁଁ ତାଙ୍କୁ ଦେବତା ରୂପେ ମାନ୍ୟତା ଦିଆଯାଇଥାଏ । ସେଥିପାଇଁ ନାଗରାଜ ବାସୁକୀଙ୍କ ଏକ ଧ୍ୟାନଶ୍ଳୋକରେ କୁହାଯାଇଛି-
ପ୍ରସୀଦ ନାଗେନ୍ଦ୍ର ଧରାଧରେଶ ସର୍ବାମରୈର୍ବନ୍ଦିତ ପାଦପଦ୍ମ
ନାନା ଫଣାମଣ୍ଡଳ ରାଜମାନ ଗୃହାଣ ଭକ୍ତିଂ ଭଗବନ୍ମମସ୍ତେ ।
୧୧୦ . ଆମ ଦେବଦେବୀ